ବନ୍ୟା ନେବ ୧୬ ହଜାର ଜୀବନ, ନଷ୍ଟ ହେବ ୪୭ ହଜାର କୋଟି

0

ନୂଆଦିଲ୍ଲୀ: ଆଗାମୀ ଦଶ ବର୍ଷରେ ବନ୍ୟାରେ ୧୬ ହଜାର ଲୋକଙ୍କ ଜୀବନ ଯିବ। ୪୭ ହଜାର କୋଟି ଟଙ୍କାର ଧନସମ୍ପତ୍ତି କ୍ଷୟକ୍ଷତି ହେବ। କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ଆଖି ସାମ୍ନାରେ ଥିବା ବେଳେ ଏଭଳି ପୂର୍ବାନୁମାନ କରିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନ୍‍ଡିଏମ୍‍ଏ)। ପାଣିପାଗ ଓ ମୌସୁମୀରେ ଦେଖାଦେଇଥିବା ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ଏଭଳି ଦୈବୀ ଦୁର୍ବିପାକ ସୃଷ୍ଟି ହେଉଥିବା ବେଳେ ଏହାର ପୂର୍ବାନୁମାନ କରିବାରେ ପାଣିପାଗ ବିଭାଗ ବିଫଳ ହୋଇଥିବା ଅଭିଯୋଗ ଆସିଛି।
ପାଣିପାଗ ଓ ପରିବେଶ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତ ପାଖରେ ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ସୂଚନା ଦେବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ବୈଷୟିକ ଉପକରଣ ଓ ଉପଗ୍ରହ ରହିଛି। କିନ୍ତୁ ଭାରତ ସରକାରଙ୍କ ବିପର୍ଯ୍ୟୟ ହ୍ରାସ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଇଛି। ଏନ୍‍ଡିଏମ୍‍ଏର କାର୍ଯ୍ୟକଳାପ କେବଳ ଗାଇଡ୍‍ଲାଇନ୍‍ ଜାରି କରିବା, ସଭାସମିିତି ମାଧ୍ୟମରେ ଆଲୋଚନାରେ ସୀମିତ ରହିଛି। ଯଦି ଏନ୍‍ଡିଏମ୍‍ଏ ସକ୍ରିୟ ଥାଆନ୍ତା ଏବଂ କାର୍ଯ୍ୟଧାରା ବାସ୍ତବବାଦୀ ହୋଇଥାନ୍ତା ତେବେ କେରଳ ବନ୍ୟାରେ ମୃତ ଓ ବିପନ୍ନଙ୍କ ସଂଖ୍ୟା ଅନେକାଂଶରେ ହ୍ରାସ କରାଯାଇପାରିଥାନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି।
କିଛି ଦିନ ତଳେ ସରକାରୀ ଭାବେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯେଭଳି ଢଙ୍ଗରେ ହେବା କଥା ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଗୁରୁତ୍ୱ ଦେଉନାହାନ୍ତି। ବିପର୍ଯ୍ୟୟ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବାକୁ ସରକାରୀ ତତ୍ପରତା ଦେଖିବାକୁ ମିଳୁନାହିଁ। ବନ୍ୟା ଓ ବାତ୍ୟା ଦୃଷ୍ଟିରୁ ଅତ୍ୟଧିକ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ଦେଶର ୬୪୦ଟି ଜିଲାରେ ଏହି ସର୍ବେକ୍ଷଣ କରାଯାଇଥିଲା।
ସର୍ବେକ୍ଷଣର ତଥ୍ୟାନୁଯାୟୀ, ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ। ବନ୍ୟା ହେଲେ ଏହି ଦୁଇ ରାଜ୍ୟର ୭.୩ ନିୟୁତ ହେକ୍ଟର ବୁଡ଼ିଯିବ। ତା’ ପଛକୁ ବିହାର ଓ ଝାଡ଼ଖଣ୍ଡକୁ ଦ୍ୱିତୀୟ ସର୍ବାଧିକ ସମ୍ବେଦନଶୀଳ ରାଜ୍ୟ ଭାବେ ପ୍ରଦର୍ଶିତ କରାଯାଇଛି। ବନ୍ୟା ହେଲେ ଏହି ଦୁଇ ରାଜ୍ୟର ୪.୩ ନିୟୁତ ହେକ୍ଟର ଜଳମଗ୍ନ ହେବ। ସେହିପରି ପଞ୍ଜାବର ୩.୭ ନିୟୁତ ହେକ୍ଟର, ରାଜସ୍ଥାନର ୩.୩ ନିୟୁତ ହେକ୍ଟର, ଆସାମର ୩.୨ ହେକ୍ଟର, ପଶ୍ଚିମବଙ୍ଗର ୨.୭ ହେକ୍ଟର, ହରିଆନାର ୨.୪ ନିୟୁତ ହେକ୍ଟର, ଗୁଜରାଟର ୧.୪ ନିୟୁତ ହେକ୍ଟର, ଓଡ଼ିଶା, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୧.୪ ହେକ୍ଟର ଲେଖାଏଁ ଜମି ଜଳମଗ୍ନ ହେବ।

Leave A Reply