ଗୋପବନ୍ଧୁଙ୍କ ସୃଷ୍ଟିରେ ଜାତୀୟଚେତନା

0

ଡକ୍ଟର ସୋମା ଚାନ୍ଦ

୧୭୫୭ ମସିହା ପଲାସୀ ଯୁଦ୍ଧରେ ବଙ୍ଗଳାର ନବାବ ସିରାଜଉଦ୍ଦୌଲାଙ୍କ ପରାଜୟ ପରେ ପରେ ଭାରତରେ ବ୍ରିଟିଶ ଶାସନର ମୂଳଦୁଆ ପଡ଼ିଥିଲା। କ୍ରମେ କ୍ରମେ ଏହି ଶାସନ ନିଜର ଶାଖା ବିସ୍ତାର କରି ସମଗ୍ର ଭାରତକୁ ପ୍ରଭାବିତ କରିଥିଲା। ୧୮୫୭ ମସିହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବେଳକୁ ବ୍ରିଟିଶ ଶାସନର ମହୀରୁହ ଦୃଢ଼ ଭାବରେ ଭାରତର ମାଟିରେ ଅବସ୍ଥାପିତ ହୋଇସାରିଥିଲା; କିନ୍ତୁ ଏହି ଶାସନରୁ ମୁକ୍ତି ପାଇବା ପାଇଁ ଭାରତୀୟ ଜନସାଧାରଣଙ୍କ ମନରେ ପ୍ରକୃତ ଉତ୍ସାହ ପରିସ୍ଫୁଟ ହୋଇଥିଲା ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ। ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ସହ ଏହି ଚେତନା ଏକ ନିର୍ଦ୍ଦିଷ୍ଟ ପଥଗାମୀ ହୋଇଥିଲା। ଏହି ସମୟରେ ଭାରତର ଜାତୀୟତାବାଦୀ ନେତାମାନେ ବ୍ରିଟିଶ ଶାସନର ଶୋଷଣ ନିପୀଡ଼ନ ତଥା ଜନତାଙ୍କ ଦୁଃଖ ଦାରିଦ୍ର୍ୟ ଓ ନିର୍ଯାତନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଫଳରେ ଜାତୀୟ ଜାଗରଣ ସ୍ରୋତ ତୀବ୍ର ବେଗରେ ଆକୁମାରୀ ହିମାଳୟ ପ୍ରଧାବିତ ହୋଇଥିଲା। ଆଉ ଏହି ଜାଗରଣର ବାର୍ତ୍ତାକୁ ଜନାଭିମୁଖୀ କରାଇବାରେ ସାହିତ୍ୟ ଗ୍ରହଣ କରିଥିଲା ଏକ ପ୍ରମୁଖ ଭୂମିକା।
ଓଡ଼ିଶାରେ ମଧ୍ୟ ଏହି ପୃଷ୍ଠଭୂମିରେ ଉଦ୍ଭାସିତ ହୋଇଥିଲା ଜନପ୍ରିୟ ଜାତୀୟ ସାହିତ୍ୟ। ତତ୍କାଳୀନ ରାଜନୈତିକ ପରିସ୍ଥିତି ଅବଶ୍ୟ ଏଥିପାଇଁ ଯଥେଷ୍ଟ ସହାୟକ ହୋଇଥିଲା, ମରହଟ୍ଟା, ବଙ୍ଗ ଓ ବିହାର ସହିତ ପ୍ରଶାସନିକ ଲାଙ୍ଗୁଡ଼ ଭାବେ ଯୁକ୍ତ ରହି ଓଡ଼ିଶାର ପ୍ରାଣଶକ୍ତି ଶିଥିଳ ହୋଇଯାଇଥିଲା। ଶାସନର ଦ୍ୱାହି ଦେଇ ଇଂରେଜ ସରକାର ମନଇଚ୍ଛା ଓଡ଼ିଶାକୁ ଯାହା ତାହା ସହିତ ଯୋଡ଼ି ଦେଇଥିଲେ। ଏହି ରାଜନୈତିକ ଦୌରାତ୍ମ୍ୟର ପ୍ରତିବାଦ ପାଇଁ ଓଡ଼ିଶାରେ କୌଣସି ସଫଳ ନେତା ନ ଥିଲେ। ସାହିତ୍ୟ ଓ ଭାଷା କ୍ଷେତ୍ରକୁ ମଧ୍ୟ ଏହି ଦୌରାତ୍ମ୍ୟର କରାଳଛାୟା ମାଡ଼ି ଯାଇଥିଲା। ଏଇ ସଙ୍କଟରୁ ଜାତିକୁ ଉଦ୍ଧାର କରି ନୂତନ ମାର୍ଗ ପ୍ରଦର୍ଶନ କରିବାର ଦାୟିତ୍ୱ ନେଇଥିଲା ସାହିତ୍ୟ। ଜାତିର ଏହି ସନ୍ଧିକ୍ଷଣ ଲଗ୍ନରେ କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ବ୍ୟାସକବି ଫକୀରମୋହନ ଓ ସ୍ୱଭାବକବି ଗଙ୍ଗାଧର ସର୍ଜନାତ୍ମକ ଦୃଷ୍ଟିଭଙ୍ଗୀ ନେଇ ବୃହତ୍ତର କ୍ଷେତ୍ର ସଙ୍କଟରୁ ଓଡ଼ିଶାକୁ ବଞ୍ଚାଇଥିଲେ।
ସବୁକ୍ଷେତ୍ରରେ ସ୍ୱତନ୍ତ୍ର ହୋଇ ଆଗକୁ ଯିବାର ନୂଆ ବାଟ ଖୋଲାଇବାରେ ଏମାନଙ୍କର ପ୍ରେରଣା ହିଁ ପୌରୋହିତ୍ୟ କରିଥିଲା। ଜାତୀୟତାର ଜନ୍ମ ହେଲା। ଜାତୀୟଚେତନାର ଅଂଶୁରେ ଉଜ୍ଜଳ ହେଲା ଉତ୍କଳୀୟ ମାନସିକ ଦିଗନ୍ତ। ସ୍ୱତନ୍ତ୍ର ଭାଷା, ସ୍ୱତନ୍ତ୍ର ସଂସ୍କୃତି ଓ ସ୍ୱତନ୍ତ୍ର ଉଦ୍ୟମର ମଧ୍ୟ ଅୟମାରମ୍ଭ ହେଲା। ଅଧିକନ୍ତୁ ଊନବିଂଶ ଶତାବ୍ଦୀର ଶେଷାଦ୍ଧରେ ଆଧୁନିକ ଶିକ୍ଷାର ପ୍ରସାର ଫଳରେ ସମଗ୍ର ଓଡ଼ିଶାରେ ଏକ ନବ୍ୟଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ହୋଇଥିଲା। ୧୮୫୭ର ବିଫଳତା ଓ ୧୮୬୬ ନଅଙ୍କ ଦୁର୍ଭିକ୍ଷର ତୀବ୍ରତା ଆନ୍ଦୋଳିତ କରିଥିଲା ଏହି ତରୁଣ ଗୋଷ୍ଠୀର ଯୁବପ୍ରାଣକୁ। ଫଳରେ ଟିକିଏ ବିଳମ୍ବରେ ହେଲେ ମଧ୍ୟ ଏହି ଗୋଷ୍ଠୀ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ସମସାମୟିକ ପତ୍ରପତ୍ରିକା ମାଧ୍ୟମରେ। ଉତ୍କଳ ଦୀପିକା (୧୮୬୬), ଉତ୍କଳ ହିତୈଷିଣୀ (୧୮୬୯), ଉତ୍କଳ ଦର୍ପଣ (୧୮୭୩), ଉତ୍କଳପୁତ୍ର (୧୮୭୩), ଉତ୍କଳ ମଧୁପ (୧୮୭୮), ପ୍ରଦୀପ (୧୮୮୫), ସମ୍ବଲପୁର ହିତୈଷିଣୀ (୧୮୮୯), ଓ ଉତ୍କଳପ୍ରଭା (୧୮୯୧) ଆଦି ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକାରେ ପ୍ରତିଫଳିତ ହେଲା ବିଦ୍ରୋହୀପ୍ରାଣର ବିକ୍ଷୋଭ ଧ୍ୱନି।
ଏଣିକି ପୁରୀ ଓ କୋଣାର୍କର ପ୍ରାଚୀନ କୀର୍ତ୍ତିରାଜିରୁ ଓଡ଼ିଆ ଆହରଣ କଲା ନୂତନ ଆତ୍ମ ଆସ୍ୱାଦନ। ଦୟାତୀରର ଧଉଳିପୀଠରୁ ଆହରଣ କଲା ଅଶୋକଙ୍କ ବିରୋଧରେ କଳିଙ୍ଗ ସୈନିକଙ୍କ ତରବାରୀର ଗରିୟସୀ ସ୍ୱାଦ। କାର୍ତ୍ତିକ ପୂର୍ଣ୍ଣିମାର ବୋଇତ ବନ୍ଦାଣ ତା’ ପାଇଁ ଆଣିଲା ଅତୀତ ଗାଥାଗରିମାର ସ୍ମୃତି। ତଅପୋଇ ଓଷାରୁ ସିଏ ଆପଣାକୁ ଏକ ଉନ୍ନତ ଐତିହ୍ୟର ଦାୟାଦଭାବେ ନିଜକୁ ତଥା ଜାତିକୁ ଚିହ୍ନିଲା। ଜାତୀୟ ଜୀବନରେ ଏଇ ନୂତନ ପୁନର୍ଚିନ୍ତନ ଜାତୀୟତାର ମାର୍ଗକୁ ଆହୁରି ପ୍ରଶସ୍ତ କଲା।
ଜାତୀୟ ଜାଗରଣର ଏଇ ବ୍ରାହ୍ମମୁହୂର୍ତ୍ତରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଜଣେ କଲେଜର ଛାତ୍ର ମାତ୍ର। ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ, ଉତ୍କଳବାସୀଙ୍କ ମନରେ ଥିବା ବହୁ ଅନ୍ଧବିଶ୍ୱାସ ଏବଂ ସର୍ବୋପରି ଇଂରେଜ ଶାସନର ବହୁ ଦୋଷତ୍ରୁଟିକୁ ଯୁବକ ଗୋପବନ୍ଧୁ ସେତେବେଳକୁ ଉପଲବ୍ଧି କରିସାରିଲେଣି। ଠିକ୍‍ ଏଇ ସମୟରେ ହୃଦୟରେ ଗଭୀର ଆତ୍ମବିଶ୍ୱାସ ଓ ଆତ୍ମଚିନ୍ତନ ନେଇ ରାଜନୀତିରେ ପଦାର୍ପଣ କରିଥିଲେ ଗୋପବନ୍ଧୁ।
ଚୀନର ବକ୍ସର ବିପ୍ଳବ, ଆୟାରଲାଣ୍ଡର ସିନ୍‍-ଫିନ୍‍ ଆନ୍ଦୋଳନ, ଇଟାଲୀ ଏକତ୍ରୀକରଣରେ ମାଜିନି, ଗାରିବାଲ୍‍ଡ଼ିଙ୍କ ଭୂମିକା – ଭାରତର ଜାତୀୟତା ଓ ଭାରତୀୟ ଯୁବଶକ୍ତିର ପ୍ରଧାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ସେଥିସହିତ ଇଉରୋପରେ ଅଟୋମାନ ସାମ୍ରାଜ୍ୟର ପତନ, ପୋପଙ୍କ ଧର୍ମ ସାମ୍ରାଜ୍ୟ ଓ ସ୍ପେନର ବୁୁର୍ବୋ ସାମ୍ରାଜ୍ୟର ପତନ ଯୁବ ପ୍ରାଣରେ ସୀମିତ ଚିନ୍ତାଧାରାକୁ ବହୁଧା ବିଭକ୍ତ କରିଥିଲା। ଅଧିକନ୍ତୁ ଡେନମାର୍କ, ନରୱେ, ସୁଇଡ଼େନ, ହଲାଣ୍ଡ, ପୋଲାଣ୍ଡ ପରି କ୍ଷୁଦ୍ର କ୍ଷୁଦ୍ର ରାଜ୍ୟର ସଦର୍ପ ସ୍ୱାଧୀନ ଅବସ୍ଥିତି ଓ ନିଜସ୍ୱ ସଂସ୍କୃତି, ଜାତୀୟତାର ସଂଜ୍ଞାରେ ନୂତନତ୍ୱ ଆଣିଥିଲା। ନିଦ୍ରିତ ଓଡ଼ିଆ ମଧ୍ୟଯୁଗୀୟ ନିଦ୍ରା ତ୍ୟାଗ କଲା। ନିଜସ୍ୱ ସ୍ଥିତିର ଅବସ୍ଥିତି ଚାହିଁଲା। ଓଡ଼ିଆଙ୍କ ସ୍ୱତନ୍ତ୍ର ମନ୍ଦିର ପରି ଓଡ଼ିଶା ସ୍ୱତନ୍ତ୍ର ସ୍ଥିତି ଦାବି କଲା। ଅନ୍ୟମାନଙ୍କର ଅନୁଗତ ନ ହୋଇ, ସମାସ୍କନ୍ଦ ହୋଇ ଓଡ଼ିଆ ଜୀଇ ରହିବ।
ଭାରତୀୟ ଜାତୀୟତାର ଇତିହାସରେ ବଙ୍ଗବିଭାଜନ ଆନ୍ଦୋଳନ ପରି ଓଡ଼ିଶାର ଜାତୀୟତା ଇତିହାସରେ ମଧୁସୂଦନଙ୍କ ଯୁଗ ଥିଲା ଅୟମାରମ୍ଭର ଯୁଗ। ତାଙ୍କର ଉତ୍କଳ ସମ୍ମିଳନୀ ବଜାଇଥିଲା ଓଡ଼ିଆ ସ୍ୱାତନ୍ତ୍ର୍ୟର ଶୁଭଶଙ୍ଖ। ଓଡ଼ିଆ ଜାତୀୟତାର ସାଧନା ଓ ଆନ୍ଦୋଳନକୁ ରୂପ ଦେଇଥିବା ତତ୍କାଳୀନ ଏକମାତ୍ର ଅନୁଷ୍ଠାନ ରୂପେ ଉତ୍କଳ ସମ୍ମିଳନୀ କର୍ମମୁଖର ଥିବାବେଳେ ଗାନ୍ଧୀଙ୍କ ଆବିର୍ଭାବ ମୁକ୍ତି ସଂଗ୍ରାମର ଆଭିମୁଖ୍ୟକୁ ନୂଆ ରୂପ ଦେଇଥିଲା। ସମସ୍ତ ପ୍ରକାର ଜାତୀୟତା ଉପରେ ସେ ସମଗ୍ର ଭାରତର ଏକତା ଓ ଏକ ଭାଗ୍ୟତାକୁ ସ୍ୱୀକାର କଲେ। ଗାନ୍ଧୀଙ୍କ ନୂଆ ଦୃଷ୍ଟି ଓ ନୂଆ କଳ୍ପନା ତଥା ଜାତୀୟତାର ନୂତନ ବ୍ୟାଖ୍ୟା ଉତ୍କଳ ସମ୍ମିଳନୀ ଗ୍ରହଣ କରିପାରିଲା ନାହିଁ।
ଗୋପବନ୍ଧୁ ଉତ୍କଳ ସମ୍ମିଳନୀରୁ ଅଲଗା ହୋଇଗଲେ। ତାଙ୍କର ସେବାକ୍ଷେତ୍ର ମଧ୍ୟ ଅଲଗା ହୋଇଗଲା। ଜାତୀୟତାର ପୁରୁଣା ପର୍ଯ୍ୟାୟ ଭିତରେ ଆବଦ୍ଧ ରହିବାରୁ ଅର୍ଥାତ୍‍ ସ୍ୱତନ୍ତ୍ର ଉତ୍କଳ ଗଠନ ଭିତରେ ସୀମିତ ରହିବାରୁ ଉତ୍କଳ ସମ୍ମିଳନୀ ସର୍ବଭାରତୀୟ ଆଭିମୁଖ୍ୟ ଗ୍ରହଣ କରିପାରିଲା ନାହିଁ। ଜାତୀୟ ଦୃଷ୍ଟିର ଭାରକେନ୍ଦ୍ର ବଦଳିଗଲା। ମଧୁସୂଦନଙ୍କ ଯୁଗ ପରେ ଓଡ଼ିଶାରେ ଜାତୀୟତାର ଇତିହାସରେ ଗୋପବନ୍ଧୁ ଏକ ନୂତନ ଯୁଗର ପ୍ରବର୍ତ୍ତକ ହେଲେ।
ପଣ୍ଡିତ ଗୋପବନ୍ଧୁଙ୍କ ଜୀବନକୁ ସ୍ଥୂଳତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ।
– ଉଦ୍ୟୋଗ ପର୍ବ (୧୮୭୭ରୁ ୧୯୦୬ ମସିହା)
– ସଂଗ୍ରାମ ପର୍ବ (୧୯୦୬ରୁ ୧୯୨୮ ମସିହା)
ତାଙ୍କର ସାହିତ୍ୟ ସୃଷ୍ଟିକୁ ବିଶ୍ଲେଷଣ କଲେ ତାଙ୍କ ଜୀବନର ଏଇ ଦୁଇଟି ଧାରା ବେଶ ସ୍ପଷ୍ଟ ଭାବରେ ବାରି ହୋଇଯାଏ। ପ୍ରଥମ ଜୀବନର ତାରୁଣ୍ୟର ସବୁଜିମାରେ ନନ୍ଦକିଶୋରଙ୍କ ପରି ସେ ଓଡ଼ିଶାର ଗ୍ରାମ୍ୟଜୀବନ ଓ ପଲ୍ଲୀ ପ୍ରକୃତି ପ୍ରତି ଏତେ ଆସକ୍ତ ହୋଇପଡ଼ିଲେ ଯେ ଗ୍ରାମ୍ୟଜୀବନର ସମସ୍ତ କିଛି ତାଙ୍କ ରଚନା ସମ୍ଭାରକୁ ସମୃଦ୍ଧ କଲା। ନିଜ ତରୁଣ ପ୍ରବୃତ୍ତିର ସୂଚନା ଦେଇ ସେ “ବନ୍ଦୀର ସ୍ୱଦେଶ ଚିନ୍ତା” କବିତାରେ ଲେଖିଥିଲେ-
“ମନେ ଏବେ ଆସେ ତରୁଣ ବୟସେ ବୁଲୁଥିଲି ଯେବେ ଭାର୍ଗବୀ ତୀରେ,
ପୁନାଙ୍ଗ ବକୁଳ ସୌରଭ ସଂକୁଳ ସୁବାସ ଶୀତଳ ସଞ୍ଜ ସମୀରେ।”
ଏହି ପଦଟିରେ ଯଥାର୍ଥରେ ପ୍ରତିଫଳିତ ହୋଇଛି କବିଙ୍କ ପ୍ରାଥମିକ ଜୀବନର ଦୃଷ୍ଟିକୋଣ। ପଲ୍ଲୀଲଳନାର ପାଣି ଆଣିବାର ଦୃଶ୍ୟ, ଗୋଷ୍ଠବାହୁଡ଼ା ଧେନୁପଲ, ଦେବାଳୟର ଘଣ୍ଟା ଧ୍ୱନି, କୁଅାଁରୀ କଳରବ ପ୍ରଭୃତି ଗ୍ରାମ୍ୟ ଜୀବନର ବହୁ ପରିଚିତ ଦୃଶ୍ୟର ସମାବେଶ ଘଟିଛି ତାଙ୍କ ବର୍ଣ୍ଣନାର ବର୍ଣ୍ଣାଢ଼୍ୟ ଧାରାରେ।
ତରୁଣ ବୟସ ଅତିକ୍ରାନ୍ତ ହେବା ପରେ କବିଙ୍କ ଦୃଷ୍ଟି ଗ୍ରାମ୍ୟ ପରିସୀମା ତ୍ୟାଗ କରି ଉତ୍କଳର ଅତୀତ ଗୌରବ ପ୍ରତି ଆକୃଷ୍ଟ ହୋଇଛି। ଖଣ୍ଡଗିରି ଗୁମ୍ଫାରୁ ସେ ଶୁଣିପାରିଛନ୍ତି ଜୈନ ସାଧନାର ବୀଜମନ୍ତ୍ର। ନୀଳାଚଳର ଘଣ୍ଟଧ୍ୱନି ତାଙ୍କୁ ଦେଇଛି ସାମ୍ୟ, ମୈତ୍ରୀ ଓ ସମନ୍ୱୟର ଭବ୍ୟଶିକ୍ଷା। ବାରବାଟୀର ନବତଳ ପ୍ରାସାଦ, କାଠଯୋଡ଼ିର ପଥର ବନ୍ଧ ସବୁଥିରୁ ସେ ଆଘ୍ରାଣ କରିଛନ୍ତି ପୂର୍ଣ୍ଣ ଉତ୍କଳୀୟ ସୌରଭ। ଜୀବନର ପରବର୍ତ୍ତୀ କ୍ଷେତ୍ରରେ ଏହି ଚେତନାରାଜି ତାଙ୍କ ପାଇଁ ଆଣିଥିଲା ତୀବ୍ର ଜାତୀୟତାବୋଧ।
ଜାତୀୟତାବାଦୀ ନେତା ଭାବେ ବିପିନ ଚନ୍ଦ୍ର ପାଲ, ବାଲ ଗଙ୍ଗାଧର ତିଲକ, ଗୋପାଳକୃଷ୍ଣ ଗୋଖଲେ, ମଧୁସୂଦନ ଦାସ ପ୍ରଭୃତିଙ୍କୁ ସେ ପ୍ରେରଣାର ଉତ୍ସ ରୂପେ ଗ୍ରହଣ କରିଥିଲେ। ୧୯୦୫ ମସିହାର ବଙ୍ଗ ଭଙ୍ଗ ଆନ୍ଦୋଳନ ସମୟରେ ପୁରୀ ବଡ଼ଦାଣ୍ଡରେ ଯେଉଁ ବିଦେଶୀ ବସ୍ତ୍ର ପୋଡ଼ି ଆନ୍ଦୋଳନ ହୋଇଥିଲା ଓ ବନ୍ଦେ ମାତରମ୍‍ ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା ତା’ର ମୁଖ୍ୟ ପୁରୋଧା ଥିଲେ ତରୁଣ ଗୋପବନ୍ଧୁ ଓ ତାଙ୍କୁ ସାହାଯ୍ୟ କରିଥିଲେ ମୁକ୍ତାର ରାମଚନ୍ଦ୍ର ଦାସ ଏବଂ ଓକିଲ ହରିଶ୍ଚଚନ୍ଦ୍ର ଘୋଷ। ଏହାଛଡ଼ା ତାଙ୍କର ଏକନିଷ୍ଠ ସାଧନା ଫଳରେ ଓଡ଼ିଆ ସାହିତ୍ୟରେ ଅଦ୍ଭ୍ୟୁତ୍‍ଥାନ ଘଟିଥିଲା। ଏକ ନୂତନ ଯୁଗର ଯାହା ‘ସତ୍ୟବାଦୀଯୁଗ’ ନାମରେ ପରିଚିତ। ଓଡ଼ିଆ ସାହିତ୍ୟରେ ଜାତୀୟତାର ନୂତନ ପରମ୍ପରା ଏହି ଯୁଗରେ ହିଁ ପ୍ରତିଷ୍ଠିତ ହୋଇଛି- ଏକଥା ସମସ୍ତେ ମୁକ୍ତକଣ୍ଠରେ ସ୍ୱୀକାର କରିବେ।
“ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ” ପୁସ୍ତକରେ ପଣ୍ଡିତ ଗୋଦାବରୀଶ ଲେଖିଛନ୍ତି-
“ସ୍ୱଦେଶୀ କଣ ଆମେ ପୁରୀ ଛାତ୍ରମାନେ ସେହିଦିନ (ଅର୍ଥାତ୍‍ ପୁରୀରେ ବସ୍ତ୍ରପୋଡ଼ି ଦିନ) ସମୂହ ଭାବରେ ହୃଦୟଙ୍ଗମ କଲୁ x x x ତାଙ୍କ ବସାଘର (ଦାସ ଆପଣେଙ୍କ ଘର) ଅଗଣାରେ ବାଡ଼ିଖେଳ, ଦଣ୍ଡ କସରତ ଓ ଜାପାନୀ ଜିଉଜିତ୍‍ସୁ ପ୍ରତିଦିନ ହୁଏ। ମାଜିନି, ଗାରିବାଲ୍‍ଡ଼ିଙ୍କ ଜୀବନୀ ଓ ଫରାସୀ ବିପ୍ଳବର ଇତିହାସ ପଢ଼ାହୁଏ x x x ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ଗୋଟିଏ ବଳିଷ୍ଠ ଯୁବବାହିନୀ ଗଢ଼ିବା ନିମନ୍ତେ ଗୋପବନ୍ଧୁବାବୁ ବ୍ୟସ୍ତ ହୋଇପଡ଼ିଥାଆନ୍ତି।”
ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଯେ ପରାଧୀନତାର ଅନ୍ଧକାର ଭେଦ କରି ଦୂର ଦିଗ୍‍ବଳୟରୁ ସ୍ୱାଧୀନତାର ରବିକୁ ସ୍ୱପ୍ନରେ ଦେଖୁଥିଲେ ଗୋପବନ୍ଧୁ। ସେଥିପାଇଁ ତାଙ୍କ ସାଥିମାନଙ୍କୁ ଓ ସାଧାରଣ ଲୋକଙ୍କୁ ଏକ ସ୍ୱାଧୀନ ଭାରତ ଗଠନର ସୂଚନା ମଧ୍ୟ ପ୍ରଦାନ କରିଥିଲେ। ଅସହଯୋଗ ଆନ୍ଦୋଳନର ପୂର୍ବମୁହୂର୍ତ୍ତରୁ ଗୋପବନ୍ଧୁଙ୍କର ଏପ୍ରକାର ମାନସିକ ପ୍ରସ୍ତୁତି ଓଡ଼ିଆ ଜନଜୀବନରେ ଆଣିଥିଲା ଜାତିପ୍ରତି ତୀବ୍ର ମମତାବୋଧ, ମାଟି ପ୍ରତି ବିଶେଷ ଆକର୍ଷଣ ଓ ଦେଶବାସୀଙ୍କ ପ୍ରତି ଉଷ୍ଣ ଆତ୍ମୀୟବୋଧ। ଅଧିକନ୍ତୁ ଜାତୀୟ ଜାଗରଣର ପ୍ରଶସ୍ତ ମାର୍ଗ ପ୍ରସ୍ତୁତ କରିବାରେ ଗୋପବନ୍ଧୁଙ୍କ ଲେଖନୀ ମଧ୍ୟ ଚୁପ୍‍ ନ ଥିଲା।
ଜାତୀୟତାବାଦୀ ସାହିତ୍ୟ ରଚନା କରିବାରେ ଗୋପବନ୍ଧୁ ରାଧାନାଥଙ୍କୁ ଆଦର୍ଶ ଭାବରେ ଗ୍ରହଣ କରିଥିଲେ। ଊନବିଂଶ ଶତାବ୍ଦୀର ଶେଷଭାଗରେ କବିବର ନିଜର ବଳିଷ୍ଠ ଲେଖନୀ ମାଧ୍ୟମରେ ପରୋକ୍ଷରେ ଇଂରେଜ ସରକାରଙ୍କୁ ସମାଲୋଚନା କରି “ଶିବାଜୀଙ୍କ ଉତ୍ସାହବାଣୀ”, ‘ଚିଲିକା’ ଇତ୍ୟାଦି କାବ୍ୟ ରଚନା କରିଥିଲେ। ଚିଲିକା କାବ୍ୟରେ ପ୍ରଦତ୍ତ ଓଡ଼ିଶାର ଦୁଃସ୍ଥ ଅବସ୍ଥା, ଗୋପପ୍ରାଣରେ ଆଣିଥିଲା ସବିଶେଷ ଦହନ,
“ଦେବୀ ବୀଣାପାଣି କେଉଁ ପାପ ଫଳେ
କରୁଣା ତୋହର ଊଣା ଏ ଉତ୍କଳେ।
ତୋ କୃପା ବିହୁନେ ଉତ୍କଳମାତାର
ନାମେ ଖ୍ୟାତି ଗ୍ରନ୍ଥେ ପଡ଼ିନାହିଁ ଗାର,
ଭାଗ୍ୟଦୋଷେ ଅଙ୍ଗ ଅଜ୍ଞାନ ସର୍ବରୀ,
ଅନ୍ଧାରେ ଅଭାଗୀ ରହିଛି ଆବୋରି,”
ରାଧାନାଥଙ୍କ ପରୋକ୍ଷ ଆବେଦନର ପ୍ରତିଫଳନରେ ଗୋପବନ୍ଧୁ ତାଙ୍କ ସୃଷ୍ଟିରେ ପ୍ରତ୍ୟକ୍ଷ ଭାବରେ ଇଂରେଜ ସରକାର ବିରୋଧରେ ସ୍ୱର ଉଠାଇଥିଲେ। ଇଏ କିନ୍ତୁ ସମ୍ପୂର୍ଣ୍ଣ ଏକ ନୂଆ ରଣଭୂମି। ଏଠାରେ ହାତୀଘୋଡ଼ା, ତୋପହତିଆରର ଆବଶ୍ୟକତା ନାହିଁ। ଆବଶ୍ୟକ କେବଳ ଅହିଂସା। ଏହି ଅହିଂସାକୁ ମୂଳଧନ କରି ଆଗେଇ ଯିବାକୁ ହେବ ମାନବର ଜନ୍ମଗତ ଅଧିକାର ସ୍ୱରାଜକୁ ହାସଲ କରିବା ପାଇଁ। ସ୍ୱରାଜ୍ୟ ହେଲା ପ୍ରଜାମାନଙ୍କର ରାଜ୍ୟ। ସେମାନଙ୍କର ସର୍ବମଙ୍ଗଳ ସାଧନ ରାଜାର କର୍ତ୍ତବ୍ୟ। ସେ ଲୋକମାନଙ୍କୁ ବୁଝାଇଦେଲେ-
‘ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି
ପ୍ରଜା ଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି।
ପ୍ରଜା ଲାଗି ଉଦେ ରବି ଶଶୀ ତାରା
ପ୍ରଜା ଲାଗି ବହେ ଶତ ନଦୀ ଧାରା।
ପ୍ରଜା ଲାଗି ରାଜ୍ୟ, ପ୍ରଜାର ଶାସନ
ଯୁଗେ ଯୁଗେ ଏହା ଶାସନ କଥନ।’
ଯେତେବେଳେ ପ୍ରଜାମାନଙ୍କର ଏହିସବୁ ଅଧିକାର ସୁରକ୍ଷିତ ନ ରହିବ ସେତେବେଳେ ପ୍ରଜାମାନେ ନିଶ୍ଚିତ ଭାବରେ ସ୍ୱର ଉତ୍ତୋଳନ କରିବେ। ଇଂରେଜ ଶାସନ ବେଳେ ଭାରତର ପ୍ରଜାଙ୍କ ଅବସ୍ଥା; କିନ୍ତୁ ଏପରି ନ ଥିଲା। ଶାସନର ନିର୍ଯାତନ, କରଭାରରେ ନ୍ୟୁବ୍‍ଜ ସାଧାରଣ ଜନତା, ଗାଁ ଗାଁରେ ମାଲିମୋକଦ୍ଦମା, ଉଚ୍ଚନୀଚ ଭେଦଭାବ, ନିଜ ନିଜ ଭିତରେ କଳହ ଓ ମତାନ୍ତର। ଅଧିକନ୍ତୁ ବିଦେଶୀ ଶିଳ୍ପଜାତ ଦ୍ରବ୍ୟର ପ୍ରାବଲ୍ୟରେ ଗ୍ରାମ୍ୟଶିଳ୍ପୀଙ୍କର ମୁମୂର୍ଷୁ ଅବସ୍ଥା। ଏ କି ପ୍ରକାରର ଶାସନ। ଅସୁରକ୍ଷିତ, ନିପୀଡ଼ିତ, ଶୋଷିତ ପ୍ରଜାଗୋଷ୍ଠୀ। ଉଦାସୀନ କର୍ତ୍ତୃପକ୍ଷ। ଏପ୍ରକାରର ଅବହେଳିତ ଶାସନ ବାସ୍ତବରେ ଅସହ୍ୟ। ଉପାୟ। ଏହାର ଏକମାତ୍ର ଉପାୟ ଅସହଯୋଗ – ପୂର୍ଣ୍ଣ ଅସହଯୋଗ। ତେଣୁ “ବନ୍ଦୀର ଆତ୍ମକଥା” କାବ୍ୟରେ ଗୋପବନ୍ଧୁ ଯଥାର୍ଥରେ ସମସ୍ୟାର ସମାଧାନ ପାଇଁ ଲେଖିଲେ-
“ଅରଟ ଚଳାଅ ପ୍ରତି ଘରେ ଘରେ
ଗ୍ରାମର କଳହ ତୁଟାଅ ଗ୍ରାମରେ,
ଚାଲ ସତ୍ୟପଥେ ନାହିଁ ଡ଼ର ଭୟ,
ଅସହଯୋଗରେ ବିଜୟ ନିଶ୍ଚୟ,
ଛାଡ଼ ଉଚ୍ଚନୀଚ ଭେଦ ଅହଙ୍କାର
ହେଉ ନୀଳାଚଳୁ ସମତା ପ୍ରଚାର
ଖଣ୍ଡଗିରି ଭେଦି ଅହିଂସା ମନ୍ତର
ଜାଗୁ ପୁଣି ଥରେ ଉତ୍କଳ ଅନ୍ତର।”
ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସ ବହୁ ଶକ୍ତିମାନ ମନୀଷୀ, ତ୍ୟାଗୀ, ଦେଶପ୍ରେମୀଙ୍କ ସ୍ୱାକ୍ଷରରେ ଜାଜ୍ଜୁଲ୍ୟମାନ। କିଏ ସ୍ୱରାଜ୍ୟ ସାଧନକୁ ନୈତିକ ଦାୟିତ୍ୱ ହିସାବରେ ଗ୍ରହଣ କରିଥିଲା ତ କିଏ ସ୍ୱାଧୀନତାର ସାମାଜିକ ତଥା ରାଜନୈତିକ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲା। କିଛି ମୁଷ୍ଟିମେୟ ମହାପୁରୁଷ ଏହା ପଛରେ ଥିବା ବାସ୍ତବ ଆଧ୍ୟାତ୍ମିକ ପ୍ରେରଣା ସଂକ୍ରାନ୍ତରେ ସଚେତନ ଥିଲେ। ଶ୍ରୀଅରବିନ୍ଦଙ୍କ ଦିବ୍ୟଦୃଷ୍ଟିରେ ଭାରତର ମୁକ୍ତି ସଂଗ୍ରାମ ଥିଲା ସାରା ମାନବ ଜାତିର ବିଧିନିର୍ଦ୍ଦିଷ୍ଟ ଏକ ଭବିତବ୍ୟ ଦିଗରେ ଅନିବାର୍ଯ୍ୟ ପଦକ୍ଷେପ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଏହି ପ୍ରତୀକ ଚରିତ୍ର ସମ୍ପର୍କରେ ଗୋପବନ୍ଧୁ ଅବହିତ ଥିଲେ। ଯେଉଁ ଚେତନାରେ ସେ ଭାରତର ସ୍ୱାଧୀନତାକୁ ଜଗତର କଲ୍ୟାଣ ହିସାବରେ ବୁଝିପାରିଥିଲେ ସେହି ଚେତନାରେ ସେ ତାଙ୍କର ମହାଜାତୀୟ ଭାବଧାରା ସହିତ ଉତ୍କଳପ୍ରୀତିର ସ୍ୱତଃସ୍ଫୂର୍ତ୍ତ ସାମଞ୍ଜସ୍ୟର ସନ୍ଧାନ ପାଇଥିଲେ। ତାଙ୍କର ନିଜସ୍ୱ ଓଜସ୍ୱିନୀ ଭାଷାରେ-
“ସ୍ୱରାଜ୍ୟ ସାଧନେ ରହୁ ମୋର ଧ୍ୟାନ
ଭାରତେ ସ୍ୱରାଜ୍ୟ ଜଗତ କଲ୍ୟାଣ,
ଜଗତ-ସରସେ ଭାରତ କମଳ,
ତା’ ମଧ୍ୟେ କେଶର ପୁଣ୍ୟ ନୀଳାଚଳ।
ପୁନଶ୍ଚ-
ଥିଲେ ଯଦି ତହିଁ ଭାରତ ବକ୍ଷରେ
ମଣିବି ମୁଁ ଅଛି ଆପଣା କକ୍ଷରେ,
ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ
ପ୍ରତି ସ୍ଥାନ ମୋର ପ୍ରିୟ ପୁରୀଧାମ।
x x x x x x x x x
ଯେତେ ଧର୍ମ ଯେତେ ବର୍ଣ୍ଣ ଜାତିକୁଳ
ଭାରତ ଜନନୀ ସମସ୍ତଙ୍କ ମୂଳ।”
ଭାରତୀୟ ସ୍ୱାଧୀନତା ସଂଗ୍ରାମ ନିହିତ ଆଧ୍ୟାତ୍ମିକ ରହସ୍ୟର ସନ୍ଧାନ ସିଏ ଯେ କେତେ ସ୍ପଷ୍ଟ ଭାବରେ ପାଇଥିଲେ ଏବଂ କେତେ ସୁଦୃଢ଼ ପ୍ରତୀତିର ଭିତ୍ତିଭୂମି ଉପରେ ସେ ତାଙ୍କର ସହକର୍ମୀମାନଙ୍କୁ ସଂଗ୍ରାମ ସକାଶେ ସଜ୍ଜିତ ହେବାକୁ ଆହ୍ୱାନ ଦେଇଥିଲେ ତାର ଉଦାହରଣ ଦେଖିବାକୁ ମିଳେ।
ଏହି ପଙ୍‍କ୍ତିରେ-
‘ନ ଅଟକେ କର୍ମ ନେତାର ଅଭାବେ
ଧର୍ମ ନାବ ଚଳେ ଧର୍ମର ପ୍ରଭାବେ,
ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ,
ଉତ୍କଳର ନେତା ନିଜେ ନାରାୟଣ।’
ଉତ୍କଳୀୟ ଯେବେ ଯୁଦ୍ଧ କରିବାକୁ ଆଗେଇ ଯାଏ ସେଥିରେ ନେତୃତ୍ୱ ନିଅନ୍ତି ମହାପ୍ରଭୁ ଜଗନ୍ନାଥ (କାଞ୍ଚିବିଜୟ), ପୁନଶ୍ଚ ଉତ୍କଳକୁ ଯଦି କେହି ଅଧିକାର କରିବାକୁ ଆସେ ତେବେ ସେ ଭାଗବତ ଭାବ ଦ୍ୱାରା ହୁଏ ବିଜିତ (ଅଶୋକ)।
ତ୍ୟାଗୀ, ଯୋଗୀ, ସାଧକ, କର୍ମୀ, ଚାଳକ, ଭାବୁକ, ସାହିତ୍ୟିକ ସଂସ୍କାରକ, କବି ଗୋପବନ୍ଧୁଙ୍କ ସ୍ୱଦେଶପ୍ରୀତି, ବିଶ୍ୱପ୍ରୀତି ଓ ଈଶ୍ୱର ଭକ୍ତିର ତ୍ରିବେଣୀ ସଙ୍ଗମ ତାଙ୍କର ରଚନାକୁ ଆପ୍ଲୁତ କରିଥିଲା। ତାଙ୍କର ସୃଷ୍ଟି ବହୁତ ନ ହେଲେ ମଧ୍ୟ ଏହା ଜାତୀୟଚେତନାର ଉନ୍ମନାଭାବ ଓ ଐଶ୍ୱରୀୟ ମାନବିକତା ସହ ନିମଜ୍ଜିତ। ନଚିକେତା ଉପାଖ୍ୟାନ, ଗୋମହାତ୍ମ୍ୟ, ଧର୍ମପଦ, କାରାକବିତା, ବନ୍ଦୀର ଆତ୍ମକଥା, ଅବକାଶ ଚିନ୍ତା ଏବଂ ଆଉ କେତେଗୁଡ଼ିଏ କବିତାରୂପର ଅପୂର୍ବ ମଣିମାଳାରେ ଉତ୍କଳ ଭାରତୀ ତଥା ବିଶ୍ୱଭାରତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ବିଭୂଷିତ ହୋଇଉଠିଛି ଯାହା ଯଥାର୍ଥରେ ଉତ୍ତର ସୂରିଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।
ଗୋପବନ୍ଧୁଙ୍କ ଜାତୀୟତାରେ କୌଣସି ସଂକୀର୍ଣ୍ଣତା ନ ଥିଲା। କୌଣସି ଭୌଗୋଳିକ ବା ସାଂସ୍କୃତିକ ମୋହର ଚାରିକାନ୍ଥ ଭିତରେ କ୍ଷୁଦ୍ରକାୟାଟିକୁ ଫୁଲାଇ ବସିବାର ପ୍ରବୃତ୍ତି ତାଙ୍କର ନ ଥିଲା। ତାଙ୍କର ଜାତୀୟଭାବ ଥିଲା ମହୋଦଧି ପରି ବିସ୍ତୀର୍ଣ୍ଣ। ଆକାଶ ପରି ଉଦାର। ଏହା କୌଣସି ପତାକା ବା କୌଣସି ଦେଶ ଭିତରେ ସୀମାବଦ୍ଧ ନ ଥିଲା। ମନୁଷ୍ୟ ହିଁ ଏହାର ସନ୍ତକ। ଯେଉଁଠାରେ ଜାତୀୟତା ସହିତ ଅଚଳ ଭଗବଦ୍‍ ବିଶ୍ୱାସ ରହିଛି, ବିଶ୍ୱ ମାନବିକତା ରହିଛି, ସେଠାରେ ଜତୀୟତା ସମୃଦ୍ଧିମାର୍ଗର ସହାୟକ ହୁଏ। ଗୋପବନ୍ଧୁଙ୍କ କଳ୍ପନାର ଓଡ଼ିଶା ଏକ ଆବଦ୍ଧ ଜଳାଶୟ ନ ଥିଲା। ଏହାଥିଲା ଜଗତ୍‍ପାରାବାରର ପ୍ରତୀକ ମାତ୍ର। ପରମ୍ପରା ଓ ସଂସ୍କୃତିକୁ ଆଧୁନିକତାର ପ୍ଲାବନରେ ଏହା ଭାସି ଯିବାକୁ ଦେଇନଥିଲା। ନିଜସ୍ୱ ପରମ୍ପରା ଓ ସଂସ୍କୃତି ଜାତୀୟ ଜୀବନର ପରିଚାୟକ – ଏହି ଗଭୀର ଉପଲବ୍ଧି ତାଙ୍କର ଥିଲା। ତେଣୁ ସଭ୍ୟତା ଓ ସଂସ୍କୃତିର ଘୂର୍ଣ୍ଣୟମାନ ଆବର୍ତ୍ତ ମଧ୍ୟରେ କବି ଉତ୍କଳୀୟ ସଂସ୍କୃତି ଓ ଐତିହ୍ୟକୁ ଯଥାର୍ଥ ଭାବରେ ସମନ୍ୱିତ କରିପାରିଥିଲେ। ଈଶ୍ୱର ସେବା, ବିଶ୍ୱସେବା, ଦେଶସେବା, ଦେଶବାସୀଙ୍କ ସେବା- ଏସବୁ ନିବିଡ଼ ଭାବରେ ତାଙ୍କର ରଚନା ସମ୍ଭାର ଭିତରେ ଜଡ଼ିତ ହୋଇ ମହାଭାରତୀୟ ସ୍ରୋତର ଫଲ୍‍ଗୁଧାରା ବୁହାଇଦେଇଛି ମାଟିର ପ୍ରଶସ୍ତ ବୁକୁରେ।
ଜଣକର ତପସ୍ୟାରେ, ତ୍ୟାଗରେ, ଅଭୀପ୍‍ସାରେ ସମଗ୍ର ଜାତି ସମୃଦ୍ଧ ଓ ଉନ୍ନତ ହୁଏ। ଗୋପବନ୍ଧୁ ମର୍ମେ ମର୍ମେ ଅନୁଭବ କରିଥିଲେ ବ୍ୟକ୍ତି ନିଜ ପାଇଁ ନୁହେଁ, ସମଷ୍ଟି, ଗୋଷ୍ଠୀ ଓ ଜାତି ପାଇଁ। ବ୍ୟକ୍ତିର ଆତ୍ମଦାନର ଭିତ୍ତି ଉପରେ ଜାତୀୟ ସୌଧ ଦଣ୍ଡାୟମାନ ହୁଏ। ଧର୍ମପଦର ଆତ୍ମବଳିରେ ଗଢ଼ି ଉଠିଥିଲା ଜାତିର କୋଣାର୍କ। ତାଙ୍କ ନିଜର ବିଶ୍ୱାସ ଥିଲା ଯେ ତାଙ୍କର ଆତ୍ମଦାନରେ ପରିପୁଷ୍ଟ ହେବ ଜାତୀୟଜୀବନ। ଏହି ଭାବଧାରା ମଧ୍ୟ ପ୍ରତିଫଳିତ ହୋଇଥିଲା ତାଙ୍କ ସୃଷ୍ଟିରେ।
“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲିଯାଆନ୍ତୁ ପିଠିରେ,
ସ୍ୱାଧୀନତା ପଥେ ଅଛି ଯେତେ ଗାଢ଼
ପୂରୁ ତହିଁ ପଡ଼ି ମୋର ମାଂସହାଡ଼।
କଥାରେ ଅଛି- ‘A soul’s ambition lifted up the race’ – ଏପ୍ରକାର ଆତ୍ମନିବେଦନର ଚିନ୍ତାଧାରା କେବଳ ଗୋପବନ୍ଧୁଙ୍କ ଜୀବନରେ ହିଁ ଦେଖିବାକୁ ମିଳେ। ରୋଗଗ୍ରସ୍ତ ପୁଅକୁ ବିଛଣାରେ ଛାଡ଼ି ଯିଏ ଦେଶସେବା ପାଇଁ ଆଗେଇ ଆସିପାରେ- ଏବଂ ବିଧ ଆତ୍ମଦାନ କେବଳ ଗୋପବନ୍ଧୁଙ୍କ ଜୀବନଯଜ୍ଞରେ ହିଁ ସମ୍ଭବ।
ଦେଶ ଦଶ ପାଇଁ ଆତ୍ମନିବେଦନର ପରମ୍ପରା ସୃଷ୍ଟି କରିବାରେ ଗୋପବନ୍ଧୁ ଦିବ୍ୟପ୍ରୀତିର ଆଶ୍ରୟ ନେଇଛନ୍ତି। ତାଙ୍କ ମତରେ ମନୁଷ୍ୟ ମଧ୍ୟରେ ଚେତନାର ଯେତେବେଳେ ଯଥାର୍ଥ ରୂପାନ୍ତର ଘଟେ, ଅହଂଭାବ, ସ୍ୱାର୍ଥନିଶା ଯେବେ ମୂଳୋତ୍ପାଟିତ ହୁଏ, ସେତେବେଳ ଭଗବତ୍‍ ପ୍ରୀତିରେ ହୃଦୟ ପାରାବାର ଭରିଉଠେ। ସେହି ଦିବ୍ୟପ୍ରେମରୁ ବିକଶିତ ହୁଏ ଜାତୀୟତାର ପୁଷ୍ପ ଓ ମାନବ ପ୍ରାଣ ଆତ୍ମବଳିଦାନ ପ୍ରୟାସୀ ହୁଏ। ଏହି ଆତ୍ମଦାନ ଜାତୀୟ ଜୀବନର ଉତ୍‍ଥାନର ଦିଗ। କିନ୍ତୁ ଏହି ଆତ୍ମବଳି କୌଣସି ପାର୍ଥିବ ପ୍ରେରଣାରୁ ଉଦ୍ଭୁତ ନ ହୋଇ ଆଧ୍ୟାତ୍ମିକମୂଳକ ଚିନ୍ତାଚେତନାରୁ ଆସିଥାଏ। ଜାତି ବା ସମଷ୍ଟି ସେହି ପରମପୁରୁଷଙ୍କ ସନାତନ ଅଂଶ – ସମଷ୍ଟିଗତ ଗୋଷ୍ଠୀବଦ୍ଧ ଆତ୍ମା। ଜାତୀୟ ଅଭ୍ୟୁତ୍‍ଥାନର ଆଦ୍ୟ ଓ ପ୍ରାନ୍ତରେ ଗୋପବନ୍ଧୁ ସଦା ସର୍ବଦା ଏହି ବାଣୀ ଶୁଣାଇଛନ୍ତି। ଏକ ଦିବ୍ୟକରୁଣା ନିକଟରେ ଜାତିର ଉନ୍ନତି ପାଇଁ ଜଣାଇଛନ୍ତି ଆକୁଳ ନିବେଦନ। ତାଙ୍କ ଭାଷାରେ-
“ଉତ୍କଳ ତନୟେ ଦିଅ ନବବଳ
ଉତ୍କଳ ପାଦପେ ରସମୟ ଫଳ।
ଉତ୍କଳ ସରିତେ ପବିତ୍ର ଜୀବନ
ଉତ୍କଳ କାନନେ ସ୍ୱର୍ଗୀୟ ସୁମନ।
ଉତ୍କଳ ଆକାଶେ ନବ ଯଶଃ ରବି
ଉଜ୍ଜଳ ପ୍ରକୃତି ଧରୁ ନବଛବି।”
“ଧୀରସ୍ୟହି ଶିରଚ୍ଛେଦେ, ବୀରଂ ନୈବ ମୁଞ୍ଚତି” – ଏହି ମହାବାଣୀ ତାଙ୍କ କର୍ମପଥର ମହତ୍ତମ ପାଥେୟ ହୋଇଛି, ଧୀରତ୍ୱ ଓ ବୀରତ୍ୱର ଅପୂର୍ବ ସମାବେଶ ଘଟିଥିଲା ଉତ୍କଳମଣିଙ୍କ ଜୀବନରେ। ଏ ଜାତିର ଶିକ୍ଷକ, ସମୀକ୍ଷକ ତଥା ସଂସ୍କାରକ ରୂପେ ଅବତୀର୍ଣ୍ଣ ହୋଇ ମାନବିକତାର ରଣଦୁନ୍ଦୁଭିରେ ସେ ଆହ୍ୱାନ କରିଛନ୍ତି ସମଗ୍ର ଜାତିକୁ। ଶତ ଶତ ସଭାସମିତିରେ ଭାଷଣ ଦେଲାବେଳେ ତାଙ୍କର ଧୀର ଗମ୍ଭୀର ଉନ୍ମାଦନାମୟ ବଚନବିନ୍ୟାସ ଦ୍ୱାରା ସୁପ୍ତ ଦଳିତ ଜାତିକୁ ଅକୃତ୍ରିମ ବୀରରସରେ ଅବଗାହନ କରାଇ ମୁକ୍ତିପଥର ପଥିକ ହେବା ଲାଗି ସମଗ୍ର ଜାତୀୟ ଜୀବନକୁ ସୈନିକ ଭାବରେ ଉତ୍ତେଜିତ କରିଛନ୍ତି ଓ ନିଜର ଲେଖନୀକୁ ମଧ୍ୟ ଏହି ଦିଗରେ ସଞ୍ଚାଳିତ କରିଛନ୍ତି। ମୁକ୍ତିସଂଗ୍ରାମର ଘନଘଟାରେ କାରାରୁଦ୍ଧ ହୋଇଛନ୍ତି। କିନ୍ତୁ ଶାନ୍ତି, ସଂସ୍କାର ଓ ଶୃଙ୍ଖଳା- ମଣିଷକୁ, ଶାସକକୁ ତଥା ସମଗ୍ର ଜାତିକୁ ବାସ୍ତବ ଭବ୍ୟ ସଭ୍ୟତାର ପଥରେ ପଥିକ କରୁ ଏଥିଲାଗି ବିଶ୍ୱପତିଙ୍କ ନିକଟରେ ଦାମ୍ଭିକ ବିପ୍ଳବୀ ଭାବେ ଆତ୍ମନିବେଦନ କରିଛନ୍ତି। ଦେଶବାସୀଙ୍କୁ ଉଦ୍‍ବୋଧନ ଦେଇ ବନ୍ଦୀର ଆତ୍ମକଥାରେ ଲେଖିଛନ୍ତି-
“ଦେଶବାସୀ ବନ୍ଧୁ ଆତ୍ମୀୟ ସୋଦର
କାରାଦଣ୍ଡେ ମୋର ହେଲ କି କାତର!
ଥିଲା ଏହା ଆଗୁଁ ଜଣାଶୁଣା କଥା
ସେଥିପାଇଁ ତେବେ କିମ୍ପା ମନେବ୍ୟଥା।
କାତରତା ସିନା କାପୁରୁଷପଣ
ବୀର ମାରେ ଅବା ମରେ କରି ରଣ।
ପଛଘୁଞ୍ଚା ନାଇଁ ବୀରର ଜାତକେ
ନ ମରେ କେଭେଁ ସେ ପରାଣ ଆତଙ୍କେ।”
ଦେଶ ଓ ଜାତିର ସମୟୋଚିତ ସ୍ପନ୍ଦନକୁ ଲକ୍ଷ୍ୟକରି ଏହାଥିଲା ଗୋପବନ୍ଧୁଙ୍କ ସମୟୋଚିତ ବିପ୍ଳବୀ ଆହ୍ୱାନ। ତାଙ୍କର ଏହି ଚିନ୍ତାଧାରା ଯୁଗ ଓ ତତ୍କାଳୀନ ପରିସ୍ଥିତି ସଙ୍ଗେ ଏକ ପନ୍ଥାରେ ଗତି କରିପାରିଛି। ଜାତିର ଦୁରବସ୍ଥା ଓ ଦୁର୍ଗତି – ପ୍ରତ୍ୟେକଟିର କରୁଣଚିତ୍ର, ଗଭୀର ଅନୁଭୂତି ବଳରେ ତାଙ୍କ କାବ୍ୟକବିତାରେ ଯଥୋଚିତ ସ୍ଥାନ ପାଇଛି। ସ୍ୱାଧୀନତା ସଂଗ୍ରାମରେ କର୍ମବୀରମାନଙ୍କର ଅଦମ୍ୟ ଉଦ୍ୟମ ଓ ଦୁଃସାହସିକ ଅଗ୍ରଗତି, ସେବା, ତ୍ୟାଗ, ଧର୍ମ, ଆର୍ଯ୍ୟ ମନୋବୃତ୍ତି, ଆର୍ଯ୍ୟ ପରାକାଷ୍ଠା, ଜନ୍ମଭୂମିର ଅତୀତ ମହତ୍ତ୍ୱ, ସମାଜର ଚିତ୍ର, ପଲ୍ଲୀର ମର୍ମବିଦାରକ ଦୃଶ୍ୟାବଳୀ, ବ୍ରହ୍ମାଣ୍ଡନାଥ ଜଗନ୍ନାଥଙ୍କ ବରାଭୟୀ ଛାୟା ସତେ ଯେପରି ଜୀବନ୍ତ ଭାବରେ ଫୁଟି ଉଠିଛି କଲମ ମୁନର ପ୍ରତିଟି ଛତ୍ରରେ।
ସାହିତ୍ୟ ସମ୍ବନ୍ଧରେ ମହାମନୀଷୀ ନୋବେଲ ଥରେ କହିଥିଲେ-“Literature must have an idealist tendency to uplift humanity” (ମାନବିକତାର ଉଦ୍‍ବୋଧନ ନିମିତ୍ତ ସାହିତ୍ୟରେ ଏକ ଆଦର୍ଶ ଆଭିମୁଖ୍ୟ ନିଶ୍ଚିତ ଭାବରେ ରହିବା ଆବଶ୍ୟକ)। ଏହି ଦର୍ଶନ ଗୋପବନ୍ଧୁ ସାହିତ୍ୟରେ ପୂର୍ଣ୍ଣମାତ୍ରାରେ ଥିଲା। ତାଙ୍କ ଜୀବନ ହିଁ ଥିଲା ଧର୍ମପଦର ରୂପାନ୍ତର। ତେଣୁ ତାଙ୍କର ସାହିତ୍ୟ ଥିଲା ସତ୍ୟନିଷ୍ଠ। ଏହା ଥିଲା ବ୍ୟାପକ ଓ ସାର୍ବଜନୀନ। ତାଙ୍କ ସରଳ ପ୍ରାଣର ତରଳ ଅଭିବ୍ୟକ୍ତି ଲୋକଙ୍କ ଅନ୍ତରର ଗଭୀରତମ ପ୍ରଦେଶକୁ ଆପ୍ଲୁତ କରୁଥିଲା। ରାଜନୈତିକ ଜୀବନର ଏହି ବିଭବଟି ତାଙ୍କ ସାହିତ୍ୟରେ ଆଣି ଦେଇଥିଲା ଜାତୀୟଚେତନାର ରୂପସମ୍ଭାର। ମାନବ ସମାଜର ସ୍ଥିତି ପାଇଁ ସ୍ୱାଧୀନ ଭାଷଣ, ସ୍ୱାଧୀନ ବିହାର, ସ୍ୱାଧୀନ ଜୀବନ ଓ ସ୍ୱାଧୀନ ସମିତିର ଆବଶ୍ୟକତା କିପରି ଉପେକ୍ଷଣୀୟ ନୁହଁ ତାହା ତାଙ୍କର ହୃଦ୍‍ବୋଧ ହୋଇଛି। ନିଷ୍ଠୁର ବିଦେଶୀ ଶାସନକୁ ଦୂର କରିବା ପାଇଁ ଶତ ଭାରତ ସନ୍ତାନର ଉଦ୍ୟମ ଉପେକ୍ଷିତ ପ୍ରଜାମତ, ପାଶ୍ଚାତ୍ୟ ପ୍ରଭାବରୁ ଭାରତୀୟଙ୍କୁ ମୁକ୍ତ କରିବାର ଚେଷ୍ଟା ବର୍ଣ୍ଣନା କରି, ଭାରତର ସୁବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ପିତୃପୁରୁଷଙ୍କୁ ନିବେଦନ କରିଛନ୍ତି। ଭାରତରେ ସ୍ୱରାଜ୍ୟ ସ୍ଥାପନ ଦ୍ୱାରା, ଭାରତର ପୂର୍ବ ପୂତ ବୈଦିକ ବାତାବରଣରେ ଭାରତକୁ ପୁଣି ପବିତ୍ରିତ ନିୟମାବଦ୍ଧ କରି, ଭାରତପ୍ରାଣକୁ ମଧୁଭାବର ଅମୃତରସରେ ଆପ୍ଳୁତ କରିବାକୁ ଇଚ୍ଛାପ୍ରକାଶ କରି ଗୋପବନ୍ଧୁ କାମନା କରିଛନ୍ତି-
“ଭାରତ ପ୍ରଭାବେ ହେଉ ସାର୍ଥ ଋଷିବାଣୀ
ମଧୁମୟ ଭାବେ ମତ୍ତ ହେଉ ବିଶ୍ୱପ୍ରାଣୀ।
ସର୍ବ ସିନ୍ଧୁ ସ୍ରୋତେ କ୍ଷରୁ ମଧୁମୟ ନୀର
ବହୁ ମଧୁମୟ ଗନ୍ଧ ଶୀତଳ ସମୀର।
ବୈଦିକ ଭାବନାର ଦିବ୍ୟପ୍ରବାହରେ ପିତୃପକ୍ଷର ପୁଣ୍ୟସ୍ମୃତିରେ ସ୍ୱାଧୀନ ଚେତନାର ମର୍ମବୋଧରେ “ପିତୃପକ୍ଷ ତର୍ପଣ” କବିତାଟି ବାସ୍ତବରେ ହୃଦୟସ୍ପର୍ଶୀ।
ଭାରତୀୟ ରାଜନୈତିକ ସ୍ୱାଧୀନତାର ଆନ୍ଦୋଳନରେ ଗାନ୍ଧୀ ସେନାପତିତ୍ୱ କରିଥିଲେ। ଅନ୍ୟାୟ ବିରୁଦ୍ଧରେ ଅସହଯୋଗ କରି ବ୍ରିଟିଶ ଶାସନ ବିରୋଧରେ ଆଇନ ଅମାନ୍ୟ କରିଥିଲେ। ଏହି ସକଳ କ୍ଷେତ୍ରର ସକଳ କାର୍ଯ୍ୟକଳାପ ଜରିଆରେ ସିଏ ମୂଳତଃ ମଣିଷକୁ ହିଁ ଆରମ୍ଭରୁ ଧରିଥିଲେ ଓ ମଣିଷକୁ ସର୍ବମୂଳ ପ୍ରତିଷ୍ଠା ଦେବାକୁ ଚାହୁଁଥିଲେ। ଗାନ୍ଧୀଙ୍କଠାରୁ ପ୍ରେରଣା ପାଇ ଗୋପବନ୍ଧୁ ଆପଣାକୁ ମଣିଷ ପରି ଭାବି ମଣିଷ ଭିତରେ ଆବିଷ୍କାର କରିଥିଲେ ଅମିତଶକ୍ତି ଯିଏକି ଗଧପରି ଇତିହାସ ନ ଘୋଷି ମଣିଷ ପରି ଇତିହାସ ତିଆରି କରିବା ଲାଗି ବାହାରିବ। କର୍ମବାଦର ଏହି ବୈଶିଷ୍ଟ୍ୟ ଗୋପବନ୍ଧୁଙ୍କ ଜାତୀୟତାକୁ ବହୁ ଭାବରେ ପ୍ରଭାବିତ କରିଥିଲା।
ପୁରାଣ ଯୁଗର ପୁଣ୍ୟବାନ ମହାରାଜା ଶିବି ନରକ ଦର୍ଶନ କାଳରେ ସ୍ୱର୍ଗକୁ ଯିବା ପାଇଁ ନିମନ୍ତ୍ରଣ ପାଇବାରୁ ଆବେଗ କଣ୍ଠରେ ପ୍ରତ୍ୟାଖ୍ୟାନ କରି କହିଥିଲେ-
“ନ ତ୍ୱହଂ କାମୟେ ରାଜ୍ୟଂ ନ ସ୍ୱର୍ଗଂ ନ ପୁନର୍ଜନ୍ମଂ,
କାମୟେ ଦୁଃଖତପ୍ତାନାଂ ପ୍ରାଣୀନା ଆର୍ତ୍ତିନାଶକମ୍‍”
– ମୋର ରାଜ୍ୟସୁଖ ଲୋଡ଼ା ନାହିଁ। ସ୍ୱର୍ଗର କାମନା ମୋର ନାହିଁ, ନତୁବା ଆଉ ଥରେ ଜନ୍ମ ହେବା ଲାଗି ମୋର ଆଦୌ ଅଭିଳାଷ ନାହିଁ। ମୋର ଏତିକି ମାଗୁଣି ଯେଉଁଠାରେ ଦୁଃଖୀ ଏବଂ ଅତ୍ୟାଚାରିତ ଅଛନ୍ତି, ସେମାନଙ୍କୁ ସେବା କରିବାର ସୁଯୋଗ ମୋତେ ମିଳୁଥାଉ।
ସେହିପରି କବି ଗୋପବନ୍ଧୁ ଜୀବନରେ ମୁକ୍ତି କାମନା କରିନାହାନ୍ତି। ଦେଶସେବା ବିନିମୟରେ କିଛି କ୍ଷମତା ଓ ଯଶ ଅର୍ଜିତ ହେବ- ଏ ଅଭିଳାଷ ମଧ୍ୟ ତାଙ୍କର ନ ଥିଲା। ମାଟିର ସେବା ମାଧ୍ୟମରେ ସେ ମାଧବ ସେବାର ବିଶ୍ୱାସ ରଖିଛନ୍ତି। ମାନବ ସେବା ମାଧ୍ୟମରେ ଜାତିର ସେବା କରିଛନ୍ତି। ତେଣୁ ଧର୍ମପଦ କବିତାରେ ସେ ଯଥାର୍ଥରେ କହିଛନ୍ତି-
“ପରହିତେ ପ୍ରାଣ ଉତ୍ସର୍ଗି ପୂରୁବେ କେତେ କେତେ ମହାଜନ,
ଲଭିଛନ୍ତି ତ୍ୟାଗେ ପରାଣ ପୂର୍ଣ୍ଣତା ମରଣେ ନିତ୍ୟ ଜୀବନ।
କୋରକିତ ପ୍ରାଣ ଫୁଟେ ପ୍ରେମରସେ ପବନେ ମିଶାଏ ହସ
ବିଶ୍ୱବ୍ୟାପୀ ରବି ଉଜ୍ଜଳ ଆଲୋକେ ଚାରୁ ସ୍ନିଗ୍ଧ ମନ୍ଦହସ।”
୧୯୧୫ ମସିହାରେ ଗୋପବନ୍ଧୁ ପ୍ରକାଶ କରିଥିଲେ “ସତ୍ୟବାଦୀ” ପତ୍ରିକା ଯାହା ସେତେବେଳେ ଜାତୀୟ ଜାଗରଣ ପାଇଁ ପ୍ରକୃତ ଓ ଉନ୍ନତ ତଥ୍ୟମାନ ଲୋକ ସମ୍ମୁଖରେ ଉପସ୍ଥାପିତ କରିଥିଲା। ଓଡ଼ିଶାରେ ଜାତୀୟ ଜାଗରଣର ସ୍ରୋତ ପାଇଁ ଏହା ସୁଗମ ପଥ ଆବିଷ୍କାର କରିଥିଲା। ଏହି ସଂଖ୍ୟାର “ଉପେୟ ବା ଉଦ୍ଦେଶ୍ୟ” ପ୍ରସଙ୍ଗରେ ସତ୍ୟ ମହାଶକ୍ତି ଓ ସେହି ଶକ୍ତି ସାହାଯ୍ୟରେ ଅବିଦ୍ୟା, ଆସୁରିକତା ପରାଜୟ କରି “ସତ୍ୟମେବ ଜୟତେ ନାନ୍ୱତୀ” – ଏହି ବେଦବାକ୍ୟର ସାର୍ଥକତା ପ୍ରତିପାଦନ କରିବାକୁ ଜନମାନସକୁ ଆହ୍ୱାନ ଦେବା ସଙ୍ଗେ ସଙ୍ଗେ ସମୂହ କଲ୍ୟାଣରେ ବ୍ୟକ୍ତିର କଲ୍ୟାଣ, ସମାଜର ଉପକାର କିପରି ମାନବ ଧର୍ମ ତାହା ସେ ସୂଚାଇଛନ୍ତି। ପୁନଶ୍ଚ “ସାଧନା କ୍ଷେତ୍ର” ପ୍ରସଙ୍ଗରେ ପାଶ୍ଚାତ୍ୟ ପ୍ରଭାବରେ ଆମ ସମାଜର ଦଳଗତ ଜୀବନ ଯେପରି ନିସ୍ତେଜ, ଶିଥିଳ ହୋଇ ଜଡ଼ତାରେ ଘାରି ରହିଛି ତାହାକୁ ନବଭାବ ଓ ନବତେଜରେ ତେଜୀୟାନ କରିବାକୁ ପ୍ରୟାସ କରିଛନ୍ତି। ଜାତୀୟ ଶିକ୍ଷା, ଜାତୀୟ ଚରିତ୍ର ଗଠନର ଭିନ୍ନ ଭିନ୍ନ କ୍ଷେତ୍ରରେ ଉତ୍କଳୀୟମାନେ ସୁଗଠିତ ଓ ସୁସଂଯତ ହୋଇ ଜାତୀୟ ଉତ୍‍ଥାନରେ ଯଥାସାଧ୍ୟ ନିଜର ଭୂମିକା ପାଳନରେ ଅଗ୍ରଗାମୀ ହେବା ଉଚିତ୍‍ – ଏହି ଭାବ ନେଇ ଜାତୀୟ ଜାଗରଣର କ୍ଷେତ୍ର ପ୍ରସ୍ତୁତ କରିବାରେ ସେ ସାହିତ୍ୟକୁ ଆପଣେଇ ନେଇଥିଲେ। ତେଣୁ ଉତ୍କଳୀୟମାନଙ୍କୁ ପ୍ରଥମରୁ ଜାତି, ଦେଶ, ପରମ୍ପରା ଆଦି ସମ୍ପର୍କରେ ସୂଚନା ଦେଇ ‘ସତ୍ୟବାଦୀ’ ପତ୍ରିକାର ବିଭିନ୍ନ ଆଲୋଚନା ସ୍ତମ୍ଭରେ ସେମାନଙ୍କ ଉଦ୍ଦେଶ୍ୟରେ ନାନାପ୍ରକାର ଭାବୋଦ୍ଦୀପକ ରଚନାମାନ ପ୍ରକାଶ କରି ସେମାନଙ୍କୁ ଜାତୀୟତାବାଦରେ ଅଭିମନ୍ତ୍ରିତ କରିଥିଲେ। ତାହା ହୋଇନଥିଲେ ଗାନ୍ଧୀଙ୍କ ଅସହଯୋଗ ବାର୍ତ୍ତା ଏତେ ଶୀଘ୍ର ଜନମାନସରେ କମ୍ପନ ସୃଷ୍ଟି କରିନଥାନ୍ତା। ଏହାଛଡ଼ା ସତ୍ୟବାଦୀ ପତ୍ରିକାରେ କର୍ମଭୂମି, ଉତ୍କଳ ସମ୍ମିଳନୀ, ଉତ୍କଳ ଯୁବକ ସମିତି, ହିନ୍ଦୁ ଜାତୀୟତାର କେନ୍ଦ୍ର, ରାଜନୈତିକ ଆନ୍ଦୋଳନରେ ଆତ୍ମନିର୍ଭରଶୀଳତା, ଭାଷା ଓ ଜାତୀୟତା, ଭାରତ ଜାତୀୟ ମହାସମିତି ଆଦି ରଚନାମାନ ପ୍ରକାଶିତ ହୋଇ ଜନପ୍ରାଣରେ ଜାତି ପ୍ରିତି ଆବେଗ ଆଣିଥିଲେ। ୧୯୨୦ ମସିହା ପର୍ଯ୍ୟନ୍ତ ଅର୍ଥାତ୍‍ ସତ୍ୟବାଦୀ ପ୍ରକାଶ ପାଉଥିବା ପର୍ଯ୍ୟନ୍ତ ତାଙ୍କର ଅଧିକାଂଶ ଗଦ୍ୟରଚନା ଏହିପରି ଭାବରେ ଓଡ଼ିଶାରେ ଜାତୀୟ ଜାଗରଣର ପୃଷ୍ଠଭୂମି ସୃଷ୍ଟି କରିବାରେ ମାର୍ଗ ପ୍ରସ୍ତୁତ କରିଥିଲା।
ବିଂଶ ଶତାବ୍ଦୀର ପ୍ରଥମ ପାଦରେ ରଚିତ ଗୋପବନ୍ଧୁଙ୍କ କାବ୍ୟକବିତା ତଥା ଗଦ୍ୟସାହିତ୍ୟ ଜାତୀୟତାର ଉଚ୍ଛ୍ୱାସ, ମାନବିକତା ଓ ଆନ୍ତରିକ ସହାନୁଭୂତିରେ ପରିପୂର୍ଣ୍ଣ। ତାଙ୍କ ଜାତୀୟତାବାଦୀ କବିତାର ସଂଜ୍ଞା ସୀମାହୀନ; କାରଣ ତାହା ହୃଦୟର ଭାବରେ, ଅନ୍ତରର ରୁଧିରରେ ତଥା ନୟନର ଅଶ୍ରୁରେ ପରିପୁଷ୍ଟ। ସାରଳା ଦାସ, ଜଗନ୍ନାଥ ଦାସ, ରାଧାନାଥ, ଫକୀରମୋହନଙ୍କ ସୁଯୋଗ୍ୟ ଦାୟାଦ ଭାବେ ଗୋପବନ୍ଧୁ ଏକ ନୂତନ ଜାତୀୟ ଯୁଗର ଯୁଗସ୍ରଷ୍ଟା ଭାବେ ଏକ ମାହେନ୍ଦ୍ରବେଳାରେ ଏହି ମାଟିରେ ଅବତରଣ କରିଥିଲେ। ସେ କାବ୍ୟରେ କବି ନ ଥିଲେ କର୍ମର କବି। ତାଙ୍କର ଆତ୍ମୋତ୍ସର୍ଗରେ ଆଜିର ଓଡ଼ିଶାରେ ବୃହତ୍ତର ଜାତୀୟ ଜୀବନର ସ୍ୱପ୍ନ ରୂପାୟିତ ହୋଇଛି। ଅଖଣ୍ଡ ସାହିତ୍ୟ ସାଧନା ଅଭାବରୁ କ୍ରାନ୍ତିକାରୀ ସାହିତ୍ୟିକ ସଫଳତା ତାଙ୍କୁ ମିଳିନଥିଲେ ମଧ୍ୟ ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ସେ ଜାତୀୟ ସାହିତ୍ୟରେ ଉନ୍ମୋଚନ କରିଯାଇଛନ୍ତି ଏକ ନୂତନ ପ୍ରସ୍ଥ। ସେ ଏକ ନିଶାଣଖୁଣ୍ଟ। ଗୌରବଦୀପ୍ତ ଜାତୀୟ ଅଧ୍ୟାୟ। କଥାରେ ଅଛି-
“ସର୍ବଦେବ ନମସ୍କାର କେଶବଂ ପ୍ରତିଗଚ୍ଛତି”
ସେହିପରି ଆମେ ଉତ୍କଳ ସେବାରେ ଭାରତସେବା ଓ ବିଶ୍ୱସେବା କରିବା ଉଚିତ୍‍। ବିଶ୍ୱପ୍ରୀତି ଓଡ଼ିଶାର ଜାତୀୟତା। ପୂର୍ଣ୍ଣପ୍ରାଣ ଓଡ଼ିଶାର ମନୁଷ୍ୟତା। ଓଡ଼ିଆର ଏ ଜାତୀୟତା, ଦେଶାନୁରାଗ – ନୀରସ ବା ସ୍ୱାର୍ଥପ୍ରଣୋଦିତ ନୁହଁ। ଗଭୀର ଧର୍ମଭାବ ଓ ଦୃଢ଼ବିଶ୍ୱାସ ଏହାର ଭିତ୍ତି, ସାମ୍ୟ ମୈତ୍ରୀ, ସ୍ୱାଧୀନତା ଏହାର ବିଗ୍ରହ। ଗୋପବନ୍ଧୁ ଏହି ଜାତୀୟ ସାହିତ୍ୟର ପ୍ରାରମ୍ଭରେ ଉଜ୍ଜ୍ୱଳ ଆଲୋକସ୍ତମ୍ଭ ଭାବେ ବିରାଜିତ ହୋଇ ଏ ଜାତିକୁ ଓ ଏ ମାଟିକୁ ରକ୍ଷା କରୁଛନ୍ତି।

Comments
Loading...