ବୈତରଣୀରେ ବନ୍ୟା, ଉଛୁଳୁଛି ସାଳନ୍ଦୀ

0

ଭଦ୍ରକ: ଦୁଇ ଦିନ ହେଲା ଜିଲା ତମାମ ଲାଗି ରହିଛି ବର୍ଷା। ଅବିଶ୍ରାନ୍ତ ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଲୋକେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇଛି। ଏପଟେ ଆଜି ଅପରାହ୍ଣ ବେଳକୁ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଅତିକ୍ରମ କରିଛି। ପୁଣି
ସାଳନ୍ଦୀ ମଧ୍ୟ ଫୁଲୁଛି। ହଦଗଡ଼ ଜଳଭଣ୍ଡାରର ଜଳପତନ ବି ବିପଦ ସଂକେତ ଟପିବାକୁ ଯାଉଥିବାରୁ ଦୁଇଟି ଫାଟକ ଖୋଲାଯାଇଛି। ଏସବୁକୁ ନେଇ ଜିଲା ତମାମ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାଷୀକୁଳ ସାଙ୍ଗକୁ ବନ୍ୟା ଆଶଙ୍କାରେ ଜିଲାବାସୀ ବି ଛାନିଆ ହୋଇଛନ୍ତି। ଏପଟେ ସାଳନ୍ଦୀକୁ ନେଇ ଭଦ୍ରକ ସହରବାସୀ ଅଣନିଶ୍ୱାସୀ ହୋଇଛନ୍ତି। ଆଜି ସକାଳ ସୁଦ୍ଧା ରେକର୍ଡ଼ ହୋଇଥିବା ବର୍ଷା ପରିସଂଖ୍ୟାନ ଅନୁଯାୟୀ, ଭଦ୍ରକ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪୦ ମିମି ବର୍ଷା ରେକର୍ଡ଼ କରାଯାଇଛି। ଚାନ୍ଦବାଲିରେ ସର୍ବାଧିକ ୧୯୨ ମିମି ରେକର୍ଡ଼ କରାଯାଇଥିବାବେଳେ ଭଣ୍ଡାରିପୋଖରୀରେ ୧୪୦ ମିମି ଓ ଧାମନଗରରେ ୧୨୦ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିଭଳି ଭଦ୍ରକରେ ୬୫ ମିମି, ବାସୁଦେବପୁରରେ ୬୦ ମିମି, ବନ୍ତରେ ୬୦ ମିମି, ତିହିଡିରେ ୧୦୨ ମିମି ବର୍ଷା ରେକର୍ଡ଼ କରାଯାଇଛି। ତେବେ ଆଜି ଦିନ ୮ଟା ପରଠୁ ଅଧିକ ବର୍ଷୁଛି। ଭଦ୍ରକ ସହରର ସମେତ ସାରା ଜିଲାରେ ମୂଷଳ ଧାରାରେ ବର୍ଷା ଜାରି ରହିଥିବାରୁ ଗତକାଲି ଅପେକ୍ଷା ଆଜି ଅଧିକ ପରିମାଣରେ ବର୍ଷା ରେକର୍ଡ଼ ହେବା ନିଶ୍ଚିତ ହୋଇଛି। ତେବେ ଜିଲାରେ ଏଭଳି ବର୍ଷା ଯୋଗୁ ଚାଷ ଜମିଗୁଡିକ ଜଳାର୍ଣ୍ଣବ ହୋଇଥିବାବେଳେ ତଳିଆ ଅଞ୍ଚଳରେ ବର୍ଷାଜଳ ଜମାଟ ବାନ୍ଧିଛି। ଏପଟେ ଉପରମୁଣ୍ଡରେ ବର୍ଷା ଯୋଗୁ ଆଜି ଆଖୁଆପଦାରେ ଦିନ ଗୋଟାଏ ବେଳେ ବୈତରଣୀ ନଦୀ ବିପଦ ସଂକେତ ୧୭.୮୩ ମିଟରକୁ ଅତିକ୍ରମ କରିଛି। ଏହି ରିପୋର୍ଟ ଲେଖା ହେବା ବେଳକୁ ଜଳସ୍ତର ୧୮ ମିଟର ଅତିକ୍ରମ କରିଥିଲା। ଏଥିଯୋଗୁ ଜିଲାରେ ଏକ ମଧ୍ୟମ ଧରଣର ବନ୍ୟା ନିଶ୍ଚିତ ବୋଲି କୁହାଯାଉଛି।
ସେହିଭଳି ହଦଗଡ଼ ଜଳଭଣ୍ଡାରକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। କର୍ଭରୁଲ ଅନୁସାରେ ଜଳଭଣ୍ଡାରରେ ଏବେ ଜଳସ୍ତର ୭୦.୧୭ ମିଟର ରହିବା କଥା। କିନ୍ତୁ ଏବେ ଏହା ୭୯.୭୧ ମିଟର ଛୁଇଁଛି। ଏହି କାରଣରୁ ଜଳଭଣ୍ଡାରର ଦୁଇଟି ଫାଟକ ଖୋଲାଯାଇଥିବା ଡ୍ୟାମ କର୍ତୃପକ୍ଷ ସୂଚନା ଦେଇଛନ୍ତି। ‘ଆମେ ଆହୁରି ଅଧିକ ଜଳ ନିଷ୍କାସନ କରିବାର ଆବଶ୍ୟକତା ଥିଲେ ମଧ୍ୟ ପରିସ୍ଥିତିକୁ ଦେଖି ଅଧିକ ଫାଟକ ଖୋଲାଯାଉନାହିଁ’ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ ଶତପଥୀ ‘ସମାଜ’କୁ ସୂଚନା ଦେଇଛନ୍ତି। ଜଳଭଣ୍ଡାରକୁ ଏବେ ନିଷ୍କାସିତ ପରିମାଣଠାରୁ ଅଧିକ ପାଣି ପ୍ରବେଶ କରୁଛି। ଏପରିକି ଗତକାଲି ସେକେଣ୍ଡକୁ ୮୮୦୦ ଘନଫୁଟ ପାଣି ପ୍ରବେଶ କରୁଥିଲା ବୋଲି ଇଂ ଶତପଥୀ କହିଛନ୍ତି। କିନ୍ତୁ ତଳ ମୁଣ୍ଡରେ ବର୍ଷାଜଳ ଜମାଟ ବାନ୍ଧି ଥିବାରୁ ଅଧିକ ଫାଟକ ଖୋଲାଯାଇନାହିଁ ବୋଲି ସେ କହିଛନ୍ତି। ଜଳଭଣ୍ଡାରରେ ବିପଦ ସଙ୍କେତ ୮୨.୩ ରହିଛି। ଯଦି ଜଳଭଣ୍ଡାରକୁ ଆହୁରି ଅଧିକ ଜଳ ପ୍ରବେଶ କରେ ତେବେ ଅଧିକ ଫାଟକ ଖୋଲିବା ଛଡ଼ା ବିକଳ୍ପ ରହିବ ନାହିଁ ବୋଲି ସୂଚନା ମିଳିଛି। ତେବେ ଜଳଭଣ୍ଡାର ଫାଟକ ଖୋଲିବା ପରେ ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଭଦ୍ରକ ସହରର ରାଜଘାଟଠାରେ ବିପଦ ସଂକେତ ୧୫.୦୮ ମିଟର ଥିବାବେଳେ ଜଳସ୍ତର ୧୪.୬୫ ଛୁଇଁଥିବା ସୂଚନା ମିଳିଛି। ଅବିରତ ବର୍ଷା ଯୋଗୁ ଭଦ୍ରକ ସହରର ତଳିଆ ଅଞ୍ଚଳରେ ବର୍ଷାଜଳ ଜମାଟ ବାନ୍ଧିଛି।
ଯଦି ସାଳନ୍ଦୀ ନଦୀ ବିପଦ ସଂକେତ ଅତିକ୍ରମ କରେ ତେବେ ସହର ଉବୁଟୁବୁ ହେବ ବୋଲି କୁହାଯାଉଛି।

Leave A Reply