ଉତ୍ତିଷ୍ଠତ ଜାଗ୍ରତ

ଏକଦା ଗୌତମ ବୁଦ୍ଧ ପ୍ରବଚନ ଦେଉଥାନ୍ତି। ବିିଭିନ୍ନ ବର୍ଗର ଲୋକ ବହୁସଂଖ୍ୟାରେ ଏକତ୍ରିତ ହୋଇ ମନଯୋଗ ସହକାରେ ତଥାଗତଙ୍କ ପ୍ରବଚନ ଶୁଣୁଥାନ୍ତି। ସେମାନଙ୍କ ମଧ୍ୟରେ ଥାଆନ୍ତି ବାଳକ, ବୃଦ୍ଧ, ଯୁବକ, କୃଷକ, ମହିଳା, ବେପାରୀ ଆଦି। ପ୍ରବଚନ ସରିବା ସମୟରେ ତଥାଗତ ଅନ୍ତିମ ବାକ୍ୟ ସ୍ବରୂପ କହିଥିଲେ ‘ଜାଗ୍ରତ ହୁଅ, ସମୟ ହାତରୁ ଚାଲିଯାଉଛି।’ ଏହା କହିବା ପରେ ପ୍ରବଚନ ସମାପ୍ତ ହୋଇଥିଲା। ଲୋକେ ଯେଝା ଘରକୁ ଯିବାକୁ ବାହାରିଥିଲେ।
ସଭାସ୍ଥଳରୁ ଉଠି ତଥାଗତ ତାଙ୍କ ପ୍ରିୟ ଶିଷ୍ୟ ଆନନ୍ଦଙ୍କୁ କହିଥିଲେ, ଚାଲ କିଛିବାଟ ଆଗକୁ ଯାଇ ବୁଲି ଆସିବା। କିଛିବାଟ ଯିବାପରେ ତଥାଗତ ହଠାତ୍‌ ରହିଯାଇଥିଲେ। ଆନନ୍ଦ ଅନୁମାନ କରିନେଲେ ନିଶ୍ଚୟ କିଛି ବିଶେଷ କାରଣରୁ ତଥାଗତ ଅଟକିଗଲେ। ପଛକୁ ଅନାଇ ତଥାଗତ ଦେଖିଥିଲେ ଲୋକଙ୍କ ଭିଡ଼ ଭିତରୁ କେହି ଜଣେ ତାଙ୍କୁ କିଛି କହିବା ନିମିତ୍ତ ଆସୁଛନ୍ତି। ଅଚାନକ ଭିଡ଼ ଠେଲି ଜନୈକା ସ୍ତ୍ରୀ ଲୋକ ତାଙ୍କୁ ଭେଟି କହିଥିଲେ- ମହାଭାଗ! ମୁଁ ଜଣେ ନର୍ତ୍ତକୀ। ଆଜି ନଗର ଶ୍ରେଷ୍ଠଙ୍କ ଗୃହରେ ନୃତ୍ୟ ପରିବେଷଣ କାର୍ୟ୍ୟକ୍ରମ ଥିଲା। ଆପଣଙ୍କ ପ୍ରବଚନ ଶୁଣିବାରେ ବ୍ୟସ୍ତ ରହି ମୁଁ ସେ ସମ୍ପର୍କରେ ଭୁଲିଯାଇଥିଲି। ହେଲେ ଯେତେବେଳେ ଆପଣ ପ୍ରବଚନ ଶେଷରେ କହିଲେ, ଜାଗ! ସମୟ ଚାଲିଯାଉଛି, ମୋର ତତ୍‌କ୍ଷଣାତ ସେକଥା ମନେ ପଡ଼ିଗଲା। ଏହି କାରଣରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ।’
ସ୍ତ୍ରୀ ଲୋକଟି ଚାଲିଗଲା ପରେ ଜନୈକ ଡକାୟତ ତଥାଗତଙ୍କ ସମ୍ମୁଖକୁ ଆସି କହିଥିଲା- ‘ମହାତ୍ମନ! ମୁଁ ଆପଣଙ୍କ ନିକଟରେ କୌଣସି କଥା ଲୁଚାଇବି ନାହିଁ। ମୁଁ ଭୁଲିଯାଇଥିଲି ଯେ ଆଜି ଏକ ଜାଗାରେ ମୋର ଡକାୟତି କରିବାର ଥିଲା। ହେଲେ ଆପଣ ଯେତେବେଳେ କହିଲେ ଯେ ଜାଗ। ସମୟ ଚାଲିଯାଉଛି, ସେତେବେଳେ ମୋର ଭୁଲିଯାଇଥିବା କଥା ମନେପଡ଼ିଗଲା। ଆପଣଙ୍କୁ ବହୁତବହୁତ ଧନ୍ୟବାଦ।’
ଡକାୟତ ଚାଲିଯିବାପରେ ଜଣେ ଅତିଶୟ ବୃଦ୍ଧବ୍ୟକ୍ତି ଧୀର ପଦରେ ଆସି କହିଥିଲେ- ‘ତଥାଗତ! ଜୀବନସାରା ଦୁନିଆର ଜଞ୍ଜାଳ ଭିତରେ, ଅର୍ଥ ପଛରେ ଧାଇଁବା ଭିତରେ କେତେବେଳେ ମୁଁ ଶକ୍ତିହୀନ ବୃଦ୍ଧ ହୋଇଗଲି ଜାଣିପାରିନଥିଲି। ସାରାଜୀବନ ବ୍ୟର୍ଥତାରେ ଚାଲିଗଲା। ଆଜି ଆପଣଙ୍କ ଉପଦେଶ- ଜାଗ! ସମୟ ଚାଲିଯାଉଛି, ମୋର ଆଖି ଖୋଲିଦେଇଛି। ଆଜିଠାରୁ ମୁଁ ସବୁ ମୋହମାୟା ତ୍ୟାଗ କରି ନିର୍ବାଣ ଲାଭ ଲାଗି ପ୍ରଯତ୍ନ କରିବି।
ତଥାଗତ ଜାଣିପାରିଲେ ବୟସ୍କ ବ୍ୟକ୍ତିଜଣକ ନିରାଟ ସତ୍ୟକଥା ହିଁ କହିଥିଲେ। ନିର୍ବାଣ, ମୋକ୍ଷ ମାଧ୍ୟମରେ ପ୍ରକୃତରେ ଜୀବନକୁ ସାର୍ଥକ କରିବାକୁ ଅତିଶୟ ବ୍ୟଗ୍ର ଥିଲେ। ‘ଜାଗ୍ରତ ହୁଅ, ସମୟ ହାତରୁ ଚାଲିଯାଉଛି’ର ଅର୍ଥ ସେ ଠିକ୍‌ ଭାବରେ ହୃଦୟଙ୍ଗମ କରିଥିଲେ ଓ ତଦନୁରୂପ ଜୀବନଯାପନ କରିବାକୁ ସଂକଳ୍ପ କରିଥିଲେ। ସୁପ୍ତ ଆତ୍ମବିଶ୍ବାସକୁ ଜାଗ୍ରତ କରିଥିଲା ତଥାଗତଙ୍କ ବାଣୀ। ତଥାଗତ ବୃଦ୍ଧଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଓ ଏକ ନବଶକ୍ତିରେ ଶକ୍ତିମାନ ହୋଇ ସେ ପ୍ରସ୍ଥାନ କରିଥିଲେ।
ବୃଦ୍ଧ ଚାଲିଗଲାପରେ ଶିଷ୍ୟ ଆନନ୍ଦଙ୍କୁ ତଥାଗତ କହିଥିଲେ- ଦେଖ ଆନନ୍ଦ! ପ୍ରବଚନରେ ମୁଁ ଗୋଟିଏ ବାକ୍ୟ କହିଥିଲି, ହେଲେ ଏହାକୁ ଭିନ୍ନଭିନ୍ନ ଅର୍ଥକରି ବିଭିନ୍ନ ଭାବରେ ଉପଯୋଗ କରାଗଲା। ପ୍ରତ୍ୟେକଙ୍କର ଉଦ୍ଦେଶ୍ୟ ଥିଲା ଭିନ୍ନ। ଯିଏ ଯେଉଁ ଭାବରେ ବୁଝିଲା, ସେ ସେହି ଭାବରେ ଗ୍ରହଣ କରି ଉପଯୋଗ ଗଲା। ନିର୍ବାଣ ପ୍ରାପ୍ତି ନିମନ୍ତେ ତୀବ୍ର ଆକାଙ୍‌କ୍ଷା ଥିବା ଦରକାର। ସର୍ବୋପରି ଚିନ୍ତନ ଶୁଦ୍ଧ, ନିର୍ମଳ ହେବା ଜରୁରୀ। ଜୀବନର ଉଦ୍ଦେଶ୍ୟ ସାର୍ଥକ କରିବାକୁ ହେଲେ ଜାଗ୍ରତ ହେବା ଅତି ଜରୁରୀ। ଏହା ସଫଳତାକୁ ସୁନିଶ୍ଚିତ କରିଥାଏ।

Comments
Loading...