ନବୀନଙ୍କ ପାଇଁ ଶାସନ-ବିରୋଧୀ ତତ୍ତ୍ବ ନଥିଲା

ସତ୍ୟନାରାୟଣ ସାହୁ

୨୩ ମେ ୨୦୧୯ ଭୋଟ ଗଣତି ଦିନ ଭୁବନେଶ୍ବରରେ ଥିଲାବେଳେ କେନ୍ଦ୍ରରେ ବିଜେପି ଶାସନ କ୍ଷମତାକୁ ଫେରୁଥିବା ଧାରା ‘ଟ୍ରେଣ୍ଡ୍’ର ବିପରୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳର ସଫଳତା ଦେଖିବା ବେଶ୍ ଆମୋଦଦାୟକ ଥିଲା। ପଞ୍ଚମ ଥରପାଇଁ ଶ୍ରୀ ପଟ୍ଟନାୟକଙ୍କୁ ମିଳିଥିବା ଏହି ବିରାଟ ଜନାଦେଶକୁ ଅତୁଳନୀୟ କୁହାଯାଇପାରେ। ୧୪୭ଟି ବିଧାନସଭା ଆସନରୁ ୧୧୨ଟି ଓ ୨୧ଟି ଲୋକସଭା ଆସନରୁ ୧୨ଟିରେ ଏହି ଦଳ ବିଜୟ ହାସଲ କରି ଭାରତୀୟ ରାଜନୀତିରେ ଏକ ନୂତନ ପ୍ରତୀମାନର ଆଭାସ ଦେଇଛି। ସମଗ୍ର ଦେଶ ‘​‌େ​‌ଷ୍ଟଟ୍ସମ୍ୟାନ ମୁଖ୍ୟମନ୍ତ୍ରୀ’ ଶ୍ରୀ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ସଫଳତାର ଗାଥାରେ ଚମତ୍କୃତ ହୋଇଛି, ଯାହା ଏକାବେଳକେ ଐତିହାସିକ ଓ ଅହଙ୍କାରରହିତ।
ବିଜେଡି ଓ ଶ୍ରୀ ପଟ୍ଟନାୟକଙ୍କ ଅସାଧାରଣ ବିଜୟ ନିର୍ବାଚନ ପୂର୍ବରୁ କରିଥିବା ତାଙ୍କ ଦାବିକୁ ସତ୍ୟ ପ୍ରମାଣିତ କରିଛି। ନିର୍ବାଚନର ଏକମାସ ପୂର୍ବରୁ ପଚରାଯାଇଥିବା ଏକ ପ୍ରଶ୍ନ ‘ଯଦି ଓଡ଼ିଶାରେ ବ୍ରାଣ୍ଡ୍‌ ମୋଦୀ ବନାମ ନବୀନ ପଟ୍ଟନାୟକ ହୁଏ…’ର ଉତ୍ତରରେ ସେ ଅତି ଶାନ୍ତଭାବେ କହିଥିଲେ ଯେ ‘‘ମୋଦୀଙ୍କ ପ୍ରଭାବ ସେତେଟା ପଡ଼ିବ ନାହିଁ ଓ ଆପଣମାନେ ନିର୍ବାଚନ ଫଳାଫଳରୁ ଜାଣିପାରିବେ। ମୁଁ ବିଜୟ ନେଇ ନିଶ୍ଚିତ’’। ସେ ପ୍ରତ୍ୟେକ ନିର୍ବାଚନକୁ କଠିନ ବୋଲି ବର୍ଣ୍ଣନା କରିବା ସହିତ କହିଥିଲେ, ‘‘ଆମେ ବଡ଼ ବ୍ୟବଧାନରେ ନିର୍ବାଚନ ଜିତିବୁ’’ ଏବଂ ‘‘ଏହି ନିର୍ବାଚନର ଫଳାଫଳ କହିଦେବ ଯେ କୌଣସି ଶାସନ-ବିରୋଧୀ ତତ୍ତ୍ବ ନାହିଁ’’।
ବାସ୍ତବରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ବିଜୟ ଖୁବ୍ ଚମକପ୍ରଦ ଓ ଏହା କହିଦେଉଛି ଯେ ତାଙ୍କର ବା ତାଙ୍କ ଦଳ ବିରୋଧରେ କୌଣସି ହାୱା ନଥିଲା। ୨୪ ଏପ୍ରିଲ ୨୦୧୯ରେ କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ଏକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ କହିଥିଲେ ଯେ ନିର୍ବାଚନ ଫଳ ଘୋଷଣା ପରେ ଶ୍ରୀ ପଟ୍ଟନାୟକଙ୍କୁ ଏକ ଅପମାନଜନକ ବିଦାୟ ମିଳିବ, ସେତେବେଳେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହିଁ ତାଙ୍କ ଦଳ ବହୁମତ ହାସଲ କରିଛି ଓ ସେ ତାଙ୍କର ପଞ୍ଚମ କାର୍ଯ୍ୟକାଳ ପାଇଁ ଶପଥଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରୁଛନ୍ତି।
ଚବିଶ ଘଣ୍ଟା ଭିତରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଓ ଫଣି ଭଳି ବିଶାଳ ବିପର୍ଯ୍ୟୟରୁ ହତାହତଙ୍କ ସଂଖ୍ୟା ହ୍ରାସ କରିିପାରିଥିବାରୁ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ପ୍ରଦର୍ଶନ ପରେ ଏଭଳି ଐତିହାସିକ ବିଜୟ ବାସ୍ତବରେ ବେଶ୍ ଉତ୍ସାହବର୍ଦ୍ଧକ। ପୂର୍ବରୁ ବିପତ୍ତି ପରିଚାଳନା କ୍ଷେତ୍ରରେ ଜାତିସଂଘ ଓ ବିଶ୍ବ ସମୁଦାୟରୁ ସେ ପ୍ରଶଂସା ସାଉଁଟିସାରିଛନ୍ତି।
କ୍ରମାଗତ ଚାରିଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ଶାସନ ବିରୋଧୀ ହାୱାର ଅନୁପସ୍ଥିତି ଏକ ମହତ୍ତ୍ବପୂର୍ଣ୍ଣ ପକ୍ଷ। ଦୁଇ ଦଶନ୍ଧି ପରେ ପଞ୍ଚମ ନିର୍ବାଚନରେ ଏଭଳି ପ୍ରକାଣ୍ଡ ବହୁମତ ହାସଲ ଦୁର୍ଲଭ। ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଜାନୁଆରୀ ୨୦୧୮ରେ ପୁଣେରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ- ଯେତେବେଳେ ଜନତା ରାଜନୀତିର ମୂଳରେ ରହନ୍ତି, ଶାସନବିରୋଧୀ ତତ୍ତ୍ବ ରହେ ନାହିଁ। ବାସ୍ତବରେ ଅତି ଗଭୀର ଓ ଭବିଷ୍ୟସୂଚକ ବାକ୍ୟ।
ଜନକଲ୍ୟାଣକାରୀ ନୀତି ଓ ତା’ର ସ୍ବଚ୍ଛ ଏବଂ ପ୍ରଭାବୀ କାର୍ଯ୍ୟାନ୍ବୟନ ନବୀନ ପଟ୍ଟନାୟକଙ୍କ ପାଇଁ ଶାସନ ସପକ୍ଷ ଜନମତ ସୃଷ୍ଟି କରିଥିଲା। ଗତ ଚାରିଟି କାର୍ଯ୍ୟକାଳରେ ବିଜେଡି ସରକାର ଲୋକଙ୍କୁ ହିଁ ସର୍ବାଗ୍ରେ ରଖିଥିଲେ ଏବଂ ଭଲ ରାଜନୀତିର ଯୁଗ ଆରମ୍ଭ ହୋଇଥିଲା। ସେ ରାଜ୍ୟର ଗରିବ ଓ ବଞ୍ଚିତବର୍ଗଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଥିଲେ, ଯେଉଁଥିରେ ଟଙ୍କିକିଆ ଚାଉଳ, ଚାଷୀଙ୍କ ପାଇଁ ‘କାଳିଆ’, ବିଜୁ ସ୍ବାସ୍ଥ୍ୟ ଯୋଜନା, ସମଗ୍ର ରାଜ୍ୟରେ ଉଚ୍ଚ ମାନର ରାସ୍ତା ନିର୍ମାଣ ଓ ସର୍ବୋପରି ସ୍ବୟଂସହାୟିକା ଗୋଷ୍ଠୀ ଗଠନ ଜରିଆରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କ ରାଜନୀତିକ ଓ ଆର୍ଥିକ ସଶକ୍ତୀକରଣ।
କୁହାଯାଏ ଯେ ରାଜନୀତିରେ ଧାରଣା ସତ୍ୟ ହୋଇଥାଏ। ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଲୋକଙ୍କ ଧାରଣା ଯେ ସେ ଏଭଳି ଜଣେ ଦୁର୍ଲଭ ନେତା, ଯିଏ କଥା କମ୍ କହନ୍ତି ଓ କାମ ବେଶି କରନ୍ତି; ଏପରିକି ତାଙ୍କ ପ୍ରଦର୍ଶନ ତାଙ୍କ କଥା ବା ଲେଖା ଅପେକ୍ଷା ଅଧିକ ଅର୍ଥପୂର୍ଣ୍ଣ। ତଥ୍ୟ ଆଧାରରେ ଲୋକଙ୍କ ଏହି ଧାରଣା ସତ୍ୟ ଏବଂ ତାଙ୍କ ସରକାର ଦ୍ବାରା କୋଡ଼ିଏ ବର୍ଷର କାର୍ଯ୍ୟକାଳ ଭିତରେ କରାଯାଇଥିବା ବ୍ୟାପକ କାର୍ଯ୍ୟ ଏହାର ପ୍ରମାଣ। ବିଶାଳ ଜନସମୂହଙ୍କ ଖାଦ୍ୟ, ସ୍ବାସ୍ଥ୍ୟ ଓ ମାନବୀୟ ନିରାପତ୍ତାକୁ ସୁନିଶ୍ଚିତ କରାଯାଇଛି ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୫ ଲକ୍ଷରୁ ଊର୍ଦ୍ଧ୍ବ ସ୍ବୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇଛି। ସାମାଜିକ ପରିବର୍ତ୍ତନ ଓ ଲୋକଙ୍କ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହା ଏକ ବିଚାର, ଏକ ଆନ୍ଦୋଳନ ଓ ଏକ ବୈପ୍ଳବିକ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ନୀତିଗୁଡ଼ିକର କାର୍ଯ୍ୟାନ୍ବୟନ ଦେଖିଲେ ପ୍ରଫେସର ଅମର୍ତ୍ତ୍ୟ ସେନଙ୍କ କ୍ଷମତା ବୃଦ୍ଧି ଅନୁଶୀଳନର ଦୃଷ୍ଟାନ୍ତ ପରି ମନେହୁଏ, ଯେଉଁଥିରେ ସେ କହିଛନ୍ତି ଯେ ଗଣତନ୍ତ୍ରରେ ଏଭଳି ଭାବେ ନୀତି ତିଆରି ହେବା ଆବଶ୍ୟକ ଯେପରିକି ତାହା ଲୋକଙ୍କର କ୍ଷମତା ବୃଦ୍ଧି କରୁଥିବ ଏବଂ ପ୍ରାପ୍ୟ ଅଧିକାର ସେମାନଙ୍କୁ ମିଳୁଥିବ।
ମହିଳା ସଶକ୍ତୀକରଣ କଥା ଯଦି ଦେଖାଯାଏ ତେବେ ଶ୍ରୀ ପଟ୍ଟନାୟକ ରାଜ୍ୟର ୨୧ଟି ଲୋକସଭା ଆସନ ଭିତରୁ ଏକ-ତୃତୀୟାଂଶ ଆସନରେ ନିଜ ଦଳ ପକ୍ଷରୁ ମହିଳା ପ୍ରାର୍ଥୀ ଛିଡ଼ା କରାଇ ଇତିହାସ ସୃଷ୍ଟି କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିକୋଣକୁ ସଫଳ କରୁଥିବା ଏହା ଏକ ଅସାଧାରଣ ନିଷ୍ପତ୍ତି ଥିଲା, ଯିଏ ୧୯୩୧ରେ ହିଁ କହିଥିଲେ ଯେ ଆମ ଆଇନ ପ୍ରଣୟନକାରୀ ସଭାଗୁଡ଼ିକରେ ମହିଳାଙ୍କ ସଂଖ୍ୟା ଅଧିକ ହେବା ଆବଶ୍ୟକ। ଶ୍ରୀ ପଟ୍ଟନାୟକଙ୍କ ନିଷ୍ପତ୍ତି ଜାତୀୟ ସ୍ତରରେ ମଧ୍ୟ ପ୍ରଭାବ ପକାଇଥିଲା। ଖୁସିର କଥା ଯେ ସାତ ଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ପାଞ୍ଚ ଜଣ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହି ପଦକ୍ଷେପ ସ୍ମରଣୀୟ ହୋଇ ରହିବ ଓ ‘‘ମହିଳାଙ୍କ ବିନା ଗଣତନ୍ତ୍ର, ଗଣତନ୍ତ୍ର ନୁହେଁ’’କୁ ପ୍ରମାଣିତ କରିବାରେ ଏହା ସହାୟକ ହେବ।
ମହିଳା ସଶକ୍ତୀକରଣର ଉଦାହରଣ ସୃଷ୍ଟି କରିବା ସହ ପଞ୍ଚମ ଥରର ବିପୁଳ ବିଜୟ ଶ୍ରୀ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବକୁ ଅଧିକ ଆକର୍ଷଣୀୟ କରିଛି, ତେବେ ତାହା କୋମଳ ଶକ୍ତିର ପ୍ରତିନିଧିତ୍ବ କରିଥାଏ। ଏହା ତାଙ୍କ ଦୈନନ୍ଦିନ ରାଜନୀତିକ କାର୍ଯ୍ୟରେ ମଧ୍ୟ ଦେଖାଯାଏ। ସେ ନିଜର ପ୍ରତିଦ୍ବନ୍ଦ୍ବୀଙ୍କ ବିରୋଧରେ ମଧ୍ୟ କଠୋର ଶବ୍ଦ ପ୍ରୟୋଗ କରିବା ଦେଖାଯାଏ ନାହିଁ। ଶାଳୀନତାରେ ଆମ ଦେଶର ଶୀର୍ଷ ନେତୃତ୍ବ ମଧ୍ୟ ସାଲିସ୍ କରିଥିବାବେଳେ ଶ୍ରୀ ପଟ୍ଟନାୟକ ଏ କ୍ଷେତ୍ରରେ ପବିତ୍ରତା ଓ ଗରିମାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି।
ବନ୍ୟା, ବାତ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ଉତ୍ପନ୍ନ ବିିଭିନ୍ନ ସମସ୍ୟାର ସଫଳ ଭାବେ ସମ୍ମୁଖୀନ ହେବା ପାଇଁ ଶ୍ରୀ ପଟ୍ଟନାୟକଙ୍କ ପ୍ରଭାବଶାଳୀ ଶାସନକୁ ବୁଝିବା ପାଇଁ ପଡ଼ିବ। କ୍ରମାଗତ ପ୍ରାକୃତିକ ବିପତ୍ତିକୁ ଦୃଷ୍ଟିରେ ରଖି ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ‘ଲୁହ ଓ ଦୁଃଖର ଭୂମି’ ବୋଲି କହିଥିଲେ। ଏହା ୧୯୨୦ ଦଶକର କଥା।
ଓଡ଼ିଶାର କେତେକ ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଗଠିତ ଜଷ୍ଟିସ ଏଚ୍‌ ଆର୍‌ ଖାନ୍ନା କମିସନ ନିଜ ରିପୋର୍ଟରେ କହିଥିଲେ ଯେ ଏହି ରାଜ୍ୟକୁ ଆଧୁନିକ ଭାରତର ସିଣ୍ଡେରେଲା (ଉପେକ୍ଷିତା) ପରି ରଖାଯାଇଛି। ଏହାର ଅର୍ଥ ହେଲା ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଆବଶ୍ୟକ ଦୃଷ୍ଟି ଦିଆଯାଇନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ସରକାର ଓଡ଼ିଶା ସହ ଯେଭଳି ବ୍ୟବହାର କରିଆସିଛି, ତାହା ମଧ୍ୟ ତଦନୁରୂପ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରସଙ୍ଗ ଦେଖିବା। ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା କଥା କହିଥିଲା ଏବଂ କେନ୍ଦ୍ରରେ ସରକାର ଗଢ଼ିଲା; କିନ୍ତୁ ଏକ ବିରାଟ ଜନାଦେଶ ପାଇଥିବା ସତ୍ତ୍ବେ ଇସ୍ତାହାରକୁ କାର୍ଯ୍ୟକାରୀ କରିବାରେ ବିଫଳ ହେଲା। ପ୍ରାକୃତିକ ବିପର୍ଯ୍ୟୟ ଏବଂ ସାମାଜିକ ଓ ଆର୍ଥିକ ସମସ୍ୟାଗୁଡ଼ିକ କାରଣରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରିଥିବା ସତ୍ତ୍ବେ ଏହାକୁ ଆଧୁନିକ ଭାରତର ‘ସିଣ୍ଡେରେଲା’ ପରି ରଖାଯିବା ଅନୁଚିତ।
‘‘ଲୁହ ଓ ଦୁଃଖର ଭୂମି’’ ଏବଂ ‘ଆଧୁନିକ ଭାରତର ସିଣ୍ଡେରେଲା’ ଓଡ଼ିଶାକୁ ଏଭଳି ଏକ ନେତା ଦରକାର ଥିଲା, ଯିଏ ତା’ର କ୍ଷମତା ଅନୁରୂପ ଭାଗ୍ୟ ବଦଳାଇପାରିବ। ଶାଳୀନତା ଓ ଗରିମାପୂର୍ଣ୍ଣ ନେତୃତ୍ବର ଆବଶ୍ୟକତା ରହିଥିଲା। ସେହିପରି ନେତା ନବୀନ ପଟ୍ଟନାୟକ ହିଁ ଥିଲେ, ଯାହାଙ୍କ ନେତୃତ୍ବ ରାଜ୍ୟକୁ ବହୁ କ୍ଷେତ୍ରରେ ପରିବର୍ତ୍ତିତ କରିପାରିଛି। ଉଦ୍‌ଘୋଷଣା ତୁଳନାରେ ପ୍ରଦର୍ଶନ ଉପରେ ଅଧିକ ଦୃଷ୍ଟି ନିବଦ୍ଧ କରି ସେ ରାଜ୍ୟକୁ ନିରନ୍ତର ନେତୃତ୍ବ ପ୍ରଦାନ ସହ ତା’ର ସମ୍ମାନକୁ ବୃଦ୍ଧି କରିଚାଲିଛନ୍ତି। ଆଦର୍ଶ ମୁଖ୍ୟମନ୍ତ୍ରୀଭାବେ ମନୋନୟନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ଶ୍ରେଷ୍ଠତାକୁ ସ୍ବୀକୃତି ଦେଇଛି।
ପ୍ରାକୃତିକ ଦୁର୍ବିପାକ ଓଡ଼ିଶାର ଜନସାଧାରଣଙ୍କୁ ଅନେକ ଦୁଃଖ ଦେଇଆସିଛି ଓ ୧୯୯୯ ମହାବାତ୍ୟା ପରେ ପ୍ରଶାସନ ଓ ରାଜନୀତିକ ନେତୃତ୍ବର ପୂର୍ଣ୍ଣ ବିଫଳତା ସାମ୍ନାକୁ ଆସିଥିଲା। ଏଭଳି ଏକ ନିରାଶାଜନକ ପୃଷ୍ଠଭୂମିରେ ଲୋକେ ଶ୍ରୀ ପଟ୍ଟନାୟକଙ୍କ ଉପରେ ଭରସା କଲେ ଓ ତାଙ୍କ ହାତରେ ଶାସନ ଡୋରି ଅର୍ପଣ କରିବାର ଜନାଦେଶ ଦେଲେ। ଏହା ପରଠାରୁ ଦକ୍ଷତା, ନିଷ୍ଠା, ଫଳକୈନ୍ଦ୍ରିକ କାର୍ଯ୍ୟାନ୍ବୟନ ଆଦି ଯୋଗୁଁ ଓଡ଼ିଶା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରଶଂସାଭାଜନ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ତାଙ୍କ ନେତୃତ୍ବରେ ଓଡ଼ିଶାରେ ଯେଉଁ କାର୍ଯ୍ୟ ହୋଇଛି, ତାହା ବିଶ୍ବସ୍ତରୀୟ ଦୃଷ୍ଟାନ୍ତ ପାଲଟିଛି। ଦୁଃଖର କଥା ଯେ ଫାଇଲିନ, ହୁଦ୍‌ହୁଦ୍‌ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟବେଳେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ବା କେନ୍ଦ୍ରର ଅନ୍ୟ ମନ୍ତ୍ରୀ ଗସ୍ତ କରିବାର କଷ୍ଟ କରିନଥିଲେ। ୨୦୧୯ ନିର୍ବାଚନ ପ୍ରଚାରବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ନେଇ କ୍ଷୋଭ ପ୍ରକାଶ କରି କହିଥିଲେ ଯେ କେବଳ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟ ଜାତୀୟ ନେତୃବର୍ଗ ଓଡ଼ିଶାକୁ ଆସୁଛନ୍ତି; ପ୍ରାକୃତିକ ବିପର୍ଯ୍ୟୟ ସମୟରେ କାହାର ଦେଖା ନଥାଏ। ସମଗ୍ର ରାଜ୍ୟର ଲୋକେ ଏ ନେଇ ସଚେତନ ହୋଇଥିଲେ। ମୋଦୀ ସରକାରଙ୍କ ଦ୍ବାରା ପାତରଅନ୍ତର ନୀତି ଆପଣାଯାଉଥିବା ସେମାନେ ଅନୁଭବ କରିଥିଲେ। ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ ଅବସରରେ ଶ୍ରୀ ପଟ୍ଟନାୟକ ଯାହା କହିଥିଲେ, ତାହା ଉଦ୍ଧାର କରିବା ବେଶ୍ ପ୍ରାସଙ୍ଗିକ। ସେ କହିଥିଲେ, ‘‘…ନିର୍ବାଚନ ଗୁରୁତ୍ବପୂର୍ଣ୍ଣ ନୁହେଁ, ବରଂ ପରିବର୍ତ୍ତନ ଗୁରୁତ୍ବପୂର୍ଣ୍ଣ। ଯଦି ତୁମେ ଲୋକଙ୍କୁ ଭଲ ପାଉଛ, ତେବେ ତୁମେ ନିର୍ବାଚନ ପାଇଁ ଲଢ଼ନାହିଁ ପରିବର୍ତ୍ତନ ପାଇଁ ଲଢ଼’’। ବେଶ୍‌ ବିଜ୍ଞ କଥାଟିଏ ନିଶ୍ଚୟ।
ଜନସାଧାରଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ମୌଳିକ ପ୍ରସଙ୍ଗଗୁଡ଼ିକୁ ଆଡ଼େଇ ଦେଇ ପ୍ରତିକ୍ରିୟାଶୀଳ ଗୋଷ୍ଠୀଙ୍କ ଦ୍ବାରା ଚଳାଯାଇଥିବା ବହୁସଂଖ୍ୟକବାଦ, ସାମାଜିକ ଧ୍ରୁବୀକରଣ ଓ ଅତି ରାଷ୍ଟ୍ରବାଦ ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ଦଳର ବିଜୟ ଖୁବ୍ ମହତ୍ତ୍ବପୂର୍ଣ୍ଣ, ଯାହାକୁ ପରିବର୍ତ୍ତନ ଓ ରୂପାନ୍ତରର ବିଜୟ ବୋଲି କୁହାଯାଇପାରେ।
ଦେଶ ଦୁଇ ପ୍ରକାରର ପରସ୍ପରବିରୋଧୀ ନେତୃତ୍ବ ଦେଖୁଛି: ଗୋଟିଏର ଶ୍ରୀ ପଟ୍ଟନାୟକ ପ୍ରତିନିଧିତ୍ବ କରନ୍ତି, ଯାହା ଗରିମାର ସହ ନିର୍ବାଚନକୁ ବ୍ୟାଖ୍ୟା କରିଥାଏ ଓ ବିକାଶର ପ୍ରକ୍ରିୟାକୁ ଆଗକୁ ବଢ଼ାଏ। ଦ୍ବିତୀୟ ପ୍ରକାରର ନେତୃତ୍ବର ପ୍ରତିନିଧିତ୍ବ କରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବଡ଼ବଡ଼ ପ୍ରତିଶ୍ରୁତି, ସାମ୍ବିଧାନିକ ନୈତିକତାରହିତ ବକ୍ତବ୍ୟ ଓ ବିକାଶ କଥାକୁ ଭୁଲାଇ ଦେବାଭଳି ଦୀର୍ଘ ଭାଷଣ ଏହାର ଅଂଶବିଶେଷ।
ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କାର ଗ୍ରହଣ କରିବା ଅବସରରେ ନବୀନ ପଟ୍ଟନାୟକ କହିଥିଲେ, ‘‘ଯଦି ଆପଣ ଲୋକଙ୍କ ପାଇଁ କାମ କରିବେ, ତେବେ ମହାତ୍ମା ଗାନ୍ଧୀ ଓ ବିଜୁବାବୁଙ୍କ ପରି ସେମାନଙ୍କ ହୃଦୟରେ ରହିବେ। ଯଦି ଆପଣ ଲୋକଙ୍କୁ ହିଁ ସବାଆଗ ରଖନ୍ତି, ତେବେ ତାହା ଏକ ରାଜନୀତିକ ଯାତ୍ରା ନୁହେଁ, ଏକ ଆଧ୍ୟାତ୍ମିକ ଅନୁଭୂତି’’। ଏହି ଆଧ୍ୟାତ୍ମିକତା ସଂଯୁକ୍ତ ଲୋକକୈନ୍ଦ୍ରିକ ଦୃଷ୍ଟିକୋଣସଂପନ୍ନ ରାଜନୀତି ବ୍ୟାପକ ଅର୍ଥ ବହନ କରେ, ଯାହା ଶ୍ରୀ ପଟ୍ଟନାୟକଙ୍କୁ ଶାସନସପକ୍ଷ ଜନମତ ଦେଇପାରିଛି। ଏହା କ୍ଷମତାଖେଳରୁ ବହୁ ଊର୍ଦ୍ଧ୍ବରେ ଏବଂ ଏକବିଂଶ ଶତାବ୍ଦୀର ଭାରତ ପାଇଁ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ। ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପାଇଁ ୨୦୧୯ର ଏହି ନିର୍ବାଚନ ବିଜୟ ଭାରତର ରାଜନୀତି ପୁସ୍ତକରେ ଏକ ନୂତନ ପୃଷ୍ଠା ସଂଯୋଗ କରିଛି। ଏହା ଲୋକଙ୍କ ପାଇଁ ରହିଥିବା ଭଲପାଇବା ଓ ସାମାଜିକ ପରିବର୍ତ୍ତନ ଆଧାରିତ ଶାସନ ସପକ୍ଷରେ ଏକ ସୁନିଶ୍ଚିତ ସ୍ବୀକୃତି।

Comments
Loading...