ବାଲ୍ୟବିବାହ: ପରମ୍ପରା ପରିବର୍ତ୍ତନର ପ୍ରୟାସ

0

ଘାସିରାମ ପଣ୍ଡା

ବାଲ୍ୟବିବାହ: ପରମ୍ପରା ପରିବର୍ତ୍ତନର ପ୍ରୟାସ ଓଡିଶାରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ମୟୂରଭଞ୍ଜ ପ୍ରଭୃତି ବାଲ୍ୟବିବାହପ୍ରବଣ ଜିଲା। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ଏହି ଜିଲାମାନଙ୍କରେ ୩୦ ଭାଗରୁ ଊର୍ଦ୍ଧ୍ବ ବାଳିକା ୧୮ ବର୍ଷ ପୂର୍ବରୁ ବିବାହ କରନ୍ତି। ଏଗୁଡିକ ଆଦିବାସୀବହୁଳ। ଏଣୁ ଶିକ୍ଷାର ଅଭାବ, ଦାରିଦ୍ର୍ୟ ପ୍ରଭୃତିକୁ ବାଲ୍ୟବିବାହ ପାଇଁ ଦାୟୀ କରାଯାଉଥିଲେ ବି, ବିବାହକୁ ନେଇ ଥିବା ଆଦିବାସୀ ପରମ୍ପରାକୁ ମଧ୍ୟ ଏକ ବିଶେଷ କାରଣ ଭାବରେ ଗ୍ରହଣ କରାଯାଇଛି। ବାଲ୍ୟବିବାହ ନିଷେଧ ଆଇନ ଅନୁଯାୟୀ ଝିଅ ୧୮ ଓ ପୁଅ ୨୧ ବର୍ଷ ପୂର୍ବରୁ ବାହା ହେଲେ ବାଲ୍ୟବିବାହ କୁହାଯିବ। ହେଲେ ଆଦିବାସୀ ସମାଜରେ ବୟସକୁ ବାହାଘରର ମାପକାଠି ଆକାରରେ ନେବା କଷ୍ଟକର। ଏହିସବୁ ଅଂଚଳରେ ଜନ୍ମ ପଞ୍ଜୀକରଣ, ବିଦ୍ୟାଳୟରେ ନାମଲେଖା ପ୍ରଚଳନ ଏତେ ବେଶି ନଥିଲା। ଏଣୁ ବୟସ ପ୍ରମାଣ ସମ୍ଭବ ହୋଇପାରେ ନାହିଁ। ଝିଅ ଟିକିଏ ବଡ଼ହୋଇ ଶାଢି ପିନ୍ଧି ଜାଣିଲେ, ବିଲ ବା ଜଙ୍ଗଲକୁ ଯାଇପାରିଲେ, ଘରକାମ କରିପାରିଲେ ବାହାଘର ଚିନ୍ତା ଆସେ। ଅନେକ ଆଦିବାସୀ ସମ୍ପ୍ରଦାୟରେ ଝିଅଟିଏର ପ୍ରଥମ ଋତୁସ୍ରାବକୁ ଧୁମଧାମରେ ପାଳନ କରାଯାଏ। ଝିଅଟି ବାହାହେବା ପାଇଁ ପ୍ରସ୍ତୁତ ହୋଇଗଲା ବୋଲି ସେଦିନ ଏକ ପ୍ରକାର ଘୋଷଣା କରାଯାଏ। ବରଂ ଋତୁସ୍ରାବ ପୂର୍ବରୁ ବାହା ହେଉଥିଲେ ବାଲ୍ୟବିବାହ ଓ ପରେ ହେଲେ ସ୍ୱାଭାବିକ ବୋଲି ଅନେକ ଜାଗାରେ ଧାରଣା ରହିଛି। ଆମ ରାଜ୍ୟରେ ୬୨ ପ୍ରକାରର ତଫସିଲଭୁକ୍ତ ଜନଜାତି ଅଛନ୍ତି। ଏହା ବ୍ୟତୀତ ଆହୁରି ଅନେକ ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି। ସମସ୍ତଙ୍କର ଭିନ୍ନଭିନ୍ନ ବିବାହ ପରମ୍ପରା ରହିଛି। ବିବାହରେ ପୁଅ ଓ ଝିଅର ମତକୁ ଗୁରୁତ୍ୱ ଦିଆଯିବା ଭଳି ପ୍ରଗତିଶୀଳ ପରମ୍ପରା ବି ଅନେକ ସମ୍ପ୍ରଦାୟରେ ଅଛି। ତେବେ ଝିଅ, ପୁଅର ମତକୁ ପ୍ରାଧାନ୍ୟ ଦେଉଥିଲେ ହେଁ ବିବାହ ବୟସକୁ ନେଇ ପରମ୍ପରା ଉଦାସୀନ। ଝିଅଟିଏ ପାଇଁ ପ୍ରଜନନ କ୍ଷମତା ହିଁ ଯୋଗ୍ୟତା ଓ ବିବାହ ମାଧ୍ୟମ ଭାବେ ସମାଜ ଗ୍ରହଣ କରିଥିବା ହେତୁ ପ୍ରଥମ ଋତୁସ୍ରାବ ପରେ ବୟସ ନିର୍ବିଶେଷରେ ବିବାହ ପ୍ରକ୍ରିୟା ଆରମ୍ଭ ହୁଏ। ଏହି ସମୟରେ ଝିଅର ବୟସ ଅତି ବେଶିରେ ୧୨, ୧୩ ହୋଇଥାଏ। ଫଳ ସ୍ୱରୂପ ମାଆ ଓ ଶିଶୁର ପ୍ରସବକାଳୀନ ମୃତ୍ୟୁ, ରକ୍ତହୀନତା, ଅପପୁଷ୍ଟି ପ୍ରଭୃତି ସମସ୍ୟା ଦେଖା ଦେଇଥାଏ। ଆଗ ଅପେକ୍ଷା ଏବେ ଏହି ସମାଜମାନଙ୍କରେ ଏନେଇ ସଚେତନତା ବଢିଛି। ବହୁତ ଆଦିବାସୀ ସମାଜ ବାଲ୍ୟବିବାହ କାରଣରୁ ଏସବୁ ସମସ୍ୟା ଉପୁଜୁଥିବା ଅନୁଭବ କରି ବି ଲୋପ ପାଇଁ ପଦକ୍ଷେପ ନେବା ଆରମ୍ଭ କଲେଣି। କୋରାପୁଟରେ କନ୍ଧ, ସୁନ୍ଦରଗଡରେ ପାଉଡିଭୂୟାଁ, ରାୟଗଡାରେ ସୌରା, କେନ୍ଦୁଝରରେ ଜୁଆଙ୍ଗ, ବୌଦ୍ଧରେ ଡୁମ୍ବାଳ ଏ ଦିଗରେ ଆଲୋଚନାକରି ୧୮ବର୍ଷ ତଳକୁ ଝିଅ ଓ ୨୧ ବର୍ଷତଳକୁ ପୁଅର ବାହାଘରକୁ ସାମାଜିକ ସ୍ତରରେ ନିଷିଦ୍ଧ କରିଛନ୍ତି। ବଲାଙ୍ଗିର ଜିଲାରେ କୁଲୁତା ସମାଜ ଆଉ ପାଦେ ଆଗକୁ ଯାଇ ସମାଜ ସ୍ତରରେ ବିବାହର ପଞ୍ଜୀକରଣ ଓ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଏଦିଗରେ ଗଣ୍ଡ ସମାଜ ଅହୁରି ଦୃଢ ଓ ପ୍ରଗତିଶୀଳ ମନେ ହୁଅନ୍ତି। ସମାଜର ଲିଖିତ ନିୟମାବଳୀ ରହିଛି, ଯାହା ସର୍ବଭାରତୀୟ ସ୍ତରର ଗଣ୍ଡ ସମାଜ ବୈଠକରେ ଆଲୋଚିତ ଓ ଗୃହୀତ। ଏହି ନିୟମାବଳୀରେ ୧୮ ପୂର୍ବରୁ ଝିଅର ବାହାଘରକୁ ଅପରାଧ ଭାବେ ଧରିନେବା ସହିତ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ଏହାବ୍ୟତୀତ ଝିଅମାନଙ୍କୁ ପାଠ ପଢେଇବା ପାଇଁ ସମାଜ ତରଫରୁ ଆର୍ଥିକ ସହଯୋଗର ବନ୍ଦୋବସ୍ତ ରହିଛି। ଏହାକୁ ତଦାରଖ କରିବା ପାଇଁ ସ୍ଥାନୀୟ ସ୍ତରର ନେତୃବୃନ୍ଦଙ୍କୁ ଦାୟିତ୍ୱ ଦିଆଯାଇଛି। ରୂଢିବାଦୀ ମନୋଭାବରୁ ବାହାରି ସମାଜର ନେତୃତ୍ୱ ନେଉଥିବା ପାରମ୍ପରିକ ନେତୃବୃନ୍ଦ କରିଥିବା ଏହିସବୁ ପରିବର୍ତ୍ତନର ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।
କହିବା ବାହୁଲ୍ୟ, ପରିବର୍ତ୍ତିତ ପରିସ୍ଥିତିରେ ଅନେକ ପରମ୍ପରାର ତର୍ଜମା ଆବଶ୍ୟକ। ତେବେ ବାହାରୁ ଥାଇ କୌଣସି ପରମ୍ପରାକୁ ସମାଲୋଚନା କରିବା ସହଜ, କିନ୍ତୁ ସ୍ପୃହଣୀୟ ନୁହେଁ। ଏଭଳି କ୍ଷେତ୍ରରେ ବିଭିନ୍ନ ଆଦିବାସୀ ସମାଜର ନେତୃବୃନ୍ଦ ଆଗେଇ ଆସି ନିଜ ପରମ୍ପରାରେ ପରିବର୍ତ୍ତନର ପ୍ରୟାସ କରିବା ସ୍ୱାଗତଯୋଗ୍ୟ। ଏହି ପରିବର୍ତ୍ତନ ଆଗାମୀ ଦିନରେ ବାଲ୍ୟବିବାହର ନିରାକରଣରେ ଅତ୍ୟନ୍ତ ସହାୟକ ହେବା ଆଶା କରାଯାଏ।
ସୁବର୍ଣ୍ଣପୁର

Comments
Loading...