ଉନାଦ୍‌କତ ଓ ଚକ୍ରବର୍ତ୍ତୀ ସବୁଠାରୁ ଦାମୀ

0


ଜୟପୁର: ୨୦୧୯ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଲାଗି ଖେଳାଳି ନିଲାମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଶ୍ବର ଏହି ସବୁଠାରୁ ଧନଶାଳୀ ପେସାଦାର କ୍ରିକେଟ ଲିଗ୍‌ର ୧୨ଶ ସଂସ୍କରଣ ଲାଗି ୮ଟିଯାକ ଫ୍ରାଞ୍ଚାଇଜି ସେମାନଙ୍କ ବାକିଥିବା ସ୍ଥାନ ପାଇଁ ହାତରେ ଥିବା ଟଙ୍କାରେ ମନ ପସନ୍ଦର ଖେଳାଳି କିଣିଥିଲେ। ସୌରାଷ୍ଟ୍ରର ବାମହାତି ପେସ୍ ବୋଲର ଜୟଦେବ ଉନାଦ୍‌କତ ଓ ତାମିଲନାଡ଼ୁର ବହୁପ୍ରତିଭା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏହି ନିଲାମରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ଉନାଦ୍‌କତଙ୍କୁ ରାଜସ୍ଥାନ ରୟାଲ୍‌ସ ୮କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ପୁଣି ସମସ୍ତଙ୍କୁ ଚକିତକରି ବରୁଣ ଚକ୍ରବର୍ତ୍ତୀଙ୍କୁ ୮କୋଟି ୪୦ ଲକ୍ଷ ଟଙ୍କାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ କିଣିଛି। ଏହି ନିଲାମରେ ତାଲିକାଭୁକ୍ତ ୩୫୧ ଖେଳାଳିଙ୍କ ମଧ୍ୟରୁ ମୋଟ ୬୦ ଜଣ ବିକ୍ରି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪୦ ଜଣ ଭାରତୀୟ ଓ ୨୦ ଜଣ ବିଦେଶୀ ଖେଳାଳି ଅଛନ୍ତି।
ଚଳିତ ସିଜିନ୍‌ରେ ପ୍ରଥମଶ୍ରେଣୀ କ୍ରିକେଟ ଜୀବନର ଆରମ୍ଭ କରିଥିବା ମୁମ୍ବଇର ଶିବମ୍ ଦୁବେଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୫ କୋଟି ଟଙ୍କାରେ କିଣିଛି। ଚଳିତ ସିଜିନ୍‌ରେ ଶିବମ୍ ୨ ଥର ଗୋଟିଏ ଓଭରରେ ୫ଟି ଲେଖାଏଁ ଛକା ମାରିଥିଲେ। କ୍ରମାଗତ ୨ୟ ବର୍ଷ ଲାଗି ଜୟଦେବ ଉନାଦ୍‌କତ ଆଇପିଏଲ୍ ନିଲାମରେ ଦାମୀ ଖେଳାଳି ହୋଇଛନ୍ତି। ଗତବର୍ଷ ଉନାଦ୍‌କତଙ୍କୁ ୧୧.୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍‌ସ କିଣିଥିବା ବେଳେ ଚଳିତ ସିଜିନ ଆରମ୍ଭରୁ ତାଙ୍କୁ ନିଲାମ ପାଇଁ ଛାଡ଼ି ଦେଇଥିଲା। ମଙ୍ଗଳବାର ନିଲାମରେ ଉନାଦ୍‌କତଙ୍କୁ ୮.୪ କୋଟି ଟଙ୍କାରେ ରାଜସ୍ଥାନ କିଣିଛି। ୭ ପ୍ରକାର ବଲ୍ ପକାଇ ପାରୁଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସମାନ ୮.୪ କୋଟି ଟଙ୍କାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ କିଣିଛି। ଇଂଲଣ୍ଡର ଯୁବ ବାମହାତି ଅଲ୍‌ରାଉଣ୍ଡର ସାମ୍ କରନ୍‌ ଏହି ନିଲାମରେ ୨ୟ ସର୍ବାଧିକ ମୂଲ୍ୟ ପାଇଛନ୍ତି। କରନ୍‌ଙ୍କୁ ୭ କୋଟି ୨୦ ଲକ୍ଷ ଟଙ୍କାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ କିଣିଛି। ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍ କଲିନ୍ ଇନ୍‌ଗ୍ରାମ୍‌ଙ୍କୁ ୬.୪ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍‌ସ କିଣିଛି। ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି୨୦ ଦଳର ଅଧିନାୟକ କାର୍ଲୋସ ବ୍ରାଥ୍‌ୱେଟ୍, ବରୋଦାର ବାମହାତି ଅଲ୍‌ରାଉଣ୍ଡର ଅକ୍ଷର ପଟେଲ, ହରିୟାଣାର ପେସ୍ ବୋଲର ମୋହିତ ଶର୍ମା ୩ୟ ସର୍ବାଧିକ ୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ବ୍ରାଥ୍‌ୱେଟ୍‌ଙ୍କୁ କଲକାତା ନାଇଟ ରାଇର୍ଡର୍ସ (କେକେଆର୍), ଅକ୍ଷରଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ମୋହିତଙ୍କୁ ଚେନ୍ନଇ ସୁପର କିଙ୍ଗ୍‌ସ କିଣିଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ବୋଲିଂ କରୁଥିବା ପେସ୍ ବୋଲର ମହମ୍ମଦ ସାମିଙ୍କୁ ୪ କୋଟି ୮୦ ଲକ୍ଷ ଟଙ୍କାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ କିଣିଛି। ନିକଟରେ ଭାରତ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବାମହାତି ବ୍ୟାଟ୍‌ସମ୍ୟାନ ସିମ୍ରନ ହେତ୍‌ମେୟରଙ୍କ ମୂଳ ନିଲାମ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କୁ ଆର୍‌ସିବି ୪ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି। ୱେଷ୍ଟଇଣ୍ଡିଜ୍‌ର ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ନିକୋଲାସ୍ ପୂରନ୍‌ଙ୍କୁ ୪ କୋଟି ୨୦ ଲକ୍ଷ ଟଙ୍କାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ କିଣିଛି।
ନିକଟରେ ଶ୍ରୀଲଙ୍କାରେ ୧୯ ବର୍ଷରୁ କମ୍ ଏସିଆ କପ୍ ଚମ୍ପିଆନ୍ ହୋଇଥିବା ଭାରତୀୟ ଦଳର ଅଧିନାୟକ ପ୍ରଭସିମ୍ରନ ସିଂହ ଆଶ୍ଚର୍ଯ୍ୟଜନ ଭାବେ ୪ କୋଟି ୮୦ ଲକ୍ଷ ଟଙ୍କାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବରେ ସାମିଲ ହୋଇଛନ୍ତି। ଉତ୍ତର ପ୍ରଦେଶର ଯୁବ ବ୍ୟାଟ୍‌ସମ୍ୟାନ୍ ଅକ୍ଷଦୀପ ନାଥଙ୍କୁ ଆର୍‌ସିବି ୩.୬ କୋଟି ଟଙ୍କାରେ କିଣିଛି। ଭାରତ ପାଇଁ ଖେଳିଥିବା ପଞ୍ଜାବର ବାମହାତି ପେସ୍ ବୋଲର ବରିନ୍ଦର ସିଂହ ସ୍ରାନ୍‌ଙ୍କୁ ୩.୪ କୋଟି ଟଙ୍କାରେ ମୁମ୍ବଇ ଇଣ୍ଡିଆନ୍‌ସ କିଣିଛି। ଶ୍ରୀଲଙ୍କାର ଫାଷ୍ଟବୋଲର ଲାସିଥ୍ ମାଲିଙ୍ଗାଙ୍କୁ ୨ କୋଟି ଟଙ୍କାରେ ତାଙ୍କ ପୂର୍ବ ଫ୍ରାଞ୍ଚାଇଜି ମୁମ୍ବଇ ଇଣ୍ଡିଆନ୍‌ସ କିଣିଛି। ଗତବର୍ଷ ବିକ୍ରି ହୋଇନଥିବା ଭାରତୀୟ ପେସ୍ ବୋଲର ଈଶାନ୍ତ ଶର୍ମା ଆଇପିଏଲ୍-୧୨ ଖେଳିବାକୁ ଯାଉଛନ୍ତି। ଈଶାନ୍ତଙ୍କୁ ୧.୧ କୋଟି ଟଙ୍କା ଦେଇ ଦିଲ୍ଲୀ କ୍ୟାପିଟାଲ୍‌ସ କିଣିଛି। ଝାଡ଼ଖଣ୍ଡର ପେସ୍ ବୋଲର ବରୁଣ ଆରୋନ୍‌ଙ୍କୁ ୨.୪ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍‌ସ କିଣିଛି। ଇଂଲଣ୍ଡର ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଜନି ବେୟାରଷ୍ଟୋଙ୍କୁ ୨.୨ କୋଟି ଟଙ୍କାରେ ସନ୍‌ରାଇଜର୍ସ ହାଇଦରାବାଦ କିଣିଛି। ବଙ୍ଗଳାର ୧୬ ବର୍ଷ ବୟସ୍କ ଲେଗ୍‌ସ୍ପିନର ପ୍ରୟାସ ରାୟ ବର୍ମନଙ୍କୁ ଆର୍‌ସିବି ଦେଢ଼କୋଟି ଟଙ୍କାରେ କିଣିଛି।
ନିଲାମର ପ୍ରଥମ ଦଫାରେ ଭାରତର ବିଶ୍ବକପ୍ ହିରୋ ଯୁବରାଜ ସିଂହଙ୍କୁ କୌଣସି ଦଳ କିଣିନଥିଲେ। ​‌େ​‌ତବେ ୨ୟ ଥର ତାଙ୍କ ନାମ ନିଲାମକୁ ଆସିଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‌ସ ତାଙ୍କୁ ମୂଳ ମୂଲ୍ୟ ୧ କୋଟି ଟଙ୍କାରେ କିଣିଛି। ୨୦୧୫ରେ ଯୁବରାଜ ୧୬ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ସେହିପରି ୨ୟ ଦଫା​‌େ​‌ର ନ୍ୟୁଜିଲାଣ୍ଡର ମାର୍ଟିନ୍ ଗପ୍‌ଟିଲଙ୍କୁ ମୂଳ ନିଲାମ ମୂଲ୍ୟ ୧ କୋଟି ଟଙ୍କାରେ ସନ୍‌ରାଇଜର୍ସ କିଣିଛି। ଆଇପିଏଲ୧-୧୨ ନିଲାମରେ ପ୍ରଥମ ଖେଳାଳି ଭାବେ ହନୁମା ବିହାରୀଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୨ କୋଟି ଟଙ୍କାରେ କିଣିଥିବା ବେଳେ ଅନ୍ତିମ ଖେଳାଳି ଭାବେ ଆସାମର ରିୟାନ୍ ପରାଗଙ୍କୁ ରାଜସ୍ଥାନ ରୟାଲ୍‌ସ ୨୦ ଲକ୍ଷ ଟଙ୍କାରେ କିଣିଛି।

Leave A Reply