କେରଳ ଚାହୁଁଛି ସଂଯୁକ୍ତ ଆରବର ସହାୟତା

0

ନୂଆଦିଲ୍ଳୀ/ତିରୁଭାନନ୍ତପୁରମ୍‍: କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶିକୁ ନେଇ ରାଜନୀତି ଜୋର ଧରିଛି। ସଂଯୁକ୍ତ ଆରବ ଏମିରଟ୍‍ ଦ୍ୱାରା ୭୦୦ କୋଟି ଟଙ୍କାର ସହାୟତାକୁ ନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିବା ପରେ କେରଳ ସରକାର ପ୍ରତିବାଦ କରିଛନ୍ତି। ସଂଯୁକ୍ତ ଆରବ ଏମିରଟ୍‍ର ସହାୟତାକୁ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଅନୁମତି ଦିଅନ୍ତୁ ଅଥବା ସେତିକି ପରିମାଣର ଆର୍ଥିକ ସହାୟତା ଦିଅନ୍ତୁ ବୋଲି କେରଳ ସରକାର କହିଛନ୍ତି। ଯଦି ସଂଯୁକ୍ତ ଆରବରୁ ସହାୟତା ଆଣିବାରେ କିଛି ରାଜନୈତିିକ କିମ୍ବା ପ୍ରଶାସନିକ ସମସ୍ୟା ଥାଏ ତେବେ କେରଳ ସରକାର ବ୍ୟକ୍ତିଗତ ସ୍ତରରେ ସେହିସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ୍‍ କହିଛନ୍ତି। କୌଣସି ଦୈବୀ ଦୁର୍ବିପାକ ସମୟରେ ବିଦେଶରୁ ଆସୁଥିବା ଦାତବ୍ୟ ଅର୍ଥ ଓ ସହାୟତା ଗ୍ରହଣ କରିବାରେ ଅସୁବିଧା ନାହିଁ ବୋଲି ୨୦୧୬ ମେ ମାସରେ ପ୍ରଣୀତ ଜାତୀୟ ବିପର୍ଯ୍ୟୟ ପରିଚାଳନା ନୀତି ଘୋଷଣା ବେଳେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ। ତେଣୁ ସଂଯୁକ୍ତ ଆରବର ସହାୟତା ଗ୍ରହଣ କରିବାରେ ଅସୁବିଧା କେଉଁଠି ବୋଲି ବିଜୟନ୍‍ ପ୍ରଶ୍ନ କରିଛନ୍ତି। କେରଳ ମାଟିକୁ ଭଲ ପାଉଥିବା ଓ ଶ୍ରଦ୍ଧା କରୁଥିବା ଲୋକମାନଙ୍କ ସହାୟତାକୁ ଆଦର ଓ ସମ୍ମାନର ସହ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ୨୦୦୪ରେ ସୁନାମୀ ପରେ କୌଣସି ଦେଶରୁ ଆର୍ଥିକ ସହାୟତା ଗ୍ରହଣ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ଆଧାରରେ ସଂଯୁକ୍ତ ଆରବର ସହାୟତାକୁ ଗ୍ରହଣ କରାଯାଉନାହିଁ। କିନ୍ତୁ କୌଣସି ଏନ୍‍ଆରଇ କିମ୍ବା ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଚାହିଁଲେ ପ୍ରଧାନମନ୍ତ୍ରୀ ରିଲିଫ୍‍ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠକୁ ଦାନ କରିପାରିବେ।

Leave A Reply