ଇନ୍ଦୋର ସବୁଠାରୁ ସ୍ୱଚ୍ଛ

0

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ ଉତ୍ସବ ମଙ୍ଗଳବାରଠାରୁ ଜାତୀୟସ୍ତରରେ ଆରମ୍ଭ ହୋଇଛି। ୨୦୧୪ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଇତିମଧ୍ୟରେ ଚାରି ବର୍ଷ ପୁରିଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସବୁଠାରୁ ୧୦ଟି ସ୍ୱଚ୍ଛ ସହରର ତାଲିକା ପ୍ରକାଶ ପାଇଛି। ତାଲିକାରେ ଇନ୍ଦୋର ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୧୭ରେ ମଧ୍ୟ ଏହି ସହର ପ୍ରଥମ ସ୍ଥାନରେ ରହିଥିଲା। ଗତ ବର୍ଷକ ମଧ୍ୟରେ ଅନେକ ସହର ସେମାନଙ୍କ ସ୍ଥିତିରେ ଉନ୍ନତି ଆଣି ତାଲିକାର ପ୍ରଥମ ୧୦ଟିରେ ସ୍ଥାନ ପାଇଛନ୍ତି। ସେହିଭଳି ତାଲିକାର ପ୍ରଥମ ୧୦ଟି ସହର ମଧ୍ୟରେ ସ୍ଥାନ ପାଇଥିଲେ ମଧ୍ୟ କେତେକ ସହର ତଳକୁ ଖସି ଆସିଛନ୍ତି।
୨୦୧୭ରେ ସବୁଠାରୁ ସ୍ୱଚ୍ଛ ସହର ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଭୋପାଳ ଚଳିତ ବର୍ଷ ମଧ୍ୟ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ଅପରପକ୍ଷରେ ୨୦୧୭ରେ ୧୧ତମ ସ୍ଥାନରେ ଥିବା ଚଣ୍ଡିଗଡ଼ ଇତିମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଗତ ବର୍ଷ ସପ୍ତମ ସ୍ଥାନରେ ଥିବା ନୂଆଦିଲ୍ଲୀ ଏଥର ଚତୁର୍ଥ ସ୍ଥାନ ଅକ୍ତିଆର କରିଥିବା ବେଳେ ଗତ ବର୍ଷ ୧୯ତମ ସ୍ଥାନରେ ଥିବା ବିଜୟୱାଡ଼ା ପଞ୍ଚମ ସ୍ଥାନରେ ପହଞ୍ଚିଛି। ସେହିପରି ତାଲିକାର ଷଷ୍ଠ ସ୍ଥାନରେ ତିରୁପତି ରହିଛି। ଗତ ବର୍ଷ ଏହି ସହର ନବମ ସ୍ଥାନରେ ଥିଲା। ଅପରପକ୍ଷରେ ୨୦୧୭ରେ ତାଲିକାର ତୃତୀୟ ସ୍ଥାନରେ ଥିବା ବିଶାଖାପାଟଣା ଚଳିତ ବର୍ଷ ସପ୍ତମକୁ ଖସି ଆସିଛି। ୨୦୧୭ରେ ମହୀଶୂର ପଞ୍ଚମ, ନଭି ମୁମ୍ବଇ ଅଷ୍ଟମ ଓ ପୁନେ ୧୩ତମ ସ୍ଥାନରେ ଥିଲେ। ଚଳିତ ବର୍ଷ ଉପରୋକ୍ତ ସହରଗୁଡ଼ିକ ଯଥାକ୍ରମେ ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛନ୍ତି।

Leave A Reply