ବେକାରୀ ଚିନ୍ତା

0

ନଭେମ୍ବର ୮ରେ ବିମୁଦ୍ରାୟନକୁ ଦୁଇବର୍ଷ ପୂରିଛି। ହଠାତ୍ ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଯେଉଁ ଚକ୍‌ମା ଦେଖାଇବାକୁ ଚାହିଁଥିଲେ, ତାହା ବିଫଳ ହୋଇଥିବା ବିଭିନ୍ନ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି; ବରଂ ଏହା ଫଳରେ ଦେଶର ଅର୍ଥନୀତିରେ ଗଭୀର ପ୍ରତିକୂଳ ପ୍ରଭାବ ପଡ଼ିଛି। ସରକାର ଏହି ବାସ୍ତବତାକୁ ଏପର୍ଯ୍ୟନ୍ତ ସ୍ବୀକାର ନକରିବା ପରିତାପର ବିଷୟ। ବିମୁଦ୍ରାୟନ ପର ଦୁଇବର୍ଷ ଭିତରେ ବେରୋଜଗାର ବା ବେକାରୀ ସଙ୍କଟ ଉତ୍କଟ ହୋଇଛି। ଏ ସମ୍ବନ୍ଧରେ ନିରନ୍ତର ଗବେଷଣା କରୁଥିବା ସଂସ୍ଥା ‘ସେଣ୍ଟର ଫର୍ ମନିଟରିଙ୍ଗ୍ ଇଣ୍ଡିଆନ ଇକୋନୋମି’ (ସିଏମ୍‌ଆଇଇ) ଅନୁଯାୟୀ ଚଳିତବର୍ଷ ଅକ୍ଟୋବରରେ ବେକାରୀ ହାର ୬.୯ ଶତାଂଶରେ ପହଞ୍ଚିଯାଇଛି, ଯାହା ଗତ ଦୁଇବର୍ଷ ମଧ୍ୟରେ ସର୍ବାଧିକ। ପରିସଂଖ୍ୟାନ କହୁଛି ଯେ ୨୦୧୮ ଅକ୍ଟୋବରରେ ମୋଟ ୩୯.୭ କୋଟି ଲୋକଙ୍କ ପାଖରେ କୌଣସି ନା କୌଣସି ରୋଜଗାରର ପନ୍ଥା ରହିଥିଲା, ଯାହା ଗତବର୍ଷ ଅର୍ଥାତ ୨୦୧୭ ଅକ୍ଟୋବରଠାରୁ ୨.୪ ଶତାଂଶ କମ୍। ସେତେବେଳେ ଏହା ଥିଲା ୪୦.୭ କୋଟି। ଏହାର ଅର୍ଥ ହେଲା ବର୍ଷକ ଭିତରେ ରୋଜଗାର ବହୁତ ହ୍ରାସ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଚାକିରି ବା ନିଯୁକ୍ତି ପାଇବା ପାଇଁ ଅପେକ୍ଷାରତ ବେକାରଙ୍କ ସଂଖ୍ୟା ୨୦୧୭ରେ ୧.୪ କୋଟି ଥିବାବେଳେ ୨୦୧୮ ଅକ୍ଟୋବର ବେଳକୁ ତାହା ବୃଦ୍ଧି ପାଇଁ ୨.୯୫ କୋଟି ହୋଇଛି।
ଏଥିରୁ ସ୍ପଷ୍ଟ ଯେ ବିମୁଦ୍ରାୟନ ଦ୍ବାରା ଯାହା ତ ଲୋକଙ୍କ ରୋଜଗାର ନଷ୍ଟ ହୋଇଥିଲା, ନୂଆ ନିଯୁକ୍ତି ସୃଷ୍ଟିରେ ମଧ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ସରକାର ଏଥିପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି ସତ, କିନ୍ତୁ ତା’ର କିଛି ସୁଫଳ ମିଳିବା ପରି ଜଣାପଡ଼ୁନାହିଁ। ଶକ୍ତି, ଭିତ୍ତିଭୂମି ନିର୍ମାଣ ଓ ସୂଚନା ପ୍ରଯୁକ୍ତି ଆଦି କ୍ଷେତ୍ରରେ ନୂତନ ରୋଜଗାର ସୃଜନର ସମ୍ଭାବନା ଥିଲେ ହେଁ ସରକାର ସେଥିରେ ସଫଳ ହୋଇପାରିନାହାନ୍ତି। ଏ ନେଇ ଗୁରୁତ୍ବର ସହ ଚିନ୍ତା କରିବା ସହ ଉଚିତ ପଦକ୍ଷେପ ନେବାର ସମୟ ଆସିଛି; କାରଣ ଦେଶର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି।

Comments
Loading...