ଘାସମରା ବିଷ ବଳୟରେ ବିଶ୍ୱ

ନଟବର ଷଡ଼ଙ୍ଗୀ

ସୁଦୂର ଆମେରିକାର ସାନ୍‍ଫ୍ରାନ୍‍ସିସ୍‍କୋ ଅଦାଲତରେ ହୋଇଥିବା ଦୁଇଟି ମାମଲାର ଫଇସଲା ଓ ରାୟ ଯେ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱକୁ ଯେ ପ୍ରଭାବିତ କରିବ ତାହା ସେ ସମୟରେ ବୋଧହୁଏ କେହି କଳ୍ପନା କରିନଥିଲେ। ମାମଲା ଦୁଇଟି ଥିଲା ଏକ କୀଟନାଶକ ଔଷଧ କମ୍ପାନୀ ବିରୋଧରେ। ଆବେଦନକାରୀ ବା ମାମଲା ଦାଏରକାରୀ ଥିଲେ ଦୁଇ ଜଣ ମାମୁଲି ମୂଲିଆ ଶ୍ରେଣୀର ଲୋକ।
ପ୍ରଥମ ମାମଲା ଦାଏର କରିଥିଲେ ଏକ ସ୍କୁଲ୍‍ରେ ମାଳି କାମ କରି ଜୀବିକା ନିର୍ବାହ କରୁଥିବା ଦେୱାନ ଜନ୍‍ସନ୍‍। ଉକ୍ତ ସ୍କୁଲ୍‍ର ବଗିଚାରେ ଅନାବନା ଘାସ ମାରିବା ପାଇଁ ଜନ୍‍ସନ୍‍ ଗ୍ଲାଇଫସେଟ୍‍ ନାମକ ରାସାୟନିକ କୀଟନାଶକ ଉପାଦାନ ବ୍ୟବହାର କରୁଥିଲେ। ହଠାତ୍‍ ଦିନେ ଜନ୍‍ସନ୍‍ ଅସୁସ୍ଥ ହୋଇପଡ଼ିଲେ। ପରୀକ୍ଷାରୁ ଜଣା ପଡ଼ିଲା ସେ ହକିନ୍‍ସ ଲିଫୋମା କ୍ୟାନ୍‍ସରରେ ଆକ୍ରାନ୍ତ। ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଏହି ଗ୍ଲାଇଫସେଟ୍‍ ବ୍ୟବହାର କରିବା ଯୋଗୁଁ ଜନ୍‍ସନ୍‍ ସେହି ପ୍ରାଣଘାତୀ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ୨୦୧୫ରେ ମିଳିତ ଜାତିସଂଘ ଅଧୀନବିଶ୍ୱସ୍ୱାସ୍ଥ୍ୟ ସଂଗଠନର କର୍କଟ ଗବେଷଣା ସଂସ୍ଥା ଏହି ସୂଚନା ଦେଇଥିଲା। ଏହି ରିପୋର୍ଟ ଆଧାରରେ ଜନ୍‍ସନ୍‍ ଅଦାଲତଙ୍କ ଦ୍ୱାରସ୍ଥ ହେଲେ। ମାମଲାର ବିଚାର କରି ଜନ୍‍ସନ୍‍୍‍ଙ୍କୁ ୨୯୦ ନିୟୁତ ଡଲାର କ୍ଷତିପୂରଣ ରାଶି ଦେବା ପାଇଁ ଗ୍ଲାଇଫସେଟ୍‍ ପ୍ରସ୍ତୁତକାରୀ କମ୍ପାନୀ ମନ୍‍ସାଣ୍ଟୋକୁ ଅଦାଲତ ନିର୍ଦେଶ ଦେଇଥିଲେ। ଦ୍ୱିତୀୟ ମାମଲା ଦାଏର କରିଥିଲେ ଏଡ୍‍ ଉଇନ୍‍ ହାର୍ଡମ୍ୟାନ୍‍ ନାମକ ଜଣେ ୭୦ବର୍ଷ ବୟସ୍କ ବ୍ୟକ୍ତି। ହାର୍ଡମ୍ୟାନ୍‍ ମଧ୍ୟ ସମାନ ରୋଗରେ ଆକ୍ରାନ୍ତ ହୋଇଥିଲେ। କାରଣ ମଧ୍ୟ ସମାନ ଥିଲା। ଏହି ମାମଲାରେ ହାର୍ଡମ୍ୟାନ୍‍ଙ୍କୁ ୭୮ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ସାନ୍‍ଫ୍ରାନ୍‍ସିସ୍‍କୋ ଅଦାଲତ ମନ୍‍ସାଣ୍ଟୋକୁ ନିର୍ଦେଶ ଦେଇଥିଲେ।
ଏହି ଦୁଇଟି ମାମଲାର ଫଇସଲା ଓ ରାୟ ପରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଗଣମାଧ୍ୟମରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହେଲା। ଭାରତର ଏକ ଜାତୀୟ ଇଂରାଜୀ ଗଣମାଧ୍ୟମ ଏ ସମ୍ପର୍କିତ ବିସ୍ତୃତ ଖବର ତିନିଥର ପ୍ରକାଶ କରିଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ସୁଦୂର ଆମେରିକା​‌େ​‌ର ହୋଇଥିବା ଏକ କମ୍ପାନୀର କ୍ଷତିପୂରଣ ମାମଲା ଓ ରାୟ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଏହାର କାରଣ ହିଁ ଏହି ଆଲୋଚନାର ବିଷୟବସ୍ତୁ। ସାଧାରଣ ଓ ମାମୁଲି ଭଳି ଜଣାପଡ଼ୁଥିଲେ ମଧ୍ୟ ଏହି ଦୁଇଟି ମାମଲା କିନ୍ତୁ ବିଶ୍ୱ ପରିବେଶ, ସାମାଜିକ, ଆର୍ଥିକ ଓ ସର୍ବୋପରି ମାନବାଧିକାର ପ୍ରସଙ୍ଗ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିଛି। ଗ୍ଲାଇଫସେଟ୍‍ ବ୍ୟବହାର କାରଣରୁ କର୍କଟରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୪ ହଜାରରୁ ଅଧିକ ରୋଗୀ ଆମେରିକାର ବିଭିନ୍ନ ଅଦାଲତରେ ମାମଲା ଦାଏର କରିଛନ୍ତି। ବିଶ୍ୱରେ ଏଭଳି କର୍କଟ ରୋଗୀଙ୍କ ସଂଖ୍ୟା ୫୦ ଲକ୍ଷରୁ ଊଦ୍ଧ୍ୱର୍ ହୋଇପାରେ ବୋଲି ଏକ ଆକଳନରୁ ଜଣାପଡ଼ିଛି।
ଏଥର ଆଲୋଚନା କରିବା ଏହି ଗ୍ଲାଇଫସେଟ୍‍ ଏବଂ ଏହାର ନିର୍ମାତା ମନ୍‍ସାଣ୍ଟୋ ବିଷୟରେ। ମନ୍‍ସାଣ୍ଟୋ ହେଉଛି ରସାୟନିକ ସାର, କୀଟନାଶକ, ଜିଏମ୍‍ ବିହନ, କୃଷି ଯନ୍ତ୍ରପାତି ଓ ଜୀବଜନ୍ତୁଙ୍କ ପାଇଁ ଔଷଧ ପ୍ରସ୍ତୁତ କରୁଥିବା ଆମେରିକାର ଏକ ବହୁଦେଶୀୟ କମ୍ପାନୀ। ବିଶ୍ୱର ପ୍ରାୟ ୧୨୦ଟି ଦେଶରେ ଏହି କମ୍ପାନୀର ଶାଖା ଓ ବ୍ୟବସାୟ ରହିଛି। ମନସାଣ୍ଟୋର ଏହି ସବୁ ସାମଗ୍ରୀ ମଧ୍ୟରେ ରହିଛି ଗ୍ଲାଇଫସେଟ୍‍ ନାମକ ଏକ ଘାସମରା ଔଷଧ। ‘ରାଉଣ୍ଡଅପ୍‍’ ନାମକ ବ୍ରାଣ୍ଡ ବା ବ୍ୟାବସାୟିକ ନାମରେ କମ୍ପାନୀ ଗ୍ଲାଇଫସେଟ୍‍ ବିକ୍ରି କରୁଛି। ଗଲ୍ଫ କୋର୍ଟରୁ ଆରମ୍ଭ କରି ପାର୍କ, ବାଡ଼ି ବଗିଚା, ଲନ୍‍, ସ୍କୁଲ୍‍ କଲେଜ୍‍ର ଘାସ ଗାଲିଚାରେ ଗ୍ଲାଇଫସେଟ୍‍ ସିଞ୍ଚନ କରାଯାଏ। ୨୦୧୭ରେ ଜର୍ମାନୀର ବହୁଦେଶୀୟ କମ୍ପାନୀ ବେୟର କ୍ରପ୍‍ ସାଇନ୍ସ ମନ୍‍ସାଣ୍ଟୋର କୀଟନାଶକ ଉତ୍ପାଦ ଶାଖାକୁ ୬୨.୫ ବିଲିୟନ ଡଲାରରେ କିଣିଥିଲା। ଅଦାଲତ ଫଇସଲା ଓ ରାୟ ପରେ କମ୍ପାନୀ ଅଂଶଧନ ମୂଲ୍ୟ ୧୩% ଖସିଯାଇଥିବା ଜଣାପଡ଼ିଛି। ଗ୍ଲାଇଫସେଟ୍‍ ଉତ୍ପାଦରୁ ମନସାଣ୍ଟୋର ନାମ ହଟାଇ ବେୟର କ୍ରପ୍‍ ନିଜ ନାମ ଉଲ୍ଲେଖ କରିଛି।
ମନ୍‍ସାଣ୍ଟୋ ପ୍ରଥମେ ୧୯୭୪ରେ ଗ୍ଲାଇଫସେଟ୍‍ ପ୍ରସ୍ତୁତ କରିଥିଲା। ୨,୪, ଡି ଓ ୨,୪,୫, ଟି – ଏହିପରି ଦୁଇଟି ନାମରେ ଏହି କୀଟନାଶକକୁ ବଜାରକୁ ଛାଡ଼ିଥିଲା, କିନ୍ତୁ ଏହି କୀଟନାଶକ ବ୍ୟବହାର ଦ୍ୱାରା ମାଳି ଓ ଚାଷୀମାନେ ପକ୍ଷାଘାତ, ଅପସ୍ମାର ଓ ବିଭିନ୍ନ ପ୍ରକାର ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ଆସିଥିଲା(ର୍ୟାସେଲ୍‍ କାର୍ସନଙ୍କ ଦ୍ୱାରା ଲିଖିତ ‘ସାଇଲେଣ୍ଟ ସ୍ପ୍ରିଙ୍ଗ’ ନାମକ ପୁସ୍ତକରେ ପ୍ରକାଶିତ)। ଏହାପରେ ମଧ୍ୟ ମନସାଣ୍ଟୋ ଉପରୋକ୍ତ ଦୁଇଟି କୀଟନାଶକରେ ଆହୁରି ଅଧିକ ବିଷାକ୍ତ ରସାୟନ ବ୍ୟବହାର କରି ‘ଏଜେଣ୍ଟ ଅରେଞ୍ଜ’ ନାମକ ଏକ ଘାସମରା ଔଷଧ ପ୍ରସ୍ତୁତ କଲା। ଭିଏତନାମ-ଆମେରିକା ଯୁଦ୍ଧ(୧୯୬୧-୧୯୭୧)ରେ ଆମେରିକାର ସୈନ୍ୟବାହିନୀ ଜଳ, ସ୍ଥଳ ଓ ଆକାଶମାର୍ଗରୁ ଏହି କୀଟନାଶକ ପ୍ରୟୋଗ କରି ଭିଏତ୍‍ନାମର କୃଷି ଓ ପ୍ରାକୃତିକ ଜଙ୍ଗଲ ସମ୍ପଦକୁ ନଷ୍ଟ କରିଦେଇଥିଲେ। ଏଥିରେ ଭିଏତନାମର ୩୬ ଲକ୍ଷ ଏକର ସବୁଜିମା ପୋଡ଼ିଜଳି ନାରଖାର ହୋଇଯାଇଥିଲା। କେବଳ ସେତିକିରେ ସୀମିତ ନଥିଲା ଏହି କୀଟନାଶକର ପାଶ୍ୱର୍ ପ୍ରଭାବର ଭୟାବହତା। ଯୁଦ୍ଧ ପରେ ଲକ୍ଷଲକ୍ଷ ଭିଏତନାମବାସୀ ଅକାଳ ମୃତ୍ୟୁରେ ପଡ଼ିଥିଲେ। ହଜାରହଜାର ବିକଳାଙ୍ଗ ଶିଶୁ ଜନ୍ମ ନେଲେ। ବହୁ ସଂଖ୍ୟାରେ ଆମେରିକୀୟ ସୈନ୍ୟ ମଧ୍ୟ ନିହତ ହେଲେ। ଗ୍ଲାଇଫସେଟ୍‍କୁ ଆହୁରି ବିଷାକ୍ତ କରିବାକୁ ଯାଇ ମନସାଣ୍ଟୋ ‘ଏଜେଣ୍ଟ ଅରେଞ୍ଜ’ରେ ଡାଇକ୍ସିନ୍‍ ନାମକ ଆଉ ଏକ ରାସାୟନିକ ବିଷାକ୍ତ ସାମଗ୍ରୀ ମିଶାଇଲା। ଏହାପରେ ଗ୍ଲାଇଫସେଟ୍‍ ମହୁରା, ଜଂଖୁଆ ବିଷଠାରୁ ଆହୁରି ବିଷାକ୍ତ ହେଲା। ମହିଳାଙ୍କୁ ବନ୍ଧ୍ୟା ଓ ପୁରୁଷଙ୍କୁ ନପୁଂସକ କରିବାରେ ହାଇକ୍ସିନ୍‍ର ପ୍ରମୁଖ ଭୂମିକା ରହିଥିଲା। ଚୀନ୍‍ରେ ୧୯ ପ୍ରତିଶତ ଦମ୍ପତି ଏହି ବିଷାକ୍ତ ରାସାୟନିକ ଉପାଦାନର ପ୍ରଭାବରେ ନିଃସନ୍ତାନ ହୋଇଥିବା ଜଣାପଡ଼ିଛି।
ତେବେ ଏହି ସବୁର ଆଲୋଚନା ଏବେ ଏଠାରେ କାହିଁକି – ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ। ଏହାର ଉତ୍ତର ସରଳ। ଗ୍ଲାଇଫସେଟ୍‍ର ସାମ୍ରାଜ୍ୟ ଖୁବ୍‍ ବିସ୍ତୃତ। ୟୁରୋପ୍‍ର ପରିବେଶ ବିଜ୍ଞାନ ସମ୍ପର୍କିତ ଏକ ଜର୍ଣ୍ଣାଲରେ ୨୦୧୬ ଫେବୃଆରୀରେ ପ୍ରକାଶିତ ତଥ୍ୟାନୁଯାୟୀ, ୧୯୭୪ ରୁ ୨୦୧୫ ମଧ୍ୟରେ ବିଶ୍ୱରେ ୮.୬ ବିଲିୟନ୍‍ କେଜି ଗ୍ଲାଇଫସେଟ୍‍ ବା ରାଉଣ୍ଡ ଅପ୍‍ ବିଶ୍ୱର ବିଭିନ୍ନ କ୍ଷେତରେ ଘାସ ମାରିବା ପାଇଁ ବ୍ୟବହାର ହେଉଛି। ଭାରତ ସରକାରଙ୍କ କେନ୍ଦ୍ରୀୟ କୃଷି ବିଭାଗର ସୂଚନା ଅନୁଯାୟୀ, କେବଳ ୨୦୧୪-୧୫ ଆର୍ଥିକ ବର୍ଷରେ ଭାରତର ବିଭିନ୍ନ ଅଞ୍ଚଳର ଜମିରେ ୮ ଲକ୍ଷ ୬୬ ହଜାର କେଜିର ଗ୍ଲାଇଫସେଟ୍‍ ପଡ଼ିଛି।
ଶାନ୍ତନୁ ମିଶ୍ରଙ୍କ ଦ୍ୱାରା ଲିଖିତ ‘ପଏଜନ୍‍ ଫୁଡ୍‍ସ ଅଫ୍‍ ନର୍ଥ ଆମେରିକା’(ଉତ୍ତର ଆମେରିକାର ବିଷାକ୍ତ ଖାଦ୍ୟ)ରେ ଉଲ୍ଲେଖିତ ସୂଚନା ଅନୁଯାୟୀ, ଭାରତରେ କେବଳ କୃଷକ ନୁହନ୍ତି, ଖାଉଟିମାନଙ୍କ ରକ୍ତ ନମୁନାରେ ମଧ୍ୟ ଗ୍ଲାଇଫସେଟ୍‍ ବିଷର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ୧୦୦ ଗୁଣ ଅଧିକ ରହିଛି। ମନସାଣ୍ଟୋ ପରି ଆହୁରି ଅନେକ ବହୁଦେଶୀୟ କମ୍ପାନୀ ବିଭିନ୍ନ ଫସଲ ଓ ଶସ୍ୟର ଗୁଣସୂତ୍ର ପରିବର୍ତ୍ତନ କରି ପରୀକ୍ଷାଗାରରେ ଏପରି ବିହନ ପ୍ରସ୍ତୁତ କରୁଛନ୍ତି ଯାହା ଚାଷଜମିରେ ବ୍ୟବହାର କଲେ ବିପୁଳ ପରିମାଣର ଜଙ୍ଗଲୀ ଘାସ ସୃଷ୍ଟି ହେବ। ଚାଷଜମିରୁ ଏହି ଘାସ ସଫା କରିବା ପାଇଁ ଚାଷୀମାନେ ବାଧ୍ୟ ହୋଇ ଗ୍ଲାଇଫସେଟ୍‍ ବ୍ୟବହାର କରିବେ। କାରଣ ହାତରେ ଘାସ ସଫା କରିବା ପାଇଁ ଯେତିକି ଖର୍ଚ୍ଚ ହେବ ତା’ ତୁଳନାରେ ଗ୍ଲାଇଫସେଟ୍‍ର ବ୍ୟବହାର ତିନି ଚାରିଗୁଣା କମ୍‍ ଖର୍ଚ୍ଚ ହେବ। ତେଣୁ ଖର୍ଚ୍ଚକୁ ଡରି ଆମେ ଯେଉଁ ଘାସମରା ଔଷଧ ପ୍ରୟୋଗ କରୁଛୁ ତା’ ଦ୍ୱାରା ରୋଗ କିଣି ଆଣୁଛୁ। ରସେଲ୍‍ କାର୍ସନଙ୍କ ଦ୍ୱାରା ୧୯୯୩ରେ ପ୍ରଣୀତ ‘ୟୁଏସ୍‍ଏ ବେସିକ୍‍ ଗାଇଡ୍‍ ଟୁ ପେଷ୍ଟିସାଇଡ୍‍ସ୍‍’ ବା ‘କୀଟନାଶକ ପାଇଁ ମୌଳିକ ମାର୍ଗଦର୍ଶିକା’ରେ ପ୍ରକାଶିତ ସୂଚନା ଅନୁଯାୟୀ, ଗ୍ଲାଇଫସେଟ୍‍ ଯୋଗୁଁ କେବଳ ଯେ କର୍କଟ ରୋଗ ହୁଏ ତାହା ନୁହେଁ, ସ୍ନାୟୁବିକ ଦୁର୍ବଳତା, ପକ୍ଷାଘାତ, ଅପସ୍ମାର, ଯକୃତ ଓ ବୃକକ୍‍ରେ ଘା’, ଦୃଷ୍ଟିଶକ୍ତି ହ୍ରାସ, ଚର୍ମରୋଗ, ଏକଜିମା, ଉଚ୍ଚ ରକ୍ତଚାପ, ଫୁସ୍‍ଫୁସ୍‍ଜନିତ ରୋଗ, ସ୍ମରଣଶକ୍ତି ହ୍ରାସ ଆଦି ରୋଗ ସୃଷ୍ଟି ହୁଏ।
ଆହୁରି ଉଦ୍‍ବେଗଜନକ ହେଉଛି ଭାରତ କାନାଡ଼ାରୁ ମଟର ଡାଲି, ଖାଇବା ତେଲ ଆମଦାନୀ କରୁଥିବା ବେଳେ ଆମେରିକାରୁ ସୋୟାବିନ୍‍, ଅଷ୍ଟ୍ରେଲିୟାରୁ ମୁଗଡାଲି ଆମଦାନୀ କରୁଛି। ସେହିସବୁ ଦେଶରେ ଏହିସବୁ ଖାଦ୍ୟ ସାମଗ୍ରୀ ଜିଏମ୍‍ ବିହନରୁ ଉତ୍ପାଦିତ ହେଉଛି। ସେହିସବୁ ଖାଦ୍ୟଶସ୍ୟରେ ଗ୍ଲାଇଫସେଟ୍‍ର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ୧୦୦ ରୁ ୨୦୦ଗୁଣ ଅଧିକ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଭାରତରେ ମଧ୍ୟରେ ଆଖୁ, ବିଟିକପା, ଧାନ ଓ ପନିପରିବା କ୍ଷେତରେ ଘାସମରା ଔଷଧ ବ୍ୟବହାର କରାଯାଉଛି। ଏହି ସବୁ ଖାଦ୍ୟ ସାମଗ୍ରୀ ଜରିଆରେ ମାରାତ୍ମକ ବିଷ ଆମ ଶରୀର ଭିତରକୁ ପ୍ରବେଶ କରୁଛି। ଅନ୍ୟ ଅର୍ଥରେ କହିଲେ ଆମେ ପଇସା ଦେଇ ବିଷ କିଣୁଛେ। ଖାଉଟିଙ୍କ ଚାପରେ ନିକଟ ଅତୀତରେ ପଞ୍ଚାବ ସରକାର ରାଉଣ୍ଡ ଅପ୍‍ ନିଷେଧ କରିଛନ୍ତି।
ଶେଷରେ କୁହାଯାଇପାରେ ଆଜି ବିଷ ବଳୟରେ ବିଶ୍ୱ। ଜୈବ ବିବିଧତା ବିପନ୍ନ। ମହୁମାଛି ମଧ୍ୟ ବିଷ ଜ୍ୱାଳାରେ ଛଟପଟ ହୋଇ ମରିଯାଉଛି ବା ପାଗଳ ହୋଇଯାଉଛି। ମହୁ ସଂଗ୍ରହ କରିବା ପରେ ଫେରିବା ବାଟକୁ ଭୁଲି ଯାଉଛି। ମହୁମାଛି, କୀଟପତଙ୍ଗଙ୍କ ବିନାଶ ଘଟିଲେ ପରାଗ ସଙ୍ଗମରେ ବାଧା ସୃଷ୍ଟି ହେବ ଓ ଖାଦ୍ୟସଙ୍କଟ ବଢ଼ିବ। ତେଣୁ ସମୟ ପୂର୍ବରୁ ରାସାୟନିକ ଔଷଧ ବଦଳରେ ଆମ ଦେଶ ପାରମ୍ପରିକ କୃଷି ପଦ୍ଧତିକୁ ଆପଣେଇ ନେଇପାରିଲେ ସମ୍ଭାବ୍ୟ ବିପଦରୁ ଜୀବଜଗତ ଓ ବିଶ୍ୱକୁ ରକ୍ଷା କରାଯାଇପାରିବ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଜ୍ଞାନୀ ଷ୍ଟିଫେନ୍‍ ହକିନ୍ସ ମୃତ୍ୟୁ ପୂର୍ବରୁ ସତର୍କ କରି ଯାଇଛନ୍ତି, ‘ତଥାକଥିତ ବିକାଶ ଓ ରାସାୟନିକ କୃଷିର ଧାରା ଯଦି ଚାଲୁ ରହେ ତେବେ ପୃଥିବୀରୁ ଜୀବଜଗତ ନିଶ୍ଚିହ୍ନ ହେବାକୁ ଆଉ ପଚାଶ ବର୍ଷ ମାତ୍ର ଲାଗିବ।’ ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା।

Comments
Loading...