କାଶ୍ମୀର ପ୍ରସଂଗରେ ସର୍ଦାରଙ୍କ ଦୃଷ୍ଟିଭଙ୍ଗୀ

0

କିଶୋର ଶତପଥୀ

କାଶ୍ମୀର ପ୍ରସଂଗ ଉପରେ ତତ୍‍କାଳୀନ ଉପ ପ୍ରଧାନମନ୍ତ୍ରୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୃଷ୍ଟିଭଂଗୀ କ’ଣଥିଲା ତାହାକୁ କେନ୍ଦ୍ରକରି ଅନେକ ବିତର୍କ ଚାଲିଆସୁଛି। କିଛିମାସ ପୂର୍ବେ ଲୋକସଭାରେ କଂଗ୍ରେସକୁ ଆକ୍ରମଣ କରିବା ଅବସରରେ କାଶ୍ମୀର ପ୍ରସଂଗ ଉପରେ ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବବିହ୍ୱଳ ହୋଇ କହିଥିଲେ ‘ଯଦି ଜବାହରଲାଲ ନେହେରୁଙ୍କ ପରିବର୍ତ୍ତେ ସର୍ଦାର ବଲ୍ଲଭ ଭାଇ ପଟେଲ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ ତେବେ ମୋର ପ୍ରିୟ କାଶ୍ମୀରର ଏକ ଅଂଶ ଆଜି ପାକିସ୍ତାନର ଅଧିକାରରେ ନଥାଆନ୍ତା।’ ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ସ୍ମରଣ କରାଇଦେଲେ ଭଲ ହେବ ଯେ ୧୯୪୭ ମସିହାରେ ଏହି କାଶ୍ମୀର ପ୍ରସଂଗ ଉପରେ ନେହେରୁଙ୍କ ନିକଟକୁ ଲେଖିଥିବା ପତ୍ରରେ ପଟେଲ କଣ ଲେଖିଥିଲେ। ସେ ଲେଖିଥିଲେ, ‘କାଶ୍ମୀର ନୀତି ଉପରେ ତୁମ ମୋ ଭିତରେ କିଛି ମତଭେଦ ଥିବା ପରି ମତେ ଜଣାନାହିଁ। ତେବେ ଏହା ଘୋର ଦୁର୍ଭାଗ୍ୟର କଥା କିଛି ଲୋକ ଭାବୁଛନ୍ତି ଯେ ଏହାକୁ କେନ୍ଦ୍ରକରି ତୁମ ମୋ ଭିତରେ ଘୋର ମତଭେଦ ରହିଛି।’ (ଏକ୍ସପ୍ରେସ ଆର୍କାଇଭ)
ଗତକିଛି ବର୍ଷ ହେଲା ମୋଦୀ ଏବଂ ବିଜେପିର ଅନ୍ୟନେତାମାନେ ନିଜକୁ ସର୍ଦାର ପଟେଲଙ୍କର ଏକମାତ୍ର ଉତ୍ତରାଧିକାରୀ ଭାବେ ଉପସ୍ଥାପନ କରି ପଟେଲଙ୍କ ପ୍ରତି ନେହେରୁ ଏବଂ କଂଗ୍ରେସ ସରକାର ଘୋର ଅନ୍ୟାୟ କରିଥିବା ଅଭିଯୋଗ କରିଆସୁଛନ୍ତି। ନେହେରୁଙ୍କୁ କାଶ୍ମୀର ପ୍ରସଂଗ ଉପରେ ସମାଲୋଚନା କରି ଏମାନେ କୁହନ୍ତି ଯେ ତାଙ୍କର କାପୁରୁଷ ନୀତି େ‍ଯାଗୁ କାଶ୍ମୀରର ଏକ ଅଂଶକୁ ପାକିସ୍ତାନ ମାଡିବସିଛି। ବାସ୍ତବରେ କାଶ୍ମୀର ସମସ୍ୟାର ସମାଧାନ ନିମନ୍ତେ ସର୍ଦାର ପଟେଲଙ୍କର ବିଚାର କ’ଣ ଥିଲା ଯାହା ଫଳରେ ସେ କହୁଥିଲେ ଯେ କାଶ୍ମୀର ପ୍ରସଂଗ ତାଙ୍କ ନିମନ୍ତେ ଘୋର ମୁଣ୍ଡବ୍ୟଥାର କାରଣ ହୋଇଛି। ଏସଂପର୍କରେ କୌଣସି ଆଲୋଚନାରେ ସେ ନିର୍ଦିଷ୍ଟ ଭାବେ କିଛି କହିଥିବାର କିମ୍ବା ସରକାରୀ ବା ବେସରକାରୀ ଭାବେ କୌଣସି ମନ୍ତବ୍ୟ କିମ୍ବା ପ୍ରସ୍ତାବ ଦେଇଥିବାର ପ୍ରାମାଣିକ ତଥ୍ୟ ନାହିଁ।
ଦେଶ ସ୍ୱାଧୀନ ହେବାର ଦୁଇମାସ ପୂର୍ବରୁ ଭାଇସରାଏ ଲର୍ଡ ମାଉଣ୍ଟ ବାଟେନ ଜୁନ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ କାଶ୍ମୀର ଗସ୍ତରେ ଯାଇଥିଲେ। ଏହି ସମୟରେ ସେ କାଶ୍ମୀରର ମହାରାଜା ହରି ସିଂହଙ୍କୁ କହିଥିଲେ ଯେ ଯଦି କାଶ୍ମୀର ପାକିସ୍ତାନ ସହିତ ମିଶେ ତେବେ ଭାରତ ସରକାର ଏହାକୁ ଶତ୍ରୁତା ଭାବିବେ ନାହିଁ। ଏହା ସହିତ ଭାଇସରାଏ ଏହା ମଧ୍ୟ କହିଥିଲେ ଯେ ସର୍ଦାର ପଟେଲ ତାଙ୍କୁ ଏସଂପର୍କରେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଏହି କଥାଟି ଲର୍ଡ ମାଉଣ୍ଟବାଟେନଙ୍କ ରାଜନୈତିକ ବ୍ୟାପାର ସଂକ୍ରାନ୍ତ ସଚିବଥିବା ଭି.ପି. ମେନନ ତାଙ୍କର ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଭାରତର ସ୍ୱାଧୀନତା ବିଲ୍‍ ପ୍ରସ୍ତୁତ କରିବାରେ ମେନନ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। କାଶ୍ମୀର ପ୍ରସଂଗରେ ପଟେଲଙ୍କ ମତ ଏହା ଥିବା ବେଳେ ମହାତ୍ମା ଗାନ୍ଧୀ କିନ୍ତୁ ଭାରତ ସହିତ କାଶ୍ମୀର ମିଶ୍ରଣ ହେବ ବୋଲି ଆଶା କରୁଥିଲେ। ଏହା ହୋଇପାରିଲେ ଜିନ୍ନାଙ୍କର ଧର୍ମଭିତ୍ତିକ ଦେଶ ବିଭାଜନ ନୀତିକୁ ଭୁଲ ପ୍ରମାଣିତ କରାଯାଇପାରିବ ବୋଲି ବାପୁ ଭାବୁଥିଲେ। ଏହି ସମୟରେ ସର୍ଦାର ପଟେଲଙ୍କର ରାଜନୈତିକ ବ୍ୟାପାର ସଚିବ ଥିବା ତଥା ଦେଶୀୟ ରାଜ୍ୟ ମିଶ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭି.ଶଂକର ତାଙ୍କର ଏକ ଲେଖାରେ ଉଲ୍ଲେଖ କରିଛନ୍ତି ଯେ କାଶ୍ମୀରର ମିଶ୍ରଣ ସଂପର୍କରେ କଣ ନିଷ୍ପତ୍ତି ନିଆଯିବ ତାହା ସେଠାକାର ମହାରାଜଙ୍କ ଉପରେ ଛାଡିଦିଆଯିବା ଠିକ ହେବ ବୋଲି ପଟେଲ କହୁଥିଲେ। ପଟେଲ ଏହା ମଧ୍ୟ କହିଥିଲେ ଯେ ଯଦି ମହାରାଜା ଭାବୁଥାଆନ୍ତି ଯେ ପାକିସ୍ତାନ ସହିତ ତାଙ୍କ ରାଜ୍ୟର ମିଶ୍ରଣ ହେଲେ ତାଙ୍କର ଏବଂ ତାଙ୍କ ପ୍ରଜାଙ୍କର ସ୍ୱାର୍ଥ ରକ୍ଷା ହୋଇପାରିବ, ତେବେ ସେଥିରେ ସେ ପ୍ରତିବନ୍ଧକ ହେବେ ନାହିଁ।
ପଟେଲଙ୍କ ଆତ୍ମ ଜୀବନୀ ଲେଖିଥିବା ରାଜମୋହନ ଗାନ୍ଧୀ ଉଲ୍କେଖ କରିଛନ୍ତି ଯେ ୧୯୪୭ ମସିହା ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ କାଶ୍ମୀର ପ୍ରସଂଗ ଉପରେ ବଲ୍ଲଭ ଭାଇ ଉଦାସୀନ ମନୋଭାବ ପୋଷଣ କରିଆସୁଥିଲେ। ୧୯୪୭ ମସିହା ସେପ୍ଟେମ୍ବର ୧୩ ତାରିଖ ସକାଳେ ଭାରତର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ବଲଦେବ ସିଂହଙ୍କ ନିକଟକୁ ଏକ ପତ୍ରରେ ସର୍ଦାର ଲେଖିଥିଲେ, ‘ଯଦି ଅନ୍ୟ ଏକ ଶାସନାଧୀନ ଅଞ୍ଚଳ ସହିତ ମିଶିବାକୁ କାଶ୍ମୀରର ମହାରାଜା ନିଷ୍ପତ୍ତି ନେଇଛନ୍ତି ତେବେ ତାହାକୁ ଗ୍ରହଣ କରିବାକୁ ସେ ପ୍ରସ୍ତୁତ ଅଛନ୍ତି।’ ରାଜମୋହନ ଏହାପରେ ଲେଖିଛନ୍ତି ଯେ ଏହି ପତ୍ର ପଠାଇବାର କିଛି ସମୟପରେ ପଟେଲ ଯେତେବେଳେ ଶୁଣିଲେ ଯେ ପାକିସ୍ତାନ ସହିତ ମିଶିବାକୁ ଜୁନାଗଡର ଯୁକ୍ତିକୁ ପାକିସ୍ତାନ ଗ୍ରହଣ କରିନେଇଛି ସେ ସଂଗେସଂଗେ ନିଜର ମତ ବଦଳାଇଦେଲେ। ଏହି ପ୍ରସଂଗ ଉପରେ ନେହେରୁ କହିଥିଲେ ଯଦି ମୁସଲମାନ ଶାସକ ଥିବା ଏକ ହିନ୍ଦୁ ଅଧ୍ୟୁଷିତ ରାଜ୍ୟକୁ (ଜୁନାଗଡ) ଜିନ୍ନା ଦଖଲ କରିବାକୁ ରାଜି ଅଛନ୍ତି ତେବେ ହିନ୍ଦୁ ଶାସକ ଥିବା ଏକ ମୁସଲମାନ ଅଧ୍ୟୁଷିତ ରାଜ୍ୟକୁ ( କାଶ୍ମୀର) ଗ୍ରହଣ କରିବାକୁ ପଟେଲ କାହିଁକି ଅରାଜି ହେବେ? ଏହା ପରଠାରୁ ଜୁନାଗଡ ଏବଂ କାଶ୍ମୀର ଏକ ସମସ୍ୟା ଭାବେ ଉଭା ହେଲା। ହାଇଦରାବାଦ,ଜୁନାଗଡ ଏବଂ କାଶ୍ମୀରର ମିଶ୍ରଣକୁ ନେଇ ପ୍ରବଳ ବିବାଦ ସୃଷ୍ଟି ହୋଇଥିଲା। ସେତେବେଳେ ହାଇଦରାବାଦକୁ ରାଜା, ଜୁନାଗଡକୁ ସୈନିକ(ପନ) ଏବଂ କାଶ୍ମୀରକୁ ରାଣୀ କୁହାଯାଉଥିଲା। ମିଶ୍ରଣ ପର୍ବ ଚାଲିଥିବା ବେଳେ ଜିନ୍ନା ୍‍ଯଦି ହାଇଦରାବାଦ ଏବଂ ଜୁନାଗଡକୁ ଭାରତ ସହିତ ମିଶିବା ନିମନ୍ତେ ରାଜି ହୋଇଯାଇଥାଆନ୍ତେ ତେବେ ପାକିସ୍ତାନ ସହିତ କାଶ୍ମୀରର ମିଶ୍ରଣ ହେବାକୁ ପଟେଲ ବିରୋଧ କରିନଥାଆନ୍ତେ। ଜିନ୍ନା ଚାହୁଁଥିଲେ ଯଦି ଲୋକସଂଖ୍ୟାକୁ ନେଇ ମିଶ୍ରଣ ହୁଏ ତେବେ କାଶ୍ମୀରର ମିଶ୍ରଣ ପାକିସ୍ତାନ ସହିତ ହେବା ଉଚିତ। କାଶ୍ମୀରକୁ ହାସଲ କରିବାପାଇଁ ଜିନ୍ନା ଜୁନାଗଡକୁ ପଣ କରି ରଖୁଥିଲେ। ଶାସକଙ୍କ ଇଚ୍ଛାକୁ ନେଇ ମିଶ୍ରଣ ହେଲେ ଜୁନାଗଡର ମିଶ୍ରଣ କାଶ୍ମୀର ସହିତ ହେଉ ବୋଲି ଜିନ୍ନା ଚାହୁଁଥିଲେ। ଜିନ୍ନାଙ୍କର ଏହି ଚାଲକୁ ପ୍ରତିହତ କରିବା ନିମନ୍ତେ ପଟେଲ ଜୁନାଗଡରେ ସୋମନାଥ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କଲେ। ସର୍ଦାର ପଟେଲ ପ୍ରସ୍ତାବ ଦେଇଥିଲେଯେ ଗଣତାନ୍ତ୍ରିକ ପଦ୍ଧତିରେ ଜୁନାଗଡର ମିଶ୍ରଣ କରାଯିବା ଉଚିତ ହେବ। ଏହାର ଉତ୍ତରରେ ଜିନ୍ନା କହିଥିଲେ ଏହି ପ୍ରସ୍ତାବ କାଶ୍ମୀର ପ୍ରତି ମଧ୍ୟ ପ୍ରଯୁଜ୍ୟ ହେବା ଉଚିତ। ପଟେଲ ସଂଗେସଂଗେ ଉତ୍ତରଦେଇଥିଲେ ଯଦି ହାଇଦରାବାଦରେ ମଧ୍ୟ ଅନୁରୂପ ପଦ୍ଧତିର ପ୍ରୟୋଗ ନିମନ୍ତେ ପାକିସ୍ତାନ ରାଜି ହୁଏ ତେବେ କାଶ୍ମୀରରେ ଏହାର ପ୍ରୟୋଗ ନିମନ୍ତେ ଆମେ ରାଜି ହୋଇପାରୁ।
୧୯୪୭ ମସିହା ସେପ୍ଟେମ୍ବର ମାସର ଶେଷ ବେଳକୁ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦାର ପଟେଲଙ୍କ ନିକଟକୁ ପ୍ରଧାନମନ୍ତ୍ରୀ ନେହେରୁ ଏକ ରିପୋର୍ଟ ପଠାଇଲେ। ସେଥିରେ ସେ ଲେଖିଥିଲେ ଯେ କାଶ୍ମୀର ମଧ୍ୟକୁ ବିପୁଳ ସଂଖ୍ୟକ ସୈନ୍ୟ ପଠାଇବାକୁ ପାକିସ୍ତାନ ଯୋଜନା କରୁଛି। ୧୯୪୭ ମସିହା ଅକ୍ଟୋବର ୨୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବାସଭବନରେ ଏକ ବୈଠକ ବସିଥିଲା ଏଥିରେ ପଟେଲ ଏବଂ କାଶ୍ମୀର ମହାରାଜାଙ୍କ ପ୍ରଧାନମନ୍ତ୍ରୀ ମେହେର ଚାନ୍ଦ ମହାଜନ ଯେ୍‍ାଗଦେଇଥିଲେ। ଶ୍ରୀନଗରକୁ ଭାରତ ତୁରନ୍ତ ତାହାର ସେନା ପଠାଇବାକୁ ଦାବି କରି ମହାଜନ କହିଥିଲେ ଯଦି ଭାରତ ଏହା ନକରେ ତେବେ ଜିନ୍ନାଙ୍କ ପ୍ରସ୍ତାବକୁ କାଶ୍ମୀର ଗ୍ରହଣ କରିବ। ଏହା ଶୁଣିବା ମାତ୍ରେ ନେହେରୁ ଉତ୍‍କ୍ଷିପ୍ତ ହୋଇ କହିଲେ ତୁରନ୍ତ ଚାଲିଯାଅ। ଏହି ସମୟରେ ପଟେଲ କହିଲେ, ‘ମହାଜନ,ତୁମେ ପାକିସ୍ତାନକୁ କିନ୍ତୁ ଯାଇପାରିବ ନାହିଁ।’ ରାଜମୋହନ ଗାନ୍ଧୀ ତାଙ୍କର ପୁସ୍ତକରେ ଲେଖିଛନ୍ତି କାଶ୍ମୀର ପ୍ରସଂଗରେ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ବହୁ ପ୍ରସ୍ତାବ ଉପରେ ପଟେଲ ଖୁସି ନଥିଲେ। କାଶ୍ମୀରରେ ଗଣଭୋଟ ହେବା ପ୍ରସ୍ତାବ,ଜାତିସଂଘକୁ କାଶ୍ମୀର ପ୍ରସଂଗ ଯିବା,ଯୁଦ୍ଧ ବିରତି ପରେ କାଶ୍ମୀରର ଏକ ବଡ଼ ଭାଗ ପାକିସ୍ତାନ ସହିତ ରହିବା ଆଦି ଘଟଣା ତାଙ୍କୁ ବ୍ୟଥା ଦେଉଥିଲା। ତେବେ କାଶ୍ମୀର ସମସ୍ୟାର ସମାଧାନ ଘେନି ନିର୍ଦିଷ୍ଟ ଭାବେ ସେ ନିଜର କିଛି ପ୍ରସ୍ତାବ ଦେଇନଥିଲେ।
କାଶ୍ମୀର ପ୍ରସଂଗ ଉପରେ ନେହେରୁଙ୍କ ଦୃଷ୍ଟିଭଙ୍ଗୀ ଉପରେ ମନ୍ତବ୍ୟ ଦେଇ ପଟେଲ ଲେଖିଥିଲେ, ରାଜନୈତିକ ଆନ୍ଦୋଳନକୁ ସାଂପ୍ରଦାୟିକ ପ୍ରସଂଗ ସହିତ ଯୋଡାଯିବା ଉଚିତ ନୁହେଁ। ଏକ ସମ୍ମାନ ଜନକ ସମାଧାନ ସୁତ୍ର ବାହାର କରିବା ନିମନ୍ତେ ଶାନ୍ତିଦୂତ ଭାବେ ଜବାହରଲାଲ କାଶ୍ମୀର ଯାଇଛନ୍ତି। ସେ ଜଣେ ହିନ୍ଦୁ ଏବଂ ପୁଣି କାଶ୍ମୀରୀ ବ୍ରାହ୍ମଣ। ତାଙ୍କ ଦେଶଭକ୍ତିର ତୂଳନା ନାହିଁ। ଆଧୁନିକ ଭାରତର ସେ ଜଣେ ତୁଙ୍ଗ ନେତା। ସବୁ ମଣିଷଙ୍କ ପରି ତାଙ୍କର ମଧ୍ୟ ଭୁଲ ହୋଇଯାଇପାରେ, କିନ୍ତୁ ସେ ଯାହା କାର୍ଯ୍ୟ କରନ୍ତି ତାହା ପଛରେ ଦେଶପ୍ରେମ ନିହିତ ରହିଛି। ତେଣୁ ସେ କ’ଣ କରୁଛନ୍ତି ସେଥିପାଇଁ ତୁମେ ବିବ୍ରତ ହେବନାହିଁ। ଆମେ ଆଶା କରିବା ଯେ କାଶ୍ମୀର ସମସ୍ୟାର ସମାଧାନ ଭଲରେ ଭଲରେ ତୁରନ୍ତ ହୋଇଯାଉ। ଏଥିଘେନି କୌଣସି ତିକ୍ତତା ନରହୁ। କାଶ୍ମୀର ପ୍ରସଂଗରେ ​କୌଳାସନାଥ କାଟଜୁ ଏକ ପତ୍ର ପଟେଲଙ୍କ ନିକଟକୁ ଲେଖିଥିଲେ। ତାହା ଉପରେ ମନ୍ତବ୍ୟ ଦେଇ ନେହେରୁଙ୍କ ନିକଟକୁ ପଠାଇଥିବା ଏକ ପତ୍ରରେ ପଟେଲ ଲେଖିଥିଲେ କାଶ୍ମୀର ପ୍ରସଂଗ ଉପରେ ତୁମେ ଯାହା ସବୁ କରିଛ ତାହା ଯଥାର୍ଥ।ଏହାପରେ ମୋ ପାଇଁ ଆଉ କିଛି କରିବାର ନାହିଁ। ଏହା ସତ୍ତ୍ବେବି କିଛି ଲୋକ ଭାବୁଛନ୍ତି ଏହି ପ୍ରସଂଗ ଉପରେ ତୁମର ଏବଂ ମୋ ଭିତରେ ମତଭଦ ଅଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କାରଣ କାଶ୍ମୀର ପ୍ରସଂଗ ଉପରେ ଆମ ଦୁଇଜଣଙ୍କର ମତ ପ୍ରାୟତଃ ସମାନ। ପୁନଶ୍ଚ କାଶ୍ମୀର ଉପରେ ପଟେଲ ଲେଖିଥିଲେ ଭାରତ ନିମନ୍ତେ କାଶ୍ମୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଶ୍ମୀରରେ ଯାହା ଘଟିବ ତାହାର ପ୍ରଭାବ ସମଗ୍ର ଭାରତ ଉପରେ ପଡିବ। କାଶ୍ମୀର ଏକ ବିଦେଶୀ ରାଷ୍ଟ୍ରର ଉପନିବେଶ ଭାବେ ରହିବାକୁ ମୁଁ କଦାପି ପସନ୍ଦ କରିବି ନାହିଁ।
ଅନ୍ୟ ଏକ ପତ୍ରରେ ପଟେଲ ଲେଖିଥିଲେ,ସଂପ୍ରତି ଜାମ୍ମୁରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମୀ ଏବଂ ପଶ୍ଚିମ ପଞ୍ଜାବରୁ ଶରଣାର୍ଥୀ ଭାବେ ଆସିଥିବା ହିନ୍ଦୁ ଓ ଶିଖ୍‌ମାନେ ବାସ କରୁଛନ୍ତି। କଂଗ୍ରେସ ସରକାର,ଶେଖ ଅବଦୁଲ୍ଲା ଏବଂ ଜାମ୍ମୁର ମୁସଲମାନମାନଙ୍କ ବିରୋଧରେ ପ୍ରଚାର ନିମନ୍ତେ ଏମାନଙ୍କୁ ବ୍ୟବହାର କରାଯାଉଚି। ଅନ୍ୟ ପଟେ ପଶ୍ଚିମ ପଞ୍ଜାବରେ ପ୍ରଚାର ହେଉଛି ଯେ ଭାରତ ସରକାର କାଶ୍ମୀରରେ ଶିଖ୍‍ ବାହିନୀ ପୂରାଇ ମୁସଲମାନଙ୍କ ସଂହାର କରୁଛି। କାଶ୍ମୀର ବ୍ୟାପାରରେ ପାକିସ୍ତାନର ବାରମ୍ବାର ହସ୍ତକ୍ଷେପ ଉପରେ କ୍ଷୁବ୍ଧ ହୋଇ ପଟେଲ କଲିକତାରେ ଆୟୋଜିତ ଏକ ସଭାରେ ଉଦ୍‍ବୋଧନ ଦେଇ କହିଥିଲେ କାଶ୍ମୀରରେ ପାକିସ୍ତାନ ଛଦ୍ମ ଯୁଦ୍ଧ କରୁଛି। ଭାରତ ତାହା ବିରୋଧରେ ପ୍ରକାଶ୍ୟ ଯୁଦ୍ଧ କରିବ। କିପରି ଯୁଦ୍ଧକୁ ଏଡାଇ ଦିଆଯାଇ ପାରିବ ସେଥି ନିମନ୍ତେ ଆମେ ଜାତିସଂଘକୁ ଯାଇଥିଲୁ। ଯଦି ଅସୀରେ କାଶ୍ମୀରକୁ ରକ୍ଷା କରାଯାଇପାରିବ,ତେବେ ଗଣଭୋଟର ଆଉ ଅବଶ୍ୟକତା ନାହିଁ। କାଶ୍ମୀରର ଏକ ଇଞ୍ଚ ମାଟି ଛାଡିବାର ପ୍ରଶ୍ନ ଉଠୁନାହିଁ। ରାଜେନ୍ଦ୍ର ପ୍ରସାଦଙ୍କ ନିକଟକୁ ଲେଖିଥିବା ପତ୍ରରେ ପଟେଲ ଉଲ୍ଲେଖ କରିଥିଲେ ଜବାହରଲାଲ ଯଦି ସେନାକୁ ପୁଞ୍ଚକୁ ନପଠାଇ ଡୋମେଲକୁ ପଠାଇ ଥାଆନ୍ତେ ତେବେ କାଶ୍ମୀର ସମସ୍ୟାର ସମାଧାନ ହୋଇଯାଇଥାଆନ୍ତା। ଅଚ୍ୟୁତ ପଟ୍ଟବର୍ଦ୍ଧନଙ୍କ ନିକଟକୁ ଏକ ପତ୍ରରେ ପଟେଲ ଲେଖିଥିଲେ ଶିଖ୍‍ ଶରଣାର୍ଥୀମାନଙ୍କୁ ଯଦି କାଶ୍ମୀର ଉପତ୍ୟକାରେ ବାସ କରିବାକୁ ପଠାଇ ପାରନ୍ତି ତେବେ ଛଅ ମାସ ମଧ୍ୟରେ ମୁଁ କାଶ୍ମୀର ସମସ୍ୟାର ସମାଧାନ କରିଦେଇ ପାରନ୍ତି। ପଟେଲ ଜାଣିଥିଲେ ଏହା ସଂଭବ ନୁହେଁ। କାଶ୍ମୀର ପ୍ରସଂଗ ଉପରେ ପଟେଲ ଯାହା କିଛି କହୁଥିଲେ ତାହା ତାଙ୍କର ପ୍ରତିକ୍ରିୟା ଥିଲା, ସମାଧାନର ସୂତ୍ର ନଥିଲା।୧୯୫୦ ମସିହା ଅଗଷ୍ଟ ମାସରେ ଜୟପ୍ରକାଶ ନାରାୟଣଙ୍କୁ ପଟେଲ କହିଥିଲେ କାଶ୍ମୀର ସମସ୍ୟାର ସମାଧାନ ହୋଇପାରିବ ନାହିଁ। ପଟେଲଙ୍କ ମୃତ୍ୟୁପରେ ଏକ ସଭାରେ ଭାଷଣ ଦେବା ବେଳେ ଜୟପ୍ରକାଶ କହିଥିଲେ ପଟେଲଙ୍କର ଯେଉଁମାନେ ଅତି ଘନିଷ୍ଠ ଥିଲେ ସେମାନଙ୍କୁ ସେ କୌଣସି ସମୟରେ କିପରି କାଶ୍ମୀର ସମସ୍ୟାର ସମାଧାନ କରିହେବ ସେସଂପର୍କରେ ନିଜର କିଛି ନିଜସ୍ୱ ମତ ଦେଇନଥିଲେ। ପଟେଲ ଖୁବ ବାସ୍ତବବାଦୀ ଥିଲେ। ସେ ଜାଣିଥିଲେ ପାକିସ୍ତାନ ସୀମାରେ ଥିବା ମୁସଲମାନ ଅଧ୍ୟୁଷିତ କାଶ୍ମୀରକୁ ନିୟନ୍ତ୍ରଣ କରିବା ସହଜ ନୁହେଁ। ଜୁନାଗଡ ପଟେଲଙ୍କର ପ୍ରିୟ ଥିବା ବେଳେ କାଶ୍ମୀର ଥିଲା ନେହେରୁଙ୍କର ଜନ୍ମମାଟି। ତେବେ ଉଭୟ ପଟେଲ ଏବଂ ନେହେରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଉପରେ ସମାନ ମତ ପୋଷଣ କରୁଥିଲେ। ଏପରିକି କାଶ୍ମୀର ପ୍ରସଂଗ ଉପରେ ମଧ୍ୟ ସେମାନଙ୍କ ମତ ସମାନ ଥିଲା। ପଟେଲ,ରାଜେନ୍ଦ୍ର ପ୍ରସାଦ ଏବଂ ମୌଲାନା ଆବୁଲ କଲାମ ଆଜାଦ ବଞ୍ଚିଥିବା ପର୍ଯ୍ୟନ୍ତ ନେହେରୁ ଏକାକୀ କୌଣସି ନିଷ୍ପତ୍ତି ନେଉନଥିଲେ।
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭଲଭାବେ ଜାଣିଥିଲେଯେ ଭାରତ ଏବଂ ପାକିସ୍ଥାନ ଗଠିତ ହୋଇଯିବା ମାତ୍ରେ ହିନ୍ଦୁ ଏବଂ ମୁସଲମାନମାନେ ଅଲଗା ହୋଇଯିବେ। ହାଇଦରାବାଦ ବଦଳରେ କାଶ୍ମୀର ଦେବାକୁ ସେ ଏଇଥିପାଇଁ ପ୍ରସ୍ତୁତ ଥିଲେଯେ ବିଭାଜନ ପରେ ଭାରତରେ ଥିବା ସବୁ ମୁସଲମାନ ପାକିସ୍ତାନ ଚାଲିଯିବେ ଏବଂ ପାକିସ୍ତାନରେ ଥିବା ସବୁ ହିନ୍ଦୁ ଭାରତ ଚାଲିଆସିବେ। ବିଭାଜନ ପୂର୍ବରୁ ଏହି ବିଚାର ଥିଲା। ତାହାକୁ ଦୃଷ୍ଟିରେ ରଖି ବିଚାର କଲେ ସର୍ଦ୍ଦାରଙ୍କ ଭାବନା ଯଥାର୍ଥ ଥିଲା। ପଟେଲ ଏବଂ ନେହେରୁଙ୍କ ଆଦର୍ଶକୁ ନେଇ ରାଜନୈତିକ ସ୍ୱାର୍ଥ ହାସଲ ନିମନ୍ତେ ଛାୟାଯୁଦ୍ଧ କରାଇବା ଦ୍ୱାରା ସେମାନଙ୍କ ପ୍ରତି ଆମେ ଅପମାନ ପ୍ରଦର୍ଶନ କରୁଛେ।

Comments
Loading...