ଦୀନଜନଙ୍କ ବନ୍ଧୁ ଗୋପବନ୍ଧୁ

0

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଅକଳନୀୟ ମୂଲ୍ୟର ଏକ ବିରଳ ମଣି। ସମାଜସେବା, ଶିକ୍ଷା, ସାମ୍ବାଦିକତା, ସାହିତ୍ୟ, ସର୍ବୋପରି ରାଜନୀତି କ୍ଷେତ୍ରରେ ସ୍ୱୀୟ ତ୍ୟାଗ ଓ ଏକନିଷ୍ଠତା ପାଇଁ ସେ ମହାନ ଜନସେବକଙ୍କ ଭିତରେ ଏକ ଆଦର୍ଶସ୍ଥାନୀୟ ପ୍ରତିନିଧି। ଓଡ଼ିଆ ଜାତିକୁ ସର୍ବପ୍ରଥମେ ଜାତୀୟଜୀବନରେ ଯଦି କେହି ପ୍ରତିଷ୍ଠିତ କରାଇଥାନ୍ତି, ସେ ହେଉଛନ୍ତି ଉତ୍କଳମଣି। ଗୋପବନ୍ଧୁ ଏକମାତ୍ର ଓଡ଼ିଆ ଯିଏକି ସର୍ବପ୍ରଥମେ ନିଜ ଚିନ୍ତାଧାରାରେ ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲେ। ନିଜର ସୀମିତ ଜୀବନକାଳ ମଧ୍ୟରେ ଗୋପବନ୍ଧୁ ପରଦୁଃଖ ମୋଚନ ଏବଂ ମୂକ-ମୌନୀ ଜନତାର ସେବାକ୍ଷେତ୍ରରେ କାୟମନୋବାକ୍ୟରେ ନିଜକୁ ତିଳତିଳ କରି ଉତ୍ସର୍ଗ କରିଥିଲେ। ନିଜପରଭେଦ ନ ରଖି ସମଗ୍ର ଜନତାଙ୍କୁ ଆପଣାର ବୋଲି ବିଚାରି ସବୁରି ଦୁଃଖଦୁର୍ଦଶା ଘୁଞ୍ଚାଇବାରେ ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଲାଗି ରହିଥିଲେ। ଗୋପବନ୍ଧୁଙ୍କ ମାନସ ସନ୍ତାନ ତଥା ନିଃସ୍ବ ଜନତାଙ୍କ ସ୍ବର ‘ସମାଜ’ର ୧୦୦ ବର୍ଷରେ ପଦାର୍ପଣ ଓଡ଼ିଆ ସାମ୍ବାଦିକତା ଜଗତରେ ଏକ ଐତିହାସିକ ଘଟଣା। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପବିତ୍ର ଜନ୍ମତିଥି ଅକ୍ଟୋବର ୯ ଅବସରରେ ମନୋଜ ମେହେରଙ୍କ ସ୍ବତନ୍ତ୍ର ପ୍ରତିବେଦନ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ତ୍ରାଣକର୍ତ୍ତା, ମାନବବାଦୀ ଚିନ୍ତାନାୟକ ଓ ଦୀନଜନଙ୍କ ଯଥାର୍ଥ ବନ୍ଧୁ। ଏ ଜାତିର ପରମ ସୌଭାଗ୍ୟ ଯେ ଏଭଳି ଜଣେ ବିଶ୍ବମାନବ, ଗାନ୍ଧିବାଦର ଶ୍ରେଷ୍ଠ ପ୍ରତୀକ, ବିଚାରବନ୍ତ ସମ୍ପାଦକ, ସାହିତ୍ୟ ସ୍ରଷ୍ଟା-କବି ସର୍ବୋପରି ପ୍ରଖ୍ୟାତ ଶିକ୍ଷାବିତ୍ ଅଧ୍ୟାତ୍ମବାଦୀ ଜନନାୟକ ପଛୁଆ ଓ ସ୍ବତନ୍ତ୍ର ରାଜ୍ୟ ଭାବେ ଚିହ୍ନିତ ହୋଇପାରୁ ନ ଥିବା ଓଡ଼ିଶାର ଘୋର ଦୁର୍ଦିନରେ ଜନ୍ମଗ୍ରହଣ କରିଥିଲେ। ତେ​‌େ​‌ବ ଏହି ଅଦ୍ବିତୀୟ ସାଧକ ନିଜର ସ୍ବଳ୍ପ ଜୀବନକାଳରେ ଓଡ଼ିଶାକୁ ଜାତୀୟ ସ୍ରୋତରେ ସାମିଲ କରିବାର ବୀଜମନ୍ତ୍ର ବପନ କରି, ରାଜ୍ୟକୁ ବିକାଶୋନ୍ମୁଖୀ ଓ ସମୃଦ୍ଧ କରିବା ପାଇଁ ନିଜ ଜୀବନର ସମସ୍ତ ସମୟକୁ ବିନିଯୋଗ କରିଛନ୍ତି। ଜୀବନର ଶେଷନିଃଶ୍ବାସ ନେବାର କିଛି ମିନିଟ ପୂର୍ବରୁ ନିଜର ସେ ଯେଉଁ ଇଚ୍ଛାପତ୍ର ଲିପିବଦ୍ଧ କରିଯାଇଥିଲେ, ତାହା କେବଳ ଜଣେ ମହାମାନବ ହିଁ କରିପାରିବେ। ପିଲାଦିନରୁ ମାତୃପିତୃହରା ହେବା, ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜ ପୁତ୍ରସନ୍ତାନକୁ ହରାଇବା ଏବଂ ମାତ୍ର ୨୮ ବର୍ଷ ବୟସରେ ପତ୍ନୀଙ୍କ ବିୟୋଗ ସତ୍ତ୍ବେ ଅବିଚଳିତ ଓ ଅବିଶ୍ରାନ୍ତ ଭାବେ ଏ ଜାତିର ଉନ୍ନତି ଲାଗି ସେ ଯେପରି ସେବା ଓ ତ୍ୟାଗ କରିଯାଇଛନ୍ତି, ତାହାର ତୁଳନା ନାହିଁ।
ଓଡ଼ିଶାର ନବଜାଗରଣ ପର୍ବରେ ମହାତ୍ମା ଗୋପବନ୍ଧୁ ଦାସଙ୍କ ଅବଦାନ ଅନିର୍ବଚନୀୟ, ବୌଦ୍ଧିକତାର ମାପଦଣ୍ଡରୁ ବହୁ ଊର୍ଦ୍ଧ୍ବରେ। ତାଙ୍କ ଜୀବନସୂତ୍ର କର୍ମତତ୍ପରତା ଓ ଉତ୍ସର୍ଗୀକୃତ ଚେତନାରେ ସମୁଜ୍ଜଳ ବଳିଷ୍ଠ ଅଭିବ୍ୟକ୍ତି। ତାଙ୍କର ଆଚରଣ ଓ ଉଚ୍ଚାରଣରେ ସମାନତାର ମହକ ପରିଦୃଶ୍ୟ। ସେ ସେବା, ସମର୍ପଣ ଓ ମାନବୀୟ ମୂଲ୍ୟବୋଧର ପରମ ଉପାସକ। ସମୟର ବେଶ୍‍ କିଛି ପାହୁଣ୍ଡ ଆଗରେ ଠିଆହୋଇ ବିଶ୍ଳେଷଣ କରିଛନ୍ତ ି ଓଡ଼ିଆ ଜାତିର ଜୀବନ ଚରିତ୍ର। ସେ କଳା ସଚେତନ ନ ହୋଇ ହୋଇଛନ୍ତି କାଳ ସଚେତନ। ଚତୁଃପାର୍ଶ୍ବରେ ଘଟୁଥିବା ଘଟଣାର ନିର୍ଯାସ ହିଁ ତାଙ୍କ ସାରସ୍ୱତ ଜୀବନର ମୂଳମନ୍ତ୍ର। ସେଥିପାଇଁ ସେ ବନ୍ୟା, ବାତ୍ୟା ସମୟରେ ନିଜେ ସଂଶିଷ୍ଟ ହୋଇ ନିରାଶ୍ରୟଙ୍କ ପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି। ସନାତନ ଧର୍ମର ସହଜ, ସରଳ ତତ୍ତ୍ୱକୁ ଭଲ ଭାବରେ ହୃଦୟଙ୍ଗମ କରିଥିଲେ ଗୋପବନ୍ଧୁ। ପରୋପକାର, ଦୟା, କରୁଣା, ସେବା ଓ ମାନବୀୟ ମୂଲ୍ୟବୋଧ ସନାତନ ଧର୍ମରୁ ହିଁ ସୃଷ୍ଟ ବୋଲି ସେ ବିଚାର କରୁଥିଲେ। ଭୀମଭୋଇଙ୍କ ପରେ ଯଦି ଓଡ଼ିଶାରେ କେହି ବିଶ୍ୱପ୍ରେମ, ସାର୍ବଜନୀନ ଭ୍ରାତୃଭାବ, ନିଃସର୍ତ୍ତ ସମର୍ପଣ ଓ ବିଗଳିତ କରୁଣାକୁ ଜୀବନର ଆଧାର ବୋଲି ବିବେଚନା କରିଛନ୍ତି, ସେ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ।
ପଣ୍ଡିତ ଗୋପବନ୍ଧୁ ପ୍ରଗତିବାଦୀ ଚିନ୍ତନର ମୂର୍ଦ୍ଧନ୍ୟ ପ୍ରତିଭା। ସାଧାରଣ ଜନଜୀବନର କଥାକୁ ନେଇ ଜିଇବା ଯେମିତି ତାଙ୍କ ଗୁଣସୂତ୍ରରେ ଅବସ୍ଥାନ କରିଥିଲା। ଶ୍ରମିକ ସଂଘ ଗଢ଼ିବା, ଦୁଃଖୀ ଓ ଦରିଦ୍ରଙ୍କୁ ଅପ୍ରତିମ ସ୍ନେହ ଦେବା, ଦୁଃଖ ପାଇଁ ଯାବତ ଜୀବନ ସଂଗ୍ରାମ କରିବା ଏହାର ସମ୍ୟକ ଉଦାହରଣ।
ଓଡ଼ିଆ ଭାଷା ଓ ଓଡ଼ିଶା ପ୍ରଦେଶ ପାଇଁ ତାଙ୍କ ସାଧନାର ପ୍ରଗାଢ଼ତା ଅନନ୍ୟ। ଜାତୀୟତା ତାଙ୍କ ମତରେ ଏକ ଗଣତାନ୍ତ୍ରିକ ଆନ୍ଦୋଳନ, ନ୍ୟାୟୋଚିତ ଅଧିକାର। ସେ ଦରଦୀ କବି। ତାଙ୍କ କବିତା ସର୍ବଦା ମାନବିକତାର ଉଚ୍ଛଳ ତରଙ୍ଗରେ ଦ୍ରବୀଭୂତ। ତାଙ୍କ କବିତାର ମୂଳରେ ରହିଛି ମଣିଷପଣିଆ ଓ ବିଶ୍ୱମୈତ୍ରୀର କଥା, ସମତାର କଥା। ଜାତି, ଧର୍ମ, ବର୍ଣ୍ଣ ଆଦିରୁ ଉପରକୁ ଉଠି ଏକ ସମୃଦ୍ଧ ସମାଜ ଗଠନର କଥା ସେ ଚିନ୍ତା କରୁଥିଲେ। ମଣିଷକୁ ଶୀର୍ଷତମ ଓ ଶେଷତମ ପ୍ରେମର ବିନ୍ଦୁ ଭାବେ ସେ ବିଚାର କରୁଥିଲେ।
ଗୋପବନ୍ଧୁ ଓଡ଼ିଆ ଜାତିର ଚିର ନମସ୍ୟ। ବେଳେବେଳେ ସେ ଗୀତାର ସ୍ଥିତପ୍ରଜ୍ଞ ପରି ମନେହୁଅନ୍ତି। ତାଙ୍କର ଜୀବନ ଏହାର ଜ୍ବଳନ୍ତ ନିଦର୍ଶନ। ସମାଜ, ସାମ୍ବାଦିକତା, ସଙ୍ଗଠନ, ରାଜନୀତି, ସାହିତ୍ୟ, ଶିକ୍ଷା ଓ ସେବା ସବୁଥିରେ ତାଙ୍କର ଅମଳିନ ସ୍ବାକ୍ଷର ରହିଛି। ସେ ଆଜି ବି ମନେପଡ଼ନ୍ତି କେଉଁ ଅଖ୍ୟାତ ଅଞ୍ଚଳରେ ବନ୍ୟା ହେଲେ, ରିଲିଫ ନ ପହଞ୍ଚିଲେ କି କାହାର କାନ୍ଦକାନ୍ଦ ମୁହଁ ଦେଖାଗଲେ।
ଅନ୍ୟପକ୍ଷରେ, ଜଣେ ମଣିଷ କିଭଳି ବିଶ୍ବଚେତନାରେ ଉଦ୍‌ବୁଦ୍ଧ ହୋଇପାରେ, ପ୍ରାଚୀନ ଓ ନବୀନର ସମନ୍ବୟରେ ଆଧୁନିକ ଶିକ୍ଷାକୁ ଭାରତୀୟ ପୁରାତନ ସଂସ୍କୃତି ସହିତ ଖାପ ଖୁଆଇ ସମନ୍ବୟ ପ୍ରତିଷ୍ଠାରେ ଅଗ୍ରଣୀ ଭୂମିକା ନେଇପାରେ, ତାହାର ଏକ ସାର୍ଥକ ପ୍ରତିନିଧି ହେଉଛନ୍ତି ଗୋପବନ୍ଧୁ। ଗୋପବନ୍ଧୁ ବିଚ୍ଛିନ୍ନ, ଶୀର୍ଣ୍ଣ ଉତ୍କଳରେ ସୁପ୍ତଜାତିକୁ ସଚେତନତାର ମନ୍ତ୍ରରେ ପୁନଃଜୀବିତ କରାଇଛନ୍ତି। ମାତୃଭୂମି ଓ ମାତୃଭାଷାକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ଓ ବିଚ୍ଛିନ୍ନାଞ୍ଚଳରେ ଶିକ୍ଷାର ପ୍ରଦୀପ ଜଳାଇଛନ୍ତି। ଗୋପବନ୍ଧୁ ସଶରୀରରେ ଆଜି ନାହାନ୍ତି ସତ; ହେଲେ ସେ ଏବେ ବି ସମକାଳୀନ। ତାଙ୍କ ନୀତି ଆଦର୍ଶର ପ୍ରାସଙ୍ଗିକତା ରହିଛି। ସେ ନୈତିକ ମୂଲ୍ୟବୋଧ, କର୍ମସଂସ୍କୃତି ଓ ଜାତୀୟତାର ପ୍ରତୀକ। ତାହାର ସୁରକ୍ଷା ଦିଗରେ ଆମେ କେତେ ସମର୍ଥ ଓ ଦାୟବଦ୍ଧ ତାହା ଚିନ୍ତା କରିବାରେ ବେଳ ଆସିଛି। ଆଜିର ଦିନରେ ତାଙ୍କ ପରି ତ୍ୟାଗଦୀପ୍ତ ଓ ସତ୍ୟଶୀଳ ବ୍ୟକ୍ତିଙ୍କ ଘୋର ଅଭାବ ଦେଖାଦେଇଛି। ସବୁକିଛିକୁ ସମର୍ପଣ କରିଦେଇ ମୂଲ୍ୟବୋଧର ରକ୍ଷା ପାଇଁ ସେ ସତତ ଚେଷ୍ଟା କରୁଥିଲେ। ଗୋପବନ୍ଧୁଙ୍କ ଜନ୍ମତିଥିରେ ନୈତିକ ମୂଲ୍ୟବୋଧର ପୁନରୁତ୍‌ଥାନ ଦିଗରେ ତାଙ୍କର ମାର୍ଗ ଅନୁସରଣ କରି ଯଦି ଆମେମାନେ ଦେଶ, ଦଶ, ଜାତି, ସର୍ବୋପରି ଉତ୍କଳମଣିଙ୍କ ମାନସ ସନ୍ତାନ ‘ସମାଜ’ ପ୍ରତି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବା, ତାହା ହେବ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି।

Comments
Loading...