ଗ୍ରାମାଞ୍ଚଳ ସଙ୍କଟ

0

କୃଷିପ୍ରଧାନ ଦେଶ କୁହାଯାଉଥିବା ଭାରତବର୍ଷରେ ଧୀରେଧୀରେ ମନୋଭାବ ବଦଳୁଛି, ଏହା ଆମେ ଦେଖିଆସୁଥିଲୁ। ଏବେ ନାବାର୍ଡ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣର ତଥ୍ୟ ମଧ୍ୟ ଏହାକୁ ଅଧିକ ସ୍ପଷ୍ଟ କରିଛି। ଏଥିରେ ଆୟ ସମ୍ବନ୍ଧୀୟ ଯେଉଁ ନିର୍ଯାସ ମିଳିଛି, ତାହା ଅନେକ ପାରମ୍ପରିକ ଦୃଷ୍ଟିକୋଣକୁ ଭାଙ୍ଗିଦେବା ପାଇଁ ମଧ୍ୟ ଯଥେଷ୍ଟ ହେବ। ଏହି ସର୍ବେକ୍ଷଣ ଅନୁଯାୟୀ ଦେଶର ଗ୍ରାମାଞ୍ଚଳବାସୀଙ୍କର ମୋଟ ହାରାହାରି ଆୟର ମାତ୍ର ୨୩ ଶତାଂଶ କୃଷି ଓ ପଶୁପାଳନରୁ ଆସିଥାଏ। ଏପରିକି କେବଳ କୃଷି ଉପରେ ନିର୍ଭରଶୀଳ କୃଷକ ପରିବାର, ଯାହାର ଅନ୍ତତଃ ଜଣେ ସଦସ୍ୟଙ୍କ ଜୀବିକା କୃଷି ଏବଂ ଯାହାଙ୍କ ଉତ୍ପାଦନର ପରିମାଣ ବାର୍ଷିକ ୫୦୦୦ ଟଙ୍କା ବା ତା’ଠାରୁ ଅଧିକ- ତାଙ୍କର ମଧ୍ୟ କୃଷି ଓ ପଶୁପାଳନରୁ ହେଉଥିବା ଆୟର ପରିମାଣ ୪୩ ଶତାଂଶ। ନାବାର୍ଡର ସର୍ବେକ୍ଷଣ ଅନୁସାରେ ୪୭.୬ ଶତାଂଶ ଗ୍ରାମାଞ୍ଚଳର ଲୋକ ‘କୃଷିସମ୍ପର୍କିତ’ ହୋଇଥିବାବେଳେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ କୃଷିର ଅବଦାନ ମାତ୍ର ୧୭ ଶତାଂଶ। ମୋଟାମୋଟି ଭାବେ କହିବାକୁ ଗଲେ ଯେଉଁ ଅନୁସାରେ କୃଷିରେ ଲୋକ ନିଯୁକ୍ତ ହେଉଛନ୍ତି, ସେହି ଅନୁସାରେ ଆୟ ଖୁବ୍ କମ୍; ଅର୍ଥାତ ଗ୍ରାମାଞ୍ଚଳରେ ଏବେ ବି ଚାଷ ପ୍ରମୁଖ ଜୀବିକା, କିନ୍ତୁ ଆୟ ଅତି ଅଳ୍ପ; ତେଣୁ ଚାଷୀ ପରିବାରର ଲୋକଙ୍କୁ ମଧ୍ୟ ଅନ୍ୟାନ୍ୟ ଛୋଟକାଟର ଜୀବିକା କରିବାକୁ ପଡ଼ିଥାଏ।
ଏହା ଏକ ଗୁରୁତର ସମସ୍ୟା ହେଲେ ହେଁ ସରକାରୀ ସ୍ତରରେ ଏହାକୁ ସର୍ବଦା ଉପେକ୍ଷା କରାଯାଇ ଆସିଛି। ନିଜ ପାଇଁ ଭୋଟ ସାଉଁଟିବାକୁ ଆମ ନେତୃବୃନ୍ଦ ନିଜ ନିର୍ବାଚନ ଇସ୍ତାହାରମାନଙ୍କରେ ଚାଷୀଙ୍କ ଋଣଛାଡ଼, ଦୁଇଗୁଣ ଆୟ ଭଳି ଶସ୍ତା ସ୍ଲୋଗାନ ଦେଇଆସିଛନ୍ତି। ସେମାନେ ପ୍ରକୃତ ସମସ୍ୟାର ସମାଧାନ କରିବାକୁ ଚାହାନ୍ତି ନାହିଁ। ଯଦି ଚାହିଁଥା’ନ୍ତେ, ତେବେ ଏହି ସମସ୍ୟାର ପ୍ରଥମେ ସମାଧାନ କରିଥା’ନ୍ତେ ଯେ କୃଷିରେ ଆୟ ଅନ୍ୟ ଜୀବିକା ଅପେକ୍ଷା କାହିଁକି ସବୁଠୁ କମ୍। ସର୍ବୋପରି ଗ୍ରାମାଞ୍ଚଳବାସୀଙ୍କ ମଧ୍ୟରେ ବେକାରୀ ଦୂର କରାଯାଇପାରିବ କିପରି, ତା’ର ଉତ୍ତର ସେମାନେ ଖୋଜିଥା’ନ୍ତେ। ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଏବେ ବି ଯଦି ସେମାନଙ୍କ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ ମାନୁଫାକ୍ଚରିଂ ୟୁନିଟ୍‌ମାନ ସ୍ଥାପନ କରାଯାଏ, ତେବେ ଅନେକ ପରିମାଣରେ ସ୍ଥିତି ସୁଧୁରିଯିବ। ଏହାର ଉଦାହରଣ ବି ବିରଳ ନୁହେଁ। ସତୁରି ଓ ଅଶୀ ଦଶକରେ ଚୀନର ଗ୍ରାମାଞ୍ଚଳରେ ଛୋଟଛୋଟ ମାନୁଫାକ୍‌ଚରିଂ ୟୁନିଟ୍‌ମାନ ସ୍ଥାପିତ ହେବାପରେ ସେଠାକାର ଲୋକଙ୍କର ଆୟ ବହୁ ପରିମାଣରେ ବଢ଼ିଲା ଓ ସ୍ଥିତି ପୂରା ବଦଳିଗଲା। ଭାରତର ତାମିଲନାଡୁ ଓ ଗୁଜରାଟରେ ମଧ୍ୟ ଏହାର ବହୁଳ ଉଦାହରଣ ରହିଛି, ଯଦିବା ତାହା ବର୍ତ୍ତମାନ ପାଇଁ ଅନୁକରଣୀୟ ହୋଇନପାରେ। ଏବେ ଏଭଳି ନୂଆକିଛି କରିବାକୁ ପଡ଼ିବ, ଯେଉଁଥିରେ ଗ୍ରାମାଞ୍ଚଳର ଲୋକେ ରୋଜଗାର ପାଇବା ସହ ଭଲ ଆୟ କରିପାରିବେ। କେବଳ କାମଚଳା ଆୟ ଆଉ କାହାକୁ ଆକର୍ଷଣ କରିପାରିବ ନାହିଁ। କୃଷି ବିନା ଏହା ଯେଉଁଦିନ ସମ୍ଭବ ହେବ, ସେଦିନ ବହୁ ସମସ୍ୟାର ଆପେଆପେ ସମାଧାନ ହେବ। ଯେଉଁମାନେ ଚାଷ କରିବେ, ସେମାନେ ଚାଷରୁ ଏତେ ଲାଭ ପାଇବେ ​‌େ​‌ଯ ଅନ୍ୟକିଛି କରିବା ଦରକାର ପଡ଼ିବ ନାହିଁ। ସେତେବେଳେ ଆମ ନେତାମାନଙ୍କୁ ଆଉ ଦୁଇଟଙ୍କିଆ ଚାଉଳ ବାଣ୍ଟିବାର ଆବଶ୍ୟକତା ଆଦୌ ରହିବ ନାହିଁ କି ଏତିକି ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିଦେବୁ ବୋଲି ଅଯଥା ପ୍ରତିଶ୍ରୁତି ଦେବାକୁ ପଡ଼ିବ ନାହିଁ।

Leave A Reply