ବିଗୁଲ ବାଜିବା ପରେ

0

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଉଥିଲା, ସେଥିପାଇଁ ଶନିବାର ବିଗୁଲ୍ ବାଜିଛି। ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ନଭେମ୍ବର ୧୨ରୁ ଡିସେମ୍ବର ୭ ତାରିଖ ମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମରେ ନିର୍ବାଚନ ହେବ। ଚାରିଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯିବାକୁ ଥିବାବେଳେ କେବଳ ଛତିଶଗଡ଼ରେ ଦୁଇ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ ବୋଲି ଆୟୋଗ ସ୍ଥିର କରିଛନ୍ତି।
ରାଜନୈତିକ ଦଳଗୁଡ଼ିକ, ବିଶେଷତଃ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ କଂଗ୍ରେସ ନିର୍ବାଚନ ପାଇଁ ପୂର୍ବରୁ ପ୍ରସ୍ତୁତ ଥିବାବେଳେ ଅପେକ୍ଷା ଥିଲା କେବଳ ଘୋଷଣାକୁ। ଏବେ ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ପରିବେଶ ବେଶ୍ ସରଗରମ। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ଶାସନ ଥିବାବେଳେ ଏସବୁ ରାଜ୍ୟରେ ଏହି ଦଳ ପୁନଃକ୍ଷମତାକୁ ଆସିବା ତା’ପାଇଁ ସମ୍ମାନର ବିଷୟ। ଉପରୋକ୍ତ ପ୍ରଥମ ଦୁଇଟି ରାଜ୍ୟରେ ବିଜେପି କ୍ରମାଗତ ତିନିଥର କ୍ଷମତା ହାତେଇବାରେ ସଫଳ ହୋଇଛି। ରାଜସ୍ଥାନରେ କିନ୍ତୁ ପ୍ରତି ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କ୍ଷମତା ପରିବର୍ତ୍ତନ ହେଉଛି। ତେଣୁ କଂଗ୍ରେସ ଏଥର ଏହି ତିନିଟି ରାଜ୍ୟରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛି। ସେସବୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜନୈତିକ ପରିବେଶ ଓ ପରିସ୍ଥିତି ଯାହା, କଂଗ୍ରେସ କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୀତି ସମୀକ୍ଷକଙ୍କ ମତ। ନିର୍ବାଚନ ତାରିଖ ଘୋଷଣା ପରେ ଏବିପି ନ୍ୟୁଜ୍‌ ଯେଉଁ ସର୍ବେକ୍ଷଣ କରିଛି, ସେଥିରେ ଏହି ତିନି ରାଜ୍ୟରେ ବିଜେପି କ୍ଷମତା ହରାଇବ ବୋଲି ନିଷ୍କର୍ଷ ମିଳିଛି।
ଅନ୍ୟପକ୍ଷରେ ମିଜୋରାମରେ କଂଗ୍ରେସ ପୁଣିଥରେ ନିଜର ଗଡ଼ରକ୍ଷା ନିମନ୍ତେ ଉଦ୍ୟମ କରିବ। ତେଲଙ୍ଗାନାରେ ଶାସକ ଦଳ ଟିଆର୍‌ଏସ୍ ଦ୍ବିତୀୟ ଥର କ୍ଷମତା ଲାଭ ପାଇଁ ଚେଷ୍ଟିତ। ସେଠାରେ ଗତମାସରେ ବିଧାନସଭା ଭଙ୍ଗ ହେବା ପରଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲାବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଶନିବାରଠାରୁ କାର୍ଯ୍ୟକାରୀ ହୋଇଛି। ଟିଆର୍ଏସ୍ ଏହି ସମୟ ମଧ୍ୟରେ କିଛିଟା ଅତିରିକ୍ତ ଫାଇଦା ଉଠାଇବ ବୋଲି ଚାହୁଁଥିବାବେଳେ ନିର୍ବାଚନ ଆୟୋଗର ତତ୍ପରତା ଦ୍ବାରା ତାହା ଫସର ଫାଟିଯାଇଥିଲା।
ପାଞ୍ଚଟି ରାଜ୍ୟ ନିର୍ବାଚନ ଘୋଷଣା ସହ ଦୁଇଟି ବହୁଆଲୋଚିତ ପ୍ରସଙ୍ଗର ମଧ୍ୟ ସମାପ୍ତି ଘଟିଛି। ପ୍ରଥମ: ଆଗୁଆ ସାଧାରଣ ନିର୍ବାଚନ ଓ ଦ୍ବିତୀୟ: ଏକକାଳୀନ ସାଧାରଣ ଓ ବିଧାନସଭା ନିର୍ବାଚନ। କେନ୍ଦ୍ରର ଶାସକ ଦଳ ବିଜେପି ପକ୍ଷରୁ କେତେକ କ୍ଷେତ୍ରରେ ଅତ୍ୟଧିକ ତତ୍ପରତା ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ଚିନ୍ତାରେ ପକାଇ ଦେଇଥିଲା। ଏପରିକି ଓଡ଼ିଶାର ଶାସକ ଦଳ ବିଜେଡି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଖୋଲାଖୋଲି ପ୍ରକାଶ କରିଥିଲା। ଅନ୍ୟପକ୍ଷରେ କିଛି ଦିନ ପୂର୍ବରୁ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଥିଲେ ଯେ ଦେଶରେ ଏକକାଳୀନ ସାଧାରଣ ଓ ବିଧାନସଭା ନିର୍ବାଚନ କରିବା ବର୍ତ୍ତମାନ ପାଇଁ ସମ୍ଭବ ନୁହେଁ।
ବିଡ଼ମ୍ବନାର କଥା ଯେ ଏକଦା ନିଜର ସଚ୍ଚୋଟତା ଓ କର୍ମନିପୁଣତା ପାଇଁ ଯେଉଁ ସଂସ୍ଥା ସୁନାମ ଅର୍ଜନ କରିଥିଲା, ସେହି ନିର୍ବାଚନ ଆୟୋଗ ବିରୋଧରେ ଗତ କିଛିକାଳ ଧରି ବିଭିନ୍ନ ଅଭିଯୋଗ ଉଠୁଛି। ଏଥର ମଧ୍ୟ ସେହିଭଳି ଏକ ବିବାଦ ସୃଷ୍ଟି ହୋଇଛି। ଶନିବାର ସାଢ଼େ ବାରଟାରେ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରାଯିବ ବୋଲି ପୂର୍ବାହ୍ଣରେ ପ୍ରକାଶିତ ପ୍ରେସ୍‌ବିଜ୍ଞପ୍ତିରେ ଦର୍ଶାଯାଇଥିଲା, କିନ୍ତୁ ପରେ ଏହି ସମୟକୁ ଅପରାହ୍ଣ ୩ଟାକୁ ଗଡ଼ାଇ ଦିଆଯାଇଥିବା ନେଇ ପୁନଃ ବିଜ୍ଞପ୍ତି ପ୍ରକାଶ କରାଗଲା। କଂଗ୍ରେସର ଅଭିଯୋଗ ଯେ ଶାସକ ଦଳ ବିଜେପିର ହିତସାଧନ ପାଇଁ ନିର୍ବାଚନ ଆୟୋଗ ନିଜର ସ୍ବାଧୀନତାକୁ ବଳି ଦେଇଛି; କାରଣ ଦିନ ୧ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଜମେରଠାରେ ନିର୍ବାଚନ ଶୋଭାଯାତ୍ରାକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଏପରି କରାଗଲା। ସେହିପରି ନିର୍ବାଚନ ଘୋଷଣାର ମାତ୍ର ଅଧଘଣ୍ଟା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ସେହିଠାରେ ସାଧାରଣ ସଭାକୁ ଉଦ୍‌ବୋଧନ ଦେଇଥିଲେ, ଯେଉଁଠି ଚାଷୀମାନଙ୍କୁ ମାଗଣା ବିଜୁଳି ଯୋଗାଇଦେବା ଭଳି ପ୍ରଲୋଭନକାରୀ ପ୍ରତିଶ୍ରୁତି ଥିଲା। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଅତୀତରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ନିର୍ବାଚନ ଆୟୋଗ ଘୋଷଣା କରିବା ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଆଇଟି ସେଲ୍‌ ମୁଖ୍ୟ ତାହା ଟ୍ବିଟ୍ କରି ଜଣାଇଥିଲେ। ସେହିପରି ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ସହିତ ଗୁଜରାଟ ନିର୍ବାଚନ ନକରି ତାକୁ ଅଲଗା କରାଯାଇଥିଲା। ଫଳରେ ପ୍ରଧାନମନ୍ତ୍ରୀ ମୋଦୀ ଲୋଭନୀୟ ଘୋଷଣାସବୁ କରିପାରିଥିଲେ। ଘଟନାକ୍ରମକୁ ଦେଖିଲେ କଂଗ୍ରେସର ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଅମୂଳକ ବୋଲି କହିହେବ ନାହିଁ। ଘୋଷଣା ବିଳମ୍ବ ସମ୍ପର୍କରେ ନିର୍ବାଚନ ଆୟୋଗ ମଧ୍ୟ କୌଣସି ନିର୍ଦିଷ୍ଟ କାରଣ ନ ଦର୍ଶାଇ କେବଳ କ୍ଷମାପ୍ରାର୍ଥନା କରିବା ଜନସାଧାରଣଙ୍କ ମଧ୍ୟରେ ଅଧିକ ସଂଶୟ ସୃଷ୍ଟି କରିବା ସ୍ବାଭାବିକ। ଆମର ବିଶ୍ବାସ ଯେ ଆୟୋଗ ଭବିଷ୍ୟତରେ ନିଜ କାର୍ଯ୍ୟକଳାପକୁ ଅଧିକ ନିର୍ମଳ ଓ ସନ୍ଦେହମୁକ୍ତ କରିବ; କାରଣ ତା’ର ବିଶ୍ବସନୀୟତା ଓ ସ୍ବାଧୀନତା ନିର୍ବାଚନ ତଥା ଗଣତନ୍ତ୍ର ପାଇଁ ଏକ ଜରୁରୀ ଆବଶ୍ୟକତା; ସେଥିରେ କୌଣସି ପ୍ରକାର ସାଲିସ୍ ଗ୍ରହଣୀୟ ନୁହେଁ।

Leave A Reply