ଗୋପବନ୍ଧୁଙ୍କ ପ୍ରତି ଲାଲା ଲଜପତ୍‍ ରାୟଙ୍କ ଶ୍ରଦ୍ଧାଞ୍ଜଳି

0

‘ସ୍ୱର୍ଗତ ଗୋପବନ୍ଧୁ ଦାସ ଲୋକମାନଙ୍କର ଥିଲେ ଅତି ଶ୍ରଦେ୍ଧୟ। ସେ ଥିଲେ ଅତୀବ ରକ୍ଷଣଶୀଳ, ଧର୍ମାନୁରାଗୀ ଓ ଈଶ୍ୱର ବିଶ୍ୱାସୀ। ତାଙ୍କ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ଦ୍ୱାରା ସେ ଲୋକଙ୍କୁ ଭଲମଣିଷ ହେବା ପାଇଁ ପ୍ରବର୍ତ୍ତାଉ ଥିଲେ। ଜାତି ଧର୍ମର ଊର୍ଦ୍ଧ୍ବରେ ରହି ମାନବ ସେବା ଦ୍ୱାରା ମାଧବ ସେବାକୁ ସେ ଜୀବନର ବ୍ରତ କରିଥିଲେ। ଗୋପବନ୍ଧୁ ତାଙ୍କ ମରଶଯ୍ୟାରେ ଯେଉଁ ଇଚ୍ଛାପତ୍ର ଘୋଷଣା କରିଥିଲେ ସେଥିରେ ଦର୍ଶାଇଥିଲେ; ତାଙ୍କ ଅନ୍ତେ ତାଙ୍କ କୁଳ ଦେବତାଙ୍କ ପୂଜାପାର୍ବଣ ଯେମିତି ଠିକ ଭାବେ ହେବ। ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ ସମୟରେ ହିଁ ମୁଁ ତାଙ୍କୁ ଆବିଷ୍କାର କଲି। ଏହା ପୂର୍ବରୁ ମଧ୍ୟ ସେ ଲୋକମାନଙ୍କର ସେବା କରୁଥିଲେ, କିନ୍ତୁ ଅସହଯୋଗ ଆନ୍ଦୋଳନ ପରେ ଗୋପବନ୍ଧୁ ନିଜର ଅର୍ଥ ଓ ସମୟକୁ ଜନତାଙ୍କ ସେବା ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ କରିଥିଲେ। ବୃତ୍ତିଗତ ଦୃଷ୍ଟିରୁ ଗୋପବନ୍ଧୁ ଥିଲେ ଜଣେ ସଫଳ ଓକିଲ। ଏଥିରୁ ସେ ଭଲ ରୋଜଗାର ମଧ୍ୟ କରୁଥିଲେ।
ତାଙ୍କର ଶରୀର, ଅର୍ଥ, ମେଧା, ଶକ୍ତି ଓ ଆତ୍ମା ଆଦି ସବୁକିଛି ସେ ଜନତାଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ। ମୋ ଜାଣିବାରେ ୧୯୨୦ ମସିହା ଠାରୁ ମହାତ୍ମା ଗାନ୍ଧିଙ୍କୁ ଛାଡ଼ି ଦେଲେ ଗୋପବନ୍ଧୁଙ୍କ ଭଳି ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ଅନ୍ୟ କେହି ନାହିଁ। ସେ କେବଳ ଦୁଇଟି ଲୁଗା ବ୍ୟବହାର କରୁଥିଲେ। ଗୋଟିଏ ହାତବୁଣା ଧୋତି ଓ ଚଦରଟିଏ ହିଁ ଥିଲା ତାଙ୍କ ନିତିଦିନିଆ ପୋଷାକ। ଏହି ଗୋଟିଏ ପୋଷାକକୁ ସେ ଘରେ, ବାହାରେ, ସଭାରେ, କୋର୍ଟରେ, ସ୍କୁଲରେ ଓ କଂଗ୍ରେସ ଦରବାରରେ ସବୁଠି ପିନ୍ଧିଥିବା ଦେଖାଯାଉଥିଲା। ସେ ସତ୍ୟ, ସାଧୁତା, ନିର୍ଭୀକତା, ସ୍ପଷ୍ଟବାଦିତା ଓ ସରଳଭାବେ ଜୀବନ ବିତାଇବାକୁ ନିଜର ବ୍ରତ କରିଥିଲେ। ଜନତାଙ୍କ ମଧ୍ୟରେ ତାଙ୍କର ଯେଭଳି ପ୍ରଭାବ ଥିଲା ତାହା ଅତି ବିରଳ। ସେ ଥିଲେ ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ। ଗୋପବନ୍ଧୁ ଇହଧାମ ତ୍ୟାଗ କଲା ବେଳକୁ ଯୁବକ ନଥିଲେ ସତ କିନ୍ତୁ ସେ ସେତେ ବୁଢା ମଧ୍ୟ ହୋଇଯାଇନଥିଲେ। ସେ ଅତି ଚାପଗ୍ରସ୍ତ ଥିଲା ବେଳେ ମଧ୍ୟ ଯୁବସୁଲଭ ଉତ୍ସାହ ନେଇ କାମ କରିବାକୁ ଭଲ ପାଉଥିଲେ। ଜନତାଙ୍କ ସେବା ପାଇଁ ନିଜ ପରିବାରକୁ ମଧ୍ୟ ସେ ଉପେକ୍ଷା କରିବାକୁ ପଶ୍ଚାତ୍‍ପଦ ହେଉନଥିଲେ।
ମୃତ୍ୟୁର ମାତ୍ର କିଛି ମାସ ପୂର୍ବରୁ ତାଙ୍କ ଭାଇଙ୍କର ପରଲୋକ ହୋଇଯାଇଥିଲା। ଏହା ତାଙ୍କୁ ଦାରୁଣ ଆଘାତ ଦେଇଥିଲା। କାରଣ ଭାଇଙ୍କ ପରଲୋକ ପରେ ଗୋପବନ୍ଧୁଙ୍କ ଉପରେ ପରିବାରର ବୋଝ ବଢ଼ିଯାଇଥିଲା। ତାଙ୍କର ନିଜର କୌଣସି ପରିବାର ନ ଥିଲା। ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ଓ ପୁଅ ଇହଧାମ ଛାଡ଼ି ସାରିଥିଲେ। ତାଙ୍କ ଦୁଇ ଝିଅ ସେତେବେଳକୁ ବାହା ହୋଇ ଘରସଂସାର କରୁଥାନ୍ତି। ଆଉ ଭାଇଥିବା ବେଳେ ତାଙ୍କ ପରିବାର ଭାଇ ଦ୍ୱାରା ହିଁ ଭରଣପୋଷଣ ହେଉଥିଲେ। ଗୋପବନ୍ଧୁ ନିଜ ଭାଇଙ୍କ ମୃତ୍ୟୁ ପରେ ମୋ ପାଖକୁ ଏକ ହୃଦୟବିଦାରକ ପତ୍ର ଲେଖିଥିଲେ। ଏହା ମୋ ହୃଦୟକୁ ବହୁତ ଆନ୍ଦୋଳିତ କରିଥିଲା ଓ ବାସ୍ତବରେ ଗୋପବନ୍ଧୁ ଯେ କିଭଳି ଧାର୍ମିକ, ସ୍ନେହୀ, ଦରଦୀ, କର୍ତ୍ତବ୍ୟପରାୟଣ ଓ ନିଃସ୍ୱାର୍ଥପର ତାହା ମୋତେ ବୁଝା ପଡ଼ିଯାଇଥିଲା।
ମୁଁ ତାଙ୍କ ଶେଷ ପତ୍ର ପାଠକମାନଙ୍କ ସହ ବାଣ୍ଟିବାକୁ ଚାହେଁ। ‘ଅନ୍‍ ହାପି ଇଣ୍ଡିଆ’ ସଚିତ୍ର ସଂସ୍କରଣରେ ପ୍ରକାଶ ପାଇଁ ଗୋପବନ୍ଧୁଙ୍କୁ ତାଙ୍କର ଏକ ସଦ୍ୟ ଫଟୋ ମୋ ପାଖକୁ ପଠାଇବା ପାଇଁ ଏକ ପତ୍ର ଲେଖିଥିଲି। କିନ୍ତୁ ମୋର ଅନୁରୋଧକୁ ଗ୍ରହଣ କରିବା ପାଇଁ ସେ ନିଜର ଅସାମର୍ଥ୍ୟ ବ୍ୟକ୍ତ କରିଥିଲେ। ଗୋପବନ୍ଧୁ ପ୍ରଚାରଧର୍ମୀ ନ ଥିଲେ। ସେ ତାଙ୍କ ଜୀବନକାଳରେ କ୍ୟାମେରାକୁ ସାମନା କରିବାକୁ ବହୁତ ଲାଜ କରୁଥିଲେ। କିନ୍ତୁ ଯେତେବେଳେ କେହି ତାଙ୍କର ଫଟୋ ଉଠାଉଥିଲା ସେତେବେଳକୁ ତାକୁ ବାରଣ କଲା ଭଳି ସ୍ଥିତିରେ ସେ ନ ଥିଲେ, କାରଣ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଗୋପବନ୍ଧୁ ତାଙ୍କ ମୃତ୍ୟୁର ମାତ୍ର ନଅ ଦିନ ପୂର୍ବରୁ ମୋ ପାଖକୁ ଯେଉଁ ଶେଷ ଚିଠିଟି ପଠାଇଥିଲେ ତାହା ଏଠି ଉଲ୍ଲେଖ ନ କରି ରହିପାରୁ ନାହିଁ। ଚିଠିଟି ଏହି ଭଳି

ସତ୍ୟବାଦୀ
ସାକ୍ଷିଗୋପାଳ ପି.ଓ.
୮-୬-୧୯୨୮
ମୋର ପ୍ରିୟର ଲାଲାଜୀ,
ମୁଁ ନିକଟରେ ଆପଣଙ୍କ ପ୍ରଦତ୍ତ ଏକ ପତ୍ର ପାଇଛି। ‘ଅନ୍‍ହାପି ଇଣ୍ଡିଆ’ର ସଚିତ୍ର ସଂସ୍କରଣ ପାଇଁ ଆପଣ ମୋର ଏକ ସଦ୍ୟ ଫଟୋ ମାଗିଛନ୍ତି, କିନ୍ତୁ ମୁଁ ଅତି ଦୁଃଖିତ ଯେ ମୋ ପାଖରେ ପୁରୁଣା କିମ୍ବା ନୂଆ କୌଣସି ଫଟୋ ନାହିଁ। କେତେକ ସମ୍ବାଦପତ୍ର ଓ ବାର୍ଷିକ କ୍ୟାଲେଣ୍ଡର ପ୍ରକାଶକମାନେ ମୋତେ ମୋର ଫଟୋ ମାଗୁଥିଲେ, କିନ୍ତୁ ମୁଁ ସେମାନଙ୍କୁ ଦେଇନି। ଆପଣଙ୍କ ଅନୁରୋଧ ରକ୍ଷା କରିପାରୁନଥିବାରୁ ମୁଁ ବହୁତ ଦୁଃଖିତ। ମୋର ଫଟୋ ଉଠାଇ ଦେବା ଭଳି କୌଣସି ଫଟୋଗ୍ରାଫର ମଧ୍ୟ ମୋର ଚିହ୍ନା ନାହାଁନ୍ତି।
ଓଡ଼ିଆ ଶ୍ରମିକ ସଂଗଠନ କାମରେ ମୁଁ ଚଳିତ ସପ୍ତାହରେ କଲିକତା ଯିବି। ବଡ଼ାବଜାରରେ ଓଡ଼ିଆମାନଙ୍କର ଏକ ସଂଘ ଗଢ଼ା ହୋଇସାରିଲାଣି। ମୁଁ ଯେଉଁ ଯୋଜନା କରିଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ଲିଙ୍ଗରାଜ (ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ) ଏବେ କଲିକତା ଯାଇଛନ୍ତି। ‘ସମାଜ’ର ଏକ ଖବର ପାଇଁ ଲିଙ୍ଗରାଜ ଓ ମୋ ବିରୋଧରେ ଯେଉଁ ମାନହାନୀ ମାମଲା ଅଣାଯାଇଛି ତାହା ଏବେ ସ୍ଥଗିତ ଅଛି। ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଗୃହପୁନଃନିର୍ମାଣ ପାଇଁ ଯେଉଁ ରିଲିଫ ଯୋଗାଣ କେନ୍ଦ୍ରମାନ ସ୍ଥାପନ କରାଯାଇଛି ସେଗୁଡ଼ିକ ଚଳିତମାସରେ ବନ୍ଦ ହୋଇଯିବ। କଲିକତା ଶ୍ରମିକ ସଂଗଠନ ପାଇଁ ଲିଙ୍ଗରାଜଙ୍କୁ ସ୍ଥାୟୀ ଭାବେ ନିଯୁକ୍ତ କରାଯିବ। ମୁଁ ଭାବୁଛି ସେ ଅହମ୍ମଦାବାଦ୍‍, ବମ୍ବେ ଓ କାନପୁରରେ କିଛିଦିନ ପାଇଁ ଶ୍ରମିକ ଆନ୍ଦୋଳନର ଦେଖାଶୁଣା କରିବେ।
ଗଭୀର ସ୍ନେହ ଓ ସମ୍ମାନର ସହ
ଆପଣଙ୍କର ଅନ୍ତରଙ୍ଗ
ଗୋପବନ୍ଧୁ
“ଗୋପବନ୍ଧୁଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କ ସହ କାମକରି ମୋତେ କିଭଳି ଯେ ଆନନ୍ଦ ମିଳିଛି ତାହା ଭାଷାରେ ମଧ୍ୟ ପ୍ରକାଶ କରିହେବ ନାହିଁ। ତାଙ୍କ ଉପରେ ମୋର ଗଭୀର ଆସ୍ଥା ଓ ବିଶ୍ୱାସ ଭରି ରହିଥିଲା। ସେ ଜଣେ ଦୃଢ଼ ଆତ୍ମପ୍ରତ୍ୟୟ ଭରା ବ୍ୟକ୍ତି ଥିଲେ ସତ, କିନ୍ତୁ ସେ ସଦାବେଳେ ଚାହୁଁଥିଲେ ଯେ ଯାହାଙ୍କୁ ସେ ବିଶ୍ୱାସ କରନ୍ତି କି ଭଲପାଆନ୍ତି ସେମାନେ ତାଙ୍କୁ କୌଣସି ପ୍ରସଙ୍ଗନେଇ ନିଜର ସୁଚିନ୍ତିତ ମତାମତ ଦିଅନ୍ତୁ। ଓହୋ! ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ହରାଇବା ଯେ କିଭଳି ଏକ ଅପୂରଣୀୟ କ୍ଷତି। ତାହା ଅବର୍ଣ୍ଣନୀୟ। ମୃତ୍ୟୁ ପରେ ପଛରେ କେବଳ ଛାଡ଼ି ଯାଇଛନ୍ତି ନିଜର ଦୁଇ ଝିଅ ଓ ବଡ ଭାଇଙ୍କ ବିଧବାଙ୍କୁ। କିନ୍ତୁ ତାଙ୍କ ଇଚ୍ଛାପତ୍ରରେ ପ୍ରଥମ ନାମ ସେହିଭଳି ଜଣେ ଲୋକଙ୍କର ଅଛି ଯାହାଙ୍କ ସହ ତାଙ୍କର କୌଣସି ରକ୍ତଗତ ସମ୍ପର୍କ ନ ଥିଲା; କିନ୍ତୁ ସେ ତାଙ୍କ ପରିବାରର ସଦସ୍ୟ ଭଳି ଥିଲେ।
ଏଭଳି ଜଣେ ମହାନ ପୁତ୍ରର ନିଧନରେ ଦେଶମାତୃକା ଆଜି ନିଃସ୍ୱ ହୋଇଯାଇଛି। ଲୋକସେବକ ମଣ୍ଡଳ ମଧ୍ୟ ଜଣେ ଏଭଳି ନେତାଙ୍କୁ ହରାଇ ବସିଛି ତାଙ୍କ ମୂଲ୍ୟବୋଧକୁ ସେ ସ୍ୱୀକାର କରେ ଓ ସମ୍ମାନର ସହ ଅନୁସରଣ କରେ।”
ଲାଲା ଲଜପତ ରାୟ
‘ଦ ପିପୁଲ୍‍’ରେ ପ୍ରକାଶିତ

Leave A Reply