ନିମ୍ନଗାମୀ ଭୋଟହାର

ଭୋଟରଙ୍କ ଉତ୍ସାହ ଓ ସହଯୋଗ ନିର୍ବାଚନରେ ଭୋଟହାର ବଢ଼ାଇବା ସହିତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ୍‌ କରିଥାଏ। ନିର୍ବାଚନ ଆୟୋଗ ଭୋଟଦାନକୁ ଉତ୍ସାହିତ କରୁଛନ୍ତି ଏବଂ ଜଣେ ଭୋଟର ପାଇଁ ମଧ୍ୟ ଅଗମ୍ୟ ଇଲାକାରେ ବୁଥ୍‌ ବ୍ୟବସ୍ଥା କରିବାର ଉଦାହରଣ ରଖିଛନ୍ତି। ଏସବୁ ସତ୍ତ୍ବେ ଓଡ଼ିଶାଭଳି ଏକ ସଚେତନ ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟହାର କମିବା ନିଶ୍ଚିତ ଚିନ୍ତାର ବିଷୟ। ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ଜିଲା ଓ ଅଞ୍ଚଳଗୁଡ଼ିକ ଅଧିକ ସଚେତନ ଏବଂ ବିଭିନ୍ନ କ୍ଷେତ୍ରରେ ଆଗୁଆ। ଏହା ସତ୍ତ୍ବେ ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ଏକାଧିକ ସହରାଞ୍ଚଳରେ ନୈରାଶ୍ୟଜନକ ଭୋଟଦାନ ହାର ନିଶ୍ଚିତ ଭାବେ ଆମ ଭୋଟରଙ୍କ ଅନାଗ୍ରହକୁ ପ୍ରମାଣିତ କରୁଛି। ତୁଳନାତ୍ମକଭାବେ ମଫସଲ ଓ ଅର୍ଦ୍ଧ ସହରାଞ୍ଚଳରେ ଭୋଟରମାନେ ଅଧିକ ସଂଖ୍ୟାରେ ଭୋଟ ଦେଉଛନ୍ତି। ସହରାଞ୍ଚଳ ଭୋଟରଙ୍କ ଏହି ଅନାଗ୍ରହର ଅବଶ୍ୟ ଏକାଧିକ କାରଣ ରହିଛି। ସେଥି ମଧ୍ୟରୁ ଅନେକ ବଡ଼ବଡ଼ିଆ ଓ ବାବୁଭାୟାମାନେ ଭୋଟ କେନ୍ଦ୍ରକୁ ଯିବାକୁ ପରାଙ୍‌ମୁଖ। ଭବିଷ୍ୟତରେ ଏହାର ପୁନରାବୃତ୍ତିକୁ ରୋକିବାପାଇଁ ନିର୍ବାଚନ ଆୟୋଗ ଏବଂ ସଂପୃକ୍ତ ବିଭିନ୍ନ ପକ୍ଷ ଉପାୟ ବାହାର କରିବା ଆବଶ୍ୟକ। ରାଜଧାନୀ ଭୁବନେଶ୍ବର ରାଜ୍ୟର ରାଜନୈତିକ ପ୍ରାଣକେନ୍ଦ୍ର ଓ ସବୁଠୁ ସଚେତନ ତଥା ଶିକ୍ଷିତ ଅଞ୍ଚଳ। ସେଠାରେ ୬୦ଭାଗରୁ କମ୍‌ ମତଦାନ ନିଶ୍ଚିତ ଲଜ୍ଜାଜନକ। ସ୍ବଳ୍ପ ଭୋଟରଙ୍କ ଦ୍ବାରା ନିର୍ବାଚିତ ଲୋକପ୍ରତିନିଧି ଜନତାଙ୍କର ପ୍ରକୃତ ପ୍ରତିନିଧିତ୍ବ କରିପାରି ନଥାନ୍ତି। ଏହି ଧାରା ବଦଳିବା ଦରକାର ଏବଂ ଏହାକୁ ବଦଳାଇବାକୁ ପଡ଼ିବ।
ରାଜ୍ୟରେ ଏପର୍ଯ୍ୟନ୍ତ ହୋଇଥିବା ତିନିପର୍ଯ୍ୟାୟ ନିର୍ବାଚନରେ ଆଉ ଏକ ବଡ଼ ବିଲକ୍ଷଣ ହେଲା ଅଧିକରୁ ଅଧିକ ସ୍ଥାନରେ ଭୋଟବର୍ଜନ। ଲୋକେ ମୌଳିକ ସୁବିଧା, ଯଥା- ପାନୀୟଜଳ, ବିଜୁଳି, ରାସ୍ତା ଆଦି ନ’ପାଇ ପ୍ରତିବାଦରେ ଭୋଟ ବର୍ଜନ କରୁଛନ୍ତି। ବିକାଶର ଡିଣ୍ଡିମ ପିଟୁଥିବା ଆମ ସରକାର ଏବଂ ପରିବର୍ତ୍ତନର ବାହକ ବୋଲାଉଥିବା ତଥାକଥିତ ପ୍ରଗତିର ସାଥି ସେ ଅଞ୍ଚଳର ଲୋକପ୍ରତିନିଧିମାନେ ପାଞ୍ଚବର୍ଷ ଧରି କରୁଥିଲେ କ’ଣ? ସେମାନଙ୍କୁ କିଏ ହିସାବ ମାଗିବ ଏବଂ ଏଭଳି ଆପରାଧିକ ଅବହେଳା ପାଇଁ କାହା ପ୍ରତି ଦଣ୍ଡବିଧାନ କରାଯିବ?? ଲୋକଙ୍କର ମୌଳିକ ସୁବିଧାସୁଯୋଗ ପାଇବାର ଅଧିକାର ରହିଛି। ସେମାନେ ତାହା ପାଉନାହାନ୍ତି, ଅର୍ଥାତ ଲୋକପ୍ରତିନିଧି, ପ୍ରଶାସନ ଓ ସରକାର ଏ କ୍ଷେତ୍ରରେ ଦାୟୀ। ଏଥିପାଇଁ ପ୍ରଶାସନ, ସରକାର ଓ ଲୋକ ପ୍ରତିନିଧିଙ୍କୁ ଉତ୍ତରଦାୟୀ କରାଯାଉ। ଆବଶ୍ୟକ ସ୍ଥଳେ ଦଣ୍ଡବିଧାନର ବ୍ୟବସ୍ଥା ହେଉ।
ବାସ୍ତବ କଥା ହେଲା ଲୋକଙ୍କୁ ସୁନେଲି ସ୍ବପ୍ନ ଓ ଅସୁମାରି ପ୍ରତିଶ୍ରୁତି ଦେଉଥିବା ଆମ ରାଜନୈତିକ ଦଳ ଓ ଏହାର ନେତାମାନେ ନିଜର ସର୍ବନିମ୍ନ ମୌଳିକ ଦାୟିତ୍ବ ତୁଲାଇବାରେ ବ୍ୟର୍ଥ। ସେମାନେ ଅନେକ ସ୍ଥଳେ ଆଉ ଜନତାଙ୍କ ପାଇଁ ବିଶ୍ବାସ ଓ ଭରସାଯୋଗ୍ୟ ହେଉନାହାନ୍ତି। ତେଣୁ ଭୋଟହାର କମୁଛି ଏବଂ ନିର୍ବାଚନ ପ୍ରତି ଲୋକଙ୍କ ଆଗ୍ରହ ହ୍ରାସ ପାଉଛି। ଗଣତନ୍ତ୍ର ପାଇଁ ଏହା ଶୁଭ ସଂକେତ ନୁହେଁ। ଏ ସମ୍ପର୍କରେ ଅଧିକ ମନନ ଓ ଚିନ୍ତନର ଆବଶ୍ୟକତା ରହିଛି। ଭୋଟ ବର୍ଜନ କରୁଥିବା ଗ୍ରାମଗୁଡ଼ିକ ଚିହ୍ନଟ କରି ପ୍ରଶାସନ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କୁ ଦାବି ପୂରଣ କରନ୍ତୁ।

Comments
Loading...