ବଞ୍ଚିବାର ମୋହ ଓ ହଜିବାର ଭୟ

ଭୟ ମଣିଷର ଏକ ସହଜାତ ପ୍ରବୃତ୍ତି। ଅଧିକାଂଶ ମଣିଷ କିଛି ନା କିଛି ଭୟରେ ଆତଙ୍କିତ। ନାନା କାରଣରୁ ମଣିଷ ମନରେ ଭୟ ଜନ୍ମନିଏ। କେବେ ଧନ, ସମ୍ପତ୍ତି, ଆତ୍ମୀୟ, ସ୍ୱଜନ, ରୂପଯୌବନ ଇତ୍ୟାଦି ଚାଲିଯିବାର ଭୟ ତ କେବେ ସମ୍ମାନ, କ୍ଷମତା, ପଦ, ପ୍ରତିଷ୍ଠା ଆଦି ହାତରୁ ଖସିଯିବାର ଆଶଙ୍କାରେ ମଣିଷ ଶିହରିଉଠେ। ସବୁ ଭୟ ଭିତରେ ନିଜେ ‘ହଜିଯିବାର ଭୟ’ କିଛି ମଣିଷଙ୍କ ପାଇଁ ଏକ ଚିରନ୍ତନ ସମସ୍ୟା। ଏଠି ହଜିଯିବାର ଅର୍ଥ ଲୋକମାନଙ୍କ ଭିତରୁ ନିଜର ପରିଚୟ ଲିଭିଯିବାର ଆଶଙ୍କା। ତଥାକଥିତ ପଣ୍ଡିତ, ସାଧୁ, ଜ୍ଞାନୀଙ୍କଠାରୁ ରାଜନେତା, ସମାଜସେବୀ, ସାହିତ୍ୟିକ, କଳାକାର ଭଳି ଅନେକ ପ୍ରତିଷ୍ଠିତ, ଜଣାଶୁଣା ଏବଂ କ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପରିଚୟ ହଜିଯିବାର ଭୟ ବେଶି ଗ୍ରାସିଥାଏ। ଯେଉଁଥିରେ ସାଧାରଣ ମଣିଷଟିଏ ଆତଙ୍କିତ ହୁଏନା। ଯିଏ ଯେତିକି ପ୍ରତିଷ୍ଠିତ ତାଙ୍କର ହଜିଯିବାର ଭୟ ସେତିକି ଅଧିକ। ସେମାନଙ୍କ ମନରେ ବାରମ୍ବାର ଆସୁଥାଏ- ସମାଜର ଏ ଗହଳି ଭିତରେ ଲୋକମାନେ ଅନ୍ୟମାନଙ୍କୁ ଖୋଜୁଛନ୍ତି। ମୋତେ ଭୁଲିଗଲେ କି? ମୁଁ ତ ହଜିନି! ଅଛି। ‘ମୁଁ ହଜିନି; ଅଛି’ ଏଇ ସୂଚନା ଦବାକୁ ଅହର୍ନିଶି ଚେଷ୍ଟା କରନ୍ତି ପ୍ରଶଂସା ପ୍ରିୟ, ଅଭିମାନୀ ମଣିଷମାନେ। ଚଳାଇଥାନ୍ତି ଅଦମ୍ୟ ଉଦ୍ୟମ ଆଉ ଯୋଜନା।
ହଜିବା ଭୟରୁ ମୁକୁଳିବାକୁ କିଛି ଲୋକ ନିଜର ଜନ୍ମଦିନ, ବିବାହ ବାର୍ଷିକୀ ଆଦି ପାଳନ କରନ୍ତି। ନିମନ୍ତ୍ରଣ ପତ୍ର ଦିଅନ୍ତି। ବିଶିଷ୍ଟ ଲୋକଙ୍କୁ ଡାକନ୍ତି। ଆଉ କେବେ କିଛି ନା କିଛି କାର୍ୟ୍ୟକ୍ରମର ଆୟୋଜନ କରନ୍ତି। ନହେଲେ କୌଣସି ସଭାରେ କହିବାର ସୁଯୋଗ ଟିକେ ମିଳିଗଲେ ଅନ୍ୟମାନଙ୍କ ଅପେକ୍ଷା ଖୁବ୍ ଜୋରରେ ନିଜ ସପକ୍ଷରେ ଭାଷଣ ଦିଅନ୍ତି। ଏଠି ଲୋକମାନଙ୍କ ପାଖରେ ଭାଷଣ ପହଞ୍ଚୁ କି ନପହଞ୍ଚୁ, ଅନ୍ତତଃ ମୁଁ ପହଞ୍ଚି ଯାଏ। ଏଇ ନିଶାରେ ପାଗଳ ହୁଅନ୍ତି ଭୟାଳୁ ମଣିଷ। ଏ ଧରଣର ମଣିଷମାନେ ବିଫଳତାକୁ ଭାରି ଡରନ୍ତି। ବିଫଳତାକୁ ମରଣ ଓ ସଫଳତାକୁ ଜୀବନ ବୋଲି ଭାବି ନେଇଥାନ୍ତି। ବିଫଳତା ଓ ସଫଳତାର ମିଶ୍ରଣରେ ଏ ଜୀବନ, ଏମାନଙ୍କର ଏ ଜ୍ଞାନ ହଜିଯାଇଥାଏ।
ବିଫଳତାରେ ନିନ୍ଦା ଆଉ ସଫଳତାରେ ପ୍ରଶଂସା ମିଳେ। ତେଣୁ ବିଫଳତାକୁ ଲୁଚାଇବା ପାଇଁ ଏ ଭୟାଳୁ ମଣିଷ ବହୁ ଚେଷ୍ଟାକରନ୍ତି। ଦାନ, ଧର୍ମ, ପରୋପକାର, ଚାରାରୋପଣ ଭଳି କିଛି ଭଲ କାମରେ ପହଞ୍ଚନ୍ତି। ତା’ର ଫଟୋ ଉଠାନ୍ତି। ‘ମୁଁ ହଜିନି; ଅଛି। ଭଲ କାମ କରୁଛି।’ କେବଳ ଏଇ ସୂଚନାଟି ଦେବା ପାଇଁ ସେ ଫଟୋ ସବୁକୁ ଖବର କାଗଜ, ପତ୍ରପତ୍ରିକା, ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍, ଟ୍ୱିଟ୍, ଇ-ମେଲ୍, ଇନଷ୍ଟାଗ୍ରାମ୍, ୟୁ ଟ୍ୟୁବ୍ ଭଳି ଗଣମାଧ୍ୟମରେ ପହଞ୍ଚାନ୍ତି। ତା’ ବଦଳରେ ଖୋଜୁ ଥାଆନ୍ତି ଟିକିଏ ମାତ୍ର ପ୍ରଶଂସା। ଏଇଠି ପ୍ରଶଂସା ପାଇବାର ନିଶା ଥାଏ ଆଗରେ। ପଛରେ ରହିଯାଏ କର୍ମ କରିବାର ଆନ୍ତରିକତା ଆଉ ଦାୟିତ୍ୱବୋଧ। କିଛି ମଣିଷ ସମ୍ମାନ, ଉପଢୌକନ, ମାନପତ୍ର ଆଦି ପାଇ ଆନନ୍ଦରେ କୁରୁଳି ଉଠନ୍ତି। କିଛି କ୍ଷଣ ପାଇଁ ହଜିବା ଭୟର ପୀଡ଼ାରୁ ରକ୍ଷା ପାଇଯାଆନ୍ତି।
ଏବେ ସାହିତ୍ୟ, ସଂଗୀତ, କଳା, ରାଜନୀତି ଭଳି ପ୍ରତ୍ୟେକ କ୍ଷେତ୍ରରେ ଓ ପ୍ରତି ମୁହୂର୍ତ୍ତରେ ସମାଜରେ ଗହଳି ବଢ଼ିବଢ଼ି ଚାଲିଛି। ଏଇ ଗହଳି ଭିତରେ ନହଜି ଛାମୁଆ ହେବାକୁ ଦୁର୍ବାର ଚେଷ୍ଟା କରୁଥିବା ବ୍ୟକ୍ତି ଜଣକ ଧୀରେଧୀରେ ପହଞ୍ଚିଯା’ନ୍ତି ବୟସର ଅପରାହ୍ଣରେ। କ୍ରମେ ଅସ୍ତଗାମୀ ସୂର୍ୟ୍ୟଙ୍କ ପରି ସମୟର ଦିଗ୍‌ବଳୟରେ କ୍ରମଶଃ ଲୁଚି ଯାଉଥାଏ ତାଙ୍କର କୀର୍ତ୍ତି ସବୁ। ହାତରୁ ଖସି ଯାଇଥାଏ କ୍ଷମତାର ଫାଶ। ସଭା, ସମିତିକୁ ବେଶି ଡାକରା ଆସେନା। ସ୍ୱାର୍ଥ ଚାଲିଗଲା ପରେ ଲୋକମାନେ ବେଶି ଲୋଡ଼ନ୍ତିନି। ତାଙ୍କ ସ୍ଥାନ ଅନ୍ୟ କେହି ନେଇ ଯାଆନ୍ତି। ଗଣମାଧ୍ୟମରେ ପୂର୍ବପରି ସୁଯୋଗ ମିଳେନା। ‘ଆଜ୍ଞା’ ପଦେ କହିବାକୁ କେହି ନଥାଆନ୍ତି। ସେତେବେଳେ ବ୍ୟକ୍ତି ଜଣକ ହଜିଯିବାର ଭୟ ଓ ଯନ୍ତ୍ରଣାରେ ଖୁବ୍ କଲବଲ ହୁଅନ୍ତି। ଅଭିମାନଶୂନ୍ୟ, ନିଃସ୍ୱାର୍ଥପର କର୍ମ ନୂଆ ପରିଚୟ ସୃଷ୍ଟିକରେ। ଜଣଙ୍କର ସଫଳତା ଯଦି ଅନ୍ୟ ପାଇଁ ପ୍ରେରଣାର ଉତ୍ସ ହୁଏ, ତାହାହେଲେ ସେ ସଫଳତା ପ୍ରଚାରିତ ହେବା ଉଚିତ୍। ସମାଜରେ କିଛି ଲୋକ ନିଃସ୍ୱାର୍ଥପର ଭାବରେ କାମ କରିଥାଆନ୍ତି। ଏମାନେ ନିଜର ପ୍ରଶଂସା, ପ୍ରତିଷ୍ଠାକୁ ଖୋଜନ୍ତିନି। ବରଂ ସମାଜ ସେମାନଙ୍କୁ ହଜିବା ମୁହଁରୁ ଆଣି ପ୍ରକାଶିତ କରିଦିଏ।
ସମାଜର ଗହଳି ଭିତରେ ନିଜକୁ ଆବିଷ୍କାର କଲେ କ୍ଷଣକ ପାଇଁ ସୁଖ ମିଳେ। ମାତ୍ର ନିଜ ଭିତରେ ରହିଛି ଚିର ସୁଖର ଉତ୍ସ। ସେଇଠି ହଜିବାକୁ ଆରମ୍ଭ କଲେ ସମାଜର ଭିଡ଼ ଭିତରେ ହଜିବାର ଭୟ କଷ୍ଟ ଦେବ ନାହିଁ। ଏବେ ବି ସମୟ ଅଛି। ସମାଜର ଗହଳି ଭିତରେ ହଜିଯିବାର ଭୟରେ ଅଯଥା ଆତଙ୍କିତ ନ ହୋଇ ନିଜ ଭିତରେ ହଜିଯିବାର ଆନନ୍ଦ ପାଇବା ଦିଗରେ ପ୍ରୟାସ କରାଯାଉ। ଥରୁଟିଏ ମନକୁ ବୁଝେଇ ଦିଆଯାଉ- ‘ଯୋଉ ସଂସାରରେ ସୂର୍ୟ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ନଦୀ, ପର୍ବତ ଇତ୍ୟାଦି ଅନନ୍ତକାଳ ଧରି ରହି ଆସିଛନ୍ତି ସେମାନେ ତ ହଜିଯିବାର ଭୟରେ ଆତଙ୍କିତ ହେଉନାହାନ୍ତି! ତାଙ୍କ ତୁଳନାରେ ଏ ଜୀବନର ଅବଧି କେତେ କାଳ କି?
ଦିନେ ନା ଦିନେ ଏ ଜୀବନ କାଳର ସ୍ରୋତରେ ହଜିଯିବ, ଏହା ହିଁ ସତ୍ୟ। ତେଣୁ ଏଇ ହଜିଯିବାର ଚିନ୍ତାରେ ଘାରି ନହୋଇ ପ୍ରତିଟି ମୁହୂର୍ତ୍ତକୁ ସୃଷ୍ଟିର ସର୍ଜନାରେ ନିୟୋଜିତ କରିବାକୁ ମଣିଷର ଲକ୍ଷ୍ୟ ରହୁ। ଏହା ହିିଁ ଜୀବନ।

ଅସୀମାଲୋକ, ଚହଟା, ବିଡ଼ାନାସୀ, କଟକ

Comments
Loading...