ବିଜେପି ସାଂସଦ ସାଇନିଙ୍କ କାର ଉପରେ ଆକ୍ରମଣ

0

ଚଣ୍ଡିଗଡ଼ : ହରିୟାଣା ବିଜେପିର ବିଦ୍ରୋହୀ ସାଂସଦ କୁରୁକ୍ଷେତ୍ର ରାଜକୁମାର ସାଇନିଙ୍କ କାର୍‍ ଉପରେ ଆକ୍ରମଣ ହୋଇଛି। ସାଇନି ବୁଧବାର ସନ୍ଧ୍ୟାରେ କାର୍‍ ଯୋଗେ ପାଲୱାଲ ଜିଲା ଅତିକ୍ରମ କରିବା ବେଳେ ପାଖାପାଖି ୩୦ ଜଣ ଲୋକ ଗାଡ଼ି ସମ୍ମୁଖକୁ ଚାଲିଆସି ତାଙ୍କୁ ଅଟକାଇଥିଲେ। ସାଇନି କିଛି ବୁଝିବା ପୂର୍ବରୁ ସେମାନେ ନାନା ସ୍ଲୋଗାନ ଦେବା ସହ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ସାଇନି ଏବଂ ତାଙ୍କ ସହଯାତ୍ରୀମାନେ ଆହତ ହୋଇ ନ ଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ୩୦ ଜଣ ଲୋକଙ୍କ ବିରୋଧରେ ଅଭିଯୋଗ ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏହି ଆକ୍ରମଣ ଯୋଜନାବଦ୍ଧ ବୋଲି ସାଇନିଙ୍କର ଜଣେ ସହଯୋଗୀ ଦର୍ଶାଇଛନ୍ତି। ଉଲ୍ଲେଖ ଯେ ୨ ବର୍ଷ ପୂର୍ବେ ଜାଠ ସଂରକ୍ଷଣ ବିରୋଧରେ ସ୍ୱର ଉଠାଇଥିବା ସାଇନି ଗତ ଏକ ମାସ ପୂର୍ବେ ‘ଲୋକତନ୍ତ୍ର ସୁରକ୍ଷା ପାର୍ଟି’ ନାମରେ ଏକ ନୂତନ ଦଳ ଗଠନ କରିଥିଲେ। ଏଥିସହ ତାଙ୍କ ଦଳ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସେ ଘୋଷଣା କରିଥିଲେ।

Leave A Reply