ପଦୋନ୍ନତି ଓ ଆତ୍ମୋନ୍ନତି

ବ୍ରହ୍ମଚାରୀ ସତ୍ୟଚୈତନ୍ୟ

କର୍ମ କ୍ଷେତ୍ରରେ ମଣିଷ ବେଳେବେଳେ ନିଜ ପଦରୁ ଉପର ପାହ୍ୟାକୁ ଯାଏ। ଏହାର ନାମ ପଦୋନ୍ନତି ବା ପ୍ରମୋସନ। ପଦୋନ୍ନତିରେ ବ୍ୟକ୍ତିର ଯୋଗ୍ୟତା, କର୍ମ ଦକ୍ଷତାର ପ୍ରମାଣ ମିଳେ। ତହିଁ ଅନୁପାତରେ ଦରମା, ସମ୍ମାନ, ଦାୟିତ୍ୱ ମଧ୍ୟ ବଢ଼ିଯାଏ। ପୂର୍ବ ଅପେକ୍ଷା ସାର୍‍/ ମ୍ୟାଡ଼ାମ୍‍ ଡାକ ଅଧିକ ଶୁଣିବାକୁ ମିଳେ। ଦସ୍ତଖତର ମୂଲ୍ୟ, ଆସନ, ଖାତିର୍‍, ଲୋକ ସମ୍ପର୍କ ଅଧିକ ହୁଏ। ଚିକିତ୍ସା, ଗାଡ଼ି, ମୋବାଇଲ୍‍, ପାଣି, ଆଲୁଅ, ଗସ୍ତଖର୍ଚ୍ଚ ଭଳି ଅନେକ ସୁବିଧା ମାଗଣାରେ ମିଳିଯାଏ। କାହା ପାଇଁ ବୋଲହାକ କରିବାକୁ କିଛି ଲୋକ ବି ଯୋଗେଇ ଦିଆଯାଏ। ତେଣୁ ମଣିଷ ଭିତରେ ଅଜଣା ଅହମିକା ବସାବାନ୍ଧେ। ଅଭିମାନର ଚେର ଧୀରେଧୀରେ ଗହୀରକୁ ଯାଏ। କ୍ଷମତାର ଡର ଦେଖେଇ କିଛି ଫାଇଦା ନେଇହୁଏ। ନଚାହିଁଲେ ବି ହାତଗୁଞ୍ଜା ମିଳେ। ଚୋରି, ଠକାମି, ଶୋଷଣ ଇତ୍ୟାଦି ହାତ ପାଆନ୍ତାକୁ ଆସିଯାଏ। ଏହାକୁ ଉପୁରି ନାଁ ଦିଅନ୍ତି। ସେଥିପାଇଁ ଅନେକ ମଣିଷ ପଦୋନ୍ନତି ପାଇବାକୁ ଚାହିଁ ଥାଆନ୍ତି। ଉଚ୍ଚପଦସ୍ଥ ଅଫିସର୍‍ଙ୍କୁ ଧରାଧରି କରନ୍ତି। ପଦୋନ୍ନତି ପରେ ଗାଡ଼ି, ଘର, ପୋଷାକ, ଆସବାବପତ୍ର, ଦାମୀ ଜିନିଷ ଅଣାଯାଏ। ପରିବାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଆଡ଼ମ୍ବର ରଖାଯାଏ। ଘର ସାଜସଜ୍ଜା ବଦଳାଯାଏ। ଏ ସବୁ ପଦୋନ୍ନତିର ସୂଚନା। ଏହାର ଅନ୍ୟନାମ ଷ୍ଟାଟସ୍‍। ପଦୋନ୍ନତି ପରେ ସାଧାରଣ ମଣିଷ ନିଜକୁ ଅସାଧାରଣ ମନେକରନ୍ତି। ଚାକରବାକରଙ୍କୁ ‘ତମେ’ ରୁ ‘ତୁ’ କହନ୍ତି। ସାଧାରଣ ଲୋକଙ୍କ ସହିତ ସହଜରେ ମିଶି ପାରନ୍ତିନି। ଏମିତିକି ପାଖ ମଣିଷମାନେ ବି ଅବହେଳିତ ହେଲାପରି ମନେହୁଏ। ନିଜର କ୍ଷମତା ନିଜ ଦେହରେ ଅଙ୍କୁଶ ଲଗେଇଦିଏ। ଚାଲି, ଚଳଣି, କଥାବାର୍ତ୍ତା, ହାବଭାବ ସବୁକିଛି ମାପଚୁପରେ ପଡ଼ିଯାଏ। ଭଲରେ ପଦେ କଥା ହବାକୁ ସମୟ ନଥାଏ। ଫୋନ୍‍ରେ ସମ୍ପର୍କ ରଖାଯାଏ। ଉଚ୍ଚପଦସ୍ଥ ମଣିଷକୁ କିଛି ଲୋକ ସ୍ୱାର୍ଥ ବା ଭୟରେ ସମ୍ମାନ ଦିଅନ୍ତି। ନହେଲେ ଖୁବ୍‍ କମ୍‍ ଲୋକ ଶ୍ରଦ୍ଧାରେ ମାନନ୍ତି। ତଥାକଥିତ ସଭ୍ୟ, ସାକ୍ଷର ସମାଜ ଏକ ଅଣନିଃଶ୍ୱାସୀ ଦୌଡ଼କୁ ପଦୋନ୍ନତି ମନେକରନ୍ତି। ଯୋଉ ପଦୋନ୍ନତିରେ ମଣିଷ ଅଶାନ୍ତ, ଅଧୈର୍ଯ୍ୟ, ଅମଣିଷ ହୁଏ, ଅସ୍ତବ୍ୟସ୍ତ ହୋଇ ଜୀବନ ଯିଏ, ଚାରିତ୍ରିକ ସ୍ଖଳନ ଘଟେ ତାହା ପଦୋନ୍ନତି ନା ଅବନତି! କିନ୍ତୁ ପ୍ରକୃତ ଶିକ୍ଷିତ ସମାଜଙ୍କ ଦୃଷ୍ଟିରେ ପଦୋନ୍ନତିର ତରିକା ହେଉଛି- ଅଶାନ୍ତିରୁ ପ୍ରଶାନ୍ତିକୁ ଯାତ୍ରା, ଅମଣିଷରୁ ମଣିଷ ଆଡ଼କୁ ଯାତ୍ରା। ଦୟା, କ୍ଷମା, ପ୍ରେମ, ସତ୍ୟ, ନମ୍ରତା ଭଳି ସୁଗୁଣ ଦିଗକୁ ଯାତ୍ରା। ସେଥିପାଇଁ କିଛି ମଣିଷ ପଦୋନ୍ନତି ନୁହେଁ; କର୍ମକୁ ଗୁରୁତ୍ୱ ଦିଅନ୍ତି। ପଦ- ପ୍ରତିଷ୍ଠାର ମୋହକୁ ଭୁଲିଯିବା ହିଁ ପ୍ରକୃତ ପଦୋନ୍ନତି। ଆତ୍ମିକ ସ୍ତରରେ ଉନ୍ନତି କରିଥିବା ବ୍ୟକ୍ତିଙ୍କୁ ପଦୋନ୍ନତିର ମୋହ ଟଳେଇ ପାରେନା।
ଚାକିରି ବ୍ୟତୀତ ପରମାତ୍ମା ତ ସମସ୍ତଙ୍କୁ ପଦୋନ୍ନତି ଦିଅନ୍ତି। ଶିଶୁରୁ କୈଶୋର, କୈଶୋରରୁ ଯୌବନ ଏହି କ୍ରମରେ ବାର୍ଦ୍ଧକ୍ୟ ଓ ମୃତ୍ୟୁ ଆଡ଼କୁ ଯାତ୍ରା କ’ଣ ମଣିଷର ପଦୋନ୍ନତି ନୁହେଁ ? ଅନେକ ମଣିଷ ନିଜର ଗେଟ୍‍, ପ୍ୟାଡ଼ ପେପର, ଷ୍ଟାମ୍ପ୍‍ ଏବଂ ନିଜର ନାମ ପୂର୍ବରୁ ପାଇଥିବା ଉପାଧିକୁ ଲେଖନ୍ତି। ଜଣେଇ ହୁଅନ୍ତି, କିନ୍ତୁ ପ୍ରକୃତି ଦତ୍ତ ପଦୋନ୍ନତି ବିଷୟରେ ଜଣେବାକୁ ପଡ଼େନା। ସମସ୍ତେ ଜାଣନ୍ତି। ଶିଶୁଟିଏ ଯୁବକ ହେଲେ ତାକୁ କେହି ପୁରସ୍କାର ଦିଅନ୍ତିନି। ଯୁବକଟିଏ ବୃଦ୍ଧ ହେଇଗଲେ ତାକୁ ସମ୍ବର୍ଦ୍ଧିତ କରାଯାଏନା। ପରମାତ୍ମା ସମସ୍ତଙ୍କୁ ଠିକଣା ସମୟରେ ପଦୋନ୍ନତି ଦିଅନ୍ତି। ବାର୍ଦ୍ଧକ୍ୟ ରୂପକ ପଦୋନ୍ନତିକୁ କିଛି ଲୋକ ପ୍ରତ୍ୟାଖ୍ୟାନ କରନ୍ତି। କେଶଠୁ ବେଶ ପର୍ଯ୍ୟନ୍ତ ନିଜକୁ ଯୁବକ ବେଶରେ ସଜାନ୍ତି। ମଣିଷଠୁ ମିଳିଥିବା ପଦୋନ୍ନତିକୁ ଯାବୋଡ଼ି ଧରନ୍ତି, କିନ୍ତୁ ପରମାତ୍ମାଙ୍କ ଦତ୍ତ ପଦୋନ୍ନତିକୁ ହେୟ ମନେକରନ୍ତି। ହେଲେ ପରମାତ୍ମା ଯାହା ଦିଅନ୍ତି ବା ନିଅନ୍ତି ତାକୁ କିଏ ଫାଙ୍କିବ ! ଆମେ ଯେତେ ଯୋଜନା କଲେ ବି ସେ ଯୌବନ ନେଇ ଯାଆନ୍ତି। ବାର୍ଦ୍ଧକ୍ୟ ଦିଅନ୍ତି। ମଣିଷର ଇଚ୍ଛା ନଥାଏ। ତଥାପି ଜରା, ବ୍ୟାଧି, ମୃତ୍ୟୁ ଭଳି ଅନେକ ଅତିଥି ଆସନ୍ତି। ପ୍ରକୃତି କେବେ ବି ମଣିଷର ପଦ-ପ୍ରତିଷ୍ଠାରେ ପ୍ରଭାବିତ ହୁଏନା। ନିଅାଁ ପୋଡ଼ିଲା ବେଳେ ବୁଝେନା କିଏ ଭିକାରି କିଏ ସମ୍ରାଟ। ଭୂଇଁ, ପାହାଡ଼, ପାଣି, ପବନ, ଆକାଶ, ଏମାନଙ୍କ ବିଚାର ସମସ୍ତଙ୍କ ପାଇଁ ସମାନ। ଏହି ଅକାଟ୍ୟ ସତ୍ୟକୁ ହୃଦୟଙ୍ଗମ କଲେ ନିଜ ଭିତରୁ ପଦୋନ୍ନତିର ଅଭିମାନ ଚାଲିଯିବ। ଆତ୍ମସମୀକ୍ଷା କରିବା ସହଜ ହବ। ମଳିଥିବା ପଦପଦବୀ ତୁଚ୍ଛ ଲାଗିବ। ଆହୁରି ଗହୀରକୁ ଚିନ୍ତାକଲେ ଜଣାଯିବ ନିଜ ବିବେକ କହୁଛି- ‘ମଣିଷ! ପଦ, ପ୍ରତିଷ୍ଠା, ଅଭିମାନ ଏ ସବୁ ତ ଅଳିକ। ପରମାତ୍ମା ତୁମକୁ ସୁନ୍ଦର ଜୀବନଟିଏ ଦେଇଛନ୍ତି। କୃପାକରି ବଞ୍ଚେଇ ରଖିଛନ୍ତି। ତାହା ତ ତୁମ ପାଇଁ ବିଜୟର କୀର୍ତ୍ତି କେତନ। ଏ ଶରୀରରୁ ଆତ୍ମା ବାହାରି ଗଲେ ସବୁ ପଦ, ପ୍ରତିଷ୍ଠା ତୁଚ୍ଛ। ଏଇଠୁ ସାଉଣ୍ଟିଥିବା ଦରବ ଏଇଠି ଥିବ। ଯୋଉ ପଦୋଉନ୍ନତିକୁ ବିରାଟ ଭାବୁଛ, ତା’ଠୁ ବିରାଟ ହେଉଛନ୍ତି ପରମାତ୍ମା। କାରଣ ସେ ନଥିଲେ ପରା ସବୁ ଅକାରଣ।’ ଏତିକି ବେଳେ ଅଜ୍ଞାନର ଅନ୍ଧାର ଅପସରି ଯିବ। ଆମେ ଧୀରେ ଧୀରେ ଭାବନା ସ୍ତରରେ ନିଃସ୍ୱ ମଣିଷଟିଏ ପାଲଟି ଯାଇଥିବା। ଭିତରର ଅହଂକାର ଝରା ଫୁଲ ପରି ଫିକା ପଡ଼ିଆସୁଥିବ। ଉପଢ଼ୌକନ, ସମ୍ମାନ, ମାନପତ୍ର, ପଦୋନ୍ନତି ବୋଝ ଭଳି ଲାଗୁଥିବ। ଅଭିମାନର କାଚଘର ଭାଙ୍ଗି ରୁଜି ଚୂରମାର ହେଇଯାଉଥିବ। ମାୟା ଜାଲରୁ ମୁକୁଳିବାର ନିଆରା ସ୍ୱାଦକୁ ଚାଖିହେଉଥିବ। ଆତ୍ମିକ ସ୍ତରରୁ ଧୀରେଧୀରେ ଆନନ୍ଦ ଅମୃତ ଝରିବା ଆରମ୍ଭ ହେବ। ତାହା ହିଁ ଆତ୍ମୋନ୍ନତି। ପ୍ରକୃତ ପଦୋନ୍ନତି।
‘ଅସୀମାଲୋକ’ ଚହଟା, ବିଡ଼ାନାସୀ, କଟକ- ୧୪

Comments
Loading...