ଜନନୀର ଶାପ

0

ଅନେକ ଦିବ୍ୟାସ୍ତ୍ରର ଅଧିକାରୀ ହୋଇଥିବା ମଧ୍ୟମ ପାଣ୍ଡବ ଅର୍ଜୁନ ଘୋର ତପସ୍ୟା କରି ଶିବଙ୍କ କୃପାରୁ ପାଶୁପତ ଅସ୍ତ୍ରର ଅଧିକାରୀ ହୋଇଥିଲେ। ସ୍ବର୍ଗପୁରରେ ଉତ୍ପାତ କରୁଥିବା ଅସୁରମାନଙ୍କ ଦ୍ବାରା ଅତିଷ୍ଠ ହୋଇ ଦେବରାଜ ଇନ୍ଦ୍ର ସେମାନଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ଅର୍ଜୁନଙ୍କ ସାହାଯ୍ୟ ଲୋଡ଼ିଥିଲେ। ଅସୁରମାନଙ୍କୁ ନିଃଶେଷ କରିଦେବାରୁ ଇନ୍ଦ୍ର ପ୍ରସନ୍ନ ହୋଇ ଅର୍ଜୁନଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ। ସଭାରେ ଅର୍ଜୁନଙ୍କୁ ଆପଣା ପାର୍ଶ୍ବରେ ବସାଇ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସବୁମତେ ପ୍ରୟାସ କରିଥିଲେ। ଅପସରାମାନଙ୍କୁ ଜଣଜଣ କରି ଅର୍ଜୁନଙ୍କ ସହ ପରିଚିତ କରାଇ ଦିଆଗଲା। ଅର୍ଜୁନ ପ୍ରତ୍ୟେକଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଥାନ୍ତି। ଇନ୍ଦ୍ର ଏହା ଜାଣିବାକୁ ଚାହୁଁଥିଲେ ଅର୍ଜୁନ କେଉଁ ଅପସରାଙ୍କ ପ୍ରତି ଅଧିକ ଆସକ୍ତ। ସେଭଳି କିଛି ହୋଇ ନ ଥିଲା। ଅର୍ଜୁନ ସେମାନଙ୍କୁ ପ୍ରିୟପରିଜନ, ସମ୍ମାନସ୍ପଦ ଦୃଷ୍ଟିରେ ଦେଖୁଥିଲେ।
ଦେବରାଜ ଅର୍ଜୁନଙ୍କୁ ଆକର୍ଷିତ କରିବା ନିମନ୍ତେ ଶ୍ରେଷ୍ଠ ଅପସରା ଉର୍ବଶୀଙ୍କୁ ଉପଯୋଗ କଲେ। ଉର୍ବଶୀ ଇନ୍ଦ୍ରସଭାକୁ ଆସିବାରୁ ଅର୍ଜୁନ କ୍ଷଣମାତ୍ର ତାଙ୍କୁ ନିରୀକ୍ଷଣ କରିବାରୁ ଦେବରାଜଙ୍କ ଧାରଣା ହେଲା ଯେ ଅର୍ଜୁନଙ୍କୁ ପ୍ରଲୁବ୍ଧ କରିବା ନିମନ୍ତେ ଉର୍ବଶୀ ହିଁ ଶ୍ରେଷ୍ଠ। ତଦନୁଯାୟୀ ଦେବରାଜଙ୍କ ନିର୍ଦେଶରେ ଉର୍ବଶୀ ଅର୍ଜୁନଙ୍କ ଶୟନକକ୍ଷକୁ ଯାଇଥିଲେ। ବିଶ୍ରାମ ନେଉଥିବା ଅର୍ଜୁନ କରାଘାତ ଶୁଣି ଦ୍ବାର ଖୋଲନ୍ତେ ଦେଖିବାକୁ ପାଇଥିଲେ, ଭୁବନମୋହିନୀ ଅପ୍‌ସରାଙ୍କୁ। ଉର୍ବଶୀଙ୍କୁ ଦେଖି ଅର୍ଜୁନ କହିଥିଲେ, ମା’ ! ଏତେ ରାତିରେ ଆପଣ ଏଠି କାହିଁକି ? ମୋତେ ତ ଡକାଇ ପାରିଥାନ୍ତେ।
ମା’ ଶବ୍ଦ ଶୁଣି ଉର୍ବଶୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆପଣା କାନକୁ ବିଶ୍ବାସ ହେଲାନାହିଁ। ଋଷି ମନ ହରଣକାରୀ ଭଙ୍ଗୀରେ କହିଥିଲେ- ‘ବୀରଶ୍ରେଷ୍ଠ ! ଦେବରାଜ ମୋତେ ଆପଣଙ୍କ ସେବା ନିମିତ୍ତ ଆଦେଶ ଦେଇଛନ୍ତି। ଆପଣଙ୍କ ଭଳି ଧନୁର୍ଦ୍ଧାରୀଙ୍କୁ ଦେଖି ମୁଁ ବିଶେଷ ଖୁସି। କୃପା କରି ମୋତେ ସେବାର ଆଦେଶ ଦିଅନ୍ତୁ।’
ଅର୍ଜୁନଙ୍କ ଉତ୍ତର ଥିଲା- ‘ଏ ପ୍ରକାର ଅନୁଚିତ ଶବ୍ଦ ପ୍ରୟୋଗରୁ କ୍ଷାନ୍ତ ହୁଅନ୍ତୁ। ଆପଣ ମୋର ମା’। ଇନ୍ଦ୍ରଙ୍କ ଦରବାରରେ ସେହି ମା’ ଭାବରେ ହିଁ ମୁଁ ଆପଣଙ୍କୁ ଦେଖିଥିଲି।’
ଉର୍ବଶୀ କିନ୍ତୁ ସେଥିପ୍ରତି କର୍ଣ୍ଣପାତ ନକରି କହିଥିଲେ- ‘ସ୍ବର୍ଗପୁରରେ ଯେତେ ଅପସରା ଅଛନ୍ତି, ସମସ୍ତେ କାହାରି ନା କାହାରି ମା’, ଭଗ୍ନୀ। ସ୍ବର୍ଗପୁରକୁ ଆସୁଥିବା ବ୍ୟକ୍ତି ଆପଣାର ପୁଣ୍ୟକର୍ମ ଅନୁସାରେ ମୋତେ ଉପଭୋଗ କରିଥାନ୍ତି। ଏହା ତ ନିୟମ। ଆପଣ ଇନ୍ଦ୍ରଙ୍କ ଆଦେଶ ପାଳନ କରିବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ।’ ଅର୍ଜୁନ ଅପ୍‌ସରାଙ୍କ ଭ୍ରାନ୍ତି ଦୂର କରିବାକୁ ଯାଇ କହିଥିଲେ- ‘‘କୁନ୍ତୀ, ମାଦ୍ରୀ ପ୍ରମୁଖ ଯେପରି ମୋର ମା’ ଆପଣ ସେହିପରି ଜଣେ ମା’। ମୋତେ କୃପାକରି ପୁତ୍ର ସଦୃଶ ଆଚରଣ କରନ୍ତୁ।’’ ଉର୍ବଶୀଙ୍କ ସକଳ ଆବେଦନ, ନିବେଦନ ଅର୍ଜୁନଙ୍କ ଚିତ୍ତବୃତ୍ତିକୁ ଆନ୍ଦୋଳିତ କରି ନ ଥିଲା। ନିରାଶ ହୋଇ ଉର୍ବଶୀ ଶାପ ଦେଇଥିଲେ- ‘ବୀରଶ୍ରେଷ୍ଠ ! ତୁମେ ଏକ କିନ୍ନରର ଭ୍ରାନ୍ତି ନେଇ ମୋତେ ଅପମାନିତ କଲ। ମୁଁ ଶାପ ଦେଉଛି ଏକବର୍ଷ ପର୍ଯ୍ୟନ୍ତ ତୁମେ କିନ୍ନର ରୂପ ଧରି ନୃତ୍ୟ କରିବ।’ ଅର୍ଜୁନ ଏହାକୁ ମା’ର ଶାପ ଭାବି ଆଦରରେ ଗ୍ରହଣ କରିନେଇଥିଲେ। ଅଜ୍ଞାତବାସ କାଳରେ ଉର୍ବଶୀଙ୍କ ଏହି ଶାପ ସତ୍ୟରେ ପରିଣତ ହୋଇଥିଲା।

Comments
Loading...