ଓଡ଼ିଶାର ବିକାଶ ପାଇଁ ସମ୍ବଳ ସଙ୍କଟ ନାହିଁ

ଦେଶର ଅର୍ଥନୀତି ଏବେ ମାନ୍ଦାବସ୍ଥା କବଳିତ। ନିଯୁକ୍ତି କ୍ଷେତ୍ର ସଙ୍କୁଚିତ। ଅଭିବୃଦ୍ଧି ହାର ଧିମେଇ ଚାଲିଛି। ଏହା ଉପରେ ଦାଉ ସାଧିଛି କରୋନା। ଏ ସବୁର ପ୍ରଭାବ ଓଡ଼ିଶାର ଅର୍ଥନୀତି ଉପରେ ପଡ଼ିବନି ତ? ବିଧାନସଭାରେ ଉପସ୍ଥାପିତ ଓଡ଼ିଶା ଅର୍ଥନୀତି ସର୍ବେକ୍ଷଣ -୨୦୧୯-୨୦ ରିପୋର୍ଟ ଅନୁଯାୟୀ ଓଡ଼ିଶାର ଅଭିବୃଦ୍ଧି ଜାତୀୟ ହାରଠୁ ଆଗରେ ରହିଛି। ତଥାପି ମାନ୍ଦାବସ୍ଥାରେ ପ୍ରଭାବିତ ହେବାର ଆଶଙ୍କା ରହୁଛି। ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ ପାଇଁ ସରକାର କେଉଁଠୁ ସମ୍ବଳ ଆଣିବେ? ସରକାର ଅଧିକ ଋଣ ପାଇଁ ମନ ବଳାଇବେ କି? ଆସନ୍ତୁ ଜାଣିବା ଏ ପ୍ରସଙ୍ଗରେ କ’ଣ କହୁଛନ୍ତି ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

– ଏଥର ବଜେଟ୍‌ରେ ଗତାନୁଗତିକ ଢାଞ୍ଚା ବଦଳିଛି। କ’ଣ ବାର୍ତ୍ତା ଦେବାକୁ ଚାହୁଛନ୍ତି?
ଭାରତବର୍ଷରେ ସବୁ ରାଜ୍ୟ ପେପରଲେସ ଆସେମ୍ବ୍ଳି ଇ-ବିଧାନ ପ୍ରଣୟନ କରୁଛନ୍ତି। ପେପରଲେସ ବଜେଟ ଦ୍ବାରା ଏଥର ୧୦୦୦ ବଡ଼ ଗଛକୁ ବଞ୍ଚାଇ ପାରିଲୁ। ହିମାଚଳପ୍ରଦେଶ ପରେ ଓଡ଼ିଶାରେ ଇ-ବିଧାନ ହେବାକୁ ଯାଉଛି। କାଗଜ ବୋଝରୁ ମୁକ୍ତି ମିଳିବା ସହିତ ଏହା ସମସ୍ତଙ୍କ ପାଇଁ ସୁବିଧାଜନକ ହୋଇଛି।

– ବଜେଟ ଆକାର ବଢ଼ିଛି, ଏଥିପାଇଁ ସମ୍ବଳ କେଉଁଠୁ ଆଣିବେ?
ଆମର ସମ୍ବଳ ହେଲା ନିଜସ୍ୱ ଟିକସ। ଆମର ନିଜସ୍ୱ ଟିକସ ପରିମାଣ ହେଉଛି ୩୮,୩୫୦କୋଟି ଟଙ୍କା। ନିଜସ୍ୱ ଅଣ-ଟିକସ ୧୭,୬୫୦କୋଟି ଟଙ୍କା। ମୋଟ ୫୬,୦୦୦ କୋଟି ଟଙ୍କା ଏ ଦୁଇଟି ଉତ୍ସରୁ ଆସିବ। କେନ୍ଦ୍ରରୁ ଟିକସ ଭାଗ (ସେୟାର ଟ୍ୟାକ୍ସ) ହିସାବରେ ୩୬,୨୦୦କୋଟି ଟଙ୍କା ମିଳିଛି। ଅନୁଦାନ ମିଳିଛି ୩୨,୦୦୦ କୋଟି ଟଙ୍କା। ଆମର ରାଜସ୍ୱ ବଳକା ଅଛି ୯,୫୦୦କୋଟି ଟଙ୍କା। ବାକି ଯାହା ରହିଲା ଋଣ ଜରିଆରେ ଖର୍ଚ୍ଚ ହେବ। ତେଣୁ ସମ୍ବଳରେ ସଙ୍କଟ ରହିବ ନାହିଁ।

– ବର୍ଷକୁ ବର୍ଷ କେନ୍ଦ୍ରୀୟ ଟିକସ ବାବଦ ଅଂଶ ହ୍ରାସ ପାଉଛି, କିନ୍ତୁ ଖର୍ଚ୍ଚ ବଢ଼ିଚାଲିଛି। ଏହାକୁ କିପରି ଭରଣା କରିବେ?
ଆମର ଟିକସ ସଂଗ୍ରହରେ ଅଭିବୃଦ୍ଧି ଘଟୁଛି। ଜିଏସ୍‌ଟି ସଂଗ୍ରହ ବାବଦରୁ ମଧ୍ୟ ଅର୍ଥ ମିଳୁଛି। ଓଜିଏସ୍‌ଟି ଅଭିବୃଦ୍ଧି ଗତ ମାସ ଶେଷ ସୁଦ୍ଧା ୨୮ପ୍ରତିଶତରେ ପହଞ୍ଚିଛି।

– ଚତୁର୍ଦଶ ଅର୍ଥ କମିସନଙ୍କ ଆକଳନ ଆଧାରରେ ବଜେଟ୍‌ ପ୍ରସ୍ତୁତ କରିଥିଲେ। ଆକଳନଠାରୁ ରାଜ୍ୟକୁ କମ୍‌ ଅର୍ଥ ମିଳିଛି। ବଳକା ଅର୍ଥ କେଉଁଠୁ ଆଣିବେ?
ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ଆମେ ୪୮ହଜାର କୋଟି ଟଙ୍କା ପାଇବା କଥା। କେନ୍ଦ୍ର କହିଥିଲା ୩୯ହଜାର କୋଟି ଟଙ୍କା ଦେବ, କିନ୍ତୁ କେନ୍ଦ୍ରୀୟ ବଜେଟ୍‌ରେ ତାହା ୩୭,୫୮୦କୋଟି ଟଙ୍କାକୁ କମିଲା। ସଂଶୋଧିତ ହିସାବରେ ତାହା ଆହୁରି ହ୍ରାସ ପାଇ ୩୦,୦୦୦ କୋଟି ଟଙ୍କା ହେଲା। ମୂଳ ସୁପାରିସରୁ ଆଜି ପର୍ୟ୍ୟନ୍ତ ୧୮,୦୦୦ କୋଟି ଟଙ୍କା ଆମେ ହରାଇଛୁ। ତେବେ ଆମର ନିଜସ୍ୱ ଟିକସ ସଂଗ୍ରହ ବଢ଼ିଥିବାରୁ ନିଅଣ୍ଟ ଭରଣା କରିପାରିବୁ।

– ଡିସେମ୍ବର ସୁଦ୍ଧା ବଜେଟର ୬୦ପ୍ରତିଶତ ଖର୍ଚ୍ଚ କରିବା ପାଇଁ ଥିବା ନିର୍ଦେଶକୁ ବିଭିନ୍ନ ବିଭାଗ ପାଳନ କରିପାରିନାହାନ୍ତି। କାରଣ କଣ?
୧୮-୧୯ ଆର୍ଥିକ ବର୍ଷରେ ବଜେଟର ୮୪ପ୍ରତିଶତ ଖର୍ଚ୍ଚ ହୋଇଥିଲା। ଚଳିତବର୍ଷ ଆରମ୍ଭରୁ ନିର୍ବାଚନ ଆଚରଣ ବିଧି ଲାଗିଲା। ଫଣି ଆସିଲା, ଅସ୍ୱାଭାବିକ ଲଗାଣ ବର୍ଷା ହେଲା। ପ୍ରଥମାର୍ଦ୍ଧରେ ବଜେଟ ଖର୍ଚ୍ଚ କମିଯାଇଥିଲା, କିନ୍ତୁ ପରବର୍ତ୍ତୀ କାଳରେ ଖର୍ଚ୍ଚ ବଢ଼ିଛି। ମାର୍ଚ୍ଚ ଶେଷ ସୁଦ୍ଧା ୯୦ପ୍ରତିଶତରେ ପହଞ୍ଚିପାରେ ବୋଲି ଆଶା ରଖିଛୁ। ଗତ ବର୍ଷଠାରୁ ବଜେଟ ଖର୍ଚ୍ଚ ନିଶ୍ଚିତ ଟପିବ।

– ନୂଆ ଯୋଜନା ପାଇଁ ଅଧିକ ଅର୍ଥ ଆବଶ୍ୟକ। ତେଣୁ ଟିକସ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିବାର ଯୋଜନା ରଖିଛନ୍ତି କି?
ନୂଆ ଟିକସର ସମ୍ଭାବନା ନାହିଁ। ୱାନ ନେସନ ୱାନ ଟ୍ୟାକ୍ସ ବ୍ୟବସ୍ଥା ହୋଇଛି। ଜିଏସଟି ବାବଦରେ ପ୍ରତିବର୍ଷ କ୍ଷତିଭରଣା ସହିତ ଅଧିକ ୧୪ ପ୍ରତିଶତ ଲେଖାଏଁ ଅର୍ଥ ୨୦୨୨ ପର୍ୟ୍ୟନ୍ତ ମିଳିବ। ତେଣୁ ଆମେ ସେ ଦୃଷ୍ଟିରୁ ସୁରକ୍ଷିତ ବା ପ୍ରେଟେକ୍ଟେଡ୍‌ ଆମାଉଣ୍ଟରେ ଅଛୁ।

– ଆଗାମୀ ବର୍ଷ କେଉଁ କ୍ଷେତ୍ରରୁ ଅଧିକ ଅଭିବୃଦ୍ଧି ଆଶା ରଖିଛନ୍ତି? କେଉଁ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବେ?
ଖଣିଜ ଓ ଜିଏସଟିରୁ ଅଧିକ ଅର୍ଥ ମିଳିବ ବୋଲି ଆଶା ରଖିଛୁ। ପାନୀୟ ଜଳ, ଶିକ୍ଷା ଓ ଜଳସେଚନରେ ଅଧିକ ପୁଞ୍ଜିନିବେଶ କରିବୁ।

– ସାମାଜିକ କ୍ଷେତ୍ରକୁ ଏଥର ବଜେଟରେ କେତେ ଗୁରୁତ୍ବ ଦେଇଛନ୍ତି?
ସାମାଜିକ ସୁରକ୍ଷାରେ ବଜେଟ ଅର୍ଥ ସମାନ ଅଛି। କାଳିଆ, ଭତ୍ତା, ଖାଦ୍ୟ ନିରାପତ୍ତା, ବାସଗୃହ ପାଇଁ ଅଧିକ ବ୍ୟୟବରାଦ କରିଛୁ। ଦୁର୍ବଳ ବର୍ଗର ସୁରକ୍ଷା ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ୧୦୦୦କୋଟି ଟଙ୍କା ଲେଖାଏଁ ଅଧିକ ବ୍ୟୟବରାଦ ହୋଇଛି।

– ଆଉଟକମ ବଜେଟ(ବଜେଟର ଫଳାଫଳ) ଏ ପର୍ୟ୍ୟନ୍ତ ପ୍ରସ୍ତୁତ କରାଯାଉ ନଥିବା ଅଭିଯୋଗ ହେଉଛି। ଏ ବିଷୟରେ ଆପଣଙ୍କ ମତ କଣ?
ଆମେ ପ୍ରତି ତ୍ରୈମାସିକରେ ସବୁ ବିଭାଗର ଫଳାଫଳ ସମୀକ୍ଷା କରୁଛୁ। ବିଭିନ୍ନ ବିଭାଗକୁ ଆଉଟକମ ବଜେଟ ପ୍ରସ୍ତୁତି ପାଇଁ ନିର୍ଦେଶ ଦେଇଛୁ। ପ୍ରାୟ ଅଧିକାଂଶ ବିଭାଗରେ ଏହା କରାଗଲାଣି।

– ଋଣ ଭାର ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଉଛି। କିପରି ସମ୍ଭାଳିବେ?
ଋଣ ଭାର ବଢ଼ିବାର ପ୍ରଶ୍ନ ଉଠୁ ନାହିଁ। କାରଣ ଏଫ୍‌ଆରବିଏମ୍‌ ଆକ୍ଟ(ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା)ର ପ୍ରାବଧାନ ଶୃଙ୍ଖଳା ଭିତରେ ଆମେ ଅଛୁ। ଏଫ୍‌ଆରବିଏମ୍‌ରେ ବ୍ୟବସ୍ଥା ରହିଛି ଯେ ମୋଟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୨୫ପ୍ରତିଶତ ଭିତରେ ଋଣ କରାଯାଇପାରିବ। ଗତ ଡିସେମ୍ବର ସୁଦ୍ଧା ଆମର ଋଣ ପରିମାଣ ଜିଏସ୍‌ଡିପିର ପ୍ରାୟ ୧୭ପ୍ରତିଶତ( ୧୬.୮୯%)ରେ ରହିଛି। ଏହାଛଡ଼ା ଆଇନ ଅନୁଯାୟୀ ସୁଧ ଦେୟ ପରିମାଣ ରାଜସ୍ବ ସଂଗ୍ରହ(ଆରଆର)ର ୧୫% ମଧ୍ୟରେ ରହିବା ଆବଶ୍ୟକ। ଆମେ ଏହାକୁ ୫.୬୫ପ୍ରତିଶତରେ ରଖିପାରିଛୁ। ସୁଧ/ଆରଆର ଅନୁପାତ ୧୦ପ୍ରତିଶତ ଭିତରେ ଥିଲେ ଆଗାମୀ ଆର୍ଥିକ ବର୍ଷରେ ଜିଏସ୍‌ଡିପିର ୩.୫ ପ୍ରତିଶତ ପର୍ୟ୍ୟନ୍ତ ଋଣ କରାଯାଇପାରିବ, କିନ୍ତୁ ଆମେ ଆଗାମୀ ବଜେଟରେ ଜିଏସଡିପିର ୩ପ୍ରତିଶତ ଋଣ ନେବା ପାଇଁ ଆକଳନ କରିଛୁ। ଗତ ଡିସେମ୍ବର ସୁଦ୍ଧା ଆମର ଋଣ ପରିମାଣ ୮୪ ହଜାର କୋଟି ଟଙ୍କା ରହିଛି( ଏଜି ରିପୋର୍ଟ ଅନୁସାରେ)।

– ପୁଞ୍ଜିନିବେଶ ପାଇଁ ଅର୍ଥ କେଉଁଠୁ ଆଣିବେ? ଭିତ୍ତିଭୂମି ବିକାଶ କିପରି ହେବ?
ଆମର ରାଜସ୍ୱ ବଳକା ୯,୫୦୦କୋଟି ଟଙ୍କା ଥିବାରୁ ଜିଏସଡିପିର ୩ପ୍ରତିଶତ ଋଣ ଆକାରରେ ନେଲେ ବି ପୁଞ୍ଜିନିବେଶ ବଢ଼ିବ। ଆମର ମୋଟ ପୁଞ୍ଜିନିବେଶ ପରିମାଣ ଜିଏସଡିପିର ୪.୪୩ ପ୍ରତିଶତ ରହିଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଏହା ଆମେ ହାସଲ କରିଛୁ।

– ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାରେ ଭାରତୀୟ ଅର୍ଥନୀତି ବି ପ୍ରଭାବିତ। କରୋନା ଅର୍ଥନୀତିକୁ ଆହୁରି ମାନ୍ଦା କରିଛି। ଏ ପରିପ୍ରେକ୍ଷୀରେ ଓଡ଼ିଶାର ସ୍ଥିତି କଣ?
ଆମର ଜିଏସ୍‌ଡିପି ଅଭିବୃଦ୍ଧି ହୋଇଛି ୫,୯୬,୨୮୦କୋଟି ଟଙ୍କା। ଜିଏସ୍‌ଡିପିର ୪୧ଭାଗ ଆସୁଛି ସେବାରୁ, ୩୯ପ୍ରତିଶତ ନିର୍ମାଣରୁ ଓ ହାରାହାରି ୧୯ ପ୍ରତିଶତ ଆସୁଛି କୃଷିରୁ। ଶିଳ୍ପ ଓ ସେବା କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ମାନ୍ଦାବସ୍ଥାର ପ୍ରଭାବ ପଡ଼ିନାହିଁ। କୃଷି କ୍ଷେତ୍ରରେ ମଧ୍ୟ ଆମେ ଆଗକୁ ବଢ଼ୁଛୁ, କାରଣ ଧାନ ଓ ଖାଦ୍ୟ ଶସ୍ୟ ଉତ୍ପାଦନରେ ଆମେ ଏବେ ବଳକା ରାଜ୍ୟ। ଅଭିବୃଦ୍ଧି କମିବା କିମ୍ବା ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେବାର ଆଶଙ୍କା ନାହିଁ। ତଥାପି ଜାତୀୟ ସ୍ତରରେ ମାନ୍ଦାବସ୍ଥାର ପ୍ରଭାବ କିଛିଟା ପଡ଼ିବ।

– ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ହୋଇଯାଉଛି, ନିଯୁକ୍ତି ସୃଷ୍ଟି ଲାଗି କି ପଦକ୍ଷେପ ନେଉଛନ୍ତି?
ତାହା ଉପରେ ତର୍ଜମା କରୁଛୁ। ‘ମେକ୍‌ ଇନ୍ ଓଡ଼ିଶା’ ମୁଖ୍ୟମନ୍ତ୍ରୀଙ୍କର ଏକ ବଳିଷ୍ଠ ପ୍ରୟାସ। ଏବେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି। ଶିଳ୍ପ ସହିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଏବଂ ଆତ୍ମନିଯୁକ୍ତି ବୃଦ୍ଧି ପାଇଁ ଉଦ୍ୟମ କରୁଛୁ।

– ଓଡ଼ିଶା ଅର୍ଥନୀତିର ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ କ’ଣ ଯୋଜନା କରିଛନ୍ତି
ମୋ ପାଇଁ କିଛି ଚାଲେଞ୍ଜ ନାହିଁ। ନୂଆ ହେଲା ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ। ଏଥିପାଇଁ ଆମେ ବଜେଟରେ ସଂସ୍କାର ଆଣୁଛୁ। ବଜେଟ ବିଶ୍ୱସନୀୟତା ବଢ଼ାଇବା ଚେଷ୍ଟାରେ ଅଛୁ। ରିସ୍କ ମ୍ୟାନେଜମେଣ୍ଟ ଓ କମିଟମେଣ୍ଟ ବଜେଟ ସଂକ୍ରାନ୍ତରେ ଆମେ ଆଇଏମ୍‌ଏଫ୍‌ଠାରୁ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ହାସଲ କରୁଛୁ।
ଉପସ୍ଥାପନା: ପ୍ରସନ୍ନ ପତି

Comments
Loading...