ବିପଦ କାଳରେ ଭ୍ରାତୃଭାବ

ଅରବିନ୍ଦ ବେହେରା

ବାତ୍ୟା ‘ଫଣି’ ଓଡିଶା ଉପକୂଳ ଛୁଇଁବାର ଏକମାସ ବିତିଗଲାଣି। ଏହାର ପ୍ରଭାବରେ ଓଡିଶାର ଅନେକ ସହର ଓ ସହସ୍ରାଧିକ ଗାଁରେ ବିପର୍ଯ୍ୟସ୍ତ ହୋଇଥିବା ଜନଜୀବନ କ୍ରମେ ଫେରି ଆସୁଛି ସ୍ବାଭାବିକତା ଆଡକୁ। ଥୁଣ୍ଟା ଗଛମାନଙ୍କରେ ନବ ପଲ୍ଲବର ସବୁଜିମା – ସେମାନେ ଯେପରି କହିବାକୁ ଚାହାନ୍ତି – ପାଗ ଓ ପରିସ୍ଥିତି ଯେତେ ପ୍ରତିକୂଳ ହେଲେ ବି ଆମେ ବଞ୍ଚିବୁ, କେବେହେଲେ ହାର ମାନିବୁ ନାହିଁ। ନିଖୋଜ ମୃଗମାନେ ଫେରି ଆସିଲେଣି ବାଲୁଖଣ୍ଡ ଅଭୟାରଣ୍ୟକୁ। କିଛି ସମୟ ନିରବି ଯାଇଥିବା ପକ୍ଷୀଙ୍କର କାକଳି ପୁଣି ଶୁଣିବାକୁ ମିଳିଲାଣି। ଠିକ୍‌ ସେହିପରି ବାତ୍ୟା ଅଞ୍ଚଳର ମଣିଷମାନେ; ଯେ ଯାହାର ଭାଙ୍ଗି ଯାଇଥିବା ଘରକୁ ସଜାଡିବାରେ ବ୍ୟସ୍ତ, ବିଧ୍ୱସ୍ତ ଛୋଟ ବ୍ୟବସାୟଟିକୁ ନୂଆ କରି ଆରମ୍ଭ କରିବା ପାଇଁ ଆୟାସ ସାଧ୍ୟ ଉଦ୍ୟମ, କେଉଁଠାରୁ କିଛି ସାହାଯ୍ୟ ମିଳୁ ବା ନମିଳୁ। ‘ଦି ଓଲ୍ଡମ୍ୟାନ ଆଣ୍ଡ୍‌ ଦି ସି’ ପୁସ୍ତକରେ ଆରନେଷ୍ଟ ହେମିଙ୍ଗ୍‌ୱେ ଯେପରି କହିଥିଲେ ‘ମଣିଷ ହାରିବା ପାଇଁ ସୃଷ୍ଟି ହୋଇ ନାହିଁ। ସେ ହୁଏତ ଧ୍ୱଂସ ହୋଇଯିବ, କିନ୍ତୁ ପରାଜିତ ହେବ ନାହିଁ।’
ବିପଦ ଆପଦ ସମୟରେ ମଣିଷ ଚରିତ୍ରର ଦୋଷ ଓ ଗୁଣ ଉଭୟ ଜଳଜଳ ହୋଇ ବାହାରକୁ ଦେଖାଯାଏ। ପ୍ରାକୃତିକ ବିପତ୍ତି ଘଟିଲେ ଅନେକ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ହୁଏ, କେହିକେହି ଚାହାନ୍ତି ସବୁ ସାହାଯ୍ୟ ପ୍ରଥମେ ତାଙ୍କୁ ମିଳିବା ଦରକାର ଅନ୍ୟ କାହାକୁ ସାହାଯ୍ୟ ମିଳୁ ବା ନମିଳୁ। ନିଜେ ଓ ନିଜର ପରିବାରର ନିରାପତ୍ତା ଅନେକଙ୍କ ପାଇଁ ହୋଇଯାଏ ଏକମାତ୍ର ପ୍ରାଥମିକତା। ବଜାରରୁ ଖାଦ୍ୟଦ୍ରବ୍ୟ ସବୁ ଉଭାନ ହୋଇଯାଏ, ସବୁ ଆବଶ୍ୟକ ପଦାର୍ଥ ଘରେ ଠୁଳ କରି ରଖିବାର ପ୍ରବୃତ୍ତି ଦେଖାଯାଏ କିଛି ଲୋକଙ୍କ ନିକଟରେ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଅତିଶୟ ଲୋଭର ବଶବର୍ତ୍ତୀ ହୋଇ ମଣିଷ ଅମଣିଷ ହୋଇଯିବାର ରହିଛି କେତେକେତେ ଉଦାହରଣ। ଏପରିକି ଏଥର ଆମ ରାଜ୍ୟରେ କେତେକ ଆଶ୍ରୟ ସ୍ଥଳରେ ଦୁର୍ବଳ ଶ୍ରେଣୀର ଲୋକଙ୍କ ପ୍ରତି ଅକରୁଣ ବ୍ୟବହାରର ସମ୍ବାଦ ମିଳିଛି, ଯାହା ସତ୍ୟ ହୋଇଥିଲେ ଅତ୍ୟନ୍ତ ଦୁଃଖଦାୟକ ଓ ଅବାଞ୍ଝନୀୟ। ଏସବୁ ପ୍ରକାରର ମନୋବୃତ୍ତିକୁ ସଂପୂର୍ଣ୍ଣ ଅସ୍ୱାଭାବିକ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ; କିନ୍ତୁ ମଣିଷ ଚରିତ୍ରରେ ଥିବା ମାନବୀୟ ଗୁଣଗୁଡିକର ଉଜ୍ଜ୍ୱଳ ପ୍ରମାଣ ମଧ୍ୟ ଦେଖିବାକୁ ମିଳେ ଆପଦ କାଳରେ। ଏ ସଂପର୍କରେ ଉଦାହରଣ ସହିତ କିଛି ଆଲେଖ୍ୟ ଉପସ୍ଥାପନ କରିବା ଆଜି ନିବନ୍ଧର ଉଦ୍ଦେଶ୍ୟ।
‘ଫଣି’ ବିପର୍ଯ୍ୟୟ ପରେ ଏପରି ଅନେକ ଘଟଣା ସମସ୍ତଙ୍କ ଦୃଷ୍ଟିକୁ ଆସିଛି ଯାହା ବିଶ୍ୱାସ ସୃଷ୍ଟି କରେ ଯେ ମାନବିକତାର ସଂପୂର୍ଣ୍ଣ ମୃତ୍ୟୁ ହୋଇନାହିଁ ଏଯାଏ। ବାତ୍ୟା ପରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡିବା ପାଇଁ ଓଡିଶାର ନିଜସ୍ୱ ମୁକାବିଲା ବାହିନୀର କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ସହିତ ଯୋଗ ଦେଇଥିଲେ ପଡୋଶୀ ରାଜ୍ୟର କର୍ମୀମାନେ। ଦାରୁଣ ଗ୍ରୀଷ୍ମରେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ପ୍ରଭାବିତ କରିଥିଲା ସ୍ଥାନୀୟ ଅଧିବାସୀଙ୍କୁ। ଗୋଟିଏ ସମ୍ବାଦପତ୍ରର ଏକ ଶୀର୍ଷକ ଥିଲା ‘ଅତିଥିଙ୍କୁ ସ୍ନେହର ପସରା ବାଣ୍ଟିଲେ ରାଜଧାନୀବାସୀ। ରାଜଧାନୀବାସୀ ସେମାନଙ୍କୁ ଥଣ୍ଡା ପାଣି, ମୃଦୁପାନୀୟ, ଫଳ ଇତ୍ୟାଦିରେ ଆପ୍ୟାୟିତ କରିଥିଲେ; ରୋଷେଇ କରି ଖାଇବାକୁ ମଧ୍ୟ ଦେଇଥିଲେ।” ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଲା ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କର ପୁରୀ ସହର ଓ ଆଖପାଖ ଅଞ୍ଚଳରେ ବିପର୍ଯ୍ୟୟ ମୁକାବିଲା ବାହିନୀର କର୍ମୀମାନଙ୍କ ପ୍ରତି ଆତିଥ୍ୟ ଓ ସଦାଚାରର କେତେକେତେ ଆଶାପ୍ରଦ କାହାଣୀ। ରାଜଧାନୀର ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାର କର୍ମଚାରୀମାନେ ସେମାନଙ୍କର ବୃତ୍ତିଗତ କର୍ତ୍ତବ୍ୟକୁ ସ୍ଥଗିତ ରଖି ବାତ୍ୟାବିପନ୍ନ ଅଞ୍ଚଳରେ କାର୍ଯ୍ୟରତ କର୍ମୀମାନଙ୍କ ମନୋବଳ ବଢାଇବା ପାଇଁ ସେମାନଙ୍କ ମଧ୍ୟରେ ଆଶୁ ଚିକିତ୍ସା ସାମଗ୍ରୀ, ଔଷଧ, ପାନୀୟ ଜଳ ଇତ୍ୟାଦି ବାଣ୍ଟି ଏକ ନୂଆ ଉଦାହରଣ ସୃଷ୍ଟି କଲେ। ଦୂରଦୂରାନ୍ତରୁ ବେସରକାରୀ ଅନୁଷ୍ଠାନର ସ୍ୱେଚ୍ଛାସେବକମାନେ ଦଳଦଳ ହୋଇ ବିଭିନ୍ନ ଗାଁରେ ରାସ୍ତା ଓ ଜଳାଶୟ ଇତ୍ୟାଦି ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ। ଆଇ.ଟି.ଆଇ ପରି ବୈଷୟିକ ଅନୁଷ୍ଠାନର ଶିକ୍ଷାର୍ଥୀମାନଙ୍କର ସାମାଜିକ କାର୍ଯ୍ୟରେ ଯୋଗଦାନ ଥିଲା ଆଉ ଏକ ଉତ୍ସାହପ୍ରଦ ସମ୍ବାଦ। ଗୁରୁଦ୍ୱାରାରେ ଶିଖ ସଂପ୍ରଦାୟର ଭାଇ ଓ ଭଉଣୀମାନେ ଲଙ୍ଗର ଖୋଲା ରଖିଲେ ବାତ୍ୟାବିପନ୍ନ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ, ଠିକ୍‌ ଯେପରି ସେମାନେ କରିଥିଲେ ଅନେକ ଦିନ ଧରି ୧୯୯୯ର ମହାବାତ୍ୟା ପରେ। ଓଡିଶାରେ ନିକଟରେ ଘଟିଥିବା ବିପର୍ଯ୍ୟୟ ସମୟରେ ଓ ପରେ ମାନବିକତାର ଆହୁରି ଅନେକ କାହାଣୀ କ୍ରମେ ଲୋକଲୋଚନକୁ ଆସିବ, ଏଥିରେ କୌଣସି ସନ୍ଦେହ ନାହିଁ। ଏହିସବୁ ଉଦାହରଣ ଭବିଷ୍ୟତରେ ପାରସ୍ପରିକ ସହଯୋଗ ଓ ସହଭାଗିତାକୁ ଉତ୍ସାହିତ କରିବ, ଜନଗୋଷ୍ଠୀମାନଙ୍କ ମଧ୍ୟରେ ଭ୍ରାତୃଭାବର ପରମ୍ପରାକୁ ଦୃଢୀଭୂତ କରିବ।
ବୈଜ୍ଞାନିକମାନେ କହନ୍ତି ମଣିଷର ସାମାଜିକ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସେ ଯେତେବେଳେ ତାଙ୍କୁ ଅତ୍ୟନ୍ତ ଦୁରୂହ ଆହ୍ୱାନଗୁଡିକର ମୁକାବିଲା କରିବାକୁ ପଡେ। ବିପର୍ଯ୍ୟୟ କିପରି ମଣିଷ ମଣିଷ ମଧ୍ୟରେ ସଦ୍‌ଭାବ ଓ ଭ୍ରାତୃଭାବକୁ ସୁଦୃଢ କରେ ତାହାର ଅନେକ ଉଦାହରଣ aପୃଥିବୀର ବିଭିନ୍ନ ସ୍ଥାନରେ ଘଟିଥିବା ଘଟଣାମାନଙ୍କରୁ ମିଳେ। ୧୯୬୫ ରେ ଓ ପୁଣି ୨୦୦୩ ମସିହାରେ ନ୍ୟୁୟର୍କ ସହରରେ ଦୀର୍ଘ ସମୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା, ଯେତେବେଳେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପରସ୍ପରକୁ ସାହାଯ୍ୟ କରିବା ପାଇଁ ଏକ ଅଭୂତପୂର୍ବ ଆଗ୍ରହ। ୧୯୮୯ର ଲୋମାପ୍ରିଏଟା ଭୂମିକମ୍ପ ଫଳରେ ଅନେକ ଲୋକ ମୃତାହତ ହୋଇଥିଲେ ସତ; କିନ୍ତୁ ଏହି ଭୂମିକମ୍ପ ଫଳରେ ଅସଂଲଗ୍ନ ଦ୍ୱୀପ ପରି ନିଃସଙ୍ଗ ହୋଇଯାଇଥିବା ମଣିଷମାନେ ଆବିଷ୍କାର କରିଥିଲେ ଭ୍ରାତୃତ୍ୱର ଏକ ନୂତନ ଅନୁଭବ। ୨୦୦୧ ସେପ୍ଟେମ୍ବର ୧୧ ତାରିଖର ସନ୍ତ୍ରାସବାଦଜନିତ ବିପର୍ଯ୍ୟୟ ପରେ ସୃଷ୍ଟି ହୋଇଥିଲା ଠିକ୍‌ ସେହିପରି ଏକ ଭ୍ରାତୃଭାବର ଓ ଏକାତ୍ମତାର ଏକ ପରିବେଶ। ଏହା କେବଳ ନ୍ୟୁୟର୍କ ସହରରେ ନୁହେଁ, ଏହିପରି ଭାଇଚାରାର ପରିବେଶ ଦେଖିବାକୁ ମିଳିଥିଲା ଏହାଠାରୁ ବହୁ ଦୂରରେ, ନ୍ୟୁଫାଉଣ୍ଡ ଲ୍ୟାଣ୍ଡ ଦ୍ୱୀପର ଗ୍ୟାଣ୍ଡର ସହରରେ ଯେଉଁଠାରେ ଗତିପଥ ବଦଳାଇ ସେଦିନ ପ୍ରାୟ ୩୮ଟି ବିମାନ ଅବତରଣ କରିଥିଲା। ଦଶ ହଜାର ଲୋକସଂଖ୍ୟା ବିଶିଷ୍ଟ ଗ୍ୟାଣ୍ଡର ସହରରେ ପୃଥିବୀର ୧୦୦ଟି ଦେଶରୁ ପ୍ରାୟ ସେତିକି ସଂଖ୍ୟାରେ ଅତିଥି ପହିଞ୍ଚି ଯାଇଥିଲେ ଯେଉଁମାନେ ଥିଲେ ସଂପୂର୍ଣ୍ଣ ଅପରିଚିତ। ନିଜର ସମସ୍ତ ଦାୟିତ୍ୱକୁ ପଛରେ ପକାଇ ସେମାନଙ୍କୁ ସବୁ ପ୍ରକାର ଆତିଥ୍ୟ ଦେବା ସେହି କ୍ଷୁଦ୍ର ସହରର ଅଧିବାସୀଙ୍କ ପାଇଁ ହୋଇଗଲା ପ୍ରାଥମିକ କାର୍ଯ୍ୟ। ପ୍ରତ୍ୟେକ ସ୍କୁଲ, ଜିମ୍‌ନାସିୟମ, ଗୀର୍ଜା, ଗୋଷ୍ଠୀ କେନ୍ଦ୍ରକୁ ଅସ୍ଥାୟୀ ଆଶ୍ରୟ କେନ୍ଦ୍ରରେ ପରିଣତ କରିବାରେ ଲାଗିପଡିଲେ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ। ପରବର୍ତ୍ତୀ ପାଞ୍ଚ ଦିନ ସ୍ନେହ ଓ ଆତିଥ୍ୟର ଅଯାଚିତ ପ୍ଲାବନ ଦେଖିବାକୁ ମିଳିଥିଲା ଗ୍ୟାଣ୍ଡର ସହରରେ। ଅତିଥିମାନଙ୍କୁ ଦର୍ଶନୀୟ ସ୍ଥାନ ଦେଖାଇବା, ସେମାନଙ୍କୁ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରିବା, ସଂଗୀତରେ ତାଙ୍କର ମନୋରଞ୍ଜନ କରିବା, ନିଜ ଘରକୁ ଡାକି ନେଇ ସ୍ନାନ ଓ ଟଏଲେଟ୍‌ର ସୁବିଧା ଯୋଗାଇଦେବା, ଏପରିକି ନିଜ ଘରେ କିଛି ଦିନ ପାଇଁ ଅତିଥି ହେବାଲାଗି ନିମନ୍ତ୍ରଣ କରିବା – ଏହିପରି କେତେ କ’ଣ। ଆପଦ ସମୟରେ ଏ ପ୍ରକାର ଆତିଥ୍ୟ ପାଇଁ ଗ୍ୟାଣ୍ଡରର ଅଧିବାସୀମାନେ କୌଣସି ମୂଲ୍ୟ ଚାହିଁ ନଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଆଶାତୀତ ଭାବରେ ଏହି କ୍ଷୁଦ୍ର ସହରଟିକୁ ମିଳିଥିଲା ବହୁ ଅର୍ଥରାଶି। ସହରର ମେୟର ସେ ସମୟରେ କହିଥିଲେ ‘ଲୋକଙ୍କୁ ସାହାଯ୍ୟ କରିବା ଜୀବନର ସବୁଠାରୁ ସରଳ କଥା ବୋଲି ଆମର ଦୃଢ ବିଶ୍ୱାସ। ଆପଦ ସମୟରେ ଅନ୍ୟମାନଙ୍କର ଧର୍ମ, ବିଶ୍ୱାସ ବା ଶରୀରର ରଙ୍ଗ ଏସବୁ ଅପ୍ରାସଙ୍ଗିକ। ସେତେବେଳେ ସମସ୍ତଙ୍କର ଏକମାତ୍ର ପରିଚୟ ଯେ ସେମାନେ ମଣିଷ।’
ଦୁର୍ବିପାକ ସମୟରେ ସମସ୍ତଙ୍କର, ବିଶେଷ ଭାବରେ ଗଣମାଧ୍ୟମର ଦୃଷ୍ଟିଥାଏ ମୃତାହତ ଓ ସେମାନଙ୍କ ପରିବାରବର୍ଗଙ୍କ ଉପରେ। ଏହି ବୃତ୍ତର ବାହ୍ୟ ପରିଧି ବାହାରେ ଅନେକ ଲୋକ ଥାଆନ୍ତି ଯେଉଁମାନେ ହତାହତ ହୋଇନଥାନ୍ତି, କିନ୍ତୁ ସେମାନଙ୍କ ଜୀବନଧାରା ବ୍ୟାହତ ହୋଇଥାଏ ନାନା ଭାବରେ। ୨୦୦୪ର ସୁନାମି ପରବର୍ତ୍ତୀ ଇଣ୍ଡୋନେସିଆ ଓ ଶ୍ରୀଲଙ୍କାରେ ଦେଖାଗଲା ଏହିପରି ଲୋକମାନଙ୍କ ମଧ୍ୟରେ ସନ୍ତୋଷର ଭାବନା ଯାହାର କାରଣ ଥିଲା ଧରାବନ୍ଧା ଜୀବନରୁ କିଛି ସମୟ ପାଇଁ ବିରତି। ନିଜ ପଡୋଶୀଙ୍କଠାରୁ ବିଚ୍ଛିନ୍ନ ହୋଇ ରହିଥିବା ମଣିଷମାନେ ଯେପରି ମୁକ୍ତ ହୋଇଯାଇଥିଲେ ନିଜର ଆତ୍ମକୈନ୍ଦ୍ରିକ ଜୀବନ ଭିତରୁ। ସେମାନେ ଆବିଷ୍କାର କରୁଥିଲେ ନିଜ ଶକ୍ତି, ସାମାଜିକ ଜୀବନରେ ଏକ ପୁନଃଜାଗରଣ ମଧ୍ୟରେ।
୧୯୦୬ରେ ସାନ୍‌ଫ୍ରାନ୍‌ସିସ୍କୋରେ ଘଟିଥିବା ଭୂମିକମ୍ପ ଥିଲା ଆମେରିକା ଇତିହାସରେ ସବୁଠାରୁ ଭୟଙ୍କର ବିପର୍ଯ୍ୟୟ, ଯେଉଁଥିରେ ଅତି କମ୍‌ରେ ତିନି ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ଦୁଇ ଲକ୍ଷ ଲୋକ ବାସହୀନ ହୋଇଥିଲେ। ସେତେବେଳେ ମଧ୍ୟ ଦେଖିବାକୁ ମିଳିଥିଲା ବିଧ୍ୱସ୍ତ ସହରର ବାୟୁମଣ୍ଡଳରେ ଏକ ପ୍ରକାର ସ୍ଫୁର୍ତ୍ତିର ସୂଚନା, ଉତ୍ତେଜନାର ଶିହରଣ। ପଲିନ୍‌ ଜ୍ୟାକବସନ୍‌ ନାମକ ଜଣେ ମହିଳା ସାମ୍ବାଦିକ ସହରରେ ଦେଖିବାକୁ ପାଇଥିଲେ ସାଧାରଣ ଜୀବନ ବ୍ୟାହତ ହେବା ଜନିତ ଏକ ଚାପା ଉତ୍ସବର ପରିବେଶ। ଦୂରରୁ ବିପର୍ଯ୍ୟୟ ସଂପର୍କରେ ଯାହା ଅନୁମାନ କରାଯାଏ, ବିପନ୍ନ ଲୋକମାନେ କିନ୍ତୁ ସେପରି ଅନୁଭବ କରନ୍ତି ନାହିଁ – ଏହା କହନ୍ତି ବିଶିଷ୍ଟ ଆମେରିକୀୟ ଦାର୍ଶନିକ ଓ ମନସ୍ତତ୍ତ୍ୱବିତ ଉଇଲିୟମ ଜେମସ୍‌। ସାନ୍‌ଫ୍ରାନ୍‌ସିସ୍କୋ ଭୂକମ୍ପ ପର ଅବସ୍ଥାକୁ ଲକ୍ଷ୍ୟ କରି ସେ ଲେଖିଥିଲେ ‘ବିପର୍ଯ୍ୟୟର ପ୍ରଭାବ ସମସ୍ତଙ୍କ ଭିତରେ ବାଣ୍ଟି ହୋଇଯାଏ; ଯେଉଁ ଭ୍ରାତୃଭାବ ସୃଷ୍ଟି ହୁଏ ତାହା ବ୍ୟକ୍ତିଗତ ଯନ୍ତ୍ରଣାକୁ ଘୋଡାଇ ଦିଏ, ଦୈନନ୍ଦିନ ଜୀବନର ନିଃସଂଗତାରୁ ବ୍ୟକ୍ତିକୁ ମୁକ୍ତିଦିଏ।’
‘ଫଣି’ ବିପର୍ଯ୍ୟୟ ପରେ ମଧ୍ୟ ଓଡିଶାର ଅନେକ ଗାଁ ଓ ସହରରେ ଏହିପରି ପରିବେଶ ଦେଖିବାକୁ ମିଳିଥିଲା। ବାତ୍ୟା ପରେ ବନ୍ଧୁ ଓ ସଂପର୍କୀୟମାନେ କିପରି ଅଛନ୍ତି, କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି – ଏସବୁ କଥା ଜାଣିବା ପାଇଁ ଓ ପରସ୍ପରକୁ ସାହାଯ୍ୟ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଥିଲା ଉତ୍ସୁକତା। ସମସ୍ତେ ଯେପରି ବାହାରି ଆସୁଥିଲେ ନିଜ ନିଜର ନିବୁଜ କୋଠରିରୁ ମୁକ୍ତ ପ୍ରାଙ୍ଗଣମାନଙ୍କୁ। ନିକଟରେ ଶେଷ ହୋଇଥିବା ନିର୍ବାଚନ ବିଷୟରେ କେହି କଥା ହେଉନଥିଲେ। ନିର୍ବାଚନ ସମୟରେ ସୃଷ୍ଟି ହୋଇଥିବା କ୍ରୋଧ, ଶତ୍ରୁତା, ଅର୍ଥହୀନ ପ୍ରଗଳ୍‌ଭତା, ବିସ୍ମୃତ ହୋଇଯାଇଥିଲା ଏକ ଦୁଃସ୍ୱପ୍ନ ପରି। ସମସ୍ତେ ଯେପରି ମୁହାଁମୁହିଁ ହେଉଥିଲେ କେବଳ ପ୍ରକୃତି ସହିତ, ମଣିଷ ଜାତିର ସମ୍ଭାବ୍ୟ ଭବିତବ୍ୟ ସହିତ, ଏବଂ ଏସବୁ ହେଉଥିଲା ଏକ ପାରସ୍ପରିକ ସହଭାଗିତାର ଭିତ୍ତିଭୂମି ଉପରେ।
ଅତୀତ ଓ ଭବିଷ୍ୟତ ସହିତ ଅହେତୁକ ବନ୍ଧନ ମଣିଷର ନିତିଦିନିଆ ଜୀବନରେ ଅନେକ ସମସ୍ୟାର କାରଣ ବୋଲି ଜ୍ଞାନୀ ମାନେ କହନ୍ତି। ଆପଦ ସମୟରେ ଭୁଲି ହୋଇଯାଏ ଅତୀତର ସ୍ମୃତି ଓ ଭବିଷ୍ୟତ ପାଇଁ ଆଶଙ୍କା। ସେତିକିବେଳେ ମଣିଷ ବଞ୍ଚେ କେବଳ ବର୍ତ୍ତମାନ ମୂହୁର୍ତ୍ତରେ। ଆପଦ କାଳରେ ନିଜ ସ୍ୱାର୍ଥର ପରିଧି ବାହାରକୁ ଯାଇ ମଣିଷ ଗୋଷ୍ଠୀକୁ ଖୋଜେ, ଅନ୍ୟମାନଙ୍କ ସହିତ ଏକାତ୍ମ ହେବାକୁ ଚାହେଁ, ନିଜର ନିଃସଙ୍ଗତାକୁ ପ୍ରଶ୍ନ କରେ। ଏପରି ସମୟରେ ହିଁ ଦେଖିବାକୁ ମିଳେ ଭାଇଚାରାର ଅନନ୍ୟ ଉଦାହରଣମାନ।

Comments
Loading...