ଓଡ଼ିଶା ପ୍ରଦେଶ କଂଗ୍ରେସ ଓ ପାଳଭୂତ

ହେମନ୍ତ କୁମାର ପଣ୍ଡା

ଗଣତନ୍ତ୍ରରେ ବିରୋଧୀଦଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିରୋଧୀଦଳ ସରକାରଙ୍କୁ ଠିକଣା ବାଟରେ ଶାସନ କାର୍ଯ୍ୟ ପରିଚାଳନା କରିବା ପାଇଁ କେବଳ ଚାପ ସୃଷ୍ଟି କରିଥାଏ, ଏହା ନୁହେଁ; ବରଂ ସରକାରଙ୍କୁ ମାର୍ଗଦର୍ଶନ ତଥା ଜନସାଧାରଣଙ୍କ ପାଖରେ ସରକାରଙ୍କୁ ଉତ୍ତରଦାୟୀ କରିଥାଏ। ସରକାରଙ୍କ ଦୋଷତ୍ରୁଟିକୁ ଲୋକଲୋଚନକୁ ଆଣି ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବେ ବିରୋଧୀଦଳ ନିଜକୁ ଉପସ୍ଥାପିତ କରେ। ଜନସାଧାରଣଙ୍କ ପାଖରେ ଏକ ରାଜନୈତିକ ବିକଳ୍ପର ଶକ୍ତିକେନ୍ଦ୍ର ଭାବେ ନିଜକୁ ପ୍ରତିପାଦିତ କରି ବିରୋଧୀଦଳ ଶାସନକୁ ଫେରିବା ପାଇଁ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ମଧ୍ୟରେ ରହିଥିବା ରାସ୍ତାକୁ ପ୍ରଶସ୍ତ ଏବଂ ଉନ୍ମୁକ୍ତ ରଖିଥାଏ ଯାହା ଫଳରେ ସରକାରର ନେତୃତ୍ୱ ନେଉଥିବା ଦଳକୁ ଠିକଣା ସମୟରେ କ୍ଷମତାରୁ ବାହାର କରିଦେଇ ଶାସନର ଡୋରିକୁ ବିରୋଧୀଦଳ ହାତରେ ଅର୍ପଣ କରିବା ପାଇଁ ଜନସାଧାରଣଙ୍କୁ ସହଜ ହୋଇଥାଏ।
ଓଡିଶାରେ ଗତ ବିଧାନସଭା ନିର୍ବାଚନରେ ଏହାର ବିପରୀତ ରାଜନୈତିକ ସ୍ଥିତି ଦେଖାଦେଇଛି। ଜନସାଧାରଣ ସାଧାରଣତଃ ସରକାର ବିରୋଧରେ କିମ୍ବା ସପକ୍ଷରେ ଭୋଟ ଦେଇଥାନ୍ତି। ସରକାର ଗଠନ କରିଥିବା ରାଜନୈତିକ ଦଳକୁ ସମର୍ଥନ ଦେଇଥାନ୍ତି କିମ୍ବା ବିରୋଧରେ ଭୋଟ ଦେଇ ବିରୋଧୀ ପକ୍ଷକୁ ସମର୍ଥନ କରି କ୍ଷମତାସୀନ ଦଳକୁ ପରାଜିତ କରିଥାନ୍ତି, କିନ୍ତୁ ଓଡିଶା ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ଜନସାଧାରଣ ଏଥର ବିରୋଧୀଦଳକୁ ପରିବର୍ତ୍ତନ କରିଛନ୍ତି। ବିଧାନସଭାର ମାନ୍ୟତା ପ୍ରାପ୍ତ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ପଛକୁ ଠେଲି ଦେଇ ଅତୀତରେ ଦୀର୍ଘ ୯ ବର୍ଷ ଧରି କ୍ଷମତାସୀନ ବିଜୁ ଜନତା ଦଳ ସହିତ ରାଜ୍ୟରେ ମେଣ୍ଟ ସରକାର ଗଠନ କରିଥିବା ପାର୍ଟିକୁ ତଥା ଜାତୀୟ ସ୍ତରରେ କଂଗ୍ରେସ ବିଚାରଧାରାର ମୁଖ୍ୟ ବିରୋଧୀ ଭାବେ ଜଣାଶୁଣା ଭାରତୀୟ ଜନତା ପାର୍ଟିକୁ ବିରୋଧୀଦଳ ଆସନରେ ବସିବା ପାଇଁ ଜନସାଧାରଣ ମତଦାନ କରିଛନ୍ତି। ଦୁଇ ଦଶନ୍ଧି ଧରି ରାଜ୍ୟରେ ବିରୋଧୀ କଂଗ୍ରେସ ଦଳର ଆସନ ସଂଖ୍ୟା ଧାରାବାହିକ ଭାବରେ କମିକମି ଆସୁଥିଲେ ମଧ୍ୟ ଦଳର ମଙ୍ଗ ସମ୍ଭାଳିଥିବା ନେତାମାନଙ୍କ ଚେତା ପଶିନଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ବିରୋଧୀଦଳକୁ କୌଣସି ପ୍ରସଙ୍ଗ ମିଳିନଥିଲା ଏହାନୁହେ,ଁ ପ୍ରସଙ୍ଗ ଅନେକ ଥିଲା, କିନ୍ତୁ ବିରୋଧୀ କୌଣସି ସମୟରେ ସରକାରୀ ଦଳକୁ ଅସୁବିଧାରେ ପକାଇ ପାରିନଥିଲେ। ପଞ୍ଚଦଶ ବିଧାନସଭାରେ ସରକାରଙ୍କ ବିରୋଧରେ ବିରୋଧୀ ଦଳ ଆଦୌ ଅନାସ୍ଥା ପ୍ରସ୍ତାବ ଆଗତ କରିନଥିବା ସୂଚନା ଅଧିକାର ଆଇନରୁ ଜଣାପଡିଛି । ଅନାସ୍ଥା ପ୍ରସ୍ତାବ ଆଗତ ହେଲେ ଯେ ସରକାର ଭାଙ୍ଗିଯିବ କି ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ବିରୋଧୀ ଦଳ ବାଧ୍ୟ, ଏହା ନୁହେଁ, କିନ୍ତୁ ସରକାରଙ୍କ କାର୍ଯ୍ୟକ୍ରମ, ପଦକ୍ଷେପ, କାର୍ଯ୍ୟାନୁଷ୍ଠାନ ଏବଂ ଆଭିମୁଖ୍ୟ ସମ୍ପର୍କରେ ଗୃହରେ ପୁଙ୍ଖାନୁପୁଙ୍ଖ ଆଲୋଚନା, ପର୍ଯ୍ୟାଲୋଚନା ହୋଇଥାନ୍ତା ଏବଂ ସରକାର ଉତ୍ତର ରଖିଥାନ୍ତେ ଯାହାକୁ ଗଣମାଧ୍ୟମ ଜରିଆରେ ରାଜ୍ୟର ଜନସାଧାରଣ ଜାଣିପାରିଥାନ୍ତେ। ଏହାର ସୁଦୂର- ପ୍ରସାରୀ ପ୍ରଭାବ ଅନୁଭୂତ ହୋଇଥାନ୍ତା, କିନ୍ତୁ ହେଲା ନାହିଁ। ରାଜ୍ୟ ସ୍ୱାର୍ଥସମ୍ବଳିତ ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଥିଲେ ମଧ୍ୟ ସେସବୁକୁ ରାଜନୈତିକ ଧାରା ମଧ୍ୟକୁ ଆଣି ଲୋକଙ୍କ ନିକଟକୁ ନେବାରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ବିଫଳ ହେଲା। ବିରୋଧୀ ପକ୍ଷର ଯୁକ୍ତି ଥିଲା ସରକାର ନିଦାବିଷ୍ଣୁ ସାଜିଛନ୍ତି। ରାଜ୍ୟର ବିରୋଧୀଦଳ ଜନସମସ୍ୟା ପ୍ରତି ଉଦାସୀନ ରହି ନିଜେ ପ୍ରସ୍ତରବିଷ୍ଣୁ ଥିଲା ବୋଲି ସଦ୍ୟତମ ଜନମତରୁ ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି।
୧୯୮୦ ରୁ ୯୦ ମସିହା ମଧ୍ୟରେ କଂଗ୍ରେସ ଦଳ ରାଜ୍ୟରେ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ୧୯୭୭ ମସିହାରେ ସମଗ୍ର ଦେଶରେ କଂଗ୍ରେସ ବିରୋଧୀ ହାୱାର ପ୍ରଭାବରେ ଓଡିଶାରେ କଂଗ୍ରେସ ଦଳ ୨୬ଟି ବିଧାନସଭା ଆସନ ପାଇବାକୁ ସକ୍ଷମ ହୋଇଥିଲା ଓ ତତ୍କାଳୀନ ଜନତା ଦଳ ୧୧୦ଟି ଆସନରେ ବିଜୟ ଲାଭ କରିଥିଲା। ୧୯୮୦ ମସିହା ନିର୍ବାଚନରେ କଂଗ୍ରେସ ସପକ୍ଷ ହାୱାରେ ରାଜ୍ୟରେ କଂଗ୍ରେସକୁ ୧୧୭ଟି ଆସନ ମିଳିଥିଲା। ଜାତୀୟ ରାଜନୀତିର ପ୍ରଭାବ ଓଡିଶା ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଥିଲା। ୧୯୫୦ ମସିହା ପରେ ତଥା ଗଣତାନ୍ତ୍ରିକ ଶସାନ ବ୍ୟବସ୍ଥା ପ୍ରତିଷ୍ଠିତ ହେବାଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡିଶାରେ ଆଞ୍ଚଳିକ ଦଳଗୁଡିକ ବିଶେଷ ଭାବେ ସଫଳତା ପାଇପାରିନଥିଲେ। ଏହି କାରଣରୁ ରାଜ୍ୟର ରାଜନୀତି ଜାତୀୟ ଦୃଶ୍ୟପଟରେ ଏକ ଗୌଣ ରାଜନୀତି ଥିଲା। ରାଜନୀତିର କୌଣସି ନୂତନ ଧାରା ଓଡିଶାରୁ ବାହାରି ନଥିଲା ଯାହା ଫଳରେ ଜାତୀୟ ରାଜନୀତିକୁ ରାଜ୍ୟ ରାଜନୀତି ଏତେଟା ପ୍ରଭାବିତ କରିପାରୁନଥିଲା। ୨୦୦୦ ମସିହା ପରେ ରାଜ୍ୟ ରାଜନୀତିରେ ଧ୍ରୁବୀକରଣ ହେବା ପରେ କଂଗ୍ରେସ ଦଳ ଧାରାବାହିକ ଭାବରେ ଦୁର୍ବଳରୁ ଦୁର୍ବଳତର ହେବାରେ ଲାଗିଛି। ବର୍ତ୍ତମାନ ସମଗ୍ର ଦେଶରେ ଜାତୀୟ ଦଳ ସପକ୍ଷରେ ଜନମତ ପ୍ରବଳ ହେଲେ ମଧ୍ୟ ରାଜ୍ୟ ବିଧାନସଭା ନିର୍ବାଚନରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୂତ ହେଉନାହିଁ। ଜାତୀୟ ରାଜନୀତିର ନୂତନ ଧାରା ବର୍ତ୍ତମାନ ଓଡିଶାରୁ ସୃଷ୍ଟି ହେଲାଣି। ଓଡିଶାରୁ ୩୩ ପ୍ରତିଶତ ମହିଳାଙ୍କୁ ବିଜୁ ଜନତା ଦଳ ଲୋକସଭା ସଭ୍ୟ ପଦ ପାଇଁ ପ୍ରାର୍ଥୀ କରିବା ନିଷ୍ପତ୍ତି ଏକ ସଦ୍ୟତମ ଦୃଷ୍ଟାନ୍ତ ମାତ୍ର। ଯେଉଁ ଦଳରୁ ୪୭ ବର୍ଷ ପୂର୍ବେ ତଥା ୧୯୭୨ ମସିହାରେ ରାଜ୍ୟର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥୀ ସଫଳତାର ସହ ଦାୟିତ୍ୱ ନେଇ ଉଦାହରଣ ସୃଷ୍ଟି କରିଥିଲେ ସେହି କଂଗ୍ରେସ ଦଳର ମହିଳା ସଂଗଠନ ସଭାନେତ୍ରୀ ରାଜ୍ୟ କଂଗ୍ରେସ ଭବନ ମୁଖ୍ୟଦ୍ୱାର ସାମ୍ନାରେ ଗତ ନିର୍ବାଚନରେ ଟିକଟ ବଣ୍ଟନକୁ ନେଇ ଅସନ୍ତୋଷ ବ୍ୟକ୍ତକରି କାନ୍ଦିବା ଏହି ଦଳର ରାଜ୍ୟ ନେତୃବୃନ୍ଦଙ୍କ ବିଚାରଶୂନ୍ୟତାକୁ ଇଙ୍ଗିତ କରୁନାହିଁ କି? ସରକାରୀ ଦଳ ମିଶନ ଶକ୍ତି, ମହିଳା ସଶକ୍ତୀକରଣର ସ୍ଲୋଗାନ ଦେଇ ଆଗକୁ ବଢୁଥିବା ବେଳେ ମାନ୍ୟତା ପ୍ରାପ୍ତ ମୁଖ୍ୟ ବିରୋଧୀ ଦଳର ମୁଣ୍ଡିଆଳମାନେ ବାପ-ପୁଅ ସଶକ୍ତୀକରଣ ଲକ୍ଷ୍ୟ ନେଇ ଆଗକୁ ବଢିବା ପାଇଁ ଉଦ୍ୟମ କଲେ ଯାହାକୁ ଜନସାଧାରଣ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରି ଦଣ୍ଡିବା ପାଇଁ ଉଚିତ ମନେକଲେ।
ରାଜ୍ୟକଂଗ୍ରେସର ନେତୃତ୍ୱ ନେଇଥିବା ନେତାମାନଙ୍କ ବିରୋଧୀଦଳ ପରିଚାଳନା କାର୍ଯ୍ୟଧାରା କୁ ଅନୁଧ୍ୟାନକଲେ କୋଶଲୀ-ସମ୍ବଲପୁରୀ ଭଷାରେ ଏକ ଲୋକକଥା ମନେ ପଡେ “ବାଇଗନ୍‌ ବାରିର ମୁଡ୍‌ ଥାପ୍‌ନା, ଇତାର୍‌ ବୁତେ ହେବା କାଣା” ଭୁଲ ହେବ ନାହିଁ। “ପାଳଭୁତ”ର ଦାୟିତ୍ୱରେ ଜମିକୁ ଛାଡି ଦିଆଯାଇଥାଏ, କିନ୍ତୁ ପାଳଭୁତ ବା କରିବ କ’ଣ? ଏବେ ଦଳ ପାଇଁ ମିଳିତ ଆତ୍ମସମୀକ୍ଷାର ସମୟ ଉପନୀତ।
ଟିକ୍ରପଡା, ବଲାଙ୍ଗିର

Comments
Loading...