ଡଲାରର ଆକର୍ଷଣ

ଆମେରିକୀୟ ମୁଦ୍ରା ଡଲାର ବିଶ୍ବର ସବୁଦେଶ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ଆନ୍ତର୍ଜାତିକ କ୍ଷେତ୍ରରେ ଏହା ସବୁଠୁ ଇପ୍‌ସୀତ ବୈଦେଶିକ ବିନିମୟ ମୁଦ୍ରା ହୋଇଥିବାରୁ ଏହାକୁ ହାତେଇବା ପାଇଁ ବିଭିନ୍ନ ରାଷ୍ଟ୍ର ନାନା ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ଅତଏବ ବିଭିନ୍ନ ଦେଶ ଉଦ୍ଦେଶ୍ୟମୂଳକ ଭାବେ ନିଜନିଜର ମୁଦ୍ରାର ଅବ-ମୂଲ୍ୟାୟନ କରି ନିଜର ରତ୍ପାନୀ ବାଣିଜ୍ୟକୁ ପ୍ରତିଯୋଗିତାମୂଳକ ଓ ବିଦେଶୀ ବଜାରରେ ନିଜ ସାମଗ୍ରୀକୁ ଶସ୍ତା କରି ଅଧିକ ଡଲାର ଆୟର ଫନ୍ଦି- କୌଶଳ କରିଥାନ୍ତି। ଆଉ କେତେକ ରାଷ୍ଟ୍ର ମଧ୍ୟ ନିଜର ମୁଦ୍ରାକୁ ବିକ୍ରି କରିବାସହ ତାହାର ମୂଲ୍ୟ ହ୍ରାସକରି ବାଣିଜ୍ୟିକ ଓ ଆର୍ଥିକ ଲାଭ ଉଠାଇବାକୁ ଚେଷ୍ଟା କରନ୍ତି। ଏହା ବେଆଇନ ନୁହେଁ; ବରଂ ଏକ ରୋଜଗାରର କୌଶଳ। ପ୍ରତ୍ୟେକ ଦେଶ ଜାତୀୟ ଅର୍ଥନୀତିର ସ୍ବାର୍ଥରକ୍ଷା ପାଇଁ ବିଶ୍ବର ସବୁଠୁ ଅଧିକ ଚାହିଦାଥିବା ମୁଦ୍ରା ଅର୍ଜନ କରିବାକୁ ଏହା ମାଧ୍ୟମରେ ପ୍ରୟାସ କରିଥାନ୍ତି। ଏଭଳି ସ୍ଥିତିରେ ସଂପୃକ୍ତ ରାଷ୍ଟ୍ର ଆମେରିକା ବାଣିଜ୍ୟିକ ଓ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବା ସ୍ବାଭାବିକ। ତେଣୁ ନିଜର ସ୍ବାର୍ଥରକ୍ଷା ପାଇଁ ଆମେରିକା ନିଜର ପ୍ରମୁଖ ବାଣିଜ୍ୟିକ ମିତ୍ରରାଷ୍ଟ୍ରଙ୍କ ମୁଦ୍ରାର ଅବ-ମୂଲ୍ୟାୟନ ଏବଂ ବୈଦେଶିକ ବିନିମୟ ମୁଦ୍ରା କ୍ରୟର ପରିମାଣ ଓ ପୌନପୌନିକତା ଉପରେ ନଜର ରଖିଛି। ଏହି ତାଲିକାରେ ଅଛନ୍ତି ଚୀନ, ଜାପାନ, ଦକ୍ଷିଣ କୋରିଆ,ଜର୍ମାନୀ, ଇଟାଲୀ, ସିଙ୍ଗାପୁର, ମାଲେସିଆ ଓ ଭିଏତନାମ।
ଆମେରିକା ସହିତ ଭାରତର ବାଣିଜ୍ୟ କାରବାର ସର୍ବାଧିକ। ଏହାଛଡ଼ା ଭାରତୀୟ ବୈଦେଶିକ ମୁଦ୍ରାର ପ୍ରମୁଖ ଉତ୍ସ ହେଲା ଡଲାର। ଭାରତ ନିଜର ମୁଦ୍ରାକୁ ହେରଫେର (କରେନ୍ସି ମାନିପୁଲେସନ) କରି ଅଧିକ ଡଲାର କିଣୁଛି କି ନାହିଁ ତା’ ଉପରେ ଆମେରିକାର ଅର୍ଥ ବିଭାଗ ଗତବର୍ଷରୁ ନଜର ରଖିଥିଲା। ସୁଇଜରଲାଣ୍ଡ ମଧ୍ୟ ସମାନ ତଦାରଖ ବ୍ୟବସ୍ଥାରେ ଥିଲା। ଆମେରିକୀୟ ଅର୍ଥ ବିଭାଗ ବିଭିନ୍ନ ତଥ୍ୟ ସଂଗ୍ରହ କରି ସେଗୁଡ଼ିକୁ ଅନୁଶୀଳନ କରିବାପରେ ଭାରତ ଓ ସୁଇଜରଲାଣ୍ଡକୁ ଏହି ତାଲିକାରୁ ବାଦ ଦେଇଛି। ଏହାର ଅର୍ଥ ଭାରତ ବୈଦେଶିକ ମୁଦ୍ରା ଅର୍ଜନ ପାଇଁ କୌଣସି ଅନୁଚିତ ପନ୍ଥା ଗ୍ରହଣ କରୁନାହିଁ କିମ୍ବା ସୁରକ୍ଷାବାଦୀ ବାଣିଜ୍ୟିକ କୌଶଳ ଅବଲମ୍ବନ କରି ଆମେରିକା ପାଇଁ ପ୍ରତିବନ୍ଧକ ସାଜିନାହିଁ। ଅତଏବ ଭାରତ ପାଇଁ ଆଉ ଆମେରିକା ପଟୁ କୌଣସି ବାଣିଜ୍ୟିକ ଓ ବୈଦେଶିକ ମୁଦ୍ରା କ୍ରୟଜନିତ ଭୟ ନାହିଁ। ଆମେରିକାର ମୁଦ୍ରା ପର୍ଯ୍ୟବେକ୍ଷଣ ନୀତିରୁ ଭାରତ ବାଦ ପଡ଼ିବା ଏକ ଶୁଭ ଲକ୍ଷଣ। ଏହା ଭାରତର ଅର୍ଥନୀତି ଓ ବାଣିଜ୍ୟ ପାଇଁ ଏକ ଆଶ୍ବାସନାର ବିଷୟ। ତେବେ ଭାରତକୁ ତାହାର ବାଣିଜ୍ୟ ନିଅଣ୍ଟ ହ୍ରାସ ଓ ଦେଣନେଣ ସ୍ଥିତି ପ୍ରତି ଅଧିକ ସତର୍କ ରହିବାକୁ ପଡ଼ିବ। ତୈଳ ଆମଦାନୀ ପାଇଁ ବିପୁଳ ବୈଦେଶିକ ମୁଦ୍ରା ଦରକାର ହେଉଥିବାରୁ ସେ ଆବଶ୍ୟକତାକୁ ମଧ୍ୟ ପୂରଣ କରିବାକୁ ପଡ଼ିବ।

Comments
Loading...