ତଥ୍ୟ ଦୃଷ୍ଟିରୁ ଅଜ୍ଞାତପ୍ରାୟ ଆମ ସାହିତ୍ୟ ପ୍ରବାହର ପ୍ରଣମ୍ୟ ଭଗୀରଥବୃନ୍ଦ

ପ୍ର ଶ୍ନ : ବ୍ୟାସ, ବାଲ୍ମୀକି, କାଳିଦାସ ଇତ୍ୟାଦିଙ୍କର ଇଂରାଜୀରେ ସଂକ୍ଷିପ୍ତ ପ୍ରାମାଣ୍ୟ ଜୀବନୀ କାହୁଁ ମିଳିବ ? ବାଲ୍ମୀକିଙ୍କ ଦେହ ଉପରେ ଉଇହୁଙ୍କା ହୋଇଯାଇଥିଲା, କାଳିଦାସ ଏଡ଼େ ମୂର୍ଖ ଥିଲେ ଯେ ଗଛ ଡାଳରେ ବସି ତା’କୁ ମୂଳରୁ କାଟୁଥିଲେ, ଏଭଳି ଅଜବ କାହାଣୀସବୁ ପରିବର୍ତ୍ତେ ତଥ୍ୟଭିତ୍ତିକ ଜୀବନ ଚରିତ ପଢ଼ିବା ମୋର ଉଦ୍ଦେଶ୍ୟ।
ଚନ୍ଦ୍ରଶେଖର, ବ୍ରହ୍ମପୁର
ଉତ୍ତର: ସାହିତ୍ୟ ଏକାଡେମୀ (କେନ୍ଦ୍ର) ପ୍ରକାଶିତ “Makers of Indian Literature” ଗ୍ରନ୍ଥମାଳାରେ ଆପଣ ପ୍ରଥମ ଦୁଇଗୁଣ ସମ୍ବଳିତ, ଅର୍ଥାତ୍ ଇଂରାଜୀରେ ଲିଖିତ ତଥା ସଂକ୍ଷିପ୍ତ, ଜୀବନୀ ପାଇପାରିବେ। କିନ୍ତୁ ପ୍ରାମାଣ୍ୟ ? କ୍ଷମା କରିବେ। ଏମାନଙ୍କ ଉପରେ ବେଶ୍ କେତୋଟି ବହି ରହିଛି; କିନ୍ତୁ ଗବେଷଣାଲବ୍ଧ ତଥ୍ୟଭିତ୍ତିକ ବହି ଅଦ୍ୟାବଧି ସମ୍ଭବ ହୋଇନାହିଁ । ଏମାନଙ୍କ କାଳ ସମ୍ପର୍କରେ ମଧ୍ୟ ଐତିହାସିକମାନେ ଏକମତ ହୋଇପାରିନାହାନ୍ତି।
ଏ ମହାନ୍ ପ୍ରତିଭାମାନଙ୍କ ସମ୍ପର୍କରେ ପ୍ରଚଳିତ କିମ୍ବଦନ୍ତୀସବୁରେ ଅଜବ ଏବଂ ଉଦ୍ଭଟ ଉପାଦାନ ବହୁତ, ସେଥିରେ ସନ୍ଦେହ ନାହିଁ; କିନ୍ତୁ ସେସବୁକୁ ହେୟଜ୍ଞାନ ନ କରି ସହାନୁଭୂତି ସହକାରେ ସେସବୁର ତାତ୍ପର୍ଯ୍ୟର ସନ୍ଧାନ କରିବାକୁ ହେବ। ଆ‌େ‌ମ ମନେରଖିବା ଆବଶ୍ୟକ ଯେ ମହାକାବ୍ୟର କବିମାନେ ଆମ ଭଳି ହେତୁ-ସର୍ବସ୍ୱ ବାସ୍ତବବାଦୀ ନ ଥିଲେ। ସେମାନଙ୍କ ଦୃଷ୍ଟିକୋଣ ବ୍ୟାପକତର ଥିଲା। ସ୍ଥୂଳ ସହ ସେମାନେ ଦେଖୁଥିଲେ ନାନାଦି ସୂକ୍ଷ୍ମଶକ୍ତିଙ୍କ ଖେଳ। ତଦନୁରୂପ ଥିଲା ସେମାନଙ୍କ ଶୈଳୀ। ବରୁଣ-ପୁତ୍ର ଯୁବକ ରତ୍ନାକର ଘଟଣାଚକ୍ରରେ ଆପଣା ପରିବେଶ ପ୍ରଭାବରେ ଦସ୍ୟୁବୃତ୍ତି ଆଦରି ନେଇଥିଲେ; ତାଙ୍କ ଅନ୍ତର୍ଚେତନା କିନ୍ତୁ ବିକଶିତ ଥିଲା; ସେ ଥିଲେ ସତେ ଅବା ରତ୍ନର ଆକର ! ଦେବର୍ଷି ନାରଦ ତାଙ୍କୁ ତାଙ୍କ ସ୍ୱଧର୍ମ ସମ୍ପର୍କରେ ସଚେତନ କରିଦିଅନ୍ତେ ସେ ତପସ୍ୟାମଗ୍ନ ରହିଲେ ଦୀର୍ଘକାଳ। ବଲ୍ମୀକ ବା ଉଇହୁଙ୍କାରୁ ବାହାରି ଆସିବାର ଅର୍ଥ ଆତ୍ମକ୍ଷୟୀ ଅଜ୍ଞାନତା ଭିତରୁ ଉତ୍ତୀର୍ଣ୍ଣ ହୋଇ ନବଜନ୍ମ ଗ୍ରହଣ କରିବା।
“ପ୍ରାମାଣ୍ୟ”ର ଅର୍ଥ ଯାହା ସମ୍ପର୍କରେ ସମସାମୟିକ ଶିଳାଲିପି ବା ପାଣ୍ଡୁଲିପି ଭଳି ତଥ୍ୟଗତ ସାକ୍ଷ୍ୟ ରହିଥିବ। ବ୍ୟାସଙ୍କ ସମ୍ପର୍କରେ ଅବଶ୍ୟ ମହାଭାରତ ଏବଂ ପୁରାଣମାନଙ୍କରୁ ବହୁକଥା ଜାଣିହୁଏ; କିନ୍ତୁ ବାଲ୍ମୀକିଙ୍କ ସମ୍ପର୍କରେ ଏତିକି ଜଣାଯାଏ ଯେ ସେ ଶ୍ରୀରାମଙ୍କଠାରୁ ବୟସରେ ଯଥେଷ୍ଟ ବଡ଼ ହେଲେ ମଧ୍ୟ ସମସାମୟିକ ଏବଂ ସେ ନାରଦଙ୍କଠାରୁ ଶ୍ରୀରାମଙ୍କ ବୃତ୍ତାନ୍ତ ଶ୍ରବଣ କରିଥିଲେ। ଦିନେ ଋଷିବର ତମସା ନଦୀକୂଳରେ ବୁଲୁଥିବାବେଳେ ତାଙ୍କ ସ୍ନେହମୟ ଦୃଷ୍ଟି ଆକୃଷ୍ଟ ହେଲା ଯୋଡ଼ିଏ କ୍ରିୟାରତ କ୍ରୌଞ୍ଚ ପକ୍ଷୀ ପ୍ରତି। ଆକସ୍ମିକ ଭାବରେ ସେ ପାଇଲେ ଦାରୁଣ ଆଘାତ। ଅଦୂରରୁ ଜଣେ ଶିକାରୀ ପକ୍ଷୀ ଯୋଡ଼ିକରୁ ଗୋଟିକୁ ତୀରବିଦ୍ଧ କରି ହତ୍ୟା କଲା। ଅନ୍ୟ ପକ୍ଷୀଟି ବିକଳ ଭାବରେ ଉଡ଼ିବୁଲୁଥାଏ ଆର୍ତ୍ତନାଦ କରି। ତତ୍‌କ୍ଷଣାତ୍ ବାଲ୍ମୀକିଙ୍କ କଣ୍ଠରୁ ନିର୍ଗତ ହେଲା ଏହି ଅମର ଶ୍ଳୋକ: “ମା ନିଷାଦ ! ପ୍ରତିଷ୍ଠାଂ ସ୍ତ୍ୱମଗମଃ ଶାଶ୍ୱତୀ ସମାଃ। ଯତ୍ କ୍ରୌଞ୍ଚମିଥୁନାଦେକମବଧୀଃକାମମୋହିତମ୍।”
ସେ ଯାବତ୍ ସୃଷ୍ଟ ଶ୍ଳୋକରାଶିରୁ ଆଧ୍ୟାତ୍ମିକ ସ୍ତରର ନାନାଦି ସତ୍ୟର ଆଭାସ ମିଳୁଥାଏ। ବାଲ୍ମୀକିଙ୍କ କଣ୍ଠ ନିର୍ଗତ ଏହି ସ୍ୱତଃସ୍ଫୂର୍ତ୍ତ ଶ୍ଳୋକ ହିଁ ପ୍ରଥମ ବାସ୍ତବସ୍ତରୀୟ କବିତା; ଏଥିରେ ନିହିତ ସାହିତ୍ୟର ଆଭିମୁଖ୍ୟ। ଏକ ବିଶେଷ ଦୃଷ୍ଟିରୁ ଜୀବନ ସର୍ବଦା ସଂହତିମୁଖୀ; କିନ୍ତୁ ସଂହତିରେ ବିଭ୍ରାଟ ରଚିବା ସକାଶେ ସର୍ବଦା ଉଦ୍ୟତ ଅସଂହତିର ଶକ୍ତି। ଏ ମହାନ୍ ଶ୍ଳୋକ ସେହି ଅସଂହତି ବିରୋଧରେ ବିକ୍ଷୋଭ; ଏକ ପ୍ରତିବାଦ, ଏକ ଚେତାବନୀ ଯେ ସେ ଶକ୍ତି କଦାପି ପ୍ରତିଷ୍ଠା ବା ଶାଶ୍ୱତ ସ୍ୱୀକୃତି ଲାଭ କରିପାରିବ ନାହିଁ।
ରାମାୟଣର “ଉତ୍ତର କାଣ୍ଡ”ରେ ବାଲ୍ମୀକି ସ୍ୱୟଂ ଏକ ମୁଖ୍ୟ ଚରିତ୍ର। କିନ୍ତୁ ସେ କାଣ୍ଡ ପ୍ରକ୍ଷିପ୍ତ; ପରବର୍ତ୍ତୀ କାଳରେ କୌଣସି ଧୀମାନ୍ କବି ଓ ତୀବ୍ର ସମାଜ-ସମାଲୋଚକଙ୍କ ଦ୍ୱାରା ରଚିତ। ଅତୁଳନୀୟ, ଅଜ୍ଞାତପ୍ରାୟ ବ୍ୟକ୍ତିତ୍ୱ, ଭାରତୀୟ ସାହିତ୍ୟର ଜନକ ମହାକବି ବାଲ୍ମୀକିଙ୍କ ରାମାୟଣ ଶ୍ରୀରାମଙ୍କ ରାଜ୍ୟାଭିଷେକରେ ସମାପିତ।
କାଳିଦାସଙ୍କ ସମ୍ପର୍କରେ କିମ୍ବଦନ୍ତୀସମୂହ ଲୋକକଥା ପର୍ଯ୍ୟାୟଭୁକ୍ତ। ତାଙ୍କ ଆଦି ନାମ ଜଣା ନାହିଁ। ଧାରାନଗରୀ ବ୍ୟାପି କୁଆଡ଼େ ସେଭଳି ମୂର୍ଖ ଯୁବକ ଦ୍ୱିତୀୟ ନ ଥିଲେ। ଜନୈକା ଜ୍ଞାନୋଦ୍ଧତା ରାଜକୁମାରୀଙ୍କ ଦ୍ୱାରା ଅପମାନିତ ପଣ୍ଡିତ ଏବଂ ଅମାତ୍ୟବର୍ଗ ଷଡ଼ଯନ୍ତ୍ର କରି କୌଣସିମତେ ସେ ଯୁବକଙ୍କୁ ରାଜସଭାରେ ଅନନ୍ୟ ପଣ୍ଡିତ ରୂପେ ଉପସ୍ଥାପନ କରି ତାଙ୍କୁ ରାଜକୁମାରୀଙ୍କ ପାଣିଗ୍ରହଣ କରାଇଦେଲେ। ଯାହା ଅନିବାର୍ଯ୍ୟ ତାହା ଘଟିଲା ଅବିଳମ୍ବେ: ନିଶାର୍ଦ୍ଧରେ ପ୍ରାସାଦରୁ ବିତାଡ଼ିତ ହେଲେ ବରପାତ୍ର; ଜନଶୂନ୍ୟ ପଥରେ ଦୌଡ଼ିଯାଇ ପ୍ରବେଶ କଲେ କାଳୀ ମନ୍ଦିରରେ; ଦେବୀଙ୍କ ଖଡ୍‌ଗ ଯୋଗେ ଜୀବନ ହାରିବାକୁ ବସନ୍ତେ ଦେବୀ ତାଙ୍କୁ ସେ ଭ୍ରାନ୍ତକର୍ମରୁ ନିବୃତ୍ତକରି ତାଙ୍କ ମାଗୁଣି କ’ଣ ପୁଚ୍ଛା କଲେ ଏବଂ ଯୁବକ ରାତାରାତି ପଣ୍ଡିତ-କବି ହେବାର ବାସନା ଜ୍ଞାପନ କଲେ। ଦେବୀ ତାଙ୍କୁ ସକରୁଣ ଜଣାଇଲେ କି ଆଗତ ବାର(ମତାନ୍ତରେ ଅଧିକ) ଜନ୍ମକାଳ ଭିତରେ ଯୁବକଟିର ଚେତନା ସେଭଳି ପର୍ଯ୍ୟାୟକୁ ଉନ୍ନୀତ ହେବାର ସମ୍ଭାବନା ନାହିଁ। ଯୁବକ ପୁନର୍ବାର ଖଡ୍‌ଗ ଉତ୍ତୋଳନ କଲେ। ଅର୍ଥାତ୍ ଆଜିର ଭାଷାରେ ସେ ଦେବୀଙ୍କୁ ଇମୋସନାଲ୍ ବ୍ଲାକ୍‌ମେଲ୍ କଲେ। ଅଗତ୍ୟା ଦେବୀ ସେହିଠାରେ ବାର ଥର ଯୁବକଙ୍କର ପ୍ରାଣ ନେଲେ ଏବଂ ଦେଲେ। (ଲୋକକଥାର ଅପେକ୍ଷାକୃତ ସ୍ଥୂଳ ସଂସ୍କରଣରେ ଦେବୀ ସ୍ୱୟଂ ତାଙ୍କୁ ବାରମ୍ବାର ଗିଳି ବାହାର କଲେ।)ଫଳରେ ବ୍ୟକ୍ତିଗତ କ୍ରମବିକାଶ ନିୟମଟି ପ୍ରତୀକାତ୍ମକ ରୂପେ ପାଳିତ ହୋଇଗଲା। ନିଶାର୍ଦ୍ଧରେ ମନ୍ଦିରରେ ପ୍ରବେଶ କରିଥିବା ନିପଟମୂର୍ଖ ଯୁବକ ପ୍ରଭାତ ବେଳକୁ ପ୍ରବୀଣ ପଣ୍ଡିତରେ ରୂପାନ୍ତରିତ ହୋଇ ଆତ୍ମପ୍ରକାଶ କଲେ। କାଳିଦାସ ନାମରେ ସୃଜିଲେ ନିଜର ଚମକପ୍ରଦ ପରିଚୟ।
ଏଭଳି ହାସ୍ୟକର କିମ୍ବଦନ୍ତୀକୁୁ ମନ୍ଥନ କଲେ ସେଥିରୁ ଉଦ୍‌ଗତ ହେବେ ଯୋଡ଼ିଏ ଶିକ୍ଷା: ପ୍ରଥମ, ଜନସାଧାରଣଙ୍କ ଦୃଷ୍ଟିରେ କାଳିଦାସ ଏଡ଼େ ବିସ୍ମୟକର ପ୍ରତିଭା ଯେ ବହୁ ଜନ୍ମର ସଚେତନ ଅଭୀପ୍‌ସା-ଅଧ୍ୟୟନ ବିନା ସେଭଳି ମେଧା ସମ୍ଭବପର ହୋଇ ନ ଥାନ୍ତା। ଦ୍ୱିତୀୟ, ଦିବ୍ୟକୃପାର ଅସାଧ୍ୟ କିଛି ନାହିଁ। ଯାହା ଦ୍ୱାରା ମୂକ ବାଚାଳ ବନିପାରେ ଏବଂ ପଙ୍ଗୁ ଗିରି ଲଂଘନ କରିପାରେ, ତାହା ଦ୍ୱାରା କାଳିଦାସ ରୂପକ ଚମତ୍କାର ବା ସାଧିତ ନ ହେବ କାହିଁକି ? ଏଭଳି କିମ୍ବଦନ୍ତୀସବୁ କ୍ଷେତ୍ରରେ ତଥ୍ୟ ନୁହେଁ, ସେସବୁରେ ନିହିତ ତତ୍ତ୍ୱ ହିଁ ଗୁରୁତ୍ତ୍ୱପୂର୍ଣ୍ଣ।
ମାତୃଭାଷା ଓ ଇଂରାଜୀର ସ୍ୱଚ୍ଛନ୍ଦ ସହାବସ୍ଥାନ ସମ୍ଭବ
ପ୍ରଶ୍ନ : ପ୍ରାକ୍-ପ୍ରାଥମିକ ସ୍ତରର ପିଲାଟିଏ ତା’ ମାତୃଭାଷାରେ ଅନେକ କଥା ଶିଖିଥାଏ। ଯେତେବେଳେ ଏକ ଅତ୍ୟାଧୁନିକ ଇଂରାଜୀ-ମାଧ୍ୟମ ବିଦ୍ୟାଳୟରେ ତା’ର ନାମ ଲେଖା ହୁଏ, ତାକୁ ଇଂରାଜୀରେ ଅ​‌େ​‌ନକ କଥା ଶିଖିବାକୁ ହୁଏ। ତେବେ ଇଂରାଜୀ ଶିଖିବା ଏବଂ ଇଂରାଜୀରେ ଶିଖିବା କ’ଣ ଏକା କଥା ?
ଦାମୋଦର ସାହୁ, ଅବସରପ୍ରାପ୍ତ ଶିକ୍ଷକ, ବରଗଡ଼
ଉତ୍ତର: ଆପଣଙ୍କ ପ୍ରଶ୍ନ ସମେତ ସମଗୋତ୍ରୀୟ (ଅଳ୍ପ କିଛିକିଛି ପାର୍ଥକ୍ୟ ଥିବା) ଅନ୍ୟ କେତେଜଣଙ୍କର କେତୋଟି ପ୍ରଶ୍ନର ଉତ୍ତର ଦେବାରେ ପ୍ରୟାସୀ ହେବି। ତେବେ ଆପଣଙ୍କ ପ୍ରଶ୍ନର ଶେଷ ବାକ୍ୟଟିର ଉତ୍ତର ପ୍ରଥମେ ଦେଉଛି: ଇଂରାଜୀ ଶିଖିବା ଏବଂ ଇଂରାଜୀରେ ଶିଖିବା ଏକ କଥା ନୁହେଁ ନିଶ୍ଚୟ। ଜଣେ ଇଂରାଜୀ ଭାଷା ପ୍ରତି ଆକର୍ଷଣ ବଶତଃ ଇଂରାଜୀ ଶିଖିପାରେ। ସେତିକିରେ ସେ ତୃପ୍ତ ରହିପାରେ ଅଥବା ଇଂରାଜୀ ଜ୍ଞାନର ଉପଯୋଗ କରି ସେ ଭାଷାରେ ଲିଖିତ ସାହିତ୍ୟର ରସ ପାନ କରିପାରେ; କିନ୍ତୁ ବିଦ୍ୟାଳୟରେ ଇଂରାଜୀ ଭାଷା ଶିକ୍ଷା ଦେବାର ଆଭିମୁଖ୍ୟ ସେ ଭାଷା ମାଧ୍ୟମରେ ବିଦ୍ୟାର୍ଥୀକୁ ଅନ୍ୟାନ୍ୟ ବିଷୟ ଶିକ୍ଷା କରିବାର ସୁଯୋଗ ଦେବା। ଯଦି ଛାତ୍ରଟିଏ ପ୍ରାଥମିକ ସ୍ତରର ଇଂରାଜୀ ଶିକ୍ଷା ପରେ ଅଧ୍ୟୟନରେ ଅଗ୍ରସର ନ ହୁଏ, ତେବେ ଅବଶ୍ୟ ଭିନ୍ନ କଥା।
ଇଂରାଜୀ ଶିକ୍ଷାର ଗୁରୁତ୍ବର କାରଣ କହିବା ବାହୁଲ୍ୟ। ଏକଦା “ଇଂରେଜ ସାମ୍ରାଜ୍ୟ ଉପରେ ସୂର୍ଯ୍ୟାସ୍ତ ହେଉ ନ ଥିଲା।” ବିସ୍ମୟ କହନ୍ତୁ, ବିଡ଼ମ୍ବନା କହନ୍ତୁ, ସେତେବେଳେ ଇଂରାଜୀ ଭାଷାର ପ୍ରଚଳନ ଯେଡ଼େ ବ୍ୟାପକ ଥିଲା, ସାମ୍ରାଜ୍ୟ ଉପରେ ସୂର୍ଯ୍ୟ ଅସ୍ତ ଯିବା ଅନ୍ତେ ସେ ଭାଷାର ପ୍ରସାର ତାହାଠୁଁ ଅଧିକ ବ୍ୟାପକ ହୋଇଛି ଏବଂ ହୋଇଚାଲିଛି। ଏକଦା ଐତିହାସିକ ହେତୁ (ଯୋଗୁଁ) ପ୍ରସାରିତ ହୋଇଥିବା ଇଂରାଜୀ ଆଜି ନାନାଦି ବ୍ୟାବହାରିକ ହେତୁ (ବିଜ୍ଞାନ, ବୈଷୟିକ ଇତ୍ୟାଦି) ତଥା ସାମାଜିକ ଓ ରାଜନୈତିକ ବିକାଶ ଧାରାରେ ଆନ୍ତର୍ଜାତିକତାର ଗୁରୁତ୍ବ ଯୋଗୁଁ ଅନିବାର୍ଯ୍ୟ ମନେହୁଏ। ଦିନେ ଇଂରାଜୀକୁ ଦୂରେଇ ରଖିଥିବା ଚୀନ୍ ଭଳି ଦେଶ ଯେ ଆଜି କ୍ଷିପ୍ର ଗତିରେ ସେ ଭାଷା ଆୟତ୍ତ କରିବାକୁ ଉଦ୍ୟତ। କହିବା ବାହୁଲ୍ୟ ତାହା ସେକ୍‌ସ୍‌ପିଅର୍ ପ୍ରତି ଶ୍ରଦ୍ଧା ଯୋଗୁଁ ନୁହେଁ, ସ୍ୱାର୍ଥଭିତ୍ତିକ ଆବଶ୍ୟକତା ଯୋଗୁଁ।
ଭାରତୀୟ ମାନସରେ କିନ୍ତୁ ଇଂରାଜୀର ସ୍ଥାନ ଭିନ୍ନ। ଇଂରାଜୀ ଭାଷା ଯେଉଁ ସାହିତ୍ୟର ମାଧ୍ୟମ, ସେହି ଐଶ୍ୱର୍ଯ୍ୟ ପ୍ରତି ଆମର ଶ୍ରଦ୍ଧା ରହିଛି, ତାହା ସହିତ ଅନ୍ତରଙ୍ଗତା ରହିଛି। କୁହାଯାଇପାରେ, ପ୍ରାୟ ଦୁଇ ଶତାବ୍ଦୀର ପରାଧୀନତା ମୂଲ୍ୟରେ ଆମେ ସେ ଐଶ୍ୱର୍ଯ୍ୟଟି କ୍ରୟ କରି ନିଜର କରି ନେଇଛୁଁ। ଉତ୍ତମ; ଏହା ଆମ ଗ୍ରହଣଶୀଳତାର ତଥା ସମ୍ବେଦନଶୀଳତାର ଲକ୍ଷଣ; କିନ୍ତୁ ହାରାହାରି ଶିକ୍ଷିତ ମହଲରେ ଏହା ସହିତ ମିଶି ରହିଛି କିଞ୍ଚିତ୍ ଉନ୍ନାସିକତା, କିଞ୍ଚିତ୍ ଗୁରୁ ମନୋଭାବ। ସେତିକି ନୁହେଁ, ମିଶି ରହିଛି ଏକ ବିମର୍ଷକର ଭ୍ରାନ୍ତଧାରଣା: ପିଲାଟି ଯଦି ସନ୍ତୋଷଜନକ ଭାବରେ ଇଂରାଜୀ ଆୟତ୍ତ କରିଥିବ, ତେବେ ସେ ମାତୃଭାଷାରେ ଶିକ୍ଷିତ ନ ହେଲେ କ୍ଷତି ନାହିଁ !
ଅଥଚ କ୍ଷତି ଯେ ନିଶ୍ଚିତ ଭାବେ ରହିଛି, ଏକଥା ସେମାନଙ୍କୁ ଅବିଦିତ ନୁହେଁ ବୋଲି ମୋର ଧାରଣା। ମନସ୍ତାତ୍ତ୍ୱିକ ଗବେଷଣା ବାରମ୍ବାର ସାବ୍ୟସ୍ତ କରିଛି ଯେ ମାତୃଭାଷାରେ ଅପରିପକ୍ବତା ଶିଶୁର ଚେତନାଗତ ବିକାଶରେ ବାଧା ଉପୁଜାଏ। ଗବେଷଣା ଏହା ମଧ୍ୟ ପ୍ରତିପାଦିତ କରେ ଯେ ଏକାଧିକ ଭାଷା ଶିଖିଥିବା ପିଲା ଅଧିକ ବିଚକ୍ଷଣ ହୁଏ। ପରିତାପର କଥା, ଅଭିଭାବକମାନେ ସେଭଳି ସୂକ୍ଷ୍ମ ଆବଶ୍ୟକତା ପ୍ରତି ବେପରୁଆ। ସନ୍ତାନର ସଂହତ ବ୍ୟକ୍ତିତ୍ବ ନୁହେଁ, ବୃତ୍ତିଗତ ପ୍ରତିଯୋଗିତାରେ ତା’ର ସଫଳତା ହିଁ ସେମାନଙ୍କ ପାଇଁ ଲୋଭନୀୟ ସିଦ୍ଧି। ସେମାନେ ଜାଣନ୍ତି ନାହିଁ ବା ଜାଣି ମଧ୍ୟ ଏ ତଥ୍ୟ ଉପରେ ଗୁରୁତ୍ବ ଦିଅନ୍ତି ନାହିଁ ଯେ ଶିଶୁ ଅକ୍ଳେଶରେ ତିନି ଚାରିଗୋଟି ଭାଷା ଶିଖି ନେଇପାରେ ଏବଂ ସେଥିରେ ସେ ପୁଲକିତ ହିଁ ହୁଏ।
ତେବେ ଏହା ଏକ ବଡ଼ ପ୍ରସଙ୍ଗ। ଆପାତତଃ ପିଲା ବିଦ୍ୟାଳୟରେ ଇଂରାଜୀ ଶିଖିବା ଅବସରରେ ଅଭିଭାବକମାନେ ଯଦି ଘରେ ତା’ ସହ ବିଶୁଦ୍ଧ ଓଡିଆରେ କଥାବାର୍ତ୍ତା ହୁଅନ୍ତେ, ତେବେ ଉଭୟ ଭାଷାରେ ପିଲାର ସୁଷମ ବିକାଶ ସମ୍ଭବ ହୁଅନ୍ତା। ଏହା ଏକାନ୍ତ ସତ୍ୟ।
email: [email protected]

Comments
Loading...