ଓଡ଼ିଶାରେ ଶିଳ୍ପାୟନ: ସମସ୍ୟା ଓ ସମ୍ଭାବନା

0

ଭୁବନେଶ୍ୱର: ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ ୨୦୧୮ ବା ଓଡ଼ିଶାରେ ପୁଞ୍ଜି ନିବେଶ ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧ରୁ ଆରମ୍ଭ ହୋଇଛି। ଏହି ପାଞ୍ଚଦିନିଆ ମହାକୁମ୍ଭରେ ଦେଶବିଦେଶର ବହୁ ବିଶିଷ୍ଟ ଶିଳ୍ପପତି, ବିଶେଷଜ୍ଞ, ବୁଦ୍ଧିଜୀବୀ ଯୋଗ ଦେଇ ଓଡ଼ିଶାରେ ନିବେଶ ସୁଯୋଗ ଓ ସମ୍ଭାବନା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମୁକ୍ତମଞ୍ଚରେ ଆଲୋଚନା କରିଛନ୍ତି। ସ୍ଥିର ସରକାର, ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା, ସକ୍ରିୟ ଶାସନ କଳ ଯୋଗୁଁ ଓଡ଼ିଶାରେ ଶିଳ୍ପାୟନ ଓ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଦୀୟମାନ ରାଜ୍ୟ ରୂପେ ଉଭା ହୋଇଥିବା ଶିଳ୍ପପତି ମାନେ ମତ ଦେଇଛନ୍ତି। ଓଡ଼ିଶାର ନିବେଶ ଅନୁକୂଳ ବାତାବରଣ ଯୋଗୁଁ ଆଗାମୀ ଦିନରେ ଓଡ଼ିଶାରେ ବିପୁଳ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଶିଳ୍ପପତିମାନେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ସେମାନେ ବିସ୍ତୃତ ଯୋଜନା ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। କର୍ଣ୍ଣାଟକ ଓ ମହାରାଷ୍ଟ୍ର ପରେ ଓଡ଼ିଶା ତୃତୀୟ ସର୍ବବୃହତ୍‍ ଓ ସର୍ବାଦୃତ ନିବେଶ ଅନୁକୂଳ ରାଜ୍ୟ ରୂୂପେ ଉଭା ହୋଇଥିବା ବେଳେ ଶିଳ୍ପାୟନରେ ଓଡ଼ିଶା ଦକ୍ଷିଣ ଏସିଆର ଦ୍ୱାର ଭାବେ ବିଶ୍ୱଦରବାରରେ ପରିଚୟ ସୃଷ୍ଟି କରିବ ବୋଲି ଏହି ମହାକୁମ୍ଭରେ ଓଡ଼ିଶାବାସୀଙ୍କୁ ଶିଳ୍ପପତିମାନେ ସ୍ୱପ୍ନ ଦେଖାଇଛନ୍ତି। କିନ୍ତୁ ଅତୀତର ସ୍ଥିତି ଓ ସମ୍ଭାବନାକୁ ତର୍ଜମା କଲେ ଏହି ସ୍ୱପ୍ନ କେତେ ବାସ୍ତବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ଓ ସାମଗ୍ରିକ ଭାବେ ବିକାଶରେ ଶିଳ୍ପାୟନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରି ହେବ ନାହିଁ। ଏହି ଦୃଷ୍ଟିରୁ ଓଡ଼ିଶା ସରକାର ରାଜ୍ୟ ଶିଳ୍ପ ନୀତିରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଶିଳ୍ପନୀତିକୁ ଉଭୟ ଘରୋଇ ଓ ବୈଦେଶିକ ପୁଞ୍ଜି ନିବେଶ ଅନୁକୂଳ କରିବା ପାଇଁ ସର୍ବାଦୌ ଉଦ୍ୟମ କରାଯାଇଛି। ଇଜ୍‍ ଅଫ୍‍ ଡୁଇଂ ବିଜିନେସ୍‍ ବା ଲାଇସେନ୍ସ ରାଜ୍‍ର ସମାପ୍ତି ପାଇଁ ସିଙ୍ଗଲ୍‍ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି। ଜମି ଅଧିଗ୍ରହଣ କରି ୨ ଲକ୍ଷ ଏକରର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯାଇଛି। ଷ୍ଟାର୍ଟ ଅପ୍‍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଇଲେକ୍ଟ୍ରୋନିକ୍ସ ଶିଳ୍ପ ପ୍ରତିଷ୍ଠା ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ସୁବିଧା ସହିତ ରିହାତି ଦରରେ ବିଦ୍ୟୁତ ଓ ଜଳ ଯୋଗାଣ ପାଇଁ ଘୋଷଣା କରିଛନ୍ତି। କ୍ଲଷ୍ଟର ସ୍ଥାପନା ପାଇଁ କୋହଳ ହାରରେ ଋଣ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ବ୍ୟାଙ୍କ ଓ ଅର୍ଥଲଗାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି। ଏ ସବୁ ସତ୍ତେ୍ୱ ରାଜ୍ୟରେ ଯେଭଳି ଭାବେ ଶିଳ୍ପାୟନର ଅଗ୍ରଗତି ହେବା କଥା ତାହା ହୋଇନଥିବା ଅଭିଯୋଗ ଆସିଛି।

ଅଭିଯୋଗ

 

ବିରୋଧୀ ଦଳର ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଅଭାବରୁ ଅତୀତରେ ପୋସ୍କୋ, ଆର୍ସେଲର ମିତ୍ତଲ ପରି ବହୁ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ଓଡ଼ିଶାରୁ ମୁହଁ ଫେରାଇ ନେଇଛନ୍ତି। ବେଦାନ୍ତ କମ୍ପାନୀର ଆଲୁମିନା କାରଖାନା ବନ୍ଦ ପଡ଼ିଛି। ସେହିପରି ଠିକ୍‍ ସମୟରେ କଞ୍ଚା ମାଲ ଯୋଗାଇବାରେ ରାଜ୍ୟ ଶାସନ କଳର ଅପରାଗତା ଯୋଗୁଁ ଅନେକ ଶିଳ୍ପ ଅଧାରୁ ବନ୍ଦ ପଡ଼ିଥିବା ଅଭିଯୋଗ ହେଉଛି। ବ୍ୟାପକ ଦୁର୍ନୀତି, ଅର୍ଥ ହେରଫେର ଓ ପରିଚାଳନାଗତ ଅପରାଗତା କାରଣରୁ ମଧ୍ୟ ଓଡ଼ିଶାର ଅନେକ ପ୍ରତିଷ୍ଠିତ ଓ ଲାଭକରୀ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଇଛି।
ଓଡ଼ିଶା ସରକାରଙ୍କ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍କୁ ସମାଲୋଚନା କରି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ୨୦୧୬ରେ ଅନୁଷ୍ଠିତ କନ୍‍କ୍ଲେଭ୍‍ ବିଫଳ ହୋଇଛି। ଇଜ୍‍ ଅଫ୍‍ ଡୁଇଂ ବିଜିନେସ୍‍ ତାଲିକାରେ ଭାରତର ସ୍ଥାନ ଉପରକୁ ଉଠୁଥିବା ବେଳେ ଓଡ଼ିଶାର ସ୍ଥାନ ତଳକୁ ଖସୁଛି। ରାଜ୍ୟ ସରକାରଙ୍କ ଭୁଲ୍‍ ନୀତି ଯୋଗୁଁ ପ୍ରାୟ ୧୫ ହଜାର ଏସ୍‍ଏମ୍‍ଏସଇ ବନ୍ଦ ହୋଇଥିବା ବେଳେ ୧ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ନିଯୁକ୍ତି ହରାଇଛନ୍ତି। ୪୫୬ କୋଟି ଟଙ୍କାର ପୁଞ୍ଜି ନିବେଶ ବିଫଳ ହୋଇଛି।
ସେହିପରି କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବିଗତ ୧୮ ବର୍ଷ ଭିତରେ ରାଜ୍ୟ ସରକାର ଅନେକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। କିନ୍ତୁ ସେଥିରୁ କେତୋଟି ହାତଗଣତି ଚୁକ୍ତିନାମା ସଫଳ ହୋଇପାରିଛି। ପୋସ୍କୋ ପରି ଅନେକ ବୃହତ୍‍ ଶିଳ୍ପ ଓଡ଼ିଶା ଛାଡ଼ି ଦେଇ ଯାଇଛନ୍ତି।

ଶିଳ୍ପାୟନରେ ସମସ୍ୟା

ରାଜ୍ୟ ଶିଳ୍ପାୟନର ଅତୀତକୁ ତର୍ଜମା କଲେ ଓଡ଼ିଶାରେ ଶିଳ୍ପାୟନର ବିଫଳତା ପାଇଁ ଜମି ଅଧିଗ୍ରହଣ ସମସ୍ୟା ଓ ପରିବେଶ ମଞ୍ଜୁରୀକୁ ପ୍ରମୁଖ କାରକ ବୋଲି କୁହାଯାଇପାରେ। ପ୍ରାୟ ୫୨ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶରେ ପ୍ରତିଷ୍ଠା ହେବାକୁ ଥିବା ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ଓଡ଼ିଶାରୁ ମୁହଁ ଫେରାଇ ନେବା ପଛରେ ଜମି ସମସ୍ୟା ଯେ ପ୍ରମୁଖ କାରଣ ତାହା ଉଲ୍ଳେଖ ଅନାବଶ୍ୟକ। ଜମି ଅଧିଗ୍ରହଣ ଓ ବିସ୍ଥାପନ ପାଇଁ ସ୍ଥାନୀୟ ଅଧିବାସୀଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବା ପରେ ରାଜ୍ୟ ସରକାର ପୋସ୍କୋ ସହିତ ଚୁକ୍ତି ନବୀକରଣ କରିବା ପାଇଁ ଇଚ୍ଛା ପ୍ରକାଶ କରି ନଥିଲେ। ତେଣୁ ବାଧ୍ୟ ହୋଇ ପୋସ୍କୋ ଓଡ଼ିଶାର ପ୍ରକଳ୍ପ ବନ୍ଦ କରି ଚାଲିଯାଇଥିଲା। ସେହିପରି ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପ୍ରାୟ ୪୦ ହଜାର କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ାରେ ପ୍ରସ୍ତାବିତ ପ୍ରକଳ୍ପରୁ ଆର୍ସେଲର ମିତ୍ତଲ୍‍ ଓହରି ଯାଇଥିଲା। ଲୋୟର ସୁକତେଲ୍‍ ପ୍ରକଳ୍ପର ବିଳମ୍ବ ପଛରେ ମଧ୍ୟ ଏହି କାରଣ ରହିଛି। ସେହିପରି ଏନ୍‍ଜିଟି କଟକଣା ଓ ଗ୍ରାମସଭାର ମଞ୍ଜୁରୀ ନ ମିଳିବାରୁ ବେଦାନ୍ତର ଆଲୁମିନା ପ୍ରକଳ୍ପ ଅଧାରୁ ବନ୍ଦ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଧିକାର ହେଉ କିମ୍ବା ରାଜନୈତିକ ପ୍ରସଙ୍ଗ, ଜମି ଅଧିଗ୍ରହଣ ସମସ୍ୟା ହିଁ ଶିଳ୍ପାୟନର ପ୍ରମୁଖ ବାଧକ ରୂପେ ଦେଖାଦେଇଛି। କେବଳ ଓଡ଼ିଶାର ନୁହେଁ, ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ସମସ୍ୟା ଯୋଗୁଁ ବହୁ ବୃହତ୍‍ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି। ଜମି ଅଧିଗ୍ରହଣ ବିରୋଧରେ ବିକ୍ଷୋଭକାରୀଙ୍କୁ ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନ ଯୋଗୁଁ ସିଙ୍ଗୁରରୁ ଟାଟା ନାନୋ କାର ପ୍ରକଳ୍ପ ଗୁଜରାଟକୁ ଚାଲିଯାଇଥିଲା। ମହାରାଷ୍ଟ୍ର ଓ ଗୁଜରାଟରେ କୃଷକ ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ମୋଦୀ ସରକାରଙ୍କ ବହୁ ପ୍ରତୀକ୍ଷିତ ବୁଲେଟ୍‍ ଟ୍ରେନ୍‍ ପ୍ରକଳ୍ପର ଭାଗ୍ୟ ମଧ୍ୟ ଏବେ ଅନ୍ଧାରରେ।
ଏନ୍‍ଜିଟିର ଅଙ୍କୁଶ ପରେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀକୁ ଅପେକ୍ଷା କରି ଅନେକ ପ୍ରକଳ୍ପ ଆରମ୍ଭ ହୋଇପାରିନି। ସର୍ବୋପରି ୨୦୧୪ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦେଶର ଅନେକ ଖଣି ବନ୍ଦ ହୋଇଯାଇଥିଲା। ଏହାର ପ୍ରଭାବରେ ଓଡ଼ିଶାରେ ଅନେକ ବୃହତ୍‍ ପ୍ରକଳ୍ପ ବନ୍ଦ ହୋଇଯାଇଛି।

ରିସ୍କ ନେବେନି ସରକାର

ଏହି ପରିପ୍ରେକ୍ଷୀରେ ବିଚାର କଲେ ରାଜ୍ୟର ଶିଳ୍ପାୟନ ରଥ ଯେ ତ୍ୱରାନ୍ୱିତ ହେବା ସେ ଆଶା ଦିଶୁନାହିଁ। କାରଣ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ୬ ମାସରୁ କମ୍‍ ସମୟ ରହିଛି। ଏଭଳି ପରିସ୍ଥିତିରେ ସରକାର ଜମି ଅଧିଗ୍ରହଣ ଓ ବିସ୍ଥାପନ ପାଇଁ ଜନଆକ୍ରୋଶର ଶିକାର ହେବାକୁ ନ ଚାହିଁବା ସ୍ୱାଭାବିକ।

ସମ୍ଭାବନା

କେବଳ ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ରାଜ୍ୟରେ ଏପରି ଆହୁରି ଅନେକ କ୍ଷେତ୍ର ରହିଛି ଯେଉଁଥିରେ ପର୍ଯ୍ୟାପ୍ତ ରାଜସ୍ୱ ଓ ନିଯକ୍ତି ସୁଯୋଗ ରହିଛି। କିନ୍ତୁ ଆନ୍ତରିକତାର ଅଭାବ ହେଉ କିମ୍ବା ସଠିକ୍‍ ମୂଲ୍ୟାୟନ ଓ ଦୃଷ୍ଟି ଆକର୍ଷଣ କରିବାରେ ବିଳମ୍ବ ହେଉ ସେହି ସବୁ ଶିଳ୍ପ କ୍ଷେତ୍ର ନିବେଶକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ମନେ ହୁଏ। ଉଦାହରଣ ସ୍ୱରୂପ ସୁଦୀର୍ଘ ଉପୂକଳ, ସମୃଦ୍ଧ ସଂସ୍କୃତି ସମ୍ପନ୍ନ ଐତିହାସିକ ଓ ପର୍ଯ୍ୟଟନ ସ୍ଥଳୀ, ଜୈବ ବିବିଧତା ଭରା ଅଭୟାରଣ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରକୁୁ ଉପଯୁକ୍ତ ଗୁରୁ୍‍ତ୍ୱ ଏ ପର୍ଯ୍ୟନ୍ତ ଦିଆଯାଇପାରିନଥିବା ଅଭିଯୋଗ ହେଉଛି। ଖାଦ୍ୟ ପ୍ରକ୍ରିୟାକରଣ ଓ ରକ୍ଷଣାବେକ୍ଷଣ ଅଭାବରୁ ଓଡ଼ିଶା ସରକାର ବିପୁଳ ରାଜସ୍ୱ ହରାଉଥିବା ବେଳେ ପଡ଼ୋଶୀ ରାଜ୍ୟ ଏଥିରୁ ଲାଭବାନ ହେଉଛନ୍ତି। ତେଣୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଗୁରୁତ୍ୱ ଦେଲେ ଉଭୟ ଆତ୍ମନିଯୁକ୍ତି ଓ ରାଜସ୍ୱ ବୃଦ୍ଧି ପାଇପାରନ୍ତା ବୋଲି ମତ ପ୍ରକାଶ ପାଉଛି। ଉଲ୍ଲେଖନୀୟ ହେଲା ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍୨୦୧୮ରେ ଶିଳ୍ପପତିଙ୍କ ବିିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକଳ୍ପ ଶିଳ୍ପ ଓ ନିବେଶ ଉପରେ ନିବେଶକ ଓ ଶିଳ୍ପପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ରାଜ୍ୟର ଶିଳ୍ପାୟନ ପାଇଁ ଶୁଭ ସଂକେତ ରୂପେ ବିଚାର କରାଯାଇପାରେ। ନକ୍ସଲ୍‍ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ଗ୍ରାମୀଣ, କୁଟୀର ଶିଳ୍ପ ଓ ହସ୍ତ ଶିଳ୍ପରେ ବିପୁଳ ନିଯୁକ୍ତି ଓ ନିବେଶ ସୁଯୋଗ ରହିଛି। ସେହି ସବୁ କ୍ଷେତ୍ରର ବିକାଶ ହୋଇପାରିଲେ ନକ୍ସଲ୍‍ ହିଂସା ସମସ୍ୟା ଆପେ ଆପେ ଦୂର ହୋଇପାରନ୍ତା। କାରଣ ଜନସାଧାରଣ ଏବେ ହିଂସା ଜରିଆରେ ହକ୍‍ ମାଗିବା ବଦଳରେ ସରକାରଙ୍କ ବିକାଶ ଧାରାରେ ସାମିଲ୍‍ ହୋଇ ଶାନ୍ତି ଓ ଆତ୍ମରୋଜଗାରର ମାର୍ଗ ଖୋଜିବାରେ ମନୋନିବେଶ କରୁଥିବା ଦେଖାଯାଉଛି। ନକ୍ସଲ୍‍ ଅଧ୍ୟୁଷିତ ଛତିଶଗଡ଼ର ବସ୍ତର ଜିଲାରେ ଚଳିତ ବିଧାନସଭା ନିର୍ବାଚନରେ ୭୦% ଭୋଟଦାନକୁ ଉପରୋକ୍ତ ମାନସିକତାର ଉଦାହରଣ ରୂପେ ନିଆଯାଇପାରେ। ଲାଭକରୀ ଓ ଉଦ୍ୟାନ କୃଷି କ୍ଷେତ୍ରରେ ମଧ୍ୟ ବିପୁଳ ନିବେଶ ଓ ନିଯୁକ୍ତି ଓ ରୋଜଗାରର ସୁଯୋଗ ରହିଛି। ଉଭୟ ସରକାର ଓ ନିବେଶକମାନେ ଏହାର ସଦୁପଯୋଗ କରିବା ଆବଶ୍ୟକ।

ଉପସ୍ଥାପନା: ଗୌରୀ ପ୍ରସାଦ ମହାପାତ୍ର

Comments
Loading...