ଉତ୍କଳ ସମ୍ମିଳନୀ ଓ ଉତ୍କଳମଣି

0
ପ୍ରଫେସର ବୈଷ୍ଣବଚରଣ ସାମଲ

ବିଖଣ୍ଡିତ କଳେବରା ଛିନ୍ନମସ୍ତା ଉତ୍କଳ ଜନନୀ ପାଇଁ ‘ଉତ୍କଳ ସମ୍ମିଳନୀ’ ଥିଲା ଏକ ଐତିହାସିକ ଆବଶ୍ୟକତା। କୁଳବୃଦ୍ଧ ମଧୁସୂଦନ ଦାସଙ୍କ ନେତୃତ୍ୱରେ ୧୯୦୩ ମସିହା ଡିସେମ୍ବର ମାସ ୩୦ ଓ ୩୧ ତାରିଖ ଦୁଇଦିନ ଧରି ଉତ୍କଳ ସମ୍ମିଳନୀର ପ୍ରଥମ ଜାତୀୟ ମହାସଭା କଟକର ଇଦ୍‍ଗା ପଡ଼ିଆଠାରେ ଅନୁଷ୍ଠିତ ହୋଇ ଓଡ଼ିଆ ଜାତି ଭିତରେ ଏକ ନୂତନ ଆଶାର ସଞ୍ଚାର କରିଥିଲା। ଏହା ହିଁ ଥିଲା ହୃତ ଗୌରବ ମହାଜାତିର ଅସ୍ମିତାର ନୂତନ ଉଚ୍ଚାରଣ। ଏହିଠାରୁ ଉତ୍କଳକୁ ଆମେ ଜନନୀ ବୋଲି ସମ୍ବୋଧନ କଲୁ। ଉତ୍କଳର ସନ୍ତାନମାନଙ୍କ ଭିତରେ ଜାତୀୟ ଐକ୍ୟ ସ୍ଥାପନ ଓ ଉତ୍କଳକୁ ସ୍ୱତନ୍ତ୍ର ପ୍ରଦେଶ କରିବା ପାଇଁ ବିଧିବଦ୍ଧ ଭାବରେ ସଚେତନ ପ୍ରୟାସ କରାଗଲା। ଏହିଠାରୁ ଇତିହାସ ଓ ଐତିହ୍ୟବୋଧ, ପୂର୍ବପୁରୁଷର ଗୌରବଗାନ, ଭାଷା-ଜାତି କ୍ରମଶଃ ଶାଣିତ ହୋଇ ଉଠିଲା। ପ୍ରାୟ ଦୀର୍ଘ ତିରିଶ ବର୍ଷ ଧରି ଏହି ପ୍ରୟାସ ଜାରି ରହିଲା। ଓଡ଼ିଆ ଅସ୍ମିତାର ହେଲା ଭୂୟୋ ବିକାଶ। ଯେଉଁ ମନୀଷୀମାନେ ଏହି ସମୟରେ ଜାତିର ସ୍ୱାତନ୍ତ୍ର୍ୟ ପାଇଁ କାର୍ଯ୍ୟ କଲେ ସେମାନେ ପ୍ରାୟତଃ ସମସ୍ତେ ଥିଲେ ଜାତିପ୍ରାଣ, ତ୍ୟାଗୀ ଓ ବିଜ୍ଞ। ଯେଉଁମାନେ ନ ଥିଲେ, ବ୍ରିଟିଶ ସରକାରଙ୍କର ଚାଟୁକାର ସାଜି ଜନଗଣଙ୍କୁ ଶୋଷଣ କରୁଥିଲେ, ସେମାନେ ମଧ୍ୟ ତତ୍କାଳୀନ ଜାତୀୟ ଆହ୍ୱାନ ପ୍ରତି ଉଦାସୀନ ହୋଇ ରହି ପାରିଲେ ନାହିଁ। ରାଜା, ଜମିଦାର, ଭୂମି ମାଲିକ, ସରକାରୀ କର୍ମଚାରୀମାନଙ୍କ ଭିତରୁ କିଛି ଲୋକ ଜାତୀୟ ସ୍ରୋତରେ ସାମିଲ ହୋଇଗଲେ। ଜାତି ନନ୍ଦିଘୋଷ ଗଡ଼ି ଚାଲିଲା ଆଗକୁ ଆଗକୁ।
ମଧୁସୂଦନ ସ୍ୱପ୍ନ ଦେଖିଲେ ଓ ସଂକଳ୍ପ ନେଲେ ଜାତିର ଆର୍ଥନୀତିକ ବିକାଶ ଓ ଶୈକ୍ଷିକ ଉନ୍ନତି ପାଇଁ। ତେଣୁ ସେ ଗୁରୁତ୍ୱ ଦେଲେ କୃଷି ଓ କୃଷକର ଉନ୍ନତି, ଜଳସେଚନର ଆବଶ୍ୟକତା, ଶିଳ୍ପର ପ୍ରତିଷ୍ଠା ଓ ବିକାଶ, ରେଳପଥ ନିର୍ମାଣ ଓ ଗମନାଗମନର ସୁବିଧା ଉପରେ। ଯେତେବେଳେ ମଧୁସୂଦନ ଉତ୍କଳ ସମ୍ମିଳନୀ ଆରମ୍ଭ କଲେ, ନିଜେ ତା’ର କର୍ଣ୍ଣଧାର ହୋଇଗଲେ ସେତେବେଳେ କିଛି ବିଜ୍ଞ ବ୍ୟକ୍ତି ତାଙ୍କୁ ସମାଲୋଚନା କଲେ ଓ ଉତ୍କଳ ସମ୍ମିଳନୀ ଏକ ଜାତୀୟ ଅନୁଷ୍ଠାନ ନ ହୋଇ ବ୍ୟକ୍ତିଗତ ଅନୁଷ୍ଠାନ ହୋଇଯାଉଛି ବୋଲି କଟୁ ମନ୍ତବ୍ୟ ଦେଲେ। ଏହି ସମୟରେ ଗୋପବନ୍ଧୁ ଥିଲେ ମଧୁସୂଦନଙ୍କ ଆହ୍ୱାନକ୍ରମେ ଜଣେ ସ୍ୱେଚ୍ଛାସେବକ। ସେ ମଧୁସୂଦନଙ୍କୁ ଭଲ ପାଉଥିଲେ, ସମ୍ମାନ ଦେଉଥିଲେ। ଜାତିର ଦୁର୍ଗତି ସମ୍ପର୍କରେ ଅବହିତ ଥିଲେ। ୧୯୦୭ ମସିହାରେ ବ୍ରାହ୍ମଣୀ ବନ୍ୟା ଓ ୧୯୧୯ ମସିହାର ପୁରୀ ଜିଲାର ଦୁର୍ଭିକ୍ଷ ବେଳେ ତାଙ୍କର ଦରଦୀ ପ୍ରାଣ ବିକଳବିଧୃତ ହୋଇଯାଇଥିଲା। ଜୀବନ ମରଣ ପଣ କରି ସେସବୁ ଅଞ୍ଚଳରେ ସେ ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ଓ ବିହାର ଓଡ଼ିଶା ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଥିଲେ ମାନବପ୍ରେମୀ, ଦରଦୀ ହୃଦୟ ଓ ଜାତିପ୍ରାଣ। ସେ ଓଡ଼ିଶାର ସ୍ୱାତନ୍ତ୍ର୍ୟ ପାଇଁ ମଧୁସୂଦନଙ୍କ ପରି ଉଦ୍ୟମ କରୁଥିଲେ ମଧ୍ୟ ତାଙ୍କ ଭିତରେ ଭାରତୀୟତାବୋଧ ଓ ବିଶ୍ୱବୋଧ ଘନୀଭୂତ ହୋଇ ଉଠିଥିଲା। ତେଣୁ ସେ ସଚେତନ ଭାବରେ ଓଡ଼ିଆ ଅସ୍ମିତାର ମୁଖ୍ୟ ପ୍ରାଣସ୍ପନ୍ଦନ ଶ୍ରୀଜଗନ୍ନାଥ ଓ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ତଥା ଭାଗବତ ଟୁଙ୍ଗିକୁ ଗ୍ରହଣ କରି ନେଲେ। ତତ୍‍ସହିତ ଓଡ଼ିଆ ଅସ୍ମିତାର ଉଜ୍ଜୀବନ ପାଇଁ ଓଡ଼ିଆ ଭାଷା ଉପରେ ଗୁରୁତ୍ୱ ଦେଲେ ଓ ଭାଷା ଭିତ୍ତିରେ ପ୍ରଦେଶ ଗଠନ ପାଇଁ ଦୃଢ଼ ଯୁକ୍ତି ସହକାରେ ଭାରତୀୟ ସଭାରେ ଓ ବିହାର-ଓଡ଼ିଶା ବିଧାନସଭାରେ ଦାବି ଉପସ୍ଥାପନ କଲେ। ତାଙ୍କର ସ୍ୱଦେଶପ୍ରେମ ଓ ଜାତୀୟତା ସଂକୀର୍ଣ୍ଣ ନୁହେଁ। ତେଣୁ ସେ କହନ୍ତି-ନଦୀପର୍ବତ ଦ୍ୱାରା ଓଡ଼ିଶାର ସୀମା ଆବଦ୍ଧ ହେଲେ ସୁଦ୍ଧା, ସେ ସୀମା ଅତିକ୍ରମ କରି ବିଶାଳତା ଆଡ଼କୁ ଗତି କରିଅଛନ୍ତି। ଜାତୀୟତାର ଲକ୍ଷ୍ୟରେ ଉଦାର ମାନବିକତା, ସମଗ୍ର ଭାରତରେ ତାହା ଓଡ଼ିଆ ହିଁ ବୁଝିଥିଲେ। ବିଶ୍ୱପ୍ରୀତି ହିଁ ଓଡ଼ିଆର ଜାତୀୟତା, ପୂର୍ଣ୍ଣପ୍ରାଣ ଓଡ଼ିଶାର ମନୁଷ୍ୟତା। ଓଡ଼ିଆର ଏ ଜାତୀୟତା, ଦେଶାନୁରାଗ କେବେ ଜଡ଼, ନିର୍ଜୀବ, ନୀରସ ଓ ସ୍ୱାର୍ଥ କଳୁଷିତ ନୁହେଁ। ରାଜ୍ୟ ଲାଭ ବା ରକ୍ତପାତରେ ଏହାର ପ୍ରତିଷ୍ଠା ନୁହେଁ। ଗଭୀର ଧର୍ମ ଭାବ ଏବଂ ଦୃଢ଼ ବିଶ୍ୱାସ ଏହାର ଭିତ୍ତି। ସାମ୍ୟ, ମୈତ୍ରୀ, ସ୍ୱାଧୀନତା ଏହାର ବିଗ୍ରହ। ଓଡ଼ିଆର ଏହି ଭାବ ନୀଳାଚଳ ଧାମରେ ପ୍ରକଟିତ; ତେଣୁ ଜଗନ୍ନାଥ ଓଡ଼ିଆର ଜାତୀୟ ଦେବତା। x x କାଳକ୍ରମେ ଆମ୍ଭମାନଙ୍କର ଜାତୀୟ ଅଧୋଗତି ସଙ୍ଗେ ନୀଳାଚଳର ମୌଳିକ ଉଦାର ଭାବ ଆଜି ବହୁ ସଙ୍କୁଚିତ ହୋଇଅଛି ସତ୍ୟ, ଏ ଭାବ-ଓଡ଼ିଶାରୁ ଲୋପ ପାଇ ନାହିଁ। ନୀଳାଚଳର ନୀତିରେ କ୍ଷୁଦ୍ର ବୃହତ୍‍ ନାହିଁ; ରାଜା ପ୍ରଜା ନାହିଁ; ବ୍ରାହ୍ମଣ ଚଣ୍ଡାଳ ନାହିଁ; ପାମର ପ୍ରେମିକ ନାହିଁ, ଏମନ୍ତ କି ହିନ୍ଦୁ ବୌଦ୍ଧର ଭେଦ ନାହିଁ। ପରବର୍ତ୍ତୀ ଚୈତନ୍ୟ ଯୁଗରେ ମଧ୍ୟ ହିନ୍ଦୁ ମହମ୍ମଦୀୟ ଭେଦ ପର୍ଯ୍ୟନ୍ତ ଏଠାରେ ଲୁଚି ଯାଇଥିଲା। ଏହି ଉଦାର ମାନବିକତା ଏବଂ ମହାଭାରତ ଜାତୀୟତାର ବୀଜ ନୀଳାଚଳ ଧାମରେ ଅଛି ବୋଲି ତ କାଳେ କାଳେ ଭାରତର ଦିଗଦିଗନ୍ତରୁ ସିଦ୍ଧସାଧକ ଓ ମହାପୁରୁଷମାନେ ଆକୃଷ୍ଟ ହୋଇ ଆସିଛନ୍ତି।’
ତା୧୯ା୪ା୧୯୧୯ ମସିହାରେ କଟକ ମ୍ୟୁନିସିପାଲଟି ପଡ଼ିଆରେ ଉତ୍କଳ ସମ୍ମିଳନୀର ମହା ଅଧିବେଶନରେ ସଭାପତିତ୍ୱ କରି ଗୋପବନ୍ଧୁ ଉପରୋକ୍ତ ଅଭିମତ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍କଳ ସମ୍ମିଳନୀକୁ ମହାଭାରତୀୟ ଜାତୀୟ ସଭା ସହିତ ସାମିଲ ହେବାକୁ କହିଥିଲେ। ଏହି ଐତିହାସିକ ଅଭିଭାଷଣରେ ସେ ଓଡ଼ିଆର ଉଦାର ଜାତୀୟତାବୋଧ, ଭାଷାଭିତ୍ତିରେ ପ୍ରଦେଶ ଗଠନ, ସମ୍ମିଳନୀର ମହତ୍ତ୍ୱ, ଓଡ଼ିଆତ୍ୱର ଲକ୍ଷଣ ନିରୂପଣ, ପ୍ରାକୃତିକ ଓଡ଼ିଶାରେ ବିଭିନ୍ନ ଜାତି ଭିତରେ ସହାବସ୍ଥାନ, ଉଦାର ମାନବିକତା, ଭାରତୀୟ ଆକାଂକ୍ଷା ସହିତ ଉତ୍କଳ ଆକାଂକ୍ଷାର ସମନ୍ୱୟ, ଓଡ଼ିଆମାନଙ୍କର ରାଜଭକ୍ତିର ପରିଣାମ, ଓଡ଼ିଶାର ଯଥାର୍ଥ ଇତିହାସର ଅଭାବ, ଓଡ଼ିଆର ଜାତୀୟ ଦେବତା ଜଗନ୍ନାଥ, ନୀଳାଚଳ ଧାମର ଉଦାର ଭାବ, ସମନ୍ୱୟସ୍ଥଳୀ ପବିତ୍ର ଉତ୍କଳ ଭୂମିର ବୈଶିଷ୍ଟ୍ୟ, ବୀର ଓଡ଼ିଆର ବଦାନ୍ୟତା ଓ ଶରଣବତ୍ସଳତା, ସମ୍ମିଳନୀର ନିନ୍ଦୁକମାନଙ୍କ ପ୍ରତି କଟାକ୍ଷପାତ, ଗ୍ରାମ-ଓଡ଼ିଶାର ଦୁର୍ଦଶା, ଜାତୀୟ ଶିକ୍ଷାର ଆବଶ୍ୟକତା, ଭାଗବତ ଘରର ପୁନରୁଦ୍ଧାର, ଓଡ଼ିଶାର ଜାତୀୟ ନୀତି ସାମ୍ୟବାଦ, ଜିଲା ସମିତି ଓ ଗ୍ରାମ ସମିତି ଗଠନ, ସ୍ତ୍ରୀ ଶିକ୍ଷା, ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷା ଓ ଭାଷା ଉପରେ ଗୁରୁତ୍ୱ, ଭାଷା ଉପରେ ଜାତୀୟ ସତ୍ତାର ନିର୍ଭରତା, ଭାରତ ବର୍ଷରେ ଏକ ଓ ଏକକ ଲିପିର ପ୍ରଚଳନ, ଓଡ଼ିଆମାନଙ୍କର ସ୍ୱତନ୍ତ୍ର ଶାସନ ଦାବି, ସାଂପ୍ରଦାୟିକ ନିର୍ବାଚନର ବିରୋଧ ଆଦି ନାନା ବିଷୟ ସମ୍ପର୍କରେ ଯେପରି ନିଜର ଅଭିମତ ପ୍ରକାଶ କରିଥିଲେ ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଓ ତାହାର ଏବେ ମଧ୍ୟ ପ୍ରୟୋଜନୀୟତା ଉପଲବ୍ଧ ହୁଏ।
କେହିକେହି କହିଥାନ୍ତି ଯେ ଗୋପବନ୍ଧୁ ବିରୋଧ କରୁଥିଲେ ମଧୁସୂଦନଙ୍କୁ ଓ ଉତ୍କଳ ସମ୍ମିଳନୀକୁ। ଏମାନଙ୍କ ମତରେ ଉତ୍କଳ ସମ୍ମିଳନୀ ଏକ ବ୍ୟକ୍ତିଗତ ଅନୁଷ୍ଠାନ। ଏହା ତତ୍କାଳୀନ ଓଡ଼ିଆ ଜାତିର ନିମ୍ନସ୍ତରକୁ ସ୍ପର୍ଶ କରିପାରି ନ ଥିଲା। ଏହା କିନ୍ତୁ ସତ ନୁହେଁ। ଗୋପବନ୍ଧୁ ହୃଦୟର ମଣିଷ। ସେ ମଧୁସୂଦନଙ୍କୁ ଗୁରୁ ଜ୍ଞାନ କରିଛନ୍ତି। ମଧୁସୂଦନ ପ୍ରଜ୍ଞାର ମଣିଷ। ହୃଦୟ ଓ ପ୍ରଜ୍ଞାର ହୋଇଛି ମହାମିଳନ। ତେଣୁ ମଧୁସୂଦନ ଯେଉଁ ମାତୃପୂଜା ମଣ୍ଡପ ତିଆରି କରିଦେଲେ ଗୋପବନ୍ଧୁ ତାହାକୁ ବାରମ୍ବାର ସ୍ୱାଗତ କରିଛନ୍ତି। ସେ ମନେ କରିଛନ୍ତି ଉତ୍କଳ ସମ୍ମିଳନୀ ସମଗ୍ର ଓଡ଼ିଆ ଜାତିର। ମାତ୍ର ଉତ୍କଳ ସମ୍ମିଳନୀ ଜାତିର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ସ୍ପର୍ଶ କରି ପାରି ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ଦିଗରେ ଉଦ୍ୟମ ହେବା ବାଞ୍ଛନୀୟ ବୋଲି ସେ କହନ୍ତି। ଓଡ଼ିଶାରେ କେବଳ ନୁହେଁ, ଭାରତରେ ଅନ୍ୟାନ୍ୟ ଜାତୀୟ ଆନ୍ଦୋଳନରେ ମଧ୍ୟ ଜାତୀୟ ଭିତ୍ତି ସାଧାରଣ ଜନଗଣଙ୍କୁ ଉପେକ୍ଷା କରାଯାଇଛି। କେତେକ ବିଶିଷ୍ଟ ଓ ପଦସ୍ଥ ବ୍ୟକ୍ତିଙ୍କ ମଧ୍ୟ ତାହା ଆବଦ୍ଧ ହୋଇରହିଛି। ଏହା ଯେ ସେ କାଳରେ ଥିଲା; ଏ କାଳରେ ନାହିଁ; ନୁହେଁ। ସେକାଳରେ ଯେପରି ଥିଲା ପଦସ୍ଥ ଓ ବିଶିଷ୍ଟ ବ୍ୟକ୍ତିଙ୍କର ଏକଚାଟିଆ ଏବେ ମଧ୍ୟ ସେହିପରି ଅଛି ବିଭିନ୍ନ ଜାତୀୟ ଆନ୍ଦୋଳନରେ। କ୍ରମେ ଜନସାଧାରଣ ଦେଶର ସମସ୍ୟାକୁ ବୁଝୁଛନ୍ତି, ଶିକ୍ଷିତ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସହିତ ସେମାନଙ୍କର ସମ୍ପର୍କ ବଢ଼ୁଛି। ସମାଜ ବା ଜାତିକୁ କେତେକ ମନ୍ଦିର ବା ପିରାମିଡ ସହିତ ତୁଳନା କରିଛନ୍ତି। ଏହାର ଅଗ୍ରଭାଗ ସୂକ୍ଷ୍ମ, ନିମ୍ନ ଭାଗ କ୍ରମଶଃ ମୋଟ ଓ ପ୍ରଶସ୍ତ। ଗୋପବନ୍ଧୁ କହନ୍ତି- ‘ଆକାଶର ଜଳବିନ୍ଦୁ ବଡ଼ ଦେଉଳର ନୀଳଚକ୍ର ଉପରେ ପଡ଼େ। କ୍ରମେ ତାହା ଦେଉଳର ଏକ ପିଢ଼ ପରେ ଅନ୍ୟ ପିଢ଼କୁ ଆସେ; ଅବଶେଷରେ ଦେଉଳର ପାଦ ଦେଶରେ ପହଞ୍ଚେ; ପରେ ପୁଣି ମାଟି ଭେଦ କରି ତଳକୁ ଯାଏ ଏବଂ ଏହାଦ୍ୱାରା ଦେଉଳର ଭିତ୍ତି ଶକ୍ତ ହୁଏ। x x ଯେ କୌଣସି ନୂତନ ଭାବ ପ୍ରଥମେ ଜାତିର ଜଣେ ଦୁଇଜଣଙ୍କ ମନକୁ ଆସେ। ସେ ଭାବ ସମ୍ବନେ୍ଧ ସେମାନେ ହିଁ ଜାତୀୟ ଦେଉଳର ନୀଳଚକ୍ର।’ ଗୋପବନ୍ଧୁଙ୍କ ଚିନ୍ତା ପ୍ରଶସ୍ତ। ହୃଦୟ ଉଦାର। ପ୍ରାଣ ତାଙ୍କର ଦାତବ୍ୟ। ସମଗ୍ର ଜାତି ତାଙ୍କର ନିଜର। ତେଣୁ ସେ ସମ୍ମିଳନୀକୁ ବିରୋଧ କରି ନାହାନ୍ତି; ତାହାକୁ ଜନଗଣଙ୍କ ହୃଦୟ ସଂବେଦ୍ୟ କରିବାକୁ କହିଛନ୍ତି।
ଯେଉଁମାନେ ମଧୁସୂଦନ ଓ ସମ୍ମିଳନୀକୁ ସମାଲୋଚନା କରୁଥିଲେ ସେମାନଙ୍କୁ ଲକ୍ଷ୍ୟକରି ସେ କହନ୍ତି- ‘ସମ୍ମିଳନୀର ନିନ୍ଦୁକ କେହିକେହି ଏହାକୁ ଜଣଙ୍କର ସୁଆଙ୍ଗ ବୋଲି କଟାକ୍ଷ କରିଥାଆନ୍ତି। ମାନବସମାଜର ପ୍ରତ୍ୟେକ ଉଚ୍ଚ ଅନୁଷ୍ଠାନ ବ୍ୟକ୍ତିବିଶେଷର ଚିନ୍ତା ଏବଂ କ୍ରିୟାର ଫଳ। ପୃଥିବୀରେ ଯେ ସମସ୍ତ ଧର୍ମ ବର୍ତ୍ତମାନ ପ୍ରବର୍ତ୍ତିତ, ସେସବୁ କ’ଣ ଜଣେଜଣେ ସିଦ୍ଧ ମହାପୁରୁଷଙ୍କର ସୁଆଙ୍ଗ ନୁହେଁ? ଭାବ ପ୍ରଥମେ ସେମାନଙ୍କ ପ୍ରାଣରେ ପ୍ରକାଶ ପାଇଅଛି। ତାହାର ପ୍ରସାର ଏବଂ ପରିଣତି ନିମନ୍ତେ ସେମାନେ ପାଗଳ ହୋଇଛନ୍ତି, ବଞ୍ଚିତ ଓ ଦଣ୍ଡିତ ହୋଇଛନ୍ତି; କିନ୍ତୁ ପରିଣାମରେ ସେହିମାନେ ହିଁ ଜୟୀ। ମାନବ ସମାଜ ସେମାନଙ୍କ ଭାବରେ ଦୀକ୍ଷିତ ଏବଂ ଭାବାନ୍ୱିତ। ଯେ ଯାହା କୁହନ୍ତୁ ଓଡ଼ିଆ ଜାତୀୟ ମିଳନର ଭାବ ପ୍ରଥମେ ଯାହାଙ୍କ ହୃଦୟରେ ସ୍ଥାନ ପାଇଥିଲା ଏବଂ ସେହି ଭାବକୁ କ୍ରିୟାରେ ପରିଣତ କରିବା ନିମନ୍ତେ ଯେ ଆମ୍ଭମାନଙ୍କର ଏ ଉତ୍କଳ ସମ୍ମିଳନୀ ସୂତ୍ରପାତ କରିଅଛନ୍ତି, ଓଡ଼ିଆ ଜାତିର ଇତିହାସ ଯେ ତାଙ୍କର ମହତ୍ତ୍ୱ ଚିରଦିନ ସ୍ୱୀକାର କରିବ, ଏହା ନିଃସନ୍ଦେହ। ଏହା ହିଁ ଥିଲା ଗୋପବନ୍ଧୁଙ୍କର ପ୍ରାଣର ବାଣୀ। ମଧୁସୂଦନଙ୍କ ପ୍ରତି ତାଙ୍କର ଯେ କେତେ ଶ୍ରଦ୍ଧା ତାହା ଏଥିରୁ ସୂଚିତ ହୋଇଥାଏ।
ଉତ୍କଳ ସମ୍ମିଳନୀ କୌଣସି ବ୍ୟକ୍ତିଗତ ଅନୁଷ୍ଠାନ ନୁହେଁ; ଏକ ଜାତୀୟ ଅନୁଷ୍ଠାନ। ସକଳ ସଂକୀର୍ଣ୍ଣତାରୁ ମୁକ୍ତ ହୋଇ ସମଗ୍ର ଜାତିକୁ ଏହା ଅଙ୍ଗୀଭୂତ କରିବା ଉଚିତ। ଜାତି ଅନ୍ତର୍ଗତ ସାଧାରଣ ଜନଗଣ ଏହି ସମ୍ମିଳନୀ ସହିତ ସାମିଲ ହେବା ବିଧେୟ। ତାଙ୍କର ମତ ‘ଜାତିର ଜନସାଧାରଣ ଯେ ଜାତିର ଗଣ୍ଡି କ୍ରମେ ଏହା ଅଧିକରୁ ଅଧିକ ବୁଝାଯାଉଛି। x x ଗଛର ପତ୍ର ଉପରୁ ଆଲୋକ ପବନ ଆଦି ଗ୍ରହଣ କରେ। ମୂଳ ଚେର ପ୍ରଭୃତି ମାଟିରେ ଲୁଚି ରହିଥିଲେ ସୁଦ୍ଧା ମାଟିରୁ ରସ ଗ୍ରହଣ କରି ଗଛକୁ ସଜୀବ ଏବଂ ପରିପୁଷ୍ଟ ରଖେ। ଜାତୀୟ ବୃକ୍ଷର କ୍ରିୟା ମଧ୍ୟ ଏହିପରି। ଯେଉଁମାନେ ଉପରେ ଅଛନ୍ତି ସେମାନେ ଚିନ୍ତାର ଆଲୋକରେ ଜାତୀୟ ବୃକ୍ଷକୁ ସତେଜ ରଖିବେ ସତ୍ୟ; ମାତ୍ର ତଳୁ ରସ ନ ପାଇଲେ ଗଛ ମରିଯିବ। ମୂଳ ନ ଥିଲେ ଡାଳ ପତ୍ର ଅସମ୍ଭବ। ମାତ୍ର ଡାଳପତ୍ର ନ ଥାଇ କେବଳ ମୂଳ ଥିଲେ ସମୟରେ ଗଛ ବଢ଼ି ତହିଁରୁ ଶାଖା ପ୍ରଶାଖା ବାହାରିବ ଏବଂ ତାହା ସୁନ୍ଦର ଫଳ ଫୁଲରେ ଭୂଷିତ ହେବ। ଙ୍ଘ ଙ୍ଘ ସେହିପରି ଜାତୀୟ ସ୍ୱାତନ୍ତ୍ର୍ୟ ରଖିବାକୁ ହେଲେ ଜାତିର ମୂଳ ଠିକ୍‍ ରଖିବାକୁ ହେବ। ଏହା ମାଟିତଳେ ଲୁଚି ରହିଛି ସତ୍ୟ; ମାତ୍ର ଏହା ହିଁ ମୂଳଶକ୍ତି, ଏହା ହିଁ ଜାତୀୟ ମନ୍ଦିରର ଭିତ୍ତି।’ ଏହି ଭିତ୍ତି ଓ ମୂଳ ଜାତି ଅନ୍ତର୍ଗତ ଜନସାଧାରଣ। ତେଣୁ ଜାତୀୟ କାର୍ଯ୍ୟରେ ରାଜା ମହାରାଜା ଓ ଉଚ୍ଚଶିକ୍ଷିତ ଅଭିଜାତ ବର୍ଗଙ୍କ ସହିତ ଜନଗଣ ସାମିଲ ନ ହେଲେ ଜାତିର ଉନ୍ନତି ଅସମ୍ଭବ। ସମ୍ମିଳନୀ ଏହି ନୀତିକୁ ଗ୍ରହଣ କରିବା ଉଚିତ ବୋଲି ପଲ୍ଲୀପ୍ରାଣ ଦୁଃଖୀଜନ ବନ୍ଧୁ ଗୋପବନ୍ଧୁ ଦୃଢ଼ ମତ ପ୍ରଦାନ କରିଥିଲେ। ସମ୍ମିଳନୀର କାର୍ଯ୍ୟ ୧୯୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଧିମେଇ ଗଲା। ସ୍ୱାଧୀନତା ପରେ ଏଯାବତ୍‍ ସମ୍ମିଳନୀ ଚାଲିଛି ମାତ୍ର ତାହା ଜନଗଣଙ୍କୁ ନେଇ ପାରିନାହିଁ। କେତେକ ଶିକ୍ଷିତ ଅଭିଜାତଙ୍କ ଭିତରେ ଏହା ସୀମାବଦ୍ଧ। ସେଥିରେ ପୁଣି ପଦ ମଣ୍ଡନ ପାଇଁ ସଂଘର୍ଷ। ଜନସାଧାରଣଙ୍କ ଅବସ୍ଥାର ପରିବର୍ତ୍ତନ ସଙ୍ଗେ ସଙ୍ଗେ କୃଷି, ଶିଳ୍ପ, ସାହିତ୍ୟ, ଶିକ୍ଷା ଓ ବାଣିଜ୍ୟ ଇତ୍ୟାଦିରେ ଉନ୍ନତି ନ ହେଲେ ଜାତିର ଉନ୍ନତି ହେବ ନାହିଁ। କେବଳ ରାଜନୀତିକ ଇସ୍ତାହାର ଶୁଣାଇ ଓ ଜନଗଣଙ୍କୁ ଭୁଲାଇ ଭୋଟ ନେଇ ସିଂହାସନ ମଣ୍ଡନ କଲେ କେବେ ହେଲେ ଜାତିର କଲ୍ୟାଣ ହେବନାହିଁ। ଏଥିପାଇଁ ଆବଶ୍ୟକ ରାଜନୀତିକ ଦୃଢ଼ ଇଚ୍ଛାଶକ୍ତି, କ୍ଷମତା ତୃଷ୍ଣା ଓ ଉପଭୋଗ-ବାସନାର ପରିହାର। ଜାତୀୟତା ଗଠନ ପାଇଁ ଆବଶ୍ୟକ ହୃଦୟରେ ଭାବ ପରିବର୍ତ୍ତନ, ନେତା ଓ ନୀତିଙ୍କ ମଧ୍ୟରେ ଅଭେଦ ପରିକଳ୍ପନା। ଜାତୀୟ ଜୀବନର ପୂର୍ଣ୍ଣ ବିକାଶ ପାଇଁ ଜାତୀୟ ଶିକ୍ଷା ସର୍ବାଦୌ ଆବଶ୍ୟକ। ଶିକ୍ଷାର ପ୍ରସାର ଘଟୁଛି, କେତେକେତେ ବାଗରେ ବିବିଧ ବୈଷୟିକ ଶିକ୍ଷାନୁଷ୍ଠାନ ଗଢ଼ି ଉଠୁଛି, ମାତ୍ର ଜାତୀୟ ଶିକ୍ଷା ଅଭାବରୁ ଏସବୁ ଜାତି ଗଠନରେ ସାହାଯ୍ୟ କରିପାରୁନାହିଁ; ବରଂ ଏସବୁ ଶିକ୍ଷା ବ୍ୟବସ୍ଥା ବ୍ୟକ୍ତି- ସର୍ବସ୍ୱ ହୋଇଯାଉଛି। ଏ ଶିକ୍ଷା ସହିତ ଲୋକଙ୍କର ସମ୍ପର୍କ ରହୁନାହିଁ। ଶିକ୍ଷାର ଉପଯୁକ୍ତ ସଂସ୍କାର ହେଲେ, ଜାତୀୟ ଶିକ୍ଷାର ବିକାଶ ହେଲେ, ଜନଗଣ ଉପଯୁକ୍ତ ଶିକ୍ଷା ଲାଭ କଲେ ସେମାନେ ରାଷ୍ଟ୍ର ସଚେତନ ହେବେ, ଆପଣାର ଉପଯୁକ୍ତ ପ୍ରତିନିଧି ନିର୍ବାଚିତ କରିବେ, ଶାସନ କାର୍ଯ୍ୟରେ ମନୋମୁଖୀ କାରବାରକୁ ସମାଲୋଚନା କରିପାରିବେ। ଏହା କିନ୍ତୁ ହେଉନାହିଁ। ଉତ୍କଳ ସମ୍ମିଳନୀ ଏ ଦିଗରେ ଯେ କିଛି କାର୍ଯ୍ୟ କରିନଥିଲା; ନୁହେଁ ମାତ୍ର ବ୍ୟାପକ ଭାବରେ କରିପାରି ନ ଥିଲା। ଗୋପବନ୍ଧୁ ପୁଣି ଓଡ଼ିଆ ଅସ୍ମିତାର ବଳିଷ୍ଠ ଦିଗ ଭାଗବତ ଘର ଉପରେ ଗୁରୁତ୍ୱ ଦେଇଥିଲେ। ଆଜି ଭାଗବତ ଘର ନାହିଁ। ତା’ ସ୍ଥାନରେ କ୍ଲବ-ସଂସ୍କୃତି ଗଢ଼ି ଉଠିଛି। ଏହା ଜାତି ପ୍ରାଣରେ କୌଣସି ଆଶା ସଂଚାର କରିପାରୁନାହିଁ। ଆଜିର ପାଠପଢ଼ା ହୋଇଯାଇଛି କେବଳ ଚାକିରି ପାଇଁ, ଗୋଲାମୀ ପାଇଁ। ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ଉପାଦାନ। ଯାବତୀୟ ଜାତୀୟ ବିପର୍ଯ୍ୟୟ ଭିତରେ ଏହା ହିଁ ଓଡ଼ିଆ ଜାତି ଭିତରେ ସଂହତି ରକ୍ଷା କରିଥିଲା। ଆଜି ଆଉ ତାହା ନାହିଁ। ତାହା ସ୍ଥାନରେ କ୍ଲବ ସଂସ୍କୃତି, ଟିଭି ସଂସ୍କୃତି, କ୍ରିକେଟ ସଂସ୍କୃତି ପ୍ରଭାବ ବିସ୍ତାର କରିଯାଇଛି। ଏହା କ’ଣ ଓଡ଼ିଆ ଜାତିକୁ ଉତ୍ତୋଳନ କରିପାରିବ? ଜାତି ଭିତରେ ଆତ୍ମବଳ ସଂଚାର କରିପାରିବ? ଓଡ଼ିଶାର ଜାତୀୟ ନୀତି ସାମ୍ୟବାଦ। ଜଗନ୍ନାଥ ଧର୍ମ ସେହି ନୀତିର ଜୀବନ୍ତ ଆଦର୍ଶ। ଧର୍ମବଳରେ ବଳୀୟାନ ହେଲେ ହିଁ ଦେଶାନୁରାଗ ଓ ଜାତୀୟତା ପ୍ରତିଷ୍ଠା ଲାଭ କରିବ। ଏହି ଧର୍ମବଳ କୌଣସି ସାଂପ୍ରଦାୟିକ ଧର୍ମ ନୁହେଁ; ଏହା ନରନାରାୟଣଙ୍କ ଧର୍ମ। ଆତ୍ମାକୁ ବିସ୍ତାର କରିବା ଓ ମୈତ୍ରୀ ଧର୍ମ ପ୍ରତିଷ୍ଠା କରିବା ଏହାର ଲକ୍ଷ୍ୟ। ଏହା ଦ୍ୱାରା ହିଁ ଜାତୀୟ ଚରିତ୍ର ଓ ପତିଆରା ବିକଶିତ ହୁଏ।
ଗୋପବନ୍ଧୁ ପୁନଶ୍ଚ ଗୁରୁତ୍ୱ ଦେଇଥିଲେ ମାତୃଭାଷା ଉପରେ। ସେ କହନ୍ତି – ‘ମନେ ରଖିବାକୁ ହେବ ଯେ ଓଡ଼ିଆ ଭାଷା ଉପରେ ଆମ୍ଭମାନଙ୍କର ଜାତୀୟ ସତ୍ତା ନିର୍ଭର କରେ। ଭାଷା ଲୋପ ପାଇଲେ ଓଡ଼ିଆ ଜାତି ଲୋପ ପାଇବ। ସୁତରାଂ ଭାଷା ଆମ୍ଭମାନଙ୍କ ପକ୍ଷେ ଜୀବନ ମରଣର ସମସ୍ୟା। ଅବଶ୍ୟ ଭାରତରେ ସମସ୍ତଙ୍କର ଏକ ସାଧାରଣ ଭାଷା ହୋଇପାରିଲେ ପରମ ସୌଭାଗ୍ୟର ବିଷୟ ହୋଇପାରନ୍ତା। ସେଥିଲାଗି ଓଡ଼ିଆ ଭାଷାକୁ ତ୍ୟାଗ କରିବା ନିମନ୍ତେ ମୁଁ କୁଣ୍ଠିତ ନୁହେଁ। ଭାରତରେ ଏକ ଭାଷା ପ୍ରଚାର ନିମନ୍ତେ ଯେ କୌଣସି ସ୍ୱାର୍ଥତ୍ୟାଗ ବ୍ୟକ୍ତିବିଶେଷ ବା ପ୍ରଦେଶ ବିଶେଷ ପକ୍ଷେ କଦାପି ଅତ୍ୟଧିକ ହୋଇପାରେ ନା। ଭାରତର ସମୂହ କଲ୍ୟାଣରେ ପ୍ରାଦେଶିକ ସ୍ୱାର୍ଥ ବଳିଦେବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ; ମାତ୍ର ଯେତେଦିନ ଯାଏ ଭାରତରେ ଏକ ସାଧାରଣ ଭାଷାର ସମ୍ଭବ ହୋଇ ନାହିଁ, ଭାରତରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ବିଦ୍ୟମାନ ରହିଛି, ସେତେଦିନ ଯାଏ ଓଡ଼ିଆ ଅକାରଣ ତା’ର ସ୍ୱାତନ୍ତ୍ର୍ୟ ହରାଇବାକୁ ପ୍ରସ୍ତୁତ ନୁହେଁ।’ ଭାରତ ପରିପ୍ରେକ୍ଷୀରେ ଗୋପବନ୍ଧୁ ଏହି ଯେଉଁ କଥା କହି ଅଛନ୍ତି ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ମାତ୍ର ଏ ଦିଗରେ ପ୍ରାଦେଶିକ ମନୋଭାବ ଓ ନିଜ ନିଜ ଭାଷା ପ୍ରୀତି ପ୍ରତିବନ୍ଧକ ହୋଇଛି। ଏପରି ପରିସ୍ଥିତିରେ ଅାମେ ଆମ ଭାଷା ପ୍ରତି ଉଦାସୀନ ରହିବା ଉଚିତ କି? ଦେଖାଯାଉଛି ସ୍ୱାଧୀନତା ପରେ ଆମ ଭିତରୁ କ୍ରମଶଃ ମାତୃଭାଷା ପ୍ରୀତି ହ୍ରାସ ପାଇବାରେ ଲାଗିଛି। ଆମ ଭିତରେ ଇଂରାଜୀ ଭାଷା ପ୍ରତି ଦେଖା ଦେଇଛି ପ୍ରବଣତା। ଇଂରେଜ ଶାସନ ଅମଳରେ ଓଡ଼ିଆ ଭାଷା ଯେଉଁ ସଙ୍କଟର ସମ୍ମୁଖୀନ ହୋଇ ଥିଲା ଏବେ ସ୍ୱାଧୀନ ସରକାରରେ ତାହାଠାରୁ ଆହୁରି ଆହୁରି ସଙ୍କଟପୂର୍ଣ୍ଣ ହୋଇଯାଇଛି। ମନେ ରଖିବାକୁ ହେବ ‘ମାତୃଭାଷା ମନୁଷ୍ୟ ହୃଦୟରେ ସ୍ୱାଭାବିକ ପ୍ରବାହ।’ ଏହି ଭାଷାକୁ ଅବହେଳା କରିବା ଅର୍ଥ ଜାତିର ହୃଦୟର ଗତିରୋଧ କରିବା, ହୃଦୟର ଦ୍ୱାରମୁଖ ବନ୍ଦ କରିବା ଏବଂ ଅନ୍ତରର ଚାବି ଜିଭ କାଟି ଦେବା।’ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଚେତନା ଆମ୍ଭର ସୃଷ୍ଟି ହେଉ ନାହିଁ; ବରଂ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ନଗରାଞ୍ଚଳ ପର୍ଯ୍ୟନ୍ତ ସର୍ବତ୍ର ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦେଉଛୁ। ଇଂରେଜ ସରକାର ଭାରତବର୍ଷକୁ ଯେଉଁ ଦୁଇଟି ବିଶିଷ୍ଟ ବରଦାନ ଦେଇଥିଲେ-ଇଂରାଜୀ ଶିକ୍ଷା ଓ ବ୍ୟୁରୋକ୍ରାସି, ଆଜି ଆମେ ତାହାରି କବଳରେ ପଡ଼ିଯାଇଛୁ।
ଗୋପବନ୍ଧୁ ପୁଣି ସେଦିନ ସାଂପ୍ରଦାୟିକ ନିର୍ବାଚନକୁ ଘୋର ବିରୋଧ କରିଥିଲେ। ଏପରି ନିର୍ବାଚନ ଯେ ଭାରତର ସଂହତି ନଷ୍ଟ କରି ଦେବ- ଏହା ସେ ଦୃଢ଼ ଭାବରେ କହୁଥିଲେ। ଦୁର୍ଭାଗ୍ୟ ସ୍ୱାଧୀନତା ପରବର୍ତ୍ତୀ କାଳରେ ଭୋଟ ପାଇଁ ସାଂପ୍ରଦାୟିକ ନିର୍ବାଚନକୁ ନେତାମାନେ ଗୁରୁତ୍ୱ ଦେଉଛନ୍ତି। ଏପରିକି ଜନଗଣନା ମଧ୍ୟ ଜାତି ଓ ସଂପ୍ରଦାୟଭିତ୍ତିକ ହୋଇଯାଉଛି। ସକଳ ଭେଦ-ନୀତି ପରିହାର କରି ଗୋଟାଏ ମହାଜାତିକୁ ଜାତୀୟତାର ମହାମନ୍ତ୍ରରେ ମନ୍ତ୍ରିତ କରିବା ଥିଲା ତାଙ୍କର ଲକ୍ଷ୍ୟ। ‘ନନ୍ଦିଘୋଷ ରଥ ନିଶ୍ଚୟ ଲକ୍ଷ୍ୟ ସ୍ଥାନକୁ ଯିବ। ବର୍ଣ୍ଣ, ଧର୍ମ, ଜାତିଭେଦ ଭୁଲି ବ୍ୟକ୍ତିଗତ ଅହଂକାର, ଅଭିମାନ ପଛକୁ ପକାଇ, ଆସ ଭାଇ ସମସ୍ତେ ରଥ ଦଉଡ଼ି ଧରି ଟାଣିବା ପ୍ରାଣପଣେ।’ ଏହା ହିଁ ଜଣେ ଉଦାର ମାନବବାଦୀ ଜାତିପ୍ରାଣ ବ୍ୟକ୍ତିଙ୍କର ହୃଦୟର ବାଣୀ। ଆମେ କିନ୍ତୁ ଏ ବାଣୀ ଶୁଣୁ ନାହୁଁ। ସେଦିନ ଉତ୍କଳ ସମ୍ମିଳନୀର ମାତୃପୂଜା ମଣ୍ଡପରେ ବ୍ୟଥିତ ହୃଦୟରେ ଗୋପବନ୍ଧୁ ଓଡ଼ିଆ ଜାତିକୁ ଏକ ମହାଭାବରେ ଉଦ୍‍ବୁଦ୍ଧ ହେବାକୁ ପ୍ରେରଣା ଦେଇଥିଲେ। ବାହାର ପ୍ରଦେଶରେ ରହିଥିବା ଓଡ଼ିଆମାନଙ୍କର ଉନ୍ନତି କରିବା ପାଇଁ ଓ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଉଦ୍‍ବୋଧନ ଦେଇଥିଲେ। ଦେଶ ପାଇଁ କିଛି ସମୟ ଚିନ୍ତା କରିବାକୁ କହିଥିଲେ। ଭାଷା ସୂତ୍ରରେ ପ୍ରଦେଶ ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଜାତୀୟ କଂଗ୍ରେସରେ ଓଡ଼ିଶାର ଦାବିକୁ ସେ ଅନୁମୋଦନ କରାଇଛନ୍ତି। ଦେଶମିଶ୍ରଣ ଆନ୍ଦୋଳନରେ ସେ ସାମିଲ ହୋଇଛନ୍ତି। ତେଣୁ ସେ ଉତ୍କଳ ସମ୍ମିଳନୀକୁ ବିରୋଧ କରି ନାହାନ୍ତି; ସମର୍ଥନ କରିଛନ୍ତି। ସକ୍ରିୟ ଭାବରେ କାର୍ଯ୍ୟ କରିଛନ୍ତି। ସମ୍ମିଳନୀକୁ ପ୍ରସାରିତ କରି ଜନମୁଖୀ କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ଗୋପବନ୍ଧୁ ନାହାନ୍ତି। ସମ୍ମିଳନୀ ମଧ୍ୟ ଥିବା ଯାହା ନ ଥିବା ତାହା। ଗୋପବନ୍ଧୁଙ୍କ ଉକ୍ତିକୁ ମନେପକାଇ ଓଡ଼ିଆ ଜାତିର ଅସ୍ମିତା ଉତ୍ତୋଳନ ପାଇଁ ଚେଷ୍ଟା ହେବା ଉଚିତ। ଭାରତ ଦରବାରରେ ଓଡ଼ିଶା ଓ ଓଡ଼ିଆ ଜାତି ଅବହେଳିତ। ଏଥିପାଇଁ ସମସ୍ତେ ସଂଘବଦ୍ଧ ଭାବରେ କାର୍ଯ୍ୟ କରିବା ଉଚିତ। ମନେ ରଖିବାକୁ ହେବ ଜାତି ରହିଲେ, ଭାଷା ରହିଲେ ଆମେ ରହିବା। ଭାଷା ନ ଥିଲେ, ଜାତି ଲୋପ ପାଇଗଲେ ଆମର ସ୍ଥିତି କେଉଁଠି?

Comments
Loading...