ଭାଷା, ସଂସ୍କୃତିର ସୁରକ୍ଷା ଓ ସର୍ବସାଧାରଣ

0

ମଙ୍ଗଳା ପ୍ରସାଦ ମହାନ୍ତି

ଆମ ରାଜ୍ୟ ଓଡ଼ିଶାର ଭାଷା, କଳା, ନୃତ୍ୟ, ଆଦିବାସୀ ତଥା ଲୋକ ସଂସ୍କୃତିର ବ୍ୟାପକତା, ପ୍ରାଚୀନତା, ବିବିଧତା, ସର୍ବୋପରି ଉତ୍କର୍ଷ ସର୍ବଜନବିଦିତ ତଥା ଆଦୃତ। ଏଭଳି ଉନ୍ନତ, ଅତି ପ୍ରାଚୀନ ତଥା ସୁଦୃଢ଼ ମୂଳଦୁଆ ଉପରେ ସମୟାନୁକ୍ରମେ ଉଚ୍ଚ ପରମ୍ପରା ଅବା ଶାସ୍ତ୍ରୀୟ ସଂସ୍କୃତି ଏବଂ ସାହିତ୍ୟ ଗଢ଼ି ଉଠିଛି। ଆମ ଜନଜୀବନ ତଥା ସରକାରୀ ସ୍ତରର ପ୍ରତ୍ୟେକ ଛୋଟ ବଡ଼ ଦୈନନ୍ଦିନ ବିଶେଷ ଆୟୋଜନମାନଙ୍କରେ କଳା ଓ ସଂସ୍କୃତିର ଝଲକ ଜାଜ୍ଜ୍ବଲ୍ୟମାନ।
ଲୋକଙ୍କ ଦ୍ୱାରା ବିଭିନ୍ନ ଉତ୍ସବ, ପର୍ବପର୍ବାଣି, ସାମୂହିକ ତଥା ପାରିବାରିକ କର୍ମକର୍ମାଣି ମାଧ୍ୟମରେ ଆମ ଭାଷା, କଳା ଓ ସଂସ୍କୃତିର ବିଭିନ୍ନ ପରିପ୍ରକାଶ କେବଳ ବଂଚି ରହିନି, ପରନ୍ତୁ ସମୃଦ୍ଧ ହୋଇଛି, ପରିବର୍ତ୍ତିତ ଏବଂ ନୂତନ ରୂପରେ ମୁଣ୍ଡ ଟେକିଛି। ଏହାରି ମାଧ୍ୟମରେ ବଞ୍ଚିରହିଛି ଆମ ଭାଷା, ସାହିତ୍ୟ, ଲୋକକଥା, ଲୋକଗୀତ, କଳା, ଖାଦ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ନୃତ୍ୟ, ଲୋକନାଟ୍ୟ, ଆଦିବାସୀ ତଥା ସାଂପ୍ରତିକ ଲୋକପ୍ରିୟ ସଂସ୍କୃତି। ଏସବୁର ଗୁଣାତ୍ମକ ଅଭିବୃଦ୍ଧି, ସଂରକ୍ଷଣ, ଗବେଷଣା, ପୁନରୁଦ୍ଧାର, ଅଭିଲେଖ, ସଂରକ୍ଷଣ ଉପସ୍ଥାପନା ଆଦି ସରକାରଙ୍କ ନୀତିଗତ ତଥା ଆର୍ଥିକ ଅନୁଦାନ ଏବଂ ଆନୁଷଙ୍ଗିକ ପ୍ରୋତ୍ସାହନ ଦ୍ୱାରା ଆମ ଭାଷା, କଳା ଓ ସଂସ୍କୃତିର ପରିବ୍ୟାପ୍ତ ହୁଏ ବୋଲି ସମସ୍ତେ ଅନୁଭବ କରନ୍ତି। ତେଣୁ ପ୍ରତ୍ୟେକ କଥା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥାଏ। ଦୋଷ ମଧ୍ୟ ଦିଆଯାଏ। ଲୋକଙ୍କ ମତ ଓ ଭୋଟରେ ଶାସନକୁ ଆସୁଥିବା ରାଜନୈତିକ ଦଳ ଓ ନେତୃତ୍ୱ ଲୋକଙ୍କ ଭାବାବେଗ ସକ୍ଷରେ ହିଁ ନିଷ୍ପତ୍ତି ନେବା ସ୍ୱାଭାବିକ। ସେସବୁ କିନ୍ତୁ ଅନେକ ସମୟରେ ଉପରଠାଉରିଆ ଏବଂ ପ୍ରଚାରରେ ସୀମିତ ହୋଇଯାଇଥାଏ। ଏହାର ଉଦାହରଣ ଅନେକ – ଓଡ଼ିଶା ଭାଷା ଆଇନ୍ କୁହନ୍ତୁ ଅବା କୋଣାର୍କ ଓ ପୁରୀ ମନ୍ଦିରର ସଂରକ୍ଷଣର ପ୍ରସଙ୍ଗ। ଜାତିର ‘ଆତ୍ମା’ ଓ ‘ଚିନ୍ତନ’ ସ୍ତରକୁ ନଯାଇ, ମୁହଁରେ ପ୍ରଲେପ ମାରି ଜନମାନସକୁ ପ୍ରଭାବିତ କରିବାର ଚେଷ୍ଟା ସରକାର ମଧ୍ୟ କରିଥାନ୍ତି। ଲୋକପ୍ରିୟ ସଂସ୍କୃତି, ଟେଲିଭିଜନ ଧାରାବାହିକ, ସିନେମା, ଯାତ୍ରାର ପ୍ରଭାବ ସର୍ବତ୍ର, ସର୍ବାଗ୍ରେ ଆରମ୍ଭ ହୋଇଛି ସତ, କିନ୍ତୁ ଏ ବିଭାଗରେ ଆମେ ଆମ ନିଜ କଳା ଓ ସଂସ୍କୃତିକୁ ଯେତେ ଗୁରୁତ୍ୱ ଦେବା କଥା, ଦିଆ ହେଉନି। ଅନ୍ଧଭାବେ ଅନୁକରଣ କରୁଛୁ ଅନ୍ୟକୁ।
ଏ ପରିପ୍ରେକ୍ଷୀରେ ଆମ ପଡ଼ୋଶୀ ରାଜ୍ୟ ବିହାର କଥା ଆଲୋଚନାକୁ ନେବା। ୧୯୭୦ ଦଶକରେ ଅନେକ ସଂଖ୍ୟାରେ ବିହାରୀ ଲୋକେ ଦିଲ୍ଲୀ, ବମ୍ବେ ଆଦି ମହାନଗରକୁ ଜୀବନ ଓ ଜୀବିକା ନିମନ୍ତେ ଯିବା ଆରମ୍ଭ କରିଦେଇଥିଲେ। ନିର୍ଦିଷ୍ଟ ସମୟ ଅବା ତାରିଖର ଉଲ୍ଲେଖ ଏଠାରେ ଜରୁରୀ ନୁହେଁ। ମହାନଗରୀରେ ଛୋଟ ବଡ଼ ସମସ୍ତ କାମ କରିବା ଆରମ୍ଭ କଲେ ସେମାନେ ଓ ତାଙ୍କ ପିଲାମାନେ ପାଠ ପଢ଼ିଲେ। ଦିଲ୍ଲୀରେ ପଂଜାବୀ/ଜାଠଙ୍କ ସଂଖ୍ୟା ଓ ପ୍ରଭାବ ଯଥେଷ୍ଟ ଥିଲା। ସେ ସମୟରେ ପ୍ରଥମେପ୍ରଥମେ ବିହାରରୁ ଆସୁଥିବା ଲୋକମାନଙ୍କୁ କାମରେ ଲଗାଉଥିଲେ ସତ, କିନ୍ତୁ ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ବିହାର ଲୋକଙ୍କୁ, ଏପରିକି ପାଠପଢ଼ୁଆ ଲୋକଙ୍କୁ ଘରଭଡ଼ା ସହଜରେ ମିଳୁନଥିଲା।
ଦୀର୍ଘଦିନ ପରେ ଦିଲ୍ଲୀରେ ବଡ଼ ପରିବର୍ତ୍ତନ ଘଟିଛି। ଟ୍ୟାକ୍ସି ହେଉ, ଇ-ରିକ୍ସା ହେଉ କି ଓଲା, ଉବର, ମେରୁ, ବସ୍‌ରେ ଆଉ ବିଗତ ବର୍ଷ ଭଳି ପଂଜାବୀ ଓ ଜାଠ୍ ଡ୍ରାଇଭରଙ୍କ ସ୍ଥାନରେ ବିହାରୀ ଡ୍ରାଇଭର। ପରିବା ବିକାଳି, ମାଛ ଦୋକାନ, ମାଂସ ଦୋକାନ, ଫୁଲ ଦୋକାନ, ଏପରିକି ଘର ପାଖ ଛୋଟ ଡାଲି-ଚାଉଳ ଦୋକାନଠୁଁ ଆରମ୍ଭ କରି ବଡ଼ବଡ଼ ମଲ୍‌ରେ ସେମାନେ। ପ୍ରାୟତଃ ଅଧିକାଂଶ ଇସ୍ତ୍ରୀ କରୁଥିବା ଲୋକ ବିହାରର। ରାସ୍ତା, ବୃହତ୍ ଅଟ୍ଟାଳିକା, ମେଟ୍ରୋ, ସରକାରୀ ଅବା ବେସରକାରୀ ଗୃହ ନିର୍ମାଣରେ ଅଧିକରୁ ଅଧିକ ସଂଖ୍ୟାରେ ସେମାନେ କାମ କରୁଛନ୍ତି। ଖବର କାଗଜ ହେଉ କି କ୍ଷୀର, ଘରଘର ବୁଲି ଯୋଗାଣ କାର୍ଯ୍ୟ ହେଉ କି ରକ୍ଷଣାବେକ୍ଷଣ, ମରାମତି, ସୁରକ୍ଷା, ସବୁଥିରେ ସେମାନେ। ଦିଲ୍ଲୀ ସରକାର ହେଉ କି ଭାରତ ସରକାରଙ୍କ କାର୍ଯ୍ୟାଳୟରେ, ଉଚ୍ଚ ପଦରେ ହେଉ କି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ସେମାନେ କାର୍ଯ୍ୟରତ। ଦିଲ୍ଲୀର ରେଷ୍ଟୁରାଣ୍ଟ ହେଉ କି ରାସ୍ତାକଡ଼ର ଖାଦ୍ୟ ଦୋକାନ, ସେଥିରେ ମଧ୍ୟ ସେମାନେ। ପ୍ରାୟତଃ ସମସ୍ତେ ବିହାରୀ, ଭୋଜପୁରୀ ଆଦି ନିଜ ଭାଷାରେ କଥାବାର୍ତ୍ତା ହେଉଛନ୍ତି। ପଂଜାବୀ ମିଶା ହିନ୍ଦୀରେ ନୁହେଁ। ଦକ୍ଷିଣ ଦିଲ୍ଲୀର ଏକ ପ୍ରଶସ୍ତ ରାସ୍ତା ଦେଇ ଗଲାବେଳେ ହଠାତ୍ ରଥଯାତ୍ରା ଭଳି ଭିଡ଼ ଦେଖି ତାଜୁବ୍। ଡ୍ରାଇଭରକୁ ପଚାରିବାରେ ଜଣାପଡ଼ିଲା ଯେ ‘ଛଠ୍ ବଜାର’ ଲାଗିଛି। ବିହାର ଅଧିବାସୀଙ୍କ ଏକ ପ୍ରମୁଖ ପର୍ବ ହେଲା ‘ଛଠ୍’। ବିହାର ଓ ଝାଡ଼ଖଣ୍ଡରେ ଏହି ପର୍ବ ଧୁମଧାମରେ ପାଳନ କରାଯାଏ। ପ୍ରାୟତଃ ସମସ୍ତ ରାଜନୈତିକ ଦଳ, ନେତୃବୃନ୍ଦଙ୍କ ଦ୍ୱାରା ବଡ଼ବଡ଼ ‘ଛଠ୍’ ପୂଜାର ଅଭନନ୍ଦନର ବିଜ୍ଞାପନ ବୋର୍ଡ ଦିଲ୍ଲୀ ରାସ୍ତାକଡ଼ମାନଙ୍କରେ ଦେଖିବାକୁ ପାଇଲି। ସାର୍ବଜନୀନ ସ୍ଥାନରେ ‘ଛଠ୍’ ଉତ୍ସବ ଅବସରରେ ସାଂସ୍କୃତିକ ଏବଂ ମନୋରଂଜନ କାର୍ଯ୍ୟକ୍ରମ ସେମାନଙ୍କ ଦ୍ୱାରା ଆୟୋଜିତ ହେଉଛି। ଦିଲ୍ଲୀର ଅନେକ ସ୍ଥାନ, ‘ବିହାର’ ପାଲଟିଗଲା ଭଳି ପ୍ରତୀତ ହେଉଥାଏ। ସବୁଠି ବିହାରର ପ୍ରାନ୍ତୀୟ ଭାଷା ଏବଂ ଲୋକ ସଂସ୍କୃତିର ପରିପ୍ରକାଶ। ବିହାରର କଳା, ସଂସ୍କୃତି, ଭାଷା, ପ୍ରାନ୍ତୀୟ ଖାଦ୍ୟ (ଲିଟି, େଚାଖା, ସତୁ, ନୈବେଦ୍ୟ, ଚିତ୍ରକଳା, ଚଣା ଘୁଘୁନି, ଡାଲ ପିଠା, ଖେଚଡ଼ି ଆଦି) ଲୋକସଂଗୀତ, ନୃତ୍ୟ, ଧାର୍ମିକ ତଥା ସାଂସ୍କୃତିକ ପରମ୍ପରା ଏବେ ଦେଶର ରାଜଧାନୀର ମୁଖ୍ୟସ୍ରୋତରେ କେଉଁ ଦିନଠାରୁ ସାମିଲ ହୋଇଗଲାଣି, ଜାଣିପାରିନି। ଏସବୁ ସମ୍ଭବ ହୋଇଛି ସାଧାରଣ ବିହାର ଅଧିବାସୀଙ୍କ ଦ୍ୱାରା। ସରକାରୀ ପ୍ରୋତ୍ସାହନ ଅବା ଆର୍ଥିକ ସହାୟତା ଦ୍ୱାରା ନୁହେଁ। ପ୍ରତ୍ୟେକ ବିହାରୀ କଠିନ ପରିଶ୍ରମ କରି ଦିଲ୍ଲୀ ଓ ଆଖପାଖ ସମସ୍ତ ଅଞ୍ଚଳରେ କର୍ମଠ ଓ ‘ଉଦ୍ୟୋଗୀ’ର ପରିଚୟ ଅର୍ଜନ କରିବା ସହିତ ଆର୍ଥିକ ତଥା ଶିକ୍ଷା କ୍ଷେତ୍ରରେ ଅଦ୍ଭୁତ ପ୍ରଗତି କରିଛନ୍ତି। ନିଜ ଭାଷା, କଳା ଓ ସଂସ୍କୃତିକୁ ନେଇ ସେମାନେ ଗର୍ବିତ ଓ ଏହାକୁ କେବଳ ବଞ୍ଚାଇ ରଖିନାହାନ୍ତି, ପରନ୍ତୁ ଦେଶର ରାଜଧାନୀରେ ସୁପ୍ରତିଷ୍ଠିତ କରି ପାରିଛନ୍ତି। ଦିଲ୍ଲୀର ମୁଖ୍ୟସ୍ରୋତ ସଂସ୍କୃତି ସମଗ୍ର ବିଶ୍ୱରେ ବ୍ୟାପିବା ଅବଶ୍ୟମ୍ଭାବୀ। ସାଧାରଣ ଜନତା ନିଜ ଭାଷା, ସାହିତ୍ୟ, ସଂସ୍କୃତି, ସଂଗୀତ, ନୃତ୍ୟ, କଳାକୃତି, ହସ୍ତଶିଳ୍ପ, ଖାଦ୍ୟ ଆଦିକୁ କିଭଳି ପରିବ୍ୟାପ୍ତ କରୁଛନ୍ତି ଦେଖିବାର ଓ ଶିଖିବାର କଥା।
ସଂସ୍କୃତିର ସଂରଚନ, ବିକାଶ ଓ ସ୍ଥାୟିତ୍ୱ ସର୍ବସାଧାରଣଙ୍କ ଦ୍ୱାରା ସମ୍ଭବ, କେବଳ ସରକାରଙ୍କ ଦ୍ୱାରା ନୁହେଁ।
[email protected]

Comments
Loading...