ଚାଷ-ରାଜନୀତି

0

ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ତିନିଟି ରାଜ୍ୟରେ ବିଜେପିକୁ କ୍ଷମତାଚ୍ୟୁତ କରିବାରେ ସଫଳ ହେବାସହ ଚାଷୀଙ୍କ ଋଣଛାଡ଼ ପ୍ରତିଶ୍ରୁତି ପୂରଣ କରିବାରେ ଲାଗିପଡ଼ିଛି। ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରି ସମଗ୍ର ଦେଶରେ ଚାଷୀଙ୍କର ଋଣଛାଡ଼ କରିବାକୁ ଆହ୍ବାନ ଦେଇଛନ୍ତି ଓ ଏହା ନକଲେ ତାଙ୍କୁ ଶୁଆଇ ଦିଆଯିବ ନାହିଁ ବୋଲି କହିଛନ୍ତି। ତେବେ ଋଣଛାଡ଼ର ରାଜନୀତି ଓ ଅର୍ଥନୀତି ଏତେ ଗୋଳିଆ ଯେ ତାକୁ ବୁଝିବା ସାଧାରଣ ଲୋକ ପକ୍ଷେ ସହଜ ନୁହେଁ। ତେଣୁ ରାହୁଳ କହିଦେବା ମାତ୍ରେ ମୋଦୀ ଋଣଛାଡ଼ କରିଦେବେ, ସେପରି ଆଶା କରିବା ଠିକ୍‌ ନୁହେଁ। ତେବେ ଇତିମଧ୍ୟରେ କେବଳ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନର କଂଗ୍ରେସ ସରକାର ଚାଷୀଙ୍କ ଋଣଛାଡ଼ ପଦକ୍ଷେପ ନେଇନାହାନ୍ତି, ଆସାମ ଓ ଗୁଜରାଟର ବିଜେପି ସରକାର ମଧ୍ୟ ସେହି ରାସ୍ତା ଧରିଲେଣି। ଅବଶ୍ୟ କୌଣସି ସରକାର ଏ ପର୍ଯ୍ୟନ୍ତ ସାମଗ୍ରିକ ଋଣଛାଡ଼ କରିନାହାନ୍ତି, ଅର୍ଥାତ ସମସ୍ତ ଚାଷୀ ଏଥିରୁ ଉପକୃତ ହେବାର ସମ୍ଭାବନା ନାହିଁ। ତେବେ ଛତିଶଗଡ଼ ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ଋଣଛାଡ଼ କରିବା ସହ କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧୭୫୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ। କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ୧୭୫୦ ଟଙ୍କା ରଖିଥିବାବେଳେ ଛତିଶଗଡ଼ ସରକାର ଅଧିକ ୭୫୦ ଟଙ୍କା ପ୍ରୋତ୍ସାହନ ରାଶି (ବୋନସ୍‌) ଆକାରରେ ଚାଷୀଙ୍କୁ ଦେବାପାଇଁ ସ୍ଥିର କରିଛନ୍ତି। ନିଃସନ୍ଦେହ ଏହା ଚାଷୀଙ୍କୁ ଲାଭାନ୍ବିତ କରିବ। ଏଭଳି ପଦକ୍ଷେପ ନେବାପାଇଁ ଅନ୍ୟ ରାଜ୍ୟ ସରକାରଗୁଡ଼ିକ ଉପରେ ଚାପ ପଡ଼ିବା ନିଶ୍ଚିତ।
ଆମ ରାଜ୍ୟରେ ବି ଏବେ ଚାଷ-ରାଜନୀତି ଜୋର୍‌ ଧରିଛି। ଏଠାରେ ବିରୋଧୀ କଂଗ୍ରେସ ଓ ବିଜେପି ଶାସକ ଦଳ ବିଜେଡି ଉପରେ କ୍ରମାଗତ ଆକ୍ରମଣ କରୁଛନ୍ତି। ନିଜେ ନିର୍ବାଚନ ଜିଣିଲେ ଚାଷୀଙ୍କୁ ‘ହାତୀ ଦେବୁ ଘୋଡ଼ା ଦେବୁ’ର ପ୍ରତିଶ୍ରୁତିମାନ ଦେବା ବି ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ବିଜେଡି ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ୍ ଉପସ୍ଥାପନ, ନୀତି ନିର୍ଦ୍ଧାରଣ ନିମନ୍ତେ ସ୍ବତନ୍ତ୍ର କ୍ୟାବିନେଟ୍ ଗଠନ, ଆଳୁ ମିଶନ ପ୍ରତିଷ୍ଠା, ୧ ଶତାଂଶ ସୁଧରେ କୃଷିଋଣ ପ୍ରଦାନ, ସ୍ବାସ୍ଥ୍ୟବୀମା ବ୍ୟବସ୍ଥା ଆଦି ଯୋଜନା କରି ଚାଷୀଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦେଉଛି ବୋଲି ଦାବି କରୁଛି। ତେବେ ରାଜ୍ୟରେ ନିକଟ ଅତୀତର ଚାଷୀ ଆନ୍ଦୋଳନକୁ ଦେଖିଲେ ଶାସକ ଦଳର ଦାବିକୁ ଚାଷୀମାନେ ସେତେଟା ଗ୍ରହଣ କରିପାରି ନଥିବା ସ୍ପଷ୍ଟ ହୋଇଯାଏ। ବିଶେଷତଃ, ବର୍ତ୍ତମାନ ଯେପରି ଅନ୍ୟ ରାଜ୍ୟଗୁଡ଼ିକରେ ଋଣଛାଡ଼ ଓ ଧାନର ଏମ୍‌ଏସ୍‌ପି ବୃଦ୍ଧି କରାଗଲାଣି, ଏପରି ସ୍ଥିତିରେ ଉପରୋକ୍ତ ଦାବି ପ୍ରଭାବହୀନ ମନେହେବା ସ୍ବାଭାବିକ। ଏହି ପରିପ୍ରେକ୍ଷୀରେ ଜାନୁଆରୀ ୮ରେ ବିଜେଡି ପକ୍ଷରୁ ନୂଆଦିଲ୍ଲୀରେ ଧାନର ଏମ୍‌ଏସ୍‌ପି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ ସଭା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ତା’ର ପ୍ରଭାବ କେତେ ପଡ଼ିବ, ଦେଖିବା କଥା। ଉଲ୍ଲେଖନୀୟ, ଅତୀତରେ କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ୍ ପିଛା ୨,୯୩୦ ଟଙ୍କାକୁ ବଢ଼ାନ୍ତୁ ବୋଲି ରାଜ୍ୟ ସରକାର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରାଇଥିଲେ; କିନ୍ତୁ କୃଷି ଏକ ରାଜ୍ୟ ବିଷୟ ଓ ଛତିଶଗଡ଼ ଭଳି ବୋନସ୍‌ ଆକାରରେ ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ଯେ କୌଣସି ରାଜ୍ୟ ସରକାରଙ୍କ ପାଇଁ ପ୍ରତିବନ୍ଧକ ନାହିଁ। ତେଣୁ ଶାସକ ଦଳର ପଲା ଏ କ୍ଷେତ୍ରରେ ହାଲୁକା ମନେହେଉଛି। ଅତଏବ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଚାଷୀଙ୍କ ପାଇଁ କିଛି ଠୋସ୍‌ ପଦକ୍ଷେପ ନେବାକୁ ହିଁ ପଡ଼ିବ। କେବଳ ସେତିକି ନୁହେଁ, ରାଜ୍ୟର ଚାଷୀମାନେ ଏବେ ବି ଧାନର ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି ଓ ବିଭିନ୍ନ ପ୍ରକାରେ ସେମାନଙ୍କୁ ଶୋଷଣ ତଥା ହଇରାଣ ହରକତ କରାଯାଉଛି। ସରକାର ଓ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। ସେହିପରି ଏବେ ଆନ୍ଧ୍ର ଉପକୂଳରେ ଆସିଥିବା ‘ପେଥାଇ’ ଘୂର୍ଣ୍ଣିଝଡ଼ ପ୍ରଭାବରେ ବର୍ଷା ହେବାରୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ସେଗୁଡ଼ିକର ଉଚିତ ମୂଲ୍ୟାୟନ କରାଯାଇ ଚାଷୀଙ୍କୁ ଅବିଳମ୍ବେ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ ବୀମାଧାରୀ ଚାଷୀଙ୍କୁ ବୀମାଅର୍ଥ ଦେବାର ବ୍ୟବସ୍ଥା ହେଉ।
ଅପରପକ୍ଷେ ଜାନୁଆରୀ ପ୍ରାରମ୍ଭ ସପ୍ତାହରେ ରାଜ୍ୟରେ କଂଗ୍ରେସ, ବିଜେପି, ସିପିଏମ୍ ଆଦି ଦଳ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ ସଭାମାନ ଆୟୋଜନ କରିବାକୁ ଘୋଷଣା କରିଛନ୍ତି। ତେଣୁ ଆଗକୁ ଚାଷ-ରାଜନୀତି ଯେ ଅଧିକ ଜୋର୍‌ ଧରିବାକୁ ଯାଉଛି, ତାହା ନିଃସନ୍ଦେହ। ରାଜନୀତି ଚାଷ କରୁଥିବା ଲୋକେ ଏବେ ଚାଷ-ରାଜନୀତିରେ ମାତିଛନ୍ତି। ଉପରକୁ ଦେଖିଲେ ଏଥିରୁ ଚାଷୀ ଉପକୃତ ହେବେ ବୋଲି ମନେହେଉଛି; କିନ୍ତୁ ଭଲଭାବେ ନିରେଖିଲେ ବୁଝିବା କଷ୍ଟକର ନୁହେଁ ଯେ ଏହା ବି ସେମାନଙ୍କ ନିର୍ବାଚନ ରାଜନୀତିର ଅଂଶବିଶେଷ; ଅର୍ଥାତ ଚାଷୀଙ୍କ ସ୍ବାର୍ଥ ଅପେକ୍ଷା ଏଥିରେ ଆପଣା ସ୍ବାର୍ଥ ସର୍ବାଧିକ! ‌େ​‌ଯ ପର୍ଯ୍ୟନ୍ତ ଚାଷ ସମ୍ପର୍କିତ ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରାଯାଇନାହିଁ, ଏପରି ସାମୟିକ ପଦକ୍ଷେପର ତାତ୍କାଳିକ ଲାଭ ମିଳିଲେ ବି ଚାଷୀର ଦୁରବସ୍ଥା ସୁଧୁରିବା ସମ୍ଭାବନା କ୍ଷୀଣ; ତଥାପି ଆମେ ଆଶା କରିବା ଯେ ଏହି ଚାଷ-ରାଜନୀତିରୁ ଚାଷୀକୁଳ ବେଶୀ ନହେଲେ ବି କିଛିଟା ଲାଭବାନ ହୁଅନ୍ତୁ।

Comments
Loading...