ବିଶୃଙ୍ଖଳିତ ଧାଡ଼ିଦର୍ଶନ ଓ ଦିବ୍ୟାଙ୍ଗ ଭକ୍ତ

0

ବଳରାମ ସାହୁ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ିଦର୍ଶନ ବ୍ୟବସ୍ଥା ଅକ୍ଟୋବର ୧ ତାରିଖରୁ ଆରମ୍ଭ କରାଗଲା। ମାତ୍ର ୨ ଦିନ ପରେ, ଅର୍ଥାତ୍‌ ଅକ୍ଟୋବର ୩ ତାରିଖ ଦିନ ପୁରୀ ବନ୍ଦ ଡାକରା ଦିଆଯାଇ ବଡ଼ଦାଣ୍ଡରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି କରାଗଲା। ଉକ୍ତ ଘଟଣାରେ ଶହେରୁ ଅଧିକ ବ୍ୟକ୍ତି ଗିରଫ ହେଲେଣି। ଏବେ ସାମୟିକଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ମଧ୍ୟ ବନ୍ଦ କରିଦିଆଯାଇଛି ସତ୍ୟ, ମାତ୍ର ଏହି ଗୋଳମାଳ ଭିତରେ ଦିବ୍ୟାଙ୍ଗ ଭକ୍ତଙ୍କ ଶୃଙ୍ଖଳିତ ପ୍ରବେଶ ଓ ଦର୍ଶନକୁ ସରକାର ଓ ମନ୍ଦିର ପ୍ରଶାସନ ବୋଧହୁଏ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। କାରଣ ୨୦୧୫ ମସିହାରେ ୫ଲକ୍ଷ ଟଙ୍କା ବ୍ୟୟ କରାଯାଇ ଶ୍ରୀମନ୍ଦିରର ଉତ୍ତର ଦ୍ବାର ବାଟେ, ହ୍ବିଲ୍‌ ଚେୟାରଗୁଡ଼ିକ ଯିବାଆସିବା କରିବା ପାଇଁ ଯେଉଁ ରାମ୍ପ ବ୍ୟବସ୍ଥା କରାଯାଇଥିଲା ତାହା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଦେଶବିଦେଶରୁ ବହୁ ଦିବ୍ୟାଙ୍ଗ ଭକ୍ତ ଭିଡ଼ ଭିତରକୁ ପ୍ରବେଶ ନକରିପାରି ଅରୁଣ ସ୍ତମ୍ଭକୁ ମୁଣ୍ଡିଆଟିଏ ମାରି ଫେରୁଛନ୍ତି ସିନା ଦିଅଁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବା ସମ୍ଭବ ହୋଇପାରୁନାହିଁ। ଏହା ଦୁଃଖଦ ଘଟଣା ନୁହେଁ କି?
ମନେପଡ଼େ ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ ସନ୍ଥ ତୁଳସୀ ଦାସ ତାଙ୍କର ପ୍ରସିଦ୍ଧ ମହାକାବ୍ୟ ‘ରାମ ଚରିତ ମାନସ’ ରଚନା କରିସାରିବାପରେ ଜଗନ୍ନାଥ ଧାମ ପୁରୀ ଭ୍ରମଣ କରି ଆସିଥିଲେ। ତାଙ୍କର ଧାରଣା ଥିଲା ଯେ ପୁରୀରେ ରାମ, ଲକ୍ଷ୍ମଣ ଓ ସୀତା ବିଦ୍ୟମାନ ଓ ତାଙ୍କ ଦର୍ଶନ କରି ତୃପ୍ତିଲାଭ କରିବା; ମାତ୍ର ଏଠାରେ ପହଞ୍ଚି ଠାକୁରଙ୍କୁ ଦେଖି ବିସ୍ମିତ ହେଲେ। ଏ କ’ଣ ଠାକୁର ହାତରେ ଧନୁତୀର ପରିବର୍ତ୍ତେ ଅଧାଗଢ଼ା ଦିବ୍ୟାଙ୍ଗ ରୂପ। ପାଦ ନାହିଁ କି କାନ ନାହିଁ, ଅଧାଗଢ଼ା ହସ୍ତ। ଏ ମୋର ଆରାଧ୍ୟ ଠାକୁର ନୁହନ୍ତି କହି ମନ ଦୁଃଖରେ ଫେରିଗଲେ। ଚକ୍ଷୁ ତାଙ୍କର ଲୋତକ ପ୍ଲାବିତ ହେଲା। କିଛିବାଟ ଯାଇ ଥକ୍କାମାରି ବସିବା ସମୟରେ ଜଣେ ବ୍ରାହ୍ମଣ ଦର୍ଶନ ଦେଇ ତାଙ୍କଠାରୁ ସମସ୍ତ ବୃତ୍ତାନ୍ତ ଶୁଣିବାପରେ ତାଙ୍କ ରଚିତ ‘ତୁଳସୀ ରାମାୟଣ’ର ଦୁଇ ପଂକ୍ତି ଗାଇ ଶୁଣାଇଲେ- ‘ବିନୁ ପଗ ଚଲେ ସୁନେ ବିନୁ ବାନା/ ବିନୁୁ କର କରେ କରମ ବିଧି ନାନା’; ଅର୍ଥାତ୍‌ ଆପଣ ତ ନିଜେ ଲେଖିଛନ୍ତି ଯେ ଆପଣଙ୍କ ପ୍ରଭୁଙ୍କର ପାଦ ନାହିଁ, କିନ୍ତୁ ବିଶ୍ବବ୍ରହ୍ମାଣ୍ଡ ଭ୍ରମଣ କରନ୍ତି, ବିନା ହସ୍ତରେ ସବୁ କାର୍ଯ୍ୟ ସମ୍ପାଦନ କରନ୍ତି ଓ କାନ ନ ଥାଇ ସବୁୁ ଗୁହାରି ଶୁଣି ପ୍ରତିକାର କରନ୍ତି, ତେବେ ଜଗନ୍ନାଥ ଆପଣଙ୍କ ଆରାଧ୍ୟ ଠାକୁର ନୁହନ୍ତି କିପରି। ତୁଳସୀ ଦାସଙ୍କର ଭ୍ରମ ଦୂର ହୋଇଥିଲା ଓ ସେ ପୁନରାୟ ଶ୍ରୀକ୍ଷେତ୍ର ଫେରି ପ୍ରଭୁଙ୍କ ଚରଣରେ କ୍ଷମାପ୍ରାର୍ଥନା ପୂର୍ବକ ନିଜର ଅଜ୍ଞତା ପାଇଁ ଅନୁତପ୍ତ ହୋଇଥିଲେ। ତାହା ପରଠାରୁ ରଘୁନାଥ ବେଶ ପୁରୀରେ ଅନୁଷ୍ଠିତ ହେଉଅଛି, ଯାହାକି ୧୧୩ ବର୍ଷ ପରେ ୨୦୨୦ ମସିହାରେ ପୁଣି ପୁରୀରେ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପ୍ରସ୍ତୁତି ଚଳାଇଛି।
ତେବେ ସେ ଦିନ ଠାକୁରଙ୍କୁ ଦର୍ଶନ କରି ପ୍ରଭୁ କାହିଁକି ଦିବ୍ୟାଙ୍ଗ ବେଶ ଧାରଣ କରିଛନ୍ତି ବୋଲି ପଚାରି ବୁଝିଥିଲେ। ଗବେଷକଙ୍କ ମତାନୁସାରେ ସେଠାରେ ଥିବା ବ୍ରାହ୍ମଣମାନେ ତାଙ୍କୁ ବୁଝାଇଥିଲେ ଯେ ଭକ୍ତଙ୍କ ମନୋବାଞ୍ଛା ପୂରଣପାଇଁ ସେ ବିଭିନ୍ନ ​‌େ​‌ବଶ ଧାରଣ କରନ୍ତି। ବନ୍ଧୁ ମହାନ୍ତିଙ୍କ ପାଇଁ ବ୍ରାହ୍ମଣ ବେଶ, ସୁଦାମା ପାଇଁ ନାଉରିଆ ବେଶ, ଦାସିଆ ପାଇଁ ସେବାୟତ ବେଶ ଓ ବଳରାମ ଦାସଙ୍କ ପାଇଁ ପଥିକ ବେଶ ଧାରଣ କରି ଭକ୍ତଗଣଙ୍କୁ ଭାବଡୋରିରେ ବାନ୍ଧି ରଖିଛନ୍ତି। ତେବେ ଶ୍ରୀ ମନ୍ଦିର, ପାର୍ଶ୍ବ ଦେବଦେବୀ ଓ ମେଘନାଦ ପ୍ରାଚୀର ନିର୍ମାଣ ସମୟରେ ବହୁ ଶିଳ୍ପୀ ଦୀର୍ଘଦିନଧରି କାର୍ଯ୍ୟକରି ପଙ୍ଗୁ ହୋଇଯାଇଥିଲେ। ନିର୍ମାଣ ସ୍ଥାନରେ ବାଲୁକା ପୂର୍ଣ୍ଣ କରି ବଡ଼ବଡ଼ ପ୍ରସ୍ତର ଖଣ୍ଡକୁ ଉପରକୁ ଉଠାଇବା ବେଳେ ଶିଳ୍ପୀ ସମୂହଙ୍କ ହାତ ଓ ପାଦରେ ପ୍ରସ୍ତରଖଣ୍ଡ ପଡ଼ି ନଷ୍ଟ ହୋଇଯାଇଥିଲେ ମଧ୍ୟ ଉକ୍ତ ଶିଳ୍ପୀମାନେ ମନ୍ଦିର ନିର୍ମାଣରୁ ବିରତ ହୋଇନଥିଲେ। ମହାପ୍ରଭୁ ଶ୍ରୀମନ୍ଦିରରେ ପ୍ରବେଶ ନକରିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରୁ ବିଶ୍ରାମ ନେଇ ନଥିଲେ। କେତେକ ଶିଳ୍ପୀଙ୍କର ପ୍ରାଣବାୟୁ ମଧ୍ୟ ସେଠାରେ ଉଡ଼ିଯାଇଥିଲା। ତେଣୁ କୁହାଯାଏ ଆହତ ଶିଳ୍ପୀମାନଙ୍କର ସମ୍ମାନାର୍ଥେ ନିଜେ ପ୍ରଭୁ ଦିବ୍ୟାଙ୍ଗ ରୂପ ଧାରଣ କରିବେ ବୋଲି ଇଚ୍ଛା ପ୍ରକଟ କରିଥିଲେ, କାରଣ ସେମାନଙ୍କ ବିକଳାଙ୍ଗ ଅବସ୍ଥାକୁ ଭବିଷ୍ୟତରେ କେହି ଘୃଣା କରିବେ ନାହିଁ। ତୁଳସୀ ଦାସ ଏହା ଶୁଣି ବିସ୍ମିତ ହୋଇଥିଲେ। ଭକ୍ତ ଶିଳ୍ପୀମାନଙ୍କର ସମ୍ମାନ ରକ୍ଷା ପାଇଁ ଦୟାମୟ ଠାକୁର ଏତେ ବଡ଼ ତ୍ୟାଗ କରିପାରନ୍ତି ଜାଣି କଇଁକଇଁ ହୋଇ କାନ୍ଦି ପକାଇଥିଲେ। ସେ କଥା ଅନେକ ଦିନରୁ ଗତ ହୋଇଥିଲେ ମଧ୍ୟ ପ୍ରଭୁ ଏ ଦିବ୍ୟାଙ୍ଗ ​‌େ​‌ବଶ କାହିଁକି ଧାରଣ କରିଛନ୍ତି ତାହାର ଯୁକ୍ତିଯୁକ୍ତ କାରଣ ଅଗଣିତ ଭକ୍ତମଣ୍ଡଳୀଙ୍କ ନିକଟରେ ପହଞ୍ଚାଯାଇ ପାରିନାହିଁ, ଯାହା ଦୁଃଖର ବିଷୟ।
ପ୍ରଥମେ କେନ୍ଦ୍ର ଓ ରାଜ୍ୟ ସରକାର ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସର୍ବସାଧାରଣ ସ୍ଥାନରେ ସଂରକ୍ଷଣ ପାଇଁ ‘ବିକଳାଙ୍ଗ’ ଶବ୍ଦ ବ୍ୟବହାର କରୁଥିଲେ, ମାତ୍ର ଉକ୍ତ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ତେଣୁ ରାଜ୍ୟ ସରକାର ସେମାନଙ୍କ ପାଇଁ ବିକଳାଙ୍ଗ ପରିବର୍ତ୍ତେ ଭିନ୍ନକ୍ଷମ ଶବ୍ଦ ବ୍ୟବହାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅକ୍ଷମ ବ୍ୟକ୍ତିମାନଙ୍କୁ କେବଳ ଦୟା ପ୍ରଦର୍ଶନ ନୁହେଁ, ତାହା ସହିତ ଅସମ୍ମାନସୂଚକ ଶବ୍ଦ ବ୍ୟବହାର ନକରିବା ଉଚିତ ବୋଲି ସରକାର ବିଳମ୍ବରେ ହେଉ ପଛେ ଅନୁଭବ କରିପାରିଛନ୍ତି। ତେଣୁ କେନ୍ଦ୍ର ସରକାର ମଧ୍ୟ ଆଉ ପାଦେ ଆଗକୁ ଯାଇ ଶାରୀରିକ ଅକ୍ଷମମାନଙ୍କ ପାଇଁ ‘ଦିବ୍ୟାଙ୍ଗ’ ଶବ୍ଦ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା ଜଗନ୍ନାଥ ସଂସ୍କୃତି ଓ ଦର୍ଶନ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଦେବତାମାନଙ୍କର ଅଙ୍ଗରୁ ‘ଦିବ୍ୟାଙ୍ଗ’ ଶବ୍ଦର ସୃଷ୍ଟି ଯାହା ଆମ ଜଗନ୍ନାଥ ପରମ୍ପରା ଓ ଦର୍ଶନରେ ବିଦ୍ୟମାନ। ତେଣୁ ଏ ନିଷ୍ପତ୍ତି ସ୍ବାଗତଯୋଗ୍ୟ।
‘ଦିବ୍ୟାଙ୍ଗ’ଙ୍କ ପାଇଁ କେବଳ ଆଇନ୍ ପ୍ରଣୟନ ନୁହେଁ, ତାହା କିପରି ସବୁ ସ୍ତରରେ କାର୍ଯ୍ୟକାରୀ ହୋଇପାରିବ ଏବଂ କିପରି ସେମାନେ ପ୍ରତିବନ୍ଧକର ସମ୍ମୁଖୀନ ନହେବେ, ସେଥିପାଇଁ ସରକାର ଯତ୍ନବାନ୍‌ ହେବା ଆବଶ୍ୟକ।
ସିଡିଏ-୧୦, କଟକ

Comments
Loading...