ବିଲୁପ୍ତ ପ୍ରାୟ ପ୍ରାଣୀଙ୍କ ସୁରକ୍ଷା ଚିନ୍ତା

ବିଭୂତି ପତି

ବିପଦ ପ୍ରବଣ ବନ୍ୟପ୍ରାଣୀ ଓ ଉଦ୍ଭିଦର ଅନ୍ତର୍ଜାତୀୟ ବ୍ୟାପାର(ସିଆଇଟିଇଏସ୍‌) ସଂକ୍ରାନ୍ତ ୧୮ତମ ସମ୍ମିଳନୀ ଶ୍ରୀଲଙ୍କାରେ ଚଳିତ ମେ’ ୨୩ ତାରିଖରୁ ଆସନ୍ତା ଜୁନ୍‌ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ୧୮୩ଟି ଦେଶର ସରକାରୀ ପ୍ରତିନିଧିଙ୍କ ସମେତ ଅନେକ ବନ୍ୟପ୍ରାଣୀ ବିଶେଷଜ୍ଞ, ଆଗ୍ରହୀ ବନ୍ୟପ୍ରାଣୀ ସଂରକ୍ଷକ ଓ ପରିବେଶପ୍ରେମୀ, ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଯୋଗଦେବେ। ଏହି ସମ୍ମିଳନୀରେ ୫୭ଟି ପ୍ରସ୍ତାବ ଉପରେ ଆଲୋଚନା ହେବ। ଭାରତ ଚଳିତ ବର୍ଷର ସିଆଇଟିଇଏସ୍‌ ବୈଠକରେ ମୁଖ୍ୟ ଦେଶଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ଦୁଇଟି ପ୍ରଜାତିର ଓଧ ଓ ପ୍ରାକୃତିକ ପରିବେଶରେ ମିଳୁଥିବା ବିରଳ ଷ୍ଟାର କଇଁଛର ଅନ୍ତର୍ଜାତୀୟ ବ୍ୟବସାୟିକ କାରବାର ଉପରେ ନିଷେଧାଜ୍ଞା ଜାରି କରିବାକୁ ଭାରତ ଦାବି କରିବ। ଏହାସହିତ ଲୁପ୍ତ ହେବାକୁ ଯାଉଥିବା ୱେଜ ଫିସ୍‌ ଓ ଟୋକେ ଗେକୋ (ଏକ ବିରଳ ନୀଳ ରଙ୍ଗର ଛପଛପିଆ ଝିିଟିପିଟି)ର ବ୍ୟବସାୟିକ କାରବାରକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ଭାରତ ସମର୍ଥନ ଜୁଟାଇବ।
ତିନୋଟି ଭିନ୍ନ ଭିନ୍ନ ତାଲିକା ଅନୁଯାୟୀ ପ୍ରାୟ ୫୮୦୦ ବିଭିନ୍ନ ପ୍ରାଣୀ ଓ ସେମାନଙ୍କର ପ୍ରଜାତି ଏବଂ ୩୦,୦୦୦ ଉଦ୍ଭିଦ ପ୍ରଜାତିକୁ ସିଆଇଟିଇଏସ୍‌ ଦ୍ୱାରା ବର୍ତ୍ତମାନ ବିଶ୍ୱସ୍ତରରେ ସୁରକ୍ଷା ପ୍ରଦାନ କରାଯାଉଛି। ଭାରତ ସମେତ ଅନ୍ୟ ସଦସ୍ୟ ଓ ସହ ପ୍ରସ୍ତାବକ ଦେଶମାନେ ଜଙ୍ଗଲରେ ଦେଖାଯାଉଥିବା ଏସୀୟ ଛୋଟ ପଞ୍ଝା ବିଶିଷ୍ଟ ଓଧ (ଅଓନିୟସ୍କ ସିନେରିୟସ୍‌) ଏବଂ ଚିକ୍କଣ ଲୋମଶ ଶରୀର ବିଶିଷ୍ଟ ଓଧ (ଲିଉଟ୍ରୋଗେଲ୍‌ ପରସ୍ୱିସିଲାଟା) ତଥା ଭାରତୀୟ ଷ୍ଟାର୍‌ କଇଁଛ (ଜିଓଚେଲୋନ୍‌ ଏଲାଗାନ୍‌ସ) ପ୍ରଜାତିକୁ ନେଇ ସମସ୍ତ ଆନ୍ତର୍ଜାତୀୟ ବ୍ୟବସାୟ ଓ ଚୋରା କାରବାର ଉପରେ ପ୍ରତିବନ୍ଧକ ଲାଗାଇବାକୁ ଚାହୁଁଛନ୍ତି ।
ଟ୍ରାଫିକ୍‌ – ଇଣ୍ଡିଆ ଭାରତର ମୁଖ୍ୟ ସାକେତ୍‌ ବାଦୋଲାଙ୍କ ମତରେ, ଆମେମାନେ ଯେଉଁ ପ୍ରଜାତିଗୁଡ଼ିକର ସୁରକ୍ଷା ପାଇଁ ସଂଗ୍ରାମ କରୁଛୁ, ସେଥିରୁ ଏହି ସୂଚନା ମିଳିଛି ଯେ, ଆମେମାନେ ସେତେବେଶୀ ଆକର୍ଷଣୀୟ ହୋଇନଥିବା ପ୍ରାଣୀ ଜଗତର ପ୍ରଜାତିଗୁଡ଼ିକର ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ। ପରିସଂସ୍ଥାନ ଓ ଜୈବ ବିବିଧତାର ସୁରକ୍ଷାରେ ଏଭଳି ପ୍ରାଣୀମାନଙ୍କର ଆବଶ୍ୟକତାକୁ ମଣିଷ ସମାଜ ଏପରିକି ଅନେକ ବୁଦ୍ଧିଜୀବୀ ଗୋଷ୍ଠୀ ମଧ୍ୟ ବୁଝିବାକୁ ସକ୍ଷମ ହୋଇନାହାନ୍ତି। ବିଶ୍ୱସ୍ତରରେ ସଂଗଠିତ ହେଉଥିବା ବ୍ୟାପକ ବେଆଇନ ବ୍ୟବସାୟ ଓ ମାତ୍ରାଧିକ ଚାହିଦା ହେତୁ ଏହି ପ୍ରଜାତିର ପ୍ରାଣୀମାନଙ୍କର ବଞ୍ଚିବା ଆଜି ବିପଦଗ୍ରସ୍ତ ହୋଇପଡ଼ିଲାଣି।
ଟ୍ରେଡ଼୍‌ ରେକର୍ଡ ଆନାଲିସିସ୍‌ ଫର ଫୌନା ଆଣ୍ଡ୍‌ ଫ୍ଲୋରା (ଟ୍ରାଫିକ୍‌) ହେଉଛି ଜୈବବିବିଧତା ସଂରକ୍ଷଣ ଏବଂ ନିରନ୍ତର ବିକାଶ ପୃଷ୍ଠଭୂମିରେ ବିଶ୍ୱବ୍ୟାପୀ ବନ୍ୟପ୍ରାଣୀ ଓ ଉଦ୍ଭିଦର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ। ଛୋଟ ପଞ୍ଝା ବିଶିଷ୍ଟ ଏସୀୟ ଓଧ, ଚିକ୍କଣ ଲୋମଶ ଶରୀର ବିଶିଷ୍ଟ ଓଧ ଏବଂ ଭାରତୀୟ ଷ୍ଟାର କଇଁଛ ସଂପ୍ରତି ପରିଶିଷ୍ଟ -୨ରେ ସିଆଇଟିଇଏସ୍‌ରେ ସ୍ଥାନ ପାଇଛନ୍ତି। ପରିଶିଷ୍ଟ -୨ରେ ସ୍ଥାନ ପାଇଥିବା ପ୍ରଜାତିଗୁଡ଼ିକ ଏବେ ବିଲୁପ୍ତ ହେବାର ଆଶଙ୍କା ନଥିଲେ ମଧ୍ୟ, ଏଗୁଡ଼ିକୁ ନେଇ ବୃଦ୍ଧି ପାଉଥିବା ବ୍ୟାପକ ଚାହିଦା କାରଣରୁ ବହୁଳ ବ୍ୟବସାୟ ଓ ଚାଲାଣକୁ ନିୟନ୍ତ୍ରଣ କରାନଗଲେ ଖୁବ୍‌ଶୀଘ୍ର ଏହି ନିରୀହ ପ୍ରାଣୀମାନେ ବିଲୁପ୍ତ ହୋଇଯାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ଏହି ସମ୍ମିଳନୀରେ ଭାରତ ସହିତ ସାମିଲ ହୋଇଥିବା ନେପାଳ ଓ ଫିଲିପାଇନ୍ସ ଦେଶମାନେ ଛୋଟ ପଞ୍ଝା ବିଶିଷ୍ଟ ଓଧକୁ ପରିଶିଷ୍ଟ -୧ ସୂଚୀରେ ସ୍ଥାନ ଦେବାକୁ ଦୃଢ଼ ଦାବି ଉପସ୍ଥାପନ କରୁଛନ୍ତି। ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଓଧ ଶିକାର ଓ ଚାଲାଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିବ। ଏହାସହିତ ଓଧ ପାଳିବା ଏବଂ ହତ୍ୟା କରିବା ତଥା ଅନ୍ଧବିଶ୍ୱାସ ସ୍ୱରୂପ ଏହାର ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ବିଭିନ୍ନ ଔଷଧ କିମ୍ବା ଚାଲଣ କରିବା ଉପରେ ଦୃଢ଼ ପ୍ରତିବନ୍ଧକ ଲଗାଯାଇପାରିବ। ଚିକ୍କଣ ଲୋମଶ ଶରୀର ବିଶିଷ୍ଟ ଓଧମାନଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ସେମାନଙ୍କୁ ପରିଶିଷ୍ଟ-୧ରେ ସାମିଲ କରାଯିବାକୁ ଦାବି ହେଉଛି। ଓଧର ପ୍ରାକୃତିକ ବାସସ୍ଥାନର ଧ୍ୱଂସ ସାଧନ ହେତୁ ଅନ୍ତର୍ଜାତୀୟ ବଜାରରେ ଅନିୟନ୍ତ୍ରିତ ବେଆଇନ୍‌ ଓଧ ଚାଲାଣ ବଢ଼ିଚାଲିଛି । ଏହାର ନିୟନ୍ତ୍ରଣ କରାନଗଲେ ଆଉ ମାତ୍ର କିଛି ବର୍ଷ ମଧ୍ୟରେ ଏସବୁ ଦେଶରୁ ଓଧ ଲୋପ ପାଇଯିବ ।
ଭାରତୀୟ ଷ୍ଟାର କଇଁଛର ବିଦେଶରେ ସୌଖୀନରେ ଏପରିକି ଭାରତରେ ମଧ୍ୟ ବିଭିନ୍ନ ରାଜ୍ୟରେ ଏହି ପ୍ରଜାତିର କଇଁଛକୁ ପୋଷିବାକୁ ପ୍ରବଳ ଚାହିଦା ସୃଷ୍ଟି ହୋଇଛି। ତେଣୁ ଏହି ନିରୀହ ପ୍ରଜାତିଟି ବର୍ତ୍ତମାନ ଲୋପ ପାଇବାକୁ ଯାଉଛି ଭାରତ ସହିତ ଶ୍ରୀଲଙ୍କା, ବଙ୍ଗଳାଦେଶ ଓ ସେନେଗାଲ୍‌ ଦେଶସମୂହ ମଧ୍ୟ ଏହି ପ୍ରଜାତିର କଇଁଛମାନଙ୍କ ସୁରକ୍ଷା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
ଆଗାମୀ ସିଆଇଟିଇଏସ୍‌ ବୈଠକରେ ଭାରତ “ରାହିନିଡ଼େ’’ ପରିବାରର ମାଛ “ୱେଜ୍‌ ଫିସ୍‌’’ ଏବଂ “ଗେକ୍କୋ ଏବଂ ଗେକ୍‌କୋ’’ ପ୍ରଜାତିର ଟୋକେ ଗେକୋ ଝିଟିପିଟିକୁ ପରିଶିଷ୍ଟ-୨ରେ ସ୍ଥାନୀତ କରିବାକୁ ଦାବି କରିବାର ନିଷ୍ପତ୍ତି ଗ୍ରହଣ କରିଛି। ଅନ୍ୟପକ୍ଷରେ ଏହି ବୈଠକରେ ଭାରତ ଚାହୁଁଛି, “ନର୍ଥ ଇଣ୍ଡିଆନ ରୋଜ୍‌ଉଡ଼୍‌ (ନାଲି ଶିଶୁ) ପ୍ରଜାତିର ଉଦ୍ଭିଦ /ବୃକ୍ଷକୁ ପରିଶିଷ୍ଟ -୨ରେ ସାମିଲ ନକରିବାକୁ ।
ସାକେତ୍‌ ବାଦୋଲାଙ୍କ କହିବା ଅନୁଯାୟୀ, “ଆଠ ପ୍ରକାରର ସବୁଶ୍ରେଣୀର ବଜ୍ରକାପ୍ତା ଓ ତାର ଅଙ୍ଗ ପ୍ରତ୍ୟଙ୍ଗର ବେପାର ବହୁ ମାତ୍ରାରେ ବୃଦ୍ଧି ପାଇଥିଲା। ବେଆଇନ ବଜ୍ରକାପ୍ତା ଚୋରା ଚାଲାଣକାରୀ ଓ ଶିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଇନ ଅନୁସାରେ ନିଆଯାଇପାରୁଛି। ଏହାଦ୍ୱାରା ବଜ୍ରକାପ୍ତାକୁ ବର୍ତ୍ତମାନ ଯଥେଷ୍ଟ ସୁରକ୍ଷା ପ୍ରଦାନ କରାଯାଉଛି। ଉପରୋକ୍ତ ପ୍ରାଣୀଙ୍କୁ ସିଆଇଟିଇଏସ୍‌ର ଆବଶ୍ୟକୀୟ ପରିଶିଷ୍ଟରେ ସାମିଲ କଲେ ସେମାନଙ୍କୁ ସୁରକ୍ଷା ଯୋଗାଇବା ସହଜ ହୋଇପାରିବ ।
ମାର୍ଚ୍ଚ ୧୬, ୨୦୧୯ରେ ଜାରି କରାଯାଇଥିବା ଆଇୟୁସିଏନ୍‌ / ଟିଆରଏଏଫ୍‌ଏଫ୍‌.ସି ର ସିଆଇଟିଇଏସ୍‌ (ସି.ଓ.ପି-୧୮) ପ୍ରସ୍ତାବକୁ ଯଦି ଆମେ ଆଲୋଚନା କରିବା ତେବେ ଆମେ ନିଶ୍ଚିତ ବୁଝିପାରିବା ଉଭୟ ଓଧ ପ୍ରଜାତିକୁ ପରିଶିଷ୍ଟ-୧ ରେ ସାମିଲ କରିବା ପାଇଁ ଯେଉଁ ମାନଦଣ୍ଡ ବା ମାନ୍ୟତା ରହିଛି ତାହାକୁ ଉଭୟ ପ୍ରଜାତିର ଓଧ ପୂର୍ଣ୍ଣ କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଗତ ତିନି ଦଶନ୍ଧି ମଧ୍ୟରେ ଓଧ ସଂଖ୍ୟା ପୃଥିବୀ ପୃଷ୍ଠରୁ ୪୦ ପ୍ରତିଶତ ହ୍ରାସ ପାଇଗଲାଣି । ସାମୁଦ୍ରିକ ଓଧଙ୍କ ସଂଖ୍ୟା ହ୍ରାସ ପାଇବାର ଗତି ଆହୁରି ତୀବ୍ର। ତଥାପି ସିଆଇଟିଇଏସ୍‌ର ସଚିବାଳୟ କେତେକ ନିର୍ଦ୍ଧାରିତ ନୀତିକୁ ଉଭୟ ପ୍ରଜାତିର ଓଧ ଓ ଷ୍ଟାର କଇଁଛ ପୂରଣ କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇପାରୁନଥିବାରୁ ହୁଏତ ଏମାନଙ୍କୁ ପରିଶିଷ୍ଟ -୧ରେ ସାମିଲ କରିବାରେ ସାମାନ୍ୟ ବାଧା ସୃଷ୍ଟି ହୋଇପାରେ। ସିଆଇଟିଇଏସ୍‌ର ଅସ୍ଥାୟୀ ମୂଲ୍ୟାଙ୍କନରେ ଉପରୋକ୍ତ ପ୍ରଜାତିର ପ୍ରାଣୀମାନଙ୍କର ହ୍ରାସ ପାଇବାର ପ୍ରକ୍ରିୟାକୁ ନେଇ ଏଭଳି ଦ୍ୱନ୍ଦ ଉପୁଜିଛି ।
ଟୋକେ ଗେକୋ ହେଉଛି ବିଶ୍ୱର ଗୋକ୍କୋ ପ୍ରଜାତିର ଝିଟିପିଟିମାନଙ୍କ ମଧ୍ୟରେ ବୃହତ ପ୍ରାଣୀ। ଏହାର ବେଆଇନ୍‌ ଶିକାର ଓ ଚାଲାଣ ମୁଖ୍ୟତଃ ଅନ୍ଧବିଶ୍ୱାସ କାରଣରୁ ପାରମ୍ପରିକ ଚିକିତ୍ସା ପାଇଁ ହେଉଛି। କିଛି ଦେଶର ଜନସାଧାରଣ ଏହାକୁ ଖାଦ୍ୟ ପାଇଁ ବ୍ୟବହାର କରୁଥିବାରୁ ଏହି ନିରୀହ ପ୍ରଜାତିଟି ବର୍ତ୍ତମାନ ଲୋପ ପାଇବାକୁ ଯାଉଛି। ଏହାର ଲୋପ ପାଇବା ପ୍ରକ୍ରିୟା ଅତ୍ୟନ୍ତ ତୀବ୍ର ଅଟେ। ତଥାପି ଏହାକୁ ସିଆଇଟିଇଏସ୍‌ ରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ଆଗାମୀ ସମ୍ମିଳନୀରେ ଏହାକୁ ସର୍ବପ୍ରଥମଥର ପାଇଁ ଭାରତ ସୁରକ୍ଷା ଯୋଗାଇଦେବାକୁ ଆଗେଇ ଆସିଛି। ଭାରତ ସମେତ ୟୁରୋପିଆନ୍‌ ୟୁନିଅନ୍‌, ଫିଲିପାଇନ୍ସ ଏବଂ ଆମେରିକା ପ୍ରଭୃତି ଦେଶ ଏହି ଟୋକେ ଗେକୋ ପ୍ରଜାତିର ସମସ୍ତ ଦୁଷ୍ପ୍ରାପ୍ୟ ନାରଙ୍ଗୀ ବର୍ଣ୍ଣ ଓ ନୀଳ ଓ ଧୂସର ବର୍ଣ୍ଣର ଛାପ ବିଶିଷ୍ଟ ଝିଟିପିଟିର ସୁରକ୍ଷା ଉପରେ ପ୍ରସ୍ତାବ ଆଗତ କରିବେ। ବାସସ୍ଥଳୀର ଚିହ୍ନଟ କରାଯାଇ ଟୋକେ ଗେକୋର ସଂଖ୍ୟାକୁ ପରିଗଣନା କରାଯିବା ସହିତ ସେମାନଙ୍କର ବ୍ୟବସାୟିକ କାରବାରରେ ଜବତ କରାଯିବା ତଥ୍ୟକୁ ଆକଳନ କରାଯିବ। ପୁନଶ୍ଚ ଟୋକେ ଗେକୋ ପ୍ରଜାତି ପ୍ରାଣୀ ସମ୍ପଦର ଏକ ନକ୍ସା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଚିହ୍ନଟ କରାଯିବ ।
ଆଗାମୀ ସିଆଇଟିଇଏସ୍‌ ସମ୍ମିଳନୀରେ ଭାରତ ସମେତ ଅନ୍ୟ ୩୪ଟି ଦେଶମାନେ ମିଳିତ ଭାବେ ‘ରାଇନିଡ଼ା’ ପ୍ରଜାତିର ସମସ୍ତ ପ୍ରାଣୀ /ମାଛ ମୁଖ୍ୟତଃ ‘ୱେଜ୍‌ ଫିସ୍‌’ କୁ ପରିଶିଷ୍ଟ-୨ରେ ସାମିଲ କରିବାକୁ ସମର୍ଥନ ଦେଇଛନ୍ତି । ଏଭଳି ପ୍ରଜାତିର କୌଣସି ପ୍ରାଣୀ ସିଆଇଟିଇଏସ୍‌ ସାରଣୀରେ ସ୍ଥାନ ପାଇନାହିଁ ।
ସିଆଇଟିଇଏସ୍‌ର ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ୱାରା ଦିଆଯାଇଥିବା ମତାମତରୁ ଜଣାପଡ଼ିଛି “ରାଇନୋଚୋବାଟୁସ୍‌, ଅଷ୍ଟ୍ରାଲିଆଣ୍ଡ୍‌ ଏବଂ ରାଇନୋଚୋବାଟୁସ ଡ଼ିଜେଡ଼େନ୍ସ’’ ପ୍ରଜାତିର ପ୍ରାଣୀଙ୍କୁ ପରିଶିଷ୍ଟ-୨ରେ ସାମିଲ କରିବାକୁ ପ୍ରସ୍ତାବ ଦେବେ। କାରଣ ପରିଶିଷ୍ଟ-୨ରେ ସାମିଲ ହେବାର ମାନ୍ୟତା ପାଇଁ ଏହି ପ୍ରଜାତିର ପ୍ରାଣୀମାନଙ୍କର ସମସ୍ତ ମାନଦଣ୍ଡ ରହିଛି। ଯଦି ଉପରୋକ୍ତ ପ୍ରଜାତି ପରିିଶିଷ୍ଟ-୨ରେ ସାମିଲ ହୁଅନ୍ତି ତେବେ ଏହି ପ୍ରଜାତିର ଅନ୍ୟ ଆଠଟି ପ୍ରାଣୀମାନଙ୍କ ପାଇଁ ପରିଶିଷ୍ଟ -୨ରେ ସାମିଲ ହେବାକୁ ଭବିଷ୍ୟତରେ ବାଟ ଖୋଲିବ ।
ରାଇନୋଚୋବାଟୁସ ପ୍ରଜାତିର ୱେଜ୍‌ ଫିସ୍‌ମାନଙ୍କର ୮ଟି ପ୍ରଜାତି ମଧ୍ୟରୁ ଗତ ତିନି ଦଶନ୍ଧି ମଧ୍ୟରେ ୮୦ ପ୍ରତିଶତ ମୃତ୍ୟୁବରଣ କରିସାରିଲେଣି। ରାଇନୋଚୋବାଟୁସ ପ୍ରଜାତି ବିଲୁପ୍ତ ହୋଇଗଲାଣି ବୋଲି ସ୍ୱୀକାର କରାଯାଉଛି। ଏହି ପ୍ରଜାତିର ପ୍ରାଣୀମାନଙ୍କୁ ଆଇସିୟୁଏନର ଅସୁରକ୍ଷିତ ତଥା ଲୁପ୍ତ ପାଉଥିବା ଅତି ବିପଦ ପ୍ରବଣ ପ୍ରଜାତିର ନାଲି ତାଲିକାରେ ସାମିଲ କରାଯାଇଛି। ଏମାନଙ୍କ ପ୍ରଜାତିକୁ ବର୍ତ୍ତମାନ ପରିଶିଷ୍ଟ-୨ରେ ସାମିଲ କରାଗଲେ ଏମାନଙ୍କର ସୁରକ୍ଷା ଓ ସଂରକ୍ଷଣ ହୋଇପାରିବ ବୋଲି ଭାରତ ସ୍ୱର ଉତ୍ତୋଳନ କରିଛି ।
୨୦୧୭ ମସିହାରେ ସିଆଇଟିଇଏସ୍‌ ଇଣ୍ଡିଆନ୍‌ ରୋଜ୍‌ରେଡ଼୍‌ (ନାଲି ପ୍ରଜାତିର ଶିଶୁ) ପ୍ରଜାତିର ସମସ୍ତ ଉଦ୍ଭିଦ ବା ବୃକ୍ଷକୁ ପରିଶିଷ୍ଟ-୨ରେ ସାମିଲ କରିଥିଲା, କିନ୍ତୁ ବର୍ତ୍ତମାନର ସିଆଇଟିଇଏସ୍‌ର ବୈଠକରେ ପରିଶିଷ୍ଟ-୨ରୁ ଏହାକୁ ବାଦ ଦେବାକୁ ଭାରତ ଦାବି ଓ ପ୍ରସ୍ତାବ ଆଗତ କରିବ। ଭାରତୀୟ ଉପମହାଦେଶରେ ଏହା ବହୁଳ ପରିମାଣରେ ଥିବାରୁ ଭାରତ, ନେପାଳ, ଭୁଟାନ, ବଙ୍ଗାଳଦେଶ ପ୍ରଭୃତି ଦେଶ ଏହି ବୃକ୍ଷକୁ ପରିଶିଷ୍ଟ -୨ରେ ବର୍ତ୍ତମାନ ସ୍ୱୀକୃତି ଦେବାର ଆବଶ୍ୟକତା ନାହିଁ ବୋଲି କହୁଛନ୍ତି।

Comments
Loading...