ଜଣେ ସଚ୍ଚୋଟ ସେବକ

0

(ନବଜୀବନ-୦୨-୦୭-୧୯୨୮)

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମୃତ୍ୟୁରେ ଭାରତ, ବିଶେଷକରି ଉତ୍କଳ ଜଣେ ସଚ୍ଚୋଟ ଓ ନିର୍ମଳ ହୃଦୟ ଦେଶସେବକଙ୍କୁ ହରାଇଛି। ସେ ଥିଲେ ଓଡ଼ିଶାର ରତ୍ନ। ଦୁର୍ଭିକ୍ଷ ପୀଡ଼ିତଙ୍କୁ ସହାୟତା ଦେବା ପାଇଁ ଅମୃତଲାଲ୍‍ ଠକ୍କର ଦଶବର୍ଷ ତଳେ ଓଡ଼ିଶା ଯାଇଥିଲେ। ଗୋପବନ୍ଧୁ ବାବୁଙ୍କ ଚରିତ୍ର, ଲୋକପ୍ରିୟତା ଓ ତାଙ୍କର ଅହରହ ଉଦ୍ୟମ ବିଷୟରେ ଅନେକ ସମୟରେ ସେ ମତେ ଲେଖୁଥିଲେ। ଅସହଯୋଗ ଆନ୍ଦୋଳନ କାଳରେ ଗୋପବନ୍ଧୁ ବାବୁ ବିଧାନସଭାର ସଦସ୍ୟ ଥିଲେ ଓ ଓକିଲାତି ମଧ୍ୟ କରୁଥିଲେ। ତେବେ ଓକିଲାତି କରି ସମ୍ପତ୍ତି ଜମାଇବା ବଦଳରେ ସେ ସାକ୍ଷୀଗୋପାଳରେ ଗୋଟିଏ ଅତି ଜନପ୍ରିୟ ପାଠଶାଳା ପ୍ରତିଷ୍ଠା କରିଥିଲେ। ଆଗେ ଏହି ପାଠଶାଳାର ସରକାରଙ୍କ ସହିତ ସମ୍ପର୍କ ଥିଲା। ତେବେ ଅସହଯୋଗର ସିଦ୍ଧାନ୍ତ ଠିକଣା ଭାବେ ବୁଝିବା ପରେ ସେ ବନବିଦ୍ୟାଳୟ ସହିତ ସରକାରଙ୍କ ସବୁ ସମ୍ପର୍କକୁ ଚ୍ଛିନ୍ନ କରିଥିଲେ। କେବଳ ସେତିକି ନୁହେଁ, ଓକିଲାତି ଛାଡ଼ିଦେଇ ନିଜ ଜୀବନରେ ସେ ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରିନେଇଥିଲେ। ବିଧାନସଭା ବି ପରିତ୍ୟାଗ କରିଥିଲେ। ଏହା ଛାଡ଼ିବା ତାଙ୍କ ପକ୍ଷରେ ଆଦୌ କଷ୍ଟକର ନ ଥିଲା। ତାଙ୍କର ସବୁଠାରୁ ପ୍ରିୟ ବନବିଦ୍ୟାଳୟଟି ଥିଲା ଆଦର୍ଶ ଓ ନିଷ୍ଠାର ପ୍ରତୀକ। ବନ୍ଧୁମାନଙ୍କ ସମସ୍ତ ସତର୍କବାଣୀକୁ ବେଖାତିର କରି ଏହି ବିଦ୍ୟାଳୟ ସହିତ ସରକାରୀ ସମ୍ପର୍କ କାଟିଦେଇ ତାକୁ ସଙ୍କଟାପନ୍ନ ଅବସ୍ଥାକୁ ଠେଲିଦେବା ଥିଲା ଗୋପବନ୍ଧୁ ବାବୁଙ୍କର ଏକ ବିରାଟ ତ୍ୟାଗ। ଏଥିଲାଗି ସେ କେବେ ପଶ୍ଚାତାପ କରିଥିବା ଜଣାନାହିଁ।
ଥରେ ଯେତେବେଳେ ବନବିଦ୍ୟାଳୟର ପ୍ରାୟ ସବୁ ଛାତ୍ର ଚାଲିଗଲେ ତାଙ୍କ ମନରେ ଟିକେ ଦୁର୍ବଳତା ଦେଖାଦେଇଥିଲା ଓ ସେ ସରକାରଙ୍କ ସହିତ ପୁଣି ସମ୍ପର୍କ ରଖିବା ପାଇଁ ଦରଖାସ୍ତ କରିଥିଲେ, କିନ୍ତୁ ସେଥିପାଇଁ ସରକାର କେତେଗୁଡ଼ିଏ ଅଶୋଭନୀୟ ସର୍ତ୍ତ ରଖିବାରୁ ସେ ଦରଖାସ୍ତଜନିତ ଦୁର୍ବଳତା ପାଇଁ ଅନୁତପ୍ତ ହୋଇଥିଲେ। ସର୍ତ୍ତ ଆରୋପ କରି ସରକାର ନିଜ ଅଯୋଗ୍ୟତା ପ୍ରକଟ କରିଥିବାବେଳେ ଗୋପବନ୍ଧୁ ବାବୁଙ୍କୁ ତାହା ଏହି ଅନୁଚିତ ସମ୍ପର୍କରୁ ରକ୍ଷା କରିଥିଲା। ଏଥିଲାଗି ସେ ଭଗବାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ସରଳ ଓ ନିର୍ମଳ ହୃଦୟସମ୍ପନ୍ନ ବ୍ୟକ୍ତିଙ୍କ ଦୁର୍ବଳତାରେ ତାଙ୍କ ସରଳତାର ପରିଚୟ ମିଳିଥାଏ। ଗୋପବନ୍ଧୁବାବୁଙ୍କ ଏହି ଦୁର୍ବଳତା ଏ ପ୍ରସଙ୍ଗରେ ଉଲ୍ଲେଖନୀୟ। ଏ ସମ୍ପର୍କରେ ଥରେ ସେ ମୋ ସହିତ କଥାବାର୍ତ୍ତା କରିବାବେଳେ ଗୋଟିଏ ପଟେ ତାଙ୍କ ପ୍ରିୟ ବନବିଦ୍ୟାଳୟ ପ୍ରତି ମମତା ଓ ଅନ୍ୟପଟେ ଏଥିପ୍ରତି ତାଙ୍କ ଦୁର୍ବଳତାର ସ୍ୱୀକାରୋକ୍ତି ମୁଁ ଦେଖିବାକୁ ପାଇଥିଲି। ଉଭୟର ମିଶ୍ରଣ ଗୋପବନ୍ଧୁ ବାବୁଙ୍କ ଶୋଭା ବଢ଼ାଇଥିଲା। ଗତବର୍ଷ ଉତ୍କଳ ଗସ୍ତବେଳେ ସେ ମୋତେ ସାକ୍ଷୀଗୋପାଳ ନେଇଥିଲେ। ସେଠାରେ ସୁନ୍ଦର ବକୁଳ କୁଞ୍ଜ ଭିତରେ ବନବିଦ୍ୟାଳୟର ଭଗ୍ନାବଶେଷ ଦେଖି ମୋତେ ଦୁଃଖ ଲାଗିଥିଲା, କିନ୍ତୁ ଗୋପବନ୍ଧୁବାବୁଙ୍କ ମନରେ କୌଣସି ପ୍ରକାର ଦୁଃଖ ଥିବା ମୁଁ ଅନୁଭବ କରିପାରିଲି ନାହିଁ। ଓଡ଼ିଶାର ଦାରିଦ୍ର୍ୟ ଦୂରୀକରଣରେ ଖଦିର କେତେ ଭୂମିକା ରହିଛି ତାହା ସେ ଗତ ଚାରିବର୍ଷରେ ବେଶ୍‍ ଜାଣି ଯାଇଥିଲେ। ଏଥିପାଇଁ ଖଦି କାମ କରିବା ସହ ଏହାକୁ କିପରି ବଢ଼ାଇ ହେବ ସେ ସମ୍ପର୍କରେ ମୋ ସହିତ ପରାମର୍ଶ ବି କରୁଥିଲେ। ଲାଲାଜୀଙ୍କ ଲୋକସେବକମଣ୍ଡଳ ସହିତ ଗୋପବନ୍ଧୁ ବାବୁ ଜଡ଼ିତ ଥିଲେ। ସେ ଏହି ସଂସ୍ଥାର ଉପସଭାପତି ରହିଥିଲେ। ତାଙ୍କ ଅବର୍ତ୍ତମାନରେ ଓଡ଼ିଶାର ସ୍ୱେଚ୍ଛାସେବକମାନେ ତାଙ୍କ କାର୍ଯ୍ୟକୁ ଆଗେଇ ନେବେ ବୋଲି ଆଶା କରାଯାଏ।
ସାଧୁମାନେ ମୃତ୍ୟୁବରଣ କରି ସୁଦ୍ଧା ବଞ୍ଚି ରୁହନ୍ତି ଓ ଅସାଧୁ ବ୍ୟକ୍ତି ବଞ୍ଚି ରହି ବି ମୁର୍ଦାର ସହ ସମାନ। ଗୋପବନ୍ଧୁବାବୁଙ୍କ ପରି ସାଧୁ ପୁରୁଷଙ୍କ ଦେହାବସାନରେ ଆମେ ସ୍ୱାର୍ଥ ବଶବର୍ତ୍ତୀ ହୋଇ ଦୁଃଖ କରୁଛୁ, କିନ୍ତୁ ପବିତ୍ର ଦୃଷ୍ଟିରେ ଦେଖିଲେ ଅନୁଭବ କରିବା ଯେ ଭଗବାନ ନିର୍ଦୟ ନୁହନ୍ତି, ବିଚାରବନ୍ତ। ଏହି ଆଧାରରେ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କ ପାଇଁ ତାଙ୍କ ଦେହାବସାନ ଦୁଃଖଦାୟକ ନୁହେଁ। ସେ ବଞ୍ଚିଥିବାବେଳେ ଆମେ ତାଙ୍କ ଶୁଦ୍ଧପୂତ ଜୀବନକୁ ନଅୁକରଣ କରିପାରି ନାହୁଁ ସତ, କିନ୍ତୁ ଏବେ ତାଙ୍କ ଗୁଣାବଳି ମନେପକାଇ ଆମେ ନିଜ ନିଜ ଭିତରେ ଅନୁରୂପ କାମ କରିବାର ଶକ୍ତି ସୃଷ୍ଟି କରିବା ଆବଶ୍ୟକ। ଏଭଳି ଅନେକ ଉଦାହରଣ ଅଛି। ତେଣୁ ମୋହମୁକ୍ତ ହୋଇ ଆମେ ମୃତ୍ୟୁଜନିତ ଭୟ ଓ ଶୋକକୁ ଛାଡ଼ି ଆତ୍ମାର ଅମରତ୍ୱକୁ ସିଦ୍ଧ କରିବା।

Comments
Loading...