ପୂର୍ବଭାରତର ସର୍ବବୃହତ କାର୍ଯ୍ୟାଳୟ ଧର୍ମପଦ ଭବନ ଲୋକାର୍ପିତ

0

ଭୁବନଶ୍ୱେର: ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ପୂର୍ବଭାରତର ସର୍ବବୃହତ୍‍ ସରକାରୀ କାର୍ଯ୍ୟାଳୟ ‘ଧର୍ମପଦ ଭବନ’ ଉଦ୍‍ଘାଟିତ ହୋଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ କ୍ଷେତ୍ରରେ ଏହି ଭବନ ଆଗାମୀ ଦିନରେ ଏକ ହବ୍‍ ଭାବେ ପରିଗଣିତ ହେବାକୁ ଯାଉଛି।
ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ଅଧୀନରେ ୧,୧୦,୦୦୦ ବର୍ଗ ଫୁଟ୍‍ରେ ନିର୍ମିତ ଏହି ଅଟ୍ଟାଳିକା ସବୁଜ ପରିବେଶ ଅନୁକୂଳ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି। ସେଠାରେ ଜାତୀୟ ସମନ୍ୱିତ ବଜାର ବିକାଶ କେନ୍ଦ୍ର, ଜାତୀୟ ଦକ୍ଷତା ବିକାଶ ନିଗମ, ଜାତୀୟ ଦକ୍ଷତା ତାଲିମ୍‍ ଅନୁଷ୍ଠାନ ପରି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା କାର୍ଯ୍ୟ କରିବ। ଏଥିସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ଦ୍ୱାରା ପ୍ରତିଷ୍ଠିତ ଏମ୍‍ଏସ୍‍ଏମ୍‍ଇ ପାଇଁ ଏକ ହବ୍‍ ଭାବେ କାର୍ଯ୍ୟ କରିବ। ଗୋଟିଏ ଛାତ ତଳେ ଆର୍ଥିକ, ବଜାର, ବୈଷୟିକ ଜ୍ଞାନକୌଶଳ ସହାୟତା, ପଞ୍ଜିକରଣ ସୁବିଧା ଯୋଗାଇ ଦେବ। ସେଠାରେ ବୟନ ଶିଳ୍ପ ଓ ଶିଳ୍ପୀଙ୍କ ଉନ୍ନତି ଓ ବିକାଶ ଲାଗି ତାଲିମ୍‍ ତଥା ନିଯୁକ୍ତି ୟୁନିଟ୍‍ ଉଦ୍‍ଘାଟିତ ହୋଇଛି।


ଧର୍ମପଦ ଭବନରେ ଆଜିଠାରୁ ଜାତୀୟ ଏସ୍‍ସିଏସଟି ହବ୍‍ (ଏନଏସଏସ୍‍ଏଚ୍‍)ର ସମାବେଶ ଓ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ,ବିଭିନ୍ନ ବ୍ୟାଙ୍କ, ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଯୋଗ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି, ଋଣ ସହାୟତା, ବିଭିନ୍ନ ଜ୍ଞାନକୌଶଳ ଓ ବୈଷୟିକ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ଅବଗତ କରାଯିବ। ସରକାରୀ ଯୋଜନା ଓ ରୂପାୟନ ମଧ୍ୟରେ ରହି ଯାଉଥିବା ଦୂରତାକୁ ଏହି କନ୍‍କ୍ଲେଭ୍‍ ମାଧ୍ୟମରେ ଦୂର କରିବାକୁ ଚେଷ୍ଟା କରାଯିବ।
ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍‍, କେନ୍ଦ୍ର ଏମ୍‍ଏସ୍‍ଏମ୍‍ଇ ସଚିବ ଗିରିରାଜ ସିଂହଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply