ବ୍ୟବସାୟ କବଳରେ ମୃତ୍ୟୁର ଇଲାକା

ପ୍ରଭାସ ଆଚାର୍ଯ୍ୟ

ପର୍ବତାରୋହୀ ଏଡମଣ୍ଡ ହିଲାରୀ ଓ ତେନ୍‌ଜିଙ୍ଗ ନର୍ଗେ ୧୯୫୩ ମସିହାରେ ଏଭରେଷ୍ଟ ପର୍ବତାରୋହଣ କରି ବିଶ୍ବରେ ଏକ କୀର୍ତ୍ତିମାନ ସ୍ଥାପନ କରିବା ପରଠାରୁ ଏଭରେଷ୍ଟ ଶୃଙ୍ଗ ସମଗ୍ର ବିଶ୍ବର ପର୍ବତାରୋହଣ ପାଇଁ ଏକ ଆହ୍ବାନ ଭାବରେ ଦଣ୍ଡାୟମାନ ହୋଇଛି। ନିଜନିଜ କ୍ଷେତ୍ରରେ ଆପଣା ଅଞ୍ଚଳରେ ପର୍ବତାରୋହଣ କରି ଅଭ୍ୟାସ ଜାରୀ ରଖିବା ସହିତ ସେମାନଙ୍କର ଶେଷଲକ୍ଷ୍ୟ ହେଉଛି ଯେ ଦିନେନା ଦିନେ ସେମାନେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ନିଜର ଲକ୍ଷ୍ୟପୂରଣ କରିବା ସହ ଏକ ରେକର୍ଡ ସୃଷ୍ଟିକରି ଇତିହାସର ଏକ ଅଂଶ ହୋଇରହିବେ। ଏଭରେଷ୍ଟ ଗିରିଶୃଙ୍ଗ ପାଇଁ ଏହି ଆକର୍ଷଣ ଓ ଏକ ପ୍ରକାରର ମାୟା ହିଁ ଏବେ ବହୁ ମୃତ୍ୟୁର କାରଣ ସାଜିଛି।
ଗତ ମେ ୨୫ ତାରିଖରେ ହିଁ ଉଚ୍ଚତାଜନିତ ସ୍ବାସ୍ଥ୍ୟ ଖରାପ ହୋଇ ଏଭରେଷ୍ଟର ୮୬୦୦ ମିଟର ଉଚ୍ଚତାରେ ମୃତ୍ୟୁବରଣ କରିଥିଲେ ଜଣେ ବ୍ରିଟିଶ ପର୍ବତାରୋହୀ ରବିନ ଫିସର। ମୃତ୍ୟୁର ଅଳ୍ପ ସମୟ ପୂର୍ବରୁ ସେ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ ଏକ ବାର୍ତ୍ତା। ସେଥିରେ ଲେଖାଥିଲା ଏଭରେଷ୍ଟ ଶିଖରକୁ ମାତ୍ର ଗୋଟିଏ ରାସ୍ତା। ସେଠାରେ କିନ୍ତୁ ଉପରକୁ ଯିବାପାଇଁ ଏତେ ଭିଡ଼ ଯେ ଜଣେଜଣେ ହୋଇ ଗଲାବେଳକୁ ବିଳମ୍ବ ଘଟେ। ତେଣୁ ମୁଁ ଭିଡ଼ ନଥିବା ସମୟରେ ଯିବାକୁ ଯୋଜନା କରିଛି।’ ତେବେ ମେ ୨୦ ପାଖରୁ ଶିଖର ଶିବିର ୮୦୦୦ ମିଟର (୨୬,୨୪୭ଫୁଟ)ରେ ପର୍ବତାରୋହୀଙ୍କ ଭିଡ଼ ଜମିଗଲା। ୮୮୪୮ ମିଟର ଉଚ୍ଚତାରେ ପବନରେ ଯେତିକି ଅମ୍ଳଜାନ ରହେ, ତାହା ସମୁଦ୍ର ପତ୍ତନରେ ଉପଲବ୍ଧ ଅମ୍ଳଜାନର ପ୍ରାୟ ଏକ-ତୃତୀୟାଂଶ। ତେଣୁ ଶ୍ବାସକ୍ରିୟା କରିବାରେ ଏହା ଏକ ମହାସଙ୍କଟ। ବାହ୍ୟ ଅମ୍ଳଜାନ ବିନା ସେଠାରେ ଶ୍ବାସ ପରିଚାଳନା କରିବା ବିଷମ ସମସ୍ୟା। ଶିଖରକୁ ପହଞ୍ଚିବା ପାଇଁ ଯେଉଁ ୮୦୦ ମିଟର ଯିବାକୁ ପଡ଼େ ତାହା ବେଶ୍‌ ଅଣ-ଓସାରିଆ ହୋଇଥିବାରୁ ଜଣେଜଣେ ହୋଇ ଯିବାକୁୁ ପଡ଼େ ଧାଡ଼ିରେ। ଅନ୍ୟମାନେ ଅପେକ୍ଷାରେ ଥାଆନ୍ତି, ଯେଉଁଠାରେ ଏହି ଧାଡ଼ି ହୋଇଥାଏ, ତାହାକୁ ‘ଡେଥ୍‌ ଜୋନ୍‌’ ବା ‘ମୃତ୍ୟୁର ଇଲାକା’ କୁହାଯାଏ। ପୁଣି ଶିଖର ସ୍ପର୍ଶ କରିବା ପାଇଁ ଦିନଗୁଡ଼ିକ ମଧ୍ୟ ସୀମିତ ଥିବାରୁ ଶିଖର ଖୋଲା ସମୟରେ ଭିଡ଼ ଅଧିକ ହୋଇଥାଏ। ପର୍ବତାରୋହୀଙ୍କ ଅନଭିଜ୍ଞତା ଏହି ଭିଡ଼ରେ ଅନ୍ୟ ଏକ କାରଣ ମଧ୍ୟ ହୋଇଥାଏ। ତେବେ ପର୍ବତାରୋହୀମାନେ ଶିଖର ସ୍ପର୍ଶ ବା ବିଜୟଲାଭ କରି ଆସିବା ପରେ ହିଁ ଅସଲ ସଙ୍କଟର ସାମ୍ନା କରିଥାନ୍ତି।
ଗିରିଶୃଙ୍ଗରୁ ଅବତରଣ କରିବାବେଳେ ଏହି ମୃତ୍ୟୁହାର ପାଖାପାଖି ୧୦ଶତକଡ଼ା ହୋଇଥାଏ। ମୃତ୍ୟୁ ଇଲାକାର ଭୟ ଓ ଆହ୍ବାନକୁ ଲୋକେ ଶିଖର ବିଜୟ ପରେ ଭୁଲିଯାଆନ୍ତି ଓ ଶିଖରର ସ୍ବାସ୍ଥ୍ୟଗତ ଆହ୍ବାନକୁ ବିସ୍ମୃତ ହୁଅନ୍ତି। କେତେଦିନ ତଳେ ହିଁ ନେପାଳୀ ପର୍ବତାରୋହଣ ମାର୍ଗଦର୍ଶକ ଧ୍ରୁବବିଷ୍ଟ ଅସୁସ୍ଥ ହୋଇପଡ଼ିଲେ ଓ ହେଲିକେପ୍ଟର ଯୋଗେ ତାଙ୍କୁ ମୂଳ ଶିବିରକୁ ନିଆଗଲା। ତେବେ ସେ ଶେଷ ନିଶ୍ବାସ ତ୍ୟାଗ କଲେ। ସେହି ସମୟରେ ହିଁ ୫୬ ବର୍ଷୀୟ ଆୟାରଲାଣ୍ଡର କେଭିନ ହାଇନସ ୭୦୦୦ମିଟର ବା ୨୨୯୬୬ ଫୁଟ ଉଚ୍ଚତାରେ ତିବ୍‌ବତ ପାର୍ଶ୍ବରେ ମୃତ୍ୟୁବରଣ କଲେ। ସେହିପରି ଅବତରଣ ପରେ ଗତ ଦଶଦିନ ଭିତରେ ୫୫ ବର୍ଷୀୟ ଭାରତୀୟ ଅଞ୍ଜଳି କୁଲକର୍ଣ୍ଣି ଓ ୫୫ବର୍ଷୀୟ ଆମେରିକୀୟ ଡୋନାଲ୍ଡ ଲିନ୍‌ କେସ୍‌ ମୃତ୍ୟୁ ଲାଭକଲେ। ଓଡ଼ିଶାର ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ଓ ନିହାଲ ବଗୱନ ମଧ୍ୟ ସେଇ ସମାନ ସ୍ଥିତିରେ ଇହଲୀଳା ସମ୍ବରଣ କଲେ। ୨୮ବର୍ଷୀୟ ଭାରତୀୟ ରବି ମେ ୧୭ରେ ମୃତ୍ୟୁଲାଭ କଲେ। ଏବର୍ଷର ୧୧ ମୃତ୍ୟୁକୁ ଛାଡ଼ି ପ୍ରତ୍ୟେକ ବର୍ଷ ଏହି ଭଳି ମୃତ୍ୟୁ ହେଲେ ମଧ୍ୟ ଏଥିକୁ ଖାତିର ନକରି ପର୍ବତାରୋହୀମାନେ ସେମାନଙ୍କ ଅଭିଯାନ ଜାରି ରଖିଛନ୍ତି।
ଏଭରେଷ୍ଟ ବିଶ୍ବର ଯେ ସର୍ବୋଚ୍ଚ ଗିରିଶୃଙ୍ଗ, ଏହା ମଧ୍ୟ ବିବଦମାନ। ପ୍ରଶାନ୍ତ ମହାସାଗର ଅନ୍ତର୍ଗତ ହାୱାଇ ଦ୍ବୀପରେ ଅବସ୍ଥିତ ମୌନାକୂଆ ଉଚ୍ଚତା ଦୃଷ୍ଟିରୁ ଏଭରେଷ୍ଟଠାରୁ ଅଧିକ ଓ ଏହାର ଉଚ୍ଚତା ୩୩,୫୦୦ ଫୁଟ୍‌। ସମୁଦ୍ରପତ୍ତନଠାରୁ ତା’ର ଏହି ଉଚ୍ଚତା ଦୃଷ୍ଟିରୁ ଏହା ଉଚ୍ଚତମ ଗିରିଶୃଙ୍ଗ ବୋଲି ମଧ୍ୟ ଏକ ଦାବି ରହିଛି। ଭୂମି ଉପରୁ ଯଦି ଉଚ୍ଚତା ମପାଯାଏ, ତା’ହେଲେ ମଧ୍ୟ ଇ​‌େ​‌କ୍ବଡରରେ ଥିବା ଚିମ୍ବୋରାଜ ପର୍ବତ ଏଭରେଷ୍ଟଠାରୁ ଉଚ୍ଚ, କିନ୍ତୁ ଏଭରେଷ୍ଟ ଆରୋହଣରେ ଯେଉଁ ସବୁ ବାଧାବିଘ୍ନ ଅଛି ସେଗୁଡ଼ିକ ହିଁ ପର୍ବତାରୋହୀଙ୍କ ଆକର୍ଷଣର ମୁଖ୍ୟ କାରଣ। ବର୍ଫିଳି ତାପମାତ୍ରା, ପ୍ରଚଣ୍ଡ ହିମପ୍ରବାହ ସାଙ୍ଗକୁ ଅମ୍ଳଜାନର ଅଭାବ ଓ ବରଫ ବର୍ଷା ଏହି ଯାତ୍ରାକୁ ବେଶ୍‌ ସଂକଟଜନକ କରିଥାଏ। ବରଫଅତଡ଼ା ଧସିଯାଇ ଅନେକ କ୍ଷେତ୍ରରେ ରାସ୍ତା ଅବରୋଧ କରିବାସହ ପର୍ବତାରୋହୀଙ୍କୁ ଜୀବନ୍ତ ସମାଧି ଦେଇଥାଏ। ଏକ ତଥ୍ୟ ଅନୁସାରେ ଏଯାବତ୍‌ ୨୦୦ରୁ ଅଧିକ ଏଭରେଷ୍ଟ ପର୍ବତାରୋହୀ ମୃତ୍ୟୁବରଣ କରିବା ସହିତ ମାତ୍ର ୨୯ ଶତକଡ଼ା ଶିଖର ବିଜୟଲାଭ କରିବାରେ ସଫଳ ହୋଇଛନ୍ତି। ନେପାଳ ପଟୁ ଏହି ଆରୋହଣ ସୁବିଧାଜନକ ହେତୁ ନେପାଳ ସରକାରଙ୍କ ପର୍ଯ୍ୟଟନ ବୋର୍ଡଠାରୁ ଏକ ଅନୁମତି ନେବାକୁ ପଡ଼େ ଓ ଏଥିପାଇଁ ୧୧,୦୦୦ ଡଲାର ବା ପାଖାପାଖି ୮୦,୦୦୦ଟଙ୍କା ପୈଠ କରିବାକୁ ପଡ଼େ। ତେଣୁ ନେପାଳ ସରକାର ନିଜ ବ୍ୟବସାୟ ବୃଦ୍ଧିପାଇଁ ଅବିଚାରିତ ଭାବେ ଏଥିପାଇଁ ଲାଇସେନ୍‌ସ ପ୍ରଦାନ କରିଥାନ୍ତି। କେବଳ ଏଇ ଋତୁରେ ହିଁ ନେପାଳ ସରକାର ୩୮୧ଜଣଙ୍କୁ ଏଭରେଷ୍ଟ ଆରୋହଣର ଅନୁମତି ପ୍ରଦାନ କରି ପ୍ରାୟ ସାଢ଼େ ତିନିକୋଟି ଟଙ୍କା ରୋଜଗାର କରିଛନ୍ତି। ଏଥିପାଇଁ ବୟସର କୌଣସି ମାପକାଠି ମଧ୍ୟ ନାହିଁ। ୨୦୧୩ରେ ଜାପାନର ୮୦ ବର୍ଷୀୟ ପୁରୁଷ ୟୁୁଚିରୋ ମିତ୍ତରା ସଫଳତାର ସହ ଏହି ଶୃଙ୍ଗ ଆରୋହଣ କରିଥିବାବେଳେ ୨୦୦୮ରେ ଜଣେ ୭୩ବର୍ଷୀୟ ମହିଳା ଏହି ଶୃଙ୍ଗ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ। ସେହିଭଳି ଜଣେ ୧୩ବର୍ଷର ଜୋର୍ଡାନ ବାଳକ ରୋମେରୋ ପିତାଙ୍କ ସହ ଏଭରେଷ୍ଟ ଆରୋହଣ କରି ନିଜପାଇଁ କୀର୍ତ୍ତିମାନ ସୃଷ୍ଟି କରିପାରିଛି।
ସବୁୁଠାରୁ କୌତୂହଳର ବିଷୟ ହେଲା ଯେ ଆପଣମାନେ କୌଣସି ପର୍ଯ୍ୟଟନସ୍ଥଳୀକୁ ଗଲେ ଟ୍ରାଭେଲ ଏଜେଣ୍ଟ ଓ ଟାକ୍‌ସି ଡ୍ରାଇଭର ଯେମିତି ଆପଣଙ୍କ ପଛରେ ଲାଗିଯାଆନ୍ତି ଓ ବିନା ମାର୍ଗଦର୍ଶନରେ ଗଲେ ଯେମିତି ପର୍ଯ୍ୟଟକଙ୍କୁ ସେମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼େ, ସେମିତି ଏଭରେଷ୍ଟ ଆରୋହଣବେଳେ ଆପଣଙ୍କୁ ଗାଇଡ୍ ନେବାକୁ ବାଧ୍ୟ। ଯଦି ନିଜେନିଜେ ନିଜ ଅନୁଭୂତି ବଳରେ ଯିବାକୁ ବାହାରିଲେ ତା’ହେଲେ ଶରପାମାନଙ୍କ ଆକ୍ରୋଶର ଶିକାର ହେବା ଥୟ। ୨୦୧୨ରେ ଇଟାଲୀୟ ପର୍ବତାରୋହୀ ସିମୋନ ମରୋ, ସୁଇଜରଲାଣ୍ଡର ଭଏଲିଷ୍ଟେକ୍‌ ଓ ବ୍ରିଟିଶ ପର୍ବତାରୋହୀ ଜୋନାଥୋନ ଗ୍ରିଫିଥ ସେହିଭଳି ଏକ ସଂକଟର ସମ୍ମୁଖୀନ ହୋଇଥିବାର ଅନ୍ତର୍ଜାତୀୟ ରିପୋର୍ଟ ରହିଛି। ସେମାନେ କୌଣସି​ ‌େ‌ଶରପା ପଥ ପ୍ରଦର୍ଶକଙ୍କୁ ପର୍ବତାରୋହଣ ପାଇଁ ନନେଇ ନିଜେନିଜେ ଯାଉଥିବାବେଳେ ସେମାନଙ୍କ ଉପରେ ​‌େ‌ଶରପାମାନେ ସମ୍ମିଳିତ ଆକ୍ରମଣ କରିଥିଲେ ଓ ଏପରି ସ୍ଥିତି ହେଲା ଯେ, ସେମାନେ ବାଧ୍ୟହୋଇ ଏକ ବୁଲାଣି ରାସ୍ତା ଦେଇ ବିପଦକୁ ସାମ୍ନା କରି ଫେରି ଆସିଥିଲେ। ‌େ‌ଶରପାମାନେ ଯେଉଁ ପଥ ଦେଇ ଆରୋହଣରେ ନିଅନ୍ତି, ସେଠାରେ ଦଉଡ଼ି ବିଛାଇଥାନ୍ତି ଓ ସେ ଦଉଡ଼ିର ଆଶ୍ରା ଆଉ କେହି ନେଲେ ସେମାନେ ଉତ୍‌କ୍ଷିପ୍ତ ହୋଇଥାନ୍ତି। ଜଣେଜଣେ ଆରୋହଣକାରୀଙ୍କଠାରୁ ସେମାନେ ୨୦ରୁ ୩୦ହଜାର ଟଙ୍କା ନେଇଥାନ୍ତି। ତେବେ ଅନ୍ୟଦେଶରୁ ଆଗତ ଆରୋହଣକାରୀଙ୍କଠାରୁ ସେମାନେ ଲକ୍ଷଲକ୍ଷ ଟଙ୍କା ଆଦାୟ କରନ୍ତି। ନେପାଳ ସରକାର ଜିଡିପିର ଏକ ସିଂହଭାଗ ପର୍ବତ ପର୍ଯ୍ୟଟନରୁ ରୋଜଗାର କରିଥାନ୍ତି। କେବଳ ପର୍ବତାରୋହଣ ଲାଇସେନ୍ସ ବାବଦକୁ ନେପାଳ ସରକାର ୨୦ରୁ ୩୦କୋଟି ରୋଜଗାର କରିଥାନ୍ତି, କିନ୍ତୁ ଏହି ରୋଜଗାର ବିନିମୟରେ ନେପାଳ ସରକାର ପ୍ରଶିକ୍ଷଣ, ସହାୟତା,ଉଦ୍ଧାର ଓ ଆବର୍ଜନା ପରିଷ୍କାରରେ ସେପରି ଖର୍ଚ୍ଚ କରନ୍ତି ନାହିଁ। ଅନ୍ୟ ପକ୍ଷରେ ଜଣେଜଣେ ପର୍ବତାରୋହୀଙ୍କୁ ଏହି ଆରୋହଣ ପାଇଁ ସର୍ବନ୍ୟୂନ ୨୦ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେଥିରେ ତିନିଲକ୍ଷରୁ ଅଧିକ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ମଧ୍ୟ ପଡ଼େ। ଆବର୍ଜନା ସଫା ପାଇଁ ମଧ୍ୟ ପ୍ରତ୍ୟେକ ଆରୋହଣକାରୀଙ୍କଠାରୁ ଅର୍ଥ ଆଦାୟ ହୁଏ। ଯଦି କିଛି ଅଘଟଣ ହୁଏ, ଆରୋହଣକାରୀଙ୍କୁ ରକ୍ଷା କରିବାର ଖର୍ଚ୍ଚ ତାଙ୍କରିଠାରୁ ଆଦାୟ ହେବା ଏକ ପ୍ରକାର ଜୁଲମ ନୁହେଁ ତ ଆଉ କ’ଣ? ତା’ ସତ୍ତ୍ବେ ମଧ୍ୟ ଦୁଇଟି ଯାକ ଗୋଡ଼ ନଥିବା ଚିନ୍‌ର ଜିଆ ବୋୟୁ ନେପାଳ ସୁପ୍ରିମକୋର୍ଟର ନିର୍ଦେଶ ଆଣି ଏଭରେଷ୍ଟ ଆରୋହଣ କରିଛନ୍ତି ଓ ସଫଳ ହୋଇଛନ୍ତି। ‘ପଙ୍ଗୁ ଲଙ୍ଘୟତେ ଗିରି’ର ଏହା ସର୍ବଶ୍ରେଷ୍ଠ ଉଦାହରଣ।
ପ୍ରକୃତିର ଦୁର୍ଗମ ଇଲାକାରେ ମନୁଷ୍ୟ ନିଜର ପାଦ ଥାପି ଅପରାଜେୟ ଭାବରେ ନିଜକୁ ପ୍ରତିଷ୍ଠିତ କରିବାର ଦୁର୍ଦମନୀୟ ଇଚ୍ଛା ପାଇଁ ଏପରି ଜୀବନହାନି ଅବଶ୍ୟମ୍ଭାବୀ। ତେବେ ଯେଉଁ ଦେଶ ଏହାକୁ କେବଳ ବ୍ୟବସାୟ ଭାବେ ବିବେଚନା କରୁଛି, ସେମାନେ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବାର ସମୟ ଆସିଛି। ବିଶ୍ବ ସମୁଦାୟ ତାଙ୍କ ଉପରେ ଚାପ ପକାଇବା ଆବଶ୍ୟକ। ନାଗରିକ ସମାଜ ନେପାଳ ସରକାରଙ୍କୁ ପର୍ବତାରୋହୀଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ଅଧିକ ତତ୍ପର ହେବାକୁ ନିବେଦନ କରିବା ଏକାନ୍ତ ଜରୁରୀ।

Comments
Loading...