ଭାରତୀୟ ଶିକ୍ଷାଦର୍ଶନ ଓ ଗୋପବନ୍ଧୁଙ୍କ ଶିକ୍ଷାଦର୍ଶ

0
ଡକ୍ଟର ବସନ୍ତକୁମାର ପଣ୍ଡା

ଆଧୁନିକ ଭାରତବର୍ଷରେ ଶିକ୍ଷା ସମ୍ପର୍କରେ ଯେଉଁ କେତେଜଣ ଚିନ୍ତାନାୟକ ନିଜର ମୌଳିକ ଶିକ୍ଷାଦର୍ଶନ ପ୍ରତିଷ୍ଠାକରି ଭାରତୀୟ ଶିକ୍ଷାବ୍ୟବସ୍ଥାକୁ ପ୍ରାଣ ପ୍ରାଚୁର୍ଯ୍ୟ ଦାନ କରିଛନ୍ତି ସେମାନଙ୍କ ମଧ୍ୟରେ କବିଗୁରୁ ରବୀନ୍ଦ୍ରନାଥ ଠାକୁର (୧୮୬୧-୧୯୪୧) ଜାତିର ଜନକ ମହାତ୍ମା ଗାନ୍ଧି (୧୮୬୯-୧୯୪୮) ଓ ମହାଯୋଗୀ ଶ୍ରୀ ଅରବିନ୍ଦ (୧୮୭୨-୧୯୫୦)ଙ୍କ ନାମ ସର୍ବବିଦିତ। ଏହି ଧାରାରେ ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା, ଉତ୍କଳ ନବଜାଗରଣର ପଥିକୃତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମ ଅନିବାର୍ଯ୍ୟ ଭାବେ ସମନ୍ୱିତ ହେବା ଉଚିତ। ବିଂଶ ଶତାବ୍ଦୀର ଆରମ୍ଭରେ ପୁରୀ ଜିଲାର ସତ୍ୟବାଦୀ ଭଳି ଏକ ଗ୍ରାମାଞ୍ଚଳରେ ପାଶ୍ଚାତ୍ୟ ନବସଭ୍ୟତାର ଅନେକ ଦୂରରେ ରହି ସେ ଓଡ଼ିଶା ତଥା ଭାରତର ଶିକ୍ଷାବିପ୍ଳବ ବିଷୟରେ ଯାହା ଚିନ୍ତା କରିଥିଲେ ଓ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠାକରି ନିଜର ଶିକ୍ଷାଦର୍ଶନକୁ ଯେଭଳି ଭାବରେ ପ୍ରୟୋଗାତ୍ମକ ଦିଗରେ ବାସ୍ତବରୂପ ପ୍ରଦାନ କରିଥିଲେ ତାହା ତାଙ୍କୁ ଭାରତୀୟ ଶିକ୍ଷାର ଇତିହାସରେ ଚିର ଭାସ୍ୱର କରି ରଖିବ।
ରବୀନ୍ଦ୍ରନାଥଙ୍କ ଦୃଷ୍ଟିରେ ମାନବ ବ୍ୟକ୍ତିତ୍ୱର ଶାରୀରିକ, ବୌଦ୍ଧିକ, ଦାର୍ଶନିକ ଓ ଆଧ୍ୟାତ୍ମିକ – ଏ ସକଳ ଦିଗର ଅଭିବୃଦ୍ଧି ପାଇଁ ଏକ ସମନ୍ୱିତ ସାଧନା ଶିକ୍ଷା ବ୍ୟବସ୍ଥାରେ ରହିବା ଉଚିତ। ପ୍ରକୃତି କାଳରେ ମାନବ ଚରିତ୍ରର ସାର୍ବିକ ବିକାଶ ଦିଗରେ ସଚେଷ୍ଟ କରିଗୁରୁ ଶାନ୍ତିନିକେତନରେ ବ୍ରହ୍ମଚର୍ଯ୍ୟାଶ୍ରମ ପ୍ରତିଷ୍ଠା କରି ତାହାକୁ ପ୍ରାଚ୍ୟ ପାଶ୍ଚାତ୍ୟ ଶିକ୍ଷାର ମିଳନସ୍ଥଳ ବିଶ୍ୱବିଦ୍ୟାତୀର୍ଥ ପ୍ରାଙ୍ଗଣ ଶାନ୍ତିନିକେତନରେ ପରିଣତ କରିପାରିଲେ।
ମହାତ୍ମାଗାନ୍ଧିଙ୍କ ଦୃଷ୍ଟିରେ ଶିକ୍ଷା କେବଳ ଯେ ଏକ ଅହିଂସା ଆଧାରିତ ନ୍ୟାୟୋଚିତ, ଶୃଙ୍ଖଳିତ ଗଣତାନ୍ତ୍ରିକ ସମାଜବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ସତତ ପ୍ରୟାସ କରିବ ତାହାନୁହେଁ। ଏହିପରି ବ୍ୟବସ୍ଥା ପାଇବାର ପ୍ରଣାଳୀକୁ ସାର ସଂକ୍ଷିପ୍ତ ଭାବରେ ଜନସମାଜରେ ପ୍ରଚାର କରିବ। ଏହିପରି ଶିକ୍ଷା ବ୍ୟକ୍ତି ଜୀବନର ଆଦ୍ୟକାଳରୁ ଆରମ୍ଭ ହୋଇ ସମଗ୍ର ଜୀବନ ତାକୁ ପରିଚାଳିତ କରିବ। ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କୁ ପରସ୍ପର ଭିତରେ ସଂହତି ଓ ସଦ୍‍ଭାବ ରକ୍ଷାକରି ପ୍ରତ୍ୟେକ ଶିଶୁର ଅନ୍ତର୍ନିହିତ ପ୍ରତିଭାର ସର୍ବୋତ୍ତମ ବିକାଶ ଦିଗରେ ସହାୟକ ହେବ। ଗାନ୍ଧିଜୀ କହୁଥିଲେ ଆମର ଚିନ୍ତାଶୀଳ ମସ୍ତିଷ୍କ ସହିତ କର୍ମମୟ ହସ୍ତର ପ୍ରୟୋଜନ ଅଛି। ଜଗତର ସବୁ ସଭ୍ୟତା ଓ ସଂସ୍କୃତି ମସ୍ତିଷ୍କ ସହିତ ହସ୍ତର ସୁସମୟରେ ହିଁ ଗଠିତ ହୋଇଛି। ଏହା ପୁସ୍ତକ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥାକୁ ଗୌଣ କରି ସୃଷ୍ଟିଶୀଳ ଜୀବନ କୈନ୍ଦ୍ରିକ ଶିକ୍ଷାକୁ ମହତ୍ତ୍ୱ ଦେଇପାରିବ। କର୍ମ ଓ ଜୀବନ ପରସ୍ପରର ପରିପୂରକ। କର୍ମାବସାନ ହେଲେ ଜୀବନାବସାନ ଘଟେ। ଗାନ୍ଧିଜୀଙ୍କର ଏକ ଶିକ୍ଷାଦର୍ଶନ ତାଙ୍କର ମୌଳିକ ଶିକ୍ଷା, କର୍ମଭିତ୍ତିକ ଶିକ୍ଷା ନଇତାଲିମ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା।
କବିଯୋଗୀ ଶ୍ରଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ବା ଇଣ୍ଟିଗ୍ରାଲ ଏଡୁକେଶନର କଥା କହିଥିଲେ। ଶିକ୍ଷା ମାଧ୍ୟମରେ ବ୍ୟକ୍ତିସଭାର ଊର୍ଦ୍ଧ୍ବାୟନ ବା ଟ୍ରାନ୍‍ସିଡେନ୍‍ସ ସମ୍ଭବ। ପ୍ରକୃତ ଓ ଜୀବନ୍ତ ଶିକ୍ଷା ତାହାକୁ କୁହାଯିବ ଯାହା ବ୍ୟକ୍ତିକୁ ତପ, ତେଜ, ବିଦ୍ୟୁତ ବା ଚମକ ଓ ଓଜ ବା ଜୀବନୀଶକ୍ତି ଆହରଣ କରି ଶରୀର ହୃଦୟ, ମାନ ଓ ଆତ୍ମାକୁ ସାର୍ଥକ ଭାବେ କର୍ମକ୍ଷମ କରିପାରିବ। ମାନବ ଅନ୍ତରରେ ଯେଉଁ ଐଶ୍ୱରିକ ସତ୍ତା ବିଦ୍ୟମାନ, ତାହାର ଜାଗରଣ ଶିକ୍ଷା ମାଧ୍ୟମରେ ସମ୍ଭବ। ଆତ୍ମାର ଭୂୟୋବିକାଶ ପଥରେ ବ୍ୟକ୍ତିର ଅନ୍ତର୍ନିହିତ ଶକ୍ତିର ପୁନର୍ବିକାଶ କରି ସମାଜର କଲ୍ୟାଣ ପାଇଁ ତାହାକୁ ଶ୍ରେଷ୍ଠତା ଦାନ କରିବାହିଁ ପ୍ରକୃତଶିକ୍ଷାର ଲକ୍ଷ୍ୟ। ଏହି ଶିକ୍ଷା ଦିବ୍ୟଜୀବନ ପ୍ରାପ୍ତିର ମାର୍ଗ। ଏହି ଶିକ୍ଷାଦର୍ଶନର ପ୍ରୟୋଗ ପାଇଁ ଶ୍ରୀ ଅରବିନ୍ଦ ପଣ୍ଡିଚେରୀଠାରେ ଆଶ୍ରମ ପ୍ରତିଷ୍ଠାକରି ସାଧନାର ଯେଉଁ ଦିଗ ନିର୍ଦ୍ଦେଶ କରିଥିଲେ ତାହା କ୍ରମେ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ପରିଣତ ହୋଇପାରିଛି।
ଉପରୋକ୍ତ ତିନି ପଥିକୃତଙ୍କ ବ୍ୟତୀତ ଊନବିଂଶ ଓ ବିଂଶ ଶତାବ୍ଦୀରେ ଭାରତବର୍ଷର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ତାହାର ବିକାଶ ପଥରେ ସ୍ମରଣୀୟ ଭୂମିକା ଗ୍ରହଣ କରିଥିବା ମନୀଷୀମାନଙ୍କ ମଧ୍ୟରେ ରାଜା ରାମମୋହନ ରାୟ (୧୭୭୨-୧୮୩୩), ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର (୧୮୨୦-୯୧), ସ୍ୱାମୀ ଦୟାନନ୍ଦ ସରସ୍ୱତୀ (୧୮୨୫-୮୩), ଏସ.ଏନ.ଡି.ଟି. ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମହର୍ଷି ଧନ୍ଦୋ କେଶବ କାର୍ଭେ (୧୮୫୮-୧୯୬୨), ସ୍ୱାମୀ ବିବେକାନନ୍ଦ (୧୮୬୩-୧୯୦୨), ଆଶୁତୋଷ ମୁଖାର୍ଜୀ, ପଣ୍ଡିତ ମଦନମୋହନ ମାଲବ୍ୟ (୧୮୬୧-୧୯୪୬), ଗୋପାଳକୃଷ୍ଣ ଗୋଖଲେ, ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସୟଦ ଅହମଦ୍‍ ଖାଁ (୧୮୦୭-୯୮) ଓ ଆହୁରି ପରବର୍ତ୍ତୀ ସମୟରେ କେ.ଏମ.ମୁନ୍‍ସି (୧୮୯୧-୧୯୭୧), ଦାର୍ଶନିକ ଜିଡୁ କୃଷ୍ଣମୂର୍ତ୍ତି (୧୮୯୫-୧୯୮୬), ସର୍ବପଲ୍ଲୀ ରାଧାକୃଷ୍ଣନ୍‍ (୧୮୮୮-୧୯୭୫), ଡି.ଏସ.କୋଠାରୀ ଓ ଜେ.ପି.ନା ଏକ ଆଦି ଅନ୍ୟତମ। ଭାରତୀୟ ଶିକ୍ଷା ବିବର୍ତ୍ତନର ଇତିହାସ ପୃଷ୍ଠାରେ ଏମାନଙ୍କ କୃତି ଓ କୃତିତ୍ୱ ଲିପିବଦ୍ଧ ରହିବ। କିନ୍ତୁ ଆଧୁନିକ କାଳରେ ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାପାଇଁ ଉଦ୍ୟମ ଆରମ୍ଭ କରିଥିବା ଓ ନିଜର ମୌଳିକ ଚିନ୍ତାରେ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଶିକ୍ଷାଦର୍ଶନର ସୂଚନା ଦେଇଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମ ଏଇ ପ୍ରସଙ୍ଗରେ ଅନାଲୋଚିତ ହୋଇ ରହିଯାଇଛି। ଏହାର କାରଣ ବହୁବିଧ ହୋଇପାରେ। ୧୯୨୮ରେ ତାଙ୍କର ଅକାଳ ବିୟୋଗ ତାଙ୍କର ବହୁ କଳ୍ପନା ଓ କର୍ମୋଦ୍ୟମକୁ ଅପୂର୍ଣ୍ଣ ରଖିଦେଇଥିଲା। ଜୀବିତାବସ୍ଥାରେ ମଧ୍ୟ ରାଜନୈତିକ ବ୍ୟବସ୍ଥା ଓ ସାମାଜିକ ସଂଗଠନ, ସାମ୍ବାଦିକତା ଓ ସମ୍ପାଦନା, ସାହିତ୍ୟ, ଜନସେବା ଓ ସର୍ବୋପରି ଓଡ଼ିଶାକୁ ସ୍ୱତନ୍ତ୍ର ଓ ଦେଶକୁ ସ୍ୱାଧୀନ କରିବାପାଇଁ ଜାତୀୟ ଆନ୍ଦୋଳନରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରି ରଖିଥିବାରୁ ଶିକ୍ଷାଚିନ୍ତା ଓ ଶିକ୍ଷାବିପ୍ଳବ କ୍ଷେତ୍ରରେ ସେ ଅଧିକ ସମୟ ଦେଇପାରିନଥିଲେ। ତାଙ୍କର ସ୍ୱପ୍ନ ଓ ସାଧନାର ତପୋବନ ସତ୍ୟବାଦୀ ବନବିଦ୍ୟାଳୟ ତତ୍‍କାଳୀନ ଓଡ଼ିଶାର ସାମାଜିକ ପରିବେଷ୍ଟନୀରେ ହୁଏତ ଅତୁଟ ହୋଇ ରହିପାରିନଥିଲା, କିନ୍ତୁ ଗୋପବନ୍ଧୁଙ୍କର ମୌଳିକ ଶିକ୍ଷାଚିନ୍ତା ଓ ସାମାଜିକ ପ୍ରଗତିନିମନ୍ତେ ତା’ର ପ୍ରୟୋଗ ପ୍ରତିଷ୍ଠାପାଇଁ ଆତ୍ମିକ ଉଦ୍ୟମ ଭାରତୀୟ ଶିକ୍ଷାର ଇତିହାସରେ ତାଙ୍କର ସ୍ଥାନ ନିର୍ବିବାଦରେ ଦାବି କରେ।
ଗୋପବନ୍ଧୁଙ୍କର ଶିକ୍ଷାଚନ୍ତା କେବଳ ଦାର୍ଶନିକ ବିଶ୍ଲେଷଣ କିମ୍ବା କାଳ୍ପନିକ ଆଦର୍ଶ ଉପରେ ଆଧ୍ୟାତ୍ମିକ ନ ଥିଲା। ବ୍ୟକ୍ତି ଓ ଜାତିର ସାମଗ୍ରିକ ଉନ୍ନତିର ଭିତ୍ତି ଭାବରେ ସେ ଶିକ୍ଷାକୁ ବୁଝିଥିଲେ। ୧୯୧୨ ସେପ୍ଟେମ୍ବର ୧୬ ତାରିଖରେ ସତ୍ୟବାଦୀଠାରେ ଅନୁଷ୍ଠିତ ପୁରୀ ଜିଲା ଶିକ୍ଷା ସମ୍ମିଳନୀରେ ଦେଇଥିବା ଉଦବୋଧନରେ ସେ ବୁଝାଇଥିଲେ – “ଶିକ୍ଷା କଥାଟି ସହଜ ଓ ସରଳ ଏବଂ ସର୍ବଦା ଶୁଣାଯିବାରେ ଅତି ସାଧାରଣ ପରି ବୋଧହୁଏ। କିନ୍ତୁ ବସ୍ତୁତଃ ଏହାଠାରୁ ବଳି ମାନବ ଚିନ୍ତା ପକ୍ଷରେ ଗୁରୁତର ବିଷୟ କିଛି ନାହିଁ। ସମସ୍ତ ସଭ୍ୟ ଜାତିର ଅସାଧାରଣ ମନୀଷୀଗଣ ଏଥିରୁ ଉନ୍ନତି ଓ ଆଲୋଚନାରେ ଜୀବନ ଦେଇଅଛନ୍ତି। ଦେଶ ହିତୈଷୀ ମନୀଷୀମାନେ ଏହାକୁ ସମସ୍ତ କଲ୍ୟାଣର ନିଦାନ ବୋଲି ଜାଣି ଏଥିର ଉନ୍ନତି ଓ ପ୍ରସାର ନିମନ୍ତେ ବିହିତ ବ୍ୟବସ୍ଥା କରିଥାଆନ୍ତି x x x x x x। ଶିକ୍ଷା ସମସ୍ତ ଜାତୀୟ ଉନ୍ନତିର ମୂଳାଧାର। ଶିଳ୍ପ ବୋଲ, କୃଷିବୋଲ, ସାହିତ୍ୟବୋଲ, ଲୋକ ସାଧାରଣ କିଛିଦୂର ଶିକ୍ଷତ ନ ହେଲେ ଏସବୁ ବିଭାଗରେ ଉନ୍ନତିର ଆଶା ସୁଦୂର ପରାହତ।”
ଏଇବର୍ଷ ଏପ୍ରିଲ ପହିଲା ୨୦୧୦ରୁ ଯେଉଁ ଶିକ୍ଷାର ମୌଳିକ ଅଧିକାର ଆଇନ୍‍ ଭାରତବର୍ଷରେ ପ୍ରବର୍ତ୍ତନ ହୋଇଛି ଓ ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ ଓ ଅବୈତନିକ କରିବାପାଇଁ ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି, ପ୍ରାୟ ଶହେବର୍ଷ ପୂର୍ବରୁ କ୍ରାନ୍ତଦର୍ଶୀ ପଣ୍ଡିତ ଗୋପବନ୍ଧୁ ଏହି କଥାର ସୂଚନା ଦେଇ ଦେଶ ଓ ଜାତିର ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ଶିକ୍ଷାର ସାର୍ବଜନୀନତା ଉପରେ ସର୍ବାଧିକ ଗୁରୁତ୍ୱ ଦାବି କରିଥିଲେ। ଉଦାହରଣଦେଇ ବୁଝାଇଥିଲେ ଯେ ୧୮୭୨ରେ ଯେତେବେଳେ ଜାପାନର ସମ୍ରାଟ ନିର୍ଦ୍ଦେଶ ଦେଲେ ଯେ ଜାପାନରେ ଏପରି ଗ୍ରାମ ରହିବ ନାହିଁ ଯେଉଁଠି ମୂର୍ଖ ଓ ଅଶିକ୍ଷିତ ପରିବାର ବାସ କରିବେ, ଏପରି ପରିବାର ରହିବ ନାହିଁ ଯେଉଁଥିରେ ବ୍ୟକ୍ତିବିଶେଷ ଅଜ୍ଞ ରହିବେ- ସେତିକିବେଳୁ ଜାପାନର ଉନ୍ନତିର ମୂଳଭିତ୍ତି ପଡ଼ିଲା ଓ ଅଭୂତପୂର୍ବ ଆଶ୍ଚର୍ଯ୍ୟଜନକ ଉନ୍ନତି ସାଧିତ ହେଲା। ଭାରତରେ ବ୍ରିଟିଶ୍‍ ସରକାରଙ୍କ ଏହିପରି ଘୋଷଣାକୁ ଅପେକ୍ଷାରଖି ଶିକ୍ଷା ଯେ ସାମ୍ରାଜ୍ୟର କଲ୍ୟାଣ ପକ୍ଷରେ ଏକାନ୍ତ ଆବଶ୍ୟକ, ତାହା ପ୍ରକାଶ କରିଛନ୍ତି। ୧୯୦୪ ମାର୍ଚ୍ଚ ୧୧ ତାରିଖର ସରକାରୀ ନିର୍ଦ୍ଧାରଣରେ ଲର୍ଡ଼ କର୍ଜନଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି, “Among all sources of difficulty in our administration and of possible danger to the stability of our government, there are few so serious as the ignorance of the people. ଅର୍ଥାତ୍‍ “ଆମର ଶାସନ ପକ୍ଷେ ଯେ ସମସ୍ତ ବାଧା ଅଛି ଓ ରାଜ୍ୟର ସ୍ଥାୟୀତ୍ୱ ପାଇଁ ଯେ ସବୁ ବିପଦର ସମ୍ଭାବନା ଅଛି। ଲୋକମାନଙ୍କର ଅଜ୍ଞତା ସେ ସବୁ ମଧ୍ୟରେ ଅଧିକ ସାଂଘାତିକ।” ପୁଣି ମାନନୀୟ ଗୋଖଲେଙ୍କ ପ୍ରାଥମିକ ଶିକ୍ଷା ବିଷୟକ ପ୍ରସ୍ତାବ ଆଲୋଚନାରେ ଭାରତ ସରକାରଙ୍କ ତତ୍କାଳୀନ ଶିକ୍ଷା ସଚିବ ବାଟଲରଙ୍କ ଉକ୍ତିରୁ ଏଇକଥାରେ ଗୁରୁତ୍ୱ ବୁଝାଇଛନ୍ତି- I shall rejoice no less than the Humble Gokhale and his supporters to see condition of things in India in which elementary vernacular education could be free and compulsory. The Govt. of India is deeply concerned to bring about such a condition of things. ଭାରତବର୍ଷରେ ଯେପରି ଅବସ୍ଥା ହେଲେ ତହିଁରେ ବିନା ବେତନରେ ପ୍ରାଥମିକ ଶିକ୍ଷା ପାଇବା ନିମନ୍ତେ ଲୋକଙ୍କୁ ବାଧ୍ୟ କରାଯାଇପାରିବ, ସେହିପରି ଅବସ୍ଥା ଉପସ୍ଥିତ ହେଲେ ମାନନୀୟ ସଦସ୍ୟ ଗୋଖଲେ ଓ ତାଙ୍କର ସହଯୋଗୀମନେ ଯେ ପରିଣାମରେ ଆହ୍ଲାଦିତ ହେବେ, ମୁଁ ତହିଁରୁ କୌଣସି ଅଂଶରେ କମ ହେବି ନାହିଁ। ଦେଶର ଏହିପରି ଅବସ୍ଥା କିପରି ଶୀଘ୍ର ଆସିବ, ସେଥିପାଇଁ ଉପାୟ ବିଧାନରେ ଭାରତ ସରକାର ବଡ଼ ଉଦ୍‍ବିଘ୍ନ ଅଛନ୍ତି। ଏହି ସବୁ ସରକାରୀ ବ୍ୟବସ୍ଥା ଓ ଅଭିମତର ବ୍ୟାଖ୍ୟାକରି ପଣ୍ଡିତ ଗୋପବନ୍ଧୁ ସେତେବେଳେ ଆତ୍ମ ସକଳ୍ପର ସୂଚନା ଦେଇଛନ୍ତି। କହିଛନ୍ତି – “ପ୍ରାଥମିକ ଶିକ୍ଷାର ପ୍ରସାର ଓ ଉନ୍ନତି ନିମନ୍ତେ ଆମ୍ଭେମାନେ ମନ ସ୍ଥିର କରିଅଛୁ। ଏଥିରୁ ବୁଝାଯାଉଛି ଯେ ଆଇନ ଦ୍ୱାରା ଲୋକମାନଙ୍କୁ ବିନା ଖର୍ଚ୍ଚରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ଲାଗି ବାଧ୍ୟ କରିବାର ସମୟ ଉପସ୍ଥିତ ହୋଇନାହିଁ ବୋଲି ଗଭର୍ଣ୍ଣମେଣ୍ଟ ଅଭିମତ ବ୍ୟକ୍ତ କଲେ ହେଁ, ଶିକ୍ଷାର ବହୁଳ ପ୍ରଚାରର ଅତୀବ ପ୍ରୟୋଜନୀୟତା ସ୍ପଷ୍ଟରୂପେ ଅନୁଭବ କରିଅଛନ୍ତି ଏବଂ ଦେଶ କାଳ ପାତ୍ରର ଉପଯୋଗିତା ଦେଖିଲେ ଗଭର୍ଣ୍ଣମେଣ୍ଟ ଯେ ସେପରି ବିଧାନ ପ୍ରଣୟନ କରିବେ, ଏଥିରେ ସନ୍ଦେହ ନାହିଁ। ଗଭର୍ଣ୍ଣମେଣ୍ଟ ଏହି ସଦ୍‍ଭିପ୍ରାୟରେ ଯୋଗଦେବା ସମସ୍ତଙ୍କର ଉଚିତ ଏବଂ ଗଭର୍ଣ୍ଣମେଣ୍ଟ ଲୋକସାଧାରଣଙ୍କର ଯେପରି ଉପଯୁକ୍ତତା ଓ ଯେପରି ସମୟର ଅପେକ୍ଷା କରନ୍ତି, ତାହା କିପରି ଶୀଘ୍ର ଉପସ୍ଥିତ ହେବ। ତତ୍‍ପ୍ରତି ଯତ୍ନବାନ ହେବା ସମସ୍ତଙ୍କର ଏକାନ୍ତ କର୍ତ୍ତବ୍ୟ। ଆମ୍ଭେମାନେ ଏହି ପବିତ୍ର କର୍ତ୍ତବ୍ୟ ପାଳନରେ ଆମ୍ଭମାନଙ୍କର କ୍ଷୁଦ୍ର ଶକ୍ତି ନିୟୋଗ କରିବାର ସଂକଳ୍ପ କରିଅଛୁ।” ବିଂଶ ଶତାବ୍ଦୀର ପ୍ରଥମ ଦ୍ୱିତୀୟ ଦଶକରେ ଆମ ଦେଶରେ ସାର୍ବଜନୀନ ପ୍ରାଥମିକ ଶିକ୍ଷା ବିଷୟରେ ପଣ୍ଡିତଗୋପବନ୍ଧୁ କିପରି ଚିନ୍ତା କରୁଥିଲେ ଓ ଉଦ୍‍ଯୋଗ କରୁଥିଲେ ତାଙ୍କ ଉପରୋକ୍ତ ବକ୍ତବ୍ୟରୁ ତାହା ଅନୁମେୟ।
ନିଜ ସଂପାଦିତ ‘ସତ୍ୟବାଦୀ’ ପତ୍ରିକାର ତୃତୀୟ ଖଣ୍ଡ ୧୯୧୮ ପଞ୍ଚମ ଓ ଷଷ୍ଠ ଖଣ୍ଡରେ ଗୋପବନ୍ଧୁ ‘ପ୍ରାଥମିକ ଶିକ୍ଷାର ଗତି’ ଶୀର୍ଷକ ଲେଖାରେ ପୁଣି ଏହି ବିଷୟରେ ନିଜର ଉଦ୍‍ବେଗ ପ୍ରକାଶ କରିଛନ୍ତି। କହିଛନ୍ତି, ପ୍ରାଥମିକ ଶିକ୍ଷା ପୃଥିବୀର ପ୍ରାୟ ସମସ୍ତ ଦେଶରେ ଦ୍ରୁତବେଗରେ ଗତି କରୁଅଛି। ନିରକ୍ଷର ହେବା ପାପ ବୋଲି ଭାରତରେ ଯେଉଁ ପ୍ରାଚୀନ ବିଶ୍ୱାସ ଥିଲା ଆଜି ତାହା ଭାରତରୁ ପ୍ରାୟ ଲୋପପାଇ ଅନ୍ୟାନ୍ୟ ଦେଶରେ ବିସ୍ତାର କରିଅଛି। ବର୍ତ୍ତମାନ ପ୍ରାୟ ପୃଥିବୀର ସମସ୍ତ ସଭ୍ୟ ଦେଶରେ ଲୋକସାଧାରଣଙ୍କ ନିରକ୍ଷରତା ଦୂର କରିବା ନିମନ୍ତେ ସମସ୍ତଙ୍କର ଯତ୍ନ। ପ୍ରାଥମିକ ଶିକ୍ଷାର ବହୁଳ ବିସ୍ତାରଲାଗି ନାନା ବିଧିବିଧାନ ପ୍ରବର୍ତ୍ତିତ ହେଉଅଛି। ମନେହୁଏ, ପୃଥିବୀରୁ ନିରକ୍ଷରତା ଏକବେଳକେ ଅପସୃତ ହେବା ଲାଗି ଆଉ ବେଶିଦିନ ନାହିଁ। ମାତ୍ର ଭାରତ ଆଡ଼କୁ ଚାହିଁଲାବେଳକୁ ଏ ଆଶା ମଳିନ ହୋଇଆସେ। ୧୯୧୫-୧୬ମସିହାର ଭାରତ ଶିକ୍ଷା ବିବରଣୀରୁ ପ୍ରକାଶ ଯେ, ସମଗ୍ର ଭାରତୀୟ ଲୋକସଂଖ୍ୟାରେ ଶତକଡ଼ା ୨୭ ପ୍ରାଥମିକ ଶିକ୍ଷା ପାଉଛନ୍ତି। ଅର୍ଥାତ୍‍ ଶହେଜଣ ଲୋକଙ୍କ ମଧ୍ୟରୁ ଅଢ଼େଇଜଣରୁ କିଛି ବେଶିଙ୍କର ବର୍ଣ୍ଣ ପରିଚୟ ହେଉଅଛି। ୧୯୦୬-୦୭ ମସିହାରେ ଶତକଡ଼ା ୧୯ କିମ୍ବା ୨୦ଜଣ ପ୍ରାଥମିକ ଶିକ୍ଷା ପାଉଥିଲେ। ଏଥିରୁ ଦେଖାଯାଉଛି, ଦଶବର୍ଷ ମଧ୍ୟରେ ଶହେଜଣଙ୍କ ମଧ୍ୟରେ ଜଣେ ମାତ୍ର ବଢ଼ିଅଛି। ଏହି ଗତିରେ ଚାଲିଲେ ଭାରତରେ ସମସ୍ତେ ସାକ୍ଷର ହେବାକୁ କେତେବର୍ଷ ଲାଗିବ?” ଏଥିରୁ ସାର୍ବଜନୀନ ଶିକ୍ଷା, ସାକ୍ଷରତା ଓ ପ୍ରାଥମିକ ଶିକ୍ଷା ବିଷୟରେ ପଣ୍ଡିତ ଗୋପବନ୍ଧୁଙ୍କର ଚିନ୍ତା ଓ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ମିଳେ।
୧୯୧୬ ‘ସତ୍ୟବାଦୀ’ର ଦ୍ୱିତୀୟ ଖଣ୍ଡ ୫ମ ୬ଷ୍ଠ ଓ ୭ମ ସଂଖ୍ୟାରେ ‘ଶିକ୍ଷା ଓ ଶାନ୍ତି’ ଓ ୧୯୮୩ ଖଣ୍ଡରେ ‘ଶିକ୍ଷା ଓ ଶାସନ’ ଶୀର୍ଷକରେ ଗୋପବନ୍ଧୁ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ବୁଝାଇଥିଲେ। ଲେଖିଥିଲେ, ‘ଶିଳ୍ପ, ସ୍ୱାସ୍ଥ୍ୟ ଓ ଅନ୍ୟ ଯେକୌଣସି ସାଧାରଣ ହିତକର ପ୍ରସ୍ତାବକୁ ଶିକ୍ଷିତ ସମାଜରେ କାର୍ଯ୍ୟରେ ପରିଣତ କରିବା ଯେପରି ସହଜ ଏବଂ ସୁସାଧ୍ୟ, କୁସଂସ୍କାର ପୂର୍ଣ୍ଣ ଅଶିକ୍ଷିତ ସମାଜରେ ସେପରି ନୁହେଁ।’ ଅନେକେ ମନେକରନ୍ତି, ଶିକ୍ଷା ହେତୁ ଏ ଦେଶରେ ଅଶାନ୍ତି ଓ ଅରାଜକତା ବଢ଼ୁଛିବୋଲି ସରକାରଙ୍କର ବିଶ୍ୱାସ। ତେଣୁ ସରକାର ଏ ଦେଶରେ ଅଧିକ ଶିକ୍ଷା ବିସ୍ତାରର ପକ୍ଷପାତୀ ନୁହଁନ୍ତି। ଏଭଳି ଆଶଙ୍କାର ଯଥାର୍ଥରେ କୌଣସି ଭିତ୍ତି ନାହିଁ। ଦେଶର ଲୋକ ସାଧାରଣଙ୍କ ମନରେ ଶିକ୍ଷା ନିମନ୍ତେ ଯେପରି ବ୍ୟାକୁଳତା ଆସିଅଛି, ସରକାରୀ କର୍ତ୍ତୃପକ୍ଷମାନେ ତତ୍‍ପ୍ରତି ସେହିପରି ସହାନୁଭୂତି ଓ ଉଦ୍‍ବେଗ ଦେଖାଇବାରେ ତ୍ରୁଟି କରୁନାହାନ୍ତି। ତେବେ ପରସ୍ପର ମଧ୍ୟରେ ବୁଝିବାରେ କେବେ କେବେ ଟିକିଏ ଭ୍ରମ ହୋଇଥାଏ। ମନୁଷ୍ୟର ସାଂସାରିକ ବ୍ୟବହାରରେ ଏପରି ଭ୍ରମ ଘଟିବା ଅବଶ୍ୟମ୍ଭାବୀ। କିନ୍ତୁ ଉଭୟପକ୍ଷର ପ୍ରାଣରେ ସରଳତା, ଉଦ୍ଦେଶ୍ୟରେ ଉଦାରତା ଓ କାର୍ଯ୍ୟରେ ଆନ୍ତରିକତା ଥିଲେ, ଏ ଭ୍ରମ ବେଶିଦିନ ରହିବନାହିଁ।’ ପୁଣି ‘ଶିକ୍ଷା ଓ ଶାସନ’ ଆଲୋଚନାଟିରେ ଗୋପବନ୍ଧୁ ଶିକ୍ଷାବଳରେ ମନୁଷ୍ୟର କିପରି ମାନବତ୍ୱ ପ୍ରାପ୍ତି ହୋଇଛି ଓ ସମାଜର ପରିବର୍ତ୍ତନ ପାଇଁ ତା’ର ଜିଜ୍ଞାସୁ ମନ ପ୍ରଶ୍ନ ପଚାରିଛି ଓ ଉତ୍ତର ଖୋଜିଛି ସେହି କଥା ବୁଝାଇ କହିଛନ୍ତି। ‘କାହାରି କାହାରି ଆଶଙ୍କା ଶିକ୍ଷା ଶାସନର ଅନ୍ତରାୟ। କେବଳ ରାଜ୍ୟ ଶାସନ ନୁହେଁ, ସମାଜ ଶାସନ, ଧର୍ମଶାସନ ପ୍ରଭୃତି ସକଳ କ୍ଷେତ୍ରରେ ଶୃଙ୍ଖଳା ଏବଂ ପ୍ରତିଷ୍ଠିତ ବିଧିକୁ ନ ମାନିବା ଶିକ୍ଷାର ପ୍ରକୃତି। x x ଶିକ୍ଷା ପ୍ରଭାବରେ ମାନବର ନୈସର୍ଗିକ ଶକ୍ତି ବିକାଶ ପାଇବା ସ୍ୱାଭାବିକ। ସ୍ୱାଧୀନ ଚିନ୍ତା ମାନବର ପ୍ରକୃତି ଓ ବିଶିଷ୍ଟ ଅଧିକାର। ଏହା ମାନବର ମାନବତ୍ୱ। ଏହି ମାନବତ୍ୱର ବିକାଶରେ ସମାଜରେ ମତଭେଦ ଅବଶ୍ୟମ୍ଭାବୀ। କ୍ରମେ ମନୁଷ୍ୟର ପ୍ରଶ୍ନ କରିବାର ପ୍ରବୃତ୍ତି ଜନ୍ମିଲା। x x
ନିଜ କ୍ଷମତା ବିଷୟରେ ପ୍ରଶ୍ନ ବା କାର୍ଯ୍ୟର ସମାଲୋଚନା ମନୁଷ୍ୟକୁ ଭଲ ଲାଗେ ନାହିଁ। ସୁତରାଂ ମନୁଷ୍ୟର ଜିଜ୍ଞାସା ପ୍ରବୃତ୍ତିର ପ୍ରଭାବରେ ଶାସନର ବିପଦ ଆଶଙ୍କା ଉପସ୍ଥିତ ହେଲା। ଧର୍ମାନୁଶାସକ ମାନଙ୍କର ଧର୍ମଲୋପ ଆଶଙ୍କା, ସମାଜ ନ୍ୟାୟିକମାନଙ୍କର ସାମାଜିକ ବିଶୃଙ୍ଖଳାର ଆଶଙ୍କା ଓ ରାଜ୍ୟଶାସକମାନଙ୍କର ରାଷ୍ଟ୍ର ବିପ୍ଳବର ଆଶଙ୍କା। x x ଫଳରେ ଶିକ୍ଷା ଓ ଶାସନ ମଧ୍ୟରେ ଊଣାଅଧିକେ ଟଣାଟଣି ବରାବର ଲାଗି ରହିଛି। କିନ୍ତୁ ଶିକ୍ଷାର ଜୟ ଅବଶ୍ୟମ୍ଭାବୀ ପୁଣି ଶିକ୍ଷାର ଜୟ ହିଁର ଶାସନର ଜୟ। ଶିକ୍ଷା ଶାସନକୁ ଉନ୍ନତତର ଅବସ୍ଥାକୁ ଟାଣିନିଏ ମାତ୍ର। ଶାସନ ଉପରେ ଶିକ୍ଷାର ଏପରି ପ୍ରଭାବ ନ ଥିଲେ, ମାନବସଭ୍ୟତା ଆଜି ଏ ଅବସ୍ଥାକୁ କଦାପି ଆସି ନ ଥାନ୍ତା। ଶାସନ ଉପରେ ଶିକ୍ଷାର ଏଇ କଲ୍ୟାଣକର ପ୍ରଭାବ ପୃଥିବୀର ସଭ୍ୟଜାତିମାନେ ହୃଦୟଙ୍ଗମ କରିଅଛନ୍ତି।’
କେତେକ ଐତିହାସିକ ଓ ସାହିତ୍ୟ ଆଲୋଚକଙ୍କ ମତ ଯେ ପୁରୀର ଶାସନୀ ରକ୍ଷଣଶୀଳ ପରମ୍ପରା ଓ ବ୍ରାହ୍ମଣ୍ୟ ରୀତି ଗୋପବନ୍ଧୁ ତଥା ସତ୍ୟବାଦୀର ଅନ୍ୟ ମନୀଷୀମାନଙ୍କୁ ନାରୀଶିକ୍ଷା ବିଷୟରେ ଅଧିକ ଅଗ୍ରଗତି କରିବାକୁ ଦେଇନଥିଲେ। ଅବଶ୍ୟ ତତ୍‍କାଳୀନ ଓଡ଼ିଶାର ସାମାଜିକ ଅବସ୍ଥାକୁ ଦୃଷ୍ଟିପାତ କଲେ କେହି ଉଚ୍ଚଶିକ୍ଷିତା ବିଦୁଷୀ ନାରୀ ସମାଜର ଅଗ୍ରଭାଗକୁ ଆସିଥିବା ଜଣାଯାଏ ନାହିଁ। ସେହି ଯୁଗର କିଞ୍ଚିତ ପରେ ବିଂଶଶତାବ୍ଦୀର ତୃତୀୟ ଦଶକରେ କେତେଜଣ ଉଚ୍ଚଶିକ୍ଷିତା ନାରୀ ସମାଜସେବା ଓ ରାଜନୈତିକ କ୍ଷେତ୍ରରେ ଅଂଶଗ୍ରହଣ କରିଥିଲେ। ପଣ୍ଡିତ ଗୋପବନ୍ଧୁ କନ୍ୟାମାନଙ୍କୁ ଶିକ୍ଷା ଦେବାକ୍ଷେତ୍ରରେ ଦେଖାଦେଇଥିବା ମାନସିକ ଦୃଢ଼ତା ଓ ଶିକ୍ଷାକୁ ଉପାର୍ଜନର ଉପାୟ ଭାବରେ କେବଳ ଗ୍ରହଣ କରିବାର ସମସ୍ୟାକୁ ଘେନି ‘ସ୍ତ୍ରୀ ଶିକ୍ଷା’ ଶୀର୍ଷକ ଲେଖାଟି ‘ସତ୍ୟବାଦୀ’ର ତୃତୀୟ ଖଣ୍ଡ ୫ମ, ୬ଷ୍ଠ ସଂଖ୍ୟା ୧୯୧୮ରେ ପ୍ରକାଶ କରିଥିଲେ। ଏଥିରେ ଆଲୋଚନା କରି ସେ ଦର୍ଶାଇଥିଲେ, “ସରକାରୀ ରିପୋର୍ଟରୁ ଜଣାଯାଏ ଯେ, ସମଗ୍ର ଭାରତର ଲୋକସଂଖ୍ୟା ମଧ୍ୟରୁ ଶତକଡ଼ା ୯ଜଣ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଅଛନ୍ତି। ଏହା ୧୯୧୫-୧୬ ମସିହାର ହିସାବ। x x ସହରମାନଙ୍କରେ ସ୍ତ୍ରୀ ଶିକ୍ଷା ସମ୍ବନେ୍ଧ ସାମାନ୍ୟ ଯତ୍ନ ଥିବାର ଦେଖାଯାଏ। ମାତ୍ର ପଲ୍ଲୀ ଗ୍ରାମରେ ଏ ସମ୍ବନେ୍ଧ କୌଣସି ଚେଷ୍ଟା ନାହିଁ। ଟଙ୍କା ରୋଜଗାର ଛଡ଼ା ପାଠର ଆଉକିଛି ଉଦ୍ଦେଶ୍ୟ ଅଛିବୋଲି ଲୋକେ ବୁଝନ୍ତି ନାହିଁ। ଯେଉଁମାନେ ପିଲାଙ୍କୁ ପଢ଼ାନ୍ତି, ଅଳ୍ପ ବହୁତ୍‍ ସମସ୍ତଙ୍କର ଆଶା ଯେ ପାଠବଳରେ ପୁଅ କିଛି ରୋଜଗାର କରିବ। ମାତ୍ର ଝିଅମାନଙ୍କଠାରେ ସେ ଆଶା ଆଦୌ ନାହିଁ। ବାପଘର କୁଳର ନାହିଁ, କି ଶାଶୂଘର କୁଳର ନାହିଁ। ଆଉ ପାଠ ପଢ଼ିଲେ ବୁଦ୍ଧି ହେବ, ଜ୍ଞାନ ହେବ, ମନୁଷ୍ୟତା ହେବବୋଲି ଯେ କଥା, ସେଥିରେ ଲୋକସାଧାରଣଙ୍କର ମନ ମାନେ ନାହିଁ। x x ଏ ଅବସ୍ଥାରେ ଦେଶରେ ସ୍ତ୍ରୀ ଶିକ୍ଷା ବୃଦ୍ଧି ପାଇବ କିପରି? x x ସ୍ତ୍ରୀ ଶିକ୍ଷା ବିସ୍ତାର ଉଦ୍ୟମରେ ସମାଜର ଏହି ଅବସ୍ଥା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ।”
ପଣ୍ଡିତ ଗୋପବନ୍ଧୁଙ୍କର ଶିକ୍ଷା ଚିନ୍ତାର ଅନ୍ୟଗୋଟିଏ ପ୍ରଧାନ ଦିଗ ହେଉଛି ଯେ ସେ ମାତୃଭାଷାରେ ପ୍ରାଥମିକ ଶିକ୍ଷା, ଏପରିକି ଉଚ୍ଚଶିକ୍ଷାର ବ୍ୟବସ୍ଥା ଉପରେ ସର୍ବଦା ଗୁରୁତ୍ୱ ଦେଉଥିଲେ। ‘ଶିଶୁଙ୍କୁ ମାତୃଭାଷାରେ ଶିକ୍ଷା ନ ଦେବା ଶିଶୁହତ୍ୟା’ ବୋଲି ଡିସେମ୍ବର ୧୧, ୧୯୨୬ରେ ଲେଖାଟିଏ ଲେଖି ସେ ଏଥିପାଇଁ ଯୁକ୍ତି ବାଢ଼ିଥିଲେ। ଦାର୍ଶନିକ ବ୍ରଜେନ୍ଦ୍ରନାଥ ସିଲଙ୍କ ମତ ଉଦ୍ଧାର କରି ସେ କହିଥିଲେ ଯେ ‘ଦେଶୀୟ ଭାଷାରେ ଶିକ୍ଷା ଦିଆ ନ ଯାଉଥିବା ଯୋଗୁଁ ଅନେକ ଶକ୍ତିଶାଳୀ ଯୁବକଙ୍କର ବହୁ ଶକ୍ତି ସମୟ ବୃଥା ନଷ୍ଟ ହେଉଛି। ପ୍ରାଥମିକ ଓ ତା ଉପରେ ନିମ୍ନ ସେକେଣ୍ଡାରୀ ଶିକ୍ଷା ମାତୃଭାଷାରେ ଦିଆଯିବା ଆବଶ୍ୟକ। ଶିକ୍ଷାର ଏକମାତ୍ର ଉଦ୍ଦେଶ୍ୟ ଜ୍ଞାନ ଲାଭ। ଭାଷା କେବଳ ଜ୍ଞାନ ବିତରଣର ଏକ ଉପାୟ। ଉପାୟ ଯେତେ ସହଜ, ସ୍ୱାଭାବିକ ଓ ସୁବିଧାଜନକ ହୁଏ ତେତେ ଭଲ। ନହେଲେ ଉପାୟକୁ ଆୟତ୍ତ କରୁ କରୁ ଉଦ୍ଦେଶ୍ୟ ପ୍ରତି ଅଧିକ ମନଯୋଗ ଦେବା ଅସମ୍ଭବ। x x ପିଲାଦିନୁ ସେମାନଙ୍କ ମନ ଉପରେ ଏତିକ ଚାପ ପଡ଼ିଲେ କେବେ ଆଉ ତାଙ୍କ ପ୍ରାଣରେ ସ୍ଫୂର୍ତ୍ତି ଦେଖାଦେବ? ଏହା ଶିଶୁ ହତ୍ୟା ନୁହେଁ ତ ଆଉ କ’ଣ?” ଏହା ପୂର୍ବରୁ ୧୯୧୮ ‘ସତ୍ୟବାଦୀ’ ତୃତୀୟ ଖଣ୍ଡ ୫ମ ଓ ୬ଷ୍ଠ ସଂଖ୍ୟାରେ ଗୋପବନ୍ଧୁ ‘ପ୍ରାଦେଶିକ ଭାଷା ସାହାଯ୍ୟରେ ଉଚ୍ଚଶିକ୍ଷା’ ଲେଖାଲେଖି ନିଜ ଭାଷାରେ ଶିକ୍ଷା ପ୍ରବର୍ତ୍ତନ ନ ହେଲେ ତାହା ‘ଜାତୀୟ ଶିକ୍ଷା’ର ମାନ୍ୟତା ପାଇବା ପାଇଁ ଅଯୋଗ୍ୟ ବୋଲି ମତ ପୋଷଣ କରିଥିଲେ। କହିଥିଲେ- “ଯେ କୌଣସି ଜାତିର ଶିକ୍ଷା ସେହି ଜାତିର ନିଜ ଭାଷାରେ ନ ହେବା ଯାଏ ତାହା ଜାତୀୟ ଶିକ୍ଷା ନୁହେଁ। ଯେଉଁ ଭାଷା ମନୁଷ୍ୟର ନିଜଭାଷା, ଯେଉଁ ଭାଷାର ବେଷ୍ଟନୀ ମଧ୍ୟରେ ସେ ଜନ୍ମଦିନୁ ଲାଳିତ ପାଳିତ, ସେ ଭାଷାର ଭାବ ଯେପରି ସୁବୋଧ୍ୟ ହୁଏ, ଅନ୍ୟଭାଷାରେ ସେପରି ହୁଏ ନାହିଁ। ମାତୃଭାଷା କହିଲାବେଳେ ଯେତେ ସହଜ ଓ ସ୍ୱଚ୍ଛଳ ଲାଗେ; ଇଂରାଜୀ କହିଲାବେଳେ ସେପରି ବୋଧ କରନ୍ତିକି? ମୋଟକଥା ଆମ୍ଭେମାନେ ଭାବ ଛାଡ଼ି ଭାଷାରେ ସମସ୍ତ ଶକ୍ତି ଅପଚୟ କରୁଅଛୁ। ନ କରି ଗତି ନାହିଁ। x x ବିଶ୍ୱବିଦ୍ୟାଳୟର ଉଚ୍ଚତମ ଶିକ୍ଷା ଦେଶୀୟ ଭାଷା ସାହାଯ୍ୟରେ ଦିଆଯିବା ଭାରତୀୟ ଶିକ୍ଷାନୀତିର ଲକ୍ଷ୍ୟ ହେବା ଉଚିତ୍‍। ଏକାଦିନେ ଏ ଲକ୍ଷ୍ୟ ସାଧିତ ହେବବୋଲି କେହି କହୁନାହିଁ। ପ୍ରାଦେଶିକ ଭାଷାରେ ଉପଯୁକ୍ତ ପୁସ୍ତକର ଅଭାବ ଏଥିରେ ପ୍ରଧାନ ଅନ୍ତରାୟ। ମାତ୍ର ଲକ୍ଷ୍ୟ ଗୃହୀତ ହେଲେ ଏବଂ ଏହାର ସାଧନ ନିମନ୍ତେ ସରକାରଙ୍କର ତଥା ଦେଶର ଶିକ୍ଷିତ ସାଧାରଣଙ୍କର ଯତ୍ନ ହେଲେ ଏ ବାଧା ଅତିକ୍ରମ କରିବାକୁ ବେଶିଦିନ ଲାଗିବ ନାହିଁ।”
ପଣ୍ଡିତ ଗୋପବନ୍ଧୁଙ୍କର ଶିକ୍ଷା ଚିନ୍ତା ଅନ୍ୟତମ ବୈଶିଷ୍ଟ୍ୟ ଥିଲା-କର୍ମାଭିମୁଖୀ ଭିକ୍ଷା ବା ଶ୍ରମ ସହିତ ଶିକ୍ଷାର ସମନ୍ୱୟ। ମହାତ୍ମା ଗାନ୍ଧି ଯେଉଁ କଥାକୁ ମାର୍ମିକ ଭାବେ ‘Thinking brain with acting fingers’ ବୋଲି କହିଥିଲେ ଗୋପବନ୍ଧୁଙ୍କ ଚିନ୍ତନରେ ତାହା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ‘ସମାଜ’ର ଜାନୁଆରୀ ୨୯, ୧୯୨୭ ସଂଖ୍ୟାରେ ‘ଶ୍ରମ ଓ ଶିକ୍ଷା’ ବିଷୟ ଆଲୋଚନା କରି ସେ ବୁଝାଇଛନ୍ତି ଯେ ଶ୍ରମ ଓ ଶିକ୍ଷା ପରସ୍ପର ପରିପୂରକ ହେବା ଉଚିତ। ପଟାଭିଲ ସାହେବଙ୍କ ଓଡ଼ିଶା ଆଗମନ ଅବସରରେ ତାଙ୍କର ଶିକ୍ଷାଗତ ଆଦର୍ଶର କଥା ବର୍ଣ୍ଣନା କରି ଗୋପବନ୍ଧୁ କହିଛନ୍ତି ‘କେବଳ ପୁସ୍ତକଗତ ଶିକ୍ଷା ଶିକ୍ଷା ନୁହେଁ, ଶିକ୍ଷା କେବଳ ପୁସ୍ତକରେ ସୀମାବଦ୍ଧ ହୋଇ ରହିବା ଯୋଗୁଁ ଶିକ୍ଷିତ ଲୋକେ ସାଂସାରିକ କାର୍ଯ୍ୟରେ ଅଧିକାଂଶ ଅକର୍ମଣ୍ୟ ହେଉଛନ୍ତି ଏବଂ ସବୁ ଅବସ୍ଥା ଓ ସବୁ ଶ୍ରେଣୀର ଲୋକେ ଶିକ୍ଷା ପାଇପାରୁ ନାହାନ୍ତି। ଶ୍ରମ ଓ ଶିକ୍ଷା ଏକା ସାଙ୍ଗେ ଚାଲିବା ଆବଶ୍ୟକ। ପାଠ ପଢ଼ିବା ସଙ୍ଗେ ସଙ୍ଗେ ଛାତ୍ରମାନଙ୍କୁ କାମ କରିବାକୁ ହେବ। ଙ୍ଘ ଙ୍ଘ ଭାରତର ପ୍ରାଚୀନ ଶିକ୍ଷା ବିଧାନରେ ଶିକ୍ଷା ସଙ୍ଗେ ଶ୍ରମର ସଂଯୋଗ ସାଧାରଣ ରୀତି ଥିଲା। ଶିକ୍ଷା ସଙ୍ଗେ ଶ୍ରମର ସଂଯୋଗ ହେଲେ ଛାତ୍ର ଜୀବନରେ ନିଶ୍ଚୟ ପରିବର୍ତ୍ତନ ଆସିବ। ଛାତ୍ର ଆତ୍ମନିର୍ଭରଶୀଳ ହେବେ। ଙ୍ଘ ଙ୍ଘ ଅବଶ୍ୟ ଶ୍ରମ ଓ ଶିକ୍ଷାର ସଂଯୋଗ ବଡ଼ ସହଜ କଥା ନୁହେଁ। ବର୍ତ୍ତମାନ ଶିକ୍ଷା ବିଧାନରେ ଏହା କେତେଦୂର ସମ୍ଭବ ବା ସୁସାଧ୍ୟ ସହଜରେ କହି ହେଉନାହିଁ। ସତ୍ୟବାଦୀ ବିଦ୍ୟାଳୟର ପ୍ରଥମାବସ୍ଥାରେ ଏପରି ଉଦ୍ୟମ କରାଯାଇଥିଲା। ଚାଷ, ବଗିଚା କାମ, ଲୁଗା ଓ ସତରଞ୍ଜି ବୁଣା, ବଢ଼େଇ କାମ ଆଜି ପିଲାମାନେ କରୁଥିଲେ। ଙ୍ଘ ଙ୍ଘ ଶ୍ରମ ଓ ଶିକ୍ଷାର ସଂଯୋଗ ଉଦ୍ୟମକୁ କୃତକାର୍ଯ୍ୟ କରିବାକୁ ହେଲେ ବର୍ତ୍ତମାନ ପ୍ରଣାଳୀ ଓ ପଦ୍ଧତି ବଦଳାଇବାକୁ ହେବ, ପରେ ବିଷୟ, ସମୟ, ସ୍ଥାନ ଓ ପରିସର ବଦଳାଇବାକୁ ହେବ। ଙ୍ଘ ଙ୍ଘ ପୁସ୍ତକଗତ ଶିକ୍ଷା ସଙ୍ଗେ କର୍ମ ଶିକ୍ଷାର ଅର୍ଜନ ଜାତୀୟ ବିଦ୍ୟାଳୟର ପ୍ରଧାନ ଉଦ୍ଦେଶ୍ୟ।’ ଗୋପବନ୍ଧୁ ଏହି ବିଷୟକୁ କେବଳ ତାତ୍ତ୍ୱିକ ଦିଗରୁ ଆଲୋଚନା କରି ସନ୍ତୁଷ୍ଟ ହୋଇ ରହି ନ ଥିଲେ। ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ଏହି କଥାର ପ୍ରୟୋଗାତ୍ମକ ସଫଳତା ପାଇଁ ପ୍ରୟାସ କରିଥିଲେ। ତେଣୁ ସତ୍ୟବାଦୀ ସ୍କୁଲରେ ସମ୍ବାଦପତ୍ର, ଭୂଗୋଳ ଓ ଇତିହାସ, ସାହିତ୍ୟ, ପୁରାଣ, ଉପାସନା, ଇଂରାଜୀ, ଆଇନ୍‍ ଓ ଶାସନ ପ୍ରଣାଳୀ ସହିତ ଜମିଦାରୀ ମହାଜନୀ ହିସାବ, ଜମିମାପ, ନିର୍ବାଚନ ବିଧାନ, ସଭା ସଙ୍ଗଠନ, ସୂତାକଟା ଓ ପଲ୍ଲିଶିଳ୍ପ, କୃଷି ଓ ବଗିଚାକାମ, ସମବାୟ ନୀତି, ସ୍ୱାସ୍ଥ୍ୟରକ୍ଷା ଓ ଭାରତର ଲୌକିକ ଆନ୍ଦୋଳନର ଉତ୍ପତ୍ତି ଓ ଇତିହାସ ଆଦି ପାଠ୍ୟକ୍ରମର ବିଷୟ ଭାବେ ସ୍ଥାନିତ ହୋଇଥିଲା ‘ସମାଜ’ ଜାନୁଆରୀ ୩୧, ୧୯୨୦ ସଂଖ୍ୟାରେ ଶିକ୍ଷା ଓ ଚାଷ କ୍ଷୁଦ୍ର ଲେଖାଟିରେ ଗୋପବନ୍ଧୁ ଚାଷର ମହତ୍ତ୍ୱ ବୁଝାଇ ପ୍ରକୃତ ଚଷା ହେବାରେ ଯେ ଗୌରବ ଅଛି ଓ ଏହା କେବଳ ମୂର୍ଖ ଲୋକଙ୍କ କାର୍ଯ୍ୟ ନୁହେଁ ଏଥିପାଇଁ ବିଚକ୍ଷଣ ଓ ବିଦ୍ୟାବନ୍ତ ଲୋକ ଦରକାର ବୋଲି ବୁଝାଇଥିଲେ। ଏହିପରି କର୍ମାଭିମୁଖୀ ବା ବୈଷୟିକ ଶିକ୍ଷାର ପ୍ରଧାନ ପ୍ରବକ୍ତା ଭାବରେ ପଣ୍ଡିତ ଗୋପବନ୍ଧୁଙ୍କ ଚିନ୍ତା ଓ ପ୍ରୟୋଗ ସେହି ସମୟରେ ଥିଲା ଅଭିନବ ଉପଲବ୍ଧି।
ଆଧୁନିକ ଭାରତବର୍ଷର ଶିକ୍ଷାକ୍ଷେତ୍ରରେ ଯେଉଁସବୁ ମୌଳିକଚିନ୍ତା ଦର୍ଶନ ଓ ପ୍ରୟୋଗ ପ୍ରତିଷ୍ଠା ଇତିବୃତ୍ତ ରଚନା ହେଉଛି ସେଥିରେ ଗୋପବନ୍ଧୁ ଦାସଙ୍କ ଶିକ୍ଷାଦର୍ଶ ଓ ସତ୍ୟବାଦୀର ଭୂମିକା ଅନିବାର୍ଯ୍ୟ ଭାବେ ସନ୍ନିବେଶିତ ହେବା ଉଚିତ। ଜାତୀୟ ସ୍ତରରେ ବିଶେଷ କରି ଇଂରାଜୀ ବା ହିନ୍ଦୀରେ ପଣ୍ଡିତ ଗୋପବନ୍ଧୁ ରଚନା, ଦର୍ଶନ ଓ ଶିକ୍ଷାନୀତିର ରୂପାୟନ ବିଷୟରେ ଆଲୋଚନାର ଅଭାବ ହେତୁ ଶିକ୍ଷାର ଇତିହାସରେ ସେ ଅଜ୍ଞାତଭାବେ ବିସ୍ମୃତ ହୋଇ ଯାଇଛନ୍ତି। କିନ୍ତୁ ଏଥିପାଇଁ ତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ବା ତାଙ୍କର ମହନୀୟ ଚିନ୍ତା ଓ କର୍ମାବଳୀ ଦାୟୀ ନୁହେଁ। ଦାୟୀ ହେଉଛୁ ଆମେ – ଆମଭଳି ଅଯୋଗ୍ୟ ଓ ଅକୃତଜ୍ଞ ଦାୟାଦ। ତେବେ ବର୍ତ୍ତମାନ ଯେତେବେଳେ ଭାରତୀୟ ସମ୍ବିଧାନରେ ଶିକ୍ଷାର ମୌଳିକ ଅଧିକାରକୁ ଆଇନ୍‍ରେ ପ୍ରବର୍ତ୍ତନ କରିବାପାଇଁ ସ୍ୱୀକୃତି ଦିଆଯାଇଛି, ଆମ ଦେଶର ସବୁପିଲା ଭାବେ ପ୍ରାଥମିକ ଶିକ୍ଷାଲାଭ କରିବାର ମୌଳିକ ଅଧିକାର ପାଇବେ, ସେତେବେଳେ ଏଇ କ୍ରାନ୍ତଦର୍ଶୀ ଚିନ୍ତାନାୟକଙ୍କ ଶିକ୍ଷା ଜଗତର ଅନନ୍ୟ ପଥିକୃତଙ୍କ ଶିକ୍ଷାଚିନ୍ତା ଓ ଶିକ୍ଷା ବିଷୟକ ଅତୁଳନୀୟ କର୍ମପ୍ରବାହକୁ ଜାତୀୟ ସ୍ତରରେ ସ୍ୱୀକୃତି ଓ ମାନ୍ୟତା ଦେବାପାଇଁ ଆପ୍ରାଣ ଉଦ୍ୟମ କରାଯାଉ।

Comments
Loading...