ଗଣତନ୍ତ୍ରର ମର୍ମୋଦୟ

ହରପ୍ରସାଦ ଦାସ

ଭାରତୀୟ ଲୋକଜୀବନର ବିଚକ୍ଷଣ ରୂପକାର କାର୍ଟୁୁନିଷ୍ଟ ଆର.କେ.ଲକ୍ଷ୍ମଣ ହଠାତ୍‌ ରାଜନୈତିକ କାର୍ଟୁନ୍‌ କରିବା ବନ୍ଦ କରିଦେଲେ। ତାଙ୍କର ଅସଂଖ୍ୟ ପ୍ରଶଂସକ ମର୍ମାହତ, ହେଲେ ତାଙ୍କୁ ଲାଗିଲା ଯେ ମାତ୍ର କେଇ କ୍ଷଣ ଭିତରେ ରାଜନେତାଙ୍କ ବ୍ୟକ୍ତିତ୍ବ ଓ ଉଚ୍ଚାରଣକୁ ନେଇ ତୁହାକୁତୁହା ଉଠୁଥିବା ସନ୍ଦିଗ୍ଧତାର ସହଜ ଓ ଚଟୁଳ ସମାଧାନ ଆଉ କେହି ନେଇପାରିବେ ନାହିଁ। ଲକ୍ଷ୍ମଣ ତାଙ୍କର ଉତ୍ତର ଦେଲେ ଗୋଟିଏ ଅବିସ୍ମରଣୀୟ କାର୍ଟୁନ୍‌ରେ। ସେ କହିଲେ ‘ମୁଁ ରାଜନେତାଙ୍କ କାର୍ଟୁନ୍‌ କରିବା ଛାଡ଼ି ଦେଇଛି। କାରଣ ଏବେ କାର୍ଟୁନମାନେ ରାଜନେତା ହେଲେଣି।’ ‘କାର୍ଟୁନମାନେ ରାଜନେତା ହେଲେଣି’ କଥାଟା କିଛି କମ୍‌ ଗୁରୁତ୍ବପୂର୍ଣ୍ଣ ନୁହେଁ! ଏଥିରେ ହସିବାର ଉପାଦାନ ଯେତିକି, କବାଟ କିଳି କାନ୍ଦିବାର ଉପାଦାନ ତା’ଠାରୁ ଅଧିକ।
୨୦୧୯ର ନିର୍ବାଚନ ପ୍ରଚାର ସମୟରେ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର, ଅପସୂଚନା, କାର୍ଟୁନ ଓ ‘ମେମେ’କୁ ନେଇ ରାଜନୈତିକର ପରିବେଶ ଉତ୍ତପ୍ତ! ଶତ୍ରୁଙ୍କ ଭିତରେ ବିନୋଦପ୍ରିୟ ସହନଶୀଳତା ଆଉ ନାହିଁ। ସଦ୍ୟତମ ଦୃଷ୍ଟାନ୍ତ ପଶ୍ଚିମବଙ୍ଗରେ। ଭାଜପାର ଜଣେ ସମର୍ଥକ, ମମତା ବାନାର୍ଜୀଙ୍କର ଗୋଟିଏ ‘ମେମେ’ ପ୍ରସାରିତ କରି ଜେଲ୍‌ଗଲେ ଓ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦ୍ବାରା ମୁକ୍ତ ହେଲେ। ଗଣତନ୍ତ୍ରରେ ବକ୍ତବ୍ୟର ବ୍ୟଙ୍ଗକାରର ପ୍ରତିଷ୍ଠା ପାଇଁ ଏକଜୁଟ ହୋଇ ଭାଜପାକୁ ମାତ୍‌ ଦେବାପାଇଁ ବାହାରିଥିବା ଭାଜପା-ବିରୋଧୀଦଳ ଗୁଡ଼ିକ ଏ କ୍ଷୁଦ୍ର କିନ୍ତୁ ଗୁରୁତ୍ବପୂର୍ଣ୍ଣ ଘଟନାକୁ ନେଇ ବିଶେଷ ଚିନ୍ତା ପ୍ରକାଶ କଲେନାହିଁ। ବସ୍ତୁତଃ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର, ନିନ୍ଦା, ଘୃଣା ଓ ଅଶ୍ଳୀଳତା ବ୍ୟବହାରଯୋଗ୍ୟ ଅସ୍ତ୍ର ସିଦ୍ଧ ହୋଇଗଲେଣି। ସାମାଜିକ ଗଣମାଧ୍ୟମରେ ଲୋକମତକୁ ପ୍ରଭାବିତ କରିବା ପାଇଁ ଏ ଯେଉଁ ପ୍ରୟାସ, ସେ ପରିଣତି ଯାହା ହେଉନା କାହିଁକି, ଗଣତନ୍ତ୍ରର ଅନ୍ତର୍ନିହିତ ମୂଲ୍ୟବୋଧ ୟା ଦ୍ବାରା ପ୍ରଭାବିତ ହୋଇଚାଲିଛି। ଏଥିରେ ସନ୍ଦେହ ନାହିଁ। ଇଏ କୋଉଯାଏ ଯିବ, ତା’ର ମଧ୍ୟ ଅନୁମାନ ସମ୍ଭବ ନୁହେଁ। ଗଣତନ୍ତ୍ର ଉପରେ ୟା’ର ପ୍ରଭାବ ଏ ପର୍ଯ୍ୟନ୍ତ ତ୍ବରାନ୍ବିତ (ଥିଓରାଇଜଡ୍‌) ହୋଇନାହିଁ। ପଣ୍ଡିତମାନେ ଉଦାରବାଦୀ ପରମ୍ପରାର ବ୍ୟାଖ୍ୟାନକୁ ଧରି ବସିଛନ୍ତି। ତାଙ୍କର ଧାରଣା ଯେ ଆଧୁନିକ ସମାଜର ୟୁରୋପିଆନାଇଜେସନ୍‌ ବା ଆମେରିକାନାଇଜେସନ ସହିତ ଯେଉଁ ସାମାଜିକ ଓ ରାଜନୈତିକ ତତ୍ତ୍ବଗୁଡ଼ିକ ପ୍ରତିଷ୍ଠିତ ହେଲେ ସେଗୁଡ଼ିକ ସର୍ବକାଳୀନ, ସ୍ଥିର ଓ ଅପରିବର୍ତ୍ତନୀୟ। ବିସ୍ମୟର କଥା ଯେ ଗଣତନ୍ତ୍ରରେ ‘ଲୋକ’ ମର୍ମ ଯେ ଅତି ଦ୍ରୁତଗତିରେ ବଦଳି ଚାଲିଛି ସେଥିପ୍ରତି କାହାରି ଦୃଷ୍ଟିନାହିଁ।
ଫରାସୀ ବିପ୍ଳବ ଦ୍ବାରା ପ୍ରତିଷ୍ଠିତ ଗଣରାଜ୍ୟର ନେପୋଲିୟନିକ୍‌ କୋଡ, ଆମେରିକାନ୍‌ ଚାର୍ଟର ଅଫ ରାଇଟସ୍‌ (ବିଲ ଅଫ୍‌ ରାଇଟସ୍‌) ଆଦିକୁ ଯଦି ୟୁରୋ-ଆମେରିକାନ ଗଣତନ୍ତ୍ରର ଆଦ୍ୟପାଠ କୁହାଯାଏ ତେବେ ସାରା ବିଶ୍ବପାଇଁ ସେଇ ମଡେଲର ଗଣତନ୍ତ୍ର ଠିକ୍‌ ହେବ କି ? ଠିକ୍‌ ହେବନାହିଁ କାରଣ ଲୋକଙ୍କ ଶିକ୍ଷା, ସଂସ୍କୃତି, ଜୀବନମୂଲ୍ୟ ଓ ପରମ୍ପରା ତଥା ନିୟତ ପରିବର୍ତ୍ତନଶୀଳ ବାସ୍ତବତା ସବୁ ଦେଶରେ ସମାନ ନୁହେଁ। ସେହି କାରଣରୁ ରାଷ୍ଟ୍ର ଓ ରାଷ୍ଟ୍ର ଭିତରେ ପାର୍ଥକ୍ୟ, ବ୍ୟବସ୍ଥା ଓ ତା’ର ପ୍ରୟୋଗରେ ପାର୍ଥକ୍ୟ! ଏ ପାର୍ଥକ୍ୟଗୁଡ଼ିକ ରାଜନୀତି ବିଜ୍ଞାନୀମାନେ ଦେଖୁଛନ୍ତି, କିନ୍ତୁ ‘ଗଣତନ୍ତ୍ର’ର ଥିଓରାଇଜେସନ୍‌ ଯେଉଁଠି ​‌େସଇଠି। ୟାର ଗୋଟିଏ କାରଣ ହୋଇପାରେ ଯେ ଗଣତନ୍ତ୍ରର ବିକଳ୍ପ ନାହିଁ। କିନ୍ତୁ ଗଣତନ୍ତ୍ରର ପ୍ରୟୋଗ ଉପରେ ନଜର ରଖାଯାଇ ପାରିବ? ଲୋକଚରିତ୍ର, ଲୋକଆକାଙକ୍ଷା, ଲୋକଜୀବନ ଓ ଲୋକବାସ୍ତବତା ସବୁ ବଦଳୁଛି। ୧୯୪୭ ପରର ଭାରତରେ ରାଜନେତାଙ୍କ ମଡ଼େଲ ଥିଲା ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ। ସେମାନେ ନିଜର ବ୍ୟକ୍ତିଗତ ଭାବମୂର୍ତ୍ତି ନିର୍ମାଣ ପାଇଁ ଚିନ୍ତିତ ନଥିଲେ, ସେମାନଙ୍କୁ ତାଙ୍କ ନିଜ କାର୍ଟୁନ୍‌ ଆମୋଦିତ କରୁଥିଲା। ଆତ୍ମ-ସମୀକ୍ଷା, ଆତ୍ମସମାଲୋଚନା, ଆତ୍ମନିର୍ବାସନ, ଏସବୁ ଥିଲା ଜନନେତାଙ୍କର ସଂଘର୍ଷଶୀଳ ବ୍ୟକ୍ତିତ୍ବର ପ୍ରତିଷ୍ଠା! ଜନନେତା ଯେତେବେଳେ ରାଜନେତା ହେଲେ ସେମାନଙ୍କ ସମ୍ମୁଖରେ ଏଇ ପ୍ରତିଷ୍ଠାର ଆଦର୍ଶ ଥିଲା, କିନ୍ତୁ ଗଣତନ୍ତ୍ର ପ୍ରୟୋଗ ଯେତେବେଳେ ରାଜନୀତିକୁ ସତ୍ତାର ଭାଷା ଶିଖାଇଲା ସେତେ‌େ‌ବଳେ ଏ ପ୍ରତିଷ୍ଠାର ଆଦର୍ଶ ବଦଳିଲା। କୁହାଯାଇପାରେ ଯେ ଭାରତରେ ସଂଗ୍ରାମର ରଣନୀତି ଯେତେବେଳେ ସତ୍ତାର ରାଜନୀତିରେ ରୂପାନ୍ତରିତ ହେଲା ସେତେବେଳେ ‘ସତ୍ତା’ର ସଂଜ୍ଞା ବିକଶିତ ହୋଇନଥିଲା। ଭାରତରେ ସମ୍ବିଧାନର ଅଧ୍ୟୟନରୁ ଦିଶିଯିବ ଏଥିରେ ସତ୍ତା ବା ଶକ୍ତିର କୌଣସି ବ୍ୟାଖ୍ୟାନ ନାହିଁ। ସମ୍ବିଧାନ‌େ‌ର ଶକ୍ତିର ବିବରଣୀ ବା ସତ୍ତାର ସଂକେତ ବ୍ୟବସ୍ଥାର ପରିଚାଳନାରେ ନିହିତ। ରାଜନେତା ଓ ରାଜନୀତି ଗଣତନ୍ତ୍ରର ପ୍ରୟୋଗର ଭାଷା। ସମ୍ବିଧାନ ରାଷ୍ଟ୍ରନୀତିର ପ୍ରୟୋଗର ଭାଷା। ଜଣେ ରାଜନେତା ଯେତେବେଳେ ଲୋକପ୍ରତିନିଧିତ୍ବର ଅଧିକାର ହାସଲ କରେ ସେତେବେଳେ ସେ ରାଷ୍ଟ୍ରନୀତିର ପ୍ରୟୋଗ ପାଇଁ ସୃଷ୍ଟ ବ୍ୟବସ୍ଥାର ଅଂଶ ହୋଇଯାଏ। ଇଏ ସେଇଭଳି ହେବ, ଯେଉଁଭଳି ହେବେ ‘ଗଣ’। ଗଣଚରିତ୍ର ଯଦି ହୀନ, ‘ଗଣ’ ଯଦି ବିବେକବର୍ଜିତ, ବିକଳିଆ ଓ ଲୋଭୀ, ରାଷ୍ଟ୍ରତନ୍ତ୍ରହୀନ, ଦେଶାଭିମାନ ବର୍ଜିତ, ତେବେ ଏହି ଗଣଙ୍କୁ ନେଇ କରାଯାଉଥିବା ରାଜନୀତି ଭ୍ରଷ୍ଟହେବ, ଏଥିରେ ସନ୍ଦେହ ନାହିଁ। ଅନ୍ୟଭାବରେ କହିଲେ, ରାଷ୍ଟ୍ରନିର୍ମାଣ କରିଥିବା ‘ଗଣ’ ଗୋଟିଏ ଆଦର୍ଶ ‘ଗଣ’ ଓ ଗଣତନ୍ତ୍ରର ରାଜନୀତି କରୁଥିବା ଗଣ (ମତଦାତା ଓ ମତପ୍ରାର୍ଥୀ) ଏକ ବାସ୍ତବ ‘ଗଣ’। ଆମେ ଭାରତୀୟମାନେ ସମ୍ବିଧାନର ଆଦର୍ଶ ଗଣ ହେବାର ଯୋଗ୍ୟତା ହାସଲ ନକଲା ପର୍ଯ୍ୟନ୍ତ, ରାଜନୀତିର ରାଷ୍ଟ୍ରୀୟ ରୂପ ବିକଶିତ ହୋଇ ପାରିବ ନାହିଁ। ସମ୍ବିଧାନ ଉପୋଦ୍‌ଘାତ ପଢ଼ିଲେ ଲାଗିବ ଯେମିତି ରାଷ୍ଟ୍ରନିର୍ମାଣ କରିଥିବା ଲୋକେ ହିଁ ସେହି ଗଣ ଯିଏ ଭାରତର ଗଣତନ୍ତ୍ରକୁ ପରିଚାଳିତ କରିବେ। କିନ୍ତୁ ନା, ସମ୍ବିଧାନର ୱି ବା ଆମେ, ଠିକ୍‌ ଅର୍ଥରେ ଆମେ ନୋହୁଁ। ଆମେ ସମ୍ବିଧାନର ଅଂଗୀକାର ବୁଝିନାହୁଁ, ତା’ର ମର୍ମ ବୁଝିନାହୁଁ। ଆମେ ବୁଝୁଛୁ ଯେ ଆମେ ଯାହାକୁ ଆମର ପ୍ରତିନିଧି ନିର୍ବାଚିତ କରୁଛୁ ସିଏ ହେବ ଜଣେ ସତ୍ତାଧାରୀ ରାଜନେତା। ସମ୍ବିଧାନ ସେ କଳ୍ପନା କରିନାହିଁ। ଜନପ୍ରତିନିଧି ଜଣେ ରାଷ୍ଟ୍ର ସେବକ, ସତ୍ତାଧାରୀ ନୁହନ୍ତି।
ଗଣତନ୍ତ୍ର ଯାହାଙ୍କ ରଚନା ସେ ଲୋକଙ୍କର ସୃଜନଶୀଳତାର ନିର୍ମାଣ କିଏ କରିବ? ସେ ଲୋକଙ୍କର କେଉଁ ଆବଶ୍ୟକତା ଗଣତନ୍ତ୍ର ପୂର୍ଣ୍ଣ କରିବ, କିଏ କରିବ? ସେ ଲୋକେ କେମିତି ଗଣତନ୍ତ୍ର ଗଢ଼ିବେ, କେମିତି ଜାଣିବେ? କହିବାର ତାତ୍ପର୍ଯ୍ୟ ଏହି ଯେ ଲୋକେ ନିଜକୁ ଗଣତନ୍ତ୍ରର ଯୋଗ୍ୟ କହିବା ରାଜନୀତିର କାମ। ଯଦି ରାଜନୀତି ସେ କାର୍ଯ୍ୟ ନକରେ, ତେବେ ଅଯୋଗ୍ୟ ଲୋକେ ରାଷ୍ଟ୍ରନୀତିର ନିର୍ବାହ ପାଇଁ ବିଧାନସଭା ଓ ସଂସଦରେ ପହଞ୍ଚିଯିବେ। ଲକ୍ଷ୍ମଣଙ୍କର କାର୍ଟୁନ ଏଇମାନେ। କେବଳ ଏଇମାନେ ନୁହନ୍ତି, ଲୋକେ କି ଗଣତନ୍ତ୍ରର ପରିକଳ୍ପିତ ‘ଗଣ’ର କାର୍ଟୁନ ହୋଇଯିବେ। ଆମ ନାଁରେ ସମ୍ବିଧାନ, ଆମ ନାଁରେ ଦେଶ, ଆମ ନାଁରେ ରାଷ୍ଟ୍ର, ଅଥଚ ଆମେ ଆମର ପରିକଳ୍ପିତ ଯୋଗ୍ୟତା ହାସଲ କରିପାରିନାହେଁ। ତା’ହେଲେ କ’ଣ ଗଣତନ୍ତ୍ରର ଆଦର୍ଶ ଭ୍ରଷ୍ଟ ହୋଇଯାଇଛି?
ଭ୍ରଷ୍ଟ ହୋଇନାହିଁ, କିନ୍ତୁ ଭ୍ରଷ୍ଟ ହୋଇଯିବ ଯଦି ଆମେ ଗଣତନ୍ତ୍ରର ମର୍ମୋଦୟର ସଂକେତଗୁଡ଼ିକ ଦେଖି ମଧ୍ୟ ଉପେକ୍ଷା କରିଚାଲୁ। ୨୦୧୯ରୁ ନିର୍ବାଚନରେ ଗୋଟେ ନିର୍ବାଚନୀ ନାରା ଭୁଶୁଡ଼ି ଭାରତରେ ଗଣତନ୍ତ୍ର ଲୋପ ପାଇଯିବ, ଗଣତନ୍ତ୍ର ବିପଦରେ, ଗଣତନ୍ତ୍ରକୁୁ ରାଷ୍ଟ୍ରବାଦ ଖାଇଯିବ ଇତ୍ୟାଦିଇତ୍ୟାଦି। କହିବା ବାହୁଲ୍ୟ ଯେ ଏ ନାରା ଦେଉଛନ୍ତି ସେଇମା​‌େ​‌ନ ଯେଉଁମାନେ ଗଣତନ୍ତ୍ରର ‘ଅ​‌େ​‌ନ୍ତ୍ୟାଦୟ’ ବା ପ୍ରକୃତ ‘ମର୍ମୋଦୟ’କୁ ଚିହ୍ନିବା ପାଇଁ ପ୍ରସ୍ତୁତ ନୁହନ୍ତି। ଗଣତନ୍ତ୍ରର ଦୁଇଶହ ବର୍ଷର ପ୍ରୟୋଗ ଭିତରେ ସ୍ପଷ୍ଟ ହୋଇଯାଇଛି ଯେ ୟୁରୋ-ଆମେରିକାନ୍‌ ଉଦାରବାଦ ବା ଲିବେରାଲିଜିମ୍‌ ଗଣତନ୍ତ୍ରକୁ ଏକ ସର୍ବମାନ୍ୟ ବିଶ୍ବତନ୍ତ୍ରରେ ପରିଣତ କରିପାରିନାହିଁ। ପ୍ରତି ଦେଶ ତାଙ୍କର ନିଜ ‘ଗଣ’ର ସ୍ବରୂପ ଉଦ୍‌ଘାଟିତ କରିଚାଲିଛନ୍ତି ଏବଂ ଏହି ଅବସରରେ ସୀମାନ୍ତରିତ ହୋଇଯାଇଥବା କେତେଗୁଡ଼ିଏ ମାନବୀୟ ତଥା ସଭ୍ୟତାଗତ ଆଦର୍ଶ କେନ୍ଦ୍ରକୁୁ ଫେରିଛନ୍ତି। ଏ ଆଦର୍ଶଗୁଡ଼ିକ ହେଲେ ସ୍ବଦେଶ, ସ୍ବାଭିମାନ, ଦେଶଭକ୍ତି ଓ ରାଷ୍ଟ୍ରବାଦ। ଭାରତ ତା’ର ଭାଗ୍ୟ ଆମେରିକା ବା ୟୁରୋପ ସହିତ ଯୋଡ଼ି ଏକ ସୀମାହୀନ (ବର୍ଡରଲେସ୍‌) ବିଶ୍ବର ଅଂଶ ହୋଇପାରିବ ନାହିଁ। ଆମ ‘ଗଣ’ ତାଙ୍କ ‘ଗଣ’ଙ୍କ ସହିତ ମିଶି ପାରିବେ ନାହିଁ। ବିଶ୍ବଭ୍ରାତୃତ୍ବ ବା ଏକବିଶ୍ବ କଥାଟା ଶୁଣିବାକୁ ଭଲ ଲାଗୁଛି, କିନ୍ତୁ ପ୍ରକୃତରେ ତାହା ସଂପୂର୍ଣ୍ଣ ପ୍ରୟୋଗଯୋଗ୍ୟ ନୁହେଁ। ‘ଆମେରିକା ଫର୍‌ ଆମେରିକାନ୍‌ସ୍‌’ ‘ଇଂଲଣ୍ଡ ଫର୍‌ ଇଂଲିଶମେନ୍‌’ ଯଦି ଗ୍ରାହ୍ୟ, ତେବେ ‘ଇଣ୍ଡିଆ ଫର୍‌ ଇଣ୍ଡିଆନ୍‌ସ୍‌’ ଅଗ୍ରାହ୍ୟ ହେବ କାହିଁକି? ଯଦି ତାହା ଅଗ୍ରାହ୍ୟ ନୁହେଁ, ତେବେ ଦେଶଭକ୍ତି ଓ ରାଷ୍ଟ୍ରବାଦକୁ ନେଇ ସନ୍ଦେହ କାହିଁକି? ଲିବେରାଲିଜିମ୍‌ର ନିର୍ମାତାମାନେ ଯଦି ତାକୁ ଅସ୍ବୀକାର କରିସାରିଲେଣି, କୋଉ ଦମ୍ଭରେ ଆମେ ଲିବେରାଲିଜିମ୍‌ ଧ୍ବଜାଧାରୀ ହୋଇ କହିପାରିବା ଯେ ରାଷ୍ଟ୍ରବାଦ ସହିତ ଲିବେରାଲିଜିମ୍‌ ମରିଯିବ ଓ ଲିବେରାଲିଜିମ ମରିଗଲେ ଭାରତ ଅରାଜକ ହୋଇଯିବ ଓ ଗଣତନ୍ତ୍ର ମରିଯିବ?
ଗଣତନ୍ତ୍ର ଓ ରାଷ୍ଟ୍ରବାଦ (ଓ ଦେଶଭକ୍ତି) ପରସ୍ପରର ବିରୋଧୀ ନୁହନ୍ତି। ବରଂ କୁହାଯାଇପାରେ ଯେ ଗଣତନ୍ତ୍ର ଗୋଟିଏ ଥିଓରଟିକାଲ ‘ଗଣ’ର ତନ୍ତ୍ର ନୁହେଁ, ଏହା ବାସ୍ତବ ଗଣଙ୍କ ତନ୍ତ୍ର। ବାସ୍ତବ ଗଣ ଯଦି ଏ ପର୍ଯ୍ୟନ୍ତ ଆଦର୍ଶ ଗଣରେ ପରିଣତ ହୋଇପାରିନାହାନ୍ତି ତା’ର କାରଣ ଦେଶକୁ ଭଲପାଉଥିବା ବା ଭକ୍ତି କରୁଥିବା ଲୋକଙ୍କ ବିନା ଏ ଆଦର୍ଶ ହାସଲ କରିବା ସମ୍ଭବ ନୁହେଁ। ରାଷ୍ଟ୍ରବାଦୀ ସରକାର ରାଷ୍ଟ୍ରବିରୋଧୀଙ୍କ ପ୍ରତି ଅସହିଷ୍ଣୁ ହେବାର ଅର୍ଥ ନୁହେଁ ଯେ ଅଭିବ୍ୟକ୍ତିର ଅଧିକାର ଧ୍ବସ୍ତ ହୋଇଗଲା। ଯଦି ଗୋଟିଏ ଦେଶରେ ଦେଶର ପ୍ରଧାନମନ୍ତ୍ରୀକୁ ଚୋର, ଜୁମ୍‌ଲାବାଜ, ନୀଚ, ସୁଝବୁଝ ୱାଲା କରାଯାଇପାରେ ଓ ଏଭଳି କରିଲାବାଲା କହନ୍ତି ଯେ ଦେଶରେ ଅଭିବ୍ୟକ୍ତିର ଅଧିକାର ଅବରୁଦ୍ଧ ହୋଇଯାଇଛି, ତେବେ ୟାକୁ କ’ଣ କହିବା ?
ପ୍ରକୃତରେ କିଛି ଅସୁବିଧା ହୋଇନି। ଭାରତୀୟତାର ପୁନଃପ୍ରତିଷ୍ଠା ଓ ଦେଶଭକ୍ତି ତଥା ପରମ୍ପରାର ପୁନର୍ଜାଗରଣ ଗଣତନ୍ତ୍ର, ରାଜନୀତି ଓ ସମସ୍ତଙ୍କୁ ପୁନର୍ଭାଷିତ କରୁଚି। ଲିବେରାଲିଜିମ୍‌ର ମୃତ୍ୟୁ ପଛରେ ଗୋଟିଏ ବଡ଼ କାରଣ ଥିଲା ଲିବେରାଲିଜିମ୍‌ରେ ଉପରଠାଉରିଆ ସମୀକରଣ। ବସୁଧୈବ କୁଟୁମ୍ବକମ୍‌ ଆମ ପିତୃପୁରୁଷ କରିନଥିଲେ କି? କିନ୍ତୁ ସ୍ଥାନୀୟତାର ବନ୍ଧନରୁ ଆମେ ମୁକ୍ତ ହୋଇପାରିଲେ କି? ତେଣୁ ‘ଗଣତନ୍ତ୍ର’ର ନୂଆ ଥିଓରା ଇଜେସନରେ ରହିବ ସ୍ଥାନୀୟତା, ରାଷ୍ଟ୍ରୀୟତା ଓ ଦେଶଭକ୍ତି। ୟା ସହିତ ରହିବ ‘ନାଗରିକ ଯୋଗ୍ୟତା’ ବିକାଶ ପାଇଁ ତୃଣମୂଳ ସ୍ତରରେ ରାଜନେତାଙ୍କ ପ୍ରୟାସ। ଯେପର୍ଯ୍ୟନ୍ତ ତାହା ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ଲୋକେ ତାଙ୍କର ସମସ୍ତ ଅଯୋଗ୍ୟତା ଓ ଦୁର୍ବଳତାର ସହିତ ମତ ସାବ୍ୟସ୍ତ କରିଚାଲିବେ ଓ ଏ ଦୁର୍ବଳତାର ନିରବ ସାକ୍ଷୀ ନହୋଇ ରାଷ୍ଟ୍ର ତା’ର ସଜୀବତା ଓ ସଚେତତାର ପ୍ରମାଣ ଦେବ। ରାଷ୍ଟ୍ର ବି ‘ଭାବପ୍ରବଣ’ ହେବ। ରାଷ୍ଟ୍ର ଏକ ଯନ୍ତ୍ର ନୁହେଁ କି ରାଜନୀତି ଏକ ସଭାକ୍ରୀଡ଼ା ନୁହେଁ। ‘ଗଣ’ର ଦୁର୍ବଳତା ଗଣତନ୍ତ୍ରରେ ରହିବ, କିନ୍ତୁ ରାଷ୍ଟ୍ରର କାର୍ଯ୍ୟହେବ ଏ ଦୁର୍ବଳତାକୁ ଦୂର କରି ଗଣକୁ ରାଷ୍ଟ୍ରୀୟ ମୂଲ୍ୟବୋଧରେ ଦୀକ୍ଷିତ କରିବା। ଲୋକ, ଲୋକପ୍ରତିନିଧି ଓ ଲୋକପ୍ରଶାସନ ଏ ସମସ୍ତଙ୍କର ସ୍ପର୍ଶକାତରତା ପାଇଁ ଲୋଡ଼ା ଆବେଗ। ଆବେଗହୀନ ଯନ୍ତ୍ରଚାଳିତ ଭ୍ରଷ୍ଟ ରାଜନୀତି ଓ ପ୍ରଶାସନରେ ଆମେ ଦେଖିଚେ କିପରି ‘ବିକାଶ’ ଏକ ବାହାନାରେ ପରିଣତ ହୋଇଚି। ଗଣତନ୍ତ୍ରର ନୂଆ ତତ୍ତ୍ବ ଜନବାଦ ହୋଇପାରେ, କିନ୍ତୁ ୟାର ଥିଓରାଇଜେସନ ନ ହେଲା ପର୍ଯ୍ୟନ୍ତ ଲାଗିବ ଯେମିତି ଲୋକ ସମୁଦାୟର ମର୍ମୋଦୟ ସାଧିତ ନହୋଇ ସୁବିଧାବାଦୀ ଓ ସୁଯୋଗବାଦୀଙ୍କ ସନ୍ତୁଷ୍ଟିକରଣରେ ଆମର ବିକାଶର ସୁବର୍ଣ୍ଣ ସମ୍ଭାବନା ନଷ୍ଟ ହୋଇଗଲା। ରାଜନୀତି ବିଜ୍ଞାନୀଙ୍କ ପାଇଁ ଭାରତୀୟ ଗଣତନ୍ତ୍ର ଏକ ଚାଲେଞ୍ଜ୍‌, ବସ୍ତୁତଃ ଭାରତରେ ହିଁ ଗଣତନ୍ତ୍ରର ଭବିଷ୍ୟତ ନିର୍ଦ୍ଧାରିତ ହେବ। ୨୦୧୯ର ନିର୍ବାଚନ ବିଶ୍ବରେ ଆଧୁନିକ ଗଣତନ୍ତ୍ର ମର୍ମୋଦୟର ସଂକେତ ସିଦ୍ଧ ହେବ।
ବାଗର୍ଥ, ଏନ୍‌୨/୨୬, ଆଇଆରସି ଭିଲେଜ, ଭୁବନେଶ୍ବର

Comments
Loading...