ତୀବ୍ର ହେଉଛି ତିତଲି: ୫ ଜିଲାରେ ରେଡ୍‍ ଆଲର୍ଟ

0

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଗତ କାଲି(ସୋମବାର) ରାତି ୧୧.୩୦ରେ ତୀବ୍ର ଅବପାତର ରୂପ ନେଇଛି। ଏହା କ୍ରମଶଃ ଆହୁରି ଘନୀଭୂତ ହୋଇ ତୀବ୍ରଅବପାତ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି। ବାତ୍ୟା ‘ତିତଲି’ର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହିତ ଘଣ୍ଟାକୁ ୬୦ ରୁ ୮୦ କିମି ବେଗରେ ପବନ ବହିବାର ଆଶଙ୍କା କରାଯାଇଛି। ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ରେଡ୍‍ ଆଲର୍ଟ ଜାରି କରାଯାଇଛି।
ସୋମବାର ରାତି ୧୧.୩୦ ପରେ ତୀବ୍ର ଅବପାତ ଘଣ୍ଟାକୁ ୧୧ କିମି ବେଗରେ ପଶ୍ଚିମ-ଉତ୍ତର ଦିଗରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହୋଇ ମଙ୍ଗଳବାର ରାତି ୨.୩୦ ବେଳକୁ ବଙ୍ଗୋପସାଗରରେ ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣରେ ୫୭୦ କିମି ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‍ର ଦକ୍ଷିଣ-ପୂର୍ବ ଦିଗରେ ୫୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।
ଆଜି(ମଙ୍ଗଳବାର) ପୂର୍ବାହ୍ନ ୯ଟା ବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଅବପାତ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ମଙ୍ଗଳବାର ପୂର୍ବାହ୍ନ ୧୧.୩୦ରେ ତୀବ୍ର ଅବପାତ ରୂପେ ଓଡ଼ିଶା ଉପକୂଳ ଛୁଇଁବ। ଏହି ସମୟରେ ଘଣ୍ଟାକୁ ୫୫ ରୁ ୭୫ କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି। ସମୟ ବଢ଼ିବା ସହିତ ପବନର ବେଗ ବଢ଼ିବ। ଅପରାହ୍ନ ୫.୩୦ ବେଳକୁ ତୀବ୍ର ଅବପାତ ବାତ୍ୟାର ରୂପ ନେବ। ସେତେବେଳେ ଘଣ୍ଟାକୁ ୬୦ ରୁ ୮୦ କିମି ବେଗରେ ପବନ ବହିବ। ରାତି ୧୧.୩୦ ବେଳକୁ ପବନର ବେଗ ବୃଦ୍ଧି ପାଇବ। ୧୦ତାରିଖ ରାତି ୧୧.୩୦ ବେଳକୁ ବାତ୍ୟା ଆହୁରି ତୀବ୍ର ହେବ। ପବନର ବେଗ ଘଣ୍ଟା ପ୍ରତି ୧୦୦ କିମିକୁ ବୃଦ୍ଧି ପାଇବ। ୧୧ ତାରିଖ ସକାଳ ୧୧.୩୦ରୁ ଏହା କ୍ରମଶଃ ଦୁର୍ବଳ ହେବା ସହିତ ପବନର ବେଗ ମଧ୍ୟ ହ୍ରାସ ପାଇବ। ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଅଞ୍ଚଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ।
୯ ତାରିଖ ଦିନ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଜିଲା ପାଇଁ ‘ୟେଲୋ ଆଲର୍ଟ’ ଜାରି କରାଯାଇଥିବା ବେଳେ ୧୦ ତାରିଖ ଦିନ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ‘ରେଡ୍‍ ଆଲର୍ଟ’ ଏବଂ ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ୧୧ ତାରିଖ ଦିନ ମଧ୍ୟ ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ସମେତ ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ ଭଦ୍ରକ ଜିଲାରେ ରେଡ୍‍ ଆଲର୍ଟ ଜାରି କରାଯାଇଛି।
ବାତ୍ୟାର ପ୍ରକୋପ ହ୍ରାସ ପାଇବାକୁ ଥିଲେ ମଧ୍ୟ ୧୨ତାରିଖ ଓ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଏବଂ ୧୩ ତାରିଖରେ ଓଡ଼ିଆର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଇଛି। ଏହି ସମୟରେ ସମଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କୁହାଯାଇଛି।

Leave A Reply