‘ଫଣି’ ପରେ ଓଡ଼ିଶା

ଶୁଭଶ୍ରୀ ଦାସ

କେମିତି ଅଛନ୍ତି ମଉସା? ପ୍ରଶ୍ନର ଉତ୍ତର ଶୁଭିଥିଲା ଫୋନର ଆରପଟୁ। ରାଜଧାନୀ ଭୁବନେଶ୍ବରରୁ- ‘ଭାରି କଲବଲ ହେଉଛୁ ରେ ମା’। ଆଠଦିନ ହେଲା ଆଜିକୁ ଗରମରେ ଶିଝିଗଲୁଣି ପୂରା। ଲାଇନ ଆସିଲାଣି ଯେ, ହେଲେ କେତେବେଳେ ଆସୁଛି, ଯାଉଛି ଠିକଣା ନାହିଁ। ଘର ଦ୍ୱାର ଗଛ ଇତ୍ୟାଦି ଭାଙ୍ଗି ଯାହାସବୁ କ୍ଷୟକ୍ଷତି ହୋଇଛି ଆଖିରେ ଦେଖିହେଉନି। ତେବେ ଏସବୁକୁ ଅଭିଶାପ ବୋଲି ଭାବିବୁନି ଆଦୌ। ଗଛ ବଦଳରେ ଶବ ଉଠା ହେଉନି, ତାହାହିଁ ସବୁଠାରୁ ବଡ଼ କଥା। ମଣିଷ ଜୀବନ ରହିଯାଇଛି, ସେତିକି ବହୁତ।’
ଫୋନର ଆରପଟେ ନୀରବ ଥିଲି ମୁଁ। ସେ ଦିନର ଅଭିଜ୍ଞତା ଏବେ ବି ସତେଜ ମନଭିତରେ। ଶୀତେଇ ଉଠିଲା ଦେହ। ଅଧ ରାତିରେ ଲ୍ୟାପଟପ ଓ ଫୋନକୁ ପାଖରେ ଧରି ବସିଥିଲି। ‘ଫଣି’ର ପୂର୍ବାଭାସ ସହ ଜଡ଼ିତ ଥିଲା ଓଡ଼ିଆଙ୍କ ବିଶ୍ୱାସ ଓ ଭାବନା। ନୀଳାଚଳ ଧାମରେ ‘ଫଣି’ର ତାଣ୍ଡବ ଅବିଶ୍ୱସ ନୀୟ ମନେ ହେଉଥିଲା ଶେଷପର୍ଯ୍ୟନ୍ତ। ସତରେ କ’ଣ ପ୍ରଳୟ ଆଣିବ? ମନ ଭିତରେ ଜମାଟ ବାନ୍ଧୁଥିଲା ଭୟ।
ପ୍ରଳୟ ଆସିଥିଲା। ଓଡ଼ିଆ ଜାତିର ମଉଡ଼ମଣି ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରଧାମ ପୁରୀରେ ସ୍ଥଳଭାଗ ଛୁଇଁଥିଲା ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫଣି’। ଆରମ୍ଭ ହୋଇଥିଲା ଝଡ଼ର ତାଣ୍ଡବ। ଇଣ୍ଟରନେଟ ମାଧ୍ୟମରେ ‘ଫଣି’ର ସୂଚନା ଦେଇଥିବା ଚାନେଲଗୁଡ଼ିକ ବନ୍ଦ ହୋଇଗଲା ହଠାତ୍‌। ଫୋନ୍‌ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା।
ବେଶ୍‌ କିଛିଘଣ୍ଟା ବିତିଗଲା ନୀରବରେ। ଫୋନଟିକୁ ବାରମ୍ବାର ଲଗାଇବାର ଚେଷ୍ଟା କରୁଥିଲି।
ହଠାତ୍‌ ଗୋଟିଏ ଫୋନ୍‌ ଲାଗିଲା- ପାଖ ପଡ଼ୋଶୀ ଘର- ‘ମାଉସୀ ସବୁ ଠିକ୍‌ଠାକ୍‌ ତ ?’ ବ୍ୟସ୍ତ, ବିବ୍ରତ ଅସ୍ପଷ୍ଟ ସ୍ବର ଶୁଭିଲା ସେପଟୁ। ଆମେ ଭଲରେ ଅଛୁରେ ଝିଅ। ଜୀବନଟା ରହିଯାଇଛି। ଇଏ ଯେଉଁ ବର୍ଷା ପବନ କେତେବେଳେ କ’ଣ ହେବ କିଏ ଜାଣିଛି? କଟିଗଲା ଫୋନ କଥା ମଝିରୁ।
‘ଗାଁ- ଗାଁ ଖବର କ’ଣ?’ ଫୋନ ଲଗାଇବାର ଚେଷ୍ଟା କଲି। କିଛି ସମୟ ଚେଷ୍ଟା ପରେ ଶୁଭିଲା ଆରେ, ଆମେ ଭଲ ଅଛୁ। ପ୍ରବଳ ପବନ ବର୍ଷା ଅନେଶତ ମସିହା ମହାବାତ୍ୟାଭଳି। ହେଲେ ମୁଣ୍ଡ ଉପରେ ଛାତ ଖଣ୍ଡେ ଅଛି ଏଥର। ଇନ୍ଦିରା ଆବାସ ଟଙ୍କାରେ ଯେଉଁ ଘର ଦି’ବଖରା କରିଥିଲୁ ସେଇଠି ଘର ଗୋଟାକ​‌େ​‌ର ସମସ୍ତେ ବସିଛୁ। ପବନ ଟିକିଏ କମିଲା ପରି ଲାଗୁଛି ଏବେ। ଅସ୍ପଷ୍ଟ ହୋଇଆସୁଥିଲା ସ୍ବର ଧୀରେଧୀରେ। ‘ଫଣି’ର ପ୍ରକୋପ ଭିତରେ ‘ଆମେ ଭଲ ଅଛୁ’ ର ସ୍ବର ସତେ ଯେମିତି ସାହାରା ପାଲଟିଥିଲା ଏତେ ଦୂରରୁ। ଠାକୁରଙ୍କ ପାଖରେ ମୁଣ୍ଡ ନୁଆଁଇ ଆଣିଥିଲି।
୧୯୯୯ ମସିହାର ମହାବାତ୍ୟାରୁ ଦୀର୍ଘ ୨୦ ବର୍ଷର ଯାତ୍ରା। ଦଶହଜାରରୁ ଅଧିକ ଜୀବନ ହଜି ଯାଇଥିଲା ସେଦିନ ମହାବାତ୍ୟାର କବଳରେ। ମୂଲ୍ୟହୀନ ମନେ ହୋଇଥିଲା ଜୀବନ। ତେବେ ମହାବାତ୍ୟାର ଭୟାବହ ପ୍ରକୋପ ସଚେତନତା ଆଣିଥିଲା। ତିଆରି ହୋଇଥିଲା ଆଶ୍ରୟସ୍ଥଳ। ତାଲିମ ଦିଆଯାଇଥିଲା ସ୍ବେଚ୍ଛାସେବୀମାନଙ୍କୁ ଆଉ ଏବେ ବାତ୍ୟା ‘ଫଣି’ ପାଇଁ ‘ଜିରୋ କାଜୁଆଲିଟି’ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସରକାରୀ ଯୋଜନା, ପ୍ରଶାସନିକ ଦକ୍ଷତା, ସ୍ବେଚ୍ଛାସେବୀମାନଙ୍କର ଉଦ୍ୟମ ଓ ଜନସାଧାରଣଙ୍କ ସଚେତନତା ଓ ସହଯୋଗରେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ନିରାପଦ ଆଶ୍ରୟସ୍ଥଳକୁ। ‘ଫଣି’ ପାଇଁ ଓଡ଼ିଶାର ପ୍ରସ୍ତୁତି ଏକ ଐତିହାସିକ ଦୃଷ୍ଟାନ୍ତ ସୃଷ୍ଟି କରିଗଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ।
ରାସ୍ତାଘାଟ, ଜନବସତି ଓ ଦୈନନ୍ଦିନ ଜୀବନକୁ ଓଲଟପାଲଟ କରି ଦେଇଥିଲା ‘ଫଣି’। ହେଲେ ଲକ୍ଷଲକ୍ଷ ଜୀବନ ପାଇଁ ଗିରି ଗୋବର୍ଦ୍ଧନ ପାଲଟିଥିଲା ଆଶ୍ରୟସ୍ଥଳୀଗୁଡ଼ିକ। ମହାବାତ୍ୟାରୁ ମିଳିଥିବା ଶିକ୍ଷା ପାଲଟି ଥିଲା ମହାଶିକ୍ଷା। ପ୍ରଳୟର ଅନ୍ଧକାର ଭିତରୁ ଉଇଁ ଆସିଥିଲା ଏକ ନୂଆ ସୂର୍ଯ୍ୟ। ନୂଆ ସକାଳର ବାର୍ତ୍ତା ଦେଇ।
ରିବିଲଡ୍ ଓଡ଼ିଶା- ଓଡ଼ିଶାର ପୁନଃନିର୍ମାଣ ସ୍ବପ୍ନ ଆଜି ଓଡ଼ିଶାବାସୀ ଏବଂ ଓଡ଼ିଶା ବାହାରେ ରହୁଥିବାର ଓଡ଼ିଆମାନଙ୍କ ଆଖିରେ। ବାତ୍ୟାରେ ସର୍ବସ୍ବ ହରାଇଥିବା ଅନେକ ବ୍ୟକ୍ତି ଆଜି ହାତଟେକା ସାମୟିକ ରିଲିଫ ବଦଳରେ ଏକ ସୁଦୃଢ଼ ଏବଂ ସ୍ଥାୟୀ ବ୍ୟବସ୍ଥାର ଆଶା ରଖୁଛନ୍ତି ଆଗାମୀ କାଲିପାଇଁ। ଏହା ଏକ ସକାରାତ୍ମକ ଭାବନା- ଦ୍ବିମତ ନାହିଁ।
‘ଫଣି’ର ପ୍ରକୋପ ଏକାଠି କରିଛି ସମାଜକୁ। ସାମାଜିକ ସ୍ତରରେ ଆର୍ଥିକ ଉଚ୍ଚନୀଚର ଭେଦଭାବ ସତେ ଯେମିତି ଟଳିପଡ଼ିଛି ରାଜଧାନୀର ରାଜରାସ୍ତାରେ।
ତେଲ ଲୁଣ ସଂସାରର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲମ୍ବି ଯାଇଥିବା ଧାଡ଼ିରେ ଠିଆ ହୋଇଛନ୍ତି ସଭିଏଁ। ମଣିଷ ଖୋଜୁଛି ମଣିଷକୁ। ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଛି ପରସ୍ପରକୁ। ପରିବାରର ସଂଜ୍ଞା ପୁଣିଥରେ ପରିବ୍ୟାପ୍ତ ହେବାର ଅନୁଭବ କରିଛନ୍ତି ଅନେ​‌େ​‌କ।
ଓଡ଼ିଶା ପୁନଃନିର୍ମାଣର ଆହ୍ବାନ ଛୁଇଁଛି ଓଡ଼ିଆମାନଙ୍କୁ। ଆର୍ଥିକ ସହଯୋଗର ହାତ ଲମ୍ବିଆସୁଛି ଚାରିଆଡ଼ୁ। ଏହା ଏକ ବୃହତ ପ୍ରକଳ୍ପ। ଅନେକ ସ୍ବପ୍ନ ଯୋଡ଼ିହୋଇ ରହିଛି ଏହି ପ୍ରକଳ୍ପ ସହ। ଏହାହିଁ ପ୍ରକୃଷ୍ଟ ସମୟ ଏକ ସୁଦୃଢ଼ ଓ ସମୃଦ୍ଧିଶାଳୀ ଓଡ଼ିଶାର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ।
ସରକାର ଓଡ଼ିଶାର ପୁନଃନିର୍ମାଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସମୟରେ ଭବିଷ୍ୟତକୁ ଆଖିରେ ରଖି ଭିତ୍ତିଭୂମି ଓ ଆଧୁନିକୀକରଣ ଉପରେ ଗୁରୁତ୍ବଦେଇ ଯୋଜନା କରିବା ନିତାନ୍ତ ଜରୁରୀ। ଉଦାହରଣ ସ୍ବରୂପ ବର୍ତ୍ତମାନ ପରିପ୍ରେକ୍ଷୀରେ କଟକ ଓ ପୁରୀ ସହରର ଇନ୍‌ଫ୍ରାଷ୍ଟ୍ରକଚର୍‌, ସଫେଇ ଏବଂ ନର୍ଦମା ବ୍ୟବସ୍ଥା ଶ‌େହବର୍ଷ ତଳର। ମରାମତି ନୁହେଁ, ଆଧୁନିକ ଢାଞ୍ଚାରେ ଏହାର ପୁନଃନିର୍ମାଣର ଆବଶ୍ୟକତା। ସେହିପରି ଗ୍ରାମାଞ୍ଚଳ ଓ ବସ୍ତିର ପୁନଃନିର୍ମାଣ ପ୍ରକଳ୍ପରେ ଶିକ୍ଷାନୁଷ୍ଠାନ, ପାଠାଗାର, ହସପିଟାଲ, ସଫେଇ ବ୍ୟବସ୍ଥା ଇତ୍ୟାଦିର ଆବଶ୍ୟକତା ଅପରିହାର୍ଯ୍ୟ।
ଯୋଜନାଗୁଡ଼ିକୁ ଛୋଟ ଓ ବଡ଼ ପ୍ରକଳ୍ପରେ ବିଭକ୍ତ କରାଯାଉ। ଯୋଜନା ଖସଡ଼ା ଓ ସେଗୁଡ଼ିକର ଆର୍ଥିକ ଆକଳନ ସରକାରୀ ୱେବସାଇଟରେ ଜନସାଧାରଣଙ୍କ ଅବଗତ ନିମନ୍ତେ ପ୍ରକାଶ କରାଯିବା ଉଚିତ। ଏତଦ୍‌ଦ୍ବାରା ଅନେକ ସାଧାରଣ ନାଗରିକ ଏବଂ ସଂଗଠନ ଗୁଡ଼ିକ ନିଜନିଜର ଇଚ୍ଛା ଓ ସମ୍ବଳ ମୁତାବକ ପ୍ରକଳ୍ପଗୁଡ଼ିକ ପାଇଁ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସିବେ।
ୱେବସାଇଟରୁ ପ୍ରକଳ୍ପ ମନୋନୟନ କରି ଇଚ୍ଛୁକ ବ୍ୟକ୍ତି ତଥା ସଂଗଠନ ଯେପରି ସିଧାସଳଖ ଆଞ୍ଚଳିକ(ଲୋକାଲ), ଯଥା- ବ୍ଲକ ଏବଂ ମ୍ୟୁନିସିପାଲିଟି ଅଫିସ ମାଧ୍ୟମରେ ଅର୍ଥରାଶି ଅନୁଦାନ ସହ ପ୍ରକଳ୍ପର ପରିଯୋଜନାରେ ନିଜକୁ ସଂପୃକ୍ତ କରିପାରିବେ ସେଥିପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ।
ରାଜ୍ୟ ତଥା ଦେଶ ବାହାରେ ଥିବା ଓଡ଼ିଆମାନେ ଏହି ପ୍ରକଳ୍ପ ମାଧ୍ୟମରେ ନିଜକୁ ମାତୃଭୂମି ସହ ଯୋଡ଼ି ରଖିପାରିବେ ଏବଂ ନିଜର ପିଲାମାନଙ୍କୁ ଓଡ଼ିଶା ଓ ଓଡ଼ିଶାର ସଂସ୍କୃତିସହ ଅନ୍ତରଙ୍ଗ ପରିଚୟ କରିପାରିବାର ସୁଯୋଗ ପାଇବେ।
ଓଡ଼ିଶାର ଏକ ବୃହତ ସମସ୍ୟା ହେଉଛି ଓଡ଼ିଆ ଦାଦନ ଶ୍ରମିକ। ଘୋର ଆର୍ଥିକ ଅନଟନର ସମ୍ମୁଖୀନ ହୋଇ ନିଜର ପରିବାର ଓ ପିଲାମାନଙ୍କୁ ଭରଣପୋଷଣ କରିବାରେ ଅସମର୍ଥ ହେବାରୁ ଅନେକ ଓଡ଼ିଆ ବିଭିନ୍ନ ରାଜ୍ୟକୁ ପଳାଇ ଯାଇ ଦାଦନ ଖଟୁଛନ୍ତି ନିଜର ଜୀବନକୁ ବିପନ୍ନ କରି। ରାଜ୍ୟ ଏବଂ ରାଜ୍ୟ ପ୍ରଶାସନ ପାଇଁ ଏହା ଏକ କଳଙ୍କ। ଓଡ଼ିଶା ପୁନଃନିର୍ମାଣରେ ଓଡ଼ିଆ ଶ୍ରମିକମାନଙ୍କୁ ନିଯୁକ୍ତି ଦିଆଯାଉ ଏବଂ ରାଜ୍ୟରେ ‘ଜିରୋ ଦାଦନ’ର ଲକ୍ଷ୍ୟ ଧାର୍ଯ୍ୟ କରି ଏହାର ସଫଳ ପ୍ରୟୋଗ କରାଯାଉ। ଏତଦ୍‌ ଦ୍ବାରା ଓଡ଼ିଶା ପୁନଃନିର୍ମାଣ ପ୍ରକଳ୍ପରେ ରାଜ୍ୟର ଗରିବରୁ ଅତିଗରିବ ପରିବାର ଉପକୃତ ହେବେ ଯାହାକି ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବ। ସାମାଜିକ, ଆର୍ଥିକ ଓ ରାଜନୈତିକ ବିଭେଦଠାରୁ ଦୂରେଇ ରହି ପ୍ରତ୍ୟକ ଓଡ଼ିଆ ଓଡ଼ିଶାର ପୁନଃନିର୍ମାଣ ପାଇଁ ଆଗେଇ ଆସି ଓଡ଼ିଶାକୁ ଏକ ପ୍ରଗତିଶାଳୀ ରାଜ୍ୟରେ ପରିଣତ କରିବେ ବୋଲି ଆଶା ଓ ବିଶ୍ବାସ।
ରାଜନୀତି ଓଡ଼ିଶାର ପ୍ରଗତିରେ ପ୍ରତିବନ୍ଧକ ନହେଉ। ଆଗାମୀ କାଲିର ଓଡ଼ିଶା ବିଜେଡି, ବିଜେପି କି କଂଗ୍ରେସର ନୁହେଁ, ଓଡ଼ିଆଙ୍କର ସମୃଦ୍ଧିଶାଳୀ ଓଡ଼ିଶା ହେଉ।
ଓଡ଼ିଶାର ପୁୁନଃନିର୍ମାଣ- ରିବିଲଡ ଓଡ଼ିଶାର ଶିଳାନ୍ୟାସ ନୀଳାଚଳ ଧାମ ପୁରୀରୁ ଆରମ୍ଭ ହେଉ। ଏହାହିଁ ଶ୍ରୀଜଗନ୍ନାଥଙ୍କର ଇଚ୍ଛା।
ନ୍ୟୁଜର୍ସି, ୟୁୁଏସଏ
[email protected]

Comments
Loading...