ପରିଶୁଦ୍ଧ ଅନ୍ତର

0

ଧର୍ମଂ ଶରଣଂ ଗଚ୍ଛାମି, ମହାମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଯେଉଁମାନେ ବୌଦ୍ଧଧର୍ମରେ ଦୀକ୍ଷିତ ହେଉଥିଲେ, ଏହା ମୂଳରେ ଥିଲା ନିର୍ବାଣ ବା ମୋକ୍ଷପ୍ରାପ୍ତିର ଅଭୀପ୍‌ସା। ଦୁଃଖପୂର୍ଣ୍ଣ ସଂସାରରୁ ମୁକ୍ତିଲାଭ ନିମନ୍ତେ ତଥାଗତ ସେମାନଙ୍କୁ ମୁକ୍ତି ମନ୍ତ୍ରରେ ଅଭିମନ୍ତ୍ରିତ କରିଥିଲେ। ​‌େ‌ମାକ୍ଷପ୍ରାପ୍ତି ନିମନ୍ତେ ସେ ସମୟରେ ସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଜାଗରଣ ଦେଖାଦେଇଥିଲା।
ସେ ଦିନ ଜଣେ ଧନାଢ଼୍ୟ ବ୍ୟକ୍ତି ବୌଦ୍ଧ ଧର୍ମର ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ତଥାଗତଙ୍କ ଦ୍ବାରସ୍ଥ ହୋଇଥିଲେ ଏହି ଧର୍ମ ଗ୍ରହଣ ନିମ​‌ନ୍ତେ, ପ୍ରାର୍ଥନା କରିଥିଲେ ତାଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରିବା ନିମନ୍ତେ। ତଥାଗତ ତାଙ୍କୁ କଥା ଦେଲେ- ‘ମୁଁ ଆଗାମୀ ପୂର୍ଣ୍ଣିମାରେ ତୁମଠାରୁ ଭିକ୍ଷା ସଂଗ୍ରହ କରିବି ଏବଂ ସେ ସମୟରେ ଯଦି ମୋତେ ଉଚିତ ବୋଧହୁଏ ତା’ହେଲେ ତୁମକୁ ଦୀକ୍ଷିତ କରାଇବି। ମନେରଖ, ମୋତେ ଉଚିତ ବୋଧ ନ​‌େ​‌ହଲେ ଏହି ଦୀକ୍ଷା ତୁମକୁ ଦେଇ ନପାରେ।’
ଧନାଢ଼୍ୟ ବ୍ୟକ୍ତି ପ୍ରସନ୍ନତା ପୂର୍ବକ ଅପେକ୍ଷା କଲେ ପୂର୍ଣ୍ଣିମାକୁ। ଶେଷରେ ବହୁ ପ୍ରତୀକ୍ଷିତ ସେହି ପୂର୍ଣ୍ଣିମା ଆସିଥିଲା। ତଥାଗତଙ୍କ ସମ୍ଭାଷଣ ଉଦ୍ଦେଶ୍ୟରେ ଧନୀ ବ୍ୟକ୍ତି ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ଦେଇଥିବା କଥା ଅନୁସାରେ ତଥାଗତ ତାଙ୍କ ଗୃହରେ ପହଞ୍ଚିଥିଲେ। ସମ୍ପଦଶାଳୀ ବ୍ୟକ୍ତି ଭାବରେ ନିଜର ପରିଚିତି ସାବ୍ୟସ୍ତ କରିବାକୁ ତଥାଗତଙ୍କୁ ସୁନା ଓ ଚାନ୍ଦିର ଥାଳିରେ ଖାଦ୍ୟ ପରିଷିବା ସହ ଭିକ୍ଷା ପ୍ରଦାନ କରିବାକୁ ମନସ୍ଥ କରିଥିଲେ। ତଦନୁଯାୟୀ ତଥାଗତଙ୍କୁ ଯଥୋଚିତ ସତ୍କାର ପୂର୍ବକ ସେଥିରେ ଖାଦ୍ୟ ପରିବେଷଣ କରିବାକୁ ଗଲାବେଳେ ତଥାଗତ ଏହାକୁ ବାରଣ କରି ମାଟିର ପାତ୍ରରେ ଦେବାକୁ କହିଥିଲେ।
ଏହି ଘଟଣାରେ ଧନିକ ନିଜକୁ ଅପମାନିତ ମନେ କରିଥିଲେ। କାରଣ ମାଟିର ପାତ୍ର ତାଙ୍କର ବୈଭବର, ଅହମିକାର ପରିଚାୟକ ନଥିଲା। ତଥାପି ପାତ୍ର ଧୋଇ ତଥାଗତଙ୍କୁ ଖାଦ୍ୟ ଦେଇଥିଲେ। ତଥାଗତ ଖାଇସାରି ଭିକ୍ଷା ଗ୍ରହଣ କରି ସେଠାରୁ ଯିବାକୁ ବାହାରନ୍ତେ ଧନିକ ଅନୁରୋଧ କରିଥିଲେ ଦୀକ୍ଷା ଦେବା ନିମନ୍ତେ। ତଥାଗତ ତାଙ୍କ ଉଦ୍ଦେଶ୍ୟରେ କହିଥିଲେ- ‘ଭଦ୍ରେ! ଯେପରି ମାଟି ପାତ୍ର​‌େ​‌ର ବ୍ୟଞ୍ଜନ ପରଷିଲେ ଖାଦ୍ୟର ମାନ ନଷ୍ଟ ହୋଇଯିବ ବୋଲି ଏହାକୁ ଧୋଇ ଶୁଦ୍ଧ ପାତ୍ରରେ ପରିବେଷଣ କରିଥିଲ, ଠିକ୍‌ ସେହିପରି ଅଶୁଦ୍ଧ ଚିତ୍ତ ଦୀକ୍ଷାଗ୍ରହଣ ଉପଯୋଗୀ ନୁହେଁ। ଅହଂକାରୀ ଦୀକ୍ଷାନେଇ କିଛିଲାଭ ନାହିଁ, ଏହା ନିଷ୍ଫଳ ହୋଇଯିବ। ଗୋଳିଆ ପାଣିରେ ଯେପରି ନିର୍ମଳ ଆକାଶର ଛବି ପ୍ରତିବିମ୍ବିତ ହୋଇ ନଥାଏ, ଠିକ୍‌ ସେହିପରି ଆବିଳତାପୂର୍ଣ୍ଣ ହୃଦୟରେ କୌଣସି ଶୁଦ୍ଧ ଚିନ୍ତା, ଚେତନା, ଭାବ, ସ୍ଥାନ ପାଇ ପାରେ ନା। ପ୍ରଥମେ ନିଜର ମଇଳା ଅନ୍ତରକୁ ପରିଶୁଦ୍ଧ କର । ସକଳ ପ୍ରକାର ଅହଂକାର ମନଭିତରୁ ଦୂର କରିଦିଅ। ତା’ପରେ ତୁମେ ଦୀକ୍ଷା ଗ୍ରହଣଯୋଗ୍ୟ ହୋଇପାରିବ।’

Leave A Reply