ଉତ୍ତର ଅପେକ୍ଷାରେ ପ୍ରଶ୍ନଟିଏ

୧୯୪୮ ଜାନୁଆରୀ ୩୦ ତାରିଖ ଅପରାହ୍ଣ। ଗାନ୍ଧିଜୀ ସେଦିନ ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ବିଶ୍ରାମ ନେଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ସ୍ବରାଷ୍ଟ୍ରମନ୍ତ୍ରୀ ବଲ୍ଲଭଭାଇ ପଟେଲଙ୍କ ସହ ଦେଶର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଆଲୋଚନା କଲେ। ଦେଶ ବିଭାଜନ ପରେ ପାକିସ୍ତାନରୁ ଭାରତକୁ ପଳାଇ ଆସିଥିବା ଲକ୍ଷଲକ୍ଷ ଶରଣାର୍ଥୀଙ୍କ ଉପଯୁକ୍ତ ଥଇଥାନ ନେଇ ଅଧିକ ସମୟ ଆଲୋଚନା ହୋଇଥିଲା। ସେଇ ଶରଣାର୍ଥୀଙ୍କ ଦୟନୀୟ ସ୍ଥିତି ଦେଖି ଗାନ୍ଧିଜୀ ବି​‌େ​‌ଶଷ ବିବ୍ରତ ଥିଲେ। ବିରଳା ଭବନକୁ ପ୍ରାର୍ଥନା ପାଇଁ ଯିବାର ସମୟ ପାଖେଇ ଆସୁଥିବାରୁ ସେ ମଧ୍ୟ ତରତର ହେଉଥିଲେ। ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ବିଦାୟ ଦେଇ ଗାନ୍ଧିଜୀ ପ୍ରାର୍ଥନାସଭାକୁ ଯିବାକୁ ବାହାରି ପଡ଼ିଲେ। ଏହାର ଅଳ୍ପ ସମୟ ପରେ ଯାହା ଘଟିଲା ତାହା ଥିଲା ହୃଦୟ ବିଦାରକ ଓ ଅଚିନ୍ତନୀୟ। ଆତତାୟୀର ଗୁଳିଚୋଟରେ ଶାନ୍ତି ଓ ଅହିଂସାର ପୂଜାରୀ ବାପୁ ଟଳିପଡ଼ିଲେ।
ସର୍ଦାର ପଟେଲ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି କି ନାହିଁ ତାଙ୍କ ପାଖରେ ଘଟଣା ସମ୍ପର୍କରେ ଖବର ପହଞ୍ଚିଲା। ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲେ। ତା’ପରେ ଆସି ପହଞ୍ଚିଲେ ପ୍ରଧାନମନ୍ତ୍ରୀ ଜବାହରଲାଲ। ଉଭୟ ଘଟଣା ଦେଖି ହତଭମ୍ବ। ବାପୁଙ୍କ ନିଶ୍ଚଳ ଶରୀର ପାଖରେ ବସି ପଟେଲ ତାଙ୍କ ହାତର ନାଡ଼ି ପରଖିଲେ; ନେହେରୁଙ୍କୁ କହିଲେ, ‘ଟିକେଟିକେ ସ୍ପନ୍ଦନ ହେଉଛି। ଚାଲନ୍ତୁ ଶୀଘ୍ର ଡାକ୍ତରଖାନା ନେଇଯିବା।’ ପଟେଲଙ୍କ ଗାଡ଼ିରେ ବାପୁଙ୍କ ଶରୀରକୁ ନେଇ ଦୁହେଁ ମେଡ଼ିକାଲରେ ପହଞ୍ଚିଲେ। ଡାକ୍ତରମାନେ ତୁରନ୍ତ ପରୀକ୍ଷା କରି କହିଲେ ‘ସବୁ ଶେଷ ହୋଇଯାଇଛି; ଆମେ ଦୁଃଖିତ।’
ଏକଥାଟି ହେଉଛି ଜଣେ ଯୁଗପୁରୁଷ, ଶାନ୍ତି ଓ ଅହିଂସାର ପୂଜାରୀ, ଧର୍ମଭିତ୍ତିରେ ବିଭାଜିତ ଭାରତକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ପରିଣତ କରିଥିବା ଜଣେ ଏକାନ୍ତ ଧାର୍ମିକ ବ୍ୟକ୍ତି- ମୋହନ ଦାସ କରମଚାନ୍ଦ ଗାନ୍ଧୀ ଓରଫ୍‌ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନର ଅନ୍ତିମ କାହାଣୀ। ଜଣେ ବିଭ୍ରାନ୍ତ ସନାତନୀ ହିନ୍ଦୁଙ୍କ ଗୁଳିରେ ସ୍ବାଧୀନ ଭାରତରେ ଜଣେ ହିନ୍ଦୁଙ୍କ ଦ୍ବାରା ଜାତିର ଜନକ ଭାବେ ପରିଚିତ ଜଣେ ହିନ୍ଦୁଙ୍କର ନିଧନ ହେବାର ଘଟଣା ସମଗ୍ର ବିଶ୍ବକୁ ବିଚଳିତ, ବିବ୍ରତ କରିଥିଲା।
ସେବାଗ୍ରାମର ପ୍ରଶ୍ନ-
ଗାନ୍ଧିଜୀ ସହିଦ ହୋଇ ସାରିଥାନ୍ତି। ମହାରାଷ୍ଟ୍ରର ସେବାଗ୍ରାମରେ ବାପୁଙ୍କ ପ୍ରିୟ ଆଶ୍ରମରେ ତାଙ୍କର ପରିବର୍ଦ୍ଧିତ ପରିବାରର ସଦସ୍ୟମାନେ ୧୯୪୮ ମାର୍ଚ୍ଚର ଗୋଟିଏ ଦିନରେ ଏକତ୍ର ହୋଇଥାନ୍ତି। ସେଥିରେ ଥାଆନ୍ତି ଗାନ୍ଧିଜୀଙ୍କର ଆଧ୍ୟାତ୍ମିକ ଉତ୍ତରାଧିକାରୀ ବିନୋବା, ରାଜନୈତିକ ଉତ୍ତରାଧିକାରୀ ନେହେରୁ, ଅନ୍ତରଙ୍ଗ ସହକର୍ମୀ ଆଚାର୍ୟ୍ୟ କୃପାଳିନୀ, ରାଜେନ୍ଦ୍ର ପ୍ରସାଦ, ଜୟପ୍ରକାଶ ନାରାୟଣ, ମୌଲାନା ଆଜାଦ୍‌, କୁମାରପ୍ପା, କିଶୋରୀଲାଲ ମସରୁୱାଲା, ଠକ୍କରବାପା, କାକା ସାହେବ ଓ ବିବି ଅମ୍‌ତୁସଲ୍ଲାମ ପ୍ରମୁଖ।
ସେମାନେ ସମସ୍ତେ ମ୍ରିୟମାଣ। ସମସ୍ତେ ନିଜ ପାଇଁ ଓ ଦେଶ ପାଇଁ ଗୋଟିଏ ପ୍ରଶ୍ନ ପଚାରି ତାହାର ଉତ୍ତର ଖୋଜିବାକୁ ଏକତ୍ର ହୋଇଥାନ୍ତି। ସେମାନଙ୍କର ପ୍ରଶ୍ନ ଥିଲା, ‘ଅହିଂସାର ପୂଜାରୀ, ବାପୁଙ୍କୁ ଗୁଳିକରି ଜଣେ ହିନ୍ଦୁ ହତ୍ୟା କରିବା ପରେ ଆମେ ଆମକୁ ଓ ଦେଶକୁ ସତ୍ୟ ଓ ଅହିଂସା ମାଧ୍ୟମରେ ସମତା ଓ ନ୍ୟାୟ ପଥରେ ଆଗେଇ ନେଇ ପାରିବା କି?’’ ସେତେବେଳେ ବିନୋବା ଦୁଃଖ, ଶୋଚନା ଓ ଅନୁତାପରେ ଜର୍ଜରିତ। ସେ ଗାନ୍ଧୀ ହତ୍ୟାର ବହୁ ପୂର୍ବରୁ ଏକ ଶ୍ରେଣୀହୀନ, ଜାତିହୀନ ସମାଜଗଠନ ଲକ୍ଷ୍ୟରେ ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଜାତି ପରିଚୟକୁ ପରିହାର କରି ସାରିଥାନ୍ତି। ତାଙ୍କ କାନ୍ଧରେ ପଇତା ନଥିଲା କିମ୍ବା ସେ ‘ଦ୍ବିଜ’ ଧର୍ମରେ ବିଶ୍ବାସ କରୁନ’ଥାନ୍ତି।
ସେ ବିଶ୍ବାସ କରିବାକୁ ପ୍ରସ୍ତୁତ ନ ଥାଆନ୍ତି ଯେ ତାଙ୍କରି ଜାତିର ଜଣେ ଯୁବକ ଗାନ୍ଧିଜୀଙ୍କୁ ଗୁଳି କରିବାବେଳେ ‘ଗୀତା’ର ଶ୍ଳୋକ ଆବୃତ୍ତି କରୁଥିଲା। ଯେଉଁ ଗୀତାକୁ ଗାନ୍ଧିଜୀ ନିଜର ଆଦର୍ଶ ଭାବେ ଗ୍ରହଣ କରି ନିଜର ଜୀବନ ବଞ୍ଚିବାକୁ ଚାହୁଁଥିଲେ, ତାଙ୍କର ହତ୍ୟାକାରୀ ସେଇ ଗୀତାର ବାଣୀ ଉଦ୍ଧାର କରି ତାଙ୍କର ଜୀବନ ନେଲା। ତେଣୁ ବିନୋବାଙ୍କ ମନରେ ମୌଳିକ ପ୍ରଶ୍ନଥିଲା- ଯେଉଁମାନେ ଗାନ୍ଧୀ ଆଦର୍ଶରେ ବଞ୍ଚିିବାକୁ ଶପଥ ନେଇଥିଲେ ଏଇ ଘଟଣାପରେ ସେମାନେ ଗାନ୍ଧୀଙ୍କ ଆଦର୍ଶ, ବିଚାର ଓ ଅହିଂସାମାର୍ଗରେ ଜୀବନ ବିତାଇବାକୁ ଆଉ ବିଶ୍ବାସ ଜୁଟାଇ ପାରିବେ ତ?
ବୋଧହୁଏ ସେମାନେ ସେ ପ୍ରଶ୍ନର ଉତ୍ତର ପାଇପାରି ନଥିଲେ। ପାଇଥିଲେ ଗାନ୍ଧିଜୀଙ୍କ କଳ୍ପିତ ଭାରତ, ଏବେ ଆମେ ଦେଖୁଥିବା ଭାରତ ହୋଇନଥାନ୍ତା । ଜଣେ ବ୍ୟକ୍ତିଙ୍କୁ ହତ୍ୟାକରି ତା’ର ଆଦର୍ଶର ଅନ୍ତ ଘଟାଯାଇପାରେ ନାହିଁ। ଜଣେ ଆଦର୍ଶ ପୁରୁଷଙ୍କୁ ହତ୍ୟାକଲେ ତାଙ୍କ ଆଦର୍ଶର ଅବସାନ ଘଟି ନଥାଏ। କିଛି ଆଦର୍ଶ କାଳଜୟୀ ଓ ସମାଜକୁ ଗଭୀର ଭାବେ ସ୍ପର୍ଶ କରି ପିଢ଼ି ପରେ ପିଢ଼ି ବଞ୍ଚିରହେ।
ଗାନ୍ଧିଜୀ ଦେବତା ନଥିଲେ; ସେ ଥିଲେ ଜଣେ ମଣିଷ। ସେ ଦୃଷ୍ଟିରୁ ଗାନ୍ଧିଜୀ ତ୍ରୁଟିବିଚ୍ୟୁତିର ଊର୍ଦ୍ଧ୍ବରେ ନଥିଲେ। ସେ ନିଜର ବିଫଳତାକୁ ସ୍ବୀକାର କରିଥିଲେ। ସେ ନିଜକୁ ସମାଲୋଚନାର ଊର୍ଦ୍ଧ୍ବରେ ରଖିବାକୁ ଚାହୁଁନଥିଲେ। ସେ ମତଭେଦର ପକ୍ଷପାତୀ ଥିଲେ ଓ ତା ମଧ୍ୟରେ ସତ୍ୟକୁ ଉପଲବ୍ଧି କରୁଥିଲେ। ବିରୋଧ ଓ ଭିନ୍ନମତ ପାଇଁ ତାଙ୍କୁ ଯେ ହତ୍ୟା କରାଯିବ ସେ ନେଇ ବୋଧହୁଏ ଗାନ୍ଧିଜୀଙ୍କର ଓ ତାଙ୍କୁ ଭଲ ପାଉଥିବା ଜନସମୁଦାୟଙ୍କର ଆଶଙ୍କା ତିଳେମାତ୍ର ନଥିଲା।
ଐତିହାସିକ ଟୟନ୍‌ବି ଗାନ୍ଧିଜୀଙ୍କୁ ଏକ ବୃହତ୍ତର ସମାଜତାତ୍ତ୍ବିକ କ୍ଷେତ୍ରରେ ଅଧ୍ୟୟନ କରିଛନ୍ତି। ସେ ତାଙ୍କୁ ଅବଧି ଓ ପରିଧିର ଏକ ବିସ୍ତାରିତ କ୍ଷେତ୍ର ତଥା ସାଂସ୍କୃତିକ ସମ୍ପର୍କ ମଧ୍ୟରେ ଦେଖିଛନ୍ତି। ଏହାକୁ ସେ ସଭ୍ୟତାର ସଂଘର୍ଷ ଭାବେ ଆଖ୍ୟାୟିତ କରିଛନ୍ତି। ସେଥିରେ ଚେନାଏ ସାଂସ୍କୃତିକ ସମନ୍ବୟର ଆକସ୍ମିକ ମେଳଣ ମଧ୍ୟ ସେ ଦେଖିଛନ୍ତି।
ଗାନ୍ଧିଜୀ ଉପରୁ ତଳକୁ ଆସିଛନ୍ତି। ସେ ବିଦେଶରୁ ଦେଶକୁ ଫେରିଛନ୍ତି। ନିଜର କର୍ମକ୍ଷେତ୍ରକୁ ପୁନଃ ଆବିଷ୍କାର କରିଛନ୍ତି ଏକ ନୂଆ ଆଦର୍ଶ ଓ ଲକ୍ଷ୍ୟ ନେଇ। ଏଇଥି ପାଇଁ ସେ ସୁଟ୍‌ବୁଟ୍‌ ଛାଡ଼ି ଅଧାଲଙ୍ଗଳା ଫକିର ହୋଇଛନ୍ତି ସ୍ବେଚ୍ଛାକୃତ ଭାବେ । ସେଥିପାଇଁ କେହି ତାଙ୍କୁ ବାଧ୍ୟ କରିନାହାନ୍ତି। ସେ ସ୍ବୟଂ ପାଶ୍ଚାତ୍ୟ ସାଂସ୍କୃତିକ ବିକିରଣର ଏକ ଉପଜ ପାଲଟିଛନ୍ତି।
ୟୁରୋପର ଉଛୁର ଆଧୁନିକ ଔଦ୍ୟୋଗିକ ସଭ୍ୟତାର କିଛି ତତ୍ତ୍ବ ସହିତ ୍ତାଙ୍କର ଭାରତର ଧର୍ମନିରପେକ୍ଷ ସାମାଜିକ ଢ଼ାଞ୍ଚାର ଏକ ପରିକଳ୍ପନା ରହିଛି। ସେଇ ବିଚାରରେ ଟେକ୍‌ନୋଲୋଜିର ବିକଳ୍ପ ଭାବେ ସେ ଅଧ୍ୟାତ୍ମ ଓ ଧର୍ମକୁ ଗ୍ରହଣ କରିଛନ୍ତି। ତାହାର ପ୍ରୟୋଗ କରିଛନ୍ତି। ସେ ପାଶ୍ଚାତ୍ୟରୁ ଯେଉଁ ରାଜନୈତିକ ପ୍ରୋପାଗଣ୍ଡା (ପ୍ରଚାର) ଓ ରାଜନୈତିକ ସଂଗଠନ କଥା ଶିଖିଛନ୍ତି ତା’କୁ ନୂଆ ଉପାୟରେ, ନୂତନ ମାର୍ଗରେ ଏକ ପରାଧୀନ, ସମସ୍ୟାବହୁଳ ବ୍ୟବସ୍ଥାରେ ଆପଣା ଢ଼ଙ୍ଗରେ ପ୍ରୟୋଗ କରିଛନ୍ତି। ସେଥିପାଇଁ ଟୟନବୀ କହିଲେ, ‘‘ଠୁ ସେଣ୍ଟଲୀ ଟୁ ଲୁଜ୍‌ ଫେତ୍‌ ଆଣ୍ଡ ଠୁ ଗ୍ରେଟ ଟୁ ଫିଲ୍‌ ଫ୍ରଷ୍ଟ୍ରେଟେଡ।’’ ଅର୍ଥାତ ନିଜ ଧର୍ମରେ ଅଟଳ ପରମସନ୍ଥ ଏବଂ ହତାଶାର ବହୁ ଊର୍ଦ୍ଧ୍ବରେ ଜଣେ ମହାନୁଭବ। ତେଣୁ ଏଇ ମହାନ ଐତିହାସିକଙ୍କ ଭାଷାରେ, ‘ଗାନ୍ଧିଜୀ ତାଙ୍କ ବିଚାର ଓ ପ୍ରୟୋଗରେ ବିଫଳ ଥିଲେ।’ ଅବଶ୍ୟ ଏହା ତାଙ୍କର ଅନ୍ତିମ ନିଷ୍କର୍ଷ ନଥିଲା।
ଗାନ୍ଧିଜୀ ଜାଣିଥିଲେ ସେ ବିଫଳ ହୋଇଛନ୍ତି। କେତେକ କ୍ଷେତ୍ରରେ ନିଜର ବିଫଳତାକୁ ସେ ଅନ୍ୟାନ୍ୟ ମହାନ ବ୍ୟକ୍ତିବିଶେଷଙ୍କଠାରୁ ଅଧିକ ସ୍ପଷ୍ଟ ଭାବେ ଜାଣି ପାରିଥିଲେ ଯାହା ଏକ ବିରଳ ବ୍ୟତିକ୍ରମ। ନୂଆଖାଲିର ହିନ୍ଦୁ- ମୁସଲମାନ ସଂଘର୍ଷଜନିତ ଗଣହତ୍ୟା, ଗୃହଦାହ ଓ ତତ୍‌ଜନିତ ବିଭୀଷିକା ଦେଖିବାପରେ ସେ ହତବାକ୍‌ ହୋଇଛନ୍ତି। ନିଜେ ସ୍ବୀକାର କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଚାର ବିଫଳ ହୋଇଛି। ସତ୍ୟର ପ୍ରୟୋଗ ଫଳବତୀ ହୋଇନାହିଁ। ଏପରିକି ସାର୍ବଜନିକ ଜୀବନରୁ ସେ ଅବସର ନେବାକୁ ଚିନ୍ତା କରିଛନ୍ତି। ସେ ବିଷମ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇଛନ୍ତି; ତାଙ୍କର ବିବେକ ଚହଲି ଯାଇଛି। ଅହିଂସାର ପ୍ରସାର ଓ ପ୍ରୟୋଗକୁ ହିଂସା ଓ ସାଂପ୍ରଦାୟିକ ଦଙ୍ଗା ଅଟ୍ଟହାସ୍ୟ କରି ତାଙ୍କ ହୃଦୟକୁ ଦାରୁଣ ଆଘାତ ଦେଇଛି। ସେ କିନ୍ତୁ ହାରି ନାହାନ୍ତି। ସାହସ ଓ ଧୈର୍ୟ୍ୟ ସଂଚୟ କରି ଅମାନୁଷିକତା, ଅବିବେକିତା, କ୍ରୂରତା, ସାଂପ୍ରଦାୟିକତା ଓ ଅନୈତିକତାର ଧ୍ବଂସସ୍ତୂପ ମଧ୍ୟରୁ ଜୀବନର ରାହା ଖୋଜିଛନ୍ତି। ସେଥିରୁ ସଭ୍ୟତା, ସଂସ୍କୃତି ଓ ମାନବିକତାର ମହାର୍ଘ୍ୟ ଉପାଦାନଗୁଡ଼ିକୁ ଉଦ୍ଧାର କରି ମହାଭାରତୀୟ ସଭ୍ୟତାଗତ ମୂଲ୍ୟବୋଧର ବିଶେଷତ୍ବକୁ ପୁନଃ ପ୍ରତିଷ୍ଠା କରିବାକୁ ଯେତିକି ପାରିଛନ୍ତି; ସେତିକି କରିଛନ୍ତି। ବେଶ୍‌ ଅଧିକ ନ’ହେଲେ ମଧ୍ୟ ଆଦୌ କମ୍‌ ନୁହେଁ ନିଶ୍ଚିତ। ସେ ଯାହା କରିଛନ୍ତି ତାହା କରିବା ପାଇଁ ସେ ଯେପରି ନିୟତ, ପୂର୍ବ ନିର୍ଦିଷ୍ଟ ଥିଲେ।
ଏବେ ଆମେ କହିବା କି ଗାନ୍ଧିଜୀ ବିଫଳ ହୋଇଥିଲେ? ଗାନ୍ଧିଜୀ ଗୀତାକୁ ନିଜର ଜୀବନ ସଂହିତା ଓ ମାର୍ଗଦର୍ଶକ ଭାବେ ଗ୍ରହଣ କରିଥିଲେ। ଶ୍ରୀକୃଷ୍ଣ ଯୁଗପୁରୁଷ ଥିଲେ ଏବଂ ସେ ଆମ ଧର୍ମ, ଚେତନା ଓ କର୍ମର ପ୍ରତୀକ। ଆମେ ଗୀତା ପାଠ ବା ଭାଗବତ ପାରାୟଣ କରିବାବେଳେ ତାହାର ବାଣୀ ଏବଂ ଦର୍ଶନକୁ ଗୁରୁତ୍ବ ଦେଉ, ତାହାକୁ ସ୍ମରଣ ରଖି ନିଜ ଜୀବନ ଓ କାର୍ୟ୍ୟକୁ ସଂସ୍କାରିତ, ଅର୍ଥପୂର୍ଣ୍ଣ କରିବାକୁ ଚେଷ୍ଟାକରୁ।
ଗାନ୍ଧିଜୀ ସତ୍ୟ, ଅହିଂସା ଓ ପ୍ରେମର ପୂଜାରୀ ଥିଲେ। ତାଙ୍କୁ ଆମେ ଜଣେ ଉପାସ୍ୟପୁରୁଷ (କଲ୍ଟଫିଗର) ଭାବେ ଦେଖିଥାଉ। ଏଠି ଏବେ ପ୍ରଶ୍ନଟିଏ ମନରେ ଉଠିବା ସ୍ବାଭାବିକ। ଗାନ୍ଧିଜୀଙ୍କୁ ତାଙ୍କ ଜନ୍ମର ୧୫୦ ବର୍ଷ ପରେ ଏକ ପରିବର୍ତ୍ତିତ କାଳରେ ଆମେ ତାଙ୍କୁ କିପରି ଦେଖିବା? ଆମେ ତାଙ୍କୁୁ ଗୀତାର ଶ୍ରୀକୃଷ୍ଣ ଭାବେ ଦେଖି ତାଙ୍କ ଆଦର୍ଶ ଓ ମାର୍ଗରେ ଅନୁପ୍ରାଣିତ ହୋଇ କାର୍ୟ୍ୟ କରିବା ନା ତାଙ୍କୁ ଦେବତ୍ବ ଅର୍ପଣ କରି ପୂଜା ଖଟୁଲିରେ ବସାଇ ସେମିତି ପୂଜା କରି ତାଙ୍କ ଆଦର୍ଶ ଭୁଲିଯିବା ? ଏବେ ଦେଖାଯାଉଛି ଗୀତାପାଠ ଓ ଭାଗବତ ପାରାୟଣ ପରି ଗାନ୍ଧୀ ଦର୍ଶନ ଓ ବିଚାର ସାମୟିକ ବ୍ୟାଖ୍ୟାନ, ଆଲୋଚନାଚକ୍ର ଓ ସଂପାନରେ ସୀମିତ ହୋଇଯାଉଛି। ଗାନ୍ଧୀ ଦର୍ଶନ/ବିଚାରର ପ୍ରୟୋଗାତ୍ମକ ଦିଗଟି କ୍ରମଶଃ ଶିଥିଳ ପଡ଼ିଯାଉଛି।
ଇତିହାସ କହୁଛି ଜଣେ ବ୍ୟକ୍ତି ମହାପୁରୁଷ ସ୍ତରକୁ ଉନ୍ନୀତ ହୋଇଗଲେ ତାଙ୍କ ଉପରେ ଦେବତ୍ବାରୋପଣ ହୁଏ ଓ ସେ ଉପାସ୍ୟ ପାଲଟି ଯାଆନ୍ତି। ଏଇଟି ଦେବତ୍ବ ଆରୋପଣ ବା ଆପୋସ୍ତେସିସ୍‌ର କଥା ଓ ଏକ ସାର୍ବଜନିକ ମାନସିକତା। ଥରେ ବ୍ୟକ୍ତି ଉପରେ ଦେବତ୍ବାରୋପଣ ହେଲେ ତାଙ୍କୁ ଆଦର୍ଶଭାବେ ନେଇ ତାଙ୍କର ଗୁଣଗାନ କରାଯାଏ। ଅନେକ ତାଙ୍କୁ ଠାକୁର ଭାବେ ପୂଜା କରନ୍ତି। ତାଙ୍କ ଉପରେ ପୁସ୍ତକରଚନା ହୁଏ, ଟୀକା ଟିପ୍ପଣୀ ଓ ଅନ୍ବୟ ସହିତ ଏକ ନୂଆ ବିଚାରଧାରା ଆରମ୍ଭ ହୁଏ। ସେଇ ବ୍ୟକ୍ତିଙ୍କ ଉପରେ ଏତେ ଅଧ୍ୟୟନ ଓ ଗବେଷଣା ହୁଏ ଯେ ତା’ର ସୀମା ନଥାଏ। ତା’ଭିତରେ ସଂପୃକ୍ତ ବ୍ୟକ୍ତିଙ୍କର ମୌଳିକ ଚିନ୍ତନ ଓ ଦର୍ଶନ ନୂଆ ପୋଷାକ ପିନ୍ଧି ନବ ସିଦ୍ଧାନ୍ତର ସୂତ୍ରପାତ କରେ। ତାଙ୍କ ମୂଳଦର୍ଶନରୁ ନୂଆ ପରିଭାଷା ବାହାରେ । ଶେଷରେ ଏହା କେଉଁ ସ୍ତରକୁ ଯାଏ ତାହା ଅନୁମାନ କରିବା କଷ୍ଟ।
ଗାନ୍ଧିଜୀ ନିଜେ ନିଜର ଦର୍ଶନ ବା ମତବାଦ ଲିପିବଦ୍ଧ କରିନଥିଲେ। ସେ ମଧ୍ୟ କାହାକୁ ବସାଇ ଏସବୁକୁ ଲେଖାଇ ଛପାଇ ନଥିଲେ। ତାଙ୍କର କିଛି ଏକାନ୍ତ ଅନୁଗତ, ଅନୁଗାମୀ ବିଭିନ୍ନ ସମୟରେ ଗାନ୍ଧିଜୀଙ୍କ କଥୋପକଥନ, ଭାଷଣ, ଲେଖା ଓ କାର୍ୟ୍ୟରୁ ଯେଉଁସବୁ ସାରକଥାମାନ ସଂଗ୍ରହକରି ଲିପିବଦ୍ଧ କରିଯାଇଛନ୍ତି ତାହା ଗାନ୍ଧୀ ଦର୍ଶନ।
ଆମେ ଆଜି କେଉଁ ଗାନ୍ଧୀଙ୍କୁ ଖୋଜିବା? ଏବେ ଭାରତ ଯେଉଁ ସ୍ଥିତିରେ ଅଛି ସେଠି କେଉଁ ଗାନ୍ଧୀଙ୍କର ଆଦର୍ଶର ଆବଶ୍ୟକତା ରହିଛି ତାହା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଆମେ ଆଜି ଭାରତରେ ରାଜନୈତିକ ମୁକ୍ତିଦାତା ଗାନ୍ଧିଜୀଙ୍କୁ ଲୋଡ଼ିବା ନା ସନ୍ଥ ଗାନ୍ଧୀଙ୍କୁ ଖୋଜିବା ତାହା ପ୍ରଥମେ ସ୍ପଷ୍ଟ ହେବା ଆବଶ୍ୟକ। ସମୟ ଯେତେ ଆଗକୁ ବଢ଼ୁଛି ଗାନ୍ଧୀ ଅନ୍ବେଷା ସେତେ ବ୍ୟାପକ ଓ ବଳବତ୍ତର ହେଉଛି। ଗାନ୍ଧିବାଦର ଗବେଷଣା ଓ ଅନ୍ବୟ ନୂଆନୂଆ ଦିଗରୁ କରାଯାଉଛି। ଗାନ୍ଧିଜୀ ଯେତେ ପୁରୁଣା ହେଉଛନ୍ତି ତାଙ୍କ ବିଷୟରେ ସେତେ ଅଧିକ ଗବେଷଣାଲବ୍ଧ ସନ୍ଦର୍ଭ ପ୍ରକାଶ ପାଉଛି। ଗବେଷଣାର ସିଦ୍ଧାନ୍ତ ମୁଖ୍ୟତଃ ଦୁଇଶ୍ରେଣୀର। ଗୋଟିଏ ଗାନ୍ଧିଜୀଙ୍କୁ ଯୁଗପୁରୁଷଭାବେ ପ୍ରତିପାଦନ କରୁଥିବାବେଳେ ଅନ୍ୟଟିରେ ନ୍ୟୂନ ଭାବେ ଦର୍ଶାଇବାର ପ୍ରୟାସ କରାଯାଉଛି। ଗାନ୍ଧିବାଦର ବୌଦ୍ଧିକ, ଗବେଷଣାତ୍ମକ ବିଖଣ୍ଡନ, ବିଘଟନ ପ୍ରକ୍ରିୟାରେ ପାଠକ କେବଳ ଦ୍ବନ୍ଦ୍ବରେ ପଡ଼ୁନାହିଁ, ସତ୍ୟ ପ୍ରକାଶର ଦ୍ବାହିରେ ଏକ ମହାନ୍‌ ଆତ୍ମା ଓ ଗୋଟିଏ ଅମୂଲ୍ୟ ଐତିହ୍ୟ ବେଳେବେଳେ ଆହତ ହେଉଛି।
ପ୍ରଥମରୁ ଉଲ୍ଲେଖ ଅଛି, ଅନ୍ତିମ ସମୟରେ ଗାନ୍ଧିଜୀଙ୍କ ନାଡ଼ି ଦେଖି ସର୍ଦାର ପଟେଲ, ପଣ୍ଡିତ ନେହେରୁଙ୍କୁ କହିଥିଲେ ‘ତଥାପି ଟିକେଟିକେ ସ୍ପନ୍ଦନ ହେଉଛି।’ ଆଜି ମନେହେଉଛି ଭାରତର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଗାନ୍ଧୀଆଦର୍ଶ ଓ ମୂଲ୍ୟବୋଧ ଏବେ ମଧ୍ୟ ଦିକ୍‌ଦିକ୍‌ ହୋଇ ଚାଲିଛି। ଏହା କେତେକାଳ ଆଉ ଚାଲିବ ତାହା ଆମ ଉପରେ, ପ୍ରତ୍ୟେକ ଦାୟିତ୍ବବାନ ଭାରତୀୟଙ୍କ ଉପରେ ନିର୍ଭର କରେ।
ଗାନ୍ଧିଜୀ କହିଥିଲେ, ‘‘ଜୀବନରେ ଏମିତି କିଛି କ୍ଷଣ ଆସେ ଯେତେବେଳେ ତୁମକୁ କିିଛି କରିବାକୁ ପଡ଼ିବ। ସେତେବେଳେ ନିଜର ଶ୍ରେଷ୍ଠ ବନ୍ଧୁଙ୍କର ସହଯୋଗ ମଧ୍ୟ ମିଳି ନ’ପାରେ। କର୍ତ୍ତବ୍ୟକୁ ନେଇ ଦ୍ବନ୍ଦ୍ବ ଆସିଲେ ତମର ବିବେକ ଓ କଠୋର ନୈତିକ ନିଷ୍ପତ୍ତି ଏଭଳି କ୍ଷଣରେ ଅନ୍ତିମ ନିର୍ଣ୍ଣାୟକ ହେବା ଉଚିତ।’’
ବ୍ୟକ୍ତିଗତ, ଗୋଷ୍ଠୀଗତ ବା ରାଷ୍ଟ୍ର ଜୀବନରେ ଏମିତି ଦ୍ବନ୍ଦ୍ବାତ୍ମକ କ୍ଷଣରେ ଗାନ୍ଧିଜୀଙ୍କ ପରଶମଣି ଆମକୁ ବାଟ ଦେଖାଉ ଓ ଆମର ବିବେକ ଏବଂ କଷ୍ଟସାଧ୍ୟ ନୈତିକ ନିଷ୍ପତ୍ତି ଅନ୍ତିମ ନିର୍ଣ୍ଣାୟକ ହେଉ।

ତପନ କୁମାର ମିଶ୍ର
ଗୋପବନ୍ଧୁ ଭବନ, ‘ସମାଜ’, କଟକ-୧

Comments
Loading...