ଗ୍ରୁପ୍‍ ଡି କର୍ମଚାରୀଙ୍କୁ ମିଳିବ ଦରମା

0

ଭୁବନେଶ୍ୱର: ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ଅମଲ ଓ ସେକ୍‍ସନ୍‍ ଅଫିସର ସଂଘ ପକ୍ଷରୁ ଅଗଷ୍ଟ ୧୭ରୁ କଲମ ଛାଡ଼ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନରେ ସେକ୍‍ସନ୍‍ ଅଫିସର, ଏଷ୍ଟାବ୍ଲିସ୍‍ମେଣ୍ଟ ଅଫିସର, ଜୁନିଅର ଓ ସିନିୟର କ୍ଲର୍କ ଆନ୍ଦୋଳନରେ ସାମିଲ ହୋଇଥିବାରୁ କୌଣସି ଗ୍ରୁପ୍‍ ଡି’ କର୍ମଚାରୀଙ୍କୁ ଅଗଷ୍ଟ ମାସର ଦରମା ମିଳିନାହିଁ। ମୁଖ୍ୟ ଶାସନ ସଚିବ, ସ୍ୱରାଷ୍ଟ୍ର ସଚିବ ଓ ଅର୍ଥ ସଚିବଙ୍କୁ ଦରମା ପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ଗ୍ରୁପ୍‍ ଡି ସଂଘ ପକ୍ଷରୁ ନିବେଦନ କରାଯାଇଥିଲା। ସୋମବାର ଗ୍ରୁପ୍‍ ଡି କର୍ମଚାରୀଙ୍କୁ ଦରମା ପ୍ରଦାନ ନେଇ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ମଙ୍ଗଳବାର ବିଲ୍‍ ପ୍ରସ୍ତୁତି ହେବ ଓ ବୁଧବାର ଦରମା ପ୍ରଦାନ କରାଯିବ ବୋଲି ଉନ୍ନୟନ କମିଶନର ଆର୍‍.ବାଲ୍‍କ୍ରିଷ୍ଣନ୍‍ ସଂଘକୁ ଚିଠି ଲେଖି ଜଣାଇଛନ୍ତି।
ସଂଘର ସଭାପତି ଗଙ୍ଗାଧର ସ୍ୱାଇଁ କହିଛନ୍ତି ଯେ ଅମଲାଙ୍କ ଆନ୍ଦୋଳନ ଯୋଗୁଁ ଗ୍ରୁପ୍‍ ଡି କର୍ମଚାରୀଙ୍କୁ ଦରମା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ଦରମା ନ ମିଳିଲେ ଆସନ୍ତାକାଲିଠାରୁ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ମୁଖ୍ୟଶାସନ ସଚିବ, ସ୍ୱରାଷ୍ଟ୍ର ସଚିବ ଓ ଅର୍ଥ ସଚିବଙ୍କୁ ଚିଠି ଦ୍ୱାରା ଜଣାଇ ଦିଆଯାଇଥିଲା। ଆଗକୁ ଗଣେଶପୂଜା, ଛାଡ଼ଖାଇ ଗଣପର୍ବ ଓ ବିଶ୍ୱକର୍ମା ପୂଜା ପଡୁଥିବାରୁ ତୁରନ୍ତ ଦରମା ପ୍ରଦାନ କରିବାକୁ ଅନୁରୋଧ କରିଥିଲୁ। ସରକାର ଦରମା ପ୍ରଦାନ ନେଇ ପଦକ୍ଷେପ ନେଇଛନ୍ତି ଓ ବୁଧବାର ସୁଦ୍ଧା ଦରମା ମିଳିଯିବ ବୋଲି ଉନ୍ନୟନ କମିଶନର ଦେଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତେଣୁ ସଂଘ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଧାରଣା, ବିକ୍ଷୋଭ ପ୍ରଦର୍ଶନ ଓ ଆନ୍ଦୋଳନକୁ ପ୍ରତ୍ୟାହାର କରି ଦିଆଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Leave A Reply