ମଝିଆ ପୁଅର ଯାତନା

ଶାସନ ଓ ପ୍ରଶାସନର ଦୃଷ୍ଟିକୋଣ ବଦଳୁ

ଆମ ସାମାଜିକ ଓ ପାରିବାରିକ ଚଳଣିରେ ଗୋଟିଏ ଲୋକକଥା ଅଛି – ‘ବଡ଼ ପୁଅ ବାପାର, ସାନ ପୁଅ ମାଆର; ମଝିଆ ପୁଅ କାହାର ନୁହେଁ।’ ଅର୍ଥନୀତିରେ ଏହି ମଝିଆ ପୁଅମାନେ ହେଲେ ମଧ୍ୟବିତ୍ତ ବର୍ଗ। ଆମଦେଶରେ ଜନସଂଖ୍ୟାର ମାତ୍ର ୧% ଧନିକ ବର୍ଗଭୁକ୍ତ ହୋଇଥିଲେ ହେଁ ଅର୍ଥନୀତିରେ ସେମାନଙ୍କ ଆଧିପତ୍ୟ ସର୍ବାଧିକ। ଦେଶର ପୁଞ୍ଜି ବ୍ୟବସ୍ଥାରେ ଅବଦାନର ଆଧିକ୍ୟ ଯୋଗୁଁ ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ଏମାନଙ୍କ ପ୍ରମୁଖ ଭୂମିକା ଥାଏ। ପାଖାପାଖି ୬୦% ହେଉଛନ୍ତି ବିପିଏଲ୍ ବା ଗରିବ ଶ୍ରେଣୀଭୁକ୍ତ। ସେମାନଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଜନକଲ୍ୟାଣ ବା ରିଆତି ଯୋଜନା ପ୍ରଣୟନ ହୁଏ। ଅର୍ଥାତ୍ ସରକାରୀ ସୁବିଧାସୁଯୋଗର ଏହି ବର୍ଗ ହେଉଛନ୍ତି ସର୍ବାଧିକ ହିତାଧିକାରୀ। ଟିକସ, କର, ଋଣ, ସୁଧ ନୀତିନିୟମ ଆଦି ପରିବର୍ତ୍ତନରେ ସେମାନଙ୍କ ଉପରେ ସେତେଟା ପ୍ରଭାବ ପଡ଼େନି। ବାକି ୨୯% ହେଉଛନ୍ତି ମଧ୍ୟବିତ୍ତ ବର୍ଗ। ଟିକସ ଓ କର ଆକାରରେ ରାଜକୋଷ ବୃଦ୍ଧିରେ ଏମାନଙ୍କର ପ୍ରମୁଖ ଭୂମିକା ଥିଲେ ମଧ୍ୟ ନୀତି ନିର୍ଦ୍ଧାରଣରେ କୌଣସି ଗୁରୁତ୍ୱ ନଥାଏ କି ରିଆତି ଯୋଜନାରେ ଭାଗ ନଥାଏ।
ପରିବାର ଓ ଅର୍ଥନୀତିର ତଥାକଥିତ ଏହି ମଝିଆ ପୁଅମାନଙ୍କର ଆର୍ଥିକ ଓ ମାନସିକ ଯାତନା ବିଷୟରେ ଆଲୋଚନା କରିବା ପୂର୍ବରୁ ଅର୍ଥନୀତି ଉପରେ ଟିକସ ବୋଝର ପ୍ରଭାବ ଉପରେ କିଞ୍ଚିତ ଆଲୋକପାତ କରିବା ସମୀଚୀନ ହେବ। ୨୦୧୮-୧୯ ଆର୍ଥିକ ବର୍ଷରେ ଆମ ଦେଶର ମୋଟ୍ ଘରୋଇ ଉତ୍ପାଦ(ଜିଡିପି) ଉପରେ ପରୋକ୍ଷ କର ବୋଝର ପରିମାଣ ଥିଲା ୧୦%। ପ୍ରାୟ ଦଶବର୍ଷ ତଳେ, ଅର୍ଥାତ୍ ୨୦୦୯-୧୦ ଆର୍ଥିକ ବର୍ଷରେ ଏହା ଥିଲା ୬.୧%। ବିଗତ ୫ ବର୍ଷ ମଧ୍ୟରେ ଜିଡିପି ଅଭିବୃଦ୍ଧି ତୁଳନାରେ ପରୋକ୍ଷ ଟିକସ ଅଭିବୃଦ୍ଧି ହାର ଅଧିକ ରହିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଏହା ୮.୭ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୧୮-୧୯ରେ ୧୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏହି ସମୟ ମଧ୍ୟରେ ପ୍ରତ୍ୟକ୍ଷ କରର ଚକ୍ରବୃଦ୍ଧି ହାର ଥିଲା ୧୩.୧%। ଅର୍ଥାତ୍ ପ୍ରତ୍ୟକ୍ଷ କର ୨୦୧୩-୧୪ରେ ୬.୫ ଲକ୍ଷ କୋଟି ଟଙ୍କାରୁ ୨୦୧୮-୧୯ରେ ୧୩.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବୋଝ ବଢ଼ିବା ସହିତ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପିରେ ଉପଭୋକ୍ତା ବା ଗୃହକର୍ତ୍ତାଙ୍କ ଆୟ ଅନୁପାତ ହ୍ରାସ ପାଇଥିଲା।
ପରୋକ୍ଷ ଟିକସ ବୋଝ ଯେତେ ବଢ଼ିବ ଉପଭୋକ୍ତା ବା ଗୃହକର୍ତ୍ତାଙ୍କ ହାତରେ ବଳକା ଟଙ୍କା, ଜମା ଓ ନିବେଶ ସେତିକି କମିବ। ତେଣୁ ଖର୍ଚ୍ଚ ପାଇଁ ସେମାନେ ବ୍ୟାଙ୍କ ଋଣ ଉପରେ ଭରସା କରିବେ। ଅର୍ଥନୀତିର ଉପରୋକ୍ତ ନିୟମ ଅନୁଯାୟୀ କୋଭିଡ୍ – ୧୯ ମହାମାରୀଜନିତ ଆର୍ଥିକ ସଙ୍କଟରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ମଧ୍ୟବିତ୍ତ ବର୍ଗ। ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ କେନ୍ଦ୍ର ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍(ସହାୟତା) ଘୋଷଣାର ପ୍ରାୟ ୯୦% ଋଣ ଆଧାରିତ। କେନ୍ଦ୍ର ସରକାରଙ୍କ ଘୋଷଣା ଯଦି ଶତପ୍ରତିଶତ କାର୍ଯ୍ୟକାରୀ ହୁଏ ତେବେ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବ୍ୟାଙ୍କିଙ୍ଗ ଶିଳ୍ପରେ ଆଖିଦୃଶିଆ ଅଭିବୃଦ୍ଧି ହେବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର କୋହଳ ମୁଦ୍ରାନୀତିର ସୁଫଳ ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇବ। ବର୍ତ୍ତମାନ ବ୍ୟାଙ୍କ ପାଖରେ ପ୍ରଚୁର ପରିମାଣରେ ନଗଦ ଗଚ୍ଛିତ ଅଛି, କିନ୍ତୁ ଚାହିଦା ନଥିବାରୁ ତାହା ଅର୍ଥନୀତିରେ ବିନିଯୋଗ ହୋଇପାରୁନାହିଁ। ଟିକସ ବଢ଼ିଲେ ପରୋକ୍ଷରେ ଏହି ବିପୁଳ ଅର୍ଥରାଶି ଋଣ ଆକାରରେ ଅର୍ଥନୀତିରେ ବିନିଯୋଗ ହୋଇପାରିବ। ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ୍ ବିସ୍ତାରର ଏହା ହିଁ ମୂଳ ଲକ୍ଷ୍ୟ। ଅପରପକ୍ଷରେ ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେବେ ମଧ୍ୟବିତ୍ତ ବର୍ଗ। ଏକପକ୍ଷରେ ଆୟ/ଦରମା/ରୋଜଗାର ହ୍ରାସ ପରି ସମସ୍ୟାକୁ ସାମ୍ନା କରୁଥିବା ମଧ୍ୟବିତ୍ତବର୍ଗର ଉଦ୍‌ବୃତ୍ତ ଆୟ ବା ଆୟବଳକା ବା ଜମା ପରିମାଣ ଏଫ୍ଏମ୍‌ସିଜି(ସାଧାରଣ ଖାଉଟି ସାମଗ୍ରୀ)ର କ୍ରମବର୍ଦ୍ଧିଷ୍ଣୁ ଦରଦାମ ଯୋଗୁଁ ସଂକୁଚିତ ହେବ। ଅପରପକ୍ଷରେ ସଞ୍ଚୟଜମା ଉପରେ ମିଳୁଥିବା ସୁଧ ହାର ହ୍ରାସ ଯୋଗୁଁ ସେହି ସୂତ୍ରରୁ ମିଳୁଥିବା ଆୟର ସ୍ରୋତ ଦୁର୍ବଳ ହୋଇ ବୋଝ ବଢ଼ିବ।
ଏଠାରେ ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଅର୍ଥନୀତିର ଏହି ମଝିଆ ପୁଅମାନେ ବ୍ୟାଙ୍କ ଋଣର ନିର୍ଭରଯୋଗ୍ୟ ଓ ନିୟମିତ ଗ୍ରାହକ। ସାମ୍ପ୍ରତିକ ମାନ୍ଦାବସ୍ଥାରେ ଋଣଗ୍ରହୀତାଙ୍କୁ ସହାୟତାର ହାତ ବଢ଼ାଇବାକୁ ଯାଇ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଚତୁରତାର ସହିତ କିସ୍ତି ଦେୟ ମିଆଦ ରିଆତି(ମୋରାଟୋରିୟମ)କୁ ବଢ଼ାଇଥିଲେ ମଧ୍ୟ ଏହି ଅବଧିର କିସ୍ତି ପରିମାଣକୁ ଋଣରେ ପରିବର୍ତ୍ତନ କରିଛନ୍ତି। ଅର୍ଥାତ୍ ଋଣଗ୍ରହୀତା ମୂଳ ଋଣର କିସ୍ତି ଓ ସୁଧ ଉପରେ ପୁଣି ସୁଧ ଦେବେ। ସୁଖର କଥା ମଝିଆ ପୁଅମାନଙ୍କର ଏହି ନୀରବ ଯାତନା ଓ ଅବାଞ୍ଛିତ ସମସ୍ୟାକୁ ହୃଦୟଙ୍ଗମ କରି ଯଥାର୍ଥରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ଦାୟର କରିଛନ୍ତି। ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଉଭୟ କେନ୍ଦ୍ର ସରକାର ଓ ଆରବିଆଇକୁ ନୋଟିସ୍ ଜାରି କରାଯାଇଛି।
ସୁପ୍ରିମକୋର୍ଟଙ୍କ ରାୟ ଯଦିବା ସରକାରଙ୍କ ନିଷ୍ପତ୍ତି ବିପକ୍ଷରେ ଯାଏ ତଥାପି ମଝିଆ ପୁଅମାନଙ୍କ ଯାତନା ଦୂର ହେବାକୁ ବହୁ ଅଧିକ ସମୟ ଲାଗିବ। ମଝିଆ ପୁଅମାନଙ୍କ ଯାତନାର ଆଉ ଏକ ସଦ୍ୟତମ ଉଦାହରଣ ହେଲା ଲକଡାଉନ୍‌ରେ କର୍ମଚାରୀଙ୍କ ବେତନ/ପାରିଶ୍ରମିକରେ କୌଣସି କାଣ୍ଟଛାଣ୍ଟ କରାଯାଇପାରିବ ନାହିଁ ବୋଲି ବିଭିନ୍ନ ସଂସ୍ଥା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସ ୨୯ ତାରିଖରେ ନିର୍ଦେଶନାମା ଜାରି କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଅଧିକନ୍ତୁ ଶିଳ୍ପ ଓ ବ୍ୟାବସାୟିକ ସଂସ୍ଥାର ଚାପରେ କେନ୍ଦ୍ର ସରକାର ପୂର୍ବ ନିର୍ଦେଶନାମାକୁ ମେ’୧୭ ତାରିଖରେ ପ୍ରତ୍ୟାହାର କରି ନେଇଛନ୍ତି। ଏହି ପ୍ରସଙ୍ଗକୁ ମଧ୍ୟ ସୁପ୍ରିମକୋର୍ଟ ଗମ୍ଭୀରତାର ସହିତ ଗ୍ରହଣ କରି ନୀତି ସ୍ପଷ୍ଟ କରିବାକୁ ନିର୍ଦେଶ ଦେଇଛନ୍ତି।
ଆମ ଅର୍ଥନୀତିର ବିଧିବ୍ୟବସ୍ଥା ଓ ନୀତି ପାଳନର ବାସ୍ତବତା ମଧ୍ୟରେ ଅନେକ ତଫାତ ରହୁଛି, ଯେଉଁଥିରେ ତଥାକଥିତ ମଝିଆ ପୁଅମାନେ ହିଁ ଅଧିକ ହୀନସ୍ତା ହେଉଛନ୍ତି। ବିଡ଼ମ୍ବନା ହେଉଛି ସେମାନେ ନା ଏହାର ପ୍ରତିବାଦ କରନ୍ତି, ନା ସେମାନଙ୍କ ସମସ୍ୟାକୁ ନୀତି ନିର୍ଦ୍ଧାରକମାନେ ଗୁରୁତ୍ୱ ଦିଅନ୍ତି। କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଯାତନାକୁ ନୀରବରେ ସହି ଆସୁଥିବା ମଝିଆ ପୁଅମାନଙ୍କର କାହାଣୀ ଏଠି, ସେଠି, ସବୁଠି ସମାନ। ଶାସନ ଓ ପ୍ରଶାସନର ଦୃଷ୍ଟିକୋଣରେ ପରିବର୍ତ୍ତନ ହେଲେ ଯାଇ ଏମାନଙ୍କ ନୀରବ ଯାତନା ଦୂର ହୋଇପାରିବ।

Comments
Loading...