ପୁନଶ୍ଚ ସଂରକ୍ଷଣ

0

ଭାରତବର୍ଷରେ ସଂରକ୍ଷଣ ସର୍ବଦା ଏକ ଚର୍ଚିତ ଓ ବିବାଦୀୟ ବିଷୟ। କୌଣସି ନା କୌଣସି ରାଜ୍ୟରେ ଏହାକୁ ନେଇ ବାରମ୍ବାର ଆନ୍ଦୋଳନ ଚାଲୁଥିବା ଦେଖାଯାଏ। ନିକଟରେ ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟ ଦୀର୍ଘକାଳ ଧରି ଆନ୍ଦୋଳନ କରିବା ପରେ ସେଠା ରାଜ୍ୟ କ୍ୟାବିନେଟ୍ ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ସେମାନଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ କରିଛନ୍ତି। ତେବେ ତାହା ବିଧାନସଭାରେ ଗୃହୀତ ହେବା ବାକି ଅଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ପ୍ରସ୍ତାବ ଅଦାଲତୀ କଷଟିରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ଖୁବ୍ କମ୍। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଷ୍ଟେଟ୍ ବ୍ୟାକ୍‌ୱାର୍ଡ କ୍ଲାସ୍ କମିସନ (ଏସ୍‌ବିସିସି)ର ରିପୋର୍ଟ ଅନୁଯାୟୀ ମରାଠାମାନେ ସାମାଜିକ ଓ ଶୈକ୍ଷିକ କ୍ଷେତ୍ରରେ ପଛୁଆ (ଏସ୍‌ଇବିସି) ଶ୍ରେଣୀର ବୋଲି କୁହାଯାଇଥିବାରୁ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ଦିଆଯିବା ଉଚିତ ବୋଲି କହିଛନ୍ତି; କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶ ଅନୁଯାୟୀ ୫୦ ଶତାଂଶରୁ ଅଧିକ ସଂରକ୍ଷଣ କୌଣସି ସ୍ଥିତିରେ ଦିଆଯାଇପାରିବ ନାହିଁ। ଯଦି ମରାଠାଙ୍କୁ ସଂରକ୍ଷଣ ପ୍ରଦାନ କରାଯାଏ, ତେବେ ମହାରାଷ୍ଟ୍ରରେ ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ୬୮ ଶତାଂଶ ହେବ। ଅତଏବ ଆଇନାନୁଯାୟୀ ଅବୈଧ ଘୋଷିତ ହେବା ପ୍ରାୟ ନିଶ୍ଚିତ। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପୂର୍ବ କଂଗ୍ରେସ-ଏନ୍‌ସିପି ମେଣ୍ଟ ସରକାର ମଧ୍ୟ ଠିକ୍ ଏହିଭଳି ଭାବେ ୨୦୧୪ରେ ମରାଠାଙ୍କ ପାଇଁ ୧୬ ଶତାଂଶ ସଂରକ୍ଷଣ ପ୍ରସ୍ତାବ ଆଗତ କରିଥିଲେ, କିନ୍ତୁ ତାହା ବମ୍ବେ ଉଚ୍ଚ ନ୍ୟାୟାଳୟ ଦ୍ବାରା ସ୍ଥଗିତ ହୋଇଥିଲା।
ମରାଠାଙ୍କ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଫଡ଼ନବିସ ସରକାରଙ୍କ ଏହା ଏକ ସାମୟିକ ରାଜନୈତିକ ରଣନୀତି, ଏଥିରେ କୌଣସି ସନ୍ଦେହ ନାହିଁ। ସେମିତି ଦେଖିଲେ, ମରାଠା ସମ୍ପ୍ରଦାୟର ଅଧିକାଂଶ ଲୋକ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନ୍ୟ ଉଚ୍ଚ ବର୍ଗ ଓ ଜାତି ସହ ସମକକ୍ଷ। ପୂର୍ବରୁ ପ୍ରକାଶିତ ତିନିଟି ଏସ୍‌ବିସିସି ରିପୋର୍ଟ ଏହା ହିଁ କହୁଛି। ତେଣୁ ସେମାନଙ୍କ ସଂରକ୍ଷଣ ଦାବି ସଂପୂର୍ଣ୍ଣ ଯଥାର୍ଥ ନୁହେଁ। ତେବେ ଏହା ସତ୍ୟ ଯେ ଉପଯୁକ୍ତ ନିଯୁକ୍ତି ଅଭାବ ଓ କୃଷିସଙ୍କଟ କାରଣରୁ ଏହି ସମ୍ପ୍ରଦାୟର ସବୁ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନୁହେଁ। ହରିୟାଣାର ଜାଟ୍, ଗୁଜରାଟର ପଟେଲ ଓ ଆନ୍ଧ୍ରପ୍ରଦେଶର କାପୁଙ୍କ ପରି ଏମାନେ ମଧ୍ୟ ବିଭିନ୍ନ ସଙ୍କଟ ଦେଇ ଗତିକରୁଥିବାରୁ ସଂରକ୍ଷଣ ଦାବି କରିଆସୁଛନ୍ତି; କିନ୍ତୁ ସଂରକ୍ଷଣ ଯେ ସମାଧାନର ଏକ ଉପଯୁକ୍ତ ରାସ୍ତା ତାହା କୁହାଯାଇପାରିବ ନାହିଁ; କାରଣ ଏହାଦ୍ବାରା ଉପରୋକ୍ତ ସମସ୍ୟାସବୁର ସମାଧାନ ସମ୍ଭବ ନୁହେଁ। ସରକାର ଆବଶ୍ୟକ ନିଯୁକ୍ତି ସୃଷ୍ଟି କରିବା ସହ ଦୀର୍ଘକାଳ ଧରି ଲାଗିରହିଥିବା କୃଷି ସଙ୍କଟର ସମାଧାନ ପାଇଁ ଉଦ୍ୟମ କରିବା ଦରକାର। ପ୍ରକୃତ ପ୍ରସଙ୍ଗକୁ ଏଡ଼ାଇ ସଂରକ୍ଷଣ ପ୍ରସ୍ତାବ ଗୃହୀତ କରାଇଦେଲେ ସମସ୍ୟା ବଢ଼ିବ ସିନା, କମିବ ନାହିଁ।

Comments
Loading...