ଚକ୍‌ ଦେ ଓଡ଼ିଶା

0

ଯେ କୌଣସି ବିଶ୍ବସ୍ତରୀୟ କ୍ରୀଡ଼ାର ଆୟୋଜନ ନିମନ୍ତେ ବିଶ୍ବସ୍ତରୀୟ ପ୍ରସ୍ତୁତି ଆବଶ୍ୟକ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହକି ମହାକୁମ୍ଭ ବିଶ୍ବକପ୍ ୨୦୧୮ର ପ୍ରସ୍ତୁତିକୁ ଦେଖିଲେ ତାହା ଯେ ଆନ୍ତର୍ଜାତିକ ମାନର, ସେଥିରେ ଆଦୌ ସନ୍ଦେହ ରହେ ନାହିଁ। ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉଦ୍‌ଘାଟନ ପର୍ବ ହିଁ ଜଣାଇଦେଇଛି ଏହାର ସ୍ବାତନ୍ତ୍ର୍ୟ ଓ ବିଶେଷତ୍ବ। ଏହି ସମାରୋହର ଗୀତ ‘ଦି ଆର୍ଥ ସଙ୍ଗ୍’ର ବିଷୟବସ୍ତୁ ‘ମାନବ ଜାତିର ଏକତା’ ଯଥାର୍ଥରେ ସମଗ୍ର ବିଶ୍ବକୁ ବାର୍ତ୍ତା ଦେଇଛି ଯେ ଓଡ଼ିଶା ବି ଏ କ୍ଷେତ୍ରରେ ଆଉ ପଛରେ ପଡ଼ି ନାହିଁ ଏବଂ କ୍ରୀଡ଼ା ମାଧ୍ୟମରେ ସିଏ ସମଗ୍ର ପୃଥିବୀବାସୀଙ୍କୁ ଏକତ୍ର କରିବା ଜାଣେ। କେବଳ ସେତିକି ନୁହେଁ, ସେମାନଙ୍କୁ ଯଥୋଚିତ ଆତିଥ୍ୟ ପ୍ରଦାନରେ ବି ଅବହେଳା କରେନା।
ନଭେମ୍ବର ୨୮ (ଆଜି)ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ହକି ବିଶ୍ବକପ୍ ଭାରତରେ ତୃତୀୟ ଥର ଆୟୋଜିତ ହେଉଥିବାବେଳେ ଓଡ଼ିଶାରେ ପ୍ରଥମ। ଏଥିପାଇଁ ରାଜଧାନୀସ୍ଥିତ କଳିଙ୍ଗ ଷ୍ଟାଡିୟମକୁ ଯେଉଁପରି ନବୀକରଣ କରାଯାଇଛି, ତାହା ଉଲ୍ଲେଖଯୋଗ୍ୟ; କାରଣ ଏଥିରେ ଯେଉଁ ନୂତନ ଅତ୍ୟାଧୁନିକ ବ୍ୟବସ୍ଥାମାନ ହୋଇଛି, ତାହା ବିଶ୍ବର ଅନେକ ଷ୍ଟାଡିୟମ୍‌ରେ ଏପର୍ଯ୍ୟନ୍ତ ମଧ୍ୟ ନାହିଁ। କେବଳ ଷ୍ଟାଡିୟମ ନୁହେଁ, ରାଜଧାନୀ ଭୁବନେଶ୍ବରର ରାସ୍ତାଘାଟକୁ ମଧ୍ୟ ଯେମିତି ସର୍ବାଙ୍ଗସୁନ୍ଦର କରିବାକୁ ଚେଷ୍ଟା କରାଯାଇଛି, ତାହା ଅଭୂତପୂର୍ବ। ମନ୍ଦିରମାଳିନୀ ସହରର କାନ୍ଥବାଡ଼ରେ ଶିଳ୍ପୀଙ୍କ ଦ୍ବାରା ହକି ଖେଳାଳିଙ୍କ ଗାଥା ସାଙ୍ଗକୁ ରାଜ୍ୟର କଳାସଂସ୍କୃତି ସମ୍ବନ୍ଧରେ ଚିତ୍ର ଅଙ୍କାଯାଇଛି। କ୍ରୀଡ଼ା ସହ ପର୍ଯ୍ୟଟନର ଯେପରି ବିକାଶ ଘଟିବ, ସେଥିପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନର ପ୍ରଚେଷ୍ଟା ଓଡ଼ିଶାକୁ ଯଥାର୍ଥରେ ଦେଶର କ୍ରୀଡ଼ା ରାଜଧାନୀ କରିବାରେ ସହାୟକ ହେବ ବୋଲି କୁହାଯାଇପାରିବ। ବିଶ୍ବକପ୍ ଚାଲିଥିବା ସମୟରେ ଅନ୍ତତଃ କୋଡ଼ିଏ ହଜାରରୁ ଊର୍ଦ୍ଧ୍ବ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିପାରନ୍ତି ବୋଲି ଆକଳନ କରାଯାଉଛି। ସେମାନଙ୍କ ପାଇଁ ରହଣି, ଖାଦ୍ୟପେୟ ଓ ବୁଲାବୁଲିର ଉତ୍ତମ ବ୍ୟବସ୍ଥା ହୋଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜଧାନୀ ଭିତରେ ଓ ଚତୁଃପାର୍ଶ୍ବରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକମାନେ ଯେପରି ଆରାମରେ ବୁଲିଯାଇପାରିବେ ସେଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଏଥିପାଇଁ ଦେଶର ୧୭ଟି ପ୍ରମୁଖ ସହର ସମେତ ଲଣ୍ଡନ ଭଳି ବିଦେଶର କେତୋଟି ବଡ଼ ନଗରରେ ‘ଓଡ଼ିଶା ବାଏ ଡେ ଏଣ୍ଡ୍ ହକି ବାଏ ନାଇଟ୍’ କାର୍ଯ୍ୟକ୍ରମର ପ୍ରଚାର କରାଯାଇଛି। ଏହାର ସୁଫଳ ନିଶ୍ଚୟ ମିଳିବ। ଏହି ସମୟରେ ‘ହାର୍ଟବିଟ୍‌ସ ଫର୍ ହକି’ ମାଧ୍ୟମରେ ରାଜଧାନୀର ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର, ସଂଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆଦି ଆୟୋଜିତ ହେବ। ଅନ୍ୟପକ୍ଷରେ ଯାତାୟାତ ପାଇଁ ପ୍ରଥମ ଥର ଲାଗି ରାଜଧାନୀରେ ଅତ୍ୟାଧୁନିକ ସାଇକଲର ବ୍ୟବସ୍ଥା କରାଯାଇଛି, ଯାହାକୁ ଭଡ଼ାରେ ଲୋକେ ନେଇ ଚଲାଇପାରିବେ। ୟୁରୋପୀୟ ଦେଶଗୁଡ଼ିକରେ ସ୍ଥାୟୀଭାବେ ଏପରି ବ୍ୟବସ୍ଥା କରାଯାଇଥିଲାବେଳେ ଆମ ରାଜ୍ୟରେ ଏହି ବ୍ୟବସ୍ଥା କରାଯିବା ପ୍ରଶଂସନୀୟ। ତେବେ ଏହା କିଭଳି ଆଗକୁ ମଧ୍ୟ ସୁଚାରୁରୂପେ ପରିଚାଳିତ ହୋଇପାରିବ, ସେନେଇ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ହକି ବିଶ୍ବକପ୍‌ ଆୟୋଜନ ପାଇଁ ମାନଚିତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ର ଭାବେ ଚିହ୍ନଟ କରାଯିବା ଭବିଷ୍ୟତରେ ଆମ ପର୍ଯ୍ୟଟନକୁ ଅଧିକ ଅଗ୍ରଗାମୀ କରିବ ବୋଲି ଆମେ ଆଶା କରିବା।
ଅପରପକ୍ଷେ ୧୯୨୮ ମସିହାରେ ହକିରେ ପ୍ରଥମ ଅଲିମ୍ପିକ୍ ସ୍ବର୍ଣ୍ଣପଦକ ହାସଲ କରିବା ପରେ ଆମ ଦେଶରେ ଏହି ଖେଳ ‘ଅନଧିକାରିକ’ ଭାବେ ଜାତୀୟ କ୍ରୀଡ଼ା ପାଲଟିଛି। ୧୯୬୦ ପର୍ଯ୍ୟନ୍ତ ଅଲିମ୍ପିକ୍‌ରେ କ୍ରମାଗତ ୬ଟି ସ୍ବର୍ଣ୍ଣପଦକ ଜିଣି ଇତିହାସ ମଧ୍ୟ ରଚିଛି। ତେବେ ବିଶ୍ବକପ୍ ହକିରେ ଭାରତ ତା’ର ପୂର୍ବଗୌରବକୁ ଦୋହରାଇପାରିନାହିଁ। କେବଳ ୧୯୭୫ ମସିହାରେ ଅଜିତ୍ ପାଲ ସିଂହଙ୍କ ଦଳ ଭାରତକୁ ବିଶ୍ବକପ୍ ବିଜୟୀ କରିବାରେ ସମର୍ଥ ହୋଇଥିଲା। କଳିଙ୍ଗ ଷ୍ଟାଡିୟମରେ ସେହି ଗୌରବମୟ ଅତୀତକୁ ପୁନରୁଜ୍ଜୀବିତ କରିବା ପାଇଁ ଭାରତୀୟ ହକି ଦଳ ପ୍ରସ୍ତୁତ ଓ ସମର୍ଥ ମଧ୍ୟ। ଏହି ଦଳରେ ଆମ ରାଜ୍ୟର ଦୁଇ ଜଣ ଚମତ୍କାର ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇବା ଆମ ପାଇଁ ସ୍ବତନ୍ତ୍ରଭାବେ ଗର୍ବର ବିଷୟ। ବର୍ତ୍ତମାନ ବିଶ୍ବସ୍ତରୀୟ ତାଲିକାରେ ପଞ୍ଚମ ସ୍ଥାନରେ ଥିବା ଭାରତ ୧୯୭୫ ପରେ ୟୁରୋପୀୟ ଦେଶ ନେଦରଲାଣ୍ଡ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆର ମାନର ସମକକ୍ଷ ହେବାରେ ସମର୍ଥ ହୋଇପାରିନାହିଁ। ଆମେ ଆଶା କରିବା ଯେ ଏଥର ଆମ ଦଳ ବିଶ୍ବସ୍ତରୀୟ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରି ଚମ୍ପିଆନ ହେବ। ଅବଶ୍ୟ ଏସବୁ ଦଳକୁ ପରାଜିତ କରିବା ସେତେଟା ସହଜ ହେବନାହିଁ। ଶେଷଥର ପାଇଁ ଭାରତ ନୂଆଦିଲ୍ଲୀ (୨୦୧୦) ବିଶ୍ବକପ୍‌ରେ ଖେଳିଥିଲାବେଳେ ତାହା ଅଷ୍ଟମ ସ୍ଥାନକୁ ଖସିଯାଇଥିଲା। କୌତୂହଳର କଥା ଯେ ହକି ବିଶ୍ବକପ୍‌ ଆୟୋଜନ କରୁଥିବା ଦେଶ ଅତୀତରେ ସର୍ବଦା ଖରାପ ଖେଳ ପ୍ରଦର୍ଶନ କରିଆସିଛି। ବର୍ତ୍ତମାନ ସୁଦ୍ଧା ଯେଉଁ ନଅଟି ଦେଶ ଏହାର ଆୟୋଜନ କରିଛନ୍ତି, ସେଗୁଡ଼ିକ ଅଷ୍ଟମ ସ୍ଥାନ ବା ତା’ଠାରୁ ଉପରେ ହିଁ ରହିଆସିଛନ୍ତି; ତଥାପି ହରେନ୍ଦ୍ର ସିଂହଙ୍କ ଦଳ ଏହି ବ୍ୟତିକ୍ରମକୁ ଭାଙ୍ଗିବ ବୋଲି ଆମର ବିଶ୍ବାସ।
ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ବିଶ୍ବସ୍ତରୀୟ କ୍ରିକେଟ୍ ଆୟୋଜିତ ହୋଇ ଓଡ଼ିଶାର ସୁନାମ ବଢ଼ାଉଥିବାବେଳେ ବିଗତ ପାଞ୍ଚବର୍ଷ ଭିତରେ କଳିଙ୍ଗ ଷ୍ଟାଡିୟମରେ ସୁପର୍ କପ୍, ଇଣ୍ଡିଆନ ସୁପର୍‌ଲିଗ୍, ଆଇଟିଏଫ୍ ଫ୍ୟୁଚର୍ସ, ହକି ଇଣ୍ଡିଆ ଲିଗ୍, ଏସୀୟ ଦୌଡ଼କୁଦ ପ୍ରତିଯୋଗିତା, ହକି ବିଶ୍ବ ଲିଗ୍, ଚମ୍ପିଆନ୍ସ ଟ୍ରଫି ଭଳି ବଡ଼ ପ୍ରତିଯୋଗିତାର ସଫଳ ଆୟୋଜନ ଓଡ଼ିଶା ପାଇଁ ନିଶ୍ଚିତଭାବେ ବିଶ୍ବ କ୍ରୀଡ଼ା ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରିଛି। ଏକଦା ଅନାହାର ମୃତ୍ୟୁ , ପିଲାବିକ୍ରି ଆଦି ପାଇଁ ବିଶ୍ବରେ ନିନ୍ଦିତ ହେଉଥିବା ଆମ ରାଜ୍ୟ ଏବେ ସକାରାତ୍ମକ କାର୍ଯ୍ୟ ପାଇଁ ଚର୍ଚିତ ହେବା କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏଥିପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟମ ସନ୍ତୋଷଜନକ। ତେବେ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ କେବଳ ସଫଳ ହେଲେ ହେବନାହିଁ, ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରାଯିବା ଆବଶ୍ୟକ। ସେ ଯାହାହେଉ, ଆମ ଖେଳାଳିମାନେ ‘ଚକ୍‌ ଦେ ଇଣ୍ଡିଆ’ କରିବାକୁ ଅଣ୍ଟା ଭିଡିଥିବାବେଳେ ଆମେ ‘ଚକ୍‌ ଦେ ଓଡ଼ିଶା’ କରିବାକୁ କାହିଁକି କୁଣ୍ଠିତ ହେବା!

Comments
Loading...