ଉତ୍ତପ୍ତ ପୃଥିବୀ ଓ ଶୀତଳ ଚିନ୍ତନ

ପ୍ରଫୁଲ୍ଲ ସାମନ୍ତରା

ଆଜିର ଦିନରେ ଗାଁ, ସହର, ସମୁଦ୍ର କୂଳ, ପାହାଡ଼ ଗ୍ରୀଷ୍ମର ପ୍ରକୋପରେ ଅତିଷ୍ଠ। ଓଡ଼ିଶାର ପୁରପଲ୍ଲୀ ସମେତ ରାଜଧାନୀ ଏବେ ତତଲା କଡ଼େଇରେ ଯେପରି ଭାଜି ହେଉଛି। ଅସମୟ ବର୍ଷା , ଅଶାତୀତ ଶୀତ, ବର୍ଷା ଦିନେ ମରୁଡ଼ି ସହ ବାରମ୍ବାର ବାତ୍ୟାଝଡ଼ର ଆଗମନ ଯୋଗୁଁ ବିପର୍ଯ୍ୟୟ ଗାଁରୁ ସମଗ୍ର ବିଶ୍ୱରେ ସଂକଟ ସୃଷ୍ଟି କରିଛି। ଏହି ସଂକଟର ନାମ ବାୟୁମଣ୍ଡଳ ପରିବର୍ତ୍ତନ, ଯାହାର ମୂଳ କାରଣ ତାପବୃଦ୍ଧି। ଏଥିପାଇଁ ଦାୟୀ ଅତ୍ୟଧିକ ଜୀବାଶ୍ମ ଇନ୍ଧନ (ଫସିଲ୍‌ ଫୁଏଲ) ବ୍ୟବହାରର ପରିଣାମ ଗ୍ରୀନ ହାଉସ ଗ୍ୟାସ। ଏହି ଗ୍ୟାସ ନିଃସରଣ ପାଇଁ ଅତ୍ୟଧିକ ଦାୟୀ ଆମେରିକା ପରି ଦେଶ। ପ୍ରତିକାର ହେଉଛି ଧରିତ୍ରୀକୁ ଶୀତଳ କରିବା ଆଡ଼କୁ ଫେରିବାକୁ ହେବ।
ଗତ ବର୍ଷ ଅକ୍ଟୋବରରେ ଜାତିସଂଘର ଆନ୍ତଃସରକାରୀ ବାୟୁମଣ୍ଡଳ ପରିବର୍ତ୍ତନ ଦଳ (ଆଇପିସିସି)ର ସମୀକ୍ଷା ରିପୋର୍ଟ ସତର୍କ କରାଇ ଦେଇଛି ଯେ ପ୍ୟାରିସ ସମ୍ମିଳନୀର ବୁଝାମଣା ଓ ଘୋଷଣା ଅନୁଯାୟୀ ଫସିଲ ଫୁଏଲର ବ୍ୟବହାର ଓ ଉତ୍ପାଦନ ହ୍ରାସ ପାଇ ନ ଥିବାରୁ ତାପ ବୃଦ୍ଧିଜନିତ କ୍ଷୟକ୍ଷତି ଅତି ସାଂଘାତିକ ହେବ। ଏବେ ମେ’ ମାସରେ ପ୍ୟାରିସଠାରେ ଅନୁଷ୍ଠିତ ଜୈବବିବିଧତା ଓ ଅର୍ଥ ବ୍ୟବସ୍ଥା ଉପରେ ଗଠିତ ଆନ୍ତଃସରକାରୀ ବିଜ୍ଞାନ ନୀତି ପ୍ଳାଟଫର୍ମର ସମ୍ମିଳନୀର ବୈଜ୍ଞାନିକ ପ୍ରଫେସର ଜୋସେଫ ସେଟଲେ କହିଛନ୍ତି ଯେ ରାସାୟନିକ ଚାଷ ଓ ମତ୍ସ୍ୟ ଉତ୍ପାଦନ ବିଭିନ୍ନ ପ୍ରଜାତିର ପଶୁପକ୍ଷୀମାନଙ୍କ ବଂଶଲୋପ କରିଦେବ। ପୃଥିବୀରେ ୮୦ ଲକ୍ଷ ବୃକ୍ଷଲତା, କୀଟପତଙ୍ଗ ଓ ପଶୁମାନଙ୍କ ପ୍ରଜାତି ବିଲୁପ୍ତ ହୋଇଯିବା ସମ୍ଭାବନା ବେଶି। ଏମାନଙ୍କ ମଧ୍ୟରୁ ୫ ଲକ୍ଷ ପ୍ରଜାତିଙ୍କ ପାଇଁ ପ୍ରାକୃତିକ ଆବାସ ନାହିଁ। ପ୍ରତିବର୍ଷ ବିଶ୍ୱର ସମୁଦ୍ର ଓ ନଦୀମାନଙ୍କରେ ୪୦ କୋଟି ଟନ ଟକ୍‌ସିକ ବର୍ଜ୍ୟବସ୍ତୁ ଛଡ଼ାଯାଉଛି। ଚାଷ ଜମିର ୭୫%, ସମୁଦ୍ରର ୪୦% ଓ ୩୦% ନଦୀମାନଙ୍କର ମଣିଷକୃତ ପ୍ରଦୂଷଣର ପ୍ରଭାବ ପଡ଼ୁଛି। ରାସାୟନିକ ସାର ଯୋଗୁଁ ପ୍ରଦୂଷଣ ୨ ଲକ୍ଷ ୪୫ ହଜାର ବର୍ଗ କି.ମି ସାମୁଦ୍ରିକ ଜଳରେ ୪୦୦ ଲୋ-ଅକ୍ସି​‌େ​‌ଜନ ମୃତ ଅଞ୍ଚଳ ସୃଷ୍ଟି କରିଛି। ଯଦି ବର୍ତ୍ତମାନ ତାପମାତ୍ରା ବୃଦ୍ଧି ଜାରି ରହେ ତାହା ୨୧୦୦ ବେଳକୁ ୪.୦୩ ଡିଗ୍ରୀ ସେଲସିୟସ ବଢ଼ିବ ଯାହାଫଳରେ ପୃଥିବୀର ସମସ୍ତ ପ୍ରଜାତିର ଏକଷଷ୍ଠାଂଶ ସଂପୂର୍ଣ୍ଣ ବିଲୋପ ହୋଇଯିବ। ବର୍ତ୍ତମାନ ବାୟୁମଣ୍ଡଳ ଆକଳନ ଅଧ୍ୟୟନ ରିପୋର୍ଟ ଏକଥା କହିବା ସହ ପରାମର୍ଶ ଦେଇଛି ଯେ – ୧.୫ରୁ ୨ ଡିଗ୍ରୀ ମଧ୍ୟରେ ତାପମାତ୍ରା ବୃଦ୍ଧିକୁ ସୀମିତ ରଖିବାକୁ ହେଲେ ଆର୍ଥିକ ନୀତିରେ ବ୍ୟାପକ ପରିବର୍ତ୍ତନ କରିବାକୁ ହେବ। ବର୍ତ୍ତମାନ ବିକାଶ ଢାଞ୍ଚାକୁ ଶିଳ୍ପାୟନ ଆବଶ୍ୟକତାଠାରୁ ଅଧିକ ନ କରିବାକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ଯାହାଦ୍ୱାରା ପ୍ରକୃତିର ସଂରକ୍ଷଣ ପୁନରୁଦ୍ଧାର ଓ ନିରନ୍ତର ବ୍ୟବହାର କରାଯାଇ ପାରିବ। କାରଣ ମୁନାଫାଖୋର କର୍ପୋରେଟ ନିୟନ୍ତ୍ରିତ ବଜାର ବ୍ୟବସ୍ଥା ପ୍ରକୃତିର ସ୍ଥାୟିତ୍ୱ ବା ନିରନ୍ତରତା ଚାହେଁ ନାହିଁ। ବ୍ରିଟିଶ ପରିବେଶ ବୈଜ୍ଞାନିକ ରବର୍ଟ ୱାଟସନ ରିପୋର୍ଟରେ ଥିବା ଅଧ୍ୟୟନକୁ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ୫୦ଟି ଦେଶର ୧୪୫ ବିଶେଷଜ୍ଞଙ୍କ ୧୫୪୦ ଗବେଷଣାମୂଳକ ଲେଖାରୁ। ବାୟୁମଣ୍ଡଳ ପରିବର୍ତ୍ତନ ଦ୍ୱାରା ପୂର୍ବ ପ୍ରଶାନ୍ତ ମହାସାଗରରେ ଏଲନିନୋର ଆବିର୍ଭାବ ଗତ ଶତାବ୍ଦୀର ଶେଷଭାଗରୁ ବାରମ୍ବାର ଦେଖିବାକୁ ମିଳୁଛି ଯଦିଚ ଏହା ୧୮୭୭ରେ ପ୍ରଥମେ ଦେଖାଦେଇଥିଲା। ୧୯୫୦ ପରେ ୧୯୯୭-୯୮ର ଏଲନିନୋ ସବୁଠାରୁ ଶକ୍ତିଶାଳୀ ଥିଲା। ୨୦୦୨, ୨୦୦୪ ଓ ୨୦୦୯ ରେ ଏହାର ପ୍ରଭାବ ଥିଲା ଓ ୨୦୦୯ରେ ସାଂଘାତିକ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ଖାଦ୍ୟଶସ୍ୟର ଦାମ ବୃଦ୍ଧି କରାଇଥିଲା। ଏହା ବିଶ୍ୱର ୨୨ ରୁ ୨୪ ପ୍ରତିଶତ ଖାଦ୍ୟଶସ୍ୟ ଉତ୍ପାଦିତ ଅଞ୍ଚଳକୁ ପ୍ରଭାବିତ କରିଥିଲା।
ବିଂଶ ଶତାବ୍ଦୀର ଶେଷ ଭାଗରେ ପ୍ରତି ୧୦ ବର୍ଷ ମଧ୍ୟରେ ତାପମାତ୍ରା ବୃଦ୍ଧି ହୋଇଥିଲା ୦.୦୦୬୦, କିନ୍ତୁ ୧୯୯୮ରେ ହଠାତ୍‌ ୦.୧୭୦ ବଢ଼ିଥିଲା। ୨୦୩୦ ବେଳକୁ ଯଦି ତାପ ୦.୨୦ ବଢ଼ିଯାଏ ତାହା ହେଲେ ଭୂପୃଷ୍ଠର ଜୈବବିବିଧତା ପରିବେଶୀୟ ଅତ୍ୟଧିକ ହେବ। ୧୮୭୦ ରୁ ୨୦୦୫ ମଧ୍ୟରେ ଭୂପୃଷ୍ଠର ପ୍ରଜାତି ଅବକ୍ଷୟ ହୋଇଛି ୨୫%, ସାମୁଦ୍ରିକ ୨୮% ଓ ମଧୁର ଜଳର ୨୯% ଏକବିଂଶ ଶତାବ୍ଦୀର ଶେଷ ଆଡ଼କୁ ହିମାଳୟର ହିମଶଯ୍ୟା ୪୫% ତରଳି ଯିବ। ନେପାଳର ହିମଶଯ୍ୟା ୨୪% ତରଳି ଯାଇଛି ୧୯୭୬ ରୁ ୨୦୧୦ ମଧ୍ୟରେ। ପ୍ରକୃତି ଦେଇଛି ଆମକୁ ଏପରି ଏକ ପୃଥିବୀ ଯାହାର ଭୌଗୋଳିକ ସ୍ଥିତିରେ ସାଗର ହେଉଛି ୯୭.୩ ଓ ଅବଶିଷ୍ଟ ୨.୭ ପ୍ରତିଶତ ମଧ୍ୟରୁ ବରଫ (ଗ୍ଲାସିୟରେ) ୨.୧, ଭୂତଳ ଜଳ ୦.୬, ହ୍ରଦ .୦୦୯, ଆର୍ଦ୍ର ମାଟି ୦.୦୦୪, ବାୟୁମଣ୍ଡଳରେ ୦.୦୦୦୯ ଏବଂ ନଦୀଗୁଡ଼ିକରେ ମାତ୍ର ୦.୦୦୦୧ ପ୍ରତିଶତ ରହିଛି। ତେଣୁ ଜଳର ସଂରକ୍ଷଣ ଏକାନ୍ତ ଜରୁରୀ।
‘ବାୟୋଲୋଜିକାଲ କଂଜର୍ଭେସନ’ ପତ୍ରିକାରେ ପ୍ରକାଶିତ ହୋଇଛି ଯେ ବିଶ୍ୱ ତମାମ ସାଂଘାତିକଭାବେ ପରିବେଶ ଅବକ୍ଷୟ ଯୋଗୁଁ ୪୦% ପତଙ୍ଗ ପ୍ରଜାତି ବିଲୋପ ହୋଇ ଯାଇଥାଇପାରେ। ଏକ- ତୃତୀୟାଂଶ ସଂକଟାପନ୍ନ ଅବସ୍ଥାରେ ସମ୍ମୁଖୀନ ହେବା ସମ୍ଭାବନା ରହିଛି। ପ୍ରତିବର୍ଷ ସମଗ୍ର ପତଙ୍ଗ ମଧ୍ୟରୁ ୨.୫% କମୁଛି ଏବଂ ଆସନ୍ତା ଶହେ ବର୍ଷ ମଧ୍ୟରେ ସମସ୍ତ ପତଙ୍ଗ ବଡ଼ବଡ଼ ପଶୁ ଜାତୀୟ ପ୍ରଜାତି ମଧ୍ୟରୁ ୬୦ଟିର ଲୋପ ହୋଇଯିବ। ଜର୍ମାନୀ ଓ ପୁଏର୍ଟୋରିକାରେ ହୋଇଥିବା ଅଧ୍ୟୟନ ସୂଚିତ କରୁଛି ଯେ ପତଙ୍ଗଗୁଡ଼ିକର ବିଲୋପ ଏକ ବିଶ୍ୱ ପ୍ରାକୃତିକ ସଂକଟ। ରାସାୟନିକ କୃଷିରେ ବିଷାକ୍ତ ସାର ଓ କୀଟମରା ଔଷଧ ଓ ବାୟୁମଣ୍ଡଳ ପରିବର୍ତ୍ତନ ଏହି ବିଲୋପର କାରଣ। ତେଣୁ ଏହି ବିଲୋପ ପ୍ରକ୍ରିୟାକୁ ପ୍ରତିହତ କରାନଗଲେ ଅତି ସାଂଘାତିକ ପରିଣାମ ଭୋଗିବାକୁ ହେବ। ସ୍ୱି​‌େ​‌ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ପ୍ରଫେସର ସାଂଚେ ବାୟୋ କହନ୍ତି; ବହୁ ପକ୍ଷୀ, ପଶୁ, ଜୀବଜନ୍ତୁ ସାପ, ବେଙ୍ଗ ଓ ମାଛ କୀଟପତଙ୍ଗକୁ ଖାଦ୍ୟ ରୂପେ ଖାଆନ୍ତି। ଯଦି ଏହି ଖାଦ୍ୟ ରହିବ ନାହିଁ, ଖାଦକମାନେ ଅନାହାର ମୃତ୍ୟୁ ବରଣ କରିବାକୁ ବାଧ୍ୟ। ଆଇ ପି.ବି.ଇଏସ୍‌ ର ସଭ୍ୟ ପ୍ରାଣୀବିଜ୍ଞାନୀ ପ୍ରଫେସର କମଲବାୱାରେଲେ ୨୦୧୫ରେ ପ୍ରସ୍ତୁତ କରିଥିବା ରିପୋର୍ଟରେ ଦର୍ଶାଇଥିଲେ ଯେ ଜଙ୍ଗଲୀ ପରାଗରେଣୁ ବାହକ ରୂପେ ୨୦ ହଜାର ପ୍ରଜାତି ମଧ୍ୟରେ କୀଟପତଙ୍ଗ ରହିଛନ୍ତି ଯାହାଦ୍ୱାରା ସମ୍ଭବପର ହୋଇଛି ଖାଦ୍ୟଶସ୍ୟ, ଡାଲିଜାତୀୟ, ସୂର୍ଯ୍ୟମୁଖୀ, ଗୁଜରାତି, ଅ​‌େ​‌ଳଇଚ, କାଫି, କାଜୁ, କମଳା ପ୍ରଭୃତିର ଉତ୍ପାଦନ।
ଆମେରିକାର ସାନ୍‌ଫ୍ରାନସିସ୍କୋର ଗୋଲଡ଼ମେନ ଫାଉଣ୍ଡସେନ ତରଫରୁ ପ୍ରାକୃତିକ ସଂପଦର ସୁରକ୍ଷା ପାଇଁ କର୍ପୋରେଟ ଲୁଟ ବିରୋଧରେ ସଂଗ୍ରାମରତ ପରିବେଶ ସୁରକ୍ଷା ସଂଗ୍ରାମୀମାନଙ୍କ ମଧ୍ୟରୁ ପ୍ରତିବର୍ଷ ୬ଟି ମହାଦେଶର ୬ ଜଣଙ୍କୁ ଗ୍ରୀନ୍‌ ନୋବେଲ ରୂପେ ପରିଚିତ ଗୋଲଡ଼ମ୍ୟାନ ଏନଭିରୋନମେଣ୍ଟାଲ ପୁରସ୍କାର ପ୍ରଦାନ କରାଯାଉଛି। ଏହି ପୁରସ୍କାର (୨୦୧୭) ଗ୍ରହଣ କରିବା ପରେ ଏହି ଲେଖକ ସେଠାରେ ସମବେତ ବୁଦ୍ଧିଜୀବୀ, ଶିକ୍ଷାବିତ, ଯୁବଛାତ୍ରମାନଙ୍କୁ ନିବେଦନ କରିଥିଲା, ଧରିତ୍ରୀ ମାତାର ସୁରକ୍ଷା ପାଇଁ ପ୍ରାକୃତିକ ସଂପଦର ସଂରକ୍ଷଣ ଓ ସୁରକ୍ଷା ପାଇଁ ଧନୀ ରାଷ୍ଟ୍ର ଓ ବିଶ୍ୱର ସର୍ବତ୍ରଧନିକ ଶ୍ରେଣୀ ଉପଭୋଗବାଦକୁ ପରିହାର କରି ବିଶ୍ୱ ପୁଞ୍ଜିବାଦୀ ବିକାଶ ଢାଞ୍ଚାକୁ ପ୍ରତ୍ୟାଖ୍ୟାନ କରିବାକୁ ହେବ। ମହାତ୍ମାଗାନ୍ଧୀଙ୍କ ବିଚାରକୁ ଆଧାର କରି ଓ ବୈଜ୍ଞାନିକମାନଙ୍କ ତଥ୍ୟକୁ ଗ୍ରହଣ କରି ଏକ ବିକଳ୍ପ ବିକାଶ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ।
ଯୁକ୍ତରାଷ୍ଟ୍ର ଆମେରିକା ୨୦୨୦ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଣତାନ୍ତ୍ରିକ ଦଳର ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ବିତା କରିବାକୁ ଘୋଷଣା କରିଥିବା ୱାଶଂିଟନର ଗଭର୍ଣ୍ଣର ଜୟ ଇନଶ୍ଳୀ ପ୍ରକାଶ କରିଛନ୍ତି ଯେ ଯଦି ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇ ନିର୍ବାଚିତ ହେଲା ପରେ ବଡ଼ବଡ଼ କୋଠା ଘର, ବିଦ୍ୟୁତ ଓ ଯାନବାହନ ଦ୍ୱାରା ହେଉଥିବା ପ୍ରଦୂଷଣ ହ୍ରାସ କରିବା ସହ କୋଇଲା ବ୍ୟବହାରକୁ ୨୦୩୦ ସୁଦ୍ଧା ବନ୍ଦ କରିଦେବେ। ଏପରି ଘୋଷଣା ପରେପରେ ଅଧିକାଂଶ ଗଣତାନ୍ତ୍ରିକ ଦଳର ମନୋନୟନ ପାଇଁ ପ୍ରାର୍ଥୀମାନେ କହିଲେଣି ଯେ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲା ପରେ ହ୍ୱାଇଟହାଉସରେ ପ୍ରଥମ ଦିନ ବାୟୁମଣ୍ଡଳ ପରିବର୍ତ୍ତନର ନିରାକରଣ ପାଇଁ ପ୍ରାଥମିକତା ଦେବେ। ଯେଉଁଠି ରାଷ୍ଟ୍ରପତି ଟ୍ରମ୍ପ ବାୟୁମଣ୍ଡଳ ପରିବର୍ତ୍ତନର ବୈଜ୍ଞାନିକ ତଥ୍ୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ଓ ଜୀବାଶ୍ମ ଜାଳେଣିକୁ ବଢ଼ାଇବା ପାଇଁ ନିୟମ କାନୁନକୁ ଦୁର୍ବଳ କରାଇଛନ୍ତି; ସେହି ରାଷ୍ଟ୍ରରେ ଗଣତାନ୍ତ୍ରିକ ଦଳର ରାଷ୍ଟ୍ରପତି ମନୋନୟନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବ୍ୟକ୍ତିମାନେ ୨୦୨୦ନିର୍ବାଚନରେ ବାୟୁମଣ୍ଡଳ ପରିବର୍ତ୍ତନ ପ୍ରତିରୋଧକୁ ଏକ ମୁଖ୍ୟ ପ୍ରସଙ୍ଗ କରିବା ଏକ ଶୁଭ ସଂକେତ। କିନ୍ତୁ ଆମ ଦେଶରେ କୌଣସି ଦଳ ନିର୍ବାଚନ ଇସ୍ତାହାରରେ କେଉଁଠି ମଧ୍ୟ ପରିବେଶର ସୁରକ୍ଷା କଥା ବାୟୁମଣ୍ଡଳ ପରିବର୍ତ୍ତନଜନିତ ପ୍ରସଙ୍ଗକୁ ସ୍ଥାନିତ କରି ନାହାନ୍ତି କିମ୍ବା ନିର୍ବାଚନ ସଭାରେ ଏହାକୁ ଏକ ମୁଖ୍ୟ ପ୍ରସଙ୍ଗ ରୂପେ ଉପସ୍ଥାପନା କରି ନାହାନ୍ତି। ଆମ ଦେଶରେ ଏଥିପାଇଁ ଅନ୍ତତଃ ଜର୍ମାନୀର ଗ୍ରୀନ୍‌ ପାର୍ଟିପରି ଏକ ସବୁଜ ରାଜନୈତିକ ଦଳର ଆବଶ୍ୟକତା ଆସନ୍ନ ହୋଇପଡ଼ିଛି ଯାହାଦ୍ୱାରା ପରିବେଶ ଜନିତ ମୌଳିକ ସମସ୍ୟାଗୁଡ଼ିକ ରାଜନୈତିକ ପ୍ରସଙ୍ଗ ହୋଇପାରିବ।
ଆମ ସାମ୍‌ନାରେ ବିଶ୍ୱର ଛାତ୍ରଛାତ୍ରୀ ତଥା ଯୁବ ସମାଜକୁ ପ୍ରେରଣାର ପ୍ରତୀକ ହୋଇ ଯାଇଛି ସ୍ୱି​‌େ​‌ଡନର ସ୍କୁଲ ଛାତ୍ରୀ ୧୬ ବର୍ଷୀୟ ଗ୍ରେଟା ଥାନବର୍ଜ ଯିଏକି ଗତବର୍ଷ ସ୍ୱିଡେନର ସଂସଦ ସାମନାରେ ସତ୍ୟାଗ୍ରହ କରି ମାସ ମାସ ଧରି ଧାରଣାରେ ବସିଲା ସେ ଦେଶର ନିର୍ବାଚନ ବେଳେ। ନିର୍ବାଚନ ଶେଷପରେ ସେ ପ୍ରତି ଶୁକ୍ରବାର ନିୟମିତ ଭାବେ ଧାରଣାରେ ବସୁଛି। ନିଜ ସ୍କୁଲ ସାଥିମାନେ ସହଯୋଗ କରୁଛନ୍ତି। ସମଗ୍ର ୟୁରୋପରେ ଜନମତ ଜାଗ୍ରତ ହୋଇଛି ଓ ବିଶ୍ୱର ଛାତ୍ରଛାତ୍ରୀଙ୍କ ସମେତ ୧୩୩ଟି ଦେଶର ୧୬ଲକ୍ଷ ଲୋକ ଏହି ସ୍କୁଲ ଛାତ୍ରୀର ଡାକରାରେ ତାପ କମାଇବା ପାଇଁ ରାସ୍ତାକୁ ଆସି ପ୍ରତିବାଦ କରିଥିିଲେ ଗତ ମାର୍ଚ୍ଚ ୧୫ ତାରିଖରେ। ଗ୍ରେଟାର ଡାକରା “ଆମ ଭବିଷ୍ୟତ ନାହିଁ ସ୍କୁଲକୁ କାହିଁକି ଯିବୁ?” ପ୍ରଚଳିତ ଭୋଗବାଦୀ ବିକାଶ ଧାରାରୁ ହଟି ପ୍ରାକୃତିକ ସଂପଦର ସଂରକ୍ଷଣ ସହ ଆବଶ୍ୟକତାଠାରୁ ଅଧିକ ଉପଭୋଗ ନକରି ନିରନ୍ତର ବିକାଶପଥକୁ ଆପଣାଇବା ହିଁ ବିକଳ୍ପ ଯାହାକୁ ଜାତିସଂଘର ୨୦୧୮ ସମୀକ୍ଷା ରିପୋର୍ଟରେ ବିଶେଷଜ୍ଞମାନେ ସୂଚେଇଛନ୍ତି। ଉତ୍ତପ୍ତ ଧରିତ୍ରୀକୁ ଶୀତଳ କରିବାକୁ ପ୍ରକୃତି ପ୍ରତି ହେଉଥିବା ଅନ୍ୟାୟକୁ ବନ୍ଦ କରାଯାଉ। ପରିବେଶ ଦିବସରେ ଏହା ହିଁ କାମନା।

Comments
Loading...