ପୋଲାଭରମ ପ୍ରକଳ୍ପ ନିର୍ମାଣ ରୋକିବା କୁ ‘ରୋଲା’ର ଆବେଦନ

0

ନୂଆଦିଲ୍ଲୀ: ବିନା ପରିବେଶ ମଞ୍ଜୁରିରେ ଚାଲିଥିବା ବିବାଦୀୟ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ରୋକିବା ପାଇଁ ତେଲେଙ୍ଗାନାର ଅନୁଷ୍ଠାନ ‘ରେଲା’ର ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ପୋଲାଭରମ ପ୍ରକଳ୍ପ ପ୍ରାଧିକାରଣ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ତିନି ସପ୍ତାହ ମଧ୍ୟରେ ଜବାବ ଦେବାକୁ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ରେଲା ପକ୍ଷରୁ ପିଟିସନରେ ଦର୍ଶାଯାଇଛି ଯେ ପ୍ରକଳ୍ପ ନିର୍ମାଣ ପାଇଁ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ପାଖରେ ଆବଶ୍ୟକୀୟ ପରିବେଶ ମଞ୍ଜୁରି ନାହିଁ। ସ୍ଥାନୀୟ ଅଞ୍ଚଳରେ ଅଦ୍ୟାବଧି ଜନଶୁଣାଣି ହୋଇ ନାହିଁ। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦେଶ ଦେବାକୁ ଆଜି ମାମଲାର ଶୁଣାଣି ବେଳେ ରେଲାର ଓକିଲ ଜୟନ୍ତ ଭୂଷଣ ନିବେଦନ କରିଥିଲେ। ଆନ୍ଧ୍ର ପ୍ରଦେଶ ସରକାରଙ୍କ ଓକିଲ ଅଶୋକ ଗାଙ୍ଗୁଲିଙ୍କ ବିରୋଧ ପରେ ମଧ୍ୟ ସୁପିମକୋର୍ଟ ରେଲା ଆବେଦନକୁ ଗ୍ରହଣ କରି ନୋଟିସ ଜାରି କରିଥିଲେ। ପୂର୍ବରୁ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ୨୦୧୧ର ପୂର୍ବ ଆଦେଶ ଉପରେ ପୁଣି ଏକ ବର୍ଷ ପାଇଁ ସ୍ଥଗିତାଦେଶ ଜାରି କରିବା ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆପତ୍ତି ଦର୍ଶାଇଛନ୍ତି। କେନ୍ଦ୍ର ସରକାର ଅହେତୁକ ଭାବେ ପୋଲାଭରମ ପ୍ରକଳ୍ପକୁ ଅନୁକମ୍ପା ଦେଖାଇ ଗତ ଜୁଲାଇ ୧୦ରେ ଲଗାତାର ଭାବେ ଚତୁର୍ଥ ଥର ପାଇଁ କାର୍ଯ୍ୟ ବନ୍ଦ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଥିଲେ। ପୋଲାଭରମ ବିବାଦ ନେଇ ଓରିଜିନାଲ ସୁଟର ଶୁଣାଣି ବେଳେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ମାମଲାର ଦସ୍ତାବିଜ ଖଣ୍ଡପୀଠର ଅନ୍ୟତମ ବିଚାରପତି ଅବଦୁଲ ଏସ ନଜିରଙ୍କ ନିକଟରେ ପୂର୍ବରୁ ଉପସ୍ଥାପନ କରି ନ ଥିବାର ଜଣାପଡ଼ିଥିଲା; ଫଳରେ ମୂଳ ମାମଲା ଶୁଣାଣିର ଅଗ୍ରଗତି ହୋଇପାରି ନ ଥିଲା।

Leave A Reply