ବିଧିଗତ ଔପଚାରିକତା ବନାମ ନ୍ୟାୟପାଳିକାର ଗରିମା

ସୁରେନ୍ଦ୍ରନାଥ କର

ଆଇନଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ,
ଲିଙ୍କ୍‌ରୋଡ଼, କଟକ-୧୨

ଆଲୋଚ୍ୟ ପ୍ରସଙ୍ଗଟି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ନ୍ୟାୟାଳୟର ଜନୈକ କର୍ମଚାରୀଙ୍କ ଦ୍ବାରା ଆଗତ ଯୌନ ଉତ୍ପୀଡ଼ନ ଅଭିଯୋଗ ତଥା ଏହାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ବିବାଦୀୟ ଘଟଣାକ୍ରମ ସମ୍ପର୍କିତ ଏକ ପ୍ରତିବେଦନ। ସଂପୃକ୍ତ କର୍ମଚାରୀ ୨୦୧୮ ଅକ୍ଟୋବରରେ ତାଙ୍କ ପ୍ରତି ହୋଇଥିବା ଉତ୍ପୀଡ଼ନ ତଥା ତତ୍‌ପରବର୍ତ୍ତୀ ପ୍ରତିଶୋଧମୂଳକ କାର୍ଯ୍ୟାନୁୁଷ୍ଠାନର ଏକ ପ୍ରତିବାଦ ପତ୍ର ଜରିଆରେ ୨୦୧୯ ଏପ୍ରିଲରେ ନ୍ୟାୟାଳୟର ସମସ୍ତ ବିଚାରପତିଙ୍କ ଦୃଷ୍ଟିଆକର୍ଷଣ କରିବା ସହିତ ଗଣମାଧ୍ୟମକୁ ମଧ୍ୟ ଏହାର ନକଲ ଦେଇଥି​‌େ​‌ଲ। ଏହି କର୍ମଚାରୀଙ୍କୁ ୨୦୧୮ ଡିସେମ୍ବରରେ ଚାକିରି ସର୍ତ୍ତାବଳୀ ଉଲ୍ଲଙ୍ଘନ ଅଭିଯୋଗର ପ୍ରମାଣ ଆଧାରରେ ବହିଷ୍କାର କରାଯାଇଥିଲା।
ଅଭିଯୋଗ ହସ୍ତଗତ ହେବା ସଙ୍ଗେସଙ୍ଗେ ପ୍ରଧାନ ବିଚାରପତି ଅଭିଯୋଗକୁ ଖଣ୍ଡନ କରିବା ସହିତ ତାଙ୍କୁ ଇସ୍ତଫା ପାଇଁ ଚାପ ସୃଷ୍ଟି ଏବଂ ନ୍ୟାୟପାଳିକାର ଗରିମା ତଥା ସ୍ବାଧୀନତା କ୍ଷୁଣ୍ଣ ଉଦ୍ଦେଶ୍ୟରେ ଏପରି ଭିତ୍ତିହୀନ, ଅଭିସନ୍ଧିମୂଳକ ଅଭିଯୋଗ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ମନ୍ତବ୍ୟ ରଖିଥିଲେ। ପରେପରେ ସମ୍ଭବତଃ ଅନ୍ୟ ବିଚାରପତିଙ୍କ ପରାମର୍ଶକ୍ରମେ ପ୍ରଧାନ ବିଚାରପତି ନ୍ୟାୟାଳୟର ବରିଷ୍ଠ ବିଚାରପତି ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଆଭ୍ୟନ୍ତରୀଣ ଗୃହ କମିଟି ଗଠନ କରି ଘଟଣାର ତଦନ୍ତ କରାଇବା ସହିତ ଅଭିଯୋଗ ଅନ୍ତରାଳରେ ରହିଥିବା ଷଡ଼ଯନ୍ତ୍ର ଦିଗରେ ଅନୁସନ୍ଧାନ ପାଇଁ ନ୍ୟାୟାଳୟର କାର୍ଯ୍ୟ ନିବୃତ୍ତ ବିଚାରପତି ଏ.କେ.ପଟ୍ଟନାୟକଙ୍କୁ ମଧ୍ୟ ଏଥିପାଇଁ ନିଯୁକ୍ତ କରିଥିଲେ। ତଦନ୍ତ ପର୍ଯ୍ୟାୟରେ ଅଭିଯୋଗ ପ୍ରମାଣ ସହିତ ନିଜର ପକ୍ଷ ରଖିବା ସକାଶେ କମିଟି ଅଭିଯୋଗକାରିଣୀଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ ମଧ୍ୟ ପକ୍ଷ ରଖିବା ପରିବର୍ତ୍ତେ କମିଟି ନିକଟରୁ ନ୍ୟାୟ ପାଇପାରି‌େ‌ବ ନାହିଁ ବୋଲି ସେ ଗଣମାଧ୍ୟମରେ ବିବୃତି ଦେଇ ତଦନ୍ତ ପ୍ରକ୍ରିୟାରୁ ଓହରି ଯାଇଥିଲେ। ପରିଶେଷରେ ୨୦୧୯ ମଇ ୬ ତାରିଖରେ ‘ଅଭିଯୋଗ ଭିତ୍ତିହୀନ’ ବୋଲି ସର୍ବସମ୍ମତ ନିଷ୍ପତ୍ତି କମିଟି ଶୁଣାଇଥିଲେ।
ପ୍ରସଙ୍ଗକୁ କେନ୍ଦ୍ରକରି, ବିଶେଷ ଭାବେ କମିଟିର ତଦନ୍ତ ପ୍ରକ୍ରିୟା ଉପରେ ବିଭିନ୍ନ ମହଲରେ ଭିନ୍ନଭିନ୍ନ ବିବାଦୀୟ ପ୍ରତିକ୍ରିୟାମାନ ପ୍ରକାଶ ପାଇବାରେ ଲାଗିଛି। ସୁପ୍ରିମକୋର୍ଟ କର୍ମଚାରୀ କଲ୍ୟାଣ ସମିତି ଏବଂ ଭାରତୀୟ ବାର୍‌ କାଉନ୍‌ସିଲ ଅଭିଯୋଗ ଭିତ୍ତିହୀନ କହୁଥିଲାବେଳେ, ଏହି କୋର୍ଟ‌େ‌ର କାର୍ଯ୍ୟରତ ଆଇନଜୀବୀ ଇନ୍ଦିରା ଜୟସିଂ, ବୃନ୍ଦା ଗ୍ରୋଭର ଏବଂ ପ୍ରଶାନ୍ତ ଭୂଷଣ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଦାବି କରୁଛନ୍ତି। ସେହିପରି ବରିଷ୍ଠ ଆଇନଜୀବୀ ଦୁଶ୍ୟନ୍ତ ଡାଭେ ମଧ୍ୟ କମିଟିର ତଦନ୍ତକୁ ନ୍ୟାୟିକ ପ୍ରକ୍ରିୟାର ବ୍ୟର୍ଥତା ବୋଲି ଆଖ୍ୟା ଦେଇଥିଲାବେଳେ କେରଳ ଉଚ୍ଚନ୍ୟାୟାଳୟର ଜନୈକ ମହିଳା ଆଇନ୍‌ଜୀବୀ ତୁଳସୀ ରାଜ୍‌ ମଧ୍ୟ ଅନୁରୂପ ଭାବେ କମିଟିର ତଦନ୍ତ ପ୍ରକ୍ରିୟାକୁ ଉପହାସ୍ୟାସ୍ପଦ ବୋଲି ମତବ୍ୟକ୍ତ କରିଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟର ଜନୈକ ବରିଷ୍ଠ କାର୍ଯ୍ୟ ନିବୃତ୍ତ ବିଚାରପତି ଚେଲେମେଶ୍ବର (ଯେ କି ପୂର୍ବ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବର୍ତ୍ତମାନର ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ସହିତ ଅନ୍ୟ ଦୁଇଜଣ ବିଚାରପତିଙ୍କ ସହିତ ଏକତ୍ର ସାମ୍ବାଦିକ ସମ୍ମିଳନୀ ଡକାଇ ଦେଶର ନ୍ୟାୟିକ ବ୍ୟବସ୍ଥା ଘୋର ବିପଦର ସମ୍ମୁଖୀନ ବୋଲି କହିଥିଲେ) କମିଟି ତଦନ୍ତରେ ଆବଶ୍ୟକ ଆଇନଗତ ନୀତି ନିୟମ ଅବଲମ୍ବନ କରାଯାଇନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି। ବସ୍ତୁୁତଃ ଗୃହ କମିଟିର ଚୂଡ଼ାନ୍ତ ନିଷ୍ପତ୍ତି ସତ୍ତ୍ବେ ପ୍ରସଙ୍ଗଟି ଆହୁରି ବିବାଦୀୟ ହେବାରେ ଲାଗିଛି।
ଉପରୋକ୍ତ ପୃଷ୍ଠଭୂମିରେ କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଆ‌େଲାଚନା ପରିସରକୁ ଆସୁଛି (୧) ସର୍ବୋଚ୍ଚ ନ୍ୟାୟାଳୟ ଆଭ୍ୟନ୍ତରୀଣ ଗୃହ କମିଟିର ଚୂଡ଼ାନ୍ତ ରିପୋର୍ଟ ପରେ ପୁନଃ ତଦନ୍ତ ଦାବି କେତେଦୂର ଯୁକ୍ତିଯୁକ୍ତ ଏବଂ ନ୍ୟାୟପାଳିକାର ସମ୍ମାନ ଦୃଷ୍ଟିରୁ ଘଟଣାର ପୁନଃମନ୍ଥନର ଅବକାଶ ଅଛିକି? (୨) ଅଭିଯୋଗ ପତ୍ରରେ ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ଅଛିକି, ଯାହାର ଅଧିକ ତଦନ୍ତ ଅନିବାର୍ଯ୍ୟ ଏବଂ ଘଟଣାର ଦୀର୍ଘ ବିଳମ୍ବ ପରେ ଅଭିଯୋଗ କରାଯିବା ଓ ଏହି ବିଳମ୍ବଜନିତ ତ୍ରୁଟିର ସନ୍ତୋଷଜନକ କାରଣ ଦର୍ଶାନଯିବା ଅଭିଯୋଗର ବିଶ୍ବସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି କି? (୩)ର ଅଭିଯୋଗ ଅନ୍ତରାଳରେ ସର୍ବୋଚ୍ଚ ନ୍ୟାୟାଳୟ ଓ ଏହାର ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡ଼ଯନ୍ତ୍ରମୂଳକ ତଥା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟର ସୂଚନା ମିଳୁଛି କି? (୪) ଶୀର୍ଷ ନ୍ୟାୟାଳୟଙ୍କ ବିଶାଖା ମାମଲା ନିର୍ଣ୍ଣୟରେ ନିର୍ଦେଶିତ ନୀତି-ନିୟମ ଏବଂ କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପ୍ରତି ଯୌନନିର୍ଯାତନା ନିବାରଣ ଆଇନ, ୨୦୧୩ ଗୃହକମିଟି ତଦନ୍ତ କ୍ଷେତ୍ରରେ ଆକ୍ଷରିକ ପ୍ରଜୁଯ୍ୟ କି ଓ ଅଭିଯୋଗର ବିଶେଷତ୍ବ ତଥା ବିଶ୍ବସନୀୟତା ଏବଂ ନ୍ୟାୟପାଳିକା ଗରିମାର ସୁରକ୍ଷା ପୃଷ୍ଠଭୂମିରେ ତଦନ୍ତ କ୍ଷେତ୍ରରେ ସମସ୍ତ ବିଧିଗତ ଔପଚାରିକତାର ଆକ୍ଷରିକ ଅବଲମ୍ବନ ଦାବି କେତେ ଯୁକ୍ତିଯୁକ୍ତ? (୫) ସଂପ୍ରତି ଯେପରି ମନଗଢ଼ା- ବାରମିଶା ଅଭିଯୋଗମାନ ବିଚାରପତି ତଥା ସରକାରୀ ଉଚ୍ଚ ପଦାଧିକାରୀଙ୍କ ବିରୋଧରେ କେତେକ ଦୁଷ୍ଟ, ନ୍ୟସ୍ତସ୍ବାର୍ଥଙ୍କ ଦ୍ବାରା ଜନସ୍ବାର୍ଥ ଆଳରେ ପୁନଃପୌନିକ ଭାବେ ଅଣାଯାଉଛି, ସେ ଦୃଷ୍ଟିରୁ ସଂପୃକ୍ତ ପଦାଧିକାରୀଙ୍କ ଆତ୍ମସମ୍ମାନ, କାର୍ଯ୍ୟଦକ୍ଷତା ତଥା ଉତ୍ସାହ ପ୍ରତି ସୃଷ୍ଟି ହେଉଥିବା ପ୍ରତିକୂଳ ପ୍ରଭାବ ଓ ଏ ଦିଗରେ ନିବାରଣାତ୍ମକ ପଦକ୍ଷେପ ଏକ ଆବଶ୍ୟକତା କି?
ପ୍ରଥମ ପ୍ରଶ୍ନ ଦୃଷ୍ଟିରୁ କହିବା ଯୁକ୍ତିଯୁକ୍ତ ହୋଇପାରେ ଯେ ଗୃହ କମିଟିର ଘୋଷଣା ପରେ ପୁନଃତଦନ୍ତ ଦାବିର କୌଣସି ଯଥାର୍ଥତା ନାହିଁ ଏବଂ ଏପରି ହେଲେ ପୁନଶ୍ଚ ଏକ ଅପ୍ରୀତିକର ଘଟଣା ଘଣ୍ଟାଚକଟା ପ୍ରକ୍ରିୟାର ଅବକାଶ ସୃଷ୍ଟି ହେବ ଓ ଏହାଦ୍ବାରା ନ୍ୟାୟପାଳିକାର ଗରିମା ତଥା ବିଶ୍ବସନୀୟତା ପ୍ରତି ଆହୁରି ଆଘାତ ଲାଗିବ। ପୁନଶ୍ଚ ରିପୋର୍ଟର ଅନ୍ତିମତା ଦୃଷ୍ଟିରୁ ଏହି ଅଭିଯୋଗ ମଧ୍ୟ ଭବିଷ୍ୟତରେ ଅନ୍ୟତ୍ର ଉତ୍‌ଥାପିତ ହେଲେ, ରିପୋର୍ଟକୁ ଏକ ବଳିଷ୍ଠ ପ୍ରମାଣଭାବେ ଧରାଯାଇ ଅଭିଯୋଗକୁ ରଦ୍ଦ ବା ନାକଚ କରାଯାଇପାରିବ। ଦ୍ବିତୀୟ ପ୍ରଶ୍ନ ଦୃଷ୍ଟିରୁ ଏହା ସ୍ପଷ୍ଟ ଯେ ଅଭିଯୋଗ ପତ୍ରରେ ସେପରି ଦୃଢ଼, ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ଜଣାପଡ଼ୁନାହିଁ ଯାହାର କି ଅଧିକ ତଦନ୍ତ ବା ସାକ୍ଷ୍ୟ ପ୍ରମାଣ ତଥା ବିଚାର ଆବଶ୍ୟକ। ଏଥି ସହିତ ଛଅମାସ ବିଳମ୍ବରେ ଅଭିଯୋଗ ଆଗତର କୌଣସି ସନ୍ତୋଷଜନକ କାରଣ ଅଭିଯୋଗ ପତ୍ରରେ ଦର୍ଶାଯାଇ ନଥିବାରୁ ଅଭିଯୋଗର ସତ୍ୟତା ପ୍ରତି ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ପୁଣି ଅଭିଯୋଗପତ୍ରର ଭାଷା ଏବଂ ଘଟଣାକ୍ରମକୁ ସୁସଜ୍ଜିତ ଭାବେ ଆଇନ ବିଶାରଦଙ୍କ ପୂର୍ବ ପରାମର୍ଶ କ୍ରମେ ଯୋଜନାବଦ୍ଧ ରୂପେ ଗଢ଼ାଯାଇଛି। ଅଭିଯୋଗକାରିଣୀଙ୍କ ତଥ୍ୟ ପ୍ରକାଶ ବା ଅଭିବ୍ୟକ୍ତି ​‌େ​‌ସ୍ବଚ୍ଛାକୃତ ନୁ​‌େ​‌ହଁ ଓ ଏହା ଏକ ସୁଚିନ୍ତିତ ତଥା ପୂର୍ବ ପରିକଳ୍ପିତ ଷଡ଼ଯନ୍ତ୍ର ଭଳି ପ୍ରତିଭାତ ହେଉଛି ଏବଂ ଅଭିଯୋଗକାରିଣୀଙ୍କୁ ଏଥିରେ ବ୍ୟବହୃତ କରାଯାଇଥିବାର ଉଦ୍ଦେଶ୍ୟ ଆଡ଼କୁ ନିର୍ଦେଶିତ କରୁଛି। ଏ ସମ୍ପର୍କରେ ଶୀର୍ଷ ନ୍ୟାୟାଳୟର ହରିୟାଣା ବନାମ୍‌ ଭଜନଲାଲ (୧୯୯୨) ପି.ବି.ଅଜିତ୍‌ ବନାମ ଗୁଜରାଟ (୨୦୧୭) ଓ ଏ.କେ.ମୋହତା ବନାମ୍‌ ଦିଲ୍ଲୀ (୨୦୧୮) ମାମଲାର ନିର୍ଣ୍ଣୟ ଉଲ୍ଲେଖଯୋଗ୍ୟ।
ତୃତୀୟ ପ୍ରଶ୍ନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଏହାକୁ ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ସହିତ ଯୋଡ଼ି ଅନୁଶୀଳନ କରାଗଲେ ଦେଖାଯିବ ଯେ ପ୍ରଧାନ ବିଚାରପତିଙ୍କୁ ବାଧ୍ୟ କରାଯିବା ଭଳି ଷଡ଼ଯନ୍ତ୍ର ଦୃଷ୍ଟିକୋଣ ଆଡ଼କୁ ନିର୍ଦେଶିତ କରୁଛି। ଚତୁର୍ଥ ପ୍ରଶ୍ନକୁ ଅନୁଶୀଳନ କଲେ ଦେଖାଯାଏ, କମିଟି ତଦନ୍ତ ପ୍ରକ୍ରିୟାରେ ଶୀର୍ଷ ନ୍ୟାୟାଳୟର ଇନ୍ଦିରା ଜୟ ସିଂ ବନାମ୍‌ ସୁପ୍ରିମ କୋର୍ଟ (୨୦୦୩) ନିର୍ଣ୍ଣୟ ଓ ବିଶାଖା ମାମଲା ନିର୍ଣ୍ଣୟ, କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ନିବାରଣ ଆଇନ୍‌, ୨୦୦୩ର ନିର୍ଦେଶାବଳୀକୁ ଅବଲମ୍ବନ କରାଯାଇଥିଲାବେଳେ ଏହାର ଆକ୍ଷରିକ ଅବଲମ୍ବନ କରାଯାଇନଥିବା ଅଭିଯୋଗ ଅବାନ୍ତର ତଥା ଉଦ୍ଦେଶ୍ୟମୂଳକ‌; କାରଣ ଅଭିଯୋଗ ତଦନ୍ତରେ ଅଭିଯୋଗକାରିଣୀଙ୍କ ଅସହଯୋଗ ଏବଂ ତଦନ୍ତ ପରେ ତଦନ୍ତ ପ୍ରକ୍ରିୟାର ଦୋଷତ୍ରୁଟି ଦର୍ଶାଇବା ଉଭୟ ଅଲଗା ଅଲଗା କଥା ଓ ଏହା ସନ୍ଦେହକୁ ଆହୁରି ଘନୀଭୂତ କରୁଛି। ଯେଉଁ ମହିଳା ଖୋଦ୍‌ ପ୍ରଧାନ ବିଚାରପତିଙ୍କ ବିରୋଧରେ ଏପରି ଜଘନ୍ୟ ଅଭିଯୋଗ ଆଣି ଗଣମାଧ୍ୟମ ସାମ୍‌ନାକୁ ଯାଇପାରିଲେ, ତଦନ୍ତରେ ସହଯୋଗ କରିବାରେ ତାଙ୍କୁ କିଏ ବାରଣ କଲା ? ଏଥିରୁ ସ୍ପଷ୍ଟ ବୋଲି କୁହାଯାଇପାରେ ଯେ ଅଭିଯୋଗ ଭିତ୍ତିହୀନ ଏବଂ ଏକ ମନଗଢ଼ା କାହାଣୀ ଜରିଆରେ ନ୍ୟାୟପାଳିକାକୁ ବଦନାମ୍‌ କରିବା ହିଁ ଅଭିଯୋଗକାରିଣୀ ପର୍ଦା ପଛରେ ଥିବା ମୁଷ୍ଟିମେୟ କୁଚକ୍ରୀ ଆଇନଜୀବୀ ଓ ରାଜନେତାଙ୍କ ଷଡ଼ଯନ୍ତ୍ରମୂଳକ ଚକ୍ରାନ୍ତର ଅଦେଖା ହାତ ରହିଛି। ପୁନଶ୍ଚ ଆଇନ୍‌ଗତ ଔପଚାରିକତାର ଆକ୍ଷରିକ ଅବଲମ୍ବନ କରାନଯିବା ଅଭିଯୋଗ କେବଳ ନିଜର ଅସଫଳ ମନ୍ଦ ଉଦ୍ଦେଶ୍ୟକୁୁ ଘୋଡ଼ାଇବା ପାଇଁ ଉଦ୍ଦିଷ୍ଟ।
ପଞ୍ଚମ ତଥା ଶେଷୋକ୍ତ ପ୍ରଶ୍ନ ଦୃଷ୍ଟିରୁ କହିବା ପ୍ରାସଙ୍ଗିକ ହେବ ଯେ ସଂପ୍ରତି କେତେକ ବ୍ୟକ୍ତିବିଶେଷ ସାମାଜିକ ଅନୁଷ୍ଠାନ ଗଢ଼ି କିମ୍ବା ନିଜକୁ ସ୍ବେଚ୍ଛାସେବୀ ଦର୍ଶାଇ ବିଚାରପତି ତଥା ପଦସ୍ଥ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ବିଭିନ୍ନ ମନଗଢ଼ା ଅଭିଯୋଗ ମାନ ଆଣି ଫାଇଦା ଉଠାଇବାରେ ସିଦ୍ଧହସ୍ତ। ଏମାନଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟାରେ ଦଣ୍ଡିତ କରିବା ଏତେ ସହଜ ନୁହେଁ। ସେ ଯାହା ହେଉ, ସତ୍ୟ ଲୁଚି ରହେନା ଓ ଦିନେ ନା ଦିନେ ଆତ୍ମପ୍ରକାଶ କରିଥାଏ। ଗ୍ୃହ କମିଟି ନିଷ୍ପତ୍ତି ସଂପୃକ୍ତ ବିଚାରପତିଙ୍କ ବିଜ୍ଞତା ତଥା ଦୂରଦୃଷ୍ଟିର ପରିଚାୟକ। ପୁଣି ଅତି ସନ୍ତର୍ପଣତାର ସହିତ କହିବାକୁ ପଡ଼ୁଛି ଯେ ନ୍ୟାୟପାଳିକା କ୍ରମଶଃ ରାଜନୈତିକ ଚାପର ଶିକାର ହେବାରେ ଲାଗିଛି ଏବଂ ମୁଖ୍ୟ ପଦାଧିକାରୀମାନେ ଇଚ୍ଛାକୃତ ଭାବେ ହେଉ ବା ଅନ୍ୟ କାରଣରୁ ହେଉ, ଏପରି ଷଡ଼ଯନ୍ତ୍ରର ଶିକାର ହଅନ୍ତୁୁ ବା ନିଜକୁ ନିଜେ ଏଥିରୁ ଉନ୍ମୁକ୍ତ ରଖନ୍ତୁ ବା ବ୍ୟବହୃତ ହୁଅନ୍ତୁ, ଯାହାବି ହେଉ, ଏହା ନିଃସନ୍ଦେହରେ ଘୋର ଚିନ୍ତାର ବିଷୟ।
(ଏହି ଆଲେଖ୍ୟ ଲେଖକଙ୍କ ନିଜସ୍ବ ମତ ଅାଧାରିତ)

Comments
Loading...