ବଞ୍ଚିଥିବା ଧର୍ମକୁ ଉଜ୍ଜୀବିତ କରିବା

ମନୁଷ୍ୟର ଧର୍ମ ଦରମରା ହୋଇ ସୁଦ୍ଧା ବଞ୍ଚି ରହିଛି। ତ୍ରିକାଳରେ ତାହା ନିଶ୍ଚିହ୍ନ ହୁଏନାହିଁ। ଧର୍ମର ଅର୍ଥ ଆଜିକାଲିର ପ୍ରଚଳିତ ଇହୁଦି, ଖ୍ରୀଷ୍ଟିଆନ, ମୁସଲମାନ, ବୌଦ୍ଧ, ଜୈନ, ଶୈବ, ବୈଷ୍ଣବ ଆଦି ସଂପ୍ରଦାୟ ବା ମତମତାନ୍ତର ନୁହେଁ। ପୃଥିବୀର ବିଭିନ୍ନ ସ୍ଥାନ, କାଳ ଓ ପରିସ୍ଥିତିରେ ପ୍ରଭାବଶାଳୀ ପୁରୁଷଙ୍କ ଦ୍ବାରା ସଂପ୍ରଦାୟଗୁଡ଼ିକ ପ୍ରବର୍ତ୍ତିତ ହୋଇଥାନ୍ତି। ପ୍ରତ୍ୟେକ ସଂପ୍ରଦାୟର ଏକ ସର୍ବମାନ୍ୟ ଗ୍ରନ୍ଥ ଥାଏ ଯେଉଁଥିରେ ସଂପୃକ୍ତ ସଂସ୍ଥାପକଙ୍କର ଜୀବନୀରେ ଆରୋପିତ ଅନେକ ଚମତ୍କାର ଘଟଣା ସହିତ କିଛିକିଛି ଧାର୍ମିକ ତତ୍ତ୍ବ ରହିଥାଏ। ମତାନ୍ଧତା କାରଣରୁ ଭିନ୍ନଭିନ୍ନ ସଂପ୍ରଦାୟ ମଧ୍ୟରେ ବି‌େଦ୍ବଷ ଓ କଳହ ଜାତ ହୁଏ। ମାନବତା ରୂପକ ଧର୍ମ ଏକ; ପରନ୍ତୁ ମନୁଷ୍ୟ ସମାଜରେ ଅନେକ ସଂପ୍ରଦାୟ ଅଛନ୍ତି ଓ ରହିଥିବେ।
ମାନବୀୟ ଧର୍ମ ପ୍ରତ୍ୟେକ ମାନବ ସୃଷ୍ଟିର ପ୍ରାରମ୍ଭରେ ପ୍ରକାଶିତ ହୁଏ। ତାକୁ ପରମ କାରୁଣିକ ପରମାତ୍ମାଙ୍କର କୃପାରୁ ମାନବଜାତିର ମାଗଦର୍ଶକ ଜ୍ଞାନ ରୂପରେ ‘ସାକ୍ଷାତ କୃତଧର୍ମା’ ଅର୍ଥାତ ସେହି ସୃଷ୍ଟିରେ ଧର୍ମକୁ ପ୍ରଥମେ ସାକ୍ଷାତ କରିଥିବା) ଋଷିମାନଙ୍କର ଅନ୍ତଃକରଣରେ ପ୍ରକଟିତ ହୁଏ। ଋଷି ପରମ୍ପରାରେ ଧର୍ମର ଦଶଟି ଲକ୍ଷଣ ଉପବିଷ୍ଟ ହୋଇଛି- ଧୃତି (ସହନଶୀଳତା), ଦମ (ମନର ସଂଯମ), ଅସ୍ତେୟ (ଚାରିତ୍ୟାଗ), ଶୌଚ (ମନ, ବଚନ ଓ କର୍ମରେ ଶୁଦ୍ଧତା), ଇନ୍ଦ୍ରିୟ ନିଗ୍ରହ, ସମସ୍ତ ଉପକାରୀ ବିଦ୍ୟା, ଧୀଶକ୍ତି, ସତ୍ୟ ଓ ଅକ୍ରୋଧ। ମନୁଷ୍ୟ ଛଡ଼ା ଅନ୍ୟ ପ୍ରାଣୀମାନେ ବୁଦ୍ଧିଶୂନ୍ୟ। ତେଣୁ ସେମାନଙ୍କ ଜୀବନରେ ଧର୍ମାଧର୍ମ, ପାପପୁଣ୍ୟର ବିଚାର ନଥାଏ। ପରମାତ୍ମା ମନୁଷ୍ୟକୁ ବୁଦ୍ଧିଯୁକ୍ତ କରିବା ସହିତ ଧର୍ମପାଳନ ପାଇଁ ନିର୍ଦେଶ ଦେଇଛନ୍ତି। କର୍ମ କରିବାରେ ତାକୁ ସ୍ବତନ୍ତ୍ରତା ପ୍ରଦାନ କରି କର୍ମଫଳକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି।
ମନୁଷ୍ୟ ସମାଜରେ ସାଂପ୍ରଦାୟିକ ମତମତାନ୍ତରଗୁଡ଼ିକ ଧର୍ମ ନାମରେ ପ୍ରଚାରିତ ହେବାପରେ କେତେକ ହେତୁବାଦୀ ଧର୍ମକୁ ଅଫିମ ପରି ମାଦକଦ୍ରବ୍ୟ ଓ ନ୍ୟସ୍ତସ୍ବାର୍ଥୀଙ୍କର ବ୍ୟବସାୟ ନାମରେ ଘୃଣା କଲେ। ସେମାନେ ସତ୍ୟ, ଅହିଂସା ଆଦି ମାନବୀୟ ଧର୍ମର ଲକ୍ଷଣଗୁଡ଼ିକର ନୂତନ ବ୍ୟାଖ୍ୟା ଶୁଣାଇଲେ। କହିଲେ, ଏସବୁ ଆପେକ୍ଷିକ ଶବ୍ଦ। ଜଣେ ମନୁଷ୍ୟ ପାଇଁ ଯାହା ସତ୍ୟ, ଅନ୍ୟ ପାଇଁ ଅସତ୍ୟ ହୋଇପାରେ।
କୌଣସି କର୍ମ କରିବା ସମୟରେ ଯଦି ହୃଦୟରେ ଆଶଙ୍କା, ଲଜ୍ଜା ଓ ଗ୍ଲାନି ଜାତ ହୁଏ; ତା’ହେଲେ ସେହି କର୍ମ ଅଧର୍ମ, ପାପ। ଅନ୍ୟ ପକ୍ଷରେ ଧାର୍ମିକ ବା ପୁଣ୍ୟ କର୍ମ କରିବା କାଳରେ ହୃଦୟରେ ହର୍ଷ, ଉଲ୍ଲାସ ଓ ସନ୍ତୋଷ ଅନୁଭୂତ ହୁଏ। ଏସବୁ ସଂକେତ ହୃଦୟସ୍ଥ ଆତ୍ମାଠାରୁ ପ୍ରାପ୍ତ ହୁଏ।
ପାପୀ ମଧ୍ୟ ଚାହେଁ ନାହିଁ ଯେ ତା’ର ପୁତ୍ର ପାପୀ ହେଉ; ଲୋକେ ତା’ର ସ୍ତ୍ରୀକୁ ପାପୀର ପତ୍ନୀ କହି ଅପମାନିତ କରନ୍ତୁ। ଅପରାଧୀ ଅପରାଧ କରିବା ସମୟରେ ସାବଧାନ ଥାଏ ଯେପରି ତାକୁ କେହି ଦେଖିବେ ନାହିଁ। ଦେହୀ ବା ଆତ୍ମାଠାରେ ଜଡ଼ ଦେହର ଅଧିକ ପ୍ରଭାବ କାରଣରୁ ମନୁଷ୍ୟ ଅଧର୍ମ କରେ। ଆତ୍ମାର ଗୋଟିଏ ନାମ ଇନ୍ଦ୍ର; ଆତ୍ମବିକାଶରେ ଦେହର ଅଙ୍ଗ-ପ୍ରତ୍ୟଙ୍ଗଗୁଡ଼ିକ ଆତ୍ମାର ସହାୟକ ହୁଅନ୍ତି। ତେଣୁ ସେମାନେ ଇନ୍ଦ୍ରିୟ। ଯେପରି ପ୍ରଜାକୁଳ ରାଜ୍ୟ ନିୟମ ପାଳନ ନ କରିବା ଫଳରେ ରାଜ୍ୟରେ ଅରାଜକତା ସୃଷ୍ଟି ହୁଏ, ସେହିପରି ଉଚ୍ଛୃଙ୍ଖଳ ଇନ୍ଦ୍ରିୟଗୁଡ଼ିକ ଆତ୍ମବିରୁଦ୍ଧ କର୍ମ ବା ଅଧର୍ମ କରନ୍ତି।
ଅଧାର୍ମିକ ସମାଜରେ ଧନଦ୍ବାରା ଜ୍ଞାନୀ-ଗୁଣୀ, ଶାସକବର୍ଗଙ୍କୁ କିଣା ଯାଇପାରୁଛି। ପରନ୍ତୁ ଧାର୍ମିକ ସମାଜରେ ଜ୍ଞାନ ଓ ବଳ ପରେ ଧନର ତୃତୀୟ ସ୍ଥାନ। ଅଧାର୍ମିକ ବିଚାରଧାରା ଯୋଗୁଁ ମନୁଷ୍ୟମନରୁ କୃତଜ୍ଞତା ଓ ପରହିତ ଭାବନା ତିରୋହିତ ହେଉଛି। ପିତାମାତା, ଋଷିମୁନି, ବୈଜ୍ଞାନିକ, କୃଷକ, ସୈନିକ, ଶ୍ରମିକ ଆଦି ସମାଜସେବୀଙ୍କ ପ୍ରତି ଆଜିକାଲି ଆମ୍ଭେମାନେ କୃତଜ୍ଞତା ପ୍ରକାଶ କରୁକି? ‘ ମୋ’ ପାଇଁ ଦେହ; ଦେହ ପାଇଁ ମୁଁ ନୁହେଁ। ଦେହ ମୋର ସାଧନ। ସେହି ସାଧନକୁ ପରୋପକାର ଓ ମୋକ୍ଷପ୍ରାପ୍ତି ନିମନ୍ତେ ବ୍ୟବହାର କରିବି’- ଏଭଳି ବିଚାର ଓ ଆଚରଣ ମନୁଷ୍ୟକୁ ଧର୍ମନିଷ୍ଠ କରେ। ଧର୍ମର ପୁନର୍ଜାଗରଣ ନିମନ୍ତେ ମାତାପିତା ଓ ଧର୍ମାଚାର୍ଯ୍ୟମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ମାତା ନିଜର ସାତ୍ତ୍ବିକ ବିଚାର, ଆହାର ଓ ବ୍ୟବହାର ଦ୍ବାରା ଗର୍ଭସ୍ଥ ସନ୍ତାନକୁ ସଂସ୍କାରିତ କରିବାର କ୍ଷମତା ରଖେ। ପଂୁସବନ, ସୀମନ୍ତୋନ୍ନୟନ, ଗର୍ଭାଧାନ ଆଦି ଗର୍ଭସଂସ୍କାରଗୁଡ଼ିକ ଏହାର ଜ୍ବଳନ୍ତ ପ୍ରମାଣ। ପିତା ସନ୍ତାନକୁ ସାହସୀ, କର୍ମକୁଶଳ ଓ ସତ୍ୟବାଦୀ ରୂପରେ ଗଢ଼ିପାରନ୍ତି। ଧର୍ମଜାଗରଣ ପାଇଁ ଉଦ୍ଦିଷ୍ଟ ମନୁଷ୍ୟ ସମାଜର ଲକ୍ଷଲକ୍ଷ ଧର୍ମାଚାର୍ଯ୍ୟ, ପୁରୋହିତ, ଉପଦେଶକ, କଥାକାର, ପୂଜକ ଧର୍ମୋଦ୍ଧାର ଯଜ୍ଞରେ ପ୍ରେରଣାଦାୟକ ଆହୁତି ପ୍ରଦାନ କରି ପାରିବେ। ଏ ସମସ୍ତେ ମାନବତାକୁ ପୁନର୍ଜୀବିତ କରନ୍ତୁ।
ମନୁଷ୍ୟ ‘ଆପଣା ହସ୍ତେ ଜିହ୍ବା ଛେଦି’ ନ୍ୟାୟରେ ଆଜି ନିଜକୃତ ଅଧର୍ମ ପାଇଁ ତୀବ୍ର ଯନ୍ତ୍ରଣା ଭୋଗୁଅଛି। ପ୍ରଜା କହୁଛନ୍ତି- ଶାସକ ଦୁର୍ନୀତିଗ୍ରସ୍ତ। ତେବେ ଶାସନ ପାଇଁ ଶାସକକୁ କିଏ ବାଛୁଚି? ଶିକ୍ଷକ କହୁଛନ୍ତି- ଛାତ୍ରମାନେ ଦୁଷ୍ଟ। ତାହାହେଲେ କିଏ ସେମାନଙ୍କର ଦୁଷ୍ଟାମି ହ୍ରାସ କରିବ? ଡାକ୍ତର କହୁଛନ୍ତି- ରୋଗ ବଢ଼ୁଛି। କିଏ ରୋଗକୁ ହ୍ରାସ କରିବ? ମାନବତା-ଧର୍ମର ଆଚରଣ ଓ ପ୍ରଚାର କରିଥିବା ଆର୍ଯ୍ୟାବର୍ତ୍ତର ଋଷିମୁନିମାନେ ସତେ ଯେପରି ଆଧୁନିକ ମନୁଷ୍ୟକୁ ସତର୍କ ବାଣୀ ଶୁଣାଉଛନ୍ତି- ‘ଧର୍ମୋ ରକ୍ଷତି ରକ୍ଷିତଃ।’

ପ୍ରିୟବ୍ରତ ଦାସ

ଈଶାବାସ୍ୟମ, ସହିଦନଗର, ଭୁବନେଶ୍ବର

Comments
Loading...