ଦୁଃଖପାସୋରା

0

ମହାଭାରତ ଯୁଦ୍ଧରେ ସଂଶପ୍ତକଙ୍କ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅର୍ଜୁନ ବହୁ ଦୂରକୁ ଚାଲିଯାଇଥିଲେ। ଅର୍ଜୁନଙ୍କ ଅନୁପସ୍ଥିତିରେ କୁଳଗୁରୁ ଦ୍ରୋଣାଚାର୍ଯ୍ୟ ରଚନା କରିଥିବା ଚକ୍ରବ୍ୟୂହ ଭେଦ କରିବା ପାଣ୍ଡବମାନଙ୍କ ପକ୍ଷରେ ଅସମ୍ଭବ ଥିଲା। ଭଗବାନ ଶଙ୍କରଙ୍କ ବରଦାନରେ ବଳୀୟାନ ହୋଇଥିବା ଜୟଦ୍ରଥ ପାଣ୍ଡବମାନଙ୍କୁ ଚକ୍ରବ୍ୟୂହରେ ପ୍ରବେଶକୁ ରୋକି ଦେଇଥିଲେ। ଅଭିମନ୍ୟୁ ହିଁ ମାତୃଗର୍ଭରେ ଥାଇ ପିତାଙ୍କଠାରୁ ଶୁଣିଥିବାରୁ ବ୍ୟୂହ ପ୍ରବେଶରେ ସମର୍ଥ ହୋଇଥିଲେ।
ଚକ୍ରବ୍ୟୂହ ଭିତରେ ବୀର ଅଭିମନ୍ୟୁ ଅସୀମ ସାହସ ପ୍ରଦର୍ଶନ କରି ଲଢ଼ିଥିଲେ। କୌରବ ପକ୍ଷର ବ୍ୟୂହଭିତରେ ଥିବା ମହାମହା ଯୋଦ୍ଧାଙ୍କୁ ବାରମ୍ବାର ପରାସ୍ତ କରିଥିଲେ। ହେଲେ ଅନ୍ୟାୟ ଭାବରେ ସପ୍ତରଥୀ ଏକତ୍ର ହୋଇ ଅଭିମନ୍ୟୁଙ୍କୁ ହତ୍ୟା କରିଥିଲେ। ବ୍ୟୂହରୁ ବାହାରିବାର ମାର୍ଗ ଜାଣି ନଥିବାରୁ ଆତ୍ମରକ୍ଷା ନିମନ୍ତେ ଅଭିମନ୍ୟୁ ବାହାରି ଆସି ନପାରି ନିହତ ହୋଇଥିଲେ। ସେ ସମୟରେ ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରା ଗର୍ଭବତୀ ଥିଲେ। ଭଗବାନ ଶ୍ରୀକୃଷ୍ଣ ଉତ୍ତରାଙ୍କୁ ଆଶ୍ବାସନା ଦେଇ ‘ସତୀ’ ହେବାରୁ ନିବର୍ତ୍ତାଇବାରେ ସକ୍ଷମ ହୋଇଥିଲେ।
ଘଟଣାକ୍ରମରେ ଅଶ୍ବତଥାମା ମରଣାପନ୍ନ ଦୁ‌େର୍ଯ୍ୟାଧନଙ୍କୁ କଥା ଦେଇ ଆସି ଭ୍ରମବଶତଃ ପାଣ୍ଡବଙ୍କ ବଦଳରେ ଦ୍ରୌପଦୀଙ୍କ ପାଞ୍ଚ ପୁତ୍ରଙ୍କୁ ଶିବିରରେ ଶୋଇଥିବା ଅବସ୍ଥାରେ ମୁଣ୍ଡକାଟି ନେଇଯାଇଥିଲେ। ଅର୍ଜୁନ ଏହା ଜାଣିବାପରେ ଅଶ୍ବତ୍‌ଥାମାକୁ ବନ୍ଦୀ ଅବସ୍ଥାରେ ପୁତ୍ରହରା ମାଆ​​‌େ‌‌ଦ୍ରୗପଦୀଙ୍କ ସମ୍ମୁଖରେ ହାଜର କରାଇଥିଲେ ତା’ର ପାପକର୍ମର ଉପଯୁକ୍ତ ବିଚାର କରିବା ନିମନ୍ତେ। ପୁତ୍ରଶୋକରେ ବ୍ୟଥିତ ଥିଲେ ମଧ୍ୟ ଦ୍ରୌପଦୀ ତାଙ୍କୁ ଉଦାର ହୃଦୟରେ କ୍ଷମା କରିଦେଇଥିଲେ ଏଇଥିପାଇଁ ଯେ ସେ ପୁତ୍ରମାନଙ୍କୁ ହରାଇ ଯେଉଁଭଳି ପୁତ୍ର ଶୋକରେ ଅଧିର ହେଉଛନ୍ତି କୁଳଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କର ଏକମାତ୍ର ପୁତ୍ରର ନିଧନରେ ସେଭଳି ଶୋକାତୁର ନ ହୁଅନ୍ତୁ।
ଦ୍ରୌପଦୀଙ୍କ ଏହି ଉଦାରତାରେ କୃତଜ୍ଞ ହେବା ପରିବର୍ତ୍ତେ କୃତଘ୍ନ ଅଶ୍ବତ୍‌ଥମା ପାଣ୍ଡବ ବଂଶ ନିର୍ମୂଳ କରିଦେବା ପାଇଁ ଏକ ପ୍ରକାର ପ୍ରତିଜ୍ଞାବଦ୍ଧ ଥିଲେ। ଉତ୍ତରାଙ୍କ ଗର୍ଭରେ ଥିବା ପାଣ୍ଡବଙ୍କ ଏକମାତ୍ର ବଂଶଧରକୁ ଶେଷ କରିଦେବା ପାଇଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ। ଉତ୍ତରାଙ୍କ ଆର୍ତ୍ତ ଚିତ୍କାରରେ ଭଗବାନ ଶ୍ରୀକୃଷ୍ଣ ଉତ୍ତରାଙ୍କ ଗର୍ଭରେ ସୂକ୍ଷ୍ମ ରୂପରେ ପ୍ରବେଶ କରି ତାଙ୍କୁ ରକ୍ଷା କରିଥିଲେ, ହେଲେ ସନ୍ତାନଟି ମୃତ ଅବସ୍ଥାରେ ଜନ୍ମ ହୋଇଥିଲା। ଏହା ଜାଣିବାପରେ ଉତ୍ତରା ଦୁଃଖ, ନୈରାଶ୍ୟରେ ଭାଙ୍ଗି ପଡ଼ିଥିଲେ।
ଏହି ସମାଚାର ଶୁଣି ଭଗବାନ ଶ୍ରୀକୃଷ୍ଣ ସୂତିକାଗୃହରେ ପ୍ରବେଶ କରିଥିଲେ। ଶ୍ରୀକୃଷ୍ଣଙ୍କୁ ଦେଖି ସେ ସମୟରେ ପାଗଳପ୍ରାୟ ହୋଇଯାଇଥିବା ଉତ୍ତରା କରୁଣ ଭାବରେ କହିଥିଲେ- ‘ଯେଉଁ ସନ୍ତାନକୁ ଧରି ମୁଁ ତାକୁ କହିଥାନ୍ତି- ‘ପୁଅରେ! ତ୍ରିଭୁବନର ସ୍ବାମୀ ତୋ ସମ୍ମୁଖରେ ଦଣ୍ଡାୟମାନ। ତୁ ଜଣେ ଧର୍ମାତ୍ମା ଓ ଶୀଳବାନ ପିତାର ପୁଅ। ସେହି ସର୍ବାଧାରଙ୍କ ସହ ଅଶିଷ୍ଟତା ଠିକ୍‌ ନୁହେଁ। ତୁ ତାଙ୍କୁ ପ୍ରଣାମ କର। ଭାବିଥିଲି ସେହି ସର୍ବଧାରଙ୍କ ସମ୍ମୁଖରେ ଶିଶୁର ମୁଣ୍ଡ ନୁଆଁଇ ପ୍ରଣାମ କରାଇଥାନ୍ତି। ହେଲେ ସକଳ ଆଶା, ଭାବନା ନଷ୍ଟ ହୋଇଗଲା।’
ଭକ୍ତବତ୍ସଳ ଭଗବାନ ଉତ୍ତରାଙ୍କର ଅବସୋସ ହୃଦୟଙ୍ଗମ କରିଥିଲେ। ତତ୍କାଳ ସଞ୍ଜୀବନୀ ଜଳସିଞ୍ଚି ବାଳକକୁ ଜୀବନଦାନ କରିଥିଲେ। ସହସା ମୃତ ଜଣାଯାଉଥିବା ବାଳକର ଶ୍ବାସକ୍ରିୟା ଚାଲିଥିଲା। ଚତୁର୍ଦିଗରେ ଆନନ୍ଦ ଖେଳିଯାଇଥିଲା। ଉତ୍ତରାଙ୍କ ନିରାଶ ହୃଦୟରେ ଆଶାର ଆଲୋକ ସଞ୍ଚାରିତ ହୋଇଥିଲା। ଏହି ବାଳକ ପାଣ୍ଡବଙ୍କ ବଂଶଧର ପରୀକ୍ଷିତ ନାମରେ ଖ୍ୟାତ ହୋଇଥିଲେ। ଦୁଃଖପାସୋରା ଶ୍ରୀକୃଷ୍ଣଙ୍କର ପ୍ରତି ଏକନିଷ୍ଠ ଭକ୍ତି ଓ ଅତୁଟ ବିଶ୍ବାସର ଯଥୋଚିତ ଫଳ ଲାଭ କରିଥିଲେ ଉତ୍ତରା।

Comments
Loading...